Categories
ଆଜିର ଖବର

ଏସିଆନ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ସିପ୍‌ : କ୍ବାର୍ଟରରେ ସାଇନା ଓ ସିନ୍ଧୁ

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ ଏସିଆନ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ସିପ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ମହିଳା ଖେଳାଳି କ୍ବାର୍ଟରରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଡବଲ୍‌ସ ଯୋଡି ଉତ୍କର୍ଷ ଅରୋରା ଏବଂ କରିସ୍ମା ଓ୍ବାଡେକର ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସାଇନା ମାତ୍ର ୩୮ ମିନିଟ୍‌ ସମୟରେ କୋରିଆର କିମ୍‌ ଗା ଇଉନ୍‌ଙ୍କୁ ପରାସ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସପ୍ତମ ସିଡ୍‌ର ମାନ୍ୟତା ପାଇଥିବା ସାଇନାଙ୍କ ପରବର୍ତ୍ତୀ ମୁକାବିଲା ତୃତୀୟ ସିଡ୍‌ ଆକାନେ ୟାମାଗୁଚିଙ୍କ ସହିତ ହେବ। ଅନ୍ୟ ପକ୍ଷରେ ସିନ୍ଧୁ ମାତ୍ର ୩୩ ମିନିଟ୍‌ ସମୟ ନେଇ ଇଣ୍ଡୋନେସିଆର ଚୋଇ ରିନ୍ନୁସାଙ୍କୁ ୨୧-୧୫ ଏବଂ ୨୧-୧୯ ସେଟ୍‌ରେ ପରାସ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଷଷ୍ଠ ସିଡ୍‌ର ମାନ୍ୟତା ପାଇଥିବା ସିନ୍ଧୁ ନିଜର ପରବର୍ତ୍ତୀ ମୁକାବିଲାରେ ଅଣ ସିଡେଡ୍‌ ଚୀନ୍‌ର କାଇ ୟାନ୍‌ଗାନ୍‌ଙ୍କୁ ଭେଟିବେ। ଭାରତୀୟ ପୁରୁଷ ଏକକ ବର୍ଗ ଖେଳାଳି ସମୀର ବର୍ମା ମଧ୍ୟ କ୍ବାର୍ଟରରେ ପ୍ରବେଶ କରିଛନ୍ତି  ସମୀର ୨୧-୧୨ ଏବଂ ୨୧-୧୯ ସେଟ୍‌ରେ ହଂକଂର ଆଙ୍ଗ କା ଲଙ୍ଗଙ୍କୁ ପରାସ୍ତ କରିଛନ୍ତି।