Categories
ବିଶେଷ ଖବର

ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?

ସମୀକ୍ଷା ବ୍ୟୁରୋ

ପାଟକୁରା ନିର୍ବାଚନ ସରିଛି ଓ ଆସନ୍ତା ୨୪ରେ ଏହାର ଫଳାଫଳ ଘୋଷଣା ହେବ। ହେଲେ ଫଳ ବାହାରିବା ଆଗରୁ ଇଭିଏମ କୁ ନେଇ ଯେଉଁ ପ୍ରକାର ଗଣ୍ଡଗୋଳ ଘଟୁଛି ଓ ଭୁବନେଶ୍ବରରେ ବିଜେପି ନେତାମାନେ ଯେଉଁପ୍ରକାର ପ୍ରତିକ୍ରିୟା ରଖୁଛନ୍ତି, ସେଥିରୁ ଗୋଟେ କଥା ର ଆଭାସ ଅବଶ୍ୟ ମିଳୁଛି। ପାଟକୁରାରେ ବିଜେପି ନିଜ ସଫଳତାକୁ ନେଇ ବିଶେଷ ଆଶାବାଦୀ ଥିବାଭଳି ଲାଗୁନାହିଁ। ଯଦିଓ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପରାଜୟକୁ ନେଇ ଦୃଢୋକ୍ତି ରଖିଛନ୍ତି ଓ ତାଙ୍କର ଅନୁଗତ କିଛିଜଣ ସାମ୍ବାଦିକ ସେ ଅତି କମ ବ୍ୟବଧାନରେ ଜିତିବେ ବୋଲି ପ୍ରଚାର ଚଳାଇଛନ୍ତି, ବିଜେପି କିନ୍ତୁ ନିଜ ଆଚରଣରେ ପରାଜୟକୁ ଏକ ପ୍ରକାର ସ୍ଵୀକାର କରିନେଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ପାଟକୁରାରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି ଓ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିକୁ ସାହାଯ୍ୟ କରିଛନ୍ତି।

ଏ ପ୍ରକାର କାହାଣୀ ନିର୍ବାଚନ ପରେ ଆତ୍ମା ବିଶ୍ବାସର ଅଭାବରୁ ଆସିଥାଏ। ବର୍ତ୍ତମାନ ସମୟରେ ସାରା ଦେଶରେ ବିଜେପି ଇଭିଏମ ଜାଲସାଜିକୁ ଅସ୍ଵୀକାର କରୁଥିବା ବେଳେ ପାଟକୁରାରେ ଏକାକୀ ତାହା ସମ୍ଭବ ହେବ କେମିତି? କେତୋଟି ସମ୍ବେଦନଶୀଳ ବୁଥରେ ହୁଏତ କିଛି ଅନିୟମିତତା ହୋଇଥାଇପାରେ, ହେଲେ ପୁରା ନିର୍ବାଚନ ସହ ସମ୍ପୃକ୍ତ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିର ସହଯୋଗୀ ବୋଲି କହିବା ହାସ୍ୟାସ୍ପଦ ବ୍ୟାପାର। ଗୋଟେ ପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ ରେ ଗଡବଡି ହେବା ଅସମ୍ଭବ ନିଶ୍ଚୟ। ତାପରେ ଏକାକୀ ଗୋଟିଏ ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ହେଉଥିବାରୁ ସବୁ ରାଜନୈତିକ ଦଳ, ଗଣମାଧ୍ୟମ ଓ ଭୋଟରଙ୍କ ନଜର ଏହାର ପ୍ରତ୍ୟେକ ବୁଥ ଉପରେ ରହିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ ଏହାକୁ ଲୋକଙ୍କ ନଜରରୁ ଲୁଚା ଯାଇପାରିବ ନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ବିଜେପି ନିଜର ପାଟକୁରା ଗଣିତ ବିଷୟରେ ମୂଳରୁ ସଚେତନ। ବିଜୟ ମହାପାତ୍ରଙ୍କୁ ଜିତାଇବା ଲାଗି ବିଜେପି ଯେ ଆବଶ୍ୟକୀୟ ହୋମୱାର୍କ କରିନାହିଁ, ସେକଥା ଜଳ ଜଳ ଦିଶୁଛି। ତେଣୁ ଫଳ ବାହାରିବା ଆଗରୁ ଇଭିଏମ ପ୍ରସଙ୍ଗ ଉଠାଇ ବିଜେପି ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଜାଣନ୍ତି ଯେ ଦଳ ତାଙ୍କ ପଛରେ ସେତେ ଦୃଢତାର ସହିତ ଛିଡା ହୋଇନାହିଁ। ଏବେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଇଭିଏମ ଓ ପ୍ରିଜାଇଡିଂ ଅଫିସରଙ୍କ ବାହାନା କରାଯାଉଛି। ଯଦି ସତରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି, ତେବେ ଏହାର ପ୍ରମାଣ ଦେଖାଇ ପୁରା ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିବ କି? ଯଦି ନିର୍ବାଚନ କମିଶନ ବିଜେପିର ଦାବି ଣ ମାନନ୍ତି ତାହେଲେ ବିଜେପି ହାଇକୋର୍ଟ ରେ ମାମଲା ଦାୟର କରିବ କି?

ସମସ୍ତେ ଜାଣନ୍ତି ଆସନ୍ତା ୪୮ ଘଣ୍ଟା ପାଇଁ ଏହା କେବଳ ଏକ ଗାଲୁଗପ। ରାଜ୍ୟସଭା ନିର୍ବାଚନରେ ବିଜେଡ଼ିଠାରୁ ମାତ୍ରାଧିକ ଅନୁଗ୍ରହ ନେଇ ସାରିଲା ପରେ ବିଜେଡି ବିରୋଧରେ କହିବାକୁ ବିଜେପି ପାଖରେ ଆଉ ବିଶେଷ କିଛି ନାହିଁ। ପାଟକୁରାରେ ବିଜେପି ବିଜେଡି ଲଢେଇ ଅପେକ୍ଷା ବିଜୟ ମହାପାତ୍ର ବନାମ ବିଜେଡି ଲଢେଇ ଦେଖିବାକୁ ମିଳିଥିଲା। ବିଜେପି ଭଲଭାବରେ ଜାଣେ ଯେ, ବିଜୟ ମହାପାତ୍ର ଜିତିଲେ ମଧ୍ୟ ତାହାର ଶ୍ରେୟ ବିଜେପିକୁ ମିଳିବ ନାହିଁ। ତେଣୁ ପ୍ରକାରାନ୍ତରେ ନିର୍ବାଚନ ଫଳ ବାହାରିବା ଆଗରୁ ବିଜେପି ନିଜ ପରାଜୟକୁ ସୁରକ୍ଷା ଦେବାଲାଗି ଇଭିଏମକୁ ଏକ କବଚ ଭାବରେ ବ୍ୟବହାର କରିବାକୁ ଚାହୁଁଛି।

Categories
ବିଶେଷ ଖବର

ଦୁଇ ବର୍ଷରେ ତିନୋଟି ନିର୍ବାଚନ- ବିଜେପୁର ଭୋଟରଙ୍କ ପାଇଁ ବିକାଶର ବର୍ଷା ନା ଅଦୃଶ୍ୟ ମନସ୍ତାତ୍ତ୍ଵିକ ଚାପ

କେଦାର ମିଶ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଳି ବିଧାନସଭା ଆସନରୁ ଜିତିଥିବାରୁ, ବିଧି ମୁତାବକ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଛି। ଶେଷ ନିଷ୍ପତ୍ତି କ୍ରମେ ନବୀନ ବାବୁ ତାଙ୍କର ପୁରୁଣା ଆସନ ହିଂଜିଳିକୁ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହାର ପରିଣତି ସ୍ଵରୂପ ଆସନ୍ତା ମାସେ ଦୁଇ ମାସ ଭିତରେ ବିଜେପୁରରେ ଇଉପିଏ ନିର୍ବାଚନ ଅନୁଷ୍ଠିତ ହେବ। ହୁଏତ ପାଟକୁରା ଓ ବିଜେପୁର ଆସନ ପାଇଁ ଏକା ସାଙ୍ଗରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ମନ୍ତ୍ରୀ ମଣ୍ଡଳ ଗଠନ ଓ ବିଭାଗ ବଣ୍ଟନ ବେଳେ ପଶ୍ଚିମ ଓଡିଶା ଉପରେ ଯେଉଁ ପ୍ରକାର ଗୁରୁତ୍ଵ ଦିଆଗଲା, ସେଥିରୁ ଗୋଟେ ସଙ୍କେତ ସ୍ପଷ୍ଟ ଥିଲା ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡୁଛନ୍ତି। ତାହା ସହିତ, ବିଜେପୁରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ୟ ଉପ ନିର୍ବାଚନକୁ ମିଶାଇ ଗତ ଦୁଇ ବର୍ଷରେ ବିଜେପୁରରେ ଏହା ହେବ ତୃତୀୟ ନିର୍ବାଚନ। ଓଡିଶାର ନିର୍ବାଚନୀ ଇତିହାସରେ ଲଗାତାର ଏମିତି ତିନୋଟି ନିର୍ବାଚନ ହେବାରେ ବିଜେପୁର ବୋଧେ ପ୍ରଥମ ଇତିହାସ ସୃଷ୍ଟି କରିବ।

ଐତିହାସିକ ଦୃଷ୍ଟିରୁ ବିଜେପୁର ପଶ୍ଚିମ ଓଡିଶାର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ଭାବରେ ରହି ଆସିଛି। ବିଶେଷ କରି କଂଗ୍ରେସ ରାଜନୀତିରେ ବିଜେପୁରର ସ୍ଥାନ ସ୍ଵତନ୍ତ୍ର। ୧୯୬୧ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠୁ ଏଠାରୁ ୮ ଥର କଂଗ୍ରେସ ପ୍ରାର୍ଥୀ ମାନେ ଜିତି ଆସିଛନ୍ତି। ୨୦୦୪ ରୁ ୨୦୧୪ ପର୍ୟନ୍ତ ବିଜେଡି ହାୱାକୁ ପ୍ରତିହତ କରି ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନିଥର ନିର୍ବାଚିତ ହୋଇଥିଲେ। ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ସେ ବର୍ଷ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ପାରମ୍ପରିକ ସଂଘର୍ଷ ଭିତରକୁ ବିଜେପି ଧସେଇ ପଶିଥିଲା ଓ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପୁର ଉପ ନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଗଲା। ତେବେ ସେଇ ସେମିଫାଇନାଲରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିପୁଳ ଭୋଟରେ ସେଠାରୁ ନିର୍ବାଚନ ଜିଣିଥିଲେ।

୨୦୧୯ ନିର୍ବାଚନ ବେଳକୁ ବିଜେପୁର ପୁଣି ଇତିହାସ ରଚନା କଲା। ନିଜର ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଏକା ସାଙ୍ଗରେ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ହିଂଜିଳି ଓ ବିଜେପୁର ରୁ ନବୀନ ବାବୁ ନିର୍ବାଚନ ଲଢିଥିଲେ ଓ ସ୍ଵାଭାବିକ ଭାବରେ ଦୁଇଟି ଯାକ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ବିଜେପୁରରେ ପୁଣି ନିର୍ବାଚନ ହେବ।

ହାରା ହାରି ପ୍ରତି ୮ ମାସରେ ଗୋଟିଏ ନିର୍ବାଚନର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ଏହାର କି ପ୍ରକାର ମନସ୍ତାତ୍ତ୍ଵିକ ପ୍ରଭାବ ପଡିବ, ସେ ବିଷୟରେ ଆମେ କ୍ଵଚିତ ଭାବିଥାଉ। ସାଧାରଣ ଭାବରେ ଦେଖିଲେ ନିର୍ବାଚନକୁ ଆଖି ଆଗରେ ରଖି, ଏ ଅଞ୍ଚଳ ଲାଗି ସ୍ଵତନ୍ତ୍ର ପ୍ୟାକେଜ ମିଳୁଛି। ବିକାଶର ଗତି ସହିତ ରାଜନୈତିକ ଚାପ କୁ ଆମେ କେବେ ତୁଳନା କରି ଦେଖିଛୁ କି?

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ସମୟରେ ଅନ୍ତତଃ ଲୋକଙ୍କର ଏଇ ମାନସିକ ଚାପ ବିଷୟରେ ଭାବିବା ଉଚିତ ଥିଲା। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଜିତିଛନ୍ତି। ସେଠାରେ ହୁଏତ ଏକ ଉପ ନିର୍ବାଚନ ନୂଆ ଅନୁଭବ ହୋଇଥାନ୍ତା। ବିଜେପୁର ଲାଗି ଆସନ୍ତା ତିନିମାସ ପୁଣି ରାଜନୈତିକ ଉନ୍ମାଦନାର ପରିବେଶ ରହିବ। ସାଧାରଣ ନିର୍ବାଚନ ତୁଳନାରେ ଉପ ନିର୍ବାଚନର ରାଜନୈତିକ ଚାପ ବହୁତ ବେଶୀ। ଏବେ ଉଭୟ ବିଜେପି ଓ ବିଜେଡି ବିଜେପୁରକୁ ନିଜ ସମ୍ମାନର ପ୍ରଶ୍ନ ଭାବରେ ଗ୍ରହଣ କରିବେ। ଲୋକଙ୍କ ଭିତରେ ରାଜନୀତିକୁ ନେଇ ପ୍ରବଳ ମାନସିକ ଚାପ ରହିବ। ଭୋଟ ଦେବାର ଚାପ, ପ୍ରଲୋଭନ ଓ ପ୍ରଭାବର ଚାପ, ରାଜନୈତିକ ହିଂସାର ଚାପ ଓ ସର୍ବୋପରି ଜୀବନ ରାଜନୀତି ସର୍ବସ୍ଵ ହୋଇଯିବାର ଚାପରୁ ବିଜେପୁର ଜନତା ମୁକ୍ତି ପାଇବା ଉଚିତ। ଏ ଉପ ନିର୍ବାଚନ ବିଜେପୁର ଲୋକଙ୍କ ଉପରେ ଏକ ପ୍ରକାର ମାନସିକ ଅତ୍ୟାଚାର ବୋଲି କୁହା ଯାଇପାରେ।

( Download SANKHIPTA app to read short news on your mobile )