Categories
ଆଜିର ଖବର ବିଶେଷ ଖବର

ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ ଓଡିଶାର ରୂପାନ୍ତରିକରଣ ତାଙ୍କ ଆଖିକୁ ଦେଖାଯାଉନି

ଭୁବନେଶ୍ବର: ରାଜନୈତିକ ମଞ୍ଚରେ ପଦାର୍ପଣ କରି ପୁରା ନେତାଙ୍କ ପରି ଭାଷଣ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦୁଇଦିନିଆ ଗଂଜାମ ଗସ୍ତ କାଳରେ ସେ ଆଜି ଛତ୍ରପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ସିଧା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ ବିରୋଧୀ ବୋଲି ନାଁ ନ ନେଇ କହିଛନ୍ତି ଯେ, ଓଡିଶାର ଯେଉଁ ରୂପାନ୍ତରିକରଣ ହେଉଛି ତାହା କେତେକଙ୍କ ଆଖିକୁ ଦେଖାଯାଉ ନାହିଁ। ସେମାନେ ଭଲ ଭାବରେ ଦେଖିଲେ ଜାଣିପାରିବେ ଯେ, ଓଡିଶା କିପରି ବିକାଶ ହେଉଛି। ସେ କହିଥିଲେ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଇ ଦେଖନ୍ତୁ, କିପରି ଦେଖାଯାଉଛି ନିଜେ ହୃଦୟଙ୍ଗମ କରନ୍ତୁ।

ମା ସମଲେଶ୍ବରୀ, ମା ତାରାତାରିଣୀ, ମା ଚଣ୍ଡି ମନ୍ଦିରର କିପରି ରୂପାନ୍ତରିକରଣ ହୋଇଛି ତାହା ଗୋଟିଏ ଗୋଟିଏ ପ୍ରମାଣ ବୋଲି ସେ କହିଥିଲେ। ଏଥିସହିତ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନଶକ୍ତି, ଆହାର ଏବଂ ସ୍କୁଲ ରୂପାନ୍ତରିକରଣ ଆଜି ଓଡିଶା ବିକାଶର ଏକ ଏକ ମାଇଲ ଖୁଣ୍ଟ।

ସେହିପରି ନେତାଙ୍କ ପରି ପାଣ୍ଡିଆନ ଭାଷଣ ମଝିରେ ଲୋକଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ। କେଉଁମାନେଙ୍କର ବିଏସକେୱା କାର୍ଡ ନାହିଁ ହାତ ଟେକ ବୋଲି କହିଥିଲେ। ଏଥିରେ ଶହଶହ ଦର୍ଶକଙ୍କ ମଧ୍ୟରୁ ତିନି ଚାରିଜଣ ହାତ ଟେକିଥିଲେ। ସେହିପରି ଆହାର କେନ୍ଦ୍ରରେ କେତେ ଟଙ୍କାରେ ଖାଇବା ମିଳୁଛି ବୋଲି ସେ ପଚାରିଥିଲେ।

ଏସବୁ କାର୍ଯ୍ୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ସେ ସବୁବେଳେ ଆମକୁ ଗରିବର ବିକାଶ କଥା ଚିନ୍ତା କର ବୋଲି କହିଆସୁଛନ୍ତି। ସେହି ଅନୁସାରେ ଆମେମାନେ କାମ କରୁଛୁ। ଏଥିରେ ଆପଣମାନଙ୍କର ମଧ୍ୟ ବେଶ ସହଯୋଗ ରହିଛି ବୋଲି ସେ କହିଥିଲେ।

ପାଣ୍ଡିଆନ ଆଜି ଗସ୍ତ ଶେଷ କରି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଘୋଷଣା, କହିଲେ ମୁଁ ନିର୍ବାଚନ ଲଢିବି ନାହିଁ; ବିରୋଧୀଙ୍କ ମୁହଁ ନାଲି

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କୁ ଏକ ମାଷ୍ଟରଷ୍ଟ୍ରୋକ ଦେଇଛନ୍ତି ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢେଇ କରୁ ନାହିଁ। ଏ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଲେ ଯେ, ଭି କେ ପାଣ୍ଡିଆନ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି। ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ।

ସେ ପୁଣି କହିଛନ୍ତି ଯେ, ଯଦି ପାଣ୍ଡିଆନ ଚାହିଁବେ ତେବେ ସେ ନିର୍ବାଚନରେ ଲଢେଇ କରିପାରିବେ। କାରଣ ସେ ବର୍ତ୍ତମାନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ସେ ଏଥର ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାରା ରାଜ୍ୟରେ ତ୍ବରାନିତ କରିବା ସହିତ ଦଳକୁ ଆହୁରି ମଜବୁତ କରିବେ ବୋଲି ଦେବୀ କହିଛନ୍ତି।

ଆଜି ଶଙ୍ଖଭବନରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଜେଡିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଦଳର ନେତା ପାଣ୍ଡିଆନ ଭାଷଣ ଦେଇ ସେ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିଥିଲେ।

ଆଇଏଏସ ଅଫିସର ଥିବା ବେଳେ ପାଣ୍ଡିଆନ କାହିଁକି ଚାକିରୀ ଛାଡି ଦଳରେ ସାମିଲ ହେଉ ନାହିଁନ୍ତି ବୋଲି ବିରୋଧୀ ସେତେବେଳେ ଆହ୍ବାନ ଦେଉଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଚାକିରୀ ଛାଡି ଦଳରେ ସାମିଲ ହେଲେ। ଯାହା ଫଳରେ ବିରୋଧୀଙ୍କୁ ମୁହଁ ଚୁପ ହୋଇଗଲା। ଏହାପରେ ସେମାନେ ପାଣ୍ଡିଆନଙ୍କ ନାମରେ ପରୋକ୍ଷରେ ଏକ ପ୍ରଚାର କଲେ। ତାହା ହେଲା ଯେ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ହେଲେ ପାଣ୍ଡିଆନଙ୍କ ଆଜିର ଘୋଷଣା ପରେ ବିରୋଧୀ ମୁହଁ ନାଲି ପଡିଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ, ବିଜେପି ସଭାପତିଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା। ସେହିଭଳି କର୍ଣ୍ଣାଟକରେ ଯେତେବବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା।

ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି। ମନମୋହନ ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି।

ମନମୋହନ ସାମଲଙ୍କ ଆଜିର ବୟାନ ଦେଖି ଲାଗୁଛି, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଡକ୍ଟର ମହାନ୍ତି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ବଭୂଷଣଙ୍କ ଉପରେ ବିଜେଡି ଖପ୍ପା, ପୁଅର ରାଜନୈତିକ ଭବିଷ୍ୟତ ପାଇଁ ସେ ବ୍ୟଗ୍ର ବୋଲି ଅଭିଯୋଗ

ଭୁବନେଶ୍ୱର: ଛତିଶଗଡ ରାଜ୍ୟପାଳ ବିଭିନ୍ନ ସମୟରେ ଦେଉଥିବା ବିବୃତିକୁ ନେଉ ଖପ୍ପା ହୋଇଛି ବିଜୁ ଜନତା ଦଳ। ନିକଟରେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ଖୋଲା ପ୍ରସଂଗରେ ବିବୃତି ପ୍ରଦାନ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି ସବୁ ବିବୃତି ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଭୂଷଣଙ୍କୁ ସମାଲୋଚନା କରିଛି।

ବିଜେଡି କହିଛି ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଯିଏକି ଏବେ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେ ସବୁବେଳେ ଖୁସି ହୋଇଛୁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୫୩ ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି।

ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ। ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ।

ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ। ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି, ଯିଏ କି ତାଙ୍କ ଜୀବନରେ କେବେବି ନିର୍ବାଚନ ଜିତି ନାହାନ୍ତି ଏବଂ ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତିା

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ସେ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ, ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେବି ଦେଖିବାକୁ ମିଳି ନ ଥିଲା।

ଆସାମର ରାଜ୍ୟପାଳ ଥିବା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଆଙ୍କୁ ଓଡିଶା ଦେଖିଛି। ସେମାନେ ରାଜ୍ୟପାଳ ଥିଲେ ମଧ୍ୟ କେବେ ବି ଏପରି ଶବ୍ଦ ଉଚ୍ଚାରଣ କରି ନ ଥିଲେ ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯିବ। ଏହା ହେଉଛି ଜଣେ ଭଲ ରାଜ୍ୟପାଳଙ୍କ ପ୍ରକୃତ ମାନ୍ୟତା, ଯିଏ କି ରାଜ୍ୟପାଳ ପଦର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖନ୍ତି।

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ଏଭଳି ବୟାନ ଦେବାରୁ ଦୂରେଇ ରହିବେ ଯାହା ତାଙ୍କଠାରୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟାଳୟଠାରୁ ଆଶା କରାଯାଉ ନାହିଁ। ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଏବଂ ବର୍ତ୍ତମାନ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତଦନୁଯାୟୀ ତାଙ୍କର ଦାୟିତ୍ୱ ଅଣ ରାଜନୈତିକ ରହିବା ଉଚିତ୍‍ ବୋଲି ଡକ୍ଟର ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡ଼ା

ଭୁବନେଶ୍ୱର: କୋରାପୁଟ ନିର୍ବାଚନ ମଣ୍ଡଳୀର ୨୦୧୯ର ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡ଼ା ଆଜି ଶତାଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବାଶ୍ ରୀଗରଡ଼ା ଏବଂ ଅନ୍ୟ ସମସ୍ତ ବିଜେପି କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ଗରଡ଼ାଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି କୋରାପୁଟ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତା ତ୍ରିପୁରାରୀ ଗରଡ଼ା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବିଜେପିର କାର୍ଯ୍ୟଶୈଳୀ, ନୀତି ନୈତିକାରେ ଅତିଷ୍ଠ ହୋଇ ମୁଁ ବିଜେପି ଦଳରେ ଏକ ପ୍ରକାର କୋଣଠେସା ହୋଇ ରହିଥିଲି। ତେଣୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲିା

ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ସେ କହିଥିଲେ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ବିଜୟ କୁମାର ଦଳାଇ, କୋରାପୁଟ ନଗର ବିଜେପି ସାଧାରଣ ସମ୍ପାଦକ ଅମରେନ୍ଦ୍ର ସେଠୀ, କୋରାପୁଟ ନଗର ବିଜେପି ଯୁଗ୍ମ ସମ୍ପାଦକ ଅଖିଳ ପ୍ରସାଦ ମଲ୍ଲିକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନୀ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଝୀନ ହିକକା, ପୂର୍ବତନ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ମହିଳା ବିଜେଡ଼ି ପ୍ରଭାରୀ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ନେତା ନାରାୟଣ ଜେନା ବିଜେଡିରେ ସାମିଲ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖ ଭବନଠାରେ ଦଳର ଉପସଭାପତି ତଥା ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳରେ କଂଗ୍ରେସକର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲୁ ବୋଲି କହିଥିଲେ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ପ୍ରକାଶ କରିଥିଲେ ।

ଏହି ମିଶ୍ରଣ ପର୍ବରେ କନକପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା କନକପୁର ସମବାୟ ସମିତି ସଭାପତି ଅଜୟ କୁମାର ରାଉଳ, କନକପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପର୍ଶୁରାମ ଭଟ୍ଟ, କନକପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟଭୂଷଣ ଦାସ, ପୂର୍ବତନ ନାଏବ ସରପଞ୍ଚ କ୍ଷୀରୋଦ ଚନ୍ଦ୍ରସେଠୀ ଯୋଗଦେଇଛନ୍ତି।

ସେହିପରି ଗୋବିନ୍ଦପୁର ପାଣି ପଞ୍ଚାୟତର ସଭାପତି ରଶ୍ମି ରଞ୍ଜନ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପସଭାପତି ସଞ୍ଜୟ ମହାନ୍ତି, ତିର୍ତ୍ତୋଲ ବ୍ଲକର ବରିଷ୍ଠ କଂଗ୍ରେସ ନେତା ନୃସିଂହ ଚରଣ ଲେଙ୍କା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଭଟ୍ଟ, ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ଶୁଭ୍ରଜିତ ଲେଙ୍କା, ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ଦେବୀ ପ୍ରସାଦ ରାଉଳ ଓ ଦୀନେଶ ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ତିନି ଜଣ ନେତାଙ୍କୁ ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ଦେଲା ନିଯୁକ୍ତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତିନିଜଣ ନୂଆ ନେତାଙ୍କୁ ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି।

ଯେଉଁ ତିନି ଜଣ ନେତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ସେମାନେ ହେଲେ ଦଳର ଉପସଭାପତି ଭାବେ ଦେବାଶୀଷ ଖାଡଙ୍ଗା, ସାଧାରଣ ସଂପାଦକ ଭାବେ ସୌମ୍ୟରଂଜନ ଧଳ ଏବଂ ସଂପାଦକ ଭାବେ ହୃଷିକେଶ ମେକାପ ନିଯୁକ୍ତି ପାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅମର୍ଦା ଏୟାରଷ୍ଟ୍ରିପ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସାମ୍ବାଦିକ ସମ୍ମିଳନୀ, ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ଜିଲ୍ଲାକୁ ଶହ ଶହ କୋଟି ଟଙ୍କା ଦେଇ ବିଜେଡି ସରକାର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବାବେଳେ ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ପାଇଁ ଅମର୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର ସକାଶେ ମାତ୍ର ୨୬ କୋଟି ଟଙ୍କା ଦେବାକୁ କୁଂଠାବୋଧ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶେଷରେ ପ୍ରତିରକ୍ଷା ବିଭାଗର ତାଗିଦ୍ ପରେ ଜମା ଦେଲେ।

ଅମର୍ଦା ଏୟାର ଷ୍ଟ୍ରିପ ପାଇଁ ଜମି ହସ୍ତାନ୍ତରର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ବାରଣ କରିବାରୁ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଗଲେ ନାହିଁ। ମୟୂରଭଞ୍ଜ ଜିଲ୍ଲା କ’ଣ ଓଡିଶା ବାହାରେ ବୋଲି ପ୍ରଶ୍ନ କରିବା ସହିତ ମୟୁରଭଞ୍ଜ ସମେତ ଉତର ଓଡିଶା ବିକାଶର ବାଧକ ବିଜେଡି ସରକାର ବୋଲି କେନ୍ଦ୍ରମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟୁଡୁ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ସମେତ ଉତର ଓଡିଶା ବିଗତ ଦୀର୍ଘ ବର୍ଷ ଧରି ବିମାନ ଯାତାୟତ କ୍ଷେତ୍ରରେ ଅବହେଳିତ ହୋଇ ଆସୁଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରଠାରେ ନିର୍ମିତ ଏସିଆ ମହାଦେଶର ସର୍ବବୃହତ ରନ୍‌ୱେ ଅମର୍ଦା ଏୟାରଷ୍ଟ୍ରିପ୍ ଆଜି ଓଡିଶା ସରକାରଙ୍କ ଉଦାସୀନତା ଓ ଅବହେଳା କାରଣରୁ ନଷ୍ଟ ହେବାକୁ ବସିଥିଲା।

ଏହି ବିମାନ ବନ୍ଦରର ପୁନରୁଦ୍ଧାର ପାଇଁ ୨୦୧୯ମସିହାଠାରୁ କ୍ରମାଗତ ଭାବେ କେନ୍ଦ୍ର ବେସାମରିକ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଓ ପରବର୍ତୀ ସମୟରେ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବାରମ୍ବାର ପତ୍ର ଲେଖିବା ସହିତ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଦାବୀ କରାଯାଇଥିଲା। ଏପରିକି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ବାୟୁସେନାର ମୁଖ୍ୟ ଏବଂ ଡିଆରଡିଓ, ଚାନ୍ଦିପୁରର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

୨୦୨୧ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଦଳର ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରାସଗୋବିନ୍ଦପୁର ଅମର୍ଦା ଘାଟିକୁ ଯାଇ ପର୍ଯ୍ୟବେକ୍ଷଣ କରିଥିଲେ। ଶେଷରେ ୨୦୨୨ ମସିହା ନଭେମ୍ବର ୨୨ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ବିମାନବନ୍ଦର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ୨୬ କୋଟି ଟଙ୍କା କ୍ଷତିପୁରଣ ବାବଦରେ ଜମା କରିବାକୁ କହିଥିଲେ।

ରାଜ୍ୟ ସରକାର ଦୀର୍ଘ ୩ ମାସ ପରେ କିଛି ସର୍ତାବଳୀ ସହିତ ରାଜି ହୋଇଥିଲେ। ଧାର୍ଯ୍ୟ ଗତ ଅକ୍ଟୋବର ୧୦ ତାରିଖ ଦିନ ଜମି ହସ୍ତାନ୍ତର ହେବାର ଥିଲା। ଡିଆରଡିଓ, ଚାନ୍ଦିପୁରରୁ ଡିଫେନ୍ସ ଇଷ୍ଟେଟ୍ ଅଫିସର, ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ସତ୍ୱେ ଜିଲ୍ଲାପାଳଙ୍କ ଅନୁପସ୍ଥିତି କାରଣରୁ ଜମି ହସ୍ତାନ୍ତର ସମ୍ଭବ ହୋଇପାରିଲା ନାହିଁ।

ଅମର୍ଦା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୪୫ କୋଟି ପ୍ରଦାନ କରିଛନ୍ତି। ଅମର୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେଲେ କାଳେ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟୀ ନାଁ ନେଇଯିବେ ସେ ଭୟରେ ବିଜେଡି ସରକାର ବାଧା ସୃଷ୍ଟି କରୁଛି। କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବିଜେଡିର କିଛି ଦଲାଲ୍‌ମାନଙ୍କ ଜରିଆରେ ସଭାସ୍ଥଳକୁ ଯିବା ପାଇଁ ଲୋକ ଏବଂ ଗଣମାଧ୍ୟମକୁ ରୋକାଯାଇଥିଲା।

ଦୀର୍ଘ ୨୩ ବର୍ଷର ଶାସନରେ ମୟୂରଭଞ୍ଜ ଜିଲ୍ଲାକୁ ବିଜେଡି ସରକାର ବାରମ୍ବାର ଧୋକା ଦେଇଚାଲିଛି। କେନ୍ଦ୍ର ସରକାରର ବିକାଶମୁଳକ କାର୍ଯ୍ୟରେ ବିଜେଡି ସରକାର ଭୟଭୀତ ବୋଲି ଶ୍ରୀ ଟୁଡୁ କହିଛନ୍ତି।

ଅମର୍ଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହେଲେ, ମୟୂରଭଞ୍ଜ ସମେତ ସମଗ୍ର ଉତର ଓଡିଶା, ସୀମାବର୍ତୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗବାସୀ ଉପକୃତ ହୋଇଥାନ୍ତେ। ମୟୂରଭଞ୍ଜ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି। ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସମ୍ଭାବନା ରହିଛି।

ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିବ। କିନ୍ତୁ ରାଜ୍ୟ ସରକାର କରାଇ ଦେଲେନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଜିଲ୍ଲାର ବିକାଶ କାର୍ଯ୍ୟରେ କେନ୍ଦ୍ର ସରକାରକୁ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ଶ୍ରୀ ଟୁଡୁ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ପ୍ରକଳ୍ପଗୁଡିକର ମନ୍ଥରତା ନେଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦ ଚୁପ୍ କାହିଁକି? ବିଜେଡିର ଟାର୍ଗେଟ

ଭୁବନେଶ୍ୱର: କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଏବଂ ଖରାପ ସ୍ଥିତିରେ ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟି ଏପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଲେଣି।

ସେହଭଳି ଉପକୂଳ ରାଜପଥ ଓ କ୍ୟାପିଟାଲ ରିଜିଅନ ରିଙ୍ଗ୍‍ରୋଡ୍‍ ଫାଇଲ୍‍ରେ ରହିଯାଇଥିବାବେଳେ ବିଜେପିର ସାଂସଦ, ମନ୍ତ୍ରୀ ଓ ନେତାମାନେ ନିରବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ଡକ୍ଟର ଲେନିନ ମହାନ୍ତି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ବିଜୁ ଜନତା ଦଳ ଏହି ଜାତୀୟ ରାଜପଥ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସଂସଦରେ ଦାବି କରିଆସୁଛି।

କିନ୍ତୁ ଓଡିଶାର ବିଜେପି ସାଂସଦ ତଥା ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ ଏପର୍ଯ୍ୟନ୍ତ କୌଣସି ସ୍ୱର ଉତ୍ତୋଳନ କରି ନାହାଁନ୍ତି। ୨୦୧୯ ରେ ନିର୍ବାଚିତ ହୋଇଥିବା ଓଡିଶାର ବିଜେପି ସାଂସଦମାନେ ଓଡିଶାର ଲୋକଙ୍କ ସହ କିପରି ସାମ୍ନାସାମ୍ନି ହେବେ ଯେଉଁମାନେ କି ଗତ ପାଞ୍ଚ ବର୍ଷ ଧରି ସେମାନଙ୍କଠାରୁ ମୁହଁ ଫେରାଇ ଦେଇଛନ୍ତି।

ଉପକୂଳ ରାଜପଥ ସଂକ୍ରାନ୍ତରେ ୨୦୧୫ ରେ ଘୋଷଣା ହୋଇଥିଲା, କିନ୍ତୁ ଏହି ରାଜପଥର କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ଓଡ଼ିଶାର ସାତଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ସଂଯୋଗ କରୁଥିବା ରାମେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଏହି ୮୦୦୦ କୋଟି ଟଙ୍କା ମୂଲ୍ୟର ଉପକୂଳ ରାଜପଥ କେବଳ ଫାଇଲରେ ରହିଯାଇଛି ଏବଂ ଏପର୍ଯ୍ୟନ୍ତ ଗୋଟିଏ ବି ଇଟା ପଡି ପାରିଲା ନାହିଁ।

କିନ୍ତୁ ନିର୍ମାଣରେ ଅଗ୍ରଗତି ନହେବାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାର କୋଟି କୋଟି ଲୋକଙ୍କ ଆଶାକୁ ଧୂଳିସାତ କରିଦେଇଛି ଯେଉଁମାନେ ଉପକୂଳ ରାଜପଥ ଜରିଆରେ ରୋଜଗାର, ଅଭିବୃଦ୍ଧି ଏବଂ ବିକାଶ ଦିଗରେ ଆଗେଇ ଆସିବେ ବୋଲି ଆଶା କରୁଥିଲେ।

ଅନ୍ୟପକ୍ଷରେ, ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀମାନେ ଚୁପ୍ ରହିଛନ୍ତି ଏବଂ ଏହି ବିଳମ୍ବ ହେତୁ ପ୍ରଭାବିତ ହେଉଥିବା ଲୋକଙ୍କ ସ୍ୱାର୍ଥରେ କୌଣସି ପଦୁଟିଏ ମଧ୍ୟ କହି ନାହାଁନ୍ତି।

କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍‌- ଏପ୍ରିଲ୍‌, ୨୦୨୨ ରେ ଏନଏଚଏଆଇ ଦ୍ୱାରା ଘୋଷଣା କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ଘୋଷଣା କେବଳ ଫାଇଲରେ ରହିଯାଇଛି ଏବଂ ଏହି ପ୍ରକଳ୍ପରେ ଗୋଟିଏ ବି ଇଟା ମଧ୍ୟ ପଡିପାରି ନାହିଁ।

ବିଜେପିର ଭୁବନେଶ୍ୱର ଲୋକସଭା ସାଂସଦ ନୀରବ ରହି ଏହି ପ୍ରସଙ୍ଗରୁ ମୁହଁ ଫେରାଇ ଦେଇଛନ୍ତି, ଭୁବନେଶ୍ୱରର ସେହି ସମାନ ଲୋକଙ୍କୁ ଅବହେଳା କରିଛନ୍ତି ଯେଉଁମାନେ ତାଙ୍କୁ ୨୦୧୯ ରେ ନିର୍ବାଚିତ କରିଥିଲେ।

ପ୍ରକଳ୍ପ ଘୋଷଣା ହେବା ମାତ୍ରେ, ଓଡ଼ିଶା ସରକାର ଏହି ରିଙ୍ଗ ରୋଡର ଢାଞ୍ଚାକୁ ଅନୁମୋଦନ କରିଛନ୍ତି ଯାହା ଟ୍ରାଫିକ୍ ଭିଡ ହ୍ରାସ ଜନିତ ଯାତାୟାତକୁ ସୁନିଶ୍ଚିତ କରିବ ଏବଂ ଭୁବନେଶ୍ୱର ଓ କଟକ ମଧ୍ୟରେ ବାଇପାସ୍‍ ଭଳି କାର୍ଯ୍ୟ କରିବ।

ଏହି ପ୍ରକଳ୍ପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେବ ଯେଉଁଥିପାଇଁ ଓଡ଼ିଶା ସରକାର ମଧ୍ୟ ୬୦୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଖର୍ଚ୍ଚ ବାବଦରେ ବ୍ୟୟ ହେବ। ତଥାପି ଉପକୂଳ ରାଜପଥ ପରି, ଏହି ରାଜଧାନୀ ରିଙ୍ଗ୍ ରୋଡ୍ ମଧ୍ୟ ଯୋଜନାରେ ରହିଯାଇଛି।

ଭୁବନେଶ୍ୱର ଦେଇ ଯାଉଥିବା ଜାତୀୟ ରାଜପଥ ଉପରେ ଇସ୍କନ୍ ନିକଟରେ ଜଳବନ୍ଦୀ ଜାତୀୟ ରାଜପଥ ପାଇଁ ଏକ ଲଜ୍ଜାଜନକ ଘଟଣା ପାଲଟିଛି। ଯେତେବେଳେ ବି ବର୍ଷା ହୁଏ, ସର୍ଭିସ୍ ରୋଡ୍ ଏବଂ ଏନଏଚ୍‍ ରେ ଇସ୍କନ୍ ମନ୍ଦିର ସମ୍ମୁଖରେ ଥିବା ସ୍ଥାନଗୁଡିକ ପ୍ରଚୁର ଜଳ ସହିତ ଏକ ହ୍ରଦରେ ପରିଣତ ହୁଏ ।

ଏଠାରେ ମଧ୍ୟ ବିଜେପିର ଭୁବନେଶ୍ୱର ସାଂସଦ ନୀରବ ରହିଛନ୍ତି ଏବଂ ଜଣେ ମୂକ ଦର୍ଶକ ସାଜିଛନ୍ତି, ସେହିସବୁ ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରିବାକୁ ଚେଷ୍ଟା କରୁଛନ୍ତି ଯେଉଁ ବ୍ୟକ୍ତିମାନେ ୨୦୧୯ ରେ ତାଙ୍କୁ ଭୋଟ୍ ଦେଇଥିଲେ।

ବାରମ୍ବାର ସ୍ମାରକପତ୍ର ପ୍ରଦାନ ସତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏହାର ନିରାକରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
ଗତ ଏକ ଦଶନ୍ଧି ମଧ୍ୟରେ ଓଡିଶାରେ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଏବଂ ମରାମତିର ଅଭାବ ଏକ ସ୍ୱାଭାବିକ ଘଟଣାରେ ପରିଣତ ହୋଇଛି।

ବାରମ୍ବାର ସ୍ମାରକପତ୍ର ସତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ ଚିନ୍ତିତ ନୁହଁନ୍ତି ଏବଂ ଆଖି ବୁଜି ଦେଉଛନ୍ତି । ଅଧିକନ୍ତୁ, ଓଡିଶାର ବିଜେପି ସାଂସଦ ତଥା ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ କେବଳ ଦର୍ଶକ ହୋଇ ରହିଛନ୍ତି ଏବଂ ଏହି ସମସ୍ୟାର ସମାଧାନ ଦିଗରେ ଥରୁଟିଏ ହେଲେ ମୁହଁ ଖୋଲୁ ନାହାନ୍ତି।

ଯଦି ଏନଏଚଏଆଇ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେବେ ଏବଂ ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀମାନେ ମୂକ ଦର୍ଶକ ସାଜିବା ଜାରି ରଖିବେ, ତେବେ ଓଡିଶାର ଲୋକମାନେ ଆନ୍ଦୋଳନ ଆରମ୍ଭ କରି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

ଜାତୀୟ ରାଜପଥ, ଉପକୂଳ ରାଜପଥ, ରାଜଧାନୀ ରିଙ୍ଗ୍ ରୋଡ୍‌, ଭୁବନେଶ୍ୱରର ଇସ୍କନ୍ ମନ୍ଦିର ନିକଟରେ ଜଳ ବନ୍ଦୀ ସମସ୍ୟା ଏବଂ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଭଳି ସମସ୍ୟାର ସମାଧାନ ଦିଗରେ ସେମାନଙ୍କର ଯଥାର୍ଥ ତଥା ନ୍ୟାର୍ଯ୍ୟ ଦାବି ପାଇଁ ଓଡିଶାବାସୀଙ୍କର ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀମତୀ ମିଶ୍ର ଓ ଡକ୍ଟର ମହାନ୍ତି କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ରାଜ୍ୟ ବିଜୁଜନତା ଦଳ ନିର୍ଦ୍ଦେଶରେ ଅକ୍ଟୋବର ୨ ତାରିଖରୁ ୧୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଜାରି ରହିଥିବାବେଳେ ବୁଧବାର ପୂର୍ବାହ୍ନରେ ବାଲୁଗାଁ ଏନଏସିରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ୬ନଂ ଜୋନ ପରିଷଦ ସଦସ୍ୟା ସବିତା ସୁନ୍ଦରାୟ,ଚିଲିକା ବ୍ଲକ ସଭାପତି ଅମ୍ରିତା ବେହେରା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ,ରାଜ୍ୟ ସାଧାରଣ ସମ୍ପାଦକ କୁମାର ଜଗତ ବଲହବ ମହାରଥା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ,ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନା କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚିବ ପଦଯାତ୍ରାର ମୂଳମନ୍ତ୍ର ରହିଥିବା ବେଳେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ସମସ୍ତ କର୍ମୀ ନେତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।ଏହି ପଦଯାତ୍ରା ମା ଉତ୍ତରାୟଣୀ ମନ୍ଦିର ନିକଟରୁ ବାହାରି ଗାନ୍ଧିଛକ ଠାରେ ଅବସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବଜାର ପରିକ୍ରମା କରି ଉମାମହେଶ୍ୱର ମନ୍ଦିର ନିକଟରେ ସମାପ୍ତି ହୋଇଥିଲା। ଜନସମ୍ପର୍କ ପଦଯାତ୍ରାରେ ଏନଏସି ସମେତ ୬ନଂ ଜୋନ ସ୍ତରରୁ ୫ଟି ପଞ୍ଚୟତରୁ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣ ମିଶ୍ରଙ୍କୁ ପୁଣି ଆଘାତ କଲା ବିଜେଡି, କହିଲା ତାଙ୍କର ମାନସିକ ସ୍ଥିତି ଠିକ ନାହିଁ

ଭୁବନେଶ୍ୱର: ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ତୀବ୍ର ସମାଲୋଚନା କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଜୟନାରାୟଣଙ୍କୁ ପୁଣି ଥରେ ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ବୋଲି କହିଛନ୍ତି। ଆଜି ଜୟନାରାୟଣ ଏକ ସାମ୍ବାଦିକ ସମ୍ମିଳନୀ କରି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି।

ଏହି ସମୟରେ ଜୟନାରାୟଣ ମିଶ୍ର ଅମିତ ସାହା ପାଣ୍ଡିଆନଙ୍କ ଭେଟଘାଟକୁ ନେଇ ତାଙ୍କର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ସାହା ପାଣ୍ଡିଆନଙ୍କୁ ଡାକି ତାଗିଦ କରିଛନ୍ତି। ଓଡିଶାରେ ଶିଘ୍ର ନିର୍ବାଚନ କଲେ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବୁ। ଏହାକୁ ନେଇ ତାହାର ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ। କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି। ଯେହେତୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳିଚାଉଳି ହେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି।

ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି କହିଛନ୍ତି ଯେ ଏହି ବାଚଳାମିର ଆଉ ଏକ ଉଦାହରଣ ସଭିଏଁ ଦେଖିଲେ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ତେଣୁ ସେତେବେଳେ କଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା। ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନୁରୋଧ, ତୁରନ୍ତ ଶ୍ରୀଯୁକ୍ତ ମିଶ୍ରଙ୍କର ଚିକିତ୍ସା ବ୍ୟବସ୍ଥା କରାନ୍ତୁ। ଆଉ ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି।

ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ଆପଣ ବର୍ତ୍ତି ପାରିବେ ନାହିଁ । ମନେଅଛି ନା ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା?

ଦୟାକରି ରାଜ୍ୟ ବିଜେପି ନେତାଏଁ ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଅଣଦେଖା କରନ୍ତୁ ନାହିଁ। ଯେତେଶୀଘ୍ର ପାରୁଛନ୍ତି ତୁରନ୍ତ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜୁ ଜନତା ଦଳ

ଭୁବନେଶ୍ବର: ବର୍ତ୍ତମାନ ପୁଣି ଥରେ ଦୁଇଜଣ ନେତାଙ୍କୁ ବିଜୁ ଜନତା ଦଳ ନିଲମ୍ବନ କରିଛି। ସେମାନେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଏହାକୁ ପ୍ରକାଶ କରିଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ତେବେ ଯେଉଁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଛି ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅନୁଗୁଳ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ପ୍ରସନ୍ନ କୁମାର ସାହୁ। ଆଉ ଜଣେ ହେଲେ ଅନୁଗୁଳ ବିଜୁ ଯୁବ ଜନତା ଦଳର ସଂପାଦକ ଯୋଗେସ ଭୁକ୍ତା।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ଯାଜପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର: ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି ଶଙ୍ଖଭବନଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରେ ବିଜେଡ଼ିରେ ସାମିଲ୍‌ ହୋଇଥିବାଶ୍ ରୀ ଧଳ ଏବଂ ଶ୍ରୀ ମେକାପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲୁ।

ଯାଜପୁର ଜିଲ୍ଲାରେ ବିଜେପି ଜିଲ୍ଲାସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ଏବଂ ଦଳରେ କାମ କରିବାର ସୁଯୋଗ ମିଳୁ ନ ଥିବାରୁ କ୍ଷୋଭ ପ୍ରକାଶ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍‌ ହୋଇଛୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବିଜେପି ଛାଡି ବିଜେଡିରେ ମିଶିଥିବା କର୍ମକର୍ତ୍ତାମାନେ ହେଲେ ଯାଜପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ମହିଳା ମୋର୍ଚ୍ଚାର ଉପସଭାପତି ମନୋରମା ମିଶ୍ର, ମାଳନ୍ଦାପୁର ଗ୍ରାମପଞ୍ଚାୟତର ୱାର୍ଡ଼ମେମ୍ବର ଅଶୋକ ଧଳ, ଶମ୍ବୁନାଥ ଦାସ, ଭୁବନେଶ୍ୱର ଗ୍ରାମପଞ୍ଚାୟତର ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ, ବେରୁଡ଼ା ମୋର୍ଚ୍ଚାର ସଦସ୍ୟ କାଞ୍ଜନବାଳା ସାମଲଙ୍କ ସହ ଶତାଧିକ କର୍ମକର୍ତ୍ତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।ମୁଖପାତ୍ର ଡ.ପ୍ରିୟବ୍ରତ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମୁଖପାତ୍ର ତୁମ୍ବନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରୁ ହେଲେ ବହିଷ୍କୃତ, ବିଜେପିରେ ଦେଲେ ଯୋଗ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ହେଲେ ବହିଷ୍କୃତ। ଆଉ କିଛି ସମୟ ପରେ ସେ ଯୋଗଦେଲେ ବିଜେପିରେ। ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗଦାନ କରିଛନ୍ତି।

ଶ୍ରୀ ସାମାଡଙ୍କ ସମେତ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ଣିମା ବରଡା, ପାଣ୍ଡୁପଲ୍ଲୀ ଗ୍ରାମପଂଚାୟତର ସରପଞ୍ଚ ସୁନ୍ଦର ମୋହନ ବାସ୍କେ, ତିରିଙ୍ଗ ଗ୍ରାମ ପଂଚାୟତ ସମିତି ସଭ୍ୟା ଅଞ୍ଜନା ବେହେରା, ବିଜେଡି ନେତା ସମୀର ମାରାଣ୍ଡି, ସୁନ୍ଦର ମୋହନ ଟୁଡୁ, ଧନାଇ ମାରାଣ୍ଡି, ରବିନ୍ଦ୍ର ବିରୁଳି, ମୋଚିରାମ ମାରାଣ୍ଡି, ନୀତିମା ସାମାଡ ପ୍ରମୁଖ ବହୁ ନେତା ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ଯଦୁନାଥ ସୋରେନ, ପରେଶ ମାରାଣ୍ଡି, ଭଦ ସୋରେନ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଜେଏମ୍‌ଏମ୍ ଦଳ ଛାଡି ବିଜେପିରେ ଯୋଗଦାନ କରିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ମୟୁରଭଞ୍ଜ (ରାଇରଙ୍ଗପୁର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ନବଚରଣ ମାଝୀ, ଯଶୀପୁର ବିଧାୟକ ଇଂ.ଗଣେଷରାମ ଖୁଂଟିଆ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସଂପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଉ ଦୁଇଜଣ ନେତାଙ୍କୁ ବିଜେଡିରୁ ବହିଷ୍କୃତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ନେତାଙ୍କ ଉପରେ କଠୋର ଆଭିମୁଖ୍ୟ ଜାରି ରହିଛି। ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ପରିଡ଼ାଙ୍କୁ ବହିଷ୍କୃତ କରିବା ପରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ନେତାଙ୍କୁ ସମଦଶା ମଧ୍ୟ ଭୋଗିବାକୁ ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିସ୍କୃତ କରାଯାଇଛି।

ସେମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଭ୍ୟ ଜଲେନ୍ ନାୟକ ଏବଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିରିଙ୍ଗି ବ୍ଲକର ଅଧ୍ୟକ୍ଷ ପରମେଶ୍ୱର ସମ୍ପଦ। ଶନିବାର ଏହି ଦୁଇ ନେତା ବିଜୁ ଜନତା ଦଳରୁ ବିତାଡିତ ହୋଇଛନ୍ତି।

ଏମାନେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ସେଥିପାଇଁ ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦେଶ ମୁତାବକ ଏହି ଦୁଇ ନେତାଙ୍କ ଉପରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାୟ ୧୦୦ କୋଟି ଟଙ୍କାର ଋଣ ଜାଲିଆତି କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ; ଲେନିନ ମହାନ୍ତି

ଭୁବନେଶ୍ବର: ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କୋଟିଏ କି ଦୁଇ କୋଟି ନୁହେଁ। ପ୍ରାୟ ୧୦୦ କୋଟି ଟଙ୍କାର ଋଣ ଜାଲିଆତି କରିଛନ୍ତି। ସେ ପ୍ରାୟ ୩୦୦ ସାମ୍ବାଦିକ ତଥା କର୍ମଚାରୀଙ୍କ ନାମରେ ଏହି ଋଣ ନେଇଛନ୍ତି। ଏହି ତଥ୍ୟ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ଲେନିନ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦର୍ଶାଇ କହିଛନ୍ତି ଯେ, ‘କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କଣ ସେ ଆଇନର ଉର୍ଦ୍ଧ୍ଵରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି?’

ସେହିପରି ସେ କହିଛନ୍ତି ଯେ, ‘କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ଏବଂ ଜାତୀୟ ସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ। ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି କାହିଁ ସେତେବେଳେ ତ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରି ନ ଥିଲେ’।

ନନ୍ଦିଘୋଷ ଟିଭିରେ କେନ୍ଦ୍ରୀୟ ଜିଏସଟି ଚଢାଉ ହୋଇଥିଲା

ଲେନିନ ମହାନ୍ତି ସୌମ୍ୟରଂଜନଙ୍କ ଉପରକୁ ଆଙ୍ଗୁଳି ଉଠାଇ କହିଛନ୍ତି ଯେ, ‘ଚାରି ପାଞ୍ଚ ଦିନ ତଳେ ନନ୍ଦିଘୋଷ ଟିଭିର କାର୍ଯ୍ୟାଳୟରେ ମଧ୍ୟ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା।

ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଢ଼ଉକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ କି ନିଜ ଚାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରି ନ ଥିଲେ। ବରଂ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।’ ଶେଷରେ ସେଣ୍ଟ୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥି‌ଲେ। ତେଣୁ ନନ୍ଦିଘୋଷ ହେଉ କି ସମ୍ବାଦ, କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଉର୍ଦ୍ଧ୍ଵରେ ନୁହନ୍ତି।

ଋଣ ଜାଲିଆତିର ତଦନ୍ତ ହେବାରେ ଅସୁବିଧା କେଉଁଠି ?

‘ସମ୍ବାଦ’ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି। ଠକାମିର ଶିକାର ‌ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୩୦୦ ବୋଲି କୁହାଯାଉଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଠୁ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଲେନିନ।

ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି? ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହେବା ପରେ ଯେଉଁମାନେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ବାହାରିଛନ୍ତି, କିଛି ଜାଲିଆତି ହୋଇନାହିଁ ବୋଲି ସେମାନେ ଜାଣିଲେ କେମିତି? ଏନେଇ ସେମାନେ କେଉଁ ଆଧାରରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇ ପକାଉଛନ୍ତି ବୋଲି ଲେନିନ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ ବବି ଦାସଙ୍କୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାହାର ଶ୍ରମିକ ସାମୁଖ୍ୟକୁ ନବକଳେବର କରିଛି। ଏ ନେଇ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି।

ସେହି ଅନୁସାରେ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଠା ଭାବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଛି। ସେହିପରି ଉପଦେଷ୍ଠା ଭାବେ ଦେବାଶୀଷ ସାମନ୍ତରାୟ ଏବଂ ପ୍ରଭାସ ସିଂଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ଏହି ସାମୁଖ୍ୟର ରାଜ୍ୟ ସଭାପତି ଭାବେ ପ୍ରଫୁଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ସାଧାରଣ ସଂପାଦକ ଭାବେ ସୁବାଷ ସିଂଙ୍କୁ ନିଯୁକ୍ତ କରାଯାଇଥିବା ବେଳେ 10 ଜଣଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।

Categories
ବିଶେଷ ଖବର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କ’ଣ କହୁଛନ୍ତି ରାଜନୈତିକ ଦଳ?, ଜାଣନ୍ତୁ ବିଜେଡ଼ିର ଆଭିମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନେଇ ବିତର୍କ ଚାଲିଛି। ଶନିବାର ଦିନ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଅଧ୍ୟୟନ ପାଇଁ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ମୁଖ୍ୟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି କାର୍ଯ୍ୟରେ ଦେଖିବାକୁ ମିଳିଥିଲା। ସେ ଆଇନ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟିଥିଲେ। ଏହି ପ୍ରସଙ୍ଗରେ ରାଜନୈତିକ ବିରୋଧୀ ଦଳଗୁଡିକ ବିରୋଧ କରୁଥିବା ବେଳେ ବିଜୁ ଜନତା ଦଳର ଆଭିମୁଖ୍ୟ କ’ଣ ରହିଛି ଆସନ୍ତୁ ଜାଣିବା….

ମଲ୍ଲିକାର୍ଜୁନ ଖଡଗେ କ’ଣ କହିଥିଲେ?:

ଏହାକୁ ବିରୋଧ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ମୋଦୀ ସରକାର ଚାହୁଁଛନ୍ତି ଯେ ଗଣତାନ୍ତ୍ରିକ ଭାରତ ଧୀରେ ଧୀରେ ଏକଛତ୍ରବାଦୀ ଶାସନରେ ପରିଣତ ହେଉ। ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଉପରେ ଏକ କମିଟି ଗଠନ କରିବାର ଏହି ନାଟକ ହେଉଛି ଭାରତର ସଙ୍ଘିୟ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଏକ ଷଡଯନ୍ତ୍ର।

ବିଜେପି ନେତାମାନେ ସମର୍ଥନ କରୁଛନ୍ତି:

ବିଜେପି ନେତା ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ସମର୍ଥନ କରୁଥିବାବେଳେ ଏହା ଗଣତନ୍ତ୍ରର ସମୃଦ୍ଧି ଏବଂ ଏହାର ସ୍ଥିରତାକୁ ନିଶ୍ଚିତ କରିବ ବୋଲି କହିଛନ୍ତି। ସେ ଏହାକୁ ଆଜିର ଆବଶ୍ୟକତା ବୋଲି କହିଛନ୍ତି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ସ୍ଥିରତା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କ ସ୍ଥିରତା ସହିତ ବିକାଶ ପାଇଁ ଏକ ଗତିଶୀଳ ସରକାର ମଧ୍ୟ ଆବଶ୍ୟକ। ଏହି ଦୃଷ୍ଟିକୋଣରୁ, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଏକ ପ୍ରଶଂସନୀୟ ପ୍ରୟାସ।

ଅଖିଳେଶ ଯାଦବ କ’ଣ କହିଥିଲେ?

ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ, ପ୍ରତ୍ୟେକ ବଡ କାମ କରିବା ପୂର୍ବରୁ ଏକ ପରୀକ୍ଷଣ କରାଯାଇଥାଏ। ଏହି ଆଧାରରେ ଆମେ ପରାମର୍ଶ ଦେଉଛୁ ଯେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ବିଜେପି ସରକାର ଚଳାଇବା ପୂର୍ବରୁ ଏଥର ଲୋକସଭା ସହିତ ଉତ୍ତରପ୍ରଦେଶରେ ଏକାଠି ହୋଇଥିବା ଲୋକସଭା-ବିଧାନସଭା ନିର୍ବାଚନକୁ ଦେଖନ୍ତୁ, ଏଠାରେ ଦେଶର ସର୍ବାଧିକ ଲୋକସଭା ଏବଂ ବିଧାନସଭା ଆସନ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ ନିର୍ବାଚନ ଆୟୋଗର ଦକ୍ଷତାର ଫଳାଫଳ ମଧ୍ୟ ସାମ୍ନାକୁ ଆସିବ ଏବଂ ଜନମତ ମଧ୍ୟ। ଏହା ସହିତ ବିଜେପି ମଧ୍ୟ ଜାଣିପାରିବ ଯେ ଲୋକମାନେ କିପରି ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ କ୍ଷମତାରୁ ହଟାଇବା ପାଇଁ ସେମାନେ କେତେ ଉତ୍ସାହିତ ଅଛନ୍ତି?

ବିଜେଡି ସମର୍ଥନ କରିଛି:

ଓଡିଶାର ଶାସକ ବିଜେଡି କେନ୍ଦ୍ରକୁ ସମର୍ଥନ କରି କହିଛି ଯେ, ଯଦି ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ଆୟୋଜନ କରାଯାଏ ତେବେ ତାଙ୍କର ନିଷ୍ପତ୍ତି ଦେଶ ସହିତ ରହିବ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ, ଏକକାଳୀନ ନିର୍ବାଚନ ପାଇଁ ଦଳ ଚିନ୍ତିତ ନୁହେଁ। ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କହିଛନ୍ତି ଯେ, ରାଜ୍ୟରେ ଅନ୍ୟ ରାଜନୈତିକ ଦଳ ଅପେକ୍ଷା ନିର୍ବାଚନକୁ ସାମ୍ନା କରିବା ପାଇଁ ବିଜେଡି ଭଲ ପ୍ରସ୍ତୁତ।

YSRCP ମଧ୍ୟ ସମର୍ଥନ କରିଛି:

ଆନ୍ଧ୍ରପ୍ରଦେଶର ଶାସକ YSR କଂଗ୍ରେସ ପାର୍ଟି (YSRCP) ସାଧାରଣ ସମ୍ପାଦକ ଭି ବିଜୟସାଇ ରେଡ୍ଡୀ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନରେ ​​ଅନେକ ସକରାତ୍ମକ ଦିଗ ରହିଛି, ସବୁଠାରୁ ବଡ କଥା ହେଉଛି ଏହା ହଜାର ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ। ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହେଉଥିବାରୁ ଏହା ଆନ୍ଧ୍ରପ୍ରଦେଶ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ନିକଟରେ ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି। ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ।

ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ମାତ୍ର ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର‌୍ୟ୍ୟ ହୋଇ ପଡ଼ୁଛନ୍ତି କାହିଁକି?

ଶ୍ରୀ ଦାସ ଆହୁରି କହିଲେ ଯେ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗରିଫ କରି ସାରିଲାଣି। ଆମେ ଭାବିଥିଲୁ, ଓଡ଼ିଶା ପୁଲିସର ଏଭଳି ଏକ ବଡ଼ ସଫଳତାକୁ ନେଇ ବିଜେପି ଅନ୍ତତଃ ରାଜନୀତି କରିବ ନାହିଁ।

ମାତ୍ର ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ ରହିଛି। ତେଣୁ ସେମାନେ ସୁଧୁରିବେ କେମିତି? ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରହନ୍ତୁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂସଦରେ ଆସିବାକୁ ଥିବା ଦିଲ୍ଲୀ ସେବା ଆଇନ ବିଲ୍ ପ୍ରସଙ୍ଗରେ ବିଜେଡି କଣ କରିବ ?

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଦିଲ୍ଲୀ ସେବା ଆଇନ ଉପରେ ଓଡ଼ିଶାର ବିଜୁ ଜନତା ଦଳ ଉପଯୁକ୍ତ ସମୟରେ ସଠିକ ନିଷ୍ପତ୍ତି ନେବ ବୋଲି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ସେବା ନିୟନ୍ତ୍ରଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ବିଲ୍ ଉପରେ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଦଳ ଭିତରେ ଆଭ୍ୟନ୍ତରୀଣ ଆଲୋଚନାକୁ ମିଡ଼ିଆ ସମ୍ମୁଖରେ ଆଲୋକପାତ କରାଯାଇପାରିବ ନାହିଁ। ଉପଯୁକ୍ତ ସମୟରେ ଦଳ ଏ ନେଇ ନିଷ୍ପତ୍ତି ନେବ।

ପ୍ରଥମେ ବିଲ୍ ଆଗତ ହେଉ

ପ୍ରଥମେ ଏହି ବିଲ୍ ସଂସଦରେ ଆଗତ କରାଯାଉ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆମ ଦଳର ସଭାପତି ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ରର ଅଧ୍ୟାଦେଶ ଆଇନରେ ପରିଣତ ହେବ

ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ରେ କେନ୍ଦ୍ରଦ୍ୱାରା ମେ ମାସରେ ଜାରି କରାଯାଇଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ଚାହୁଁଛନ୍ତି, ଯେଉଁଥିରେ ଦିଲ୍ଲୀ ବିଧାନସଭାର ଆଇନଗତ କ୍ଷମତାରୁ କେତେକ ସେବାକୁ ବାଦ୍ ଦିଆଯାଇଛି। ଦିଲ୍ଲୀରେ ସେବା ନିୟନ୍ତ୍ରଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଏହି ଅଧ୍ୟାଦେଶ ଅଣାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦେବଗଡ ବିଧାୟକଙ୍କ ପାଣ୍ଠିରେ ନିର୍ମାଣ ହେଲା ତାଙ୍କ ବନ୍ଧୁଙ୍କ ଘରର ପାଚେରୀ, ବିଜେଡିର ଅଭିଯୋଗ

ଭୁବନେଶ୍ବର: ଦେବଗଡର ବିଜେପି ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ବିଜେପିର ଜଣେ କର୍ମୀ ତଥା ତାଙ୍କର ଖାସ୍ ଅନୁଗତଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ବର୍ଷିଛି ବିଜେଡି। ବିଧାୟକଙ୍କ ଏଭଳି କଳାକାରନାମା ପାଇଁ ଦେବଗଡ଼ବାସୀ ଆଜି ଲଜ୍ଜା ଅନୁଭବ କରୁଥିବା ଦର୍ଶାଇ ବିଧାୟକ ଓ ତାଙ୍କ ଅନୁଗତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁଜନତା ଦଳ ପକ୍ଷରୁ ଦାବି କରାଯାଇଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ନେତୃବୃନ୍ଦ ଏହି ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ସେମାନେ କହିଥିଲେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ମାତ୍ର ଏହି ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ପରିବର୍ତ୍ତେ ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଅଧିବାସୀ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ପାଚେରି ନିର୍ମାଣ ହୋଇଛି।

କୌତୂହଳର ବିଷୟ ହେଲା, ମହିଳା ମହାବିଦ୍ୟାଳୟଠାରୁ ସୌଭାଗ୍ୟ ପାତ୍ରଙ୍କ ଘରର ଦୂରତା ହେଉଛି ପ୍ରାୟ ୭ କିମି। ଏପରିକି ୩ ଲକ୍ଷ ଟଙ୍କା ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇଥିବା ନେଇ ସୌଭାଗ୍ୟ ପାତ୍ରଙ୍କ ପାଚେରୀରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା। ନିକଟରେଏହି ଗ୍ରାମର ଜଣେ ବିଜେପି କର୍ମୀ ଏକଥା ଲୋକଲୋଚନକୁ ଆଣିଥିଲେ।

ଗଣମାଧ୍ୟମରେ ତଥ୍ୟ ଓ ଚିତ୍ର ସହିତ ଏହି ଖବର ପ୍ରସାରିତ ହେବା ପରେ ଅନିୟମିତତା ଧରା ପଡ଼ିଯିବା ଭୟରେ ବିଧାୟକଙ୍କ ନିର୍ଦ୍ଦେଶରେ ତରବରିଆ ଭାବେ ପାଚେରିରେ ଲେଖା ଯାଇଥିବା ସୂଚନାକୁ ଲିଭାଇ ଦିଆଯାଇଥିଲା।  ସେଠାରେ ବିଧାୟକଙ୍କ ପାଣ୍ଠିରୁ ୨ ଲକ୍ଷଟଙ୍କାର ଅନୁଦାନରେ ସିସିରୋଡ଼ ଓ ଗାର୍ଡ଼ୱାଲ ନିର୍ମାଣ ହୋଇଛି ବୋଲି ଲେଖା ଯାଇଥିଲା। ଫଳରେ ଏହି ଅନିୟମିତତା ଓ ଅର୍ଥ ଲୁଟରେ ବିଧାୟକ ନିଜେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜୁ ଜନତା ଦଳର ଦେବଗଡ଼ ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ୱାଳ ଏକଥା ମଧ୍ୟ ସୂଚନା ଦେଇ କହିଥିଲେ ଯେ ବିଧାୟକଙ୍କର ଖାସ୍‌ ଲୋକ ଭାବେ ପରିଚିତ ସୌଭାଗ୍ୟ ପାତ୍ର ହେଉଛନ୍ତି ତିଳେଇବଣି ବ୍ଲକ୍ ଅନ୍ତର୍ଗତ ଝାଲିଆମରା ସରକାରୀ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ। ତେବେ କୌଣସି ଦିନ ସ୍କୁଲ ନ ଯାଇ ସେ ବିଜେପିର ଦଳୀୟ ସଭା ସମିତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରନ୍ତି।

ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ପାତ୍ର ବିଜେପିର ଏକ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ବାଣ୍ଟିବାକୁ ଯାଉଥିବା ବେଳେ ପୁଲିସ ଟଙ୍କା ସହ ତାଙ୍କୁ ଧରି ଥାନାକୁ ନେଇଥିଲା।ସେତେବେଳେ ଖୋଦ୍ ବିଧାୟକ ଥାନାକୁ ଯାଇ ସୌଭାଗ୍ୟ ପାତ୍ରଙ୍କୁ ଛାଡ଼ି ଦେବାକୁ ଯୁକ୍ତିତର୍କ କରିଥିଲେ। କେବଳ ସରକାରୀ ଅର୍ଥ ହରିଲୁଟ୍ ନୁହେଁ, ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୂର୍ବରୁ ବହୁବାର ପ୍ରମାଣିତ ହୋଇସାରିଛି ବୋଲି ବିଜେଡି କହିଛି।

ସେ ତିଳେଇବଣିର ତତ୍କାଳୀନ ଅନୁସୂଚିତ ଜନଜାତିର ବିଡିଓଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରି ଗିରଫ ହୋଇଥିଲେ। ଦେବଗଡ଼ ସହରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ନିର୍ମାଣାଧୀନ ପାଚେରିକୁ ଭାଙ୍ଗିବା ସହ ଏସ୍‌ଏଚ୍‌ଜିମା’ମାନଙ୍କୁ ଧମକଚମକ ଦେଇ ଅପମାନିତ କରିଥିଲେ।ତେଣୁ ପ୍ରିୟାପ୍ରୀତିତୋଷଣ କରି ସରକାରୀ ଅର୍ଥର ହରିଲୁଟ୍‌ କରୁଥିବା ଦେବଗଡ଼ ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ପାଣ୍ଠିର ଗତ ଚାରିବର୍ଷ ହେଲା ଯେଉଁ ଅପବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବିଧାୟକଙ୍କ ବିରୋଧରେ ଏବଂ ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀବିଶ୍ୱାଳ ଦୃଢ଼ ଦାବି କରିଥିଲେ।

ଦେବଗଡ଼ ବିଧାୟକଙ୍କ ଅସଂଖ୍ୟ କଳାକାରନାମାର ଏହା କେବଳ ମାତ୍ର ଏକ ନମୁନା ବୋଲି ଦର୍ଶାଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଥିଲେ ଯେ ଓଡ଼ିଶା ବିଜେପିର ସବୁ ନେତା ଓ ବିଧାୟକମାନଙ୍କ ଚରିତ୍ର କ’ଣ ଏମିତି କଳଙ୍କିତ? ତିନିତିନି ଥର ବିଧାୟକ ହୋଇଥିବା ବିଜେପିର ଜଣେ ପୁରୁଖା ନେତା ଶ୍ରୀ ପାଣିଗ୍ରାହୀ ଜାଣିଶୁଣି ଏତେବଡ଼ ଅନିୟମିତତା କଲେ କିପରି? ସରକାରୀ ଅର୍ଥକୁ ହରିଲୁଟ୍‌ କରିବା ପାଇଁ ନିଜ ଦଳୀୟ କର୍ମୀ ତଥା ଅନୁଗତଙ୍କ ହାତକୁ ଟେକି ଦେବା ପୂର୍ବରୁ ଥରେ ନିଜ ପଦ ମର୍ଯ୍ୟାଦା କଥା ଭାବିଲେ ନାହିଁ କେମିତି?

ଏଭଳି ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କରିବାରେ ବିଧାୟକଙ୍କର ନିଶ୍ଚୟ ବହୁତ ଅଭିଜ୍ଞତା ରହିଛି। ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ଦେବଗଡ଼ ବିଧାୟକଙ୍କ ହାତ ପାଣ୍ଠିର ଏଭଳି ଅପବ୍ୟବହାର ହୋଇଥିବା ଜାଣିବା ପରେ ମଧ୍ୟ ଏଯାଏ ଚୁପ୍‌ ବସିଛନ୍ତି କାହିଁକି? ବିଭିନ୍ନ ଘଟଣାରେ ଲୋକଙ୍କୁ ଭୁଆଁ ବୁଲାଇ କେବଳ ହୀନ ରାଜନୀତି କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଉ ଥିବା ଓଡ଼ିଶା ବିଜେପି ନିଜ ଦଳର ବିଧାୟକଙ୍କ ଏଭଳି ଅନିୟମିତତାର ତଦନ୍ତ ଲାଗି କେବେ ଫ୍ୟାକ୍ଟ ଫାଇଣ୍ଡିଂ ପଠାଇବ, ତାହା ଆମେ ଅପେକ୍ଷା କରିଛୁ  ବୋଲି ସେ କହିଥିଲେ।

ଶ୍ରୀ ଦାସ ଆହୁରି କହିଥିଲେ ଯେ ଆମେ ଜାଣିଛୁ, ଫ୍ୟାକ୍ଟ ଫାଇଣ୍ଡିଂଟିମ୍ ପଠାଇବାକୁ ବିଜେପିର ସତସାହସ ନାହିଁ । ଏହା ପୂର୍ବରୁ ବିଜେପିର ଦୁଇ ବରିଷ୍ଠ ନେତା ଅଭ୍ୟାସଗତ ଅପରାଧୀ ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟ ମହିଳାଙ୍କ ଉପରେ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି କଲା ବେଳେ ମଧ୍ୟ ସେମାନେ ଚୁପ୍‌ ରହିଥିଲେ। ତେଣୁ ନିଜ ଦଳର ଆଉ ଜଣେ ବିଧାୟକଙ୍କ ଏଭଳି କଳାକାରନାମା ବେଳେ ସେମାନେ ଆଉ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଥିଲେ।

କେବଳ ମୁହଁରେ ତୁଣ୍ଡି ବାନ୍ଧି ବସିବେ। ଓଡ଼ିଶା ବାସୀ ସବୁ ଦେଖୁଛନ୍ତି। ଆମର ଦୃଢ଼ ବିଶ୍ୱାସ ସଚେତନ ଜନତା ଠିକଣା ସମୟରେ ବିଜେପିର ଏଭଳି ଗୁଣ୍ଡାଗର୍ଦ୍ଦି, ଅନିୟମିତତା ଏବଂ ପ୍ରିୟାପ୍ରୀତି ତୋଷଣର ଦୃଢ଼ ଜବାବ ଦେବେ। ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି କର୍ପୋରେଟର ତଥା ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ।