Categories
ବିଶେଷ ଖବର

ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?

ସମୀକ୍ଷା ବ୍ୟୁରୋ

ପାଟକୁରା ନିର୍ବାଚନ ସରିଛି ଓ ଆସନ୍ତା ୨୪ରେ ଏହାର ଫଳାଫଳ ଘୋଷଣା ହେବ। ହେଲେ ଫଳ ବାହାରିବା ଆଗରୁ ଇଭିଏମ କୁ ନେଇ ଯେଉଁ ପ୍ରକାର ଗଣ୍ଡଗୋଳ ଘଟୁଛି ଓ ଭୁବନେଶ୍ବରରେ ବିଜେପି ନେତାମାନେ ଯେଉଁପ୍ରକାର ପ୍ରତିକ୍ରିୟା ରଖୁଛନ୍ତି, ସେଥିରୁ ଗୋଟେ କଥା ର ଆଭାସ ଅବଶ୍ୟ ମିଳୁଛି। ପାଟକୁରାରେ ବିଜେପି ନିଜ ସଫଳତାକୁ ନେଇ ବିଶେଷ ଆଶାବାଦୀ ଥିବାଭଳି ଲାଗୁନାହିଁ। ଯଦିଓ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପରାଜୟକୁ ନେଇ ଦୃଢୋକ୍ତି ରଖିଛନ୍ତି ଓ ତାଙ୍କର ଅନୁଗତ କିଛିଜଣ ସାମ୍ବାଦିକ ସେ ଅତି କମ ବ୍ୟବଧାନରେ ଜିତିବେ ବୋଲି ପ୍ରଚାର ଚଳାଇଛନ୍ତି, ବିଜେପି କିନ୍ତୁ ନିଜ ଆଚରଣରେ ପରାଜୟକୁ ଏକ ପ୍ରକାର ସ୍ଵୀକାର କରିନେଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ପାଟକୁରାରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି ଓ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିକୁ ସାହାଯ୍ୟ କରିଛନ୍ତି।

ଏ ପ୍ରକାର କାହାଣୀ ନିର୍ବାଚନ ପରେ ଆତ୍ମା ବିଶ୍ବାସର ଅଭାବରୁ ଆସିଥାଏ। ବର୍ତ୍ତମାନ ସମୟରେ ସାରା ଦେଶରେ ବିଜେପି ଇଭିଏମ ଜାଲସାଜିକୁ ଅସ୍ଵୀକାର କରୁଥିବା ବେଳେ ପାଟକୁରାରେ ଏକାକୀ ତାହା ସମ୍ଭବ ହେବ କେମିତି? କେତୋଟି ସମ୍ବେଦନଶୀଳ ବୁଥରେ ହୁଏତ କିଛି ଅନିୟମିତତା ହୋଇଥାଇପାରେ, ହେଲେ ପୁରା ନିର୍ବାଚନ ସହ ସମ୍ପୃକ୍ତ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିର ସହଯୋଗୀ ବୋଲି କହିବା ହାସ୍ୟାସ୍ପଦ ବ୍ୟାପାର। ଗୋଟେ ପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ ରେ ଗଡବଡି ହେବା ଅସମ୍ଭବ ନିଶ୍ଚୟ। ତାପରେ ଏକାକୀ ଗୋଟିଏ ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ହେଉଥିବାରୁ ସବୁ ରାଜନୈତିକ ଦଳ, ଗଣମାଧ୍ୟମ ଓ ଭୋଟରଙ୍କ ନଜର ଏହାର ପ୍ରତ୍ୟେକ ବୁଥ ଉପରେ ରହିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ ଏହାକୁ ଲୋକଙ୍କ ନଜରରୁ ଲୁଚା ଯାଇପାରିବ ନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ବିଜେପି ନିଜର ପାଟକୁରା ଗଣିତ ବିଷୟରେ ମୂଳରୁ ସଚେତନ। ବିଜୟ ମହାପାତ୍ରଙ୍କୁ ଜିତାଇବା ଲାଗି ବିଜେପି ଯେ ଆବଶ୍ୟକୀୟ ହୋମୱାର୍କ କରିନାହିଁ, ସେକଥା ଜଳ ଜଳ ଦିଶୁଛି। ତେଣୁ ଫଳ ବାହାରିବା ଆଗରୁ ଇଭିଏମ ପ୍ରସଙ୍ଗ ଉଠାଇ ବିଜେପି ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଜାଣନ୍ତି ଯେ ଦଳ ତାଙ୍କ ପଛରେ ସେତେ ଦୃଢତାର ସହିତ ଛିଡା ହୋଇନାହିଁ। ଏବେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଇଭିଏମ ଓ ପ୍ରିଜାଇଡିଂ ଅଫିସରଙ୍କ ବାହାନା କରାଯାଉଛି। ଯଦି ସତରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି, ତେବେ ଏହାର ପ୍ରମାଣ ଦେଖାଇ ପୁରା ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିବ କି? ଯଦି ନିର୍ବାଚନ କମିଶନ ବିଜେପିର ଦାବି ଣ ମାନନ୍ତି ତାହେଲେ ବିଜେପି ହାଇକୋର୍ଟ ରେ ମାମଲା ଦାୟର କରିବ କି?

ସମସ୍ତେ ଜାଣନ୍ତି ଆସନ୍ତା ୪୮ ଘଣ୍ଟା ପାଇଁ ଏହା କେବଳ ଏକ ଗାଲୁଗପ। ରାଜ୍ୟସଭା ନିର୍ବାଚନରେ ବିଜେଡ଼ିଠାରୁ ମାତ୍ରାଧିକ ଅନୁଗ୍ରହ ନେଇ ସାରିଲା ପରେ ବିଜେଡି ବିରୋଧରେ କହିବାକୁ ବିଜେପି ପାଖରେ ଆଉ ବିଶେଷ କିଛି ନାହିଁ। ପାଟକୁରାରେ ବିଜେପି ବିଜେଡି ଲଢେଇ ଅପେକ୍ଷା ବିଜୟ ମହାପାତ୍ର ବନାମ ବିଜେଡି ଲଢେଇ ଦେଖିବାକୁ ମିଳିଥିଲା। ବିଜେପି ଭଲଭାବରେ ଜାଣେ ଯେ, ବିଜୟ ମହାପାତ୍ର ଜିତିଲେ ମଧ୍ୟ ତାହାର ଶ୍ରେୟ ବିଜେପିକୁ ମିଳିବ ନାହିଁ। ତେଣୁ ପ୍ରକାରାନ୍ତରେ ନିର୍ବାଚନ ଫଳ ବାହାରିବା ଆଗରୁ ବିଜେପି ନିଜ ପରାଜୟକୁ ସୁରକ୍ଷା ଦେବାଲାଗି ଇଭିଏମକୁ ଏକ କବଚ ଭାବରେ ବ୍ୟବହାର କରିବାକୁ ଚାହୁଁଛି।

Categories
ବିଶେଷ ଖବର

ପାଟକୁରାରୁ ବିଜେଡି ପ୍ରାର୍ଥୀ ହେବେ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା, ଦଳ ସୁପ୍ରିମୋ କଲେ ଘୋଷଣା

ପାଟକୁରା ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ହେବେ ସାବିତ୍ରୀ ଅଗ୍ରୱାଲା। ସାବିତ୍ରୀ ହେଉଛନ୍ତି ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘେଷଣା କରିଛନ୍ତି। ଗତ ୨୦ ତାରିଖରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ହୋଇଥିଲା। ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ତରଫରୁ ପାଟକୁରାରୁ ପ୍ରାର୍ଥୀ କରିଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବହୁଦିନ ଧରି ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ସେ ନାମାଙ୍କନ ପତ୍ର ଦଖଲ କରିଥିଲେ। ହେଲେ ନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ନିର୍ବାଚନ କମିଶନର ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ଆସନ୍ତା ୧୯ ତାରିଖରେ ହେବ ବୋଲି ଘୋଷଣା କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଯେଉଁମାନଙ୍କ ନାମାଙ୍କନ କାୟମ ରହିଛି ସେମାନଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ବିଜେଡି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ବର୍ତ୍ତମାନ ବିଜେଡି ସ୍ବାର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ୧ ତାରିଖରେ ପ୍ରାର୍ଥୀ ପତ୍ରଦାଖଲ କରିବାର ଶେଷ ତାରିଖ ରହିଛି। ସେଥିପାଇଁ ବିଜେଡି ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ଘୋଷଣା ପରେ ବର୍ତ୍ତମାନ ପାଟକୁରା ନିର୍ବାଚନ ମଣ୍ଡଳୀ ଚଳଞ୍ଚଳ ହୋଇ ଉଠିଛି। ଟିକେଟ ଘୋଷଣା ପରେ ସାବିତ୍ରୀ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ରଖି ଟିକେଟ ଦେଇଛନ୍ତି। ମୋର ସ୍ବର୍ଗତ ପତି ବେଦପ୍ରକାଶ ଅଗ୍ରୱାଲଙ୍କ ଅଧୁରା ସ୍ବପ୍ନକୁ ପୁରଣ କରିବାରେ ଚେଷ୍ଠା କରିବି।