ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ 5ଟା ସୁଦ୍ଧା 58 ପ୍ରତିଶତ ମତଦାନ ହୋଇଛି । ଦିଲ୍ଲୀର 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍ରରେ ସେୟାର କରିଛନ୍ତି । (ଏଜେନ୍ସି)
Tag: BJP
ନୂଆଦିଲ୍ଳୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ଏବଂ ଆପକ୍ ନେତା ପରସ୍ପର ବିରୋଧରେ ମତ ଦେଇଛନ୍ତି । ଦିଲ୍ଲୀରେ ବିଜେପିକୁ ଭଗବାନ ରାମ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ଶନିବାର ସକାଳୁ ପ୍ରଥମେ ମନୋଜ ତିଓ୍ବାରୀ କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିବା ପରେ ସଞ୍ଜୟ ସିଂ ଏହି ମତ ଦେଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅସ୍ପୃଶ୍ୟ ବୋଲି ଅଭିହିତ କରିବା ଏକ ଭୁଲ୍ ଜିନିଷ ବୋଲି ସିଂ କହିଛନ୍ତି । ଏହାଠାରୁ ଅଧିକ ତଳସ୍ତରର ରାଜନୀତି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ସଞ୍ଜୟ ସିଂ କହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା 5ଟାରେ ପ୍ରଚାର ଶେଷ ହୋଇଛି । ଦିଲ୍ଲୀ ନିର୍ବାଚନ ପାଇଁ ଆମ୍ ଆଦ୍ମୀ ପାର୍ଟି ଓ ବିଜେପି ବହୁତ ପରିଶ୍ରମ କରିଛନ୍ତି। କଂଗ୍ରେସ ପ୍ରଚାରର ଅନ୍ତିମ ସମୟରେ ଜୋର୍ସୋର୍ରେ ପ୍ରଚାର ଅଭିଯାନ ଚଳାଇଥିଲା । ଏବେ ଅପେକ୍ଷା ଫେବୃଆରୀ 11କୁ ଅପେକ୍ଷା । ଦିଲ୍ଲୀବାସୀଙ୍କ ଦିଲ୍ରେ କିଏ ରହିବେ, ସେ ନେଇ ଆସିବ ଫଳାଫଳ ।
ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବାବେଳେ ବିଶେଷ କରି ଆପ୍ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ । ଆମ୍ଆଦ୍ମୀ ତରଫରୁ ପ୍ରଚାରର କମାଣ ରାଜ୍ୟ ମୁଖିଆ ତଥା ଦଳର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ସମ୍ଭାଳିଥିବାବେଳେ ଅାପ୍ ତରଫରୁ ମନୀଷ୍ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ୍ଙ୍କ ପରି ଆପ୍ର ବହୁ ଲୋକପ୍ରିୟ ନେତା ପ୍ରଚାର କରି ଭୋଟ୍ ମାଗିଛନ୍ତି । ଆପ୍ ନିର୍ବାଚନୀ ପ୍ରଚାର ସର୍ବପ୍ରଥମେ ଆରମ୍ଭ କରିଥିବାବେଳେ ବିଜେପି ମଧ୍ୟ ଧୁଆଁଧାର୍ ପ୍ରଚାର କରିଛି । ବିଜେପି ଦିଲ୍ଲୀ ବିଧାନସଭା ପାଇଁ ଜବଦରସ୍ତ ପ୍ରଚାର କରିଛି । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହ୍ବାନ୍, ନୀତିଶ୍ କୁମାରଙ୍କ ପରି କେତେ ବଡ ବଡ଼ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେବେ ବିଜେପିର ନେତାମାନଙ୍କର ତୁଣ୍ଡରେ ବାଡ ବତା ରହୁନଥିବାର ପରିଲକ୍ଷିତ ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତାମାନେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ପୂର୍ବାଞ୍ଚଳ ଭୋଟ୍ ହାତେଇବା ପାଇଁ ନିର୍ବାଚନୀ ପ୍ରଚାରରେ ଭୋଜପୁରୀ ସିନେମାର କିଛି ଚର୍ଚ୍ଚିତ ଚେହେରାଙ୍କୁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ସେହିପରି କଂଗ୍ରେସ ନିର୍ବାଚନୀ ପ୍ରଚାର ପୂରା ଧୀରେସ୍ତିରେ ଆରମ୍ଭ କରିଥିଲା । କିନ୍ତୁ ପ୍ରଚାରର ଶେଷ ଦିନଗୁଡ଼ିକରେ ବହୁ ବଡ ବଡ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରଚାରର ଶେଷଭାଗକୁ ଓହ୍ଲାଇ ଆପ୍ ଓ ବିଜେପିକୁ ଟାର୍ଗେଟ୍ କରିଥିଲେ ।
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଶାହିନ୍ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଗମ୍ଭୀର ଟ୍ବିଟ୍ କରି ଏହି ମତ ଦେଇଛନ୍ତି । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ।(ଏଜେନ୍ସି)
କେଦାର ମିଶ୍ର
ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ। ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ।
ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ବା ସୂଚନା ଆମ ପାଖରେ ନାହିଁ। କୌଣସି ଗଣମାଧ୍ୟମ ସଂସ୍ଥାର ଜନମତ ସର୍ବେକ୍ଷଣକୁ ନେଇ ଆମର ଘୋର ସନ୍ଦେହ ସବୁବେଳେ ରହି ଆସିଛି। ଆଜି ମଧ୍ୟ ସେ ସନ୍ଦେହ ଅଛି ଓ ଆଗକୁ ମଧ୍ୟ ରହିବ। “ଟାଇମ୍ସ ଅଫ ଇଣ୍ଡିଆ”ର ପୂର୍ବାନୁମାନ ସହିତ ଏହି ସଂସ୍ଥାର ଉଦ୍ଦେଶ୍ୟକୁ ନେଇ ଆମେ କିଛି ପ୍ରଶ୍ନ ପଚାରିବାକୁ ବାଧ୍ୟ। ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀ ବିଧାନସଭାକୁ ନେଇ ଚାଲିଥିବା ମୁକାବିଲାରେ ଆପର ବିଜୟ ସମ୍ଭାବନା ହୁଏତ ସତ ହୋଇପାରେ। ତେବେ ସତ ମିଛର ଏ ଖେଳରେ ଯେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ଧୂର୍ତ୍ତାମୀ ଏହି ସର୍ବେକ୍ଷଣରେ ରହିଛି, ସେକଥା ଆଲୋଚନା ହେବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଓ ବିଜେପିର ବିଜୟ ସମ୍ଭାବନା ଭିତରେ ଗୋଟେ ବଡ ବ୍ୟବଧାନ ରହିଛି। ନିର୍ବାଚନୀ ସମୀକରଣ ଅନୁସାରେ ଦୁଇ ଦଳ ଭିତରେ ସମ୍ଭାବ୍ୟ ଭୋଟର ବ୍ୟବଧାନ ହେଉଛି ୧୮%। ଆପକୁ ୫୨% ଭୋଟ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ମିଳିପାରେ ମାତ୍ର ୩୪% ଭୋଟ। ଏ ପ୍ରକାର ବ୍ୟବଧାନ ଯଦି ସତରେ ରହେ ତାହେଲେ, ୫୪-୬୦ ନୁହଁ, ବରଂ ୬୭-୭୦ ଆସନର ସମ୍ଭାବନା ରହିବ। ପୁଣି ଥରେ କହି ରଖୁଛୁ, ଏ ପ୍ରକାର ଆକଳନ ବା ଭବିଷ୍ୟବାଣୀ କଦାପି ବିଶ୍ୱାସଯୋଗ୍ୟ ନୁହେଁ। ହରିୟାନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଉଭୟ ଜନମତ ସର୍ବେକ୍ଷଣ ଓ ଏଗଜିଟ ପୋଲ ବିଫଳ ପ୍ରମାଣିତ ହୋଇଥିଲେ।
ଏ କ୍ଷେତ୍ରରେ ଦିଲ୍ଲୀ ବିଧାନସଭା ପାଇଁ ଆକଳନ କେବଳ ଉପଲକ୍ଷ୍ୟ ନୁହେଁ। ଯଦି ଦିଲ୍ଲୀରେ ବିଜେପି ହାରେ ତାହେଲେ, ସେଥିରୁ ମୁକୁଳିବାର ବାଟ ଏହି ସର୍ବେକ୍ଷଣ ତିଆରି କରିଛି। କେଜ୍ରିୱାଲ ଓ ଆମ ଆଦମି ପାର୍ଟି ର ଲୋକପ୍ରିୟତା କଥା କହିବାକୁ ଯାଇ, ସମାନ୍ତରାଳରେ ଏହି ସର୍ବେକ୍ଷଣ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କଥା ମଧ୍ୟ ଟାଣି ଓଟାରି ଆଲୋଚନା କରାଯାଇଛି। ଦିଲ୍ଲୀ ନିର୍ବାଚନରେ ମୋଦୀ ତ ପ୍ରାର୍ଥୀ ନୁହନ୍ତି, ସେ କେବଳ ପ୍ରଚାରକ। ଯଦି ତାଙ୍କର ଲୋକପ୍ରିୟତା ବଜାୟ ରହିଛି, ତାହେଲ ବିଜେପି ଦିଲ୍ଲୀରେ ହାରିବ କାହିଁକି? ଦିଲ୍ଲୀ ହାରିଲେ ମଧ୍ୟ ମୋଦୀ ମେଜିକ ବଜାୟ ଅଛି ବୋଲି କହିବାର ଏକ ଭିତିରି ଉଦ୍ଦେଶ୍ୟ ଏହି ସର୍ବେକ୍ଷଣ ରେ ରହିଛି।ସାଧାରଣ ନିର୍ବାଚନ ପରବର୍ତ୍ତୀ ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ବିଫଳତାକୁ ମୋଦୀଙ୍କ ସଫଳତା ବୋଲି କହିବାର ଏହା ଏକ ଉଦ୍ଭଟ ଉଦ୍ୟମ ନୁହେଁ କି?
ଦିଲ୍ଲୀରେ ବିଜେପି ନେତାମାନେ କହୁଛନ୍ତି, ସେମାନେ ଶାହୀନ ବିରୋଧରେ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ମୁଖ୍ୟ ଶତ୍ରୁ କେଜ୍ରିୱାଲ ନୁହନ୍ତି, ବରଂ ସେମାନେ ଶାହିନ ବାଗରେ ପ୍ରତିବାଦ କରୁଥିବା ସାଧାରଣ ଜନତାଙ୍କ ବିରୋଧରେ ଲଢୁଛନ୍ତି ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଦିଲ୍ଲୀରେ ବୁଲି ବୁଲି ଶାହିନ ବାଗ ପ୍ରସଙ୍ଗରେ ଭୋଟ ମାଗୁଛନ୍ତି। ତେଣୁ ଦିଲ୍ଲୀରେ ଯଦି ବିଜେପି ହାରେ ତାହା ହେଲେ ସେଥିରେ ଶାହିନ ବାଗର ବିଜୟ ହେବା ସୁନିଶ୍ଚିତ।
“ଟାଇମ୍ସ ଅଫ ଇଣ୍ଡିଆ” ଦିଲ୍ଲୀ ବିଜୟ ପାଇଁ କେଜ୍ରିୱାଲଙ୍କୁ ନାୟକ କରି ଦେଖାଇବାକୁ ଚାହୁଁଥିବା ବେଳେ ଶାହିନ ବାଗକୁ ଖଳ ନାୟକ କରି ରଖିବାର ଚତୁର ଷଡଯନ୍ତ୍ର ତିଆରି କରିଛି। ୫୪% ଲୋକ ଆପକୁ ଭୋଟ ଦେବେ, ହେଲେ ଆଜି ଯଦି ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେପି ୪୬% ଓ ଆପ ୩୮% ଭୋଟ ପାଇବେ ବୋଲି କୁହାଯାଇଛି। ସମାନ୍ତରାଳ ନିର୍ବାଚନରେ କେବେ ବି ଏତେ ବଡ ବ୍ୟବଧାନ ହୁଏନି, ଏକଥା ବୋଧେ ସର୍ବେକ୍ଷଣ ସଂସ୍ଥା ଜାଣନ୍ତି ନାହିଁ।
ବିଜେପି ଯେମିତି ଟାଣି ଓଟାରି ଶାହିନ ବାଗକୁ ନିଜ ନିର୍ବାଚନୀ ପ୍ରସଙ୍ଗ କରିଛି ଏହି ସର୍ବେକ୍ଷଣ ମଧ୍ୟ ଜାଣି ଶୁଣି ଶାହିନ ବାଗକୁ ନିଜର ଭୋଟ ଭିତରକୁ ଟାଣିଛି। ୫୨% ଲୋକ କୁଆଡେ ଶାହିନ ବାଗକୁ ବିରୋଧ କରୁଛନ୍ତି, ହେଲେ ୫୪% ଲୋକ ବିଜେପି ବିରୋଧରେ ଭୋଟ ଦେଉଛନ୍ତି।
ଛଳନା ଓ ଷଡଯନ୍ତ୍ରର ବି ଗୋଟେ ସୀମା ଥାଏ, ଏକଥା ଗଣମାଧ୍ୟମ ଯଦି ନ ବୁଝେ ତାହେଲେ, ଲୋକେ ଆମକୁ ବିଶ୍ଵାସ କରିବା ଦୂରେ ଥାଉ, ଆମକୁ ଦେଖିଲେ, ଥୁ ଥୁ କରିବା ଆରମ୍ଭ କରିବେ!!
କେଦାର ମିଶ୍ର
ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ ଏମିତି ଗୁଳି ମାରିବାର ଭାବନା ନେଇ ନାଥୁରାମ ଗଡସେ ନାମକ ଜଣେ ଯୁବକ ଭାରତର ଭାରତର ସର୍ବଶ୍ରେଷ୍ଠ ଜନନାୟକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା। ନାଥୁରାମ ଥିଲା ବୈଚାରିକ ଭାବରେ ଅନ୍ଧ ଓ ତା ମନ ଭିତରେ କେବଳ ଘୃଣାର ଭାବନା ଭାରି ରହିଥିଲା। ସେମିତି ୨୦୨୦ ଜାନୁଆରୀ ୩୦ ତାରିଖ ଦିନ ଆଉ ଜଣେ ଉନ୍ମାଦ ଯୁବକ କିଛି ପ୍ରତିବାଦକାରୀ ଯୁବକଙ୍କ ଉପରେ ଗୁଳି ଚଳାଇଥିଲା। ଦିଲ୍ଲୀ ପୁଲିସର ଉପସ୍ଥିତିରେ, ସୋସିଆଲ ମିଡିଆରେ ଖୋଲାଖୋଲି ଘୋଷଣା କରି ରାମଭକ୍ତ ନାମକ ଜଣେ ୧୭ ବର୍ଷର ଯୁବକ ପ୍ରତିବାଦକାରୀ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର ୧୭ ବର୍ଷର ଏହି ଯୁବକ ଭିତରେ ଏତେ ପରିମାଣରେ ବିଜେପି ଭକ୍ତି ଓ ବିଜେପି ବିରୋଧୀଙ୍କ ପ୍ରତି ଘୃଣା ଭାରି ରହିଛି ଯେ ସେ ସବୁ ବିଜେପି ବିରୋଧୀଙ୍କୁ ଗୁଳିକରି ମାରିଦେବାକୁ ପ୍ରସ୍ତୁତ ବୋଲି କହିଛି।
ଏ ପ୍ରକାର ପାଗଳାମି କଣ ଏକ ସାଧାରଣ ଘଟନା? ଜଣେ ୧୭ ବର୍ଷର ଯୁବକ ଭିତରେ ଏ ପ୍ରକାର ହିଂସ୍ର ଭାବନା ତିଆରି କରିଛି କିଏ? ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ପ୍ରତିପକ୍ଷଙ୍କ ପ୍ରତି ତୀବ୍ର ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପିର ତୁଙ୍ଗ ନେତାମାନେ ଅତ୍ୟନ୍ତ ଭୟଙ୍କର ଭାଷା ପ୍ରୟୋଗ ଆରମ୍ଭ କରିଥିଲେ। ଖୋଦ ଗୃହମନ୍ତ୍ରୀ ଅମିତ ଶାହ ଏ ପ୍ରକାର ଭାଷାକୁ ନିଜ ରଣନୀତିର ଅଂଶ ଭାବରେ ଗ୍ରହଣ କରିଛନ୍ତି। ଦେଶର ଗୃହମନ୍ତ୍ରୀ ଭାବରେ ଅମିତ ଶାହ ଯେଉଁ ଭାଷା ବ୍ୟବହାର କରୁଛନ୍ତି, ସେଥିରେ ଶାନ୍ତି ଓ ସଦଭାବନା ଅପେକ୍ଷାଘୃଣାର ପ୍ରାବଲ୍ୟ ଅଧିକ। ଏ ପ୍ରକାର ଭାଷାର ସାଧାରଣ ପରିଣତି ହେଉଛି ହିଂସା ଏବଂ ରକ୍ତପାତ। ଜାନୁଆରୀ ୩୦ରେ “ୟେ ଲୋ ଆଜାଦି” ବୋଲି ପ୍ରତିବାଦକାରୀଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିବା ଏ ଯୁବକର ଆଚରଣକୁ ଅଲଗା କରି ଦେଖିହେବ ନାହିଁ। ସରକାର ବିରୋଧୀଙ୍କ ପ୍ରତି ହିଂସାର ଭାବନା ସୃଷ୍ଟି କରିବାକୁ ବିଜେପିର ଅପପ୍ରୟାସର ଏହା ହେଉଛି ଅନ୍ତିମ ପରିଣାମ।
ଆମ ସହିତ ନଥିବା ଅନ୍ୟମାନଙ୍କୁ ଦେଶଦ୍ରୋହୀ ଓ ସେମାନେ ଗୁଳି ଖାଇବାର ଯୋଗ୍ୟ ବୋଲି ସରକାରୀ ଦଳର ଚିନ୍ତନ, ଆମର ରାଜନୀତିକୁ ସବୁଠୁ ବିପଜ୍ଜନକ ମୋଡରେ ଠିଆ କରିଛି। ବାରମ୍ବାର ହିଂସା ଓ ଘୃଣାର ବାତାବରଣ ସୃଷ୍ଟି ହେଉଥିବା ସତ୍ତ୍ୱେ ବିଜେପି ନିଜ ଚିନ୍ତନ ବଦଲାଉ ନାହିଁ। ଅନେକାଂଶରେ ବିଜେପିର ତୁଙ୍ଗ ନେତାମାନେ ହିଂସା ସପକ୍ଷରେ ନିଜର ମତ ରଖୁଛନ୍ତି। ଗତ ମାସରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରବଳ ପ୍ରତିରୋଧ ଆରମ୍ଭ ହେଲା ପରେ ଏହି ଆନ୍ଦୋଳନକୁ ହିଂସା ମାଧ୍ୟମରେ ଚପାଇ ଦେବାର ଉଦ୍ୟମ ହୋଇଛି। ଆସାମ, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ପ୍ରାରମ୍ଭିକ ହିଂସା ଘଟି ୩୦ ପାଖାପାଖି ନାଗରିକ ପ୍ରାଣ ହରାଇଛନ୍ତି। ସମୟ କ୍ରମେ ଏହି ଆନ୍ଦୋଳନ ଅଧିକରୁ ଅଧିକ ହିଂସାବିହୀନ ଓ ଗଣତାନ୍ତ୍ରିକ ହେବା ଆରମ୍ଭ କରିଛି।
ଏହି ଆନ୍ଦୋଳନର ଜନସୂତ୍ରକୁ ବୁଝିବାରେ ନରେନ୍ଦ୍ର ମୋଦୀ ସରକାର ସମୂର୍ଣ୍ଣ ଅକ୍ଷମ। ଲୋକଙ୍କ ସହିତ ଆଲୋଚନାର ରାସ୍ତା ବାଛିବା ପରିବର୍ତ୍ତେ ସରକାର ଓ ସରକାରୀ ଦଳ ଏହି ଆନ୍ଦୋଳନ ବିରୋଧରେ ବିଷାକ୍ତ ବାର୍ତ୍ତା ସବୁ ପ୍ରଚାର କରୁଛନ୍ତି। ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀଙ୍କଠୁ ଆରମ୍ଭ କରି ଏହାର ସୋସିଆଲ ମିଡିଆ ସେଲ ଓ ମୁଖପାତ୍ରମାନେ ପ୍ରତିବାଦକୁ ଦେଶଦ୍ରୋହ ବୋଲି କହି ଲୋକଙ୍କ ମନରେ ପ୍ରତିଶୋଧର ଭାବନା ତିଆରି କରୁଛନ୍ତି। ବିଜେପିର ମନ୍ତ୍ରୀମାନେ ଖୋଲାଖୋଲି ବିରୋଧୀଙ୍କୁ “ଗଦ୍ଦାର” ବୋଲି କହିବା ସହିତ ସେମାନଙ୍କ ଉପରକୁ ଗୁଳି କରାଯାଉ ବୋଲି କହିବାକୁ ପଛାଉନାହାନ୍ତି। ଏ ପ୍ରକାର ଚିନ୍ତନ ପଛରେ ସୋସିଆଲ ମିଡିଆ ଏବଂ ଏକ ନିର୍ଦ୍ଦିଷ୍ଟ ବିଚାରକୁ ଭଲ ପାଉଥିବା ଲୋକଙ୍କର ସମର୍ଥନ ରହିଛି।
ଦିଲ୍ଲୀରେ ଘଟିଥିବା ଏହି ଗୁଳିକାଣ୍ଡ ପରେ ଘୃଣାର ରାଜନୀତି ବିଷୟରେ ଶାସକ ଦଳ ଆଉଥରେ ଚିନ୍ତା କରିବା ଉଚିତ ହେବନାହିଁ କି? ତେବେ ଏହି ଘଟନାକୁ ନେଇ ସରକାର ଓ ସରକାରୀ ଦଳର ପ୍ରତିକ୍ରିୟା ଦେଖି ମାନେ ହେଉଛି ଯେ, ଏ ପ୍ରକାର କଳଙ୍କ ଠୁ ଦୂରେଇବା ଅପେକ୍ଷା ଏହାକୁ ଅନେକାଂଶରେ ସମର୍ଥନ ଦେବା ଭଳି ସ୍ଥିତି ଏବେ ତିଆରି କରା ହେଉଛି। ଶାସକ ଦଳର ସମର୍ଥକ ଭାବେ ଜଣାଶୁଣା କିଛି ଗଣମାଧ୍ୟମର ସମର୍ଥନ ହତ୍ୟାକାରୀ ଓ ହିଂସାକାରୀଙ୍କୁ ମିଳୁଛି। ଏହା ସବୁଠୁ ଚିନ୍ତାର ବିଷୟ।
ରାଜନୀତିରେ ନିର୍ବାଚନ ଜିତିବା ବା ହାରିବା ବଡ କଥା ନୁହେଁ। କିନ୍ତୁ ନିର୍ବାଚନ ଜିତିବା ଲାଗି ଯଦି ଏକ ହିଂସ୍ର ପରିବେଶ ତିଆରି ହୁଏ, ତାହେଲେ ତାରପ୍ରଭାବ ଆଗାମୀ ଶହ ଶହ ବର୍ଷ ଧରି ଆମର ସାମାଜିକ ଜୀବନକୁ ବିଷାକ୍ତ କରି ରଖିବ।
ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଇନା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପୂର୍ବରୁ ସାଇନା ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ସମର୍ଥକ ରହିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିଥାନ୍ତି । ହରିୟାଣା ଜନ୍ମିତ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ ଖେଳାଳି ଜଣକ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହା ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାଇନା ବିଜେପି ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ପୂର୍ବତନ ବିଶ୍ବର ଏକ ନମ୍ବର ଖେଳାଳି ସାଇନାଙ ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର ହାସଲ କରିଥିବା ବେଳେ 2016ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । (ଏଜେନ୍ସୀ)
କେଦାର ମିଶ୍ର
ଶାସକ ଭାରତୀୟ ଜନତା ପାର୍ଟି ଆଜିକାଲି ଏକ ନୂଆ ସ୍ଲୋଗାନର ଆବିଷ୍କାର କରିଛି। ଏ ସ୍ଲୋଗାନ କୌଣସି ଭଦ୍ରଲୋକ ବା ସାମାନ୍ୟ ମାନବିକତା ଥିବା ଲୋକ ଶୁଣି ପାରିବ ନାହିଁ। “ଦେଶ କେ ଗଦ୍ଦାରୋଂ କୋ, ଗୋଲି ମାରୋ ….କୋ”- ଏହା କୌଣସି ପକେଟମାର ବା ବଟି ଆଦାଯ କରୁଥିବା ଚାରଣିଆ ଗୁଣ୍ଡାର ସ୍ଲୋଗାନ ନୁହେଁ, ଦିଲ୍ଲୀ ବିଧାନସଭା ନିର୍ବାଚନ ମଇଦାନରେ ଏହି ସ୍ଲୋଗାନ ଦେଉଥିବା ଲୋକେ ବିଜେପିର ପ୍ରାର୍ଥୀ ଓ କେହି କେହି କେନ୍ଦ୍ରମନ୍ତ୍ରୀ। ସମ୍ବିଧାନର ଶପଥ ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶ୍ରୀମୁଖକୁ ଅନୁସରଣ କରି ବିଜେପି କର୍ମୀମାନେ ଏହି ସ୍ଲୋଗାନ ଘୋଷି ଚାଲୁଥିବାର ଦୃଶ୍ୟ ଭାରତୀୟ ରାଜନୀତିର ସବୁଠୁ ଅଶ୍ଳୀଳ ଓ ହିଂସ୍ର ବୋଲି କୁହା ଯାଇପାରେ।
ଏହା ପୂର୍ବରୁ ବିଜେପିର ଜନୈକ ବିଧାୟକ ପ୍ରାର୍ଥୀ କପିଲ ମିଶ୍ର ବଡ ଗର୍ବର ସହିତ ଏହି ସ୍ଲୋଗାନ ଦେଇ ଦେଇ ଶୋଭାଯାତ୍ରା କରୁଥିଲେ। (ଅବଶ୍ୟ କପିଲ ମିଶ୍ର ଜଣେ ଆଗଧାଡିର ଯୋକର, ଯିଏ ଆମ ଆଦମୀ ପାର୍ଟିରେ ଥିବାବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଠିକ ଏମିତି ସ୍ଲୋଗାନ ସବୁ ଦେଉଥିଲେ। ଏ ପ୍ରକାର ନେତାଙ୍କର ଚରିତ୍ର ହେଉଛି ସେମାନେ କାହାକୁ ବି କିଛି ବି କହି ଦେଇ ଖସି ଯାଇପାରିବେ।) ଏ ପ୍ରକାର ସ୍ଲୋଗାନ କପିଲ ମିଶ୍ର କି ଡିଏସ ବାଗ୍ଗା ଭଳି ନେତା ଦେଲେ, ସେମାନଙ୍କୁ ଘୃଣାର ବେପାରୀ କହି ଆଡେଇ ଦିଆ ଯାଇପାରିବ। ହେଲେ ଏ ସ୍ଲୋଗାନ ଯଦି ଜଣେ କେନ୍ଦ୍ରମନ୍ତ୍ରୀ ଦିଅନ୍ତି, ତାହେଲେ ତାର ସିଧାସଳଖ ଅର୍ଥ ହେବ, ସରକାର ଖୋଲାଖୋଲି ଏ ଦେଶର ହତ୍ୟା ଓ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବରେ ଅନୁରାଗ ଠାକୁର ସମ୍ବିଧାନର ଶପଥ ନେଇଛନ୍ତି। ତେଣୁ ସେ କହୁଥିବା ପ୍ରତ୍ୟେକ ବାକ୍ୟର ସାମ୍ବିଧାନିକ ଉତ୍ତରଦାୟିତ୍ଵ ରହିଛି। ଏ ପ୍ରକାର ଦାୟିତ୍ଵହୀନ ମନ୍ତବ୍ୟ ପାଇଁ ଯଦି ତାଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତା ହେଲେ ଆମକୁ ଭାବିନେବାକୁ ପଡିବ ଯେ ବିଜେପି ଦିଲ୍ଲୀରେ ହିଂସାକୁ ଆଧାର କରି ନିର୍ବାଚନ ଜିତିବା ପାଇଁ ଚାହୁଁଛି।
ଏହି ସ୍ଲୋଗାନକୁ ନେଇ ବିଜେପି ଭକ୍ତ ଓ ଟ୍ରୋଲ ମାନଙ୍କର ଚିରାଚରିତ ଯୁକ୍ତି ହେଉଛି, ଆମେ ଦେଶ ପାଇଁ ବିଶ୍ଵାସଘାତକତା କରୁଥିବା ଲୋକଙ୍କୁ ଗୁଳି ମାରିବାକୁ କହୁଛୁ। ତେବେ ଏହାର ଉତ୍ତର ହେଉଛି, ଦେଶର ବିଶ୍ଵାସଘାତକ କିଏ? ଯିଏ ବିଜେପିର ସମର୍ଥକ ନୁହେଁ ସେ ହିଁ ଦେଶଦ୍ରୋହୀ ବୋଲି କହିବାର ଅଧିକାର ବିଜେପିକୁ ଦେଇଛି କିଏ? ୨୦୧୪ ପୂର୍ବରୁ କଂଗ୍ରେସ ଯଦି ନିଜର ବିରୋଧୀଙ୍କୁ ଦେଶଦ୍ରୋହୀ ବୋଲି କହି ଗୁଳି ମାରିବାର ଅଭିଯାନ ଚଳାଇଥାନ୍ତା, ତାହେଲେ ବିଜେପି ଆଜି ରହିଥାନ୍ତା କି? ଗୋଟେ ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ଶାସକ ଦଳ ବିରୋଧୀ ମତ ପ୍ରତି ଏତେ ଅସହିଷ୍ଣୁ ହେବା କେବଳ ଗଣତନ୍ତ୍ର ବିରୋଧୀ ନୁହେଁ, ଏହା ମାନବିକତା ବିରୋଧୀ ମଧ୍ୟ। ଦେଶରେ ବାମପନ୍ଥୀ, ଦକ୍ଷିଣ ପନ୍ଥୀ ଓ ମାଧ୍ୟମ ପନ୍ଥୀ ଅଛନ୍ତି ଏବଂ ରହିବେ। ଗଣତନ୍ତ୍ରରେ ଏହି ବୈଚାରିକ ବିରୋଧ ହିଁ ଏହାର ଜୀବନିକା। ତାକୁ ଅସ୍ଵୀକାର କରିବା, ବିରୋଧୀ ମତକୁ ବିଶ୍ଵାସଘାତକତା ବୋଲି କହିବା ଭୀଷଣ ଚିନ୍ତାଜନକ।
ତେବେ ଏ ପ୍ରକାର ଭାଷାର ପ୍ରୟୋଗ କରୁଥିବା ରାଜନୈତିକ ଲୋକଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବା କିଏ? ନିର୍ବାଚନ ସମୟରେ ଏ ପ୍ରକାର ଭାଷା ବିରୋଧରେ କଡା କାର୍ୟାନୁଷ୍ଠାନ ନେବାର ଅଧିକାର ନିର୍ବାଚନ କମିଶନଙ୍କର ରହିଛି। ହେଲେ ନିର୍ବାଚନ କମିଶନ ଆମ ସମୟର ସବୁଠୁ ବଡ ଧୃତରାଷ୍ଟ୍ର। ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ଉତ୍ତେଜକ ଭାଷଣ ବିରୋଧରେ ପଡେ କହିବାର ସାହସ ନିର୍ବାଚନ କମିଶନ ଦେଖାଇ ନାହାନ୍ତି। ତେଣୁ ଆଜି ଯେ କମିଶନ କିଛି କହିବେ ବା କରିବେ, ସେ ଭରସା ଲୋକଙ୍କର ନାହିଁ।
ନବେ ଦଶକରେ ଦେଶର ସୁପ୍ରିମ କୋର୍ଟ ଅନେକ ମାମଲାକୁ ନିଜ ତରଫରୁ ବିଛାର ଲାଗି ଗ୍ରହଣ କରୁଥିଲେ। ସୁଓ ମଟୋ ବା ଆପଣା ଛାଏଁ ବିଭିନ୍ନ ସାଧାରଣ ସୂତ୍ରକୁ ବିଶ୍ଵାସ କରି ମାନ୍ୟବର ସୁପ୍ରିମ କୋର୍ଟ ଏହି ସବୁ ମାମଲାର ବିଚାର କରୁଥିଲେ। ଗତ ୬ ବର୍ଷ ଭିତରେ ସୁପ୍ରିମ କୋର୍ଟ ସେ ପ୍ରକାର ଆଭିମୁଖ୍ୟକୁ ପ୍ରତ୍ୟାହାର କରି ନେଇଥିବା ଭଳି ମନେ ହେଉଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସ୍ତରର ରାଜନେତାମାନେ ଯେତେବେଳେ ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି, ଏହି ପ୍ରସଙ୍ଗରେ ଅଦାଲତ ନିଜ ତରଫରୁ କାର୍ୟାନୁଷ୍ଠାନ ଗ୍ରହଣ କରିପାରିବେ କିମ୍ବା ଏ ସମ୍ପର୍କରେ କଠୋର ହେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ ପାରିବେ। ଗତ ଦୁଇମାସ ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏମିତି କିଛି ବକ୍ତବ୍ୟ ରଖିଛନ୍ତି ଯାହାକି ସିଧାସଳଖ ସମ୍ବିଧାନର ବିରୋଧ କରୁଛି। “ପ୍ରତିଶୋଧ” ନେବା ଭଳି ଶବ୍ଦ ଜଣେ ସାମ୍ବିଧାନିକ ପଦାଧିକାରୀ ବ୍ୟବହାର କରି ପାରିବେ ନାହିଁ, ଏକଥା ଅଦାଲତ ହିଁ ମୁଖ୍ୟମନ୍ତ୍ରୀଙ୍କୁ କହି ପାରିବେ। ହେଲେ ଅଦାଲତ ସେ କଥା କହିବାକୁ ଚାହୁଁ ଥିବାର ଆମେ ଦେଖୁନାହୁଁ।
ଆଜି ରାଜନୀତି ଓ ଭୋଟ ପ୍ରଚାରରେ ଖୋଲାଖୋଲି ଏ ଯେଉଁ ହିଂସ୍ର ଭାଷାର ପ୍ରୟୋଗ ହେଉଛି, ଏଥିଲାଗି କେଉଁଠି ନା କେଉଁଠି ନିର୍ବାଚନ କମିଶନ ଓ ଦେଶର ସର୍ବୋଚ୍ଚ ଅଦାଲତ ଉତ୍ତରଦାୟୀ ରହିବାକୁ ବାଧ୍ୟ ହେବେ!!
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଦିଲ୍ଲୀରେ ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଆପ୍ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି । ଉଲ୍ଲେଖଯୋଗ୍ୟ ଯେ, ଘଟଣା ପରେ ପୋଲିସ୍ ପକ୍ଷରୁ ଠିକାଦାରଙ୍କୁ ଗିରଫ କରାଯାଇଛି ।
ନୂଆଦିଲ୍ଲୀ : ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । ପୂର୍ବରୁ ଅନ୍ୟତମ ସହଯୋଗୀ ଅକାଳୀ ଦଳ ମଧ୍ୟ ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ମଙ୍ଗଳବାର ଅପରାହ୍ନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି । ଜେଜେପି ବିଜେପିକୁ ସମର୍ଥନ କରୁଛି । ମାତ୍ର ବର୍ତ୍ତମାନ ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥୀ ଅନ୍ୟ ଚିହ୍ନରେ ନିର୍ବାଚନ ଲଢିଲେ ଏହା ସର୍ବସାଧାରଣରେ ଏକ ଅଲଗା ପ୍ରତିଛବି ସୃଷ୍ଟି କରିବ । ତେଣୁ ଦଳ ଚଳିତ ନିର୍ବାଚନରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି ବୋଲି ଚୌତାଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ : ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍ଏଫ୍ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର ହ୍ରାସ ନେଇ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ସୋମବାର ଆଇଏମ୍ଏଫ୍ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର 4.8 ପ୍ରତିଶତକୁ ହ୍ରାସ ପାଇବା ନେଇ ଆକଳନ କରାଯାଇଥିଲା । ଦେଶର ଅର୍ଥନୀତିକୁ ନେଇ ଯିଏବି ସଠିକ୍ ତଥ୍ୟ ପ୍ରକାଶ କରେ ମୋଦି-ଶାହାଙ୍କ ଅନୁଗତଙ୍କ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇଥାଏ । ଭାରତରେ ବର୍ତ୍ତମାନରେ ନିବେଶ କରିବା ଜରୁରୀ ହୋଇ ପଡିଛି । ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମାଜନ୍ ସିଇଓ ଜେଫ୍ ବେଜୋସ୍ଙ୍କ ଗସ୍ତକୁ ନେଇ କୌଣସି ପ୍ରତିକ୍ରିୟା ନ ମିଳିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଗୋପୀନାଥ ପ୍ରକାଶ କରିଥିଲେ । ଏହା ଭାରତୀୟ ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ ବୋଲି ଗୋପୀନାଥ କହିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ : କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍ଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧି ରବିବାର ଦିନ କହିଛନ୍ତି ଯେ, ଯୁବକଙ୍କ ରୋଜଗାର ପାଇଁ ଓ ଚାଷୀର ଅଧିକାର ପାଇଁ ଲଢେଇ କରୁଥିବା ଯୁବ ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ବିଜେପି ବାରମ୍ବାର ହଇରାଣ କରୁଛି। ହାର୍ଦ୍ଦିକ ନିଜ ସମାଜର ଲୋକଙ୍କ ପାଇଁ ସ୍ବର ଉଠାଉଛନ୍ତି, ସେମାନଙ୍କ ପାଇଁ ଚାକିରି ମାଗୁଛନ୍ତି, ଛାତ୍ରବୃତ୍ତି ମାଗୁଛନ୍ତି, ଚାଷୀ ଆନ୍ଦୋଳନ କରୁଛନ୍ତି, ବିଜେପି ଏହାକୁ ଦେଶଦ୍ରୋହ ବୋଲି କହୁଛି ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଶନିବାର ଦିନ ହାସଲପୁରଠାରୁ ଗିରଫ କରାଯାଇଛି । ହାର୍ଦ୍ଦିକଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି । ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ମଧ୍ୟ କରିଥିଲେ ତାଙ୍କୁ 24 ଜାନୁଆରୀକୁ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ତାଙ୍କୁ ଏହା ପୂର୍ବରୁ ଗିରଫ କରାଯାଇଛି ।
ଅଗଷ୍ଟ 2015ରେ ଅହମ୍ମଦାବାଦସ୍ଥିତ ଜିଏମଡିସି ପ୍ରାଙ୍ଗଣରେ ପାଟିଦାର୍ ସଂରକ୍ଷଣ ସମର୍ଥକ ରାଲିରେ ହୋଇଥିବା ଭଙ୍ଗାରୁଜା ତଥା ହିଂସାକାଣ୍ଡ ଘଟଣାରେ କ୍ରାଇମ୍ବ୍ରାଞ୍ଚ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ହାର୍ଦ୍ଦିକଙ୍କୁ ପୂର୍ବରୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ଦୀର୍ଘ ଦିନ ଜେଲରେ ରହିବା ପରେ 2016 ଜୁଲାଇରେ ହାର୍ଦ୍ଦିକ ଜେଲରୁ ମୁକୁଳିଥିଲେ। (ଏଜେନ୍ସି)
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାଜନୀତିକରଣ କରାଯାଉଥିବାରୁ ଆଶାଦେବୀ ବିଜେପି ଏବଂ ଆପ୍କୁ ସମାଲୋଚନା କରିଛନ୍ତି । ଯେଉଁମାନେ, 2012 ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଆଜି ରାଜନୀତି କରୁଛନ୍ତି ବୋଲି କହି ଆଶାଦେବୀ ଉଭୟ ଆପ୍ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଏବଂ ଆପ୍ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ପୋଲିସ୍ ଏବଂ ନ୍ୟାୟ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି । ଏପରି ସମ୍ବେଦନଶୀଳ ମାମଲାରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ସିସୋଦିଆ ଏବଂ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭାରତୀୟ ଜନତା ପାର୍ଟିର ସଭାପତି ସମୀର ମହାନ୍ତି ହେବା ନେଇ ସୂଚନା ରହିଛି। ସମୀରଙ୍କ ନାଁରେ ସହମତିର ସୂଚନା ମିଳିଛି । ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି ସଭାପତି ରେସ୍ରେ ଆଗୁଆ ରହିଥିଲେ। ତେବେ ଆସନ୍ତାକାଲି ବିଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯିବ। ସଭାପତି ପଦ ପାଇଁ ଭୋଟ୍ ଦେବାକୁ ଆସିଥିବା ସଦସ୍ୟଙ୍କ ସହମତି ସୂଚନା ମିଳିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମୀର। ଅପରାହ୍ନ 5ଟାରେ ଏହା ଯାଞ୍ଚ ହେବ। ନାମାଙ୍କନ ବେଳେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିଥିଲେ।
ସମୀକ୍ଷା ବ୍ୟୁରୋ:
ଆସନ୍ତା କାଲି ହେବାକୁ ଯାଉଛି ରାଜ୍ୟ ବିଜେପି ସଭାପତି ନିର୍ବାଚନ। ସଭାପତି ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଏହି ଦୌଡରେ ଆଗୁଆ ରହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି। ତେବେ ରାଜ୍ୟ ସଭାପତି ଚୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଧର୍ମେନ୍ଦ୍ରଙ୍କ ପ୍ରଭାବ। ରାଜ୍ୟର ଏକ ମାତ୍ର ନେତା ଭାବରେ ବିଗତ ୬ ବର୍ଷ ଧରି କ୍ଷମତା ଉପଭୋଗ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମୋଦି ୨.୦ରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି। ରାଜ୍ୟରେ ବିଜୁ ଜନତା ଦଳର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ସତ୍ତ୍ବେ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ନିଜର ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି। ତେଣୁ ସଭାପତି ଚୟନରେ ଧର୍ମେନ୍ଦ୍ରଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏହି ନିର୍ବାଚନ ସହିତ ବିଜେପିର ଗୋଷ୍ଠୀକନ୍ଦଳ ମଧ୍ୟ ସମ୍ମୁଖକୁ ଆସୁଛି। ଅପରପକ୍ଷରେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ପଦ୍ମ ଶିବିରର ଦାୟିତ୍ବ ପଶ୍ଚିମ ଓଡ଼ିଶା ନେତାଙ୍କ ହାତରେ ରହିଥିବାବେଳେ ଚଳିତଥର ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ଦାୟିତ୍ବ ଦେବା ନେଇ ମଧ୍ୟ ଚର୍ଚ୍ଚା ରହିଛି।
ବିଜେପି ବର୍ତ୍ତମାନ ଏପରି ଏକ ସ୍ଥିତିରେ ରହିଛି ଯେଉଁଠାରୁ ଦଳକୁ ଆଗକୁ ନେବା ପାଇଁ ଦୃଢ ନେତୃତ୍ବର ଆବଶ୍ୟକତା ରହିଛି। ଉଭୟ ହରିଚନ୍ଦନ ଏବଂ ମହାନ୍ତିଙ୍କ ନିକଟରେ ଆବଶ୍ୟକୀୟ ରାଜନୈତିକ ଅଭିଜ୍ଞତା ମଧ୍ୟ ରହିଛି। ମାତ୍ର ନେତୃତ୍ବ ନେବା କ୍ଷେତ୍ରରେ ଉଭୟ ନେତା କୌଣସି ସଫଳତା ହାସଲ କରିନଥିବାରୁ ଏହାକୁ ନେଇ ଦଳୀୟ କର୍ମୀଙ୍କ ମନରେ ସାମାନ୍ୟ ଶଙ୍କା ରହିଥିବା ପ୍ରତୀୟମାନ ହେଉଛି। ନିର୍ବାଚନୀ ବିଜୟ କ୍ଷେତ୍ରରେ ଉଭୟଙ୍କ ରେକର୍ଡ ଅଲୋଡା। ଉଭୟ ନିଜ ନିଜର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇନଥିବାରୁ ଦଳୀୟ କର୍ମୀଙ୍କ ଦ୍ବାରା କେତଦୂର ଗ୍ରହଣୀୟ ହେବେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଭୁବନେଶ୍ବରର ସାଂସଦ ରହିଥିବା ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ରହିଥିବା କନ୍ଦଳ ମଧ୍ୟ ସମ୍ମୁଖକୁ ଆସିଛି। ଧର୍ମେନ୍ଦ୍ରଙ୍କ ସହିତ ଅପରାଜିତାଙ୍କ ବିବାଦ ମଧ୍ୟ କର୍ମୀଙ୍କ ନିକଟକୁ ଏକ ଭୁଲ ସନ୍ଦେଶ ଦେଉଛି।
ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ନିର୍ବାଚନ ପାଇଁ ଉପସ୍ଥିତ ରହିଛନ୍ତି। ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ସଂସଦକୁ ନିର୍ବାଚିତ ହେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିଥିବା ବେଳେ ଏହାକୁ ନେଇ ଆଜି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ପରସ୍ଥିତିରେ ରାଜ୍ୟ ବିଜେପିର ସଭାପତି ଚୟନ ପାଇଁ ଦୁଇ ଆଶାୟୀ ଅତ୍ୟନ୍ତ ଦୁର୍ବଳ ମନେ ହେଉଛନ୍ତି। ଏହି ଦୁଇ ଆଶାୟୀଙ୍କ ମଧ୍ୟରୁ କିଏ ନୂତନ ମଙ୍ଗୁଆଳ ସାଜୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ। ଏହି ନୂଆ ମୁଖିଆ ବିଜେପି ପାଇଁ ଲାଭବାନ ହେବେ କି ବୁମେରାଂ ସାବ୍ୟସ୍ତ ହେବ ତାହା ଆଗାମୀ ସମୟ କହିବ।
ସମୀକ୍ଷା ବ୍ୟୁରୋ
ବାଲୁଗାଁ : ବାଲୁଗାଁ ବିଜେପି ତରଫରୁ ସେସୁକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନତଳେ ସେସୁ ତରଫରୁ ବକୈୟା ବିଲକୁ ନେଇ ଏକ ବିଜ୍ଞାପନ ଉଭୟ ପ୍ରିଣ୍ଟ ଓ ଇଲୋକୋଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁସାରେ ଆସନ୍ତା 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା।
ସେସୁର ଏପରି ନିଷ୍ପତ୍ତିକୁ ବାଲୁଗାଁର ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି। ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ସେନାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଭଳି ଏକ ଜନବିରୋଧୀ ଘୋଷଣାକୁ ବିରୋଧ କରିବା ସହିତ ସେସୁର କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛି। ଆଗାମୀ ସମୟରେ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଆସୁଥିବାରୁ ସେସୁ ତରଫରୁ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ ବୋଲି କହିଛି ବାଲୁଗାଁ ନଗରମଣ୍ଡଳ। ଏହି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିବା ସହିତ କିସ୍ତି ଜରିଆରେ ବକେୟା ବିଦ୍ୟୁତ ବିଲ୍ ପୈଠ କରାଯିବାକୁ ଦାବି କରିଛି ବିଜେପି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଧମକପୂର୍ଣ୍ଣ ଘୋଷଣା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏହି ନିଷ୍ପତ୍ତିରେ ପୁନଃବିଚାର କରିବାକୁ ବିଜେପି ଦାବି କରିଛି। ଯଦି ଏହା ଉପରେ କିଛି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ସମୟରେ ଭୟଙ୍କର ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛି।
ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସରୁ କମ୍ ସମୟ ରହିଛି। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍, ବିଜେପି ଓ କଂଗ୍ରେସ ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି ଦଳ ବଲିଉଡ୍ ଗୀତ ଓ ଫିଲ୍ମକୁ ନେଇ ଉଭୟ ଉଭୟଙ୍କୁ ଟାର୍ଗେଟ୍ କରୁଛନ୍ତି।
ବିଜେପି ଓ ଆପ୍ ମଧ୍ୟରେ ଚାଲିଛି ‘ନାୟକ’ ଓ୍ବାର୍
ବିଜେପି ଓ ଆମ୍ ଆଦ୍ମୀ ଭିଡିଓ ଜରିଆରେ ଦୁହେଁ ଦୁହିଁଙ୍କୁ ଟାର୍ଗେଟ୍ କରୁଛନ୍ତି। ସର୍ବପ୍ରଥମେ ବିଜେପି ଲୋକପ୍ରିୟ ଫିଲ୍ମ ‘ନାୟକ’ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ୍ କରିଛି। ଏହି ଭିଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ସମେତ କିଛି ଘଟଣା ପାଇଁ କେଜ୍ରୀଓ୍ବାଲଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛି। ସେହିପରି ଆପ୍ ଏହାର ଜବାବ ସ୍ବରୂପ ନାୟକ ଫିଲ୍ମର ଦ୍ବିତୀୟ ଭାଗକୁ ଦେଇ ଜନତାଙ୍କ ପାଇଁ କେଜ୍ରୀଓ୍ବାଲ ସରକାର କାମ କରୁଛି ବୋଲି ଏକ ଭିଡିଓ ଜାରି କରିଛି। ସେହିପରି ଆପ୍-ବିଜେପିର ଭିଡିଓ ଓ୍ବାରରେ କଂଗ୍ରେସ ମଧ୍ୟ ଏଣ୍ଟ୍ରି ମାରିଛି। ଭିଡିଓ ଜରିଆରେ କଂଗ୍ରେସ ଆପ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ଏକ ଭିଡିଓରେ କେଜରୀଓ୍ବାଲ ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍ ପ୍ରକ୍ରିୟା ଜାନୁଆରୀ 14ରୁ ଆରମ୍ଭ ହେବ। ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଫେବୃଆରୀ 11 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ। (ଏଜେନ୍ସି)
ମୁମ୍ବାଇ : ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା ଜୟଭଗବାନ ଗୋଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ‘ଆଜିର ଶିବାଜୀ ନରେନ୍ଦ୍ର ମୋଦି’ ଶୀର୍ଷକ ପୁସ୍ତକକୁ ନେଇ ଶିବସେନା ଆପତ୍ତି ଜଣାଇଛନ୍ତି ।
ଶିବସେନା ସାଂସଦ ସଞ୍ଜୟ ରାଉତ ମରାଠୀରେ ଟୁଇଟ୍ କରି କହିଛନ୍ତି ଯେ, ଏପରି ଏକ ପୁସ୍ତକ ପାଇଁ ମହାରାଷ୍ଟ୍ରରେ ମରାଠୀ ଲୋକଙ୍କ ଅପମାନ ହୋଇଛି। ଏହି ପୁସ୍ତକର ଉନ୍ମୋଚନ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟର ହୋଇଛି। ଏହାର ଲେଖକ ଜୟଭଗବାନ ଗୋଏଲ୍। ଗୋଲ୍ ଦିଲ୍ଲୀଠାରେ ମହାରାଷ୍ଟ୍ରର ସଦନରେ ଆକ୍ରମଣ କରିଥିଲେ। ମହାରାଷ୍ଟ୍ରର ଶିବାଜୀ ମହାରାଜଙ୍କ ସହିତ ମରାଠୀ ଲୋକଙ୍କ ଅପମାନ ମଧ୍ୟ କରିଥିଲେ। ଅପରପକ୍ଷରେ ଏନ୍ସିପି ନେତା ମହାରାଷ୍ଟ୍ରରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଧ୍ୟ ଜୟଭଗବାନ ଗୋଏଲଙ୍କୁ ଟାର୍ଗେଟ୍ କରିଛନ୍ତି । କୌଣସି ବ୍ୟକ୍ତି ଶିବାଜୀ ମହାରାଜଙ୍କ ସହ ସମାନ ହୋଇପାରିବ ନାହିଁ । ନିକଟରେ ଶିବାଜୀ ମହାରାଜାଙ୍କୁ ଉପରେ ଏକ ପ୍ରଶ୍ନକୁ ନେଇ ମିଲେନିୟମ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ବିବାଦରେ ପଡିଯାଇଥିଲେ। (ଏଜେନ୍ସି)
ନାଗପୁର : ଭାରତୀୟ ଜନତା ଦଳ (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀଙ୍କ ଗଡ ନାଗପୁରରେ ଦଳକୁ କଡା ପରାଜୟ ମିଳିଛି। ନାଗପୁରର ଧୋପାବାଡାରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ମିଳିଛି। 31ଟି ଆସନ ଜିତି କଂଗ୍ରେସ ବିଜୟୀ ହୋଇଛି ।
ଖୋଦ୍ କେନ୍ଦ୍ର ମନ୍ତ୍ରୀ ନିତୀନ୍ ଗଡକାରୀଙ୍କ ଗ୍ରାମ ଧୋପ୍ପାଓ୍ବାଡା ନାଗପୁରରେ। ଏଠାରେ ନୀତିନ୍ଙ୍କୁ ମଜବୁତ୍ ସ୍ଥିତି ରହିଥିବାବେଳେ ବିଜେପିର ମଧ୍ୟ ସ୍ଥିତି ବେଶ୍ ସୁଦୃଢ ରହିଥିଲା। କିନ୍ତୁ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ବିଫଳ ହେବାକୁ ପଡିଛି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ଡୋଙ୍ଗରେ ବହୁମତ ପାଇଛନ୍ତି। ମହେନ୍ଦ୍ରଙ୍କୁ 9,444 ଭୋଟ୍ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ମୋମକୁବର୍ଙ୍କୁ ମାତ୍ର 5,501 ଭୋଟ୍ ମିଳିଛି। ଜିଲ୍ଲା ପରିଷଦର ଧୋପେବାଡା ଆସନ ତିନି ଥର ପାଇଁ ବିଜେପି କବ୍ଜାରେ ରହିଥିଲା। କିନ୍ତୁ ଚଳିତଥରା ଏହି ଆସନରେ ବାଜି ମାରିନେଇଯାଇଛି । ବିଜେପିର ସଂରକ୍ଷକ ଭୂମିକା ନିଭାଉଥିବା ତଥା ଆରଏସଏସ୍ର ସ୍ବୟଂସେବକସଂଘର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ନାଗପୁରଠାରେ ଅବସ୍ଥିତ। ଏପରି ସମୟରେ ଦଳର ଏହି ପରାଜୟକୁ ଏକ ବଡ ବିପର୍ଯ୍ୟୟ ଭାବେ ଦେଖାଯାଉଛି। (ଏଜେନ୍ସି)
କେଦାର ମିଶ୍ର
ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଶାସନିକ ଭାବରେ ଯେତିକି ନୁହେଁ, ବରଂ ରାଜନୈତିକ ଭାବରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ନିର୍ବାଚନରେ ହଠାତ ଆମ ଆଦମି ପାର୍ଟିର ଅଭ୍ୟୁଦୟ ଦିଲ୍ଲୀର ରାଜନୈତିକ ସମୀକରଣକୁ ପୂରା ବଦଳାଇ ଦେଇଥିଲା। ୨୦୧୨ରେ ହୋଇଥିବା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମି ପାର୍ଟି ବା ଆପ ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେବା ସହିତ ଲୋକପ୍ରିୟତାର ଚରମ ସୀମାରେ ଥିବା ବିଜେପିକୁ ମଧ୍ୟ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ଥର ନିର୍ବାଚନ ଲଢି ଆପ ୨୮ଟି ଆସନ ଓ ୨୯.୪୯% ଭୋଟ ହାସଲ କରିଥିଲା। ଯେ କୌଣସି ନୂଆ ଦଳ ଲାଗି ଏହା ଥିଲା ଆଶାତୀତ ସଫଳତା। କଂଗ୍ରେସ ସମର୍ଥନରେ ଆପ ନେତା ଅରବିନ୍ଦ କେଜ୍ରିୱାଲ ସରକାର ଗଢିଥିଲେ ମଧ୍ୟ ମାତ୍ର ୪୯ ଦିନରେ ତାଙ୍କ ସରକାର ଭାଙ୍ଗିଗଲା।
୨୦୧୫ ନିର୍ବାଚନର ପୃଷ୍ଠଭୂମିରେ ଆପ ଲାଗି ଅନେକ ସଙ୍କଟ ରହିଥିଲା। ସରକାର ଚଲାଇ ନ ପାରି ପଳାତକ ହେବାର ଅପବାଦ, ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ତଥା କେନ୍ଦ୍ରରେ ନବଗଠିତ ମୋଦୀ ସରକାରର ଲୋକପ୍ରିୟତା ଭଳି ଅତ୍ୟନ୍ତ ଶକ୍ତିଶାଳୀ ଆହ୍ଵାନକୁ ମୁକାବିଲା କରିବା ଦଳ ପକ୍ଷରେ ସହଜ ନଥିଲା। ହେଲେ ୨୦୧୫ ର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ଲାଗି ମୋଦୀଙ୍କ ନେତୃତ୍ବରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ୨୦୧୫ ନିର୍ବାଚନରେ ଆପକୁ ୭୦ ଆସନରୁ ୬୭ ଆସନ ଓ ୫୪.୩% ଭୋଟ ମିଳିଥିଲା। ଏହା ଥିଲା ସର୍ବକାଳୀନ ରେକର୍ଡ। ମୋଦୀ ହାୱାକୁ ପ୍ରତିହତ କରି ମାତ୍ର ବର୍ଷେ ଭିତରେ ଆପ ନିଜ ଭୋଟ ହାରକୁ ପ୍ରାୟ ଦୁଇଗୁଣ ବଢାଇବାରେ ସଫଳ ହୋଇଥିଲା।
୨୦୨୦ ନିର୍ବାଚନରେ ଆପ ସେହି ସଫଳତା ଦୋହରାଇ ପାରିବ କି? ୨୦୧୫ ଓ ୨୦୨୦ ଭିତରେ ଆପରେ ଅନେକ କିଛି ନୂଆ ପରିବର୍ତ୍ତନ ହୋଇଛି। ଜାତୀୟ ଅଭିଳାଷ ପରିତ୍ୟାଗ କରି ଦଳ ନିଜକୁ ମୁଖ୍ୟତଃ ଦିଲ୍ଲୀ କୈନ୍ଦ୍ରିକ ଦଳ ଭାବରେ ସଂଗଠିତ କରିଛି। ଦଳ ଭିତରେ ଅରବିନ୍ଦ କେଜ୍ରିୱାଲ ନିଜର ଏକାଧିପତ୍ୟ ଜାହିର କରିବା ସହିତ ଦଳର ପ୍ରାୟ ସବୁ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳରୁ ବିଦା କରି ସାରିଛନ୍ତି। ଦିଲ୍ଲୀରେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ର ବିଜେପି ସରକାରର ସର୍ବାଧିକ ଆକ୍ରୋଶର ଶିକାର ହେବା ପରେ ମଧ୍ୟ ଆପ ନିଜକୁ ଶକ୍ତିଶାଳୀ କରିବାରେ ସଫଳ ହୋଇଛି। କେନ୍ଦ୍ର ସରକାର ବନାମ ଦିଲ୍ଲୀ ସରକାରର ଝଗଡା ଯୋଗୁଁ ଆପ ସରକାର ପ୍ରଥମ ଦୁଇ ବର୍ଷ କାମ କରିପାରି ନ ଥିଲା। ଦିଲ୍ଲୀ ଉପରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଲଢେଇରେ ସୁପ୍ରିମ କୋର୍ଟ ନିର୍ଣ୍ଣାୟକ ରାୟ ନଦେବା ଯାଏ ଆପ ସରକାର ଏକ ପ୍ରକାର ଅସହାୟ ଅବସ୍ଥାରେ ରହିଥିଲା। ଏତେ ପ୍ରବଳ ରାଜନୈତିକ ଚାପକୁ ସମ୍ଭାଳି ପାଞ୍ଚ ବର୍ଷ ଶାସନ ଚଳାଇବା କେଜ୍ରିୱାଲଙ୍କର ସବୁଠୁ ବଡ ସଫଳତା ନିଶ୍ଚୟ।
ଗତ ତିନି ବର୍ଷ ଭିତରେ ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଆପ ସରକାର ପ୍ରଶଂସନୀୟ କାର୍ୟ କରିଛନ୍ତି। ତା ସତ୍ତ୍ୱେ ଦିଲ୍ଲୀ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଆପ ବିଜେପିଠାରୁ ହାରିଛି। ବିଧାନସଭା ନିର୍ବାଚନରେ ବିଜେପି ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇ ପାରିବ କି? ଆପ ପାଇଁ କେଜ୍ରିୱାଲଙ୍କ ନିର୍ଣ୍ଣାୟକ ନେତୃତ୍ଵ ରହିଥିବା ବେଳେ ବିଜେପି ଆଜି ମଧ୍ୟ ନେତୃତ୍ବଶୂନ୍ୟ ଅବସ୍ଥାରେ ରହିଛି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି କହୁନାହିଁ। ତେଣୁ କେଜ୍ରିୱାଲ ବନାମ ଆଉ କିଏ ର ଏକ ସନ୍ଦେହ ଭୋଟରଙ୍କ ପାଖରେ ରହିଛି।
ବିଜେପି ଲାଗି କେଜ୍ରିୱାଲ ସବୁଠୁ ବଡ କଣ୍ଟା ହୋଇ ଖୋଦ ରାଜଧାନୀରେ ରହିଛନ୍ତି। ତାଙ୍କୁ ହରାଇବା ବିଜେପି ଲାଗି ଏକ ପ୍ରକାର କର ବା ମର ସ୍ଥିତି ସୃଷ୍ଟି କରିଛି। ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର, ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ନିଶ୍ଚୟ ପଡିବ। ନିର୍ବାଚନ ଘୋଷଣା ହେବା ପରେ ପରେ ଏବିପି ଟିଭି ତରଫରୁ ଯେଉଁ ଜନମତ ସର୍ଭେ ହୋଇଛି ସେଥିରେ ୨୦୨୦ ରେ ଆପ ୫୯ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରିଛି। ତେବେ ଏହି ଅନୁମାନ ସତ୍ୟ ହେବ କି?
ନିର୍ବାଚନରେ ବିଜେପି ନିଜର ସବୁ ଶକ୍ତି ଓ କ୍ଷମତା ପ୍ରୟୋଗ କରି ଆପ ପାଖରୁ କ୍ଷମତା ଛଡାଇ ଆଣିବାକୁ ଚେଷ୍ଟା କରିବ। ଆସନ୍ତା ମାସେ ପର୍ୟନ୍ତ ଆପକୁ କେବଳ ବିଜେପି ସହିତ ଯେ ଲଢିବାକୁ ପଡିବ ତା ନୁହେଁ, ଏହାକୁ ବିଜେପିର ସମର୍ଥକ ଗଣମାଧ୍ୟମ ସହ ଲଢିବା ସବୁଠୁ ବଡ ଆହ୍ଵାନ ହେବାକୁ ଯାଉଛି। ଦିଲ୍ଲୀ ବିଜେପି ଗୁଜବ, ଅପପ୍ରଚାର ଓ ଷଡଯନ୍ତ୍ର ରଚନାରେ ଆପକୁ ଘାଏଲା କରିବ ନିଶ୍ଚୟ।
ସରକାର ଭାବରେ ସଫଳତାର ଆକଳନ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାମକୁ ନେଇ ହେବ ନା ପ୍ରଚାର ସର୍ବସ୍ଵ ରାଜନୀତି ଦ୍ଵାରା ପ୍ରଭାବିତ ହେବ, ତାହା ଦେଖିବାକୁ ପଡିବ। କିଏ ଜିତିବ ବା ହାରିବ ତାହା ତ ଫେପୃଆରି ୧୧ ରେ ଜଣାପଡିବ, ହେଲେ ଏହି ନିର୍ବାଚନକୁ ନେଇ ଉଦବେଗ ଓ ଉତ୍ତେଜନା ଆଜିଠୁ ବଳବତ୍ତର ରହିବ।