Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ବିରୋଧୀ କରିବେ ବୈଠକ : ମମତା ଓ ଉଦ୍ଧବଙ୍କ ସମେତ 15ଟି ଦଳର ନେତା ହେବେ ସାମିଲ୍‌

ନୂଆଦିଲ୍ଲୀ : କରୋନା ସଂକଟକୁ ନେଇ ବିରୋଧୀ ନେତାମାନେ ଏକ ବିଶାଳ ବୈଠକ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅପରାହ୍ନ ତିନି ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ନେତାମାନେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ବୈଠକରେ 15ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ରହିଛି । ତେବେ ଏହି ବୈଠକରେ କଂଗ୍ରେସ କି କଂଗ୍ରେସ ତରଫରୁ କେହି ପ୍ରତିନିଧି ଯୋଗ ଦେବା ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଏହି ବୈଠକରେ କରୋନା ଓ ଲକ୍‌ଡାଉନ୍‌କୁ ନେଇ ମୋଦି ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ଏହା ସହିତ ରାଜ୍ୟସରକାରଙ୍କ ସହ ସରକାରଙ୍କ ଆଚରଣ ବିଷୟରେ ଆଲୋଚନା ହେବ।

ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଭେଦଭାବର ଅଭିଯୋଗ ବାଢିଥିଲେ । ଦେଶର ଏପରି ସଂକଟ ସମୟରେ କେନ୍ଦ୍ର ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି । ସେହିପରି ଅପ୍ରେଲ୍‌ 26 ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଡାଲିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ।

ତେବେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମମତା ବାନାର୍ଜୀ ଓ ଉଦ୍ଧବ ଠାକ୍‌ରେ ଓ ବିରୋଧୀ ଦଳ ନେତା ମାନେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବେ । ଏହା ସହିତ ରିଲିଫ୍‌ ପ୍ୟାକେଜ୍‌ ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ସୂଚନା ମିଳୁଛି । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟଗୁଡିକ ପାଇଁ ରିଲିଫ୍‌ ପ୍ୟାକେଜ୍‌ର ଘୋଷଣା କରିନାହାନ୍ତି ।