Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ

ଭୁବନେଶ୍ଵର: ସୋମବାରଠାରୁ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି। ପ୍ରଥମ ପର୍ଯ୍ୟାୟରେ ସୋମବାର ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା କାର୍ଯ୍ୟ ମଧ୍ୟାହ୍ନ ୧୨ ଟା ରେ ସରିଛି। ତେବେ ୨୨ ତାରିଖ ପର୍ଯ୍ୟନ୍ତ ଏହି ଡଲଫିନ୍ ଗଣନା ଜାରି ରହିବ। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା।

ଡଲଫିନ୍ ଗଣନାରେ ୧୮ଟି ଟିମ ନିୟୋଜିତ ହୋଇଥିବା ବେଳେ ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ। ବାଲୁଗାଁ ବଡ଼କୂଳ ରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରୁଛନ୍ତି।

ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରାଯାଉଅଛି। ଡଲଫିନ୍ ଗଣନାରେ ୧୦୦ ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ଥିବା ବେଳେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ହୋଇଛନ୍ତି।ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡିକୁ ବଡ ଧକ୍କା, ବିଜେପିରେ ସାମିଲ ହେଲେ ସନ୍ତୋଷ ପାଇକରାୟ ଏବଂ ତାଙ୍କ ସମର୍ଥକ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବିଜେଡି କୁ ଲାଗିଛି ବଡ଼ ଝଟକା। ବର୍ତ୍ତମାନ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପୁତ୍ର ତଥା ବରିଷ୍ଠ ବିଜେଡି ସଂଗଠକ ସନ୍ତୋଷ ପାଇକରାୟ ନିଜର ଶତାଧିକ ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି।

ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି ସନ୍ତୋଷ। ଏହି ଅବସରରେ ମନ୍ତ୍ରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀ, ସଂଗଠକ ରଞ୍ଜିତ ବଡ଼ଜେନା ଏବଂ ବାଲୁଗାଁ ଏନଏସିର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପି ରେ ଯୋଗଦାନ କରିଥିବା ସନ୍ତୋଷ କହିଛନ୍ତି। ବର୍ତ୍ତମାନ ବାଲୁଗାଁ ଏନଏସିରେ ବିଜେଡି ଏକପ୍ରକାର ଶୂନ ହୋଇଯାଇଛି। ତେବେ ସନ୍ତୋଷ ଜଣେ ଦକ୍ଷ ଯୁବ ସଂଗଠକ ହୋଇଥିବାରୁ ତାଙ୍କ ସହ ବାଲୁଗାଁ ଏନଏସି ବିଜେଡି ର ସମସ୍ତ ଆଗଧାଡିର ନେତା ମଧ୍ୟ ବିଜେପି ରେ ସାମିଲ ହୋଇଛନ୍ତି।

ଏହା ଦ୍ୱାରା ଆଗାମୀ ଦିନରେ ବାଲୁଗାଁ ଏନଏସିରେ ବିଜେପି ର ଶକ୍ତି ବଢିବା ସହ ବିଜେଡି ନିଶ୍ଚିହ୍ନ ହୋଇଯିବ ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକାର ମେଧାବୀ ଝିଅ ସୌମ୍ୟାଶ୍ରୀଙ୍କ ବଡ ସଫଳତା: ଆମେରିକା ନାସାରେ ହେଲେ ବୈଜ୍ଞାନିକ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମର ଝିଅ ସୌମ୍ୟାଶ୍ରୀ ବରାଳ ବଡ ସଫଳତା ହାସଲ କରିଛନ୍ତି। ଡ. ସୌମ୍ୟାଶ୍ରୀ ବରାଳ ନାସାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ସୌମ୍ୟାଶ୍ରୀଙ୍କ ପିତା ନିଶାକର ବରାଳ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିବା ବେଳେ ମାତା ସଞ୍ଜୁକ୍ତା ବରାଳ ଜଣେ ଗୃହିଣୀ ଅଟନ୍ତି।

ସୌମ୍ୟାଶ୍ରୀ ନାଚୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧୦ମ ଏବଂ ପରେ ନିରାକାରପୁରସ୍ଥିତ କେବିଡିଏଭି ସରକାରୀ ମହାବିଦ୍ୟାଳୟରୁ ଦ୍ଵାଦଶ ପାସ କରିଥିଲେ। ସେ ପଦାର୍ଥ ବିଜ୍ଞାନ (ସମ୍ମାନ) ରେ ବିଏସସି କରିଥିଲେ। ପରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମ.ଏସସି ପାଠ୍ୟକ୍ରମ ଶେଷ କରିଥିଲେ। ବିଏସସିରେ ପଢ଼ିବା ସମୟରେ ତାଙ୍କର ପଦାର୍ଥ ବିଜ୍ଞାନ ଏବଂ ଗବେଷଣା ପ୍ରତି ରୁଚି ବଢ଼ିଥିଲା। ଏହି ରୁଚି ଭିତରେ ତାଙ୍କର ସ୍ଵପ୍ନ ଲୁଚି ରହିଥିବା ସେ ହୃଦବୋଧ କରିବା ପରେ ଆଗକୁ ବଢ଼ିଚାଲିଥିଲେ। ବାଣୀବିହାରରେ ଏମ.ଏସସି ପରେ ସେ ଆଇଆଇଟି ପାଟନାରେ କମ୍ପ୍ୟୁଟେସନାଲ ଆଟୋମିକ ଫିଜିକ୍ସରେ ପିଏଚଡି କରିଥିଲେ।

ପିଏଚ.ଡି ଶେଷ ହେବା ପରେ ତାଙ୍କୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଚାକିରି କରିବାକୁ ଅଫର ମିଳିଛି। ଯାହାକୁ ନେଇ ସେ ବେଶ୍‌ ଖୁସି ଥିବା କହିଛନ୍ତି ସୌମ୍ୟାଶ୍ରୀ। ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ଆସୋସିଏଟ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଆମେରିକାର ଓ୍ବାଶିଂଟନ ଡିସିଠାରେ ଥିବା ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ ସେଣ୍ଟରରେ ସେ ବର୍ତ୍ତମାନ କାର୍ଯ୍ୟ କରିବେ। ନାସାର ଅନେକ ବଡ଼ ବଡ଼ ଗବେଷଣା କେନ୍ଦ୍ର ମଧ୍ୟରୁ ଏହି କେନ୍ଦ୍ର ଅନ୍ୟତମ।

ସୌମ୍ୟାଶ୍ରୀ ନିଜେ ତାଙ୍କ ସ୍ଵପ୍ନକୁ ସାକାର କରିବାରେ ସଫଳ ହେବା ସହ ନିଜ ଜନ୍ମ ମାଟି ପାଇଁ ଗୌରବ ଆଣିଛନ୍ତି। ଗ୍ରାମାଞ୍ଚଳର ଜଣେ ଝିଅ ନାସାର ବୈଜ୍ଞାନିକ ଭାବେ କାର୍ଯ୍ୟ କରିବା ଏକ ବଡ ସମ୍ମାନର ବିଷୟ। ତେଣୁ ତାଙ୍କର ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ସୌମ୍ୟାଶ୍ରୀଙ୍କ ଏହି ସଫଳତା କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷ ପାଇଁ ଗୌରବର ବିଷୟ। ଏହି ଯାତ୍ରା ସାଧାରଣତଃ କଠିନ ଥିଲେ ହେଁ ସୌମ୍ୟାଶ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଏବଂ ଦୃଢ଼ ଇଚ୍ଛା ଶକ୍ତି ତାହାକୁ ସୁଗମ କରିଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, ଶିକାରୀଙ୍କୁ ରୋକିବା ପାଇଁ ଏଥର ବ୍ୟବହାର ହେବ ଡ୍ରୋନ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକାରେ ଉଡ଼ିବ ଡ୍ରୋନ କ୍ୟାମେରା। କାରଣ ହେଲା ପକ୍ଷୀ ଶିକାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ହାଇଟେକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚିଲିକାରେ ଶୀତ ଋତୁରେ ପକ୍ଷୀ ଶିକାରକୁ ରୋକିବା ପାଇଁ ଏପରି କଡ଼ା ପଦକ୍ଷେପ ନେଇଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଚିଲିକାରେ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ଅଛି ଏବଂ ଅକ୍ଟୋବର ୧ ରୁ ଅଦ୍ୟାବଧି ଚିଲିକାରେ 59 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଡ଼ିଏଫଓ ଶ୍ରୀ ନାୟକ କହିଛନ୍ତି।

ଚଳିତ ବର୍ଷ ଡ୍ରୋନ କ୍ୟାମେରା ସମ୍ପୂର୍ଣ ଚିଲିକାକୁ ଜଗିବ ଏବଂ ପକ୍ଷୀ ଶିକାରୀଙ୍କୁ ଚି଼ହ୍ନଟ କରିବ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନିତି ଆପଣାଯିବ।ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ।

ଗତ ବର୍ଷ ଗ୍ରୀଷ୍ମଋତୁରେ ଚିଲିକାର ନଳଘାସରେ ନିଆଁ ଲଗାଉଥିବା ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ଡ୍ରୋନ୍‌କୁ ଭଲ ସଫଳତା ମିଳିଥିଲା ତେଣୁ ପକ୍ଷୀ ସୁରକ୍ଷାରେ ଡ୍ରୋନ୍ ନିୟୋଜନ ପାଇଁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଡିଏଫ୍‌ଓ।

ପ୍ରତିବର୍ଷ ପରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମୋଟ ୨୧ଟି କ୍ୟାମ୍ପ୍ କରାଯାଇଛି ଏବଂ ପ୍ରତ୍ୟେକ କ୍ୟାମ୍ପରେ ପାଟ୍ରୋଲିଂ ହେବ ବିଶେଷକରି ପାହାନ୍ତିଆ ସମୟକୁ ବିଭାଗ ଗୁରୁତ୍ଵ ଦେଇଛି କାରଣ ଏହି ସମୟରେ ପକ୍ଷୀ ଶିକାର ମାତ୍ରା ଅଧିକ ହୋଇଥାଏ।

ତତସହିତ ଅନେକ ସମ୍ବେଦନଶିଳ ଅଞ୍ଚଳକୁ ଚି଼ହ୍ନଟ କରାଯାଇଛି। ଯେଉଁଠି ପକ୍ଷୀ ଶିକାର ହେବାର ଆଶଙ୍କା ଅଧିକ ରହିଛି ସେହି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯିବl ପକ୍ଷୀଙ୍କ ଉଡ଼ିବା ସମୟରେ ଡ୍ରୋନ୍ ଯେମିତି କ୍ଷତିକାରକ ସାବ୍ୟସ୍ତ ନ ହୁଏ, ସେଥିପାଇଁ ଚିଲିକା କୂଳେ କୂଳେ ଡ୍ରୋନ୍ ବ୍ୟବହାର କରିବାକୁ ଯୋଜନା କରାଯାଇଛି।

ଅନୁରୂପ ଭାବେ ପର୍ଯ୍ୟଟକଙ୍କୁ ବିଦେଶାଗତ ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ନଦେବା ପାଇଁ ଅନୁରୋଧ କରିଛନ୍ତି ଡ଼ିଏଫଓ। ଉକ୍ତ ଖାଦ୍ୟ ଦ୍ୱାରା ବିଦେଶୀ ପକ୍ଷୀ ରୋଗର ଶିକାର ହୋଇପାରନ୍ତି ଏବଂ ଯାହାଦ୍ୱାରା ଅନେକ କ୍ଷତି ଘଟିବ। ତତସହିତ ମୋଟର ବୋଟ ସଂଘକୁ ନିୟମ ମୁତାବକ ନିର୍ଦ୍ଧାରିତ ସଂଖ୍ୟାରେ ଯାତ୍ରୀ ନେବାକୁ ଅନୁରୋଧ କରିଛନ୍ତି ଡ଼ିଏଫଓ ଶ୍ରୀ ନାୟକ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା: ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ଊମାମହେଶ୍ୱର ବଣିକ ସଂଘ ସଭାଗୃହରେ ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ସଦସ୍ୟତା ଅଭିଯାନ ପ୍ରଭାରୀ ଆଇନଜୀବୀ ଲୋତକବିନ୍ଦୁ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ମାଧବ ଚନ୍ଦ୍ର ଦଳେଇ, ହେମନ୍ତ ବେହେରା, ବିଜୟ ବିଶ୍ୱାଳ, ସୁମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିକଶିତ ଓଡିଶା ଗଠନ ନିମନ୍ତେ ଶାସକ ବିଜେପି ଦଳ ପକ୍ଷରୁ ବୁଥ ସ୍ତରରୁ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ ଦିଆଯାଇଥିଲା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ କୋଣ ଅନୁକୋଣରେ ବିଜେପି ସଦସ୍ୟତା ବୃଦ୍ଧି କରିବାସହ ସାଧାରଣ ଜନତାଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ ନେତାମାନେ।

ଉକ୍ତ କର୍ମଶାଳାରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ଗୋଟି ମଣ୍ଡଳ ଓ ୨୪୬ ଗୋଟି ବୁଥର ବୁଥ ସଭାପତି,ସମ୍ପାଦକଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ଗୋଟି ମଣ୍ଡଳରେ ମଣ୍ଡଳ ସଭାପତି ଓ ଜଣେ ମହିଳାଙ୍କୁ ସଦସ୍ୟତା ଅଭିଯାନ ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥିମାନେ। ସେପ୍ଟେମ୍ବର ୩ ତାରିଖରୁ ଅନ ଲାଇନ ମାଧ୍ୟମରେ ସାରା ଦେଶରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ବିଜେପିର ଏନ୍ତୁଡ଼ିଶାଳ ଚିଲିକା ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରାଯାଇଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ସେବକ ଭାବେ ଆଜିଠାରୁ ଦାଇତ୍ୱ ପାଇଲି: ନୂତନ ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ

ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ପ୍ରଚଣ୍ଡ ବହୁମତରେ ବିଜେପି ପ୍ରଥମଥର ଲାଗି ସରକାର ଗଠନ କରିବାକୁ ଯାଉଛି। ଅପରପକ୍ଷେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଗାଦିଚ୍ୟୁତ ହୋଇଛି। ତେବେ ଓଡ଼ିଶାର ଏକ ପ୍ରମୁଖ ନିର୍ବାଚନମଣ୍ଡଳୀ ଚିଲିକାରେ ବାଜିମାତ କରିଛି ବିଜେପି। ଏଠାରେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ନିକଟସ୍ଥ ବିଜେଡି ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୪୫୬୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ହରିଚନ୍ଦନ ଦୀର୍ଘ ପାଞ୍ଚ ବର୍ଷ ଧରି ଚିଲିକାର ଜନସାଧାରଣଙ୍କ ସୁଖ ଦୁଃଖରେ ରହିଥିବା ବେଳେ ତାହାର ପ୍ରଭାବ ଦେଖିବାକୁ ମିଳିଛି।

ତେବେ ଉକ୍ତ ବିଜୟ ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି କି ସେ ଚିଲିକାର ସେବକ ଭାବେ ଦାଇତ୍ୱ ପାଇଛନ୍ତି। ଏବଂ ଆଜିଠାରୁ ହିଁ ସେ ଏ ଦିଗରେ କାମ ଆରମ୍ଭ କରିଛନ୍ତି। ବିଜୟର ଶ୍ରେୟ ସେ ଚିଲିକାର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ଗୁରୁଜନମାନଙ୍କୁ ଦେଇଛନ୍ତି। ତତସହିତ ଭାଜପା ଓଡ଼ିଶାର ସଂକଳ୍ପପତ୍ର ଏବଂ ଚିଲିକାରେ ଜାରି କରିଥିବା ସଂକଳ୍ପପତ୍ରର କାର୍ଯ୍ୟକାରୀ ଦିଗରେ ତୁରନ୍ତ କାମ ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନସେବକ ହୋଇଥିବା ବେଳେ ମୁଁ ମଧ୍ୟ ଚିଲିକାର ସେବକ ଭାବେ ଦାଇତ୍ୱ ପାଇଛି ଏବଂ ମୋ ପାଇଁ ଚିଲିକାର ଜନସାଧାରଣଙ୍କ ଉନ୍ନତି ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଓଡ଼ିଶାରେ ବିଜେପି ସରକାର ଗଢୁଛି ଏବଂ ସେଥିରେ ଚିଲିକାବାସୀଙ୍କ ଅବଦାନ ରହିଥିବା କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ନିର୍ବାଚନମଣ୍ଡଳୀକୁ ବିକଶିତ ଚିଲିକା ନିର୍ବାଚନମଣ୍ଡଳୀରେ ପରିଣତ କରାଯିବ ଏବଂ ସଂକଳ୍ପପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି ନିଶ୍ଚିତ ଭାବେ ପୂରଣ କରାଯିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକାର ପ୍ରତ୍ୟେକ ଦେବତୁଲ୍ୟ ଭାଜପା କର୍ମକର୍ତ୍ତା ଏବଂ ଶୁଭେଚ୍ଛୁଙ୍କୁ ଉକ୍ତ ବିଜୟ ପାଇଁ ନବନିର୍ବାଚିତ ବିଧାୟକ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଗତକାଲି ରାତିରେ ଶ୍ରୀ ହରିଚନ୍ଦନ ବାଣପୁର ମା’ ଭଗବତୀ ମନ୍ଦିର ଯାଇ ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ସମୟରେ ଶତାଧିକ ଦଳୀୟ କର୍ମକର୍ତ୍ତା ମାନେ ବାଜା ବଜାଇ, ବାଣ ଫୁଟାଇ ଓ ଫୁଲମାଳ ପିନ୍ଧାଇ ନୂତନ ବିଧାୟକ ଶ୍ରୀ ହରିଚନ୍ଦନଙ୍କୁ ସ୍ୱାଗତ ଜଣାଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁରୀ ଲୋକସଭା: ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ,ଜାଣନ୍ତୁ କେତେ

ଭୁବନେଶ୍ବର: ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୭୭ ହଜାର ୨୨୭ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ…

୧- ସମ୍ବିତ ପାତ୍ର, ବିଜେପି- ୪, ୫୦,୦୯୨

୨- ଅରୂପ ପଟ୍ଟନାୟକ, ବିଜେଡି- ୩, ୭୨,୮୬୫

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାନସଭା: ୧୫ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ୪ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଆଗୁଆ

ଭୁବନେଶ୍ବର: ଚିଲିକା ବିଧାନସଭାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୫ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୪ ହଜାର ୫୨୦ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୫ ରାଉଣ୍ଡ ପରେ ଯେତେ ଭୋଟ ପାଇଛନ୍ତି ତାହା ହେଲା…

୧- ପୃଥ୍ବୀରାଜ ହରିଚନ୍ଦନ, ବିଜେପି- ୭୧, ୫୫୩

୨- ରଘୁନାଥ ସାହୁ, ବିଜେଡି- ୬୭,୦୩୩

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ଆସନ: ବିଜେଡ଼ିର ବଢିଲା ଆଶା, କ୍ରମାଗତ ୩ଟି ରାଉଣ୍ଡରେ ବିଜେଡ଼ି ଆଗୁଆ

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୩ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୩ ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଠାରୁ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁ ୧୧୧ ଭୋଟରେ ଆଗୁଆ ଅଛନ୍ତି।

୧୩ ତମ ରାଉଣ୍ଡରେ ରଘୁନାଥ ସାହୁ ୪୭୦୪ ଭୋଟ ପାଇଥିବା ବେଳେ ପୃଥ୍ବୀରାଜ ହରିଚନ୍ଦନ ୪୫୯୩ ଭୋଟ ପାଇଛନ୍ତି।

ତେବେ ୧୩ ତମ ରାଉଣ୍ଡ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୬୧ ହଜାର ୪୯୪ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ମୋଟ ୫୮୬୨୧ ଭୋଟ ପାଇଛନ୍ତି। ତଥାପି ୧୩ ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୨୮୭୩ ଭୋଟରେ ଆଗୁଆ ରହିଛି।

Categories
ଆଞ୍ଚଳିକ

ଚିଲିକା ବିଧାନସଭା ଆସନ: ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ମଧ୍ୟ ବିଜେପି ଆଗୁଆ

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ସପ୍ତମ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ସପ୍ତମ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ୬୦୬ ଭୋଟରେ ଆଗୁଆ ଅଛନ୍ତି।

ସପ୍ତମ ରାଉଣ୍ଡରେ ପୃଥ୍ବୀରାଜ ହରିଚନ୍ଦନ ୪୮୭୮ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ୩୨୭୨ ଭୋଟ ପାଇଛନ୍ତି। ଏହିପରି ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୩୨୦୨ ଭୋଟରେ ଆଗୁଆ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଫଳାଫଳ: ଜାଣନ୍ତୁ ଷଷ୍ଠ ପର୍ଯ୍ୟାୟରେ ଚିଲିକାର ସ୍ଥିତି

ଭୁବନେଶ୍ଵର: ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଷଷ୍ଠ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ୫୦୩୪ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୪୫୮୨ ଭୋଟ ମିଳିଛି। ଏବଂ କଂଗ୍ରେସକୁ ୧୪୩ ଟି ଭୋଟ ମିଳିଛି। ତେବେ ଷଷ୍ଠ ପର୍ଯ୍ୟାୟରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୪୫୨ ଭୋଟରେ ଆଗୁଆ ଅଛନ୍ତି।

ତେବେ ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୩୦୧୪୧ ଭୋଟ ପାଇଥିବା ବେଳେ ରଘୁନାଥ ସାହୁଙ୍କୁ ୨୭୫୪୫ ଭୋଟ ମିଳିଛି। ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେଡ଼ି ଠାରୁ ବିଜେପି ୨୫୯୬ ଭୋଟରେ ଆଗୁଆ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ଆସନ ଫଳାଫଳ: ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ଆଗୁଆ, ଜାଣନ୍ତୁ କେତେ?

ଭୁବନେଶ୍ଵର: ଆଜି ଦେଶର ସାଧାରଣ ନିର୍ବାଚନ ସହିତ ଓଡିଶାର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ଭୋଟ ଗଣତିରେ ରାଜ୍ୟରେ ବିଜେପି ଭଲ ସ୍ଥିତିରେ ଥିବା ବେଳେ ବିଜେଡ଼ି ସଂଘର୍ଷ କରୁଥିବା ଦେଖାଯାଉଛି। ତେବେ ଏହିକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ଚତୁର୍ଥ ରାଉଣ୍ଡରେ ୨୧୧୭ ଭୋଟରେ ଆଗୁଆ ଅଛନ୍ତି।

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ମୋଟ ଭୋଟ:

ପୃଥ୍ବୀରାଜ ହରିଚନ୍ଦନ (ବିଜେପି): ୧୯୯୧୮ ଭୋଟ

ରଘୁନାଥ ସାହୁ (ବିଜେଡ଼ି): ୧୭୮୦୧

ପ୍ରଦୀପ କୁମାର ସ୍ଵାଇଁ (କଂଗ୍ରେସ): ୯୯୦ ଭୋଟ

 

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀର ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଥିବା ଶଶାଙ୍କ ମହାପାତ୍ର ବିଜେପିରେ ସାମିଲ

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଚିଲିକା ବିଧାନସଭା ମଣ୍ଡଳୀର ୨୦୧୯ର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଶଶାଙ୍କ ଶେଖର ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଲି ।ରାଜ୍ୟ ମୁଖପାତ୍ର ତପନ ଚାନ୍ଦ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ଆପ୍ ତରଫରୁ ରୋଡ ସୋ, ଯୋଗଦେଲେ ରାଜ୍ୟ ସଭାପତି

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟି ତରଫରୁ ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ା ଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ନୀଶିକାନ୍ତ ମହାପାତ୍ର ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଏହାର ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ।

ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଆଞ୍ଚଳ ଦିର୍ଘଦିନ ହେଲା ଅବହେଳିତ ଓ ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ବଡକୁଳ ଠାରୁ ବାହାରି ବାଲୁଗାଁ, ବାଣପୁର, ଆୟତ୍ତପୁରୁ, ଗମ୍ଭାରୀମୁଣ୍ଡା ହୋଇ ନାଚୁଣୀ ଠାରେ ସରିଥିଲା। ଏଥିରେ ଶତାଧିକ ଲୋକେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ: ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଚିଲିକା (ସୀତାରାମ ଅଗ୍ରୱାଲ): ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ଥିବାବେଳେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ପ୍ରଚାର ପ୍ରସାର ବି ଜୋରସୋରରେ ଚାଲିଛି।  ତେବେ ଉକ୍ତ ନିର୍ବାଚନ ପାଇଁ ଆସନ୍ତା ୨୩ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିବାକୁ ଆସିବେ।

ସୂଚନା ମୁତାବକ ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ (ଆନୁମାନିକ ୧୧ ଘଟିକାରେ ) ଚିଲିକା ନିର୍ବାଚନମଣ୍ଡଳି ପ୍ରଚାରକୁ ଆସିବେ। ସେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେପି। ବିଜେପି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ତେବେ ଯୋଗୀ ଆଦିତ୍ୟନାଥ ଅତ୍ୟନ୍ତ ଲୋକପ୍ରିୟ ଓ କଟର ହିନ୍ଦୁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏହା ଚିଲିକାରେ ବିଜେପିକୁ ବେଶ ଫାଇଦା ଦେବ ବୋଲି ଦଳ ଆଶା କରିଛି। ପ୍ରଚାରର ଶେଷ ଦିବସରେ ଯୋଗୀ ଆଦିତ୍ୟନାଥଙ୍କୁ ଆଣି ଚିଲିକାରେ ମାଷ୍ଟରଷ୍ଟ୍ରୋକ ଖେଳିବ ଦଳ।  ତେବେ ତାହା ଭୋଟରେ କେତେ ପ୍ରତିଫଳିତ ହେବ ତାହା ଜୁନ ୪ ତାରିଖରେ ଜଣାପଡିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଭବନରେ ଧାରଣା ଦେଲେ ମିନାକ୍ଷୀଙ୍କ ସମର୍ଥକ

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ବାଇଁଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବୀ ହୋଇଛି। ଚିଲିକାର ଅନ୍ୟତମ କଂଗ୍ରେସ ନେତ୍ରୀ ମିନାକ୍ଷୀଙ୍କ ସମର୍ଥକମାନେ ଆସି କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି। ସେମାନେ ଦାବୀ କରିଛନ୍ତି ଯେ, ପ୍ରଦୀପ ବହୁ ବର୍ଷ ଧରି ସଂଗଠନ ସହ ନାହିଁ। ଏପରି ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କାହିଁକି ଟିକେଟ ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ସେମାନେ କହିଛନ୍ତି ଯେ, ଗତ ନିର୍ବାଚନରେ କଂଗ୍ରେସ ପ୍ରଦୀପଙ୍କୁ ଟିକେଟ ଦେଇଥିଲା। ହେଲେ ସେତେବେଳେ ସେ ପୋଷ୍ଟରଟିଏ ମଧ୍ୟ ମାରି ନ ଥିଲେ। ଏପରିକି ବୁଥରେ ଏଜେଣ୍ଟ ମଧ୍ୟ ଦେଇ ନ ଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ଦଳ ଶିଘ୍ର ପରିବର୍ତ୍ତନ କରୁ ବୋଲି ମିନାକ୍ଷୀ ପ୍ରଧାନଙ୍କ ସମର୍ଥକ କହିଛନ୍ତି। ଯଦି ତାହା ନ ହୁଏ ତେବେ ଆମେ ବିରଳ୍ପ ରାସ୍ତା ଦେଖୁ ବୋଲି ସେମାନେ ଧମକ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେଡ଼ି ର ବିରାଟ ଶୋଭାଯାତ୍ରା: ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ। ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟସଭା ସାଂସଦ ତଥା ପୁରୀ ଲୋକସଭା ବିଜେଡି ସଂଯୋଜକ ସୁଭାଶିଷ ଖୁଣ୍ଟିଆ ମଧ୍ୟ ସାମିଲ ହୋଇଥିଲେ। ରଘୁନାଥ ସାହୁ ଏବଂ ଅନ୍ୟ ନେତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାଣପୁର ବିଷରପାଟଣା ଛକରୁ ବାହାରି ଚାଲିଚାଲି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ ଏବଂ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ଚିଲିକା ବିଜେଡିର ସମସ୍ତ ଆଗଧାଡିର ନେତା ମାନେ ଉକ୍ତ ଶୋଭାଯାତ୍ରାରେ ଉପସ୍ଥିତ ଥାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ, ରଘୁନାଥ ସାହୁ ଜିନ୍ଦାବାଦ, ମାନସ ମଙ୍ଗରାଜ ଜିନ୍ଦାବାଦ, ଅରୂପ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ।

ସୂଚନା ଥାଉକି ବହୁ କସରତ ପରେ ଶେଷରେ ଚିଲିକା ବିଜେଡି ବିଧାୟକ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି ରଘୁନାଥ ସାହୁ। ଏହି ଅବସରରେ ରଘୁନାଥଙ୍କ ଶହ ଶହ ସମର୍ଥକ ମାନେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ତେବେ ଗତକାଲି ପିପିଲିରେ ପ୍ରଚାର ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ବିଜେଡି ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ। କିନ୍ତୁ ଆଜି ମା’ଙ୍କ ଦର୍ଶନ କରିବା ପରେ ମା’ ଭଗବତୀଙ୍କ ଆଶୀର୍ବାଦରୁ ସେ ଶୀଘ୍ର ଆରୋଗ୍ୟଲାଭ କରିଥିବାର ଗଣମାଧ୍ୟମକୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଘରେ ରହି ଭୋଟ ଦେବେ ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟର, ଶତାୟୁ ଭୋଟରଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ଶତାୟୁ ଭୋଟର, ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଭିନ୍ନକ୍ଷମ ଭୋଟର ମାନଙ୍କୁ ଘରେ ରହି ପୋଷ୍ଟାଲ ମତଦାନ ଦେବା ନିମନ୍ତେ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯାନର ଆରମ୍ଭ କରାଯାଇଛି।

ଚିଲିକା ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉକ୍ତ ପ୍ରକ୍ରିୟାର ତଦାରଖ କରିଥିଲେ। ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଘରେ ରହି ମତଦାନ ଦେବାର ସୁବିଧା ନିମନ୍ତେ ସମ୍ପୃକ୍ତ ବୁଥ ଅଫିସର ଓ ସେକ୍ଟର ଅଫିସରଙ୍କ ଦ୍ୱାରା ଫର୍ମ ୧୨ ଡି ସେମାନଙ୍କ ଘରେ ପ୍ରଦାନ କରାଯାଇଥିଲା। ଯାହାକି ସେମାନେ ନିଜର ମତଦାନ ପୋଷ୍ଟାଲ ବ୍ୟାଲଟ ପେପରରେ ଦେବାକୁ ପରାମର୍ଶ ଦିଆଯାଇଛି। ଦୁଇରୁ ତିନି ଦିନ ମଧ୍ୟରେ ସମ୍ପୃକ୍ତ ବୁଥ ଅଫିସର ମତଦାନ କରିଥିବା ବ୍ୟାଲଟ ପେପର ସଂଗ୍ରହ କରି ସେକ୍ଟର ଅଫିସରଙ୍କୁ ପ୍ରଦାନ କରିବେ। ଯାହା ଚିଲିକା ବିଧାନସଭା ରିଟର୍ଣ୍ଣିଂ ଅଫିସର ଓ ପୁରୀ ଲୋକସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଆସନ୍ତା ୨୦ ତାରିଖ ସୁଦ୍ଧା ଦାଖଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ଅନୁରୂପ ଭାବେ ବାଣପୁର ବ୍ଲକ ଅଞ୍ଚଳରେ ମଧ୍ୟ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଏବଂ ୮୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଭୋଟରମାନଙ୍କ ସୁବିଧା ନିମନ୍ତେ ଇଛୁକ ବ୍ୟକ୍ତିମାନଙ୍କ ପାଇଁ ଘରେ ରହି ମତଦାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି।  ତେଣୁ ୧୨ଡି ଫର୍ମରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ଅଗ୍ରୱାଲ।

ଆବେଦନ କରିଥିବା ମତଦାତା ମାନଙ୍କର ମେ ମାସରେ ମତଦାନ କରାଯିବାର ବ୍ୟବସ୍ଥା ହୋଇଛି। ତତସହିତ ବାଣପୁର ବ୍ଲକରେ ୧୦୦ ବର୍ଷରୁ ଉର୍ଦ୍ଧ୍ଵ ୨୨ଜଣ ମତଦାତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧାଙ୍କ ତରଫରୁ ୧୯ଜଣଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି କି ନିଜର ମୌଳିକ କର୍ତ୍ତବ୍ୟକୁ ସମ୍ପାଦନ କରି ବିଶ୍ୱର ବୃହତମ ଗଣତନ୍ତ୍ରକୁ ମଜବୁତ କରିବା। ଅବଶିଷ୍ଟ ୩ଜଣ ମତଦାତାଙ୍କର ମୃତ୍ୟୁ ହୋଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

ସୂଚନା ଥାଉକି ଶତାୟୁ ଭୋଟରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ମତ ସାବ୍ୟସ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକା ମଝିରେ ପୁଣି ଅଟକିଲା ଭସାପୋଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ: ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ। ଭସାପୋଲଟି ଜହ୍ନିକୁଦାରୁ ସାତପଡା ଆଭିମୁଖେ ଯାଉଥିଲା। ଭସାପୋଲରେ ୨ଟି ଚାରିଚକିଆ, ୨୦ଟି ମଟୋର ସାଇକେଲ ସମେତ ୪୦ ଜଣ ଲୋକ ଥିବା ଜଣାପଡିଛି।

ସିଡ଼ିଏ ମେକାନିକାଲ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ଦାସଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୧.୩୦ ମିନିଟ ସମୟରେ ଭସାପୋଲଟି ଜହ୍ନିକୁଦାରୁ ବାହାରିଥିବା ବେଳେ କିଛି ସମୟ ଅତିକ୍ରମ କଲା ପରେ ଚିଲିକା ଜଳରାଶିରେ ଅଟକାଇଯାଇଥିଲା।

ତେବେ ଭସାପୋଲ ଏସି ପମ୍ପ ଖରାପ ହୋଇଯିବାରୁ ତାହା ଅଟକିଯାଇଥିଲା। ତେବେ କିଛି ସମୟ ପରେ ସିଡ଼ିଏ ପକ୍ଷରୁ ଉଦ୍ଧାରକାରି ଦଳ ପହଞ୍ଚି ଭସାପୋଲକୁ କୂଳକୁ ଆଣିଥିବା କହିଛନ୍ତି ଶ୍ରୀ ଦାସ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦେଶରେ ଚାକିରି ନାଁରେ ଠକେଇର ଶିକାର ହେଲେ ଚିଲିକାର ୭୦ ଶ୍ରମିକ: ଆନ୍ଧ୍ରା ପୋଲିସରେ କଲେ ଅଭିଯୋଗ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୭୦ଜଣ ଶ୍ରମିକ ଠକେଇର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ଜଣାପଡିଛି ଯେ, ବିଗତ ଦୁଇମାସ ତଳେ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକ ମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଲାଇଫ ଲାଇନ ଟ୍ରାଭେଲ ଏଜେନସି, ବିଜୟୱାଡା, ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରାଇବାର ଲେଖା ଥିଲା। ଯେଉଁ ବ୍ୟାନରର ଲେଖାକୁ ବିଶ୍ୱାସ କରି ଏବଂ ବ୍ୟାନରରେ ଲେଖା ଯାଇଥିବା କଥାର ପ୍ରଲୋଭନରେ ପଡ଼ି କମ୍ପାନୀର ମ୍ୟାନେଜର ଆର.ରାବଣା ରାଓଙ୍କୁ ବାଣପୁର ଅଂଚଳର ବହୁ ଶ୍ରମିକ ଯୋଗାଯୋଗ କରିଥିଲେ।

ଯୋଗାଯୋଗ ପରେ କମ୍ପାନୀ ତରଫରୁ ସମସ୍ତ ଶ୍ରମିକ ମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ଶ୍ରମିକ ମାନେ ମଧ୍ୟ ଭିସାକୁ ସଠିକ ବୋଲି ପରଖି ଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୫୯,୪୦୦ଟଙ୍କା ଲେଖା ଦେବାକୁ ପଡିବ ବୋଲି ଦାବୀ କରିଥିଲା ଉକ୍ତ କମ୍ପାନୀ। ଶ୍ରମିକ ମାନେ ମଧ୍ୟ ମ୍ୟାନେଜର ଆର. ରାବଣା ରାଓଙ୍କ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟ ଯାହାର ନମ୍ବର୧୪୭୨୧୫୫୦୦୦୦୯୭୨୪୨, ବ୍ରାଞ୍ଚ ଗଜୱାକାକୁ ସମସ୍ତ ଟଙ୍କା ପଠାଇଥିବା ଶ୍ରମିକ ମାନେ କହିଛନ୍ତି। ପରେ କମ୍ପାନୀ ତରଫରୁ ବିଦେଶ ଯିବାକୁ ଶ୍ରମିକ ମାନଙ୍କୁ ପ୍ଲେନ ଟିକେଟ ପ୍ରଦାନ କରାଯାଇଥିଲା। କିନ୍ତୁ ଶ୍ରମିକ ମାନେ ବିଜୟୱାଡା ଠାରେ ଥିବା କମ୍ପାନୀର ଅଫିସଠାରେ ପହଁଚିଲେ ସେଠାରେ କୌଣସି ଅଫିସ ନଥିବା ଏବଂ ଟିକେଟ କ୍ୟାନ୍ସଲ ହୋଇଯାଇଥିବା ମଧ୍ୟ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକ ମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ତାଙ୍କ ନିଷ୍ପତ୍ତି କ୍ରମେ ରୁରାଲ ପୋଲିସ ଥାନାରେ ଲିଖିତ ଏତଲା ଦାୟର କରିଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଶ୍ରମିକ ମାନେ ଉପରୋକ୍ତ ଥାନାରେ ବସିରହିଥିବା ଜଣାପଡିଛି। ତେଣୁ ଆନ୍ଧ୍ରପ୍ରଦେଶ ସରକାର ଓଡିଶା ଶ୍ରମିକ ମାନଙ୍କ ଠାରୁ ଲୁଟ କରିଥିବା କମ୍ପାନୀକୁ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରିବା ସହ ଓଡିଶାର ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ଦେବାକୁ ସାଧାରଣରେ ଦାବୀ ହେଉଛି।

Categories
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ: ଚିଲିକାରେ ପାଇଲେ ୫ ହଜାରରୁ ଊର୍ଦ୍ଧ୍ଵ ହିତାଧିକାରୀ

ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ଉପଲବ୍ଧ ପାଇଁ ମୁଖ୍ୟମନ୍ତ୍ରୀ ୫-ଟି ଉପକ୍ରମରେ ମା’ମାନଙ୍କ ପାଇଁ ୧୦ ଲକ୍ଷ, ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ବିଏସକେୱାଇ କାର୍ଡ ମାଧ୍ୟମରେ ଯୋଗାଇ ଦେଇଛନ୍ତି। ୮୧୬ ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ମାସକୁ ୧.୩ ଲକ୍ଷ ହିତାଧିକାରୀ ପାଉଥିବା ବେଳେ
ରାଜ୍ୟ ସରକାର ନିଜ ପାଣ୍ଠିରୁ ମାସକୁ ଖର୍ଚ୍ଚ କରୁଛନ୍ତି ୨୭୦ କୋଟି ଟଙ୍କା।

ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ ବିଏସକେଓୟୀ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ପୂର୍ବାହ୍ନରେ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ଚିଲିକା ନିର୍ବାଚନ ମଣ୍ଡଳୀର ହିତାଧିକାରୀମାନଙ୍କୁ ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ କାର୍ଡ ବଣ୍ଟନ କରାଯାଇଥିଲା।

ତେବେ ଚିଲିକା ବ୍ଲକ ଅନ୍ତର୍ଗତ ୧୭ ଟି ପଞ୍ଚୟତ ରେ ୨୪୯୫ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୨୧୧୮ ହିତାଧିକାରୀଙ୍କୁ ବିଏସକେଓୟୀ କାର୍ଡ ବଣ୍ଟନ କରାଯାଇଥିବା ଯୋଗାଣ ଅଧିକାରୀ ଅରୁଣ ଲେଙ୍କା ସୂଚନା ଦେଇଛନ୍ତି। ବୁଧଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ।

ସେହିପରି ବାଣପୁର ବ୍ଲକରେ ସମୁଦାୟ ବିଏସକେୱାଇ ଯୋଜନାରେ ୫୦୦୦ ହିତାଧିକାରୀ ଆବେଦନ କରିଥିବା ବେଳେ ୩୦୦୦ ଜଣ ହିତାଧିକାରୀ ମାନଙ୍କର କାର୍ଡ ବଣ୍ଟନ ନିମନ୍ତେ ସରକାର ପ୍ରେରଣ କରିଥିବା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱାଳ କହିଛନ୍ତି। ତେବେ ଅବଶିଷ୍ଟ ହିତାଧିକାରୀ ମାନଙ୍କର କାର୍ଡ ଖୁବ ଶୀଘ୍ର ବଣ୍ଟନ କରାଯିବ ବୋଲି ବିଡ଼ିଓ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ ଚିକିତ୍ସା ସୁବିଧା ପାଉଛନ୍ତି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି।ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।ଉକ୍ତ ଯୋଜନା ଦ୍ୱାରା ଅଧିକରୁ ଅଧିକ ପରିବାର ଉପକୃତ ହୋଇପାରିବେ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଜୋଶନା ବେହେରା,ବିଡ଼ିଓ ଜଗଦୀଶ ଷଡଙ୍ଗୀ,ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ ଲେଙ୍କାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ନାୟବ ସରପଞ୍ଚ,ଯୋଗାଣ ସହାୟକ ଉପସ୍ଥିତ ଥିଲେ।