Categories
ବିଶେଷ ଖବର

ଭାରତ ଚୀନ ସୀମା ବିବାଦ ତୃତୀୟ ବିଶ୍ଵଯୁଦ୍ଧର କାରଣ ହେବାର ସମ୍ଭାବନା ରହିଛି କି?

କେଦାର ମିଶ୍ର

ଜୁନ ମାସରେ ଯେତେବେଳେ ଭାରତ ଓ ଚୀନ ଭିତରେ ସୀମା ବିବାଦ ଉଗ୍ର ଅବସ୍ଥାକୁ ଆସିଥିଲା, ସେତେବେଳେ ଏହା ତୃତୀୟ ବିଶ୍ଵଯୁଦ୍ଧର କାରଣ ହୋଇପାରେ ବୋଲି ପୃଥିବୀର ବହୁ ବଡ ବଡ ଖବର କାଗଜ ଲେଖିଥିଲେ। ଭାରତୀୟ ଗଣମାଧ୍ୟମରେ ଏହାକୁ ଜାତୀୟତାବାଦର ପରିଚୟ ଭିତରେ ବିଶ୍ଳେଷଣ ଚାଲିଥିବା ବେଳେ, ବିବିସି, ଦି ଫରେନ ଆଫେୟାର୍ସ, ଦି ସନ ଭଳି ସଂସ୍ଥା ଏହାକୁ ସମ୍ଭାବ୍ୟ ବିଶ୍ଵ ସଙ୍କଟ ଭାବେ ବିଶ୍ଳେଷଣ କରୁଥିଲେ। ସମ୍ପ୍ରତି ଚୀନ ଓ ଆମେରିକା ଭିତରେ ସମ୍ପର୍କ ଏତେ ଅଧିକ ତିକ୍ତ ଅବସ୍ଥାରେ ରହିଛି ଯେ, ଏହା କୌଣସି ବି ଘଟଣାରୁ ବହୁ ଭୟଙ୍କର ଦିଗକୁ ଗତି କରିପାରେ। ସେହି ସମୟରେ ଚୀନ-ଭାରତ ସୀମା ବିବାଦ, ପରିସ୍ଥିତିକୁ ଅଧିକ ଅଣାୟତ୍ତ କରିବା ସ୍ଵାଭାବିକ।

ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ ର କାରଣ ଭାବରେ ଯେଉଁ ପାଞ୍ଚୋଟି ବିନ୍ଦୁକୁ ଚିହ୍ନିତ କରାଯାଏ, ସେଗୁଡିକ ହେଲା- ୧. ସାମରିକ ଚୁକ୍ତିଭିତ୍ତିକ ସମ୍ପର୍କ, ୨-ଜାତୀୟତାବାଦ, ୩.ସାମରିକ ଅହଂକାର, ୪.ଉପନିବେଶବାଦୀ ବିଚାର ଓ ୫. ରାଜନୈତିକ ହତ୍ୟାକାଣ୍ଡ। ପ୍ରଥମ ଚାରୋଟି କାରଣ କ୍ରମାଗତ ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜନୈତିକ ହତ୍ୟାକାଣ୍ଡ ଯୁଦ୍ଧ ପରିସ୍ଥିତିକୁ ବାଧ୍ୟତାମୂଳକ କରିଥାଏ। ଜୁନ,୨୦୧୪ରେ ଅଷ୍ଟ୍ରିଆ-ହଙ୍ଗେରୀର ଆର୍କ ଡ୍ୟୁକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ସର୍ବିଆର ଜାତୀୟତାବାଦୀମାନେ ହତ୍ୟା କରିବା ପରେ, ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା। ଏହି ରାଜନୈତିକ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଦୁଇଟି ବିଶ୍ଵଯୁଦ୍ଧର କାରଣ ପାଲଟିଥିଲା। ବିଶ୍ଵଯୁଦ୍ଧର ଧ୍ଵଂସ ଓ ପାଗଳାମିରୁ ଆମେ ବୋଧେ କିଛି ଶିଖିନାହୁଁ।

୧୯୪୫ର ଦ୍ଵିତୀୟ ମହାଯୁଦ୍ଧ ପରେ ହୁଏତ ଆମେ ଆଉ ବିଶ୍ଵଯୁଦ୍ଧ ର ସାମ୍ନା କରିନାହୁଁ। ହେଲେ ଦ୍ଵିତୀୟ ବିଶ୍ଵଯୁଦ୍ଧର ୭୪ ବର୍ଷ ପରେ ଆମେ ଆଉ ଏକ ବିଶ୍ଵଯୁଦ୍ଧକୁ ସାମ୍ନା କରିବା ଭଳି ପରିସ୍ଥିତିରେ ଠିଆ ହୋଇଛୁ। ବିଶ୍ଵଯୁଦ୍ଧ ପୂର୍ବବର୍ତ୍ତୀ ପୃଥିବୀର ରାଜନୀତି ସହିତ ସମାନ ରାଜନୈତିକ ପୃଷ୍ଠଭୂମି ଆଜି ଦେଖା ଦେଇଛି। ବିଶ୍ଵର ବିଭିନ୍ନ ରାଷ୍ଟ୍ରରେ ଅହଙ୍କାରୀ, ଉଗ୍ର ଜାତୀୟତାବାଦୀ ଓ ଯୁଦ୍ଧଖୋର ଶାସକମାନେ ଲୋକ ସମର୍ଥନ ପାଉଛନ୍ତି। ଆମେରିକାରେ ଡୋନାଲ୍ଡ ଟ୍ରମ୍ଫ, ଚୀନରେ ସି ଜିଂପିନ, ଋଷିଆରେ ଭ୍ଲାଦିମିର ପୁଟିନ, ତୁର୍କୀରେ ରିଶେପ ତାଈପ ଇର୍ଦ୍ଦୋଗନ, ଇଂଲଣ୍ଡରେ ବୋରୀସ ଜନସନ, ଭାରତରେ ନରେନ୍ଦ୍ର ମୋଦୀ ପ୍ରମୁଖ ରାଜନୀତିରେ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର କରୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଗ୍ର ଜାତୀୟତାବାଦୀ ଅହଙ୍କାରରକୁ ଏବେ ସବୁଠୁ ବଡ ରାଜନୀତି ଭାବେ ଉପସ୍ଥାପନ କରିବାର ଉଦ୍ୟମ ଚାଲିଛି। ଏହାକୁ ସାମ୍ନା କରିବାକୁ ଚୀନରେ ମଧ୍ୟ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର ଘଟୁଛି। ଭାରତ-ଚୀନ ସୀମା ବିବାଦ ପରେ ଏହା ଅଧିକ ତୀବ୍ର ହେବା ଆରମ୍ଭ କରିଛି।

ସଦ୍ଦାମ ହୁସେନଙ୍କୁ ଫାଶୀ ଦେଇ ଓ ଓସାମା ବିନ ଲାଦେନକୁ ଖତମ କରିଦେଇ    ଆମେରିକା ଗୋଟେ ସମୟରେ ମଧ୍ୟ ପ୍ରାଚ୍ୟ ଉପରେ କବଜା କରିନେଇଛି ବୋଲି ଭାବୁଥିଲା। ତେବେ ଇରାକ ଓ ଆଫଗାନିସ୍ତାନ କୁ ସାମରିକ ଭାବରେ ଜୟ କରିବାର ଉଦ୍ୟମ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇଟି ରାଷ୍ଟ୍ର ଆମେରିକାର କବଜାରେ ରହିଥିଲେ ମଧ୍ୟ, ସେଠାରୁ ପୃଥିବୀର ସର୍ବାଧିକ ସନ୍ତ୍ରାସବାଦୀ ସୃଷ୍ଟି ହେଉଛନ୍ତି।ଏହା ସହିତ ସିରିଆର ସ୍ଥିତି ସୁଧୁରିବାର କୌଣସି ସମ୍ଭାବନା ଦିଶୁନାହିଁ। ସିରିଆ, ଇରାକ ଓ ଆଫଗାନିସ୍ତାନରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ମୁଖ୍ୟତଃ ଆମେରିକା ହିଁ ଦାୟୀ।

କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଇରାନ ସହିତ ଆମେରିକା ମୁହାଁମୁହିଁ ହେବା ଆରମ୍ଭ କରିଥିଲା ।ମାର୍ଚ୍ଚ ମାସରେ ଇରାନର  ଜଣେ ପ୍ରଭାବଶାଳୀ ସେନାବାହିନୀ ଅଧିକାରୀ ମେଜର ଜେନେରାଲ କାଶିମ ସୁଲେମାନୀକୁ ଆମେରିକା ହତ୍ୟା କରିଥିଲା। ଇରାକର ବାଗଦାଦ ବିମାନ ବନ୍ଦର ନିକଟରେ ଜଣେ ଇରାକୀ ସେନା ଅଧିକାରୀ ଙ୍କ ସହିତ ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ,ଏହାକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ଯେଉଁ  ଉତ୍ତେଜନା ବଢିଥିଲା, ତାହା କରୋନା କାରଣରୁ ପ୍ରଶମିତ ହୋଇଛି। ସେତେବେଳେ ଇରାନ ସମର୍ଥନରେ ଚୀନ ଓ ଋଷିଆ ଖୋଲାଖୋଲି ବାହାରିଥିବା ଯୋଗୁଁ ପରବର୍ତ୍ତୀ ରାଜନୈତିକ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା।

ଗତ ଚାରିମାସ ଭିତରେ ଚୀନ ବନାମ ବାକି ବିଶ୍ଵ ଭଳି ଏକ ଉତ୍ତେଜକ ପରିସ୍ଥିତି ବଢି ଚାଲିଛି। ସେଥିରେ ଭାରତ ସହିତ ଚୀନର ସୀମା ବିବାଦ ପରିସ୍ଥିତିକୁ ବେଶୀ ଜଟିଳ କରିଛି। ଭାରତ ଓ ଚୀନ ଭିତରେ ସୀମା ବିବାଦ ଆଦୌ ସାମୟିକ ନୁହେଁ ଓ ଏହା ଏକ ଦୀର୍ଘସ୍ଥାୟୀ ସଙ୍କଟ ହୋଇ ଆଗକୁ ରହିବ। ଦ୍ଵିପାକ୍ଷିକ ଆଲୋଚନା ଜରିଆରେ ସମାଧାନ ବାହାର କରିବା ଭଳି ରାଜନୈତିକ ପରିସ୍ଥିତି ବର୍ତ୍ତମାନ କୌଣସି ଦେଶରେ ନାହିଁ। ଉଗ୍ର ଜାତୀୟତାବାଦର ରାଜନୀତି ଆଜିର ତାରିଖରେ ବିଶ୍ଵଶାନ୍ତି ଲାଗି ଏକ ବଡ ସଙ୍କଟ ତିଆରି କରିଛି। ଆଗାମୀ ଦିନରେ ପୃଥିବୀର ଗତି କେଉଁ ଦିଗକୁ ଯିବ, ତାହା ନଭେମ୍ବର ମାସରେ ଅଧିକ ସ୍ପଷ୍ଟ ଜଣାପଡିବ।ନଭେମ୍ବର ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଜିତିବେ ନା ହାରିବେ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। ତେବେ ଭାରତ ଓ ଚୀନ ମଧ୍ୟରେ ଯଦି ବିବାଦ ଲାଗି ରହେ, ତାହେଲେ ଏହା ଭବିଷ୍ୟତରେ ଏକ ବୃହତ୍ତର ବିଶ୍ଵ ସଙ୍କଟକୁ ଜନ୍ମଦେବ।

Categories
ଆଜିର ଖବର ବିଶେଷ ଖବର

ଭାରତ ସହିତ ସୀମା ବିବାଦ ଏବେ ଚୀନ୍ ପାଇଁ ବୁମେରାଂ ହୋଇପାରେ, କାମ ଦେଉଛି ମୋଦି ଡିପ୍ଲୋମାସୀ

ଲିଙ୍ଗରାଜ ମିଶ୍ର

ବିଶ୍ବ ଦରବାରର କ୍ରମଶଃ ଖୋଲିବାରେ ଲାଗିଛି ଚୀନର ଅସଲ ଚେହେରା।କରୋନା ଭୂତାଣୁଠାରୁ ଆରମ୍ଭ କରି ବିସ୍ତାରବାଦୀ ନୀତି ସବୁ କଥା ଆସ୍ତେ ଆସ୍ତେ ପଦାକୁ ଆସୁଛି। ଗୋଟିଏ ପଟେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ଜାପାନ ଆଦି ରାଷ୍ଟ୍ର ଚୀନର ଦାଦାଗିରିକୁ ଜୋରଦାର ବିରୋଧ କରି ଏକାଠି ହେଉଛନ୍ତି । ଅନ୍ୟ ପଟେ ସୀମା ବିବାଦ ନେଇ ଭାରତ-ଚୀନ ସାମରିକ ଉତ୍ତେଜନା ବଢୁଥିବା ବେଳେ ମୋଦି ଡିପ୍ଲୋମାସୀ ସାରା ବିଶ୍ବର ଦୃଷ୍ଚି ଆକର୍ଷଣ କରିଛି। ଯାହାକି ଚୀନର ମୁଣ୍ଡବ୍ୟଥା ବଢାଇ ଦେଇଛି।

ଲଦାଖର ଆଗୁଆ ଘାଟୀ ଗସ୍ତ କରି ସେଠାରୁ ଚୀନକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଅନେକ ବିଶ୍ବ ନେତାଙ୍କୁ ଚକିତ କରି ଦେଇଛି । ଚୀନ ସହିତ ଭାରତର ସୀମା ବିବାଦ ଏବେକାର ନୁହେଁ, ଏହା ବହୁ ବର୍ଷ ଧରି ରହି ଆସିଛି । ବ୍ରିଟିଶ ଶାସନ କାଳରୁ ତିବ୍ବତକୁ କେନ୍ଦ୍ର କରି ଭାରତ-ଚୀନ ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ପିପୁଲସ ରିପବ୍ଲିକ ଅଫ ଚାଇନାର ନେତା ମାଓ ସେ ତୁଙ୍ଗଙ୍କ ନୀତିକୁ ଯଦିକୁ ଆମେ ପକାଇବା ସର୍ବଦା ସେ କହୁଥିଲେ, ତିବ୍ବତ ଯଦି ଚାଇନାର ଦକ୍ଷିଣ ହାତର ପାପୁଲି ହୁଏ, ତେବେ ଲଦାଖ, ନେପାଳ, ସିକ୍କିମ, ଭୂଟାନ ଓ ଅରୁଣାଚଳ ପ୍ରଦେଶ ହେଉଛି ପାଞ୍ଚଟି ଆଙ୍ଗୁଠି ।

କିନ୍ତୁ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଦେଶର ଭୌଗୋଳିକ ସ୍ଥିତିରେ ପରିବର୍ତ୍ତନ ହୋଇଥିଲା । ତତକାଳୀନ ବ୍ରିଟିଶ ସରକାରଙ୍କ ସମୟରେ ତିବ୍ବତ ଓ ଭାରତର ନର୍ଥ ଇଷ୍ଟ ରାଜ୍ୟ ସମୂହକୁ ନେଇ ଏକ ଆନ୍ତର୍ଜାତିକ ସୀମାରେଖା ଟଣା ଯାଇଥିଲା । ଯାହାକୁ କୁହାଯାଉଥିଲା ମ୍ୟାକମୋହନ ଲାଇନ । କିନ୍ତୁ ସେ ସମୟରୁ ନେଇ ଏ ପର୍ଯ୍ୟନ୍ତ ଚୀନ ସବୁବେଳେ ସୀମାରେଖା ଅତିକ୍ରମଣ କରି ଆସିଛି । ଆଗକୁ ମାଡି ଆସି ପରେ ସାମରିକ ହେଉ ବା ବେସାମରିକ ସ୍ତରରେ ଆଲୋଚନା ପରେ ଅତିକ୍ରମଣ ଅଞ୍ଚଳରୁ ମାତ୍ର କିଛି ଦୂର ପଛକୁ ହଟିଯିବା ଚୀନର ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଛି ।

1962 ଯୁଦ୍ଧରେ ପରାଜିତ ହେବା ପରଠାରୁ ଚୀନ ସୀମାରେ ଭାରତୀୟ ଯବାନଙ୍କ ମନୋବଳ ଦୁର୍ବଳ ହୋଇଥିବା କାରଣରୁ ଚୀନ୍ ସବୁବେଳ ସାଇକୋଲୋଜିକାଲ ୱାରରେ ଭାରତଠାରୁ ଆଗୁଆ ବୋଲି ଏକ ଛାପ ରହି ଆସିଥିଲା । ତେଣୁ ସବୁବେଳେ ଚୀନ ଅତିକ୍ରମଣ କରିବା ପରେ ସୀମାରେଖାରେ ସ୍ଥିତାବସ୍ଥା ବଜାୟ ରଖିବା କଥା କହି ଆସୁଛି । କିନ୍ତୁ କେତେବେଳେ ବି ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିକୁ ସମ୍ମାନ ଦେଉନାହିଁ । ଦାଦାଗିରି କରିବା ଅଭ୍ୟାସ ଛାଡିବାକୁ ଚୀନୀ ସେନା ଆଦୌ ପ୍ରସ୍ତୁତ ନୁହଁନ୍ତି ।

ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଚୀନ ସହିତ ସୀମା ବିବାଦର ଆପୋଷ ସମାଧାନ ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରି ବାରମ୍ବାର ଚୀନ ଗସ୍ତ କରିଥିଲେ । ଦୁଇ ଦୁଇ ଥର ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ ଭାରତ ଆମନ୍ତ୍ରଣ କରି ଆତିଥେୟତାରେ ଭରି ଦେଇଥିଲେ । କିନ୍ତୁ ଚୀନ ତାର ପୂରୁଣା ଅଭ୍ୟାସ ଛାଡି ପାରିନଥିଲା । କରୋନାକୁ ନେଇ ସାରା ବିଶ୍ବ ଲଢୁଥିବା ବେଳେ ସୀମାରେ ଅତିକ୍ରମଣ କରିବାର ଦୁଃସାହସ କରିଥିଲା । ଚୀନ ଭାବିଥିଲା ଭାରତ ଏଥିରେ ଦବିଯିବ, ଆଉ ଏହି ସୁଯୋଗରେ ଲଦାଖ ସୀମାରେ ହିଲ୍ ଏରିଆକୁ ଦଖଲ କରିନେବ । ଚୀନ ଉତକ୍ଷିପ୍ତ ହେବାର ଆଉ ଏକ କାରଣ ଥିଲା, ଭାରତ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିବା । ଭାରତ ଆଗରେ ପାକିସ୍ତାନ କମଜୋର ହେବା ଚୀନ ବରଦାସ୍ତ କରି ପାରିନଥିଲା ।

କିନ୍ତୁ ଏଥର ଚୀନକୁ ଉଚିତ ଜବାବ ଦେଇଛି ଭାରତ । କାମ ଦେଇଛି ମୋଦି ଡିପ୍ଲୋମାସୀ । ମୋଦି ଲଦାଖରୁ ବିଶ୍ବ ସମୁଦାୟକୁ ଜଣାଇ ଦେଇଛନ୍ତି ଭାରତ ଶାନ୍ତିପୂର୍ଣ୍ଣ ସହବସ୍ଥାନକୁ ଯେତିକି ସମ୍ମାନ ଦିଏ, ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶତ୍ରୁ ପକ୍ଷକୁ ଉଚିତ ଜବାବ ଦେବାକୁ ବି ପ୍ରସ୍ତୁତ । ଚୀନ୍ ସୈନିକ ସେମାନଙ୍କ ସ୍ଥାନକୁ ନ ଫେରିବା ଯାଏଁ ଭାରତ ଚୂପ୍ ହୋଇ ବସିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଚୀନକୁ ରୋକ୍ ଠୋକ୍ କହି ଦେଇଛନ୍ତିଷ । ଆଉ ଭାରତର ନୀତି ପ୍ରତି ବିଶ୍ବର ସମସ୍ତ ଶକ୍ତିଶାଳୀ ରାଷ୍ଟ୍ରର ସମର୍ଥନ ବି ରହିଛି । ସୁତରାଂ ଚୀନ ଏବେ ବ୍ୟାକଫୁଟକୁ ଚାଲିଯିବା ଭଳି ମନେ ହେଉଛି । ହଂକଂ, ତାଇୱାନ, ଭିଏତନାମ ସଂକଟ ସମେତ ଚୀନ୍ ଅନେକ ଆଭ୍ୟନ୍ତରୀଣ ସମସ୍ୟା ଘେରରେ ଥିବା ବେଳେ ଭାରତ ସହିତ ଏ ପରିସ୍ଥିତିରେ ବିବାଦ ଅଧିକ ବଢିଲେ ଏହା ହୁଏତ ଚୀନ ପାଇଁ ବୁମେରାଂ ହୋଇପାରେ, ଏଥିରେ ସନ୍ଦେହ ନାହିଁି ।