ଦିଲ୍ଲୀ ପ୍ରଦୂଷଣକୁ ନେଇ କଠୋର ହେଲେ ସୁପ୍ରିମ୍‌କୋର୍ଟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଭର୍ତ୍ସନା

Published: Nov 25, 2019, 5:44 pm IST

ଦିଲ୍ଲୀ,୨୫/୧୧:  ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀର ସ୍ଥିତି ନର୍କଠୁ ବହୁତ ଭୟାନକ। ଲୋକଙ୍କୁ ଏମିତି ମରିବାକୁ ଦିଆଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଅଣନିଃଶ୍ଵାସୀ  କରି ମାରିବା ଅପେକ୍ଷା ଭଲ ହେବ ସମସ୍ତଙ୍କୁ ଏକ ସଙ୍ଗେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉ। ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଉଚ୍ଚ ନ୍ୟାୟଳୟ ପଞ୍ଜାବ ଓ ହରିୟାଣାକୁ ନଡ଼ା ଜଳାଇବାକୁ ନେଇ ମଧ୍ୟ କଠୋର ହୋଇଛନ୍ତି। ପ୍ରଦୂଷଣ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିଜ ଭିତରେ ଥିବା ମତଭେଦକୁ ଭୁଲି ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହା ସହିତ ୧୦ ଦିନ ମଧ୍ୟରେ ବାୟୁ ବିଶୁଦ୍ଧକରଣ ଟାଓ୍ବାର କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ଟିପ୍ପଣୀ କରି ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଛନ୍ତି ଯେ, ଲୋକଙ୍କୁ ଗ୍ୟାସ ଚାମ୍ବରରେ ରହିବାକୁ କଣ ପାଇଁ ବାଧ୍ୟ କରାଯାଉଛି। ବରଂ ୧୫ ବସ୍ତା ବାରୁଦ  ନେଇ ଆଣନ୍ତୁ ଏବଂ ସମସ୍ତଙ୍କୁ ଉଡ଼ାଇ ଦିଅନ୍ତୁ। ସେହିପରି ନ୍ୟାୟାଳୟ ଜଳ ଦୂଷିତ ମାମଲାରେ ମଧ୍ୟ ଟିପ୍ପଣୀ କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଉଭୟ ଯାଞ୍ଚ କରନ୍ତୁ ଯେ ଦିଲ୍ଲୀର ପାଣି ପିଇବା ଯୋଗ୍ୟ ନା ନୁହଁ। ଏହା ପରେ ସମସ୍ତ ତଥ୍ୟ କୋର୍ଟରେ ଉପସ୍ଥାପିତ କରାଯାଉ। (ଏଜେନ୍ସି)

Related posts