Categories
ଆଜିର ଖବର

ଆନ୍ଧ୍ର ବିଧାନସଭାରେ ପାରିତ ହେଲା ‘ଦିଶା- ୨୦୧୯’

ଆନ୍ଧ୍ରପ୍ରଦେଶ, ୧୨/୧୩: ଆନ୍ଧ୍ରପ୍ରଦେଶ ବିଧାନସଭା ଶୁକ୍ରବାର ଆନ୍ଧ୍ରପ୍ରଦେଶ ବିଧାନସଭା ଦିଶା ବିଧେୟକକୁ ପାରିତ କରିଛନ୍ତି। ପୂର୍ବରୁ ଆନ୍ଧ୍ର କ୍ୟାବିନେଟ୍‌ ଆନ୍ଧ୍ରପ୍ରଦେଶ ଦିଶା ବିଲ୍‌ – ୨୦୧୯କୁ ସ୍ବୀକୃତି ଦେଇଥିଲା। ଏହି ବିଧେୟକ ଆଧାରରେ ମହିଳା ବିରୋଧୀ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ମାମଲାର ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟା ୨୧ ଦିନରେ ଶେଷ କରି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି। ନିକଟରେ ଆନ୍ଧ୍ରର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାଠାରେ ହୋଇଥିବା ପ୍ରାଣୀ ଚିକିତ୍ସିକାଙ୍କ ଗଣଦୁଷ୍କର୍ମ ଓ ଅମାନୁଷିକ ହତ୍ୟା ପରେ ଆନ୍ଧ୍ର ସରକାର ଏହି ନିୟମ ଆଣିଛନ୍ତି। ପ୍ରାଣୀ ଚିକିତ୍ସିକାଙ୍କ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏହି ବିଲ୍‌ଟିକୁ ତାଙ୍କ ନାମରେ ନାମିତ କରାଯାଇଛି। ରାଜ୍ୟର ଗୃହମନ୍ତ୍ରୀ ଏମ୍‌. ସୁଚରିତା ଏହି ବିଧେୟକକୁ ବିଧାନସଭାରେ ଉପସ୍ଥାପନା କରିଥିଲେ। ଏହାକୁ ରାଜ୍ୟର କ୍ଷମତାସୀନ ଓ୍ବାଇଆରଏସ୍‌ କଂଗ୍ରେସ କ୍ରାନ୍ତିକାରୀ ବୋଲି କହିଛି। ଏହି ନୂତନ ସଂଶୋଧିତ ଆଇନ ଅନୁଯାୟୀ ଯଦି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଉପଲବ୍ଧ ଥିବ, ତେବେ ତଦନ୍ତ ସାତ ଦିନରେ ଶେଷ କରାଯିବ ଏବଂ  ଆଗାମୀ ୧୪ ଦିନରେ ନ୍ୟାୟିକ ପ୍ରକ୍ରିୟା ପୂରା କରାଯିବା ସହ ଦୋଷୀଙ୍କୁ ୨୧ ଦିନ ଭିତରେ କଠୋର ଦଣ୍ଡ ଦିଆଯିବ। (ଏଜେନ୍ସି)