Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ।

ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା। ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି।

ସୋଆ ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ ଅଧିକାରୀ ଶ୍ରୀ ସୁଧାଂଶୁ ପଟ୍ଟନାୟକ ଓ ଏନଏସଏସ କୋଅରଡିନେଟର ଡକ୍ଟର ନଚିକେତା ଶର୍ମା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ବଣ୍ଟନ କାର୍ଯ୍ୟରେ 22 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ହରେକୃଷ୍ଣ ନାୟକ, 23 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଦିଲୀପ ମାଝୀ ଓ 49 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଅଶ୍ୱିନୀ ସୁନ୍ଦରରାଏ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୭ ଦିନ ଭିତରେ ଭୁବନେଶ୍ବରରେ ପାଞ୍ଚ ହଜାର ଟେଷ୍ଟ କରାଯିବ: ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍‌ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍‌ ନିଆଯିବ। ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍‌ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ।  ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍‌, କର୍ମଚାରୀଙ୍କ ସାମ୍ପଲ୍‌ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବ। ଉଭୟ ସ୍ଥାୟୀ ଓ ଭ୍ରାମ୍ୟମାଣ୍ୟ କ୍ୟାମ୍ପ୍‌ କରି ସାମ୍ପଲ୍‌ ସଂଗ୍ରହ କରାଯିବ। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ୭ ଟି ଲ୍ୟାବ୍‌ରେ କରୋନା ପରୀକ୍ଷା ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଚାରି ଆକ୍ରାନ୍ତଙ୍କ ସଂପର୍କରେ ମିଳିଲା ସବିଶେଷ ତଥ୍ୟ, ସେମାନଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ୪ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ବୋଲି ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲିର ୪ ସଙ୍କ୍ରମଣଙ୍କ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ

ସୁନ୍ଦରଗଡ-2

କେନ୍ଦ୍ରାପଡା-1

ଭୁବନେଶ୍ବରର-1

ତେବେ ଏହି ୪ ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ରହିଛି କି ନାହିଁ ଏବଂ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଘରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ବିଏମସି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବିଏମସି। ବିଭିନ୍ନ ସଂସ୍ଥା ଦ୍ବାରା ମୋବାଇଲ୍‌ ଭ୍ୟାନ୍‌ ଓ ହୋମ୍‌ ଡେଲିଭରି ସୁବିଧା କରାଯାଇଛି। ଡେଲି ମାର୍କେଟ୍‌ ପାଇଁ 67ଟି ଓ୍ବାର୍ଡରେ 68ଟି ନୂଆ ସ୍ଥାନଚିହ୍ନଟ କରାଯାଇଛି। ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟୀ ବସିପାରିବେ ନାହିଁ। ଏସବୁ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଅପିଲ୍‌ କରାଯାଇଛି। ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ବିଏମ୍ସିର ଅପିଲ୍‌ କରିଛି।

ସୂଚନାଯୋଗ୍ୟ, ଭୁବନେଶ୍ବରରୁ 32ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମସି ତରଫରୁ ବେଶ୍‌ କଡ ପଦକ୍ଷେପ ନିଆଯାଉଛି। ଓଡ଼ିଶାର ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ହେବ ଭୁବନେଶ୍ବର ଓ ଭଦ୍ରକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ରହିବ ଭୁବନେଶ୍ବର। ପଞ୍ଚମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ କରୋନା ରୋଗୀଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବା ସତ୍ତ୍ବେ ସେ କରୋନା ସଂକ୍ରମିତ ହେବା ପରେ ଏହା ଏବେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି। କେବଳ ଭୁବନେଶ୍ବର ନୁହେଁ ଭଦ୍ରକରେ ମଧ୍ୟ ସମ୍ପୂର୍ଣ୍ଣ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ  ଡାଉନ୍‌ କରାଯିବ। ଏହି ସଟ୍‌ ଡାଉନ୍‌ କାଳରେ ସମସ୍ତ ପୁରୁଣା ପାସ୍‌ ବନ୍ଦ ରହିବ। ଏନେଇ ଆଜି ପ୍ରେସ ମିଟ୍‌ରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ଏହି ସମୟରେ କ୍ଷୀର, ଫଳ, ଗ୍ରୋସରୀ, ମାଛ, ଅଣ୍ଡା, ମାଂସ ଦୋକାନ ଆଦି ବନ୍ଦ ରହିବ। ସେହିପରି କମ୍‌ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିବ। ପଞ୍ଚମ ରୋଗୀଙ୍କ ବିଲକ୍ଷଣ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ସେହିପରି ଏହି ସଟ୍‌ ଡାଉନ୍‌ କାଳରେ ଯିଏ ଘର ବାହାରେ ବୁଲିବ ପୋଲିସ୍‌ ତାକୁ ଉଠାଇନେବ ବୋଲି ସୂଚନା ରହିଛି। ସେମାନଙ୍କୁ ଉଠାଇ ନିଆଯାଇ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରଖାଯିବ। ସଟ୍‌ ଡାଉନ୍‌କୁ ଏକପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଡିସିପି ଅଭୟ। ସେହିପରି ଯିଏ ଏହି ସଟ୍‌ ଡାଉନ୍‌କୁ ଉଲ୍ଳଂଘନ କରିବ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ଜରିମାନା ମଧ୍ୟ ଆଦାୟ କରାଯିବ। ସେହିପରି ସଟ୍‌ ଡାଉନ୍‌ ସମୟରେ ଜରୁରୀ ସେବା ପାଇଁ ଜରୁରୀ ପାସ୍‌ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।

ତେବେ ଆଜି ଓଡ଼ିଶାର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପୂର୍ବରୁ ଦ୍ବିତୀୟ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ତିନି ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ: ସମ ଅଲଟିମେଟ ମେଡ଼ିକେଆରରେ ବିରଳ ଅସ୍ତ୍ରୋପଚାର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲର ଡାକ୍ତର ସଫଳତାର ସହ ୪ ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି।

ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ ଭୁଲବଶତଃ ଏହାକୁ ଗିଳି ଦେଇଥିଲା। ଏହି ହୁଇସିଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯିବା ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ହୁଇସିଲରେ ଥିବା ଛୋଟ କଣା ଦ୍ୱାରା ସେ ବହୁ କଷ୍ଟରେ ନିଶ୍ୱାସ ନେଇ ପାରୁଥିଲା। କିନ୍ତୁ ଯେଉଁ ସମୟରେ ସେ ନିଶ୍ୱାସ ନେଉଥିଲା ସେହି ସମୟରେ ତା ଶରୀରରୁ ହୁଇସିଲ ବାଜିବାର ଶବ୍ଦ ବାହାରୁଥିଲା।

କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକ ଡାଉନରେ ଥିବା ବେଳେ ଶିଶୁଟିର ପରିବାର ଖୁବ କଷ୍ଟ ସ୍ବୀକାର କରି ଭୁବନେଶ୍ୱର ଆସି ସମ ଅଲଟିମେଟ ମେଡିକେଆରରେ ଶିଶୁକୁ ଭର୍ତ୍ତି କରାଇଥିଲେ।

ହସ୍ପିଟାଲର ଇଏନଟି ଆଣ୍ଡ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ ପଦ୍ଧତିରେ ଅପଟିକାଲ ଫୋରସେପ ସାହାଯ୍ୟରେ ହୁଇସିଲଟିକୁ କାଢ଼ିବାରେ ସକ୍ଷମ ହୋଇଥିଲେ।

ଏହି ପ୍ରକ୍ରିୟା ଖୁବ ଜଟିଳ ଥିଲା କାରଣ ମାତ୍ର କିଛି ମିନିଟ ମଧ୍ୟରେହିଁ ହୁଇସିଲଟି କଢାଯିବାର ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ।

ଏହି ବିରଳ ଅସ୍ତ୍ରୋପଚାରରେ ହସ୍ପିଟାଲର ଅନାସଥେସିଆ ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଡାକ୍ତର ଭବାନୀ ପତି, ଡାକ୍ତର ରଂଜିତ ପତି ଏବଂ ଡାକ୍ତର ସୂରୁପା ଦେବୀପ୍ରଦା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପ୍ରକ୍ରିୟା ଖୁବ ବିପଦପୂର୍ଣ୍ଣ ଥିଲା କାରଣ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହା ସମ୍ପାଦନ କରାଯାଇନଥିଲେ ଶିଶୁଟିର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି କହିଛନ୍ତି ଡାକ୍ତର ସାହୁ।

ସମ ଅଲଟିମେଟ ମେଡ଼ିକେଆର ଠାରେ ଏଭଳି ଉନ୍ନତଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ସହରର ବିଭିନ୍ନ ଓ୍ବାର୍ଡରେ ବୁଲିବ ମୋବାଇଲ୍‌ ଭେଜିଟେବୁଲ୍‌ ଭ୍ୟାନ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ଓ୍ବାର୍ଡରେ ମୋବାଇଲ୍‌ ଭେଜିଟେବୁଲ୍‌ ଭ୍ୟାନ୍‌ ବୁଲିବ ବୋଲି ବିଏମ୍‌ସି ସୂଚନା ଦେଇଛି। ଲୋକେ ଭ୍ୟାନରୁ ସହଜରେ ପରିବା କିଣିବା ନେଇ ବିଏମ୍‌ସି ତରଫରୁ ଏନେଇ ବିଏମ୍‌ସି ବ୍ୟବସ୍ଥା କରିଛି। ସେହିପରି ରାଜଧାନୀର 41ଟି ଛୋଟ ଛୋଟ ହାଟ ନିୟମିତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୟୁନିଟ୍‌-1, ୟୁନିଟ୍‌-4 ଓ ସହିଦ୍‌ ନଗର ହାଟ ଚାଲୁ ପାଇଁ ନିର୍ଦ୍ଦେଶ ଥିଲା। ସମସ୍ତ ହାଟରେ ସାମାଜିକ ଦୂରତା ବଜାୟ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଲୋକଙ୍କ ପାକରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍‌ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଅପରପକ୍ଷରେ ଆଜି ମାଛ ମାର୍କେଟ୍‌ରେ ସାମାଜିକ ଦୂରତ୍ବର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଲୋକେ ସାମାଜିକ ଦୂରତ୍ବକୁ ଖୋଲାଖାଲି ଊଲ୍ଲଂଘନ କରୁଥିବାର ନଜର ଆସିଥିଲା। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ଅଡ୍‌-ଇଭିନ୍‌ ନିୟମ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଅଡ୍‌ ଇଭିନ୍‌ ନିୟମ । ଶନିବାର ଠାରୁ ଏହି ଅଡ୍‌ ଇଭିନ୍‌ ନିୟମ ଲାଗୁ କରାଯିବା ସହିତ କେବଳ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବରର ଗାଡି ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବରର ଗାଡି ଯାତାୟତ କରିବ । ତେବେ ବ୍ୟକ୍ତିଗତ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି । କେବଳ ସର୍ବସାଧାରଣ ପରିବହନରେ ବ୍ୟବହୃତ ଗାଡିକୁ ଏହି ନିୟମରେ ସାମିଲ କରାଯିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସାକୁ ଏହି ଅଡ୍‌ ଇଭିନ୍‌ ନିୟମ ମଧ୍ୟରେ ସାମିଲ କରାଯାଇଛି । ଘରୋଇ ଗାଡି ବ୍ୟତିତ ସରକାରୀ ଗାଡି, ଡାକ୍ତର ଏବଂ ଡାକ୍ତରଖାନା ଗାଡିକୁ ଏହି ନିୟମ ପରିସରରୁ ବାହାରେ ରଖାଯାଇଛି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି ।

Categories
ଆଞ୍ଚଳିକ ସଂସ୍କୃତି

ଇଞ୍ଜଣା ଯାଦବ ସଂଘର ଲଉଡ଼ି ରାମତାଳି ପ୍ରତିଯୋଗିତା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ୱର ସହର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଇଞ୍ଜଣା ଗ୍ରାମରେ ସ୍ଥାନୀୟ ଯାଦବ ସଂଘ ଆନୁକୂଲ୍ୟରେ ପଞ୍ଚୁଦୋଳ ଅବସରରେ ଲଉଡ଼ି ଓ ରାମତାଳି ପ୍ରତିଯୋଗିତା ସଭାପତି ହରିହର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଓ-ଟିଭି ର ଡେପୁଟି ଆଉଟ୍‌ପୁଟ୍ ଏଡ଼ିଟର ଦେବବ୍ରତ ପୋଢ, ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ସଂଯୋଜକ ଲକ୍ଷ୍ମୀଧର ବେହେରା, ଲକ୍ଷେଶ୍ୱର ଆଞ୍ଚଳିକ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ ମହନ୍ତ ନଳିନୀ କୁମାର ସ୍ୱାଇଁ, ଅଧିକାରୀ ଚୈତନ୍ୟ ସାହୁ, ସାମ୍ବାଦିକା ଚିତ୍ରାଙ୍ଗଦା ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଓ ରାଧାକୃଷ୍ଣ ଚେତନାର ଏକ ଅପୂର୍ବ ସମନ୍ୱୟ ଓ ଏହି ଆଧ୍ୟାତ୍ମିକ ଲୋକକଳାକୁ ବଞ୍ଚାଇ ରଖିବାରେ ରାଜ୍ୟର ଯାଦବ ସମୁଦାୟ ଯେଉଁ ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨ ଗୋଟି ଲଉଡ଼ି ମେଳ ଲଉଡ଼ି ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଙ୍ଗାଧର ବେହେରା, ଗୁଣନିଧି ବେହେରା, ପ୍ରମୋଦ ବେହେରା, ପିଣ୍ଟୁ ବେହେରା, ଦାଶରଥି ବେହେରାଙ୍କ ସମେତ ଇଞ୍ଜଣା ଗ୍ରାମ ମଙ୍ଗଳ ସମିତିର ସଭାପତି ବିକ୍ରମ ପ୍ରଧାନ, ପୂର୍ବତନ ସଭାପତି ଉଦ୍ଧବ ସାମଲ, ପ୍ରଦୀପ କୁମାର ଦାସ, ଅର୍ଜୁନ ପରିଡ଼ା, ବାବନ ସ୍ୱାଇଁଙ୍କ ସମେତ ଇଞ୍ଜଣା ଗ୍ରାମବାସୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତ୍ୟେକ କଳାକାରଙ୍କୁ ଉତ୍ତରୀୟ, ମାନପତ୍ର, ଘଣ୍ଟି, ଘାଗୁଡ଼ି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଏନଆରସିକୁ ବିରୋଧ କରିବା ପାଇଁ ଯୁବ କଂଗ୍ରେସ କରିବ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ ଅଭିଯାନ

ଭୁବନେଶ୍ୱର ତା ୧୭.୦୨ – ବର୍ତମାନ ସମଗ୍ର ଦେଶରେ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ୍‌ସିପ୍ (#NRC) କୁ ନେଇ ବାଦବିବାଦ ଚାଲୁଥିବା ବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ (NRU) ନାମକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନକୁ କେନ୍ଦ୍ର କରି ଭାରତୀୟ ଯୁବ କଂଗ୍ରେସ ସବୁ ରାଜ୍ୟରେ “ୟଙ୍ଗ ଇଣ୍ଡିଆ କି ବୋଲ” ନାମକ ଭାଷଣ ପ୍ରତିଯୋଗିତାର ଆୟୋଜନ ଆରମ୍ଭ କରାଯାଇଛି । ଯାହାର ବିଷୟ ରହିଛି “ବେରୋଜଗାରୀ” । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଏହି କାର୍ଯ୍ୟକ୍ରମର ପୋଷ୍ଟର, ବ୍ୟାନର କଂଗ୍ରେସ ଭବନରେ ଉନ୍ମୋଚନ କରାଯାଇଛି ।

ସି.ଏ.ଏ, ଏନ୍‌.ଆର୍‌.ସି. ଏବଂ ଏନ୍‌.ପି.ଆର୍‌. ସହିତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ ବିଷୟରେ ଯୁବ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଲଗାତର ସମାଲୋଚନା କରୁଛି । ଏହି ମୁହୂର୍ତରେ ଦେଶରେ ବେରୋଜଗାରୀ ବହୁତ ବଡ ସମସ୍ୟା ରହିଛି । ବିଗତ ୨୦ ବର୍ଷରେ ନବୀନ ସରକାର ଓଡିଶାକୁ ବେରୋଜଗାରୀରେ ଏକ ନମ୍ବର ସ୍ଥାନରେ ପହଁଚାଇଛି।  ତେଣୁ ଦେଶରେ ନ୍ୟାସନାଲ୍ ରେଜିଷ୍ଟ୍ରାର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ ନିତାନ୍ତ ଦରକାର ବୋଲି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରଥମେ ଜିଲ୍ଲାସ୍ତରୀୟ ପରେ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା “ୟଙ୍ଗ ଇଣ୍ଡିଆ କି ବୋଲ୍‌” ଦ୍ୱାରା କରାଯିବ ଏବଂ ଶେଷରେ ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଦିଲ୍ଲୀ ଠାରେ ମାର୍ଚ୍ଚ ୨୩ ତାରିଖରେ ସମାପନ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦିକା ତଥା ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ, ‘ୟଙ୍ଗ ଇଣ୍ଡିଆ କି ବୋଲ୍‌’ର ପ୍ରଭାରୀ ଆଶୁତୋଷ ଚାଟାର୍ଜୀ, ୟଶ୍ ଚୌଧୁରୀ, ପ୍ରଦେଶ ଯୁବ କଂଗ୍ରେସ ମୁଖାପାତ୍ର ଅଜୟ କୁମାର ସାହୁ, ଦେବାଶିଷ ମହାପାତ୍ର, ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍ ପାତ୍ର, ସଂକୁନା କହଁର, ଆଲୋକ ଲେଙ୍କା, ଜ୍ଞାନରଂଜନ ରାଉତ, ନଳିନୀକାନ୍ତ ନାୟକ ଓ ବିରଂଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଇ ଟିକେଟ ଦଲାଲ ଗିରଫ : 700ରୁ ଅଧିକ ଟିକେଟ ଜବତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବରରେ ଧରାପଡ଼ିଲା ଇ-ଟିକେଟ ଠକେଇ । 700ରୁ ଅଧିକ ଟିକେଟ ସହିତ ଏଜେଣ୍ଟ ବିଷ୍ଣୁପ୍ରସାଦ ପଟ୍ଟନାୟକକୁ ପୋଲିସ୍‌ ଗିରଫ କରିଛି । ବିଷ୍ଣୁ ପ୍ରସାଦ 40ରୁ ଅଧିକ ନକଲି ଆକାଉଣ୍ଟ ଖୋଲି ଏହି ଠକେଇ କରୁଥିଲା । ବିଭିନ୍ନ ଟ୍ରାଭେଲ୍‌ ଏଜେନ୍ସି ଓ ଯାତ୍ରୀଙ୍କୁ ଏହି ଟିକେଟ ଚଢ଼ା ଦରରେ ବିକୁଥିଲା ଦଲାଲ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର-ସୁରତ ବିମାନ ସେବା ଆରମ୍ଭ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ସକାଳ 8.40 ମିନିଟ୍‌ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ବିମାନଟି ସୁରତ ଅଭିମୁଖମେ ଯାତ୍ରା କରିଛି । ଏୟାର ଇଣ୍ଡିଆର ଏ-320 ବିମାନଟି 180 ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ବିମାନଟି 10.40ରେ ସୁରତରେ ପହଞ୍ଚିବ । ବିମାନଟି ସପ୍ତାହକୁ ଦୁଇଥର ସୋମବାର ଏବଂ ଗୁରୁବାର ଯାତ୍ରା କରିବ ବୋଲି ଜଣାପଡିଛି । ବେସାମରିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ବିଟ୍‌ କରି ବିମାନ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ବର-ମୁମ୍ବାଇ ଏଲ୍‌ଟିଟିର 7 ବଗି ଲାଇନଚ୍ୟୁତ

ସମୀକ୍ଷା ବ୍ୟୁରୋ
କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହୋଇଛି । ବି-1 ପରଠାରୁ 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘନ କୁହୁଡି କାରଣରୁ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 6 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଏକ ମେଡିକାଲ୍‌ ଟ୍ରେନ୍‌ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଏକ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ଲଞ୍ଚ କରାଯାଇଛି । ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇଁ 1072 ଡାଏଲ୍‌ କରିବା ପାଇଁ ରେଳବାଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୯ରୁ ଆରମ୍ଭ ହେବ ଭୁବନେଶ୍ୱରରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍‌ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନମାନଙ୍କରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ।

ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର୍‌ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ, ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ଏହି ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ। ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ। ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡ଼ିକର ୫ବର୍ଷରୁ କମ୍‌ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟୀକାକରଣ ସୁଯୋଗ ନେଇପାରିବେ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ। ସେହିପରି କେଉଁ ଅଞ୍ଚଳରେ କେଉଁଠି ବୁଥ୍‌ ହୋଇଛି, ସେ ସମ୍ବନ୍ଧରେ ଜାଣିବା ପାଇଁ  ବିଏମସି ତରଫରୁ ୱେବସାଇଟ୍‌ରେ ଲିଙ୍କ୍‌ ଦିଆଯିବ।  ନିକୋ ପାର୍କ ଓ ଅନ୍ୟାନ୍ୟ ପାର୍କରେ କେତେଗୁଡ଼ିଏ ମଡ଼େଲ ଟୀକାକରଣ ବୁଥ୍‌ କରାଯାଇ ଶିଶୁମାନଙ୍କ ପାଇଁ ଟୀକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଶ୍ରୀ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି।

 

Categories
ଆଜିର ଖବର

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,19/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍‌ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ଉଭୟ ଦଳର ଖେଳାଳୀ ଓ ବିସିସିଆଇର ଅଫିସିଆଲଙ୍କ ପାଇଁ ମେ’ଫେୟାର ହୋଟେଲରେ ରୁମ୍‌ ନିଆଯାଇଛି । ବିସିସିଆଇ ପକ୍ଷରୁ .ସମୁଦାୟ 85ଟି ରୁମ୍‌ ବୁକ୍‌ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।

Categories
ଆଞ୍ଚଳିକ

ରାଜଧାନୀରେ ସେକ୍ସ ରାକେଟ୍‌ ଠାବ: 6 ଗିରଫ, 4 ଯୁବତୀ ଉଦ୍ଧାର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର,1/12: ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍‌ ଚେର ଲମ୍ବିବାରେ ଲାଗିଛି। ଖଣ୍ଡଗିରିର ଏମ୍ସ ନଗରର ଏକ ହୋଟେଲ୍‌ରରେ ଚଢାଉ କରି ପୋଲିସ 2 ଦଲାଲଙ୍କ ସମେତ 6 ଜଣଙ୍କୁ ଗିରଫ କରିଛି। ଏହା ସହିତ 6 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି। ଏହି ଘଟଣା ସହ ନିଜର ସମ୍ପୃକ୍ତିକୁ ହୋଟେଲ ମାଲିକ ଅସ୍ବୀକାର କରିଛନ୍ତି।

Categories
ଆଜିର ଖବର

ମହତାବ ଜୟନ୍ତୀ : ପୁରୁଣା ଭୁବନେଶ୍ବରରେ ରାଜ୍ୟ ସ୍ତରୀୟ ପାଇକ ପ୍ରତିଯୋଗୀତା ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର, ନଭେମ୍ବର 21: ୧୨୦ତମ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି କେଦାରଗୌରୀସ୍ଥିତ ଗୁଆଝର ପ୍ରାଙ୍ଗଣରେ ପାଇକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ଉଦଘାଟନ କରି କରିଥିଲେ।

ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ଦୁଃଶାସନ ସ୍ୱାଇଁ,କେଦାରନାଥ ମହାପାତ୍ର,ସନତ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରତିଯୋଗିତା ବିଚାରକ ଭାବେ ଇଂ ସଚିଦାନନ୍ଦ ସୁନ୍ଦରାୟ,ଶରତ ଚନ୍ଦ୍ର ପାଇକରାୟ,ନୀଳମଣି ମିଶ୍ର,ଦାମୋଦର ହରିଚନ୍ଦନ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ୫୧ଟି ପାଇକ ଦଳ ଭାଗ ନେଇଥିଲେ। ଶନିବାର ଦିନ ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଉତ୍ସବରେ କୃତି ପାଇକ ଦଳକୁ ପୁରସ୍କୃତ କରାଯିବ।

Categories
ଆଜିର ଖବର

ରାଜଭବନ ନୁହେଁ, ପ୍ରଦର୍ଶନୀ ପଡିଆରେ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ, 29 ତାରିଖ ଦିନ 11ଟା 10ରେ ନେବେ ଶପଥ

ସମୀକ୍ଷା ବ୍ୟୁରୋ

ପ୍ରଥମ ଥର ପାଇଁ ନବୀନ ଓଡିଶା ରାଜନୀତିରେ ଏକ ନୂଆ କଥା କରିବାକୁ ଯାଉଛନ୍ତି। ଏଥର ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ଚିରାଚରିତ ରାଜଭବନ ନ ହୋଇ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ। ଏନେଇ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। 29 ତାରିଖ ଦିନ 11ଟ 10 ମିନିଟ୍ ରେ ନବୀନ ଶପଥ ନେବେ ବୋଲି ସମୟ ନିର୍ଦ୍ଧାରିତ ହୋଇଛି। ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାରୁ ଏହାକୁ ବେଶ ଯାକଜମକରେ କରିବା ପାଇଁ ବିଜେଡି ଆଗ୍ରହ ପ୍ରକାଶ କରିଛି। ରାଜଭବନ ଭିତରେ ଥିବା ଖୋଲା ସ୍ଥାନରେ ଏହି ଶପଥ ଗ୍ରହଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। 2014 ମସିହାରେ ନବୀନ ରାଜଭବନ ଭିତରେ ଥିବା ଖାଲି ସ୍ଥାନରେ ଶପଥ ନେଇଥିଲେ। ତେବେ ରାଜଭବନ ଭିତରକୁ ପ୍ରବେଶ କରିବା କଟକଣା ଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ ବହୁ ଅତିଥି ଯାଇ ପାରନ୍ତି ନାହିଁ। ପଞ୍ଚମ ପାଳିରେ ଯେପରି ବହୁ ସଂଖ୍ୟାରେ ଅତିଥି ଆସିବେ ସେଥିପାଇଁ ଦଳ ପ୍ରଦର୍ଶନୀ ପଡିଆରେ ସମାରୋହ କରିବାକୁ ନିଷ୍ପତି କରିଛି।

Categories
ଆଜିର ଖବର

ହଳଦୀ ପଡିଆରୁ ୪୫ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ

ବୁଧବାର ସକାଳୁ ହଳଦିଆପଡ଼ିଆ ବସ୍ତି ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗାର ଜବତ ସହ ଚାଲାଣକାରୀଙ୍କୁ ଗିରଫ କରିଛି। ବିଭିନ୍ନ ଅପରାଧ ସହ ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ହଳଦିଆପଡ଼ିଆ ବସ୍ତି ଅଂଚଳରେ ଥିବା ଏକ ଆଡ୍ଡାରୁ ଏକ କାର ଯୋଗେ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ଚଢାଉ କରି ୪୫ ବ୍ରାଉନସୁଗାର ଜବତ କରିଛି। ଜବତ ହୋଇଥିବା ୪୫ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି। ଅଧିକ ତଥ୍ୟ ସହ ଏହି ଚାଲାଣରେ କାହା ଲିଙ୍କ ରହିଛି ଖୋଳତାଡ଼ ଆରମ୍ଭ କରିଛି ପୋଲିସ। ଏହି ଡ୍ରଗ୍ସ ଜବତ ଜରାଜଧାନୀ ଧୀରେ ଧୀରେ ଡ୍ରଗ୍ସ ମାଫିଆଙ୍କ ଦ୍ବାରା କବଳିତ ହେଉଛି ବୋଲି କୁହାଯାଇଛି।

Categories
ବିଶେଷ ଖବର ମତାମତ

ସବୁଠୁ କମ ଭୋଟ ଦେଉଥିବା ସ୍ମାର୍ଟ ସିଟି ଭୁବନେଶ୍ବରକୁ ସଲାମ

ରଙ୍ଗାଚରଣ ପ୍ରଧାନ 

କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ।

ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ମିଳିଛି କ’ଣ ? ଦେଶକୁ ଲୁଟୁଥିବା ଶକ୍ତି ଓ ଟଙ୍କା ନେଇ ଟୁଇଟ୍ କରୁଥିବା ସେଲିବ୍ରିଟିମାନେ ଏକ ଅଯୁକ୍ତିକର ପ୍ରଚାର ଚଳାଇଛନ୍ତି ଯେ ଅଧିକ ଭୋଟିଂ ହେବା ଗଣତନ୍ତ୍ର ପାଇଁ ଭଲ । ତା’ମାନେ ଆମେ ମଲେଇ ଖାଉଥିବୁ ଆଉ ତମେ ପାଞ୍ଚ ବର୍ଷରେ ଥରେ ଆଙ୍ଗୁଠିରେ କାଳି ଲଗେଇ ଖୁସି ହୁଅ ଯେ ଆମେ ପୄଥିବୀର ସର୍ବବୄହତ ଗଣତନ୍ତ୍ର ।

ମୁଁ ଜାଣୁଛି ବହୁତ ବନ୍ଧୁ ମୋ ସହିତ ଅସହମତ ହେବେ । ସେମାନେ ମୋତେ ବୁଝେଇ ଦେଲେ ମୁଁ ଖୁସିରେ ମାନିଯିବି । ଯେଉଁମାନେ ରାଜନିତୀରେ ଆମ୍ବ କ’ଣ ଆମ୍ବଡା କ’ଣ ଜାଣି ନାହାନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କଲେ ସେମାନେ କି ପ୍ରକାର ନିଷ୍ପତ୍ତି ନେଇ ଭୋଟ ଦେବେ ? ଜାମ୍ମୁ କାଶ୍ମୀର କଥା ଅଲଗା । ସେଠାରେ ଭୋଟ ପ୍ରତିଶତ ବଢିଲେ ଆମେ ବୁଝିବା ଯେ ସେଠିକାର ଲୋକଙ୍କ ମନରେ ବିଛିନ୍ନତାବାଦ ମନୋଭାବ କମୁଛି । କିନ୍ତୁ ଆମ ଭୁବନେଶ୍ବରରେ ତ ଲୋକଙ୍କ ମନରେ ବିଛିନ୍ନତାବାଦ ନାହିଁ ? ସେମାନଙ୍କୁ କାହିଁକି ବାଧ୍ୟ କରିବା ଭୋଟ ଦେବାକୁ ?

ସେମାନେ ଜାଣିଛନ୍ତି ଦେଶ ଚାଲୁଛି । ଆମେ ଭୋଟ ଦେବାକୁ ନଗଲେ ବି ଦେଶ ଏମିତି ଚାଲିବ । ଯେତେ ପରିବର୍ତନ କଲେ ବି ସେମିତି ଚାଲିବ । ପଡି ଉଠି କରି ହିସାବ ଏପଟ ସେପଟ କରି ୬ରୁ ୮% ବିକାଶ ବୄଦ୍ଧି ଦର ହାରରେ ଦେଶ ଚାଲିଛି । ଏତିକି ବିକାଶ ଦର ହାରରେ କିଛି ହବନି । ଦେଶର ପ୍ରକୄତ ବିକାଶ କରିବାକୁ ହେଲେ ଅତି କମରେ ଆମକୁ ବୄଦ୍ଧି ଦର ଲଗାତର ୧୦% ରେ ପହଞ୍ଚାଇବାକୁ ପଡିବ ଯାହା ଗତ ୨୦ ବର୍ଷରେ କେବଳ ଗୋଟିଏ ବର୍ଷ ହୋଇଛି । ଭୁଟାନ୍ ଆମଠାରୁ ଅଧିକ ଆର୍ଥିକ ଉନ୍ନତି କରିଛି । ବଙ୍ଗଳାଦେଶ, ଯାହାକୁ ଆମେ ୧୯୭୧ ମସିହାରେ ଜନ୍ମ ଦେଇଥିଲୁ, ସିଏ ବି ଅଧିକାଂଶ ଆର୍ଥିକ ମାପଦଣ୍ଡରେ ଆଜି ଆମଠାରୁ ଆଗରେ । ଆମକୁ କିନ୍ତୁ ଅମିତାଭ ବଚନମାନେ କହୁଛନ୍ତି ତମେ ଖାଲି ଭୋଟ ଦିଅ ।

ଦେଶରେ ସ୍ବାକ୍ଷର ସଂଖ୍ୟା ବଢିଛି । ମାତ୍ର ସେମାନଙ୍କ ମଧ୍ୟରୁ ଶିକ୍ଷିତଙ୍କ ସଂଖ୍ୟା କେତେ ? ଏହି ସ୍ବାକ୍ଷରମାନେ ହ୍ବାଟସପ୍ ପାଇଁ ଫିଟ୍ । ସେଥିପାଇଁ ଆଜି ନେହେରୁଙ୍କ ବାପା ମୋଇନୁଦ୍ଦିନ୍ ହେଇଗଲେ । ହ୍ବାଟସପ୍ ସ୍ବାକ୍ଷରଙ୍କ ମଧ୍ୟରେ ବାଦ ବିବାଦ ଚାଲିଲା ଯେ ଏଇଟା ସତ ନା ଫେକ୍ ନ୍ୟୁଜ୍ । କିନ୍ତୁ କେହି ବି ଜଣେ ଶିକ୍ଷିତ ବାହାରିକରି ପଚାରୁନି ଯେ ନେହେରୁଙ୍କ ବାପା ଯଦି ସତରେ ମୋଇନୁଦ୍ଦିନ୍ ହୋଇଥାନ୍ତି ସେଥିରେ ପ୍ରୋବ୍ଲେମ୍ କେଉଁଠି ? ଦେଶରେ ବହି ପଢୁଥିବା ଲୋକଙ୍କ ସଂଖ୍ୟା କମୁଛି । ପ୍ରେମଚନ୍ଦଙ୍କ ଅମର କୄତିକୁ କେତେ ଜଣ ପଢୁଛନ୍ତି ? ଆଉ କାହା କଥା କ’ଣ କହିବା, ଆମ ସାମ୍ବାଦିକମାନେ ଯେଉଁମାନଙ୍କୁ ବୄତ୍ତିର ଆବଶ୍ୟକତା ଯୋଗୁଁ ବହି ପଢିବା ନିହାତି ଦରକାର, ସେମାନେ ବି ପଢୁ ନାହାନ୍ତି । ସବୁ ନହେଲେ ବି ଅଧିକାଂଶ । ସେମାନଙ୍କ ପାଇଁ ଆଜିକାଲି ବହି ଅପେକ୍ଷା ବୁମ୍ ଅଧିକ ଜରୁରୀ । ସେମାନଙ୍କ ଉପରେ ପୁଣି ଦାୟିତ୍ବ ଦିଆଯାଇଛି ଆମକୁ ଅଫିସରୁ ଫେରିବା ପରେ ଜଣେଇବେ ଦେଶରେ କ’ଣ ସବୁ ଘଟୁଛି । ସେଇମାନଙ୍କୁ ଲଗେଇ ଗୋଟିଏ ମାସ ଭିତରେ ଏମିତି ଘୋ କରାଯାଉଛି ଯେ ସତେ ଯେପରି ଦେଶରେ ଆଉ କିଛି ସମସ୍ୟା ନାହିଁ କେବଳ ସେହି ଘୋ ଭିତର ସମସ୍ୟାଟି ହିଁ ସମସ୍ୟା ।

ଆଜି ସମ୍ବାଦ ଟୁଇଟ୍ କରିଛି –

” ଓଡିଶାରେ ତୄତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ।'”

ଠିକ୍ ତ ଲେଖିଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣୟ ହୁଏ । ଆମର ନୁହେଁ ? ଆମେ କାହିଁକି ଛୁଟି ଦିନଟାରେ ଭୋଟ ଦେବାକୁ ଯିବୁ ? ଆମେ ଭୋଟ ଦେଇଦେଲେ କ’ଣ ୧୨% ନହେଲେ ବି ୧୦% ବିକାଶ ବୄଦ୍ଧି ଦର ଆସିଯିବ ? ଆଉ ଦଳେ ପରିବର୍ତନର ଡାକରା ଦେଉଛନ୍ତି । କି ସୁନ୍ଦର ମାର୍କେଟିଂ ଆହା ! ଆହେ କି ପରିବର୍ତନ ହୋ ?
ପରିବର୍ତନ ହେଲେ ବିକାଶ ହେବ ଏବଂ ତାହାର ସମବଣ୍ଟନ ହେଇଯିବ ? କ’ଣ ରୋଡ୍ ତିଆରି ହେବାକୁ ବିକାଶ କୁହନ୍ତି ? ଏହି ପରିବର୍ତନ ଦ୍ବାରା ସ୍ବାକ୍ଷରମାନେ ଶିକ୍ଷିତ ହୋଇଯିବେ ? ଭୁତଳ ଜଳସ୍ତର କମିବା ବନ୍ଦ ହୋଇଯିବ ? ଓଡିଆ ଭାଷା ବଞ୍ଚିବା ପାଇଁ ଓଡିଆ ମାଧ୍ୟମ ସ୍କୁଲ ଚମକିବ ? କୄଷି ଏମିତି ଲାଭଜନକ ହେବ ଯେ ଚାକିରୀ ବଜାର ଉପରେ ପ୍ରେସର୍ କମିବ ? ଆମ କୄଷି ଉତ୍ପାଦନ ରପ୍ତାନୀଯୋଗ୍ୟ ହୋଇଯିବ ? ଏଠି ପରା ଭୋଟ ଆସିବାରୁ ଗୋଟେ ସରକାର କାଳିଆ ଯୋଜନା ଆରମ୍ଭ କଲା ତ ଆଉ ଗୋଟିଏ ସରକାର ପିଏମ୍-କିଷାନ୍ ଆରମ୍ଭ କଲାଣି । ଆପଣ କି ପରିବର୍ତନ କଥା କହୁଛନ୍ତି ଯେ ଭୁବନେଶ୍ବର ଲୋକେ ଛୁଟିଟା ବରବାଦ କରି ବୁଥ୍ ଆଗରେ ଲାଇନ୍ ଦେବେ ?

ସପ୍ତାହ ସାରା ଭୁବନେଶ୍ବରରେ କାମ କରୁଥିବା ପ୍ରାଇଭେଟ୍ ସଂସ୍ଥା କର୍ମଚାରି କେତେ ପ୍ରେସରରେ ରୁହନ୍ତି ତମକୁ ଜଣା ଅଛି ? ସବୁ ନିୟମ ଭୁବନେଶ୍ବର ବିଧାନସଭାରେ ତିଆରି ହୁଏ କିନ୍ତୁ ଭୁବନେଶ୍ବରରେ ଲାଗୁ ହୁଏନି । ଦିନସାରା ଏକସେଲ୍ ଓ ଓ୍ବାର୍ଡ ଫାଇଲ୍ ତିଆରି କରି କରି ସେମାନେ ସଂଧ୍ୟା ୭ଟା ପରେ ଯାଇ ଅଫିସରୁ ଫେରନ୍ତି । ଚାକିରୀ ନିରାପତ୍ତା ବୋଲି କିଛି ନାହିଁ । କୋଉଦିନ ଯେ ବସ୍ କହିଦବ ‘ରିଜାଇନ୍ କର’, ତାହାର କୌଣସି ଠିକଣା ନାହିଁ । ସପ୍ତାହସାରା ପ୍ରେସରରେ ରହି କାମ କରିବା ପରେ ଛୁଟି ଗୋଟେ କ’ଣ ଦେଇଦେଲ ଯେ କହୁଛ ଖରାରେ ଆସି ଭୋଟ ଦିଅ ? ଭଲ ଆଉ ! ଏମିତି ବି ଆମେ ଭାରତୀୟମାନେ ସବୁବେଳେ ମନଦୁଃଖରେ ରହୁଛୁ । ଗତବର୍ଷ ଜାତିସଂଘ କହିଛି ଯେ ୧୫୬ଟି ଦେଶ ଭିତରେ ଖୁସି ରହିବା କ୍ରମାଙ୍କରେ ଆମେ ପୁର୍ବ ବର୍ଷ ଅପେକ୍ଷା ୭ ପଏଣ୍ଟ ତଳକୁ ଖସି ପାକିସ୍ଥାନ ଓ ବଙ୍ଗଳାଦେଶ ତଳେ ୧୪୦ ନମ୍ବରରେ ଅଛୁ ।

ଭୁବନେଶ୍ବରରେ ଥାଇ ଭୋଟ ଦେବାକୁ ଆସି ନଥିବା ଲୋକମାନଙ୍କୁ କେତେକ ବନ୍ଧୁ ଆଜି ଦିନ ସାରା ସମାଲୋଚନା କରୁଛନ୍ତି । ତମେ ସବୁଥର ଭୋଟ ଦେଇ ଦେଶର କ’ଣ କରିଛ ସେକଥା ସେମାନେ କେବେ ତମକୁ ପଚାରିଛନ୍ତି ? ନାହିଁ ନା ? ତାହାଲେ ସେମାନେ ଭୋଟ ଦେଲେ କି ନ ଦେଲେ ସେଥିରେ ତମର କାହିଁକି ମୁଣ୍ଡ ବଥଉଛି ?

ସେମାନେ ଭୋଟ ଦେଉନାହାନ୍ତି ବୋଲି କ’ଣ ସେମାନେ ଇଣ୍ଡିଆନ୍ ନୁହନ୍ତି ନା ଇଣ୍ଡିଆକୁ ଭଲ ପାଉ ନାହାନ୍ତି ? ସରକାରମାନେ ଯେତେ ଟିକସ ମାଗୁଛନ୍ତି ସେମାନେ ଦଉଛନ୍ତି ନା ନାହିଁ ? ଆଉ ତାହେଲେ ?

କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ବୁଲି ଆସି ଥରେ ଦେଖନ୍ତୁ । ଆପଣ ଜାଣିବେ ଯେ ଭୋଟିଂ ପ୍ରତିଶତ ସହିତ ବିକାଶ ଓ ଗଣତନ୍ତ୍ରର କନେକସନ୍ କଟିଯାଇଛି ।

ନହେଲେ ଆପଣ କହୁନାହାନ୍ତି ? ପାଞ୍ଚବର୍ଷ ପୁର୍ବେ ଭୁବନେଶ୍ବର ସ୍ମାର୍ଟସିଟି ପ୍ରତିଯୋଗିତାରେ ଭାଗନେଇ ନମ୍ବର ଓନ୍ ହେଇଥିଲା ଯେ କେତେ ବାଣ ଫୁଟିଲା ତାର ସୀମା ନାହିଁ । ସାରା ଭାରତରେ ସମତେ ଓଠରେ ଆଙ୍ଗୁଠି ଦେଇ ଆମକୁ ଦେଖିଲେ । ସତ କହିଲେ ଗଲା ପାଞ୍ଚ ବର୍ଷରେ ଭୁବନେଶ୍ବରର କ’ଣ ପରିବର୍ତନ ହୋଇଛି । କହିଲେ ଏଇନେ ଇଏ ତାକୁ ଦୋଷ ଦବ ଓ ସିଏ ଆକୁ ଦୋଷ ଦେବ ।

କିନ୍ତୁ ଯାହା କୁହନ୍ତୁ ଭୁବନେଶ୍ବରବାସୀ ପ୍ରକୄତରେ ସ୍ମାର୍ଟ । ଭୋଟ ଗୁଡାଏ ଦେଇ ଦେଲେ ଅଧିକ ସ୍ମାର୍ଟ ହେଇଯିବେନି । ଭୋଟ ଗୁଡାଏ ଦେଇଦେଲେ ସେମାନେ ଅଧିକ ଦେଶପ୍ରେମୀ ହୋଇଯିବେନି । ଆର ମାସରେ ବିଶ୍ବ କପ୍ । ସମସ୍ତେ ଦେଖିବେ ।

Categories
ଆଜିର ଖବର

ଭୁବନେଶ୍ବରରେ ମୋଦିଙ୍କ ରୋଡ୍‌ ଶୋ’

ଭୁବନେଶ୍ବରେର ପ୍ରଧାନମନ୍ତ୍ରୀ ମୋଦି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜୁପଟ୍ଟନାୟକ ବିମାନବନ୍ଦରରୁ ବରମୁଣ୍ଡା ଅଭିମୁଖେ ନରେନ୍ଦ୍ର ମୋଦି ରୋଡ୍‌ ଶୋ’ କରିଛନ୍ତି। ହାତ ହଲେଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି ମୋଦି। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ ମୋଦିଙ୍କର ଏହା ହେଉଛି ଓଡ଼ିଶାର ଦ୍ବିତୀୟ ଥର ରୋଡ୍‌ ଶୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି ନିଜର ଦଳର ମନୋବଳ ଦୃଢ କରିବା ପାଇଁ ଏହି ରୋଡ ଶୋ’ କରିଛନ୍ତି। ଆଜି ସମ୍ବଲପୁରଠାରେ ଏକ ଜନସଭାରେ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ୍‌ କରିବା ସହିତ ଓଡ଼ିଶାର ଲୋକଙ୍କ ପରିବତ୍ତର୍ନ ଚାହୁଁଛନ୍ତି ବୋଲି କହିଥିଲେ।