Categories
ବିଶେଷ ଖବର

କରୋନା ମୁକାବିଲା ପାଇଁ ଓଡିଶା ମଡେଲ, ଭାରତ ସରକାର ଏଥିରୁ କିଛି ଶିଖୁଛନ୍ତି ତ!!

କେଦାର ମିଶ୍ର

ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଥମେ ଓଡିଶା ସାମାଜିକ ଦୂରତା ତଥା ଲକ ଡାଉନ ବ୍ୟବସ୍ଥା ଗ୍ରହଣ କରିଥିଲା।

ତେବେ ଓଡିଶାରେ ଏହି ବ୍ୟବସ୍ଥା ଆରମ୍ଭ ହେବା ବେଳକୁ କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀର ରାଜ୍ୟ ସରକାରମାନେ ମଧ୍ୟ ଏ ପ୍ରକାର ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଦିଲ୍ଲୀ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ର ବ୍ୟାପକତାକୁ ସାମ୍ନା କରୁଛନ୍ତି। ତେବେ ଆଜି ସୁଦ୍ଧା ଓଡିଶାରେ କରୋନା ସଂକ୍ରମଣ ମାତ୍ର ତିନୋଟି ପୋଜିଟିଭ କେସ ରେ ସୀମିତ ରହିଛି। କରୋନାର ବିଶ୍ଵବ୍ୟାପୀ ସଂକ୍ରମଣର ସ୍ଥିତି କୁ ଦେଖି କେତେବେଳେ ଯେ କଣ ଘଟିବ ତାହା କହିହେବା ନାହିଁ। ତେବେ ଏଥି ପାଇଁ ନିଜକୁ ସରକାର ପ୍ରସ୍ତୁତ କରି ସାରିଛନ୍ତି। ଦେଶର ଅନ୍ୟାନ୍ୟ ଆଗୁଆ ରାଜ୍ୟ ତୁଳନାରେ ଓଡିଶା ଏବେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଛି। କରୋନା ସଂକ୍ରମିତ ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ସମ ହସପିଟାଲ- ମେଡିକାଲ କଲେଜ ଓ କିମ୍ସ ହସପିଟାଲ-ମେଡିକାଲ କଲେଜର ସହାୟତାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।ଏହି ଡାକ୍ତରଖାନା ଆସନ୍ତା ୧୫ଦିନ ଭିତରେ କାର୍ଯକ୍ଷମ ହେବ ବୋଲି ଜଣା ଯାଇଛି।  ଇତି ମଧ୍ୟରେ କଟକ ବଡ ଡାକ୍ତରଖାନାରେ ମଧ୍ୟ ୭୦୦ ରୁ ୧୦୦୦ ଶଯ୍ୟା ପ୍ରସ୍ତୁତ କରାଯାଉଛି।

ବର୍ତ୍ତମାନ କରୋନା ସଂକ୍ରମଣକୁ ସୀମିତ ରଖିବା ରାଜ୍ୟ ତଥା ଦେଶର ପ୍ରାଥମିକ ଆବଶ୍ୟକତା ରହିଛି। ତେବେ ଆଗାମୀ ଦିନରେ କରୋନା ରୋଗୀଙ୍କ ସଂକ୍ରମଣ ବଢିବାର ସମ୍ଭାବନାକୁ ଆଖିରେ ରଖି ଏ ପ୍ରକାର ପ୍ରସ୍ତୁତି ନିତାନ୍ତ ଆବଶ୍ୟକ। ସ୍ଵତନ୍ତ୍ର ଡାକ୍ତରଖାନା ସହିତ ଜିଲା ଡାକ୍ତରଖାନାଗୁଡିକରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ତେବେ କରୋନା ପରୀକ୍ଷଣ ଲାଗି ଓଡିଶା ଏକମାତ୍ର କେନ୍ଦ୍ରୀୟ ଲାବୋରେଟରୀ ଉପରେ ନିର୍ଭର କରୁଛି। ଏହାକୁ ଅଧିକ ବ୍ୟାପକ କରିବା ଜରୁରୀ।

କରୋନା ଭଳି ଏକ ବ୍ୟାପକ ସଙ୍କଟକୁ ମୁକାବିଲା କରିବାରେ ଓଡିଶା ଯେଉଁ ମଡେଲ ତିଆରି କରିଛି, ତାକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର କିଛିଟା ଅନୁସରଣ କରିଛନ୍ତି। ଓଡିଶା ପୋଲିସ ରାଜ୍ୟରେ ଲକ ଡାଉନକୁ ଲାଗୁ କରିବାରେ ସଫଳ ଭୂମିକା ନିର୍ବାହ କରୁଛି। ଗୋଟେ ଦୁଇଟି ଅପ୍ରିୟ ଘଟଣାକୁ ବାଦ ଦେଲେ ପୋଲିସ କର୍ତ୍ତୃପକ୍ଷ ସଂଯମ ରଖି ଲୋକଙ୍କୁ ନିୟନ୍ତ୍ରିତ କରୁଛନ୍ତି। ତେବେ ଲୋକଙ୍କୁ ମାଡ ଦେଇ, ଦଣ୍ଡିତ କରି ବା ଅପମାନିତ କରି ଲକ ଡାଉନର ଉପଯୋଗିତା ବୁଝାଇ ହେବନାହିଁ। ଏଥିଲାଗି ପୋଲିସକୁ ଅଧିକ ସଂବେଦନଶୀଳ ଓ ସଂଯତ ହେବାକୁ ପଡିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି  ସେହି ସବୁ ରାଜ୍ୟରେ ରହିଥିବା ଓଡିଆ ଲୋକମାନଙ୍କର ଦାୟିତ୍ଵ ନେବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଯାହା ଖର୍ଚ୍ଚ କରିବେ, ଓଡିଶା ସରକାର ତାକୁ ଭରଣା କରିବେ ବୋଲି ନବୀନ ବାବୁ କହିଛନ୍ତି। ଏହା ନିଶ୍ଚିତ ଭାବରେ ଏକ ସଂବେଦନଶୀଳ ନିଷ୍ପତ୍ତି।ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରିବା ଲାଗି ଓଡିଶା ସରକାର ସ୍ଵତନ୍ତ୍ର  ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। (0674-2392115 ଓ 9438915986)

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ସମନ୍ବୟର ସ୍ଥିତି ଅବଶ୍ୟ ରହିଛି। ହେଲେ କେନ୍ଦ୍ର ସରକାରଙ୍କ କାମ କରିବାର ଢଙ୍ଗରେ ଅତ୍ୟଧିକ ଅହମିକା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ଗୁଡିକ ମଇ-ଜୁନ ମାସ ପର୍ୟନ୍ତ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ୨୧ ଦିନ ଭିତରେ ଏହି ଯୁଦ୍ଧ ଜିଣି ହୋଇଯିବ ବୋଲି କହୁଛନ୍ତି। ଏହା ମାତ୍ର ୨୧ ଦିନରେ ସମାପ୍ତ ହେବନାହିଁ, ଏକଥା ପ୍ରଧାନମନ୍ତ୍ରୀ ଭଲ ଭାବରେ ଜାଣିଛନ୍ତି। ସାରା ଦେଶରେ ଦିନକୁ ଅତି କମରେ  ଲକ୍ଷେ ଲୋକଙ୍କର କରୋନା ପରୀକ୍ଷା ହୋଇପାରିବା ଭଳି ଭିତ୍ତିଭୂମି ତିଆରି ହେବା ଆଜି ସର୍ବ ପ୍ରଥମ ଆବଶ୍ୟକତା। ଏହା ଯେମିତି ଭାରତର ଗ୍ରାମାଞ୍ଚଳକୁ ନ ବ୍ୟାପେ, ତାହା ଦେଖିବା ଲାଗି କେନ୍ଦ୍ର ସରକାର ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଦରକାର। ତେବେ କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ଭଳି ରାଜ୍ୟକୁ ଆଦର୍ଶ ଭାବରେ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ ହେବ। ଓଡିଶା ସମେତ କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀ ମଡେଲକୁ ସାରା ଦେଶରେ ଲାଗୁ କରିବାର ସାହସ କେନ୍ଦ୍ର ସରକାରଙ୍କର ରହିଛି କି ?

Categories
ଆଜିର ଖବର

ଦିଲ୍ଲୀ ପ୍ରଦୂଷଣକୁ ନେଇ କଠୋର ହେଲେ ସୁପ୍ରିମ୍‌କୋର୍ଟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଭର୍ତ୍ସନା

ଦିଲ୍ଲୀ,୨୫/୧୧:  ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀର ସ୍ଥିତି ନର୍କଠୁ ବହୁତ ଭୟାନକ। ଲୋକଙ୍କୁ ଏମିତି ମରିବାକୁ ଦିଆଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଅଣନିଃଶ୍ଵାସୀ  କରି ମାରିବା ଅପେକ୍ଷା ଭଲ ହେବ ସମସ୍ତଙ୍କୁ ଏକ ସଙ୍ଗେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉ। ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଉଚ୍ଚ ନ୍ୟାୟଳୟ ପଞ୍ଜାବ ଓ ହରିୟାଣାକୁ ନଡ଼ା ଜଳାଇବାକୁ ନେଇ ମଧ୍ୟ କଠୋର ହୋଇଛନ୍ତି। ପ୍ରଦୂଷଣ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିଜ ଭିତରେ ଥିବା ମତଭେଦକୁ ଭୁଲି ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହା ସହିତ ୧୦ ଦିନ ମଧ୍ୟରେ ବାୟୁ ବିଶୁଦ୍ଧକରଣ ଟାଓ୍ବାର କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ଟିପ୍ପଣୀ କରି ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଛନ୍ତି ଯେ, ଲୋକଙ୍କୁ ଗ୍ୟାସ ଚାମ୍ବରରେ ରହିବାକୁ କଣ ପାଇଁ ବାଧ୍ୟ କରାଯାଉଛି। ବରଂ ୧୫ ବସ୍ତା ବାରୁଦ  ନେଇ ଆଣନ୍ତୁ ଏବଂ ସମସ୍ତଙ୍କୁ ଉଡ଼ାଇ ଦିଅନ୍ତୁ। ସେହିପରି ନ୍ୟାୟାଳୟ ଜଳ ଦୂଷିତ ମାମଲାରେ ମଧ୍ୟ ଟିପ୍ପଣୀ କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଉଭୟ ଯାଞ୍ଚ କରନ୍ତୁ ଯେ ଦିଲ୍ଲୀର ପାଣି ପିଇବା ଯୋଗ୍ୟ ନା ନୁହଁ। ଏହା ପରେ ସମସ୍ତ ତଥ୍ୟ କୋର୍ଟରେ ଉପସ୍ଥାପିତ କରାଯାଉ। (ଏଜେନ୍ସି)

Categories
ଆଜିର ଖବର

ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଭାବେ ଅହମ୍ମଦାବାଦରେ ଆରମ୍ଭ କରାଯାଇଛି  । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା ।  ଏହି ଯୋଜନାରେ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ। ଏହି ଯୋଜନାକୁ ନେଇ ଅଧିସୂଚନା ପ୍ରଥମରୁ ହିଁ ଜାରି ହୋଇ ସାରିଛି। ଅଧିସୂଚନା ଜାରି ହେବା ପରେ ଫେବୃଆରୀ ୧୫ରେ ଏହି ସ୍କିମ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଯୋଜନାର ଅନ୍ତିମ ରୂପ ଦେବାର ଦାୟିତ୍ଵ ଏଲଆଇସିକୁ ଦିଆଯାଇଛି। ଯୋଜନା ଆଧାରରେ ପଞ୍ଜିକରଣ ପାଇଁ ଏଲଆଇସିର ବଡ଼ ନେଟଓ୍ଵର୍କର ବ୍ୟବହାର କରାଯାଉଛି। କିନ୍ତୁ ପେନସନ ପାଇବା ପାଇଁ କିଛି ସର୍ତ୍ତ ରହିଛି। ସର୍ତ୍ତ ମୁତାବକ, ଲାଭାର୍ଥୀଙ୍କୁ କିଛି ଟଙ୍କା ପ୍ରତ୍ୟେକ ମାସରେ ପ୍ରିମିୟର ରୂପେ ଜମା କରିବାକୁ ପଡ଼ିବ। ଯୋଜନାର ଲାଭ ୧୮  ବର୍ଷରୁ ୪୦ ବର୍ଷର ଶ୍ରମିକଙ୍କୁ ହିଁ ମିଳିବ। ଯଦି କୌଣସି ଲାଭାର୍ଥୀ ୧୮ ବର୍ଷ  ବୟସରେ ଏହି ସ୍କିମରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମାସକୁ ପ୍ରିମିୟର ରୂପେ ୫୫ ଟଙ୍କା ଦେବାକୁ ପଡ଼ିବ। ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ। ଆଶା କରାଯାଉଛି ଯେ ଏହି ଯୋଜନାର ଲାଭ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ଲୋକଙ୍କୁ ମିଳିବ।