Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ 20 ତାରିଖଠାରୁ ଲକଡାଉନ କୋହଳ ସଂକ୍ରାନ୍ତରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ-19ର ସ୍ଥିତି ନେଇ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା ସଂକ୍ରମଣର ନିୟନ୍ତ୍ରଣ ଓ ଏପ୍ରିଲ 20 ତାରିଖଠାରୁ ଯେଉଁସବୁ ଅଞ୍ଚଳରେ ଲକଡାଉନକୁ କୋହଳ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଦେଶ ଏବେବି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛି । ଲକଡାଉନ କୋହଳ ସହିତ ଅନ୍ୟାନ୍ୟ ଜାତୀୟ ମାର୍ଗଦର୍ଶିକାର ପାଳନ ଯେପରି କଡାକଡି ହୁଏ ତାହା ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ପରିସ୍ଥିତିର ସମୀକ୍ଷା କରି ସେ କହିଛନ୍ତି ଯେ, ଯେଉଁ ଅଞ୍ଚଳଗୁଡିକ ହଟ ସ୍ପଟ, କ୍ଲଷ୍ଟର ଓ ଆବଦ୍ଧାଞ୍ଚଳ ପରିସୀମା ମଧ୍ୟରେ ଆସୁନାହିଁ, ସେସବୁ ଅଞ୍ଚଳରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯାଇଛି । ତେବେ ଯେଉଁ କୋହଳ ବ୍ୟବସ୍ଥା ଘୋଷିତ ହୋଇଛି, ସେଗୁଡିକୁ କଡାକଡି ଭାବେ ପାଳନ ପାଇଁ ସେ କହିଛନ୍ତି ।

ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଗ୍ରାମାଞ୍ଚଳରେ କେତେକ ଆର୍ଥିକ କାର୍ଯ୍ୟକଳାପ ଚାଲୁ ରଖିବା ପାଇଁ ଅନୁମତି ଦିଆଯାଇଛି । ସେ ଦୃଷ୍ଟିରୁ ଜିଲ୍ଲାପାଳମାନେ କଳକାରଖାନାଗୁଡିକ ସହ ଆଲୋଚନା କରି ରାଜ୍ୟ ମଧ୍ୟରେ ଶ୍ରମିକମାନଙ୍କ ପାଇଁ କାମର ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ସେଠାକୁ ପଠାଇବେ । ଏହା ଏକ ପକ୍ଷରେ ଆର୍ଥିକ କାର୍ଯ୍ୟକଳାପକୁ ବଳବତ୍ତର ରଖିବା ସହିତ ଅନ୍ୟ ପକ୍ଷରେ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇବ ବୋଲି ମୋଦୀ ସରକାର ବିଶ୍ଵାସ କରନ୍ତି ।

ସେହିଭଳି ରାଜ୍ୟଗୁଡିକ ବଡ ବଡ ଶିଳ୍ପସଂସ୍ଥା ଓ ଶିଳ୍ପ ପରିସରଗୁଡିକୁ ଚାଲୁ କରିବା ପାଇଁ ଧ୍ୟାନଦେବା ଆବଶ୍ୟକ। ଏହାଫଳରେ ଅର୍ଥନୀତିର ପୁନରୁତ୍ଥାନ ସହ ଶ୍ରମିକ ଗୋଷ୍ଠୀ କର୍ମସଂସ୍ଥାନ ପାଇପାରିବେ ।  ଘଡିସନ୍ଧି ମୁହୂର୍ତ୍ତରେ ସମାଜର ସବୁ ବର୍ଗର ଲୋକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୋଦୀ ସରକାର ଅଙ୍ଗୀକାରବଦ୍ଧ । ଜିଲ୍ଲାପାଳମାନେ ମଧ୍ୟ କୃଷି ଓ ମନରେଗା କାର୍ଯ୍ୟକ୍ରମ ଦ୍ଵାରା ଶ୍ରମିକମାନଙ୍କୁ କାମ ଯୋଗାଇବା ଉପରେ ଚିନ୍ତା କରିବାକୁ ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।

ଯେଉଁ ଶ୍ରମିକମାନେ ରିଲିଫ କେନ୍ଦ୍ରଗୁଡ଼ିକରେ ରହିଛନ୍ତି, ସେମାନଙ୍କ ସୁଖସ୍ଵାଛନ୍ଦ୍ୟ ଓ ଖାଇବା ପିଇବା ଉପରେ ଅଧିକ ଧ୍ୟାନଦେବା ଉଚିତ । ପ୍ରତିକୂଳ ପରିସ୍ଥିତି ସତ୍ଵେ ଏହି ସମସ୍ୟାର ମୁକାବିଲା କରାଯାଇପାରିବ ।

ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଚିକିତ୍ସକ ଗୋଷ୍ଠୀଙ୍କ ଦ୍ଵାରା ଦେଶର ବିଭିନ୍ନ ସ୍ଥାନରେ ଗୋଷ୍ଠୀକୈନ୍ଦ୍ରିକ ପରୀକ୍ଷା ଚାଲୁଅଛି । ଚିକିତ୍ସକ ଦଳର ନିରପତ୍ତା ପ୍ରତି ରାଜ୍ୟଗୁଡିକ ସ୍ଵତନ୍ତ୍ର ଧ୍ୟାନ ଦେବା ଆବାଶ୍ୟକ । ଚିକିତ୍ସକ ଦଳ ସେ ଅଞ୍ଚଳକୁ ଯିବା ପୂର୍ବରୁ ଶାନ୍ତି କମିଟି, ଗାଁ ମୁଖିଆ ବା ସାମାଜିକ କର୍ମୀମାନେ ଲୋକମାନଙ୍କୁ ଏହି ପରୀକ୍ଷାର ଆବଶ୍ୟକତା ଉପରେ ବୁଝାଇ ସୁଝାଇ କୋଭିଡ-19 ସମ୍ପର୍କରେ ସେମାନଙ୍କ ମନରେ ଥିବା ଆଶଙ୍କା ଦୂର କରି ପ୍ରାକ ପରୀକ୍ଷା ପରିସ୍ଥିତି ସୃଷ୍ଟି କରିବେ । ଗ୍ରାମାଞ୍ଚଳଗୁଡିକରେ କୋଭିଡ-19 ସଂକ୍ରାନ୍ତ ଜାତୀୟ ନୀତି ନିୟମର କଡାକଡି ପାଳନ ପାଇଁ ପୁଲିସ ପଇଁତରା କାର୍ଯ୍ୟକୁ ଅଧିକ ବ୍ୟାପକ କରାଯିବା ଉଚିତ । ଏଗୁଡ଼ିକୁ ପାଳନ କରିବା ପାଇଁ ଜିଲ୍ଲାପାଳମାନେ ପୁଲିସ ସମେତ ପଞ୍ଚାୟତ ଓ ରାଜସ୍ୱ ଅଧିକାରୀମାନଙ୍କ ସହାୟତା ମଧ୍ୟ ନେଇପାରିବେ ।

Categories
ଆଜିର ଖବର

ଦିଲ୍ଲୀ ପ୍ରଦୂଷଣକୁ ନେଇ କଠୋର ହେଲେ ସୁପ୍ରିମ୍‌କୋର୍ଟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଭର୍ତ୍ସନା

ଦିଲ୍ଲୀ,୨୫/୧୧:  ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀର ସ୍ଥିତି ନର୍କଠୁ ବହୁତ ଭୟାନକ। ଲୋକଙ୍କୁ ଏମିତି ମରିବାକୁ ଦିଆଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଅଣନିଃଶ୍ଵାସୀ  କରି ମାରିବା ଅପେକ୍ଷା ଭଲ ହେବ ସମସ୍ତଙ୍କୁ ଏକ ସଙ୍ଗେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉ। ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଉଚ୍ଚ ନ୍ୟାୟଳୟ ପଞ୍ଜାବ ଓ ହରିୟାଣାକୁ ନଡ଼ା ଜଳାଇବାକୁ ନେଇ ମଧ୍ୟ କଠୋର ହୋଇଛନ୍ତି। ପ୍ରଦୂଷଣ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିଜ ଭିତରେ ଥିବା ମତଭେଦକୁ ଭୁଲି ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହା ସହିତ ୧୦ ଦିନ ମଧ୍ୟରେ ବାୟୁ ବିଶୁଦ୍ଧକରଣ ଟାଓ୍ବାର କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ଟିପ୍ପଣୀ କରି ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କହିଛନ୍ତି ଯେ, ଲୋକଙ୍କୁ ଗ୍ୟାସ ଚାମ୍ବରରେ ରହିବାକୁ କଣ ପାଇଁ ବାଧ୍ୟ କରାଯାଉଛି। ବରଂ ୧୫ ବସ୍ତା ବାରୁଦ  ନେଇ ଆଣନ୍ତୁ ଏବଂ ସମସ୍ତଙ୍କୁ ଉଡ଼ାଇ ଦିଅନ୍ତୁ। ସେହିପରି ନ୍ୟାୟାଳୟ ଜଳ ଦୂଷିତ ମାମଲାରେ ମଧ୍ୟ ଟିପ୍ପଣୀ କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଉଭୟ ଯାଞ୍ଚ କରନ୍ତୁ ଯେ ଦିଲ୍ଲୀର ପାଣି ପିଇବା ଯୋଗ୍ୟ ନା ନୁହଁ। ଏହା ପରେ ସମସ୍ତ ତଥ୍ୟ କୋର୍ଟରେ ଉପସ୍ଥାପିତ କରାଯାଉ। (ଏଜେନ୍ସି)