ଖେଳ କରିଦେଇ ହସିଲେ ସାଂସଦ ଅପରାଜିତା, ସମ୍ବଲପୁର ପରେ ଭୁବନେଶ୍ବରକୁ ମଧ୍ୟ ଆସିବେ ମୋଦି

Published: Jan 29, 2024, 11:58 am IST

ଭୁବନେଶ୍ବର: ରାଜ୍ୟ ବିଜେପିରେ ଚାଲିଛି ଭିତିରିଆ ଟକ୍କରା ଟକ୍କରି। ଏକଥା ପଦାକୁ କେହି କହୁ ନ ଥିଲେ ମଧ୍ୟ ତାହା ସ୍ପଷ୍ଟ ବାରି ହୋଇପଡୁଛି। ଦଳରେ ଦୁଇ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଚା। ଏବେ ନୁହେଁ ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଉଭୟଙ୍କ ମଧ୍ୟରେ ଭଲ ପଡୁ ନାହିଁ ତାହା ସମସ୍ତଙ୍କୁ ଜଣା।

ବର୍ତ୍ତମାନ ସଦ୍ୟ ପ୍ରସଂଗକୁ ଆସିବା। ପ୍ରଥମେ ଫେବୃୟାରୀ ତିନି ତାରିଖରେ ସମ୍ବଲପୁର ଗସ୍ତରେ ମୋଦି ଆସିବେ ବୋଲି ଘୋଷଣା ହେଲା। ସେଠାରେ ସେ ଆଇଆଇଏମ ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହିତ ଦଳିୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ଧର୍ମେନ୍ଦ୍ର ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହେଉଛନ୍ତି। ସେଥିପାଇଁ ସେ ବହୁ ପରିଶ୍ରମ କରି ମୋଦିଙ୍କୁ ଆଣି ତାଙ୍କ ସପକ୍ଷରେ ପ୍ରଚାର କରାଇବେ। ଯାହାକୁ ନେଇ ସେ ବେଶ ଖୁସି ହୋଇପଡିଥିଲେ।

ହେଲେ ଏ କଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ହଜମ ହେଲା ନାହିଁ। ସେ କିପରି ମୋଦିଙ୍କୁ ଭୁବନେଶ୍ବର ଆଣିବେ ଆରମ୍ଭ କଲେ ପ୍ରଚେଷ୍ଠା। ସାଥ୍ ଦେଲେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରଭାରୀ ବୈଜୟନ୍ତ ପଣ୍ଡା। ଉଭୟଙ୍କ ପ୍ରଚେଷ୍ଠାରେ ଭୁବନେଶ୍ବରରେ ଏକ ମହିଳା ସମ୍ମିଳନୀରେ ଆୟୋଜନ ହେବାକୁ ନିଷ୍ପତି ହେଲା। ଆଉ ସେଥିରେ ମୋଦି ଯୋଗ ଦେବେ ବୋଲି ସ୍ବୀକୃତ ଦେଲେ।

ସେହି ଅନୁସାରେ ଓଡିଶା ବିଜେପି ସଭାପତି ମନମୋହନ ସାମଲ ପୁଣି ଥରେ ଘୋଷଣା କଲେ ଯେ, ମୋଦି ଫେବୃୟାରୀ 10 ତାରିଖରେ ମଧ୍ୟ ଓଡିଶା ଆସିବେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଜାତୀୟ ମହିଳା ସମ୍ମିଳନୀରେ ଯୋଗଦେବେ। ଏହାପରେ ଅପରାଜିତା କୁଆଡେ ଖୁସିରେ ହସିଲେ ବୋଲି କୁହାଯାଉଛି।

ଏହି ଖବର ପରେ ବିଜେପି ଦଳ ଭିତରେ ଆରମ୍ଭ ହେଲା ଟୁପୁରୁଟାପର। କାରଣ ଫେବୃୟାରୀ 10 ତାରିଖରେ କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର ହୋଇ ନ ଥିଲା। ହେଲେ ସମ୍ବଲପୁର ପରେ ଭୁବନେଶ୍ବର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ସମସ୍ତେ ଏହାର ଗୁଢ ରହସ୍ୟ ଜାଣିପାରିଲେ।ମ୍ୟାଡମ ଅପରାଜିତ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଏହା ଏକ ବଡ ଖେଳ ବୋଲି ସମସ୍ତେ ଅନୁଭବ କଲେ।

ସମ୍ବଲପୁରରେ ସରକାରୀ ସହିତ ଦଳିୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ହେଲେ ଭୁବନେଶ୍ବରରେ ପୁରା ଦଳୀୟ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। କାରଣ ଭୁବନେଶ୍ବରରେ ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମ ଅଛି ବୋଲି ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଆଉ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରଧା ସାଜିବେ ଉଭୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା। ତେବେ ଏଥିରେ ଧର୍ମେନ୍ଦ୍ରଙ୍କ ଯୋଗଦାନ ରହିବ କି ନାହିଁ ତାହା ଜଣାପଡି ନାହିଁ।

Related posts