Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର 15ରୁ ଖୋଲିବ ସିନେମା ହଲ୍‌ : ଏନେଇ ଏସ୍‌ଓପି ଜାରି କଲେ ସରକାର

ନୂଆଦିଲ୍ଲୀ : କରୋନା ଯୋଗୁଁ ଗତ ସାତ ମାସ ଧରି ଦେଶର ସମସ୍ତ ସିନେମା ହଲ୍‌ ବନ୍ଦ ରହିଛି । ତେବେ ଅନଲକ୍‌5ରେ ସିନେମାହଲ୍‌ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଅକ୍ଟୋବର 15 ତାରିଖର କଟକଣା ମଧ୍ୟରେ ସିନେମା ହଲ୍‌ ଖୋଲିବାକୁ ନେଇ ସରକାର ଏସ୍‌ଓପି ଜାରି କରିଛନ୍ତି । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ସୂଚନା ଦେଇଛନ୍ତି । 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯିବାକୁ କୁହାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ –

ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲାଯିବ ।

ପ୍ରବେଶ ପୂର୍ବରୁ ସାନିଟାଇଜ୍‌ ବ୍ୟବସ୍ଥା ରହିବ ।

ସିନେମା ହଲ୍‌ର ପ୍ରତି ସିଟ୍ର ପାଖ ଦୁଇଟି ସିଟ୍‌ଖାଲି ରହିବ ।

ସିନେମା ହଲ୍‌ ଭିତରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ହଲ୍‌ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ଜରୁରୀ ।

କରୋନାର ଲକ୍ଷଣ ନଥିବା ଲୋକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଅନଲାଇନ୍‌ ବୁକିଂକୁ ଅଗ୍ରାଧିକାର ଦିଆଯିବ

ହଲ୍‌ ଭିତରେ କେବଳ ପ୍ୟାକେଟ୍‌ ଖାଦ୍ୟ ମିଳିବ

ଇଣ୍ଟରଭାଲ୍‌ର ସମୟ ସୀମା ବୃଦ୍ଧି କରାଯିବ ।

ଓ୍ବାସ୍‌ରୁମ୍‌ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ ।

ଟିକେଟ କାଉଣ୍ଟର ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍‌ଟର ଖୋଲାଯିବ

ଶୋ’ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯିବ ।

ଶୋ’ ସରିବା ପରେ ସମ୍ପୂର୍ଣ୍ଣ ହଲ୍‌କୁ ସାନିଟାଇଜ୍‌ କରାଯିବ ।

ଉପରୋକ୍ତ ସମସ୍ତ ଗାଇଡଲାଇନ୍‌ ନ ମାନିଲେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।