Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!

ଭୁବନେଶ୍ୱର: ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ଆସନକୁ ନେଇ ଗଠିତ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରେ ରହିଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ଯେଉଁ ନେତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ସେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକ୍କାବିଲା କରିପାରିବେ କି ନାହିଁ ତାକୁ ନେଇ ମତଦାତାଙ୍କ ମହଲରେ ସନ୍ଦେହ ରହିଛି। ଗତଥର ଏଠାରୁ କଂଗ୍ରେସ ନିର୍ବାଚନ ଲଢ଼ି ନାହିଁ, ଏହାର ମେଣ୍ଟ ଦଳ ନିର୍ବାଚନ ଲଢ଼ି ମାତ୍ର ୨୩, ୦୨୬ ଭୋଟ ସହିତ ଦୟନୀୟ ସ୍ଥିତିରେ ଥିଲେ।

୧୯୫୨ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୮ଥର ବିଜୟୀ ହୋଇଥିଲାବେଳେ ବିଜେଡି ୫ଥର ଓ ସିପିଏମ ୩ଥର ବିଜୟୀ ହୋଇଛି। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ପାଟଶାଣୀ ଏଠାରୁ ଲଗାତାର ୫ଥର ବିଜୟ ଲାଭ କରିଛନ୍ତି।କିନ୍ତୁ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି ଆଶା କରୁଥିଲା ଯେ ଦଳର ଭାବମୂର୍ତ୍ତିରେ ଦଳୀୟ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ସହଜରେ ବିଜୟ ଲାଭ କରିବେ। କିନ୍ତୁ ତାହା ହୋଇନଥିଲା। ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ପକ୍ଷରୁ ଦୁଇ ନବାଗତ ଥିଲେ ହେଁ ମତଦାତାମାନେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇଥିଲେ।

ଗତ ୨୦୧୯ ନିର୍ବାଚନରେ ବିଜେପି ସପକ୍ଷରେ କୌଣସି ଲହର ନ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଗତ ୫ବର୍ଷ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଗସ୍ତ କରିବା ସହିତ ନିଜର ଲୋକପ୍ରିୟତା ବୃଦ୍ଧି କରିବାରେ ଲାଗିଛନ୍ତି।

ବିଜେପି ସାଂସଦ ଅପରାଜିତାଙ୍କ ମୁକ୍କାବିଲା କରିବା ପାଇଁ ନାରୀ ନେତ୍ରୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ରଙ୍କୁ ଛାଡ଼ିଛି। ଜଣେ ନାରୀ ନେତ୍ରୀ ହିସାବରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ ହେଁ ଅପରାଜିତାଙ୍କ ଭଳି ଜନସମର୍ଥନ ପାଉନଥିବା ଦେଖିବାକୁ ମିଳୁଛି। କାରଣ ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ। ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ ଦଳୀୟ କନ୍ଦଳ ଚାଲିଛି।

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବିଧାନସଭା ଆସନର କୌଣସିଟିରେ ବିଜେପି ପ୍ରାର୍ଥୀମାନେ ଗତ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରନାହାନ୍ତି। ବିଗତ ବର୍ଷମାନଙ୍କରେ ଦଳୀୟ ନେତାମାନେ ଅପରାଜିତାଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ଅପରାଜିତା ଏଥିରେ ଦବି ନ ଯାଇ ନିଜର ଜନ ସମ୍ପର୍କ ଜାରୀ ରଖିଥିଲେ। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରଠାରୁ ସେ ଅପରାଜିତାଙ୍କୁ ସହଯୋଗ କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ଏତଦ୍‍ଭିନ୍ନ ବର୍ତ୍ତମାନ ଦେଶରେ ଯେପରି ମୋଦିଙ୍କ ଲହର ଆରମ୍ଭ ହୋଇଛି ସେଥିରୁ ବିଜେପି ସାଂସଦ ଅପରାଜିତାଙ୍କୁ ରୋକିବା ବଜଦ ପାଇଁ କଷ୍ଟକର ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଭୁବନେଶ୍ୱର ଲୋକସଭା ଆସନରୁ ୮ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ଯାହାଫଳରେ ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟି ସିପିଏମକୁ ଛାଡ଼ି ଦେଇଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ୨୩,୦୨୬ଭୋଟ ହାସଲ କରିଥିଲେ। ଗତ କିଛି ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସଂଗଠନ ଯେପରି ଦୟନୀୟ ସ୍ଥିତିରେ ରହିଥିବାରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ସମସ୍ତେ ଆଶା କରୁଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଗସ୍ତ କରିବା ପରେ କଂଗ୍ରେସ ସଂଗଠନ ନୂଆ ଶକ୍ତି ହାସଲ କରିବ। କିନ୍ତୁ ତାହା ହୋଇନାହିଁ। ଏବେ ଦଳର ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ପାଇଁ ଦଳରେ ପଡ଼ି ରହିବା ଅପେକ୍ଷା ବିଜେଡି ଓ ବିଜେପିରେ ଯୋଗଦେବାକୁ ଶ୍ରେ୍ର ମନେକରୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାର ଆଶା ବୃଥା ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

କଳାହାଣ୍ଡି ଲୋକସଭା: ଏଥର ବିଜେପିରୁ ମାଳବିକା ଦେବୀ! ପ୍ରାର୍ଥୀ ଖୋଜୁଛନ୍ତି ବିଜେଡି ଓ କଂଗ୍ରେସ 

ଭୁବନେଶ୍ୱର: ଭୋକର ଭୂଗୋଳ ଭାବରେ ଦେଶ ବିଦେଶରେ ପରିଚିତ କଳାହାଣ୍ଡି। କଳାହାଣ୍ଡି ରାଜନୀତିରେ ଏବେବି ରାଜପରିବାରର ପ୍ରଭାବ ଅକ୍ଷୁର୍ଣ୍ଣ ରହିଛି। ତେଣୁ ଅଣକଂଗ୍ରେସ ରାଜନୈତିକ ଦଳମାନେ ଏହି ପରିବାରର ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଅଗ୍ରାଧିକାର ଦେଇଥାନ୍ତି। କାରଣ କଳାହାଣ୍ଡି ଲୋକସଭା ଆସନରୁ ରାଜପରିବାରର ସଦସ୍ୟମାନେ ୨୦୧୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାର୍ଟି, ସ୍ୱାଧୀନ, ବିଜେପି ଓ ବିଜେଡି ପକ୍ଷରୁ ୯ଥର ନିର୍ବାଚିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଏହି ପରିବାର ସଦସ୍ୟ ମାଳବିକା ଦେବୀ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଥିବାବେଳେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି।

କଳାହାଣ୍ଡି ଅଞ୍ଚଳକୁ ଅନୁନ୍ନତ ଅଞ୍ଚଳ ଭାବରେ ଗଣାଯାଇଥାଏ। ଏହାସତ୍ତ୍ୱେ ବି କଳାହାଣ୍ଡିର ମତଦାତାମାନେ କୌଣସି ରାଜନୈତିକ ଦଳକୁ ଏକଚାଟିଆ ଜିତିବାର ସୁଯୋଗ ଦେଇନାହାନ୍ତି। କଳାହାଣ୍ଡିର ମତଦାତାମାନେ ନିଜକୁ ରାଜଭକ୍ତ ବୋଲି ପ୍ରମାଣିତ କରିଛନ୍ତି। କାରଣ କଳାହାଣ୍ଡି ରାଜପରିବାରର ପ୍ରତାପ କେଶରୀ ଦେଓ ୧୯୫୭ରୁ ୧୯୭୭ ପର୍ଯ୍ୟନ୍ତ ୫ଥର ସ୍ୱତନ୍ତ୍ର ପାର୍ଟି (୪ଥର) ଓ ସ୍ୱାଧୀନ (ଥରେ) ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ବିକ୍ରମ କେଶରୀ ଦେଓ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ୩ଥର ବିଜେପି ଟିକଟରେ ସଂସକୁ ନିର୍ବାଚିତ ହୋଇଥିଲେ। ବିକ୍ରମ କେଶରୀ ଦେଓ ପରେ ତାଙ୍କ ପୁତ୍ର ଅର୍କକେଶରୀ ଦେଓ ୨୦୧୪ରେ ବିଜେଡି ଟିକଟରେ ସଂସଦକୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ ନ କରିବାରୁ ସେ ଅସନ୍ତୁଷ୍ଟ ହୋଇ ତାଙ୍କ ପରିବାରର ପୁରୁଣା ଦଳ ବିଜେପିକୁ ଫେରି ଆସିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ବର୍ତ୍ତମାନର ସାଂସଦ ବସନ୍ତ ପଣ୍ଡାଙ୍କୁ ଆଉ ଲୋକସଭା ନିର୍ବାଚନ ଲଢ଼ାଇବ ନାହିଁ ବୋଲି ଦଳୀୟ ସ୍ତରରେ ଚର୍ଚ୍ଚା ଜୋର୍‍ ଧରିଛି। ବସନ୍ତ ପଣ୍ଡା ବିଧାନସଭା ପାଇଁ ଲଢ଼ିବାର ସ୍ଥିର ହୋଇଛି। ତେଣୁ ଆଗାମୀ ନିର୍ବାଚନରେ ଅର୍କକେଶରଙ୍କ ପତ୍ନୀ ମାଳବିକା ଦେବୀ ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ଗତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠାରୁ ୨୬,୮୧୪ ଭୋଟରେ ହାରିଯାଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ପୁଷ୍ପେନ୍ଦ୍ର ଲୋକସଭା ପରିବର୍ତ୍ତେ ବିଧାନସଭା ଲଢ଼ିବା ପାଇଁ ଦଳୀୟ କର୍ତ୍ତୃପକ୍ଷକୁ ଜଣାଇ ଦେଇଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏପରି କ୍ଷେତ୍ରରେ ବିଜେଡିକୁ ନୂଆ ପ୍ରାର୍ଥୀ ଖୋଜିବାକୁ ପଡ଼ିବ। ବର୍ତ୍ତମାନ କଳାହାଣ୍ଡିରେ ବିଜେଡିର ସ୍ଥିତି ଦୋହଲି ଯାଇଛି କହିଲେ ଭୁଲ ହେବ ନାହିଁ। କାରଣ ପୂର୍ବତନ ମନ୍ତ୍ରୀ ଦିବ୍ୟସିଂହ ମିଶ୍ର ବିବାଦରେ ଛନ୍ଦି ହୋଇ ମନ୍ତ୍ରୀପଦ ହରାଇଛନ୍ତି। ଅପରପକ୍ଷରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଆଦିବାସୀ ନେତା ବଳଭଦ୍ର ମାଝୀ ଇତି ମଧ୍ୟରେ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଇଛନ୍ତି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପାଖରେ ପରିଚିତ ଚେହେରା ନାହାନ୍ତି।

ଏଭଳି ସ୍ଥିତିରେ ଦଳ ନୂଆ ମୁହଁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି। ରାଜପରିବାରର ବ୍ୟତୀତ ଆଉ ଜଣେ କଳାହାଣ୍ଡି ଲୋକସଭା ଆସନରୁ ଜନତା ଦଳ, ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରୀୟ) ଓ କଂଗ୍ରେସରୁ ମୋଟ ୩ଥର ସଂସଦକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି, ସେ ହେଲେ ଭକ୍ତ ଚରଣ ଦାସ। ବିଗତ ୩ଟି ନିର୍ବାଚନ ମଧ୍ୟରୁ ସେ ୨୦୦୯ରେ ବିଜୟୀ ହୋଇଥିଲେ ହେଁ ୨୦୧୪ ଓ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। ଆଗାମୀ ନିର୍ବାଚନରେ ଭକ୍ତ ଚରଣ ଦାସ ଲୋକସଭା ପରିବର୍ତ୍ତେ ବିଧାନସଭା ଲଢ଼ିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଯଦି ଏ କଥା ସତ୍ୟ ହୁଏ ତେବେ ବିଜେଡି ଭଳି କଂଗ୍ରେସ ମଧ୍ୟ ନୂଆ ଚେହେରା ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଦୁଇଟି ବିଧାନସଭା ଆସନ ପାଇଁ ଘୋଷଣା କଲା ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଜନତା ଦଳ ଦୁଇଟି ବିଧାନସଭା ଆସନ ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ବିଧାନସଭା ସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ସଂଗଠନକୁ ସୁଦୃଢ କରିବାକୁ ନିଷ୍ପତି କରିଛି।

ସେହି ଅନୁସାରେ ବରଗଡ ଜିଲ୍ଲା ଅତାବିରା ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ଯାହାକୁ ନିଯୁକ୍ତି କରାଯାଇଛି ସେ ହେଉଛନ୍ତି ଡି ବିଶ୍ବନାଥ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କନ୍ଧମାଳ ଲୋକସଭା: ବିଜଦର ଆଧିପତ୍ୟ ଜାରୀ ଭାଜପା ବଢ଼ୁଛି, କଂଗ୍ରେସ ଖସୁଛି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ର ଦଶପଲ୍ଲା, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ଫୁଲବାଣୀ, ବାଲିଗୁଡ଼ା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନକୁ ଗଠିତ କନ୍ଧମାଳ ଲୋକସଭା ଆସରେ ବିଗତ ୪ଟି ନିର୍ବାଚନ (୨୦୧୪ରେ ଉପନିର୍ବାଚନ)ରେ ବିଜଦ ପ୍ରାର୍ଥୀମାନେ ସହଜ ବିଜୟ ହାସଲ କରିଛନ୍ତି। ଭାଜପା ଏଠାରେ କ୍ରମାଗତ ଭାବରେ ନିଜର ଭୋଟ ହାର ବୃଦ୍ଧି କରିପାରିଥିବାବେଳେ କଂଗ୍ରେସର ଭୋଟ ହାର କମିବାରେ ଲାଗିଛି। ତେଣୁ ସେହି ଦୃଷ୍ଟିରୁ ବିଜଦର ସାଂସଦ ଅଚ୍ୟୁତ ସାମନ୍ତ ୨୦୨୪ ନିର୍ବାଚନରେ ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି। କିନ୍ତୁ ଲୋକସଭାରେ ୩୭୦ ପାର୍‍ ଲକ୍ଷ୍ୟ ରଖିଥିବା ଭାପା ଏଠାରୁ କାହାକୁ ଲଢ଼ାଇବ ତାହା ସ୍ଥିର ହୋଇନାହିଁ। କଂଗ୍ରେସର ମଧ୍ୟ ପ୍ରାର୍ଥୀ ଖୋଜା ଚାଲିଛି।

ବିଗତ ୩ଟି ନିର୍ବାଚନରେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜଦ କନ୍ଧମାଳ ଲୋକସଭା ଆସନରୁ ଲଗାତାର ବିଜୟୀ ହୋଇଥିଲେ ହେଁ ୩ଥର ଯାକ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିଛି। ୨୦୦୯ରେ ବିଜଦ ପ୍ରାର୍ଥୀ ରୁଦ୍ରମାଧବ ରାୟ ୩,୧୫,୩୧୪ ଭୋଟ ପାଇଥିଲାବେଳେ ୨୦୧୪ରେ ୪,୨୧,୪୫୮ ଭୋଟ ପାଇଥିଲାବେଳେ ତାଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଦଳୀୟ ପ୍ରାର୍ଥୀ ହୋଇ ଉପନିର୍ବାଚନରେ ୪,୭୭,୫୨୯ ଭୋଟ ପାଇଥିଲେ । ୨୦୧୯ରେ ବିଜଦ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। କିଟ୍‍ ସଂସ୍ଥାପକ ଅଚ୍ୟୁତ ସାମନ୍ତଙ୍କୁ ବିଜଦ ପ୍ରାର୍ଥୀ କରିଥିଲା, ଲକ୍ଷ୍ୟଥିଲା ସେ କନ୍ଧମାଳ ଅଞ୍ଚଳର ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ କିସ୍‍ ଅନୁଷ୍ଠାନରେ ପଢ଼ାଉଥିବାରୁ ସେ ସହଜରେ ବିଜୟ ଲାଭ କରିବେ। ତାହାହିଁ ହେଲା। ଅଚ୍ୟୁତ ସାମନ୍ତ ୪,୬୧,୬୨୯ ଭୋଟ ପାଇ ୧,୪୯,୨୧୬ ଭୋଟରେ ଭାଜପାର ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କୁ ପରାଜିତ କରିଥିଲେ। ବିଭିନ୍ନ ସର୍ଭେ ରିପୋର୍ଟ ଅନୁସାରେ ବିଜଦର ଲୋକପ୍ରିୟତା ହ୍ରାସ ପାଉଥିବାରୁ ଦଳ ପ୍ରାର୍ଥୀ ପରିବର୍ତ୍ତନର ପଦକ୍ଷେପ ନେଇ ନ ପାରେ। ତେଣୁ ଆପାତତଃ ବିଜଦ ପୁଣିଥରେ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ବିଗତ ୩ଟି ନିର୍ବାଚନରେ ନିଜର ଭୋଟ ପରିମାଣ ବୃଦ୍ଧି କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଭାଜପା କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ନେତୃତ୍ୱ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ଗତ ଥରର ଭାଜପା ପ୍ରାର୍ଥୀ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ତାଙ୍କ ପୁରୁଣା ଆସନ ବାଲେଶ୍ୱରରୁ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିସାରିଛନ୍ତି। କିନ୍ତୁ ସେଠାରେ ପ୍ରତାପ ଷଡ଼ଙ୍ଗୀ ଥିବାରୁ ତାଙ୍କୁ ପରିବର୍ତ୍ତନ କରିବା ଦଳୀୟ ନେତୃତ୍ୱଙ୍କ ପାଇଁ କଷ୍ଟକର ବ୍ୟାପାର। ଫଳରେ କନ୍ଧମାଳ ଆସନ ପାଇଁ ଭାଜପାରୁ କିଏ ପ୍ରାର୍ଥୀ ହେବ ଜଣାପଡ଼ୁନାହିଁ। କିନ୍ତୁ ପ୍ରାର୍ଥୀ ହେବା ପାଇଁ ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କ ସମେତ ପୂର୍ବତନ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ଶୁଣାଯାଉଛି।

କନ୍ଧମାଲ ଲୋକସଭା ଆସନ ଗଠନ ପରଠାରୁ ବିଜୟ ହାସଲ କରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ତା’ର ସ୍ଥିତିରେ ଉନ୍ନତି କରିବା ପରିବର୍ତ୍ତେ ଅବନ୍ନତି କରିବାରେ ଲାଗିଛି। ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୦ରେ କଂଗ୍ରେସ ପ୍ରାର୍ଥୀ ସୁଜିତ୍‍ କୁମାର ପାଢ଼ୀ ୧,୬୪,୩୦୭ ଭୋଟ ପାଇଥିଲାବେଳେ ୨୦୧୪ରେ ହରିହର କରଣ ୨,୪୦, ୪୧୧ ଭୋଟ ପାଇଥିଲେ, ୨୦୧୪ ଉପନିର୍ବାଚନରେ ଅଭିମନ୍ୟୁ ବେହେରା ସବୁଠାରୁ କମ୍‍ ୯୦, ୫୩୬ ଭୋଟ ପାଇଥିଲେ। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ୧,୩୮,୯୯୩ ଭୋଟ ପାଇଥିଲେ। କଂଗ୍ରେସର ପ୍ରାର୍ଥୀ ପ୍ରତିଥର ବଦଳୁ ଥିବାରୁ ଆଗାମୀ ନିର୍ବାଚନରେ କିଏ ଏଠାରୁ ପ୍ରାର୍ଥୀ ହେବ କହିବା ମୁସ୍କିଲ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳ ଲୋକସଭା: ବିଜଦରେ ପ୍ରଶାସକ ଆଗରେ

ଭୁବନେଶ୍ୱର: ଅବିଭକ୍ତ ତେଙ୍କାନାଳ ଜିଲ୍ଲା ଢେଙ୍କାନଳ, କାମାକ୍ଷାନଗର, ପର୍ଜଙ୍ଗ, ହିନ୍ଦୋଳ, ଅନୁଗୁଳ, ତାଳଚେର ଓ ପାଲଲହଡ଼ା ବିଧାନସଭା ଆସନକୁ ନେଇ ଲୋକସଭା ଆସନ ଗଠିତ। ଏହି ଆସନରେ ୧୮ଥର ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ୭ଥର ବିଜୟୀ ହୋଇଥିବାବେଳେ ବର୍ତ୍ତମାନ ଶାସକ ବଜଦ ପ୍ରାର୍ଥୀମାନେ ୫ଥର ବିଜୟୀ ହୋଇଛନ୍ତି। ଏହି ଆସନରେ ପ୍ରଜାମଣ୍ଡଳ ନେତା ସାରଙ୍ଗଧର ଦାସ, ଗଣତନ୍ତ୍ର ପରିଷଦ ନେତା ସୁରେନ୍ଦ୍ର ମହାନ୍ତି ଓ ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ଭଳି ନେତାମାନେ ବିଜୟୀ ହୋଇ ସଂସଦର ଗାରିମାକୁ ବୃଦ୍ଧି କରିଛନ୍ତି। କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ପରେ କଂଗ୍ରେସ ପ୍ରାର୍ଥୀଭାବେ ଏଠାରୁ ୬ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ହେଁ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ରହି ମାତ୍ର ୮୦, ୩୪୯ଖଣ୍ଡ ଭୋଟ (୭.୧୦ ପ୍ରତିଶତ) ପାଇଥିଲେ। ଏହାପରେ ଜିଲ୍ଲାର ଅତ୍ୟତମ ଟାଣୁଆ ନେତ୍ରୀ ନନ୍ଦିନୀ ଶତପଥିଙ୍କ ପରିବାରର ଦେବେନ୍ଦ୍ରନାଥ ଶତପଥି କଂଗ୍ରେସ ଓ ଜନତା ପାର୍ଟି ଟିକଟରେ ୨ ଥର ଓ ତାଙ୍କ ପୁତ୍ର ତଥାଗତ ସତପଥି ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଏହି ଲୋକସଭା ଆସନରେ କେବେବି ଭାଜପା ଜିତିପାରିନାହିଁ। କିନ୍ତୁ ବିଗତ ଦୁଇଟି ନିର୍ବାଚନରେ ଭାଜପା ତା’ର ଭୋଟ ହାର ବଢ଼ାଇ ଚାଲିଛି। ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଦ୍ୱିତୀୟ ସ୍ଥାନରେ ରହି ଲଢ଼େଇ କରିବା ସହିତ ଦଳର ଭୋଟ ହାର ବଢ଼ାଇବାରେ ସଫଳ ହୋଇଥିଲେ। ସେ ମାତ୍ର ୩୫,୪୧୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।

ବର୍ତ୍ତମାନର ବିଜଦ ସାଂସଦ ମହେଶ ସାହୁଙ୍କୁ ଦଳ ତରଫରୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯିବ କି ନାହିଁ ତାହା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । କାରଣ ସାଂସଦ ଶ୍ରୀ ସାହୁଙ୍କୁ ତାଙ୍କ ଅଞ୍ଚଳର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ାର ବିଜଦ ନେତା ମୁକେଶ ପାଲ ଦୃଢ଼ ବିରୋଧ କରୁଛନ୍ତି। ଫଳରେ ସାଂସଦ ଶ୍ରୀ ସାହୁ ଏହି ଦୁଇଟି ଅଞ୍ଚଳରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିପାରୁନାହାନ୍ତି। କେବଳ ସେତିକି ନୁହେଁ ସେ ତାଳଚେରର ହୋଇଥିବାରୁ ଢେଙ୍କାନାଳର ବିଜଦ ନେତାମାନେ ମଧ୍ୟ ତାଙ୍କୁ ସହଯୋଗ କରୁନାହାନ୍ତି। ଏପରି କ୍ଷେତ୍ରରେ ତାଙ୍କୁ ଆଗାମୀ ଦିନରେ ବିଜଦ ପ୍ରାର୍ଥୀ କରିବ କି ନାହିଁ ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ମହେଶ ସାହୁଙ୍କୁ ଛାଡ଼ି ଦେଲେ ଜଣେ ପ୍ରଶାସନିକ ଅଧିକାରୀ, ପୂର୍ବତନ ସାଂସଦ ତଥାଗତ ସତପଥି ଓ ସଦର ବିଧାୟକ ସୁଧୀର କୁମାର ସାମଲଙ୍କ ନାମ ମଧ୍ୟ ଦଳୀୟ ମହଲରେ ଆଲୋଚନା ହେଉଛି। ଏସବୁ ସତ୍ତ୍ୱେ ଦଳର ଶୀର୍ଷ ନେତୃତ୍ୱ ପ୍ରାର୍ଥୀ ସ୍ଥିର କରିବେ ବୋଲି ଜିଲ୍ଲାର ନେତାମାନେ ମତ ଦେଉଛନ୍ତି।

ବିଗତ ୩ଟି ନିର୍ବାଚନରେ ଭାଜପା ନେତା ରୁଦ୍ରନାରାୟଣ ପାଣି ଦଳୀୟ ପ୍ରାର୍ଥୀ ହୋଇ ଦଳର ଭୋଟହାର ବଢ଼ାଇ ଚାଲିଛନ୍ତି। ସେ ୨୦୦୯ ନିର୍ବାଚନରେ ୨,୦୮୨୯୬ ଭୋଟ ପାଇଥିବାବେଳେ ୨୦୧୪ରେ ୩,୧୫,୯୩୭ ଭୋଟ ଓ ୨୦୧୯ରେ ୪,୮୭, ୪୭୨ ଖଣ୍ଡ ଭୋଟ ପାଇ ଦଳର ସ୍ଥିତିକୁ ବଢ଼ାଇଛନ୍ତି। ଜିଲ୍ଲା ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଇଚ୍ଛାପ୍ରକାଶ କରିଥିବା କୁହାଯାଉଛି । ଭାଜପାରେ ଥିବା ଦେବଗଡର ପୂର୍ବତନ ସାଂସଦ ତଥା ପାଲଲହଡ଼ାର ପୂର୍ବତନ ବିଧାୟକ ରବି ପାଣି ଏଥର ଦଳୀୟ ଟିକଟ ପାଇ ନିର୍ବାଚନ ଲଢ଼ିବା ପାଇଁ ଚେଷ୍ଠା ଜାରୀ ରଖିଛନ୍ତି। କିନ୍ତୁ ଭାଜପାରେ ସ୍ଥିର ହୋଇଥିବା ବୟସସୀମା ତାଙ୍କ ପାଇଁ ବାଧକ ସାଜିପାରେ। ଏପରି କ୍ଷେତ୍ରରେ ଅନ୍ୟଜଣେ କିଏ ଆସି ନିର୍ବାଚନ ଲଢ଼ିଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଜିଲ୍ଲାରେ ଆଲୋଚନା ହେଉଛି।

ରାଜ୍ୟର ସବୁ ଜିଲ୍ଲା ଭଳି ଢେଙ୍କାନାଳ ଲୋକସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ସମସ୍ୟା ରହିଛି। ନିର୍ବାଚନ ଜିତିଲା ଭଳି ନେତା ଏବେ କଂଗ୍ରେସରେ ନାହାନ୍ତି। ୨୦୧୪ ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ସୁଧୀର କୁମାର ସାମଲ ଏବେ କଂଗ୍ରେସ ଛାଡ଼ି ବିଜଦରେ ବିଧାୟକ ହୋଇଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କେବଳ ଔପଚାରିକତା ଦୃଷ୍ଟିରୁ କଂଗ୍ରେସ ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ବିଧାନସଭା ପର୍ଯ୍ୟବେକ୍ଷକଙ୍କ ନାମ, ଜାଣନ୍ତୁ କିଏ କେଉଁଠି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। କାହାକୁ ନିଲମ୍ବିତ କାହାକୁ ବହିସ୍କାର କାହାକୁ ନୂଆ ପଦବୀ ଦେବା କର୍ଯ୍ୟ କରିବାରେ ଲାଗିଛି। ସେହି ଅନୁସାରେ ଦଳ ସୁନ୍ଦରଗଡ ଜିଲ୍ଲାର ବିଧାନସଭା ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ସେମାନେ ହେଲେ..

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି। ଏଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ପରିବର୍ତ୍ତନ କରାଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର ଲୋକସଭା: ଚନ୍ଦ୍ରଶେଖରଙ୍କ ଉପରୁ ଆସ୍ଥା ହରାଇଲାଣି କି ବିଜଦ?, ଭାଜପା ଦ୍ୱନ୍ଦ୍ୱରେ, କଂଗ୍ରେସ ଘର ଖାଲି

ଭୁବନେଶ୍ୱର: ବର୍ତ୍ତମାନର ବ୍ରହ୍ମପୁର ଆସନର ବିଜଦ ସାଂସଦ ଉପରେ ଦଳ ତଥା କର୍ମୀମାନେ ଆସ୍ଥା ହରାଇବାର ସଂକେତ ମିଳିଲାଣି। ତେଣୁ ତାଙ୍କୁ ପରିବର୍ତ୍ତନ କରି ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରିବା ପାଇଁ କର୍ମୀଙ୍କ ସ୍ୱର ଉଠିଲାଣି । ଭାଜପା ଏଠାରୁ ଜିତିବା ପାଇଁ ପ୍ରୟାସ କରୁଥିଲେ ହେଁ ଉପଯୁକ୍ତ ପ୍ରାର୍ଥୀ ପାଇପାରୁନାହିଁ। କଂଗ୍ରେସର ଏଠାରୁ କର୍ପୁର ଉଡ଼ି ଯାଇଛି, କେବଳ କପଡ଼ା ପଡ଼ି ରହିଛି।

୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ବ୍ରହ୍ମପୁର ଲୋକସଭା ଆସନ କଂଗ୍ରେସ ଦଳର ଗଡ଼ ଥିଲା। ଏହି କାରଣରୁ ବିଜଦ-ଭାଜପା ମେଣ୍ଟବେଳେ ଏହି ଆସନକୁ ଭାଜପା ଛାଡ଼ି ଦିଆଯାଇଥିଲା। ଯାହାଫଳରେ ୧୯୯୯ରେ ଭାଜପା ପ୍ରାର୍ଥୀ ଅନାଦି ସାହୁ ବିଜୟୀ ହୋଇଥିଲେ। ଏହାପରେ ରାଜ୍ୟରେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ଥିଲେ ହେଁ ୨୦୦୪ରେ ପୁଣି କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ବିଜୟୀ ହୋଇ କେନ୍ଦ୍ରରେ ଅଳ୍ପଦିନ ପାଇଁ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୯ ପରଠାରୁ ଅଦ୍ୟାବଧି ଏହି ଆସନରୁ ବିଜଦ ପ୍ରାର୍ଥୀ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୨ଥର ଓ ୨୦୧୯ରେ କଂଗ୍ରେସରୁ ବିଜଦକୁ ଆସିଥିବା ଚନ୍ଦ୍ର ଶେଖର ସାହୁ ସାଂସଦ ହୋଇ ନିର୍ବାଚିତ ହୋଇଛନ୍ତି।

୨୦୦୯ ପରଠାରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭା ଆସନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଠିତ। ଶ୍ରୀ ସାହୁ ଗତ ନିର୍ବାଚନରେ ବିଜଦ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ ହେଁ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ ଏହାକୁ ନେଇ ବିଚାର ବିମର୍ଷ ଚାଲିଛି। ଦଳୀୟ ସଂଗଠନରେ ଶ୍ରୀ ସାହୁଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ଅପରପକ୍ଷରେ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବେ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବା ସହିତ ସଂଗଠନକୁ ସଜାଡ଼ିବାରେ ଲାଗିଛନ୍ତି। ଏଇଥିପାଇଁ ଯେ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ସହିତ ଗୋପାଳପୁର, ଛତ୍ରପୁର, ଚିକିଟି ଭଳି ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀଙ୍କୁ ଭେଟିଥିଲେ। ଏଣୁ ସେ ପୁଣିଥରେ ବ୍ରହ୍ମପୁର ରାଜନୀତିକୁ ଫେରିବେ ବୋଲି ଗୋଟିଏ ବାର୍ତ୍ତା ଯାଇଛି। ଚନ୍ଦ୍ର ଶେଖର ସାହୁ କଂଗ୍ରେସରୁ ଆସିଥିବାରୁ ତାଙ୍କୁ ଅନେକ କର୍ମୀ ପସନ୍ଦ କରୁନାହାନ୍ତି। ତେଣୁ ସେମାନେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସପକ୍ଷରେ ଯୁକ୍ତି ଲବି କରୁଥିବା ଜଣାପଡ଼ିଛି। ଶେଷ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ।

୨୦୦୪ ପରଠାରୁ ଅଦ୍ୟାବଧି ବିଜୟ ପାଇବା ପାଇଁ ଭାଜପା ଏଠାରେ ସଂଗ୍ରାମ କରୁଛି। ୨୦୦୯ରେ ଭାଜପା ପ୍ରାର୍ଥୀ ଭରତ ପାଇକ ୭୮,୯୨୯ ଖଣ୍ଡ ଭୋଟ ପାଇଥିଲାବେଳେ ୨୦୧୪ରେ ଭାଜପା ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ୧,୫୮,୮୧୧ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ରେ ଭାଜପା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୩,୪୮,୯୯୯ ଭୋଟ ସହିତ ସମ୍ମାନଜନକ ୨ୟ ସ୍ଥାନକୁ ଆସିଥିଲେ। ଏହି ନିର୍ବାଚନ ପରଠାରୁ ଭାଜପା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କର ଏଠାରେ ଦେଖାଦର୍ଶନ ମିଳୁନାହିଁ। ମୁଣ୍ଡ ଉପରେ ନିର୍ବାଚନ ଥିଲେ ହେଁ ଶ୍ରୀ ବକ୍ସିପାତ୍ର କୌଣସି ସାଂଗଠନିକ କାମ କରୁନାହାଁନ୍ତି। ତେଣୁ ଦଳର ସାଂଗଠନିକ ସ୍ଥିତି ଭଲ ନ ଥିବା ସତ୍ତ୍ୱେ ସଂଗଠନ ଭାଗ ଭାଗ ହୋଇଛି। ଫଳରେ ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିନପାରେ ବୋଲି କର୍ମୀ ମହଲରେ ଗୁଞ୍ଜରଣ ସୃଷ୍ଟି ହେଉଛି। ବିଜଦରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗଦେଇ ସାଂସଦ ପ୍ରାର୍ଥୀ ହେବେ ବୋଲି କର୍ମୀ ମହଲରେ ଆଲୋଚନା ହେଉଥିଲେ ହେଁ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନାହିଁ।

ଏକଦା ବ୍ରହ୍ମପୁର ଲୋକସଭା ଆସନ କଂଗ୍ରେସ ପାଇଁ ଏତେ ସୁରକ୍ଷିତ ଥିଲା ଯେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୬ରେ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୧୮ଥର ଲୋକସଭା ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀମାନେ ଏଠାରୁ ୧୨ଥର ବିଜୟ ବାନା ଛଡ଼ାଇଛନ୍ତି । ଏଭଳି ସ୍ଥିତି ସତ୍ତ୍ୱେ ୨୦୦୯ରେ (୨,୬୨,୫୨୨ଭୋଟ) ଓ ୨୦୧୪ରେ (୨,୭୦,୩୮୭ ଭୋଟ) କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ପାଇଥିଲାବେଳେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ୧,୪୨,୬୩୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ନିର୍ବାଚନ ପରଠାରୁ କଂଗ୍ରେସ ପ୍ରାର୍ଥୀ ନାଇଡ଼ୁଙ୍କର ମତଦାତା ଓ ଦଳର ସଂଗଠନ ସହିତ ସମ୍ପର୍କ ନ ଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ତେଣୁ କଂଗ୍ରେସ ଏଠାରେ ଜଣେ ନୂଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି। କିନ୍ତୁ କଂଗ୍ରେସ ଦଳରୁ ଲୋକସଭା ପ୍ରାର୍ଥୀ ହେବା ପାଇଁ ନେତା ମିଳୁ ନାହାନ୍ତି। କଂଗ୍ରେସର ଏଠାରୁ କର୍ପୁର ଉଡ଼ି ଯାଇଛି, କେବଳ କପଡ଼ା ପଡ଼ି ରହିଛି ବୋଲି ଲୋକମାନେ କହୁଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ନିଳମ୍ବିତ ହେଲେ ଜଣେ ନେତା, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ଭୁବନେଶ୍ବର: ବର୍ତ୍ତମାନ ଆକ୍ସନ ମୁଡରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଜଣେ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ମହାକାଳପଡା ନିର୍ବାଚନ ମଣ୍ଡଳୀର ଚିତ୍ତରଂଜନ ଦାସ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନୋଟିସ।

ଏହା ପୂର୍ବରୁ ଦଳ କେନ୍ଦ୍ରାପଡା ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତି କରିଛି। ସେ ହେଉଛନ୍ତି ଧିରେନ କୁମାର ସାହୁ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ନିକଟରେ କେନ୍ଦ୍ରପଡା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିଲା। ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଦଳ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ସହିତ ଜଣଙ୍କୁ ନିଲମ୍ବନ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଜନତା ଦଳ ଘୋଷଣା କଲା କେନ୍ଦ୍ରାପଡା ଜିଲ୍ଲାର ନୂଆ ସଭାପତି

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି କେନ୍ଦ୍ରାପଡାର ନୂଆ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ସେ ହେଉଛନ୍ତି ଧିରେନ କୁମାର ସାହୁ। ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ନିକଟରେ କେନ୍ଦ୍ରପଡା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିଲା। ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଦଳ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା: ସଂତୃପ୍ତ ବିଜଦ ପ୍ରାର୍ଥୀ!, ଲୋକସମ୍ପର୍କରେ ବହୁ ଆଗରେ ଭାଜପାର ସମ୍ବିତ, କଂଗ୍ରେସ ଖୋଜୁଛି ପ୍ରାର୍ଥୀ

ଭୁବନେଶ୍ୱର: ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ବାଲିପାଟଣା, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା କ୍ଷେତ୍ରକୁ ନେଇ ପୁରୀ ଲୋକସଭା ଆସନ ଗଠିତ। ୧୯୯୮ରୁ ଏହି ଆସନଟି ଶାସକ ବିଜଦର କବ୍‍ଜାରେ ରହିଛି। ଏଠାରୁ ବିଜଦ ଏକାଦିକ୍ରମେ ୬ଥର ଜିତିଥିବାବେଳେ ବର୍ତ୍ତମାନର ସାଂସଦ ୩ଥର ବିଜୟୀ ହୋଇଛନ୍ତି। କିନ୍ତୁ ଗତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୧୧,୭୧୪ ଭୋଟରେ ହାରିଯାଇଥିଲେ। ୨୦୧୯ ନିର୍ବାଚନ ହାରିବା ପରଠାରୁ ଡା. ପାତ୍ର ବସି ନ ଯାଇ ଲୋକସମ୍ପର୍କ ରକ୍ଷା କରିଆସୁଛନ୍ତି। ଯାହାଫଳରେ ସେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କଠାରୁ ଚର୍ଚ୍ଚାରେ ଯଥେଷ୍ଟ ଆଗରେ ଅଛନ୍ତି।

୨୦୦୯ରେ ନର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜଦରେ ଯୋଗଦେଇ ଲୋକସଭାକୁ ୩ଥର ନିର୍ବାଚିତ ହେଲେଣି ସାଂସଦ ପିନାକୀ ମିଶ୍ର। ନିଜର ବ୍ୟକ୍ତିଗତ କାରଣରୁ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। କିନ୍ତୁ ପ୍ରକୃତ ପକ୍ଷେ ୩ଥର ସାଂସଦ ଭାବରେ ନିର୍ବାଚିତ ହେବାପରେ ସାଂସଦ ପିନାକୀ ମିଶ୍ରଙ୍କର ଲୋକପ୍ରିୟତା ହ୍ରାସ ପାଇଥିବା ଗତ ନିର୍ବାଚନରେ ଆଗକୁ ଆସିଥିଲା। ଏଠାରୁ ସେ ପୂର୍ବ ଦୁଇଟି ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଭାଜପାର ନବାଗତ ପ୍ରାର୍ଥୀ ଡା.ସମ୍ବିତ ପାତ୍ୟଙ୍କଠାରୁ କଡ଼ା ମୁକ୍କାବିଲ୍ଲାର ସମ୍ମୁଖୀନ ହୋଇ ହାରୁ ହାରୁ ମାତ୍ର ୧୧ ହଜାରରୁ ଅଧିକ ଭୋଟରେ ଜିତି ଯାଇଥିଲେ। ଇତି ମଧ୍ୟରେ ବିଜଦ ସାଂସଦ ଶ୍ରୀ ମିଶ୍ର ନିଜର ଲୋକପ୍ରିୟତା ହ୍ରାସ ପାଇବା ଓ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା କାରଣରୁ ସେ ପ୍ରାର୍ଥୀ ନ ହେବାକୁ ସ୍ଥିର କରିଛନ୍ତି। ତେଣୁ ନିକଟରେ ଆଦିତ୍ୟ ବିର୍ଲ୍ଲା କମ୍ପାନୀର ସିଇଓ ପଦବୀ ଛାଡ଼ି ସଂତୃପ୍ତ ମିଶ୍ର ଶାସକ ଦଳ ବିଜଦରେ ଯୋଗ ଦେଇଛନ୍ତି। ସେ ଯୋଗଦେବା ପରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ ବୋଲି ରାଜନୀତିକ ମହଲରେ ଯେଉଁ ଆଲୋଚନା ହେଉଥିଲା ତା’ର ଯବନିକା ପଡ଼ିଛି। ସଂତୃପ୍ତ ମିଶ୍ର ପୁରୀ ଜିଲ୍ଲାର ମୂଳ ଅଧିବାସୀ ହୋଇଥିବାରୁ ତେଣୁ ତାଙ୍କୁ ବିଜଦ ପକ୍ଷରୁ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଗତ କିଛିଦିନ ହେବ ପୁରୀ ଜିଲ୍ଲାରେ ବିଜଦର ସଂଗଠନରେ ଯେପରି ବିଶୃଙ୍ଗଳା ଦେଖାଦେଇଛି ତାହାକୁ କିପରି ସମାଧାନ କରି ସଂତୃପ୍ତ ମିଶ୍ର ନିଜର ସାଂଗଠନିକ କାମ ଆରମ୍ଭ କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଗତ ୩ଟି ନର୍ବାଚନରୁ ଗତଥର ପ୍ରଥମ ଥର ପାଇଁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ପ୍ରତିଦ୍ୱନ୍ଦ୍ୱୀତାକୁ ଆସି ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ମାତ୍ର ୧୧ ହଜାର ଭୋଟରେ ପରାଜିତ ହେବା ପରେ ଡା. ପାତ୍ର ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଜନସମ୍ପର୍କ ଅଭିଯାନ ଜାରୀ ରଖିଛନ୍ତି। କହିବାକୁ ଗଲେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ପାଇଁ ଡା. ପାତ୍ର ଏକ ଆହ୍ୱାନ ସୃଷ୍ଟି କରିସାରଛନ୍ତି। କାରଣ ମତଦାତାମାନେ ଯାହାଙ୍କୁ ବିଗତ ୩ଟି ନିର୍ବାଚନରେ ବିଜୟୀ କରାଇଛନ୍ତି ତାଙ୍କୁ କେବେ ବି ଭେଟି ନିଜର ସମସ୍ୟା ସମାଧାନ କହିବାର ସୁଯୋଗ ପାଉନାହାନ୍ତି। ଅପର ପକ୍ଷରେ ଡା. ପାତ୍ର ହାରିଯାଇଥିଲେ ବି ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଡା. ପାତ୍ର ପ୍ରଚାର ଓ ଜନ ସମ୍ପର୍କ ରଖିବା ଦୃଷ୍ଟିରୁ ବହୁ ଆଗରେ ରହିଛନ୍ତି। ଏହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ତାଙ୍କର ଜିତିବା ସମ୍ଭାବନା ଅଧିକ ବୋଲି ସାଧାରଣରେ ଆଲୋଚନା ହେଉଛି।

ପୁରୀ ଲୋକସଭା ଆସନରେ କଂଗ୍ରେସ ଦଳ ପୂର୍ବରୁ ୬ଥର ବିଜୟୀ ହୋଇଥିଲେ ହେଁ ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ପୂର୍ବରୁ ମିଳୁଥିବା କଂଗ୍ରେସର ପକେଟ ଭୋଟ ହାସଲ କରିବାରେ ବିଫଳ ହୋଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବାର ସମ୍ଭାବନା ନାହିଁ। ଏପରି କ୍ଷେତ୍ରରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ଆଲୋଚନାକୁ ଆସିପାରିନାହିଁ। ନିର୍ବାଚନ ପୂର୍ବରୁ ବାହାଘରବେଳେ ବାଇଗଣ ରୋଇଲା ଭଳି ଉପରୁ ସବୁଥର ଭଳି ଜଣେ ନେତାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯିବ। ଯିଏକି ସଂଗଠନ ସମ୍ଭାଳିବା ଓ ପ୍ରଚାର କରିବା ପାଇଁ ସମୟ ପାଇବେ ନାହିଁ। ଏଭଳି ସ୍ଥିତିରେ କଂଗ୍ରେସ କେବଳ ପୁରୀ ଲୋକସଭା ଆସନରେ ନିଜର ଔପଚାରିକତା ପୂରା କରିବ ବୋଲି ଆଲୋଚନା ହେଉଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସବୁଠାରୁ ଅଧିକ ଚର୍ଚ୍ଚାରେ ସମ୍ବଲପୁର ଲୋକସଭା ଭାଜପାରୁ ଧର୍ମେନ୍ଦ୍ର ପ୍ରଧାନ, ବିଜଦରୁ କିଏ?

ଭୁବନେଶ୍ୱର: ଏକଦା କଂଗ୍ରେସ ଓ ବିଜଦର ହସ୍ତମୁଦି ମାହାଲ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଏବେ ଭାଜପା ପାଇଁ ଅନୁକୂଳ ସ୍ଥିତିରେ ରହିଛି। ରାଜ୍ୟରେ ବିଗତ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜଦ ଏହି ଆସନ ପାଇଁ ପ୍ରାର୍ଥୀ ଖୋଜିବାରେ ଲାଗିଥିବାବେଳେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ସଂକଟ ଲାଗିରହିଛି।

ଗତ ନିର୍ବାଚନରେ ଆଦୌ ଚର୍ଚ୍ଚାରେ ନ ଥିବା କଂଗ୍ରେସ ନେତା ନିତେଶ ଗଙ୍ଗଦେବ ଭାଜପାକୁ ଆସି ଲୋକସଭା ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ବିଜଦର ପ୍ରଚାରପ୍ରସାର, ଧନବଳ, ଜନବଳକୁ ପ୍ରତିହତ କରି ଅପ୍ରତ୍ୟାଶିତ ଭାବରେ ମାତ୍ର ୯,୧୬୨ ଭୋଟରେ ବିଜୟ ଲାଭ କରିଥିଲେ। ଏପରିକି ସମ୍ବଲପୁର ଲୋକସଭା ଅଧିନରେ ଥିବା ରେଙ୍ଗାଲି, ସମ୍ବଲପୁର ଓ ଦେବଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ। ଅନ୍ୟ ୪ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ବିଜଦ ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେଇ ପରାଜିତ ହୋଇଥିଲେ।

ଭାଜପାର କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ସ୍ଥିର ହେବାପରଠାରୁ ସମ୍ବଲପୁର ଲୋକସଭା ଆସନ ଚର୍ଚ୍ଚାକୁ ଆସିଛି। ସମ୍ବଲପୁରର ବର୍ତ୍ତମାନ ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଭାଜପା ନେତାମାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିବା ପରଠାରୁ ଗଙ୍ଗଦେବଙ୍କୁ ଆଉ ଦଳୀୟ ଟିକଟ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଶାସକ ଦଳ ବିଜଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଠାରୁ ହରାଇବା ପାଇଁ ବିଭିନ୍ନ ପ୍ରକାରର ସମରସଜ୍ଜା କଲେ ମଧ୍ୟ ସଫଳ ହୋଇପାରିବ ନାହିଁ। କାରଣ ସମ୍ବଲପୁରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। ଏହାର ଦାୟିତ୍ୱରେ ଭାଜପାର ପୂର୍ବତନ ସଂଗଠନ ସମ୍ପାଦକ ପ୍ରସନ୍ନ ମିଶ୍ର ଅଛନ୍ତି। ତାଙ୍କରି ସମରସଜ୍ଜାରେ ଗତଥର ବିଜଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଜିତୁ ଜିତୁ ହାରଗଲେ। ତେଣୁ ଆଗାମୀ ନିର୍ବାଚନରେ ସଂଘର ପ୍ରମୁଖ ଭୂମିକା ରହିବ, ଯାହାଫଳରେ ଭାଜପା ପ୍ରାର୍ଥୀଙ୍କ ବିଜୟରେ ସହାୟତା ହେବ।

୧୯୯୮ରୁ ୨୦୦୯କୁ ଛାଡ଼ି ୨୦୧୪ ପର୍ଯ୍ୟନ୍ତ ଏଠାରୁ ୪ଥର ବିଜୟୀ ହୋଇଥିବା ଶାସକ ବିଜଦ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଚିନ୍ତାରେ ପଡ଼ିଯାଇଛି। ଏଠାରୁ ଲଗାତାର ୩ଥର ସାଂସଦ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ଲୋକସଭା ଲଢ଼ିବା ପରିବର୍ତ୍ତେ ବିଧାନସଭା ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି। ଏପରିକି ଗତଥର ନିର୍ବାଚନ ଲଢ଼ି ହାରିଥିବା ନଳିନୀକାନ୍ତ ପ୍ରଧାନ ଆଗାମୀ ନିର୍ବାଚନରେ ଲୋକସଭା ପରିବର୍ତ୍ତେ ଆଠମଲିକରୁ ବିଧାନସଭା ଲଢ଼ିବା ପାଇଁ ଜନସମ୍ପର୍କ ଅଭିଯାନ ଚଳାଇଛନ୍ତି। ଏହାକୁ ନେଇ ବର୍ତ୍ତମାନର ବିଜଦ ବିଧାୟକ ରମେଶ ସାଏ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ହୋଇଥିବା ବିଜଦର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। କିନ୍ତୁ ସେ ଏଥିପାଇଁ ଆଗ୍ରହୀ ନ ଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ।

ଯାହାଫଳରେ ବିଜଦର ପ୍ରଭାବଶାଳୀ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାମ ସମ୍ବଲପୁର ଲୋକସଭା ଆସନ ପାଇଁ ବେଶ୍‍ କିଛିଦିନ ହେଲା ଚର୍ଚ୍ଚା ହେଉଛି। ସେ ଯଦି ଏଠାରୁ ଲଢ଼ନ୍ତି ତେବେ ସେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସୀମିତ ରଖିବା ପାଇଁ ସେଠାରେ ପଡ଼ି ରହିବେ। ଫଳରେ ବିଜଦର ରାଜ୍ୟ ନିର୍ବାଚନ ପରିଚାଳନାରେ ବାଧା ଉପୁଜିବ, ତେଣୁ ସେ ପ୍ରାର୍ଥୀ ହୋଇନପାରନ୍ତି ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢ଼ୁଛନ୍ତି। ଆଉ ଗୋଟିଏ ଗୋଷ୍ଠୀର ଯୁକ୍ତି ଅନୁସାରେ ସେ ଉପକୂଳର ହୋଇଥିବାରୁ ପଶ୍ଚିମ ଓଡ଼ିଶାର ମତଦାତାମାନେ କଟକିଆ କହି ବିରୋଧ କରିପାରନ୍ତି। ତେଣୁ ବିଜଦ ଏବେ ପ୍ରାର୍ଥୀ ଖୋଜିବାରେ ଲାଗିଛି। ଯଦି କେହି ନ ମିଳନ୍ତି ତେବେ ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ପୁଣି ଥରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୧୯୬୭ରୁ ୨୦୦୯ ପର୍ଯ୍ୟନ୍ତ ସମ୍ବଲପୁର ଲୋକସଭା ଆସନରୁ ୭ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ଗତ ଦୁଇଟି ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିବା ସହିତ ଭୋଟ ହାର ମଧ୍ୟ ହରାଇବାରେ ଲାଗିଛି। ୨୦୧୯ ନିର୍ବାଚନରେ ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହୋଇ ମାତ୍ର ୧,୩୫,୯୬୯ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟରେ ପଶ୍ଚିମ ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିଥିଲେ ହେଁ ଏହାର ପ୍ରଭାବ ମତଦାତା କିମ୍ବା କଂଗ୍ରେସ ନେତାଙ୍କ ଉପରେ ପଡ଼ିନାହିଁ। ଯାହାଫଳରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ବିଜଦରେ ଯୋଗ ଦେଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ ତାହା ଏବେ ପ୍ରଦେଶ ନାତାମାନଙ୍କର ଚିନ୍ତାର ବିଷୟ ହୋଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମମତା ଯୋଜନାରେ ବୃଦ୍ଧି କରିଥିବା ପରିମାଣକୁ ନେଇ ବିଜେଡି କହିଲା ଏପରି କଥା

ଭୁବନେଶ୍ୱର: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି।

ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ।

ଶ୍ରୀମତୀ ସାହୁ ଓ ଶ୍ରୀମତୀ ଆଲାମ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତୀକରଣକୁ ନେଇ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ଦ୍ୱିଗୁଣିତ କରିଛନ୍ତି।

ଏହା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଓ ରାଜ୍ୟର କୋଟି କୋଟି ମହିଳାଙ୍କ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ବର୍ତ୍ତମାନ ମମତା ଯୋଜନା ଅଧୀନରେ ଥିବା ମା’ମାନଙ୍କୁ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ମିଳୁଛି । ଏବେ ସେମାନଙ୍କୁ ୬୦୦୦ ଓ ୪୦୦୦ ଟଙ୍କାର ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।

୨୦୨୩ ଅଗଷ୍ଟରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ସହାୟତା ପ୍ରଦାନ କରାଯିବ ଏବଂ ୨୦୨୩ ଅଗଷ୍ଟରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଫେବୃଆରୀ ୨୦ରୁ ୨୫ତାରିଖ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଶୁମୃତ୍ୟୁ ଓ ମାତୃମୃତ୍ୟୁ ହାର ପୁଷ୍ଟିହୀନତା ହ୍ରାସ କରିବା ପାଇଁ ୨୦୧୧ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶାର ମମତା ଯୋଜନାର ସଫଳତା ଯୋଗୁଁ ଏହାକୁ ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଛି ୬ ମାସର ଗର୍ଭଧାରଣ ପରେ ପ୍ରଥମ କିସ୍ତି ୬୦୦୦ ଟଙ୍କା ଏବଂ ଶିଶୁକୁ ୧୦ ମାସ ପୂରିବା ପରେ ଦ୍ୱିତୀୟ କିସ୍ତି ୪୦୦୦ ଟଙ୍କା ପ୍ରଦାନ କରାଯିବ।

ଏହା ଓଡ଼ିଶାର ମହିଳା ସଶକ୍ତୀକରଣ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଜାତୀୟ ମାନଦଣ୍ଡ ଏବଂମାଇଲ ଖୁଣ୍ଟ ଭାବେ ସ୍ୱୀକୃତି ପାଇଛି ଏବଂମମତା ଯୋଜନା ସହାୟତାକୁ ଦ୍ୱିଗୁଣିତ କରିବା ଏହି ଯାତ୍ରାରେ ଆଉ ଏକ ସଫଳତା ବୋଲି ବିଜେଡ଼ିର ଦୁଇ ପ୍ରବକ୍ତା କହିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି କଲା ଘୋଷଣା, ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ କରିବ ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ପରେ ବିଜେଡି ତାହାକୁ ସମର୍ଥନ କରିଛି। ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଛି।

ପୂର୍ବରୁ ଏହି ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ବିଜେଡି ତିନୋଟି ରାଜ୍ୟସଭା ଆସନରେ ଜିତିବାକୁ ଥିଲେ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା। ଫଳରେ ଅନ୍ୟ ଆସନଟି ପୂର୍ବପରି ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ା, ବରଗଡ଼ ଓ କଳାହାଣ୍ଡିରେ ସବୁ ଦଳର ନୂଆ ମୁହଁ ଭରଷା

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟରେ ଲୋକସଭାରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଅନୁସାରେ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା, ବରଗଡ଼ ଓ କଳାହାଣ୍ଡି ଲୋକସଭା ଆସନରେ ନୂଆ ମୁହଁଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।

ପ୍ରଥମେ ଅଣ କଂଗ୍ରେସ ଗଡ଼ କୁହାଯାଉଥିବା କେନ୍ଦ୍ରପଡ଼ା ଲୋକସଭା ଆସନ କଥା । କେବଳ ୧୯୫୨ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିଥିବା ଏହି ଆସନରେ ୧୭ ଥର ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଠାରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ବିଜୁ ପଟ୍ଟନାୟକ ୩ଥର ଲେଖାଏଁ ଲଢ଼ି ବିଜୟୀ ହୋଇଥିବାବେଳେ ରିବ ରାୟ, ପ୍ରଭାତ ସାମନ୍ତରାୟ ଓ ବୈଜୟନ୍ତ ପଣ୍ଡା ୨ଥର ଲେଖାଏଁ ଏହି ଆସନରୁ ବିଜୟୀ ହୋଇଛନ୍ତି ।

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭାକୁ ନେଇ ଗଠିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡା (୬,୦୧,୫୭୪ ଖଣ୍ଡ ଭୋଟ) ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ (୩,୯୨,୪୬୬ ଖଣ୍ଡ ଭୋଟ)ଙ୍କୁ ୨ଲକ୍ଷ ୯ ହଜାର ୧୦୮ ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏହାର ପରବର୍ତ୍ତୀ ନିର୍ବାଚନ ୨୦୧୯ରେ ବୈଜୟନ୍ତ (୪,୪୪୭,୪୫୬ ଭୋଟ) ବିଜେପି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି (୬,୨୮, ୯୩୯ଭୋଟ)ଙ୍କଠାରୁ ୧ଲକ୍ଷ ୫୨ହଜାର ୫୮୪ଖଣ୍ଡ ଭୋଟରେ ହାରିଯାଇଥିଲେ ।

ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ଦାଶ ମାତ୍ର ୧ଲକ୍ଷ ୧୮ହଜାର ୭୦୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ୨୦୧୯ରେ ବୈଜୟନ୍ତ ପଣ୍ଡା ବିଜେପିରୁ ଲଢ଼ିବାରୁ ପ୍ରତିଦ୍ୱନ୍ଦ୍ୱୀତା ବିଜେଡି ଓ ବିଜେପି ମଧ୍ୟରେ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ପୂର୍ବର ଭୋଟ ସଖ୍ୟା ୧ଲକ୍ଷ ୧୩ ହଜାର ୮୪୧କୁ ହ୍ରାସ ପାଇବା ସହିତ ତୃତୀୟ ସ୍ଥାନକୁ ଖସି ଆସିଥିଲେ ।

କିନ୍ତୁ ଆଗାମୀ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ବହୁ ବିବାଦରେ ଛନ୍ଦି ହୋଇଯାଇଥିବାରୁ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରିବାର ସମ୍ଭାବନା ନାହିଁ । ଦ୍ୱିତୀୟ ସ୍ଥାନରେ ଥିବା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ୮୦ଟି ଲୋକସଭା ଆସନ ଥିବା ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର ପ୍ରଭାରୀ କରିଛି । ବର୍ତ୍ତମାନ ବୈଜୟନ୍ତ ପଣ୍ଡା ଦଳର ଶୀର୍ଷ ନେତୃତ୍ୱଙ୍କ ଭରଷା ହାସଲ କରିଥିବାରୁ ତାଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ ବୁଝିବା ପାଇଁ ସ୍ୱାଧୀନ ଭାବରେ ଛାଡ଼ି ଦିଆଯାଇଛି । ତେଣୁ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି । ସେହିପରି ବିଗତ ଦୁଇଟି ନିର୍ବାଚନ ଲଢ଼ି ପରାଜିତ ହୋଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ଦଳ ଆଉ ପ୍ରାର୍ଥୀ କରିନପାରେ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଆଗାମୀ ନିର୍ବାଚନରେ ୩ଟିଯାକ ରାଜୈତିକ ଦଳ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି । କିନ୍ତୁ କିଏ ପ୍ରାର୍ଥୀ ହେବେ ତାହା ଏବେଠାରୁ ଜଣାପଡ଼ିନାହିଁ ।

ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ବରଗଡ଼ ଲୋକସଭା ଆସନ କୌଣସି ରାଜୈତିକ ଦଳର ହସ୍ତମୁଦି ମାହାଲ ନୁହେଁ । ବିଗତ ୩ଟି ନିର୍ବାଚନକୁ ଲକ୍ଷ୍ୟକଲେ ଜଣାଯାଏ ୨୦୦୯ରେ କଂଗ୍ରେସ, ୨୦୧୪ରେ ବିଜେଡି ଓ ୨୦୧୯ରେ ବିଜେପି ଏହି ଆସନରୁ ବିଜୟୀ ହୋଇଛି ।

୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଭାସ ସିଂହ (୩,୮୩,୨୩୦ ଭୋଟ) ବିଜେପି ପ୍ରାର୍ଥୀ ସୁଭାଷ ଚୌହାନ (୩,୭୨,୦୫୨ ଭୋଟ)ଙ୍କଠାରୁ ମାତ୍ର ୧୧ହଜାର ୧୭୮ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ରେ ଏହାରୁ ବିଜୟୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ ୨, ୭୪, ୬୧୦ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଥିଲେ ।

୨୦୧୯ ନିର୍ବାଚନରେ ବରଗଡ଼ ଲୋକସଭା ଆସନ ବିଜେଡି ହାତରୁ ଖସି ଯାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ (୫,୮୧,୨୪୫ ଭୋଟ) ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ (୫,୧୭,୩୦୬ ଭୋଟ)ଙ୍କୁ ୬୩ ହଜାର ୯୩୯ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତା ୧,୦୯,୪୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ଆଗାମୀ ନିର୍ବାଚନରେ କୌଣସି ଦଳ ସେମାନଙ୍କର ପୁରୁଣା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ାଇବାର ସମ୍ଭାବନ ନାହିଁ । କାରଣ ସାଂସଦ ସୁରେଶ ପୂଜାରୀ ସ୍ୱାସ୍ଥ୍ୟଗତ କାରଣରୁ ବ୍ରଜରାଜନଗରରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରୀୟ ନେତାଙ୍କ ନିକଟରେ ଇଚ୍ଛାପ୍ରକାଶ କରିଛନ୍ତି । ସେହିପରି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଅପର ପକ୍ଷରେ କଂଗ୍ରେସ ମଧ୍ୟ ଆଗାମୀ ନିର୍ବାଚନରେ ନୂଆ ମୁହଁ ନେଇ ଲଢ଼ିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଏପରି କ୍ଷେତ୍ରରେ ବରଗଡ଼ ଲୋକସଭା ନିର୍ବାଚନ ପାଇଁ ୩ଟି ପ୍ରମୁଖ ଦଳ ନୂଆ ମୁଡୋ ନେଇ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇଛି ।

ସେହିପରି ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା କ୍ଷେତ୍ରକୁ ଗଠିତ କଳାହାଣ୍ଡି ଲୋକସଭା ଆସନରେ ମଧ୍ୟ କୌଣସି ଦଳର ଆଧିପତ୍ୟ ନାହିଁ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀମାନେ ଏଠାରୁ ବିଜୟୀ ହୋଇଛନ୍ତି ।

୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସ (୪,୦୧,୭୩୬ ଭୋଟ) ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ନାୟକ (୨,୪୭,୬୯୯ଭୋଟ)ଙ୍କୁ ୧,୫୪,୦୩୭ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ବିଜେପି ପ୍ରାର୍ଥୀ ବିକ୍ରମ କେଶରୀ ଦେଓ ୨,୨୧,୫୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ଏହି ନିର୍ବାଚନ ପରେ ବିକ୍ରମ କେଶରୀ ଦେଓ ଶାସକ ବିଜେଡିରେ ଯୋଗଦେବାରୁ ୨୦୧୪ ନିର୍ବାଚନରେ ତାଙ୍କ ପୁତ୍ର ଅର୍କକେଶରୀ ଦେଓଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଅର୍କକେଶରୀ ଦେଓ (୩,୭୦,୮୭୧ ଭୋଟ) ବିଜେପିର ପ୍ରଦୀପ କୁମାର ନାୟକ (୩,୧୪,୫୨୪)ଙ୍କୁ ୫୬, ୩୪୭ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୩,୦୭,୯୬୭ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା (୪,୩୩,୦୭୩ଭୋଟ) ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ (୪,୦୬,୨୬୦)ଙ୍କୁ ୨୬,୮୧୬ ଭୋଟରେ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୩,୧୯,୨୦୨ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା ସ୍ପଷ୍ଟ ଯେ କଂଗ୍ରେସ ଦଳର ପ୍ରାୟ ୩ଲକ୍ଷରୁ ଅଧିକ ଭୋଟ ରହିଛି ।

କିନ୍ତୁ ଆଗାମୀ ନିର୍ବାଚନରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଲୋକସଭା ପରିବର୍ତ୍ତେ ବିଧାନସଭା ନିର୍ବାଚନ ଲଢ଼ାଇବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଗତ ନିର୍ବାଚନରେ ବିଜେଡି ଟିକଟ ପାଇନଥିବା ଅର୍କକେଶରୀ ଦେଓ ଇତି ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି । ତେଣୁ ତାଙ୍କ ପତ୍ନୀ ମାଳବିକା ଦେବୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ଗତଥର ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଏଥର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ନେତୃତ୍ୱ ନିକଟରେ ନିଜର ମତାମତ ଜଣାଇ ଦେଇଥିବା ଦଳୀୟ ସୂତ୍ରରୂ ପ୍ରକାଶ । ତେଣୁ ଶାସକ ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେବାର ବହୁତ ସମ୍ଭାବନା ରହିଛି । କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ଲୋକସଭା ପରିବର୍ତ୍ତେ ତାଙ୍କର ପାରମ୍ପରିକ ଧର୍ମଗଡ଼ ବିଧାନସଭା ଆସନରୁ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ କଳାହାଣ୍ଡି ଲୋକସଭା ଆସନରେ ଆଗାମୀ ନିର୍ବାଚନରା ୩ଟିଯାକ ଦଳ ନୂଆମୁହଁ ନେଇ ନିର୍ବାଚନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ସହିତ କାହିଁକି ମଧ୍ୟାହ୍ନ ଭୋଜନ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ସଂସଦ ଭବନ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପ୍ରକାଶ କରିଛନ୍ତି। କେବଳ ସସ୍ମିତ ନୁହଁନ୍ତି ବିଭିନ୍ନ ଦଳର ଆଠ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଏହି ଭୋଜନ ଦେଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଯେଉଁମାନେ ମଧ୍ୟାହ୍ନ ଭୋଜନ କରିଥିଲେ ସେମାନେ ହେଲେ ଏଲ ମୁରୁଗାନ, ରିତେଶ ପାଣ୍ଡେ, ହୀନା ଗାୱିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ରାମ ମୋହନ ନାଇଡୁ ଏବଂ ଜାମିଆଙ୍ଗ ସେରିଙ୍ଗ ନାମଗାଲ। ସସ୍ମିତଙ୍କ ସହିତ ମୋଟ ଆଠ ଜଣ ଏହି ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଛନ୍ତି।

ତେବେ ଏମାନେ କିପରି ପ୍ରଧାନମନ୍ତ୍ରୀଙ୍କ ସହିତ ଖାଇଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ସୁତ୍ର ଅନୁସାରେ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସସ୍ମିତଙ୍କ ସହିତ ଏହି ଆଠ ଜଣଙ୍କୁ ଫୋନ କଲ ଆସିଥିଲା। ସେମାନଙ୍କୁ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ।

ଏହି ଆଠ ଜଣ ସାଂସଦ ସଂସଦ ଭବନରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୋଦି ସେମାନଙ୍କୁ ସ୍ବାଗତ କରିଥିଲେ। ସେମାନଙ୍କୁ କହିଥିଲେ ଯେ, ଆପଣମାନଙ୍କୁ ଆଜି ମୁଁ ଦଣ୍ଡ ଦେବି। ଏହା କହି ସେ ସମସ୍ତଙ୍କୁ କ୍ୟାଣ୍ଟିନକୁ ନେଇ ଖାଇବାକୁ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଂଜୟ ଦାସବର୍ମା ଏବଂ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ବ

ଭୁବନେଶ୍ବର: ଆଜି ବିଜେଡି ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ ଦେଇଛି। ସେହିପରି ଆଜି ଦଳରେ ସାମିଲ ହୋଇଥିବା ବିର୍ଲା କଂପାନୀର ପୂର୍ବତନ ସିଇଓ ସନ୍ତୃପ୍ତ ମିଶ୍ରଙ୍କୁ ମଧ୍ୟ ନୂଆ ଦାୟିତ୍ବ ଦେଇଛି। ସଂଜୟଙ୍କୁ ଦଳ ମୁଖ୍ୟପାତ୍ର ଭାବେ ଘୋଷଣା କରିଛି। ସେ ପୂର୍ବରୁ ଭଦ୍ରକର ଦଳୀୟ ପର୍ଯ୍ୟବେକ୍ଷକ ଅଛନ୍ତି।

ସେହିପରି ସନ୍ତୃପ୍ତ ମିଶ୍ରଙ୍କୁ ମିଳିଛି ଜାତୀୟ ମୁଖପାତ୍ର ଦାୟିତ୍ବ। ସେ ଆଦିତ୍ୟ ବିର୍ଲାର ସିଇଓ ଥିବା ବେଳେ ରାଜ୍ୟ ବାହାରେ ଚାକିରୀ କରୁଥିଲେ। ସେ ଗତ ଡିସେମ୍ବର ମାସରେ ବିର୍ଲା ସିଇଓ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ

ଭୁବନେଶ୍ଵର: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଆଜି ବିଜୁ ଜନତା ଦଳରୁ ଇସଫା ଦେଇଛନ୍ତି। ସେ ବିଜେଡ଼ି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟକ ପ୍ରେମାନନ୍ଦ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଦଳ ପକ୍ଷରୁ ଅଣଦେଖା କରାଯାଉଥିବା ପ୍ରେମାନନ୍ଦ ଅଭିଯୋଗ କରିଛନ୍ତି।

ତେବେ ସେ ବିଜେପି ରେ ମିଶିବା ନେଇ ଚର୍ଚ୍ଚା ହେଉଛି। ବିଧାୟକ ପ୍ରେମାନନ୍ଦ ବିଜେଡ଼ି ଛାଡିବା ପରେ ଦଳ ପାଇଁ କ’ଣ ପ୍ରଭାବ ପଡିବ, ତାହା ସମୟ ଆସିଲେ ଜଣାପଡିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡ଼ିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର

ନୂଆଦିଲ୍ଲୀ: ଲୋକମତ କାର୍ଯ୍ୟକ୍ରମରେ କଂଗ୍ରେସର ଲୋକସଭା ସଦସ୍ୟ ଶଶି ଥରୁର ଏବଂ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାରରେ ସମ୍ମାନିତ କରାଯାଇଛି। ନିଲମ୍ବିତ ଲୋକସଭା ସଦସ୍ୟ ବହୁଜନ ସମାଜ ପାର୍ଟି (ବିଏସପି) ର ଦାନିଶ୍ ଅଲି ଏବଂ ସିପିଆଇ (ଏମ୍) ର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସ୍ ଶ୍ରେଷ୍ଠ ନୂତନ ସାଂସଦ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଉତ୍ସବରେ ବିଜେପି ସାଂସଦ ମନେକା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବଙ୍କୁ ‘ଲାଇଫଟାଇମ ଆଚିଭମେଣ୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅକାଳୀ ଦଳ ସାଂସଦ ହରଷିମରତ କୌର ଏବଂ ବିଜେପି ସାଂସଦ ସରୋଜ ପାଣ୍ଡେ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ଗ୍ରହଣ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତୀଘରେ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ପହଂଚାଇବା ଲକ୍ଷରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଅଧିନସ୍ଥ ନନ୍ଦପୁର ଓ ବିଷ୍ଣୁଡ଼ିହ ଗ୍ରାମପଂଚାୟତରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ନେତ୍ରୀ ବେବିନା ତ୍ରିପାଠୀ, ସରୋଜିନୀ ପାଳଙ୍କ ସହ ବହୁ ବିଜେଡି କର୍ମୀ ଓ ଶତାଧିକ ମହିଳା ଯୋଗ ଦେଇଥିଲେ।

ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକାଭିମୁଖୀ କରିବା ସହ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଶ୍ରୀଯୁକ୍ତ ମହାରଣା ପ୍ରକାଶ କରିଛନ୍ତି। ତେବେ ବିଜେଡି କର୍ମୀମାନେ ଆଗାମୀ ଦିନରେ ଅମ ଗାଁ ଆମ ବିକାଶ, ବିଜୁ ସ୍ୱାସ୍ଥ୍ୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ପ୍ରଭୃତି ଯୋଜନରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନେ କିପରି ଲାଭବାନ ହେଉଛନ୍ତି ଏବଂ ବାଦ ପଡ଼ିଥିବା ହିତାଧିକାରୀ ମାନେ କିପରି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ତାହାକୁ ଅବଗତ କରିବା ସହିତ ଘରକୁ ଘର ବୁଲି ଶଙ୍ଖ ଚି଼ହ୍ନ ପ୍ରତି କିପରି ଲୋକମାନେ ଆକୃଷ୍ଟ ହେବେ ତାହାକୁ ପ୍ରଚାର କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ରେ ମଧ୍ୟ ଆଜି ସମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

କେନ୍ଦ୍ରାପଡ଼ା ଲୋକସଭା: ପ୍ରମୁଖ ୩ ଦଳରେ ପ୍ରାର୍ଥୀ ସଂକଟ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପୂର୍ବରୁ ରାଜ୍ୟରେ ଲୋକସଭାରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଅନୁସାରେ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା, ଲୋକସଭା ଆସନରେ ନୂଆ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ପ୍ରଥମେ ଅଣ କଂଗ୍ରେସ ଗଡ଼ କୁହାଯାଉଥିବା କେନ୍ଦ୍ରପଡ଼ା ଲୋକସଭା ଆସନରୁ କେବଳ ୧୯୫୨ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିଥିବାବେଳେ ଏହି ଆସନରେ ୧୭ ଥର ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ବିଜୁ ପଟ୍ଟନାୟକ ୩ଥର ଲେଖାଏଁ ଲଢ଼ି ବିଜୟୀ ହୋଇଥିବାବେଳେ ରିବ ରାୟ, ପ୍ରଭାତ ସାମନ୍ତରାୟ ଓ ବୈଜୟନ୍ତ ପଣ୍ଡା ୨ଥର ଲେଖାଏଁ ଏହି ଆସନରୁ ବିଜୟୀ ହୋଇଛନ୍ତି।

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭାକୁ ନେଇ ଗଠିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡା (୬,୦୧,୫୭୪ ଖଣ୍ଡ ଭୋଟ) ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ (୩,୯୨,୪୬୬ ଖଣ୍ଡ ଭୋଟ)ଙ୍କୁ ୨ଲକ୍ଷ ୯ ହଜାର ୧୦୮ ଭୋଟରେ ହରାଇ ବିଜୟୀ ହୋଇଥିଲେ। ଏହାର ପରବର୍ତ୍ତୀ ନିର୍ବାଚନ ୨୦୧୯ରେ ବୈଜୟନ୍ତ (୪,୪୪୭,୪୫୬ ଭୋଟ) ବିଜେପି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି (୬,୨୮, ୯୩୯ଭୋଟ)ଙ୍କଠାରୁ ୧ଲକ୍ଷ ୫୨ହଜାର ୫୮୪ଖଣ୍ଡ ଭୋଟରେ ହାରିଯାଇଥିଲେ।

ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ଦାଶ ମାତ୍ର ୧ଲକ୍ଷ ୧୮ହଜାର ୭୦୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୧୯ରେ ବୈଜୟନ୍ତ ପଣ୍ଡା ବିଜେପିରୁ ଲଢ଼ିବାରୁ ପ୍ରତିଦ୍ୱନ୍ଦ୍ୱୀତା ବିଜେଡି ଓ ବିଜେପି ମଧ୍ୟରେ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ପୂର୍ବର ଭୋଟ ସଖ୍ୟା ୧ଲକ୍ଷ ୧୩ ହଜାର ୮୪୧କୁ ହ୍ରାସ ପାଇବା ସହିତ ତୃତୀୟ ସ୍ଥାନକୁ ଖସି ଆସିଥିଲେ।

କିନ୍ତୁ ଆଗାମୀ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ବହୁ ବିବାଦରେ ଛନ୍ଦି ହୋଇଯାଇଥିବାରୁ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରିବାର ସମ୍ଭାବନା ନାହିଁ। ଦ୍ୱିତୀୟ ସ୍ଥାନରେ ଥିବା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ୮୦ଟି ଲୋକସଭା ଆସନ ଥିବା ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର ପ୍ରଭାରୀ କରିଛି। ବର୍ତ୍ତମାନ ବୈଜୟନ୍ତ ପଣ୍ଡା ଦଳର ଶୀର୍ଷ ନେତୃତ୍ୱଙ୍କ ଭରଷା ହାସଲ କରିଥିବାରୁ ତାଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ ବୁଝିବା ପାଇଁ ସ୍ୱାଧୀନ ଭାବରେ ଛାଡ଼ି ଦିଆଯାଇଛି। ତେଣୁ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ବିଗତ ଦୁଇଟି ନିର୍ବାଚନ ଲଢ଼ି ପରାଜିତ ହୋଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ଦଳ ଆଉ ପ୍ରାର୍ଥୀ କରିନପାରେ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି। ତେଣୁ ଆଗାମୀ ନିର୍ବାଚନରେ ୩ଟିଯାକ ରାଜୈତିକ ଦଳ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। କିନ୍ତୁ କିଏ ପ୍ରାର୍ଥୀ ହେବେ ତାହା ଏବେଠାରୁ ଜଣାପଡ଼ିନାହିଁ।

ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରୁ ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ, କିଶନ ନଗର ବିଧାୟକ ପ୍ରତାପ ଜେନାଙ୍କ ନାମ ଆଲୋଚନା ହେଉଛି। ମନ୍ତ୍ରୀ ପ୍ରତାପ କେଶରୀ ଦେବ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅନେକ ବିବାଦରେ ଛନ୍ଦି ହୋଇପଡ଼ିଥିବାରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ସନ୍ଦେହ ରହିଛି।

କଂଗ୍ରେସରୁ କିଏ ପ୍ରର୍ଥୀ ହେବ ସେ ନେଇ ଦଳ ପକ୍ଷରୁ ନେତା ଖୋଜା ଚାଲିଛି। ଯଦି ଜଣେ ଗ୍ରହଣୀୟ ନେତା ନ ମିଳନ୍ତି ତେବେ ଦଳ ପୁଣି ଥରେ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ପ୍ରାର୍ଥୀ ଖୋଜାରେ ବିଜେପି ସବୁଠାରୁ ପଛରେ ପଡ଼ିଯାଇଛି। ବୈଜୟନ୍ତ ପଣ୍ଡାଙ୍କୁ ଦଳ ଉତ୍ତରପ୍ରଦେଶ ଦାୟିତ୍ୱ ଦେବାପରେ କିଏ ବିଜେପି ପ୍ରାର୍ଥୀ ହେବ ତାହା ଦଳୀୟ ନେତାଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ଅଭିନେତା ଦଇତାରୀ ପଣ୍ଡାଙ୍କ ସହ ବହୁ ଯାତ୍ରା କଳାକାର

ଭୁବନେଶ୍ୱର : ଯାତ୍ରା ଜଗତର ଖ୍ୟାତନାମା କଳାକାରମାନେ ଆଜି ଶଙ୍ଖଭବନ ଠାରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀ ମାନସ ମଙ୍ଗରାଜ ଓ ଶ୍ରୀ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ଯାତ୍ରା କଳାକାରମାନଙ୍କୁ ଶ୍ରୀ ମିଶ୍ର, ଶ୍ରୀ ମଙ୍ଗରାଜ ଓ ଶ୍ରୀ ପଟ୍ଟନାୟକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେଡ଼ିରେ ଯାତ୍ରା କଳାକାରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ନେତୃବୃନ୍ଦ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ଯାତ୍ରା କଳାକାରମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁା କଳାକାରମାନଙ୍କ ବିକାଶ ଓ ସ୍ୱପ୍ନକୁ ସାକାର କରିବା ପାଇଁ ସର୍ବଦା କାର୍ଯ୍ୟ କରିଥାନ୍ତି ମୁଖ୍ୟମନ୍ତ୍ରୀଏବଂ ଆମେ ଆଗାମୀ ଦିନରେ ବିଜେଡ଼ି କିପରି ଆହୁରି ମଜଭୁତ ହେବ, ସେ ନେଇ ଆମ ସ୍ତରରେ କାର୍ଯ୍ୟଜାରି ରଖିବୁ ।

ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଯାତ୍ରା କଳାକାର ବାପି ପଣ୍ଡା, ଦୈତାରୀ ପଣ୍ଡା, ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ, ସୁବାସ ବେହେରା ଏବଂ ବିଭିନ୍ନ ଜିଲ୍ଲାର ଯାତ୍ରା କଳାକାରମାନଙ୍କ ମଧ୍ୟରେ ରତିକାନ୍ତ ପରିଡ଼ା, ଆଦିକନ୍ଦ ନାୟକ, ଶୁଭେନ୍ଦୁ ଲେଙ୍କା, ସଞ୍ଜୟ କୁମାର ଦାସ, ହୃଷିକେଶ ମିଶ୍ର, ଅସିତ୍ କୁମାର ଜେନା, ମନୋଜ ବାରିକ, ହିରନ୍ୟା ବେହେରା, ବିଜୟ କୁମାର ବିଶ୍ୱାଳ, ପ୍ରତାପ ରୁଦ୍ର ପାତ୍ର, ରାଜେନ୍ଦ୍ର କୁମାର ପତି, ତପନ ମଲ୍ଲିକ, ବ୍ରଜ ସୁନ୍ଦର ମଲ୍ଲିକ, ଶରତ ଚନ୍ଦ୍ର ସାହୁ, ଲିଙ୍ଗରାଜ ପାଣିଗ୍ରାହୀ, ପଲାରାଜୁ ପବନ, ଅନିରୁଦ୍ଧ ପାଇକ, ଶଙ୍କରପୋଢ଼, ସୌଭାଗ୍ୟହରିପାଲ, ପୁରଷୋତ୍ତମ ସଗରିଆ, ପୂର୍ଣିର୍ମା ଚତ୍ରିଆ, ତ୍ରିଶୂଳିଆ ବେହେରା, ଡେଜିରାଣୀ ସ୍ୱାଇଁ। ଏହିସବୁ ନେତୃବୃନ୍ଦଙ୍କ ସହ ସାରା ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ୱ ଯାତ୍ରା କଳାକାର ଆଜି ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିଲୋ ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।