Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର: ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆସନ ପାଇଁ ହେବ ମତଦାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ଆଜି ସନ୍ଧ୍ୟା ୬ ଟାରେ ଶେଷ ହୋଇଥିବାବେଳେ ଦିନରେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସାଧାରଣ ସଭା, ରାଲି ଓ ରୋଡ୍ ସୋ ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନରେ ଆସାମର ନଲବାଡିରେ ପହଞ୍ଚି ସେଠାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ୪ ତାରିଖରେ ଫଳାଫଳ କ’ଣ ହେବ ତାହା ସ୍ପଷ୍ଟ ଦେଖାଯାଉଛି। ଏପରି ପରିସ୍ଥିତିରେ ଲୋକମାନେ କୁହନ୍ତି – ୪ ଜୁନ୍, ୪୦୦ ପାର! ପୁଣି ଥରେ ମୋଦୀ ସରକାର।

ସକାଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବ ଦିଲ୍ଲୀ ନିକଟରେ ଥିବା ଉତ୍ତରପ୍ରଦେଶର ଗାଜିଆବାଦରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସମୟରେ ସେମାନେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ଇଣ୍ଡିଆ ଆଲାଏନ୍ସ ଦ୍ୱାରା ଏକ ଭିଡିଓ ଗୀତ ମଧ୍ୟ ରିଲିଜ ହୋଇଥିଲା, ଯେଉଁଥିରେ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କ ୨୦୧୭ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏକାଠି ଭିଡିଓ ଏବଂ ଫଟୋ ଅନ୍ତର୍ଭୁକ୍ତ।

ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସାହାରନପୁରରେ ତାଙ୍କର ପ୍ରଥମ ରୋଡ୍ ସୋ କରିଥିଲେ। ସେ ପ୍ରାୟ ୨୫ ମିନିଟରେ ୧.୫ କିଲୋମିଟର ଯାତ୍ରା କରି କହିଥିଲେ ଯେ, ମୁଁ ସବୁଆଡେ କହୁଛି ଯେ ଏହି ନିର୍ବାଚନ ଲୋକଙ୍କ ପାଇଁ ହେବା ଉଚିତ୍। ଏହା ଲୋକଙ୍କ ସମସ୍ୟା ଉପରେ ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତାମାନେ ବେକାରୀ, ମୁଦ୍ରାସ୍ଫୀତି, କୃଷକ, ମହିଳାଙ୍କ ବିଷୟରେ କିଛି କହୁନାହାଁନ୍ତି। ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ ମାତା ଶକ୍ତି ଏବଂ ସତ୍ୟର ଉପାସକ ନୁହଁନ୍ତି, ସେମାନେ ‘କ୍ଷମତା’ର ଉପାସକ ଅଟନ୍ତି।

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ୍ କେଉଁଠାରେ ହେବ?:

୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ, ଏପ୍ରିଲ ୧୯ ତାରିଖ ୨୦୨୪ରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସମେତ ମୋଟ ୧୦୨ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏଥିରେ ଅରୁଣାଚଳରୁ ଦୁଇ, ଆସାମରୁ ପାଞ୍ଚ, ବିହାରରୁ ଚାରି, ଛତିଶଗଡରୁ ଏକ, ମଧ୍ୟପ୍ରଦେଶରୁ ୬, ମହାରାଷ୍ଟ୍ରରୁ ପାଞ୍ଚ, ମଣିପୁରରୁ ଦୁଇ, ମେଘାଳୟରୁ ଦୁଇଟି, ମିଜୋରାମରୁ ଏକ, ନାଗାଲାଣ୍ଡରୁ ଏକ, ରାଜସ୍ଥାନରୁ ୧୨, ସିକ୍କିମରୁ ଏକ, ତାମିଲନାଡୁର ୩୯ ଟି , ତ୍ରିପୁରାରେ ଗୋଟିଏ, ଉତ୍ତରପ୍ରଦେଶରେ ଆଠଟି, ଉତ୍ତରାଖଣ୍ଡରେ ପାଞ୍ଚଟି, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ, ଜମ୍ମୁ କାଶ୍ମୀରରେ ଗୋଟିଏ, ଲକ୍ଷ୍ମୀଦ୍ୱୀପ ଏବଂ ପୁଡୁଚେରୀ ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ପୁଣିଥରେ କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ଯୁବ ଦଳୀତ ନେତା ଦେବାଶିଷ ଜରାରିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା ଲାଗିବା ବନ୍ଦ ହେଉନାହିଁ। ପ୍ରାୟ ପ୍ରତ୍ୟେକ ଦିନ କଂଗ୍ରେସକୁ ଝଟକା ଲାଗିଛି। ଆଜି ମଧ୍ୟ କଂଗ୍ରେସର ଜଣେ ଯୁବ ଦଳୀତ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ ଏକ ଭିଡିଓ ସେୟାର କରି ନିଜକୁ ଏକ ମାଛି ସହିତ ତୁଳନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ​​ଭିଣ୍ଡ-ଦତ୍ତିଆ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ପ୍ରାର୍ଥୀ ଦେବାଶିଷ ଜରାରିଆ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଯୁବ ଦଲିତ ନେତା ଭାବରେ ଦେବାଶିଷ ଜରାରିଆଙ୍କୁ ଦେଖାଯାଏ। ଆଜି ଦଳରୁ ଇସ୍ତଫା ଦେବାବେଳେ ଦେବାଶିଷ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଦେବାଶିଷ କହିଛନ୍ତି ଯେ, କଂଗ୍ରେସର ନେତାମାନେ ମୋର ରାଜନୈତିକ ହତ୍ୟା କରିବାର ଦାୟିତ୍ଵ ନେଇଛନ୍ତି। କ୍ଷୀରରେ ମାଛି ପରି କଂଗ୍ରେସ ମୋତେ ଫିଙ୍ଗି ଦେଇଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ମୁଖପାତ୍ରଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ: ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରଣଦୀପଙ୍କ ନିର୍ବାଚନ ପ୍ରଚାର ଉପରେ ଆଜି ନିର୍ବାଚନ ଆୟୋଗ (ECI) ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ହେମା ମାଳିନୀଙ୍କ ବିବାଦୀୟ ବିବୃତ୍ତି ଉପରେ କଂଗ୍ରେସ ନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିର୍ବାଚନ ଆୟୋଗ ରଣଦୀପ ସୁରଜେୱାଲାଙ୍କୁ ପ୍ରଚାର ଏବଂ କୌଣସି ପ୍ରକାରର ମିଡିଆ ସାକ୍ଷାତକାର ଦେବା ଉପରେ ୪୮ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, “ଭାରତର ସମ୍ବିଧାନର ଧାରା ୩୨୪ ଏବଂ ଏହି ବାବଦରେ ଅନ୍ୟ ସମସ୍ତ କ୍ଷମତା ଅନୁଯାୟୀ ନିର୍ବାଚନ ଆୟୋଗ ତାଙ୍କୁ (ରଣଦୀପ ସୁରଜେୱାଲା) ଆସନ୍ତା ୪୮ ଘଣ୍ଟା ପାଇଁ ଅର୍ଥାତ ଏପ୍ରିଲ୍ ୧୬ ତାରିଖ ୨୦୨୪ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କୌଣସି ଶୋଭାଯାତ୍ରା, ସାଧାରଣ ସଭା ଇତ୍ୟାଦିରେ ଯୋଗଦେବାକୁ ବାରଣ କରିଛନ୍ତି।

ହେମା ମାଳିନୀଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତାଙ୍କ ବିବାଦୀୟ ମନ୍ତବ୍ୟ ପରେ ବିଜେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା। ଏହା ପରେ ନିର୍ବାଚନ ଆୟୋଗ ରଣଦୀପ ସୁରଜେୱାଲାଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଥିଲେ। ଏପ୍ରିଲ୍ ୨୦୨୪ ପ୍ରାରମ୍ଭରେ ପଠାଯାଇଥିବା ଏହି କାରଣ ଦର୍ଶାଅ ବିଜ୍ଞପ୍ତିରେ ନିର୍ବାଚନ ଆୟୋଗ ବିଜେପି ସାଂସଦଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଅଶ୍ଳୀଳ, ଅଶୋଭନୀୟ ତଥା ଅସଭ୍ୟ ବୋଲି କହିଛି। ତେବେ ରଣଦୀପ ସୁରଜେୱାଲା ଉତ୍ତର ଦେଇଛନ୍ତି ଯେ, ଯେଉଁ ଭିଡିଓ ଉପରେ ଅଭିଯୋଗ କରାଯାଇଛି ତାହା ଉପରେ ଟ୍ୟାମ୍ପରିଂ କରାଯାଇଛି।

Categories
ଜାତୀୟ ଖବର ଧର୍ମ ନିର୍ବାଚନ ଖବର ବିଶେଷ ଖବର

୨୦୨୪ ନିର୍ବାଚନରେ ବିଜେପି କୁ ଅଟକାଇପାରିବ ‘ଇଣ୍ଡି ମେଣ୍ଟ’?: ଜାଣନ୍ତୁ କ’ଣ କହୁଛି ସମୀକରଣ

ଭୁବନେଶ୍ଵର: ଓଡ଼ିଆରେ ଗୋଟେ କଥା ଅଛି; ଯୁଦ୍ଧ ବେଳେ ପୋଖରୀ ପାଣି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟକାଇବାକୁ ବିରୋଧୀଙ୍କ ରଣନୀତି ଦେଖିଲେ ଏହାହିଁ କୁହାଯାଇପାରିବ। ନିର୍ବାଚନୀ ମଇଦାନରେ ସେନା ଠୁଳ ହୋଇସାରିଲେଣି। ଯୋଦ୍ଧାମାନେ ବି ଅସ୍ତ୍ରଶସ୍ତ୍ର ପଜାଇ ରେଡ୍ଡୀ ହୋଇ ବସିଲେଣି। ହେଲେ ମୋଦିଙ୍କୁ ଅଟକାଇବା ପାଇଁ ବିରୋଧୀ ମେଣ୍ଟ ଯେଉଁ ଅସ୍ତ୍ର ରଖିଥିଲେ ଧିରେଧିରେ ତାହା ଘୁଣ ଖାଇବାରେ ଲାଗିଛି। ମୁଣ୍ଡ ଖଟାଇବା ଅପେକ୍ଷା ସେମାନେ ଖଟ ମୁଣ୍ଡାଇବା ଭଳି ରଣନୀତି କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ରାଜ୍ୟର ରାଜନୀତିକ ସମୀକରଣକୁ ଲକ୍ଷ୍ୟ କଲେ ଆମେ ସହଜରେ ଏହି ଅଙ୍କ ବୁଝିପାରିବା।

୧. ବିରୋଧୀଙ୍କୁ ଇଡ଼ି ଓ ଆଇଟି ଡର: ଗଲା ମାର୍ଚ୍ଚ ୩୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟର ୨୭ ଦଳ ଏକାଠି ହୋଇଥିଲେ। ସେମାନେ ଭୋଟ ପାଇଁ ନୁହେଁ, ବରଂ ଇଡ଼ି ଓ ଆଇଟି ଡରରେ ଏକାଠି ହୋଇଥିଲେ ବୋଲି କୁହାଯାଇପାରିବ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡ଼ି ଗିରଫ କରିବା ପରେ ଇଣ୍ଡି ମେଣ୍ଟରେ କୋକୁଆ ଭୟ ଖେଳିଯାଇଛି। ସେପଟେ କଂଗ୍ରେସକୁ ମଧ୍ୟ ଆଇଟି ବିଭାଗ ପକ୍ଷରୁ ୩୫ ଶହ କୋଟିର ଜରିମାନା ଭରିବାକୁ କୁହାଯାଇଛି। ଏଥିରୁ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରିବ। ବିଜେପି ଖାଲିଯେ, ମୋଦିଙ୍କ ଲୋକପ୍ରିୟତା ଓ ବିଜେପିର ସଂଗଠନ ଉପରେ ଭରସା କରିଛି ତାହାନୁହେଁ ବିରୋଧୀଙ୍କୁ ସଣ୍ଢୁଆସୀ ଚାପ ଦେବାକୁ ବି ରଣନୀତି କରିଛି।

୨. ପାଣିରେ ମିଳାଇଗଲା ବିରୋଧୀଙ୍କ ସ୍ୱପ୍ନ: ଦିନକୁ ଦିନ ଦେଶରେ ବିଜେପିର ଶକ୍ତି ବଢ଼ିବାରେ ଲାଗିଛି। ନିର୍ବାଚନୀ ପରିସଂଖ୍ୟାନରୁ ଏହାବି ସ୍ପଷ୍ଟ ପ୍ରତୀୟମାନ। ୨୦୧୪ରେ ବିଜେପି ୨୮୨ ଆସନ ପାଇଥିବାବେଳେ ୨୦୧୯ ରେ ୩୦୩ ଆସନ ହାତେଇ ନେଇଥିଲା। ଏଥର ବିଜେପି ୩୭୦ ଆସନ ପାଇବାକୁ ଲକ୍ଷ୍ୟ ରଖିଛି। ଭୋଟ ଅଙ୍କକୁ ଦେଖିଲେ ବିଜେପିକୁ ଗତ ନିର୍ବାଚନରେ ୩୮% ଭୋଟ ମିଳିଥିବାବେଳେ ଏନଡିଏ ମେଣ୍ଟ ପାଇଥିଲା ୪୫% ଭୋଟ। ଅତଏବ ୫୫% ଭୋଟ ଏନଡିଏ ବିରୋଧରେ ପଡ଼ିଥିଲା। ଏନଡିଏ ବିରୋଧୀ ଭୋଟ ଗୋଟିଏ ଖାଳେଇରେ ପୂରାଇ ପାରିଲେ ଇଣ୍ଡି ମେଣ୍ଟ ରାଜନୀତିକ ସମୀକରଣ ବଦଳାଇ ଦେବ ବୋଲି କେତେକ ରାଜନୀତିକ ସମୀକ୍ଷକ ଅଙ୍କ କଷୁଥିଲେ। ବିଶେଷକରି ନୀତିଶ କୁମାର ଛାତିପିଟି ଏହି ଗଣିତ କଥା କହୁଥିଲେ। କିନ୍ତୁ ଏବେ ନୀତିଶ ଏନଡିଏ ସହ ଥିବାବେଳେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକାକୀ ଲଢ଼ୁଛନ୍ତି। ବିହାର ଓ ପଶ୍ଚିମବଙ୍ଗ ଅଙ୍କ ବିରୋଧୀଙ୍କ ସ୍ୱପ୍ନରେ ପାଣି ପୂରାଇଦେଇଛି କହିଲେ ଭୁଲ ହେବନାହିଁ।

୩. କଂଗ୍ରେସ କାନ୍ଧରେ ବୋଝ : ସାମ୍ପ୍ରତିକ ସ୍ଥିତିରେ ଦେଶର ୨ ଶହ ଲୋକସଭା ଆସନରେ କଂଗ୍ରେସ ସହ ବିଜେପିର ହିଁ ଲଢ଼େଇ ହେବ। ବିଜେପି ଗତଥର ଯେଉଁ ୩୦୩ ଆସନରେ ବାଜି ମାରିଥିଲା ସେଥିମଧ୍ୟରୁ ୧୯୦ ଆସନରେ ହିଁ କଂଗ୍ରେସ ସହ ଲଢେ଼ଇ ହୋଇଥିଲା। ଯେଉଁଥିପାଇଁ ବିଜେପି କଂଗ୍ରେସ ଓ ରାହୁଲଙ୍କୁ ହିଁ ଟାର୍ଗେଟ କରିଆସୁଛି। ୨୦୧୯ରେ କଂଗ୍ରେସ ୫୨ ଆସନ ପାଇଥିବାବେଳେ ୧୯୬ ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ସେଥିମଧ୍ୟରୁ ଦଳ ୧୭ ଆସନରେ ୫%ରୁ କମ୍ ଭୋଟରେ ହାରିଯାଇଥିବାବେଳେ ୫ରୁ ୧୫% ଆସନରେ ହାରିଥିବା ଆସନ ସଂଖ୍ୟା ହେଉଛି ୫୪। ୧୨୫ ଆସନରେ ୧୫%ରୁ ଉର୍ଦ୍ଧ୍ୱ ଭୋଟରେ ଦଳ ପରାସ୍ତ ହୋଇଥିଲା। ଏବେ ଦଳ ପାଇଁ ଚ୍ୟାଲେଞ୍ଜ ହେଉଛି ୭୧ ଆସନ। ଯେଉଁଠାରେ କି କଂଗ୍ରେସ ୧୫%ରୁ କମ ଭୋଟରେ ପରାସ୍ତ ହୋଇଥିଲା। ଏହି ଭୋଟ ହାରକୁ ଯଦି କଂଗ୍ରେସ ଓ ଇଣ୍ଡି ମେଣ୍ଟ ସହଯୋଗୀ ବଢ଼ାଇପାରନ୍ତି ତେବେ ଆସନ ସଂଖ୍ୟା ୧୦୦ ଟପିପାରିବ ବୋଲି ଆକଳନ କରାଯାଉଛି।

୪. ଇଣ୍ଡି ମେଣ୍ଟର ବଳ, ବିଜେପିର ଖେଳ : ଇଣ୍ଡି ମେଣ୍ଟର ବଳ ଥିଲା ଉତରପ୍ରଦେଶ (୮୦), ମହାରାଷ୍ଟ୍ର (୪୮), ପଶ୍ଚିମବଙ୍ଗ (୪୨) ଓ ବିହାର (୪୦)। ଏହି ୪ ରାଜ୍ୟରେ ୨୧୦ ଲୋକସଭା ଆସନ ରହିଛି। ଏହିସବୁ ରାଜ୍ୟରେ ବିରୋଧୀ ଏକାଠି ହୋଇଥିଲେ ବିଜେପି ନାକୁଆଣୀ ହୋଇଯାଇଥାଆନ୍ତା। ଏକଥା ମୋଦି ଓ ଅମିତ ଶାହା ବି ଭଲଭାବେ ବୁଝିସାରିଥିଲେ। ତେଣୁ ବିଜେପି ଏମିତି ଖେଳ କରିଛିଯେ, ବିରୋଧୀ ଦଳର ହୋସ ଉଡ଼ିଯାଇଛି। ଗୋଟିଏ ପଟେ ରାମମନ୍ଦିର କରି ୟୁପିରେ ଦଳ ହିନ୍ଦୁତ୍ୱ ଭୋଟକୁ ବଢ଼ାଇ ଦେଇଛି। ସେପଟେ ଉତରପ୍ରଦେଶରେ ଜାଠ୍ ସମର୍ଥନ ଥିବା ରାଷ୍ଟ୍ରୀୟ ଲୋକ ଦଳ ଏବଂ ପଛୁଆ ଓ ଦଳିତଙ୍କ ସମର୍ଥନ ଥିବା ସୁହାଲଦେବ ଭାରତୀୟ ସମାଜ ପାର୍ଟି ବି ବିଜେପି ସହ ହାତ ମିଶାଇଛନ୍ତି। ମାୟାବତୀ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବାରୁ ଇଣ୍ଡି ମେଣ୍ଟ ୟୁପିରେ ସଫଳତା ପାଇବ ବୋଲି ଭାବିବା ବୋକାମୀ ହେବ। ମହାରାଷ୍ଟ୍ରରେ ଏନସିପି ଓ ଶିବସେନାକୁ ବିଜେପି ଫଟାଇ ଦେଇ ଇଣ୍ଡି ମେଣ୍ଟକୁ ଦୁର୍ବଳ କରିଦେଇଛି। ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ୁଥିବାବେଳେ ବିହାରରେ ନୀତିଶ କୁମାର ବି ହାତ ଛାଡ଼ି ଦେଇଛନ୍ତି। ଅର୍ଥାତ୍ ନିର୍ବାଚନର ବହୁ ପୂର୍ବରୁ ଯେଉଁ ରାଜ୍ୟକୁ ନେଇ ବିରୋଧୀ ଆଶାବାନ ଥିଲେ ବିଜେପି ଖେଳରେ ତାହା ନିଷ୍ପ୍ରଭ ହୋଇସାରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

୨୦୨୪ର ରୋଚକ ଲଢ଼େଇ: ଦୁଇ ଭାଇ ଓ ଖୁଡ଼ୀ-ପୁତୁରା ମୁହାଁମୁହିଁ

ଭୁବନେଶ୍ଵର: ଚଳିତ ନିର୍ବାଚନରେ କ୍ଷମତା ନିଶା ଏତେ ବଢ଼ି ଯାଇଛି ଯେ, ମାଆ ପେଟର ଦୁଇ ଭାଇ କେହି କାହାକୁ ସହିବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ ଭାଇ ଭାଇ ନୁହଁନ୍ତି ଗୋଟିଏ ପରିବାରର ସଦସ୍ୟ ଖୁଡ଼ୀ-ପୁତୁରା କ୍ଷମତା ହାସଲ କରିବା ପାଇଁ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବାକୁ ପଛଘୁଞ୍ଚା ଦେଇନାହାନ୍ତି।

ଏଭଳି ଘଟଣା ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଘଟଣା ଆମେ ପଢ଼ିବାକୁ ପାଉଥିଲୁ। କିନ୍ତୁ ଏବେ ଆମ ରାଜ୍ୟରେ ଏହିପରି ଦୁଇଟି ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ। ଚିକିଟିର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ କଂଗ୍ରେସ ଦଳରୁ ଓ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜେପି ଟିକଟରେ ଚିକିଟି ବିଧାନସଭା ଆସନ ପାଇଁ ଲଢ଼ୁଛନ୍ତି। ଏହାକୁ ନେଇ ଚିକିଟି ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି।

ସେହିପରି ନବରଙ୍ଗପୁର ବିଧାନସଭା ଆସନରେ ମଧ୍ୟ ପାରିବାରିକ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ନବରଙ୍ଗପୁରର ସଂସଦୀୟ କ୍ଷେତ୍ରର ୯ଥରର ସାଂସଦ ଖଗପତି ପ୍ରଧାନୀଙ୍କ ପୁଅ ତଥା ବିଜେଡି ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଦଳ ପ୍ରାର୍ଥୀ କରିଛି। କୌଶଲ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଖଗପତିଙ୍କ ଅନ୍ୟତମ ପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲ୍ଲୀପ ପ୍ରଧାନୀ। ଦିଲ୍ଲୀପଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ତେନ୍ତୁଳି ଖୁଣ୍ଟି ବ୍ଳକ ଅଧ୍ୟକ୍ଷ ହେବାକୁ ଚେଷ୍ଠାକରୁଥିଲାବେଳେ ସଦାଶିବ ପରିବାର କଥା ଚିନ୍ତା ନ କରି ଏଥିରେ ବାଧା ସୃଷ୍ଟି କରିଥିଲେ ବୋଲି ଦିଲ୍ଲୀପ ଅଭିଯୋଗ କରିଛନ୍ତି। ତେଣୁ ସେ ପରିବାର କଥା ଚିନ୍ତା ନ କରି ଜାତୀୟ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା: ଓଡିଶାର ୯ ଟି ଲୋକସଭା ଆସନ ପାଇଁ ଘୋଷଣା ହେଲା ନାମ

ଭୁବନେଶ୍ବର: ଆଜି ରାଜ୍ୟର ୯ ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବରରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରାଯାଇଛି। ସେହିଭଳି କେନ୍ଦୁଝରରୁ ମୋହନ ହେମ୍ବ୍ରମ, ଭଦ୍ରକରୁ ଅନନ୍ତ କୁମାର ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସଶ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତିଙ୍କୁ ଦପ୍ରାର୍ଥୀ କରାଯାଇଛି।

ପ୍ରାର୍ଥୀ ତାଲିକା

ଭୁବନେଶ୍ୱର- ୟାସିର ନଓ୍ବାଜ

ପୁରୀ- ସୁଚରିତା ମହାନ୍ତି

ଭଦ୍ରକ (ଏସସି) – ଅନନ୍ତ କୁମାର ସେଠୀ

କେନ୍ଦୁଝର (ଏସଟି) – ମୋହନ ହେମ୍ବ୍ରମ

ବାଲେଶ୍ବର- ଶ୍ରୀକାନ୍ତ କୁମାର ଜେନା

ଯାଜପୁର (ଏସସି)- ଅଞ୍ଚଳ ଦାସ

ଢେଙ୍କାନାଳ- ସଶ୍ମିତା ବେହେରା

କେନ୍ଦ୍ରାପଡା- ସିଦ୍ଧାର୍ଥ ସ୍ବରୂପ ଦାସ

ଜଗତସିଂହପୁର – ରବୀନ୍ଦ୍ର କୁମାର ସେଠୀ

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା, ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଛାଡିଲେ ଦଳ

ଜୟପୁର: ରାଜସ୍ଥାନ କଂଗ୍ରେସ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ ନାଗୌର ଜିଲ୍ଲାର କ୍ଷିଂବସର ବିଧାନସଭାର ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଦଳ ଛାଡିଛନ୍ତି। କଂଗ୍ରେସ ପାର୍ଟିରୁ ନିଲମ୍ବିତ ହୋଇଥିବା କୁଚେରା ମ୍ୟୁନିସିପାଲିଟି ଅଧ୍ୟକ୍ଷ ତେଜପାଲ ମିର୍ଧା ଏହି ସୂଚନା ଦେଇଛନ୍ତି। ବାସ୍ତବରେ ନାଗୌର ଲୋକସଭା ଆସନରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ସହିତ କଂଗ୍ରେସ ମେଣ୍ଟ ଗଠନ କରି ଏହାକୁ ଆରଏଲପି ପାଇଁ ଖାଲି ରଖିଛି। ନାଗୌର ସାଂସଦ ତଥା ଆରଏଲପି ମୁଖ୍ୟ ହନୁମାନ ବେନିୱାଲଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରିଛି। ଏହି ସମୟରେ ବେନିୱାଲଙ୍କ ଅଭିଯୋଗକୁ ଭିତ୍ତି କରି ନାଗୌରରୁ ବିଜେପି ପ୍ରାର୍ଥୀ ଜ୍ୟୋତି ମିର୍ଧାଙ୍କ ସପକ୍ଷରେ ପ୍ରଚାର କରିଥିବାରୁ ତିନିଜଣ କଂଗ୍ରେସ କର୍ମୀଙ୍କୁ ସୋମବାର ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।

କଂଗ୍ରେସ ନେତା- ପୂର୍ବତନ ବିଧାୟକ ଭରାରାମ, କୁଚେରା ପୌରପାଳିକାର ଅଧ୍ୟକ୍ଷ ତେଜପାଲ ମିର୍ଧା ଏବଂ ସୁଖରାମ ଡୋଡୱାଡିଆଙ୍କ ନିଲମ୍ବନ ପରେ ତୁରନ୍ତ ନାଗୌରରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ କ୍ରୋଧ ବଢିଥିଲା। ଏହି ନିଲମ୍ବନକୁ ବିରୋଧ କରି ତିନିଜଣ କଂଗ୍ରେସ ନେତା ଦଳର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ତେଜପାଲ ମିର୍ଦ୍ଧା କହିଛନ୍ତି ଯେ, “ବିଧାନସଭା ନିର୍ବାଚନ ସମୟରେ ନାଗୌରରେ କଂଗ୍ରେସ ଏକ ଦୃଢ ସ୍ଥିତିରେ ଥିଲା। ଦଳ ଆଠଟି ଆସନ ମଧ୍ୟରୁ ଚାରିଟି ଜିତିଥିଲା। ଲୋକସଭା ନିର୍ବାଚନରେ ​​ଏହାର ସ୍ଥିତି ସମାନ ଥିଲା।” ନାଗୌରରେ କଂଗ୍ରେସକୁ ଧ୍ୱଂସ କରିବାକୁ ହନୁମାନ ବେନିୱାଲ ଚେଷ୍ଟା କରୁଛନ୍ତି।

କଂଗ୍ରେସ ହାଇକମାଣ୍ଡ ସ୍ଥାନୀୟ କଂଗ୍ରେସ ରାଜ୍ୟ ୟୁନିଟର ସହମତି ବିନା ଆରଏଲପି ସହ ଚୁକ୍ତି କରିଥିଲେ। ଏହି ମେଣ୍ଟ ଆମ ଉପରେ ଜୋର କରି ଲାଗୁ କରାଯାଇଛି। ସମଗ୍ର ଜିଲ୍ଲାରେ କଂଗ୍ରେସକୁ ପରାସ୍ତ କରିବାକୁ ଆରଏଲପି କାର୍ଯ୍ୟ କରିଥିଲା। ଆମେ କେବେ ବି ବିଜେପି ସହିତ ମଞ୍ଚ ସେୟାର କରିନାହୁଁ। ତଥାପି ବେନିୱାଲ ଆମକୁ ଦଳରୁ ବହିଷ୍କାର କରିଥିଲେ। କୌଣସି ସୂଚନା କିମ୍ବା କାରଣ ଦର୍ଶାଅ ନୋଟିସ ବିନା କଂଗ୍ରେସ ସିଧାସଳଖ ତୁଗଲାକି ଆଦେଶ ଜାରି କରି ଆମକୁ ବହିଷ୍କାର କଲା।

ବିହିସ୍କୃତ କଂଗ୍ରେସ କର୍ମୀଙ୍କ ସହ ନିର୍ବାଚିତ ଜନ ପ୍ରତିନିଧୀଙ୍କ ମଧ୍ୟରେ ୨୧ ଜଣ କାଉନସିଲର, ୮ ଜଣ ପୂର୍ବତନ କାଉନସିଲର, ୭ ଜଣ ପଞ୍ଚାୟତ କମିଟି ସଦସ୍ୟ, ଜଣେ ବ୍ଲକ ସଭାପତି, ୧୦ ଜଣ ଉପସଭାପତି, ୨୪ ଜଣ ସାଧାରଣ ସଚିବ, ୨୨ ଜଣ ସଚିବ, ୧୨ ଜଣ ସହ-ସଚିବ, ୩୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୨୬୪ ବୁଥ ସଭାପତି, ଜଣେ NSUI, ଜଣେ ଯୁବ କଂଗ୍ରେସ ବିଧାନସଭା ସଭାପତି ଏବଂ କଂଗ୍ରେସ ସଂଗଠନ ସହ ଜଡିତ ପ୍ରାୟ ୪୦୦ ପଦାଧିକାରୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ ପ୍ରାୟ ୫୦୦ କଂଗ୍ରେସ କର୍ମୀ ମଧ୍ୟ କଂଗ୍ରେସ ଛାଡିଛନ୍ତି।

ଏହି ସମୟରେ କଂଗ୍ରେସ କର୍ମୀ ବରୁଣ ପୁରୋହିତ କହିଛନ୍ତି, “ଏହା ହେଉଛି ବିଜେପିର ପ୍ରଚାର। ଏହା ସବୁ ନକଲି। ଭିଡ଼ ଭିତରେ ଥିବା ଲୋକମାନେ ସବୁବେଳେ କଂଗ୍ରେସ ସଦସ୍ୟ ନୁହଁନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ବର: ଖୁବ ଶିଘ୍ର ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। ଏ ନେଇ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଦିଲ୍ଲୀ ଯିବା ପୂର୍ବରୁ ସେ କହିଛନ୍ତି ଯେ, ଦିଲ୍ଲୀରେ ଶନିବାର ଦିନ ସ୍କ୍ରିନିଂ କମିଟ ବୈଠକ ବସିବ ଏବଂ ରବିବାର ଦିନ ସିଇସି ବୈଠକ ବସିବ। ଏଥିରେ ଓଡିଶାର ତାଲିକା ପ୍ରସ୍ତୁତ ହୋଇ ଘୋଷଣା ହେବ।

ଶରତ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଆସନ୍ତା 15 ତାରିଖ ସୁଦ୍ଧା ଓଡିଶାର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ବିଜେଡି ବିଜେପି ରାଜ୍ୟର ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ବିଜେପି ଶାସନ କାଳରେ ୧ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି’: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା କୃଷକ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଆଜି ପ୍ରିୟଙ୍କା କହିଛନ୍ତି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଅଧୀନରେ ଏକ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ନା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି ନା ଏମଏସପି ଦିଆଯାଇଛି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ କେବଳ ଏମଏସପି ନିଶ୍ଚିତ ହେବ ନାହିଁ, ବରଂ ଚାଷୀଙ୍କ ପାଇଁ ଋଣ ଛାଡ ମଧ୍ୟ ହେବ।

ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏହି ସମୟରେ ପ୍ରତ୍ୟେକ ଦଳ ଚାଷୀଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। କଂଗ୍ରେସ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି, ଯାହା କୃଷକମାନଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦେବାକୁ ଯାଉଛି ବୋଲି କହିଛି। ଏଠାରେ ଧ୍ୟାନ ଦେବା କଥା ହେଉଛି ପଞ୍ଜାବ-ହରିୟାଣା ସୀମାରେ ବିରୋଧ କରୁଥିବା ଚାଷୀଙ୍କ ମଧ୍ୟ ସମାନ ଦାବି ରହିଛି। ଫସଲ ଉପରେ ତାଙ୍କୁ ଏମଏସପି ଆଇନଗତ ଗ୍ୟାରେଣ୍ଟି ଦିଆଯାଉ ବୋଲି ସେମାନେ ସରକାରଙ୍କ ଠାରୁ ନିରନ୍ତର ଦାବି କରୁଛନ୍ତି।

କୃଷି ଉପକରଣରେ ଜିଏସ୍ଟି ସଂଗ୍ରହ କରାଯାଉଛି: 

ଏଥି ସହ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିଯୋଗ କରି ସେ ଟୁଇଟ୍ କରି କହିଛନ୍ତି ଯେ, “ଆଜି ଦେଶରେ ପ୍ରତିଦିନ ୩୦ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି। ବିଜେପି ଶାସନ ସମୟରେ ୧ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। କୃଷିରେ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଉପକରଣ ଉପରେ ଜିଏସ୍ଟି ସଂଗ୍ରହ କରାଯାଇଛି।”

କଂଗ୍ରେସର ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି ଯେ, “୧୦ ବର୍ଷ ମଧ୍ୟରେ ନା କୃଷକମାନେ ଏମଏସପି ପାଇଲେ ନା ସେମାନଙ୍କର ଆୟ ଦ୍ୱିଗୁଣିତ ହୋଇପାରିଲା। ଋଣଗ୍ରସ୍ତ ଚାଷୀଙ୍କ ଗୋଟିଏ ପଇସା ମଧ୍ୟ ମୁକ୍ତ କରାଯାଇନାହିଁ, ମାତ୍ର ଅଳ୍ପ କିଛି ଶିଳ୍ପପତିଙ୍କ ୧୬ ଲକ୍ଷ କୋଟି ଟଙ୍କା ମୁକ୍ତ କରାଯାଇଥିଲା।”

କଂଗ୍ରେସ କୃଷକମାନଙ୍କୁ କ’ଣ ପ୍ରତିଶୃତି ଦେଇଥିଲା?:

ଦେଶର ଖାଦ୍ୟ ଯୋଗାଣକାରୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରିୟଙ୍କା କହିଛନ୍ତି ଯେ, “କଂଗ୍ରେସ ସରକାରରେ କୃଷକଙ୍କ ଋଣ ଛାଡ କରାଯିବ। କୃଷି ଉପକରଣ ଜିଏସ୍ଟି ମୁକ୍ତ ହେବ। ଏମଏସପିର ଆଇନଗତ ଗ୍ୟାରେଣ୍ଟି ରହିବ। ୩୦ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ଫସଲ ନଷ୍ଟ ହେବା ଉପରେ ଏକ ନୂତନ ଆମଦାନୀ-ରପ୍ତାନି ନୀତି ପ୍ରସ୍ତୁତ କରାଯିବ।” ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ, “କଂଗ୍ରେସ ସରକାର ୭୨ ହଜାର କୋଟି ଟଙ୍କାର କୃଷକଙ୍କ ଋଣ ଛାଡ କରିଛନ୍ତି। କଂଗ୍ରେସ ପୁଣି ଆସିବ। ଏମଏସପି, ଋଣ ଛାଡ ଏବଂ ଭଲ ଆୟର ଗ୍ୟାରେଣ୍ଟି ଦେଇକୃଷକମାନଙ୍କର ସମୃଦ୍ଧି ଆଣିବ।”

Categories
ଆଜିର ଖବର ଜାତୀୟ ଖବର

ମୁସଲିମ ପର୍ସନଲ ଲ’କୁ ନେଇ କଂଗ୍ରେସକୁ ଘେରିଲେ ଅମିତ ଶାହା: କହିଲେ, ତୁମେ କେତେଥର ଦେଶ ଭାଙ୍ଗିବ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁସଲିମ ପର୍ସନଲ ଲ’କୁ ନେଇ କଂଗ୍ରେସ ଉପରେ କଡା ଆକ୍ରମନ କରିଛନ୍ତି। ଆଜି ବିହାରର ଗୟାଠାରେ ଏକ ସାଧାରଣ ସଭାରେ ସେ ଦାବି କରିଛନ୍ତି ଯେ, କଂଗ୍ରେସ ଏକ ବିଭାଜନକାରୀ ଦଳ। କଂଗ୍ରେସ ଲୋକମାନେ କହିଛନ୍ତି ଯେ, ସେମାନେ ପୁନର୍ବାର ମୁସଲିମ ପର୍ସନଲ ଲ’ ଆଣିବେ। ଏଭଳି ପରିସ୍ଥିତିରେ କଂଗ୍ରେସ ଲୋକଙ୍କୁ ଲଜ୍ଜା ଲାଗିବା କଥା। ସେମୀନ ଏହା କହି ଆଉ କେତେଥର ଦେଶ ଭାଙ୍ଗିବାକୁ ଚେଷ୍ଟା କରିବେ?

ଅମିତ ଶାହା ଆହୁରି କହିଛନ୍ତି ଯେ, ମୁଁ ଆପଣମାନଙ୍କୁ ପ୍ରାର୍ଥନା କରେ କି ଏଥର ବିହାରରେ ବିଜେପିକୁ ୪୦ ଟି ଲୋକସଭା ଆସନ ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୪୦୦ ଟି ଆସନ ଦିଅନ୍ତୁ। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ୨୦୧୪ ରେ, ଏନଡିଏ ବିହାରର ୪୦ ଟି ସିଟ୍ ମଧ୍ୟରୁ ୩୧ ଟି ଜିତିଥିଲା। ୨୦୧୯ ରେ ଆମେ ୩୯ ଟି ସିଟ୍ ପାଇଥିଲୁ ଏବଂ ଏଥର ୪୦ ରୁ ୪୦ ଟି NDA କୁ ଯିବା ଉଚିତ୍। ତୃତୀୟ ଥର ପାଇଁ ପିଏମ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରନ୍ତୁ ଏବଂ ୪୦୦ ଲୋକସଭା ଆସନ ଅତିକ୍ରମ କରାନ୍ତୁ।

କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁସାରେ, ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହା ଲାଲୁ ଯାଦବ ଏବଂ ସୋନିଆ ଗାନ୍ଧୀ ଦୀର୍ଘ ସମୟ ଧରି ଅଟକାଇ ରଖୁଥିଲେ। କାଶ୍ମୀର ଆମର… ଧାରା ୩୭୦ ର ବ୍ୟବସ୍ଥାକୁ ରଦ୍ଦ କରିଦିଆଗଲା। ତେବେ ଲାଲୁ ଯାଦବ ଏବଂ ବିରୋଧୀ ଦଳ ଭାରତ ଏହାକୁ ହଟାଇବାକୁ ଚାହୁଁନଥିଲେ। ଏହା ସହିତ ଆମେ କାଶ୍ମୀରରେ ଆତଙ୍କବାଦକୁ ମଧ୍ୟ ସମାପ୍ତ କରିଛୁ। ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ।

ସାଧାରଣ ସଭାରେ ଅମିତ ଶାହା ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ହୋଇନାହିଁ। କିନ୍ତୁ ଝାଡଖଣ୍ଡର କଂଗ୍ରେସ ସାଂସଦଙ୍କ ଘରୁ ୩୫୦ କୋଟି ଟଙ୍କା ନଗଦ ଟଙ୍କା ମିଳିଛି। ଆମ ଶାସନ ସମୟରେ କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଓଡିଶା କଂଗ୍ରେସ ନାମକୁ ମାତ୍ର ଲଢ଼େଇ କରିବ !!!

ଭୁବନେଶ୍ବର: ରଜ୍ୟରେ କଂଗ୍ରେସର ନେତାମାନଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ଚଳିତ ନିର୍ବାଚନରେ ଦଳ ଜିତିବା ପାଇଁ ନୁହେଁ କେବଳ ନିଜ ନାମ ରକ୍ଷା କରିବା ପାଇଁ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଛି। କାରଣ କଂଗ୍ରେସ ନେତାମାନେ ଏବେ ରାଜ୍ୟର ଶାସନ କ୍ଷମତାେର ଥିବା ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବାରେ ସଫଳ ହେଉଛନ୍ତି।

ରାଜ୍ୟ କଂଗ୍ରେସର ନେତାମାନେ ଜାଣଗଲେଣି ଯେ ସେମାନେ କଂଗ୍ରେସରେ ରହିଲେ ନିର୍ବାଚନ ଜିତିପାରିବେ ନାହିଁ। ତେଣୁ ସେମାନେ ନିଜ ଭବସିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଉପରୋକ୍ତ ଦୁଇଟି ଦଳରେ ଯୋଗ ଦେଉଛନ୍ତି।

୨୦୦୦ରୁ ରାଜ୍ୟରେ ଚାଲିଥିବା ବିଜେପି-ବିଜେଡି ମେଣ୍ଟ ୨୦୦୯ରେ ଭାଙ୍ଗିଯାଇଥିଲା। ଏହାପରଠାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡିର କଂଗ୍ରେସ ନେତାମାନଙ୍କ ଉପରେ ନିର୍ଭରଶୀଳତା ଆରମ୍ଭ ହୋଇଥିଲା, ଯାହାକି ଏବେ ଶୀର୍ଷ ସ୍ତରରେ ପହଞ୍ଚିଛି। ୨୦୦୯ରେ ବିଜେଡି ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ଓ ୨୦୦୪ ନିର୍ବାଚନରେ ପୁରୀ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କଠାରୁ ହାରଥିବା କଂଗ୍ରେସ ନେତା ପିନାକୀ ମିଶ୍ରଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଥିଲା।

ରୋହିତ ରେଢ଼ାଖୋଲରୁ ବିଧାୟକ ହୋଇଥିବାବେଳେ ପିନାକୀ ପୁରୀରୁ ସାଂସଦ ନିର୍ବାଚିତ ହୋଇଥିଲେ। ପାଲଲହଡ଼ାର କଂଗ୍ରେସ ବିଧାୟକ ନୃସିଂହ ସାହୁ ବିଜେଡିକୁ ଆସି ନିର୍ବାଚନ ଲଢ଼ିଥିଲେ। ସେହିପରି କେନ୍ଦୁଝର ଲୋକସଭାରୁ ପୂର୍ବରୁ ହାରିଥିବା କଂଗ୍ରେସ ପ୍ରାର୍ଥୀ ଯଶବନ୍ତ ନାରାୟଣ ଲାଗୁରୀ ବିଜେଡିରେ ଯୋଗଦେଇ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏପରିକି ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ୨୦୧୪ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ଏହାପରେ ୨୦୧୪ ନିର୍ବାଚନରେ ବିରୋଧୀଦଳ ନେତା ତଥା କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ, ବ୍ରଜରାଜନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ଅନୁପାଏ ବିଜେଡିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିକୁ ଅଣାଯାଇ ଉପନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସ, ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, କଂଗ୍ରେସ ନେତା ବିକ୍ରମ ପଣ୍ଡା, ଢେଙ୍କାନାଳର କଂଗ୍ରେସ ନେତା ସୁଧୀର ସାମଲ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ସୁନ୍ଦରଗଡ଼ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିଲେ।

ବର୍ତ୍ତମାନ ବିଜଦର କ୍ରାଇସିସ୍‍ ମ୍ୟାନେଜର ହୋଇଥିବା ମାନସ ମଙ୍ଗରାଜଙ୍କ ଉତ୍ପତ୍ତି ମଧ୍ୟ କଂଗ୍ରେସରୁ ହୋଇଛି। ସେ କଂଗ୍ରେସ ଟିକଟରେ ଚିଲିକାରୁ ଲଢ଼ି ପରାଜିତ ହୋଇଥିଲେ। ଏହିପରି ଆହୁରି ଅନେକ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ।

ପୂର୍ବର ୩ଟି ନିର୍ବାଚନ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନ କଂଗ୍ରେସ ନେତାମାନଙ୍କୁ ବିଜେଡି ପ୍ରାର୍ଥୀ କରିବାରେ ସମସ୍ତ ରେକର୍ଡ ପଛରେ ପକାଇ ଦେଇଛି। ଚଳିତ ନିର୍ବାଚନରେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂହ ଭୋଇ, ଧନୁର୍ଜୟ ସିଦ୍ଧୁ, କେ, ସୂରୟା ରାଓ, ରୋହିତ ତିର୍କୀ, ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ଚଳିତ ନିର୍ବାଚନରେ ପ୍ରାର୍ଥ କରାଯାଇଛି।

ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ଗଣେଶ୍ୱର ବେହେରା, ବାପି ସର୍ଖେଲ, ପ୍ରଦୀପ ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବାବେଳେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ତାରାପ୍ରସାଦ ବାହିନୀପତି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

କେବଳ ବିଜେଡି ନୁହେଁ ବିଜେପି ମଧ୍ୟ କେତେକ ଆସନରେ କଂଗ୍ରେସ ନେତାମାନଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି। ସେମାନଙ୍କ ମଧ୍ୟରେ ଅତାବିରାରୁ ନିହାର ମହାନନ୍ଦ, ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିସାରିଛି। ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେବା ଆଶାରେ ଅଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସର ମିଶିଲେ ବିଜେଡ଼ିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ବ୍ଲକ ଅଧ୍ୟକ୍ଷା ପ୍ରତିଭା ନାୟକ

ଭୁବନେଶ୍ୱର: କେନ୍ଦୁଝର ସଦର ବିଧାନସଭା କ୍ଷେତ୍ରର ବିଜେଡ଼ିର ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାୟକ ଓ ଝୁମ୍ପୁରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରତୀଭା ମଞ୍ଜରୀ ନାୟକ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଆଜି କେନ୍ଦୁଝର ଜିଲ୍ଲାର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଓ ଶ୍ରୀଯୁକ୍ତ ଜୟଦେବ ଜେନାଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ନୀତି, ଆଦର୍ଶ ଓ ବିଚାରଧାରାକୁ ଭଲପାଇ କଂଗ୍ରେସରେ ସାମିଲ ହୋଇଛନ୍ତି।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଜୟଦେବ ଜେନା, ଶ୍ରୀ ନାୟକ ଓ ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକଙ୍କୁ କଂଗ୍ରେସ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ପିସିିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଇଂ ବିନୋଦ ବିହାରୀ ନାଏକ, କଂଗ୍ରେସ ନେତା ଚତୁର୍ଭୁଜ ନାୟକ, ଯଦୁମଣି ବାରିକ, ଇଂ ସନ୍ତୋଷ କୁମାର ସାହୁ, ଦେବେନ୍ଦ୍ର ନାଥ ନାୟକ ଓ ବୀରଭଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଆଦାନୀଙ୍କ ବିରୁଦ୍ଧରେ ମୋତେ କହିବା ପାଇଁ ବାଧ୍ୟ କରାଯାଇଥିଲା: କଂଗ୍ରେସକୁ ଟାର୍ଗେଟ କରି କହିଲେ ଗୌରଭ ବଲ୍ଲଭ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନେତାଙ୍କ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ଧାରା ବନ୍ଦ ହେବାର କୌଣସି ସଂକେତ ଦେଖାଯାଉନାହିଁ। ନିକଟରେ ଗୌରବ ବଲ୍ଲଭ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଗୌରବ ବଲ୍ଲଭ ଦଳ ଛାଡିବା ପରେ କଂଗ୍ରେସ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। ଶନିବାର ଦିନ ଏନଡିଟିଭିକୁ ଗୌରଭ ବଲ୍ଲଭ କହିଛନ୍ତି ଯେ, କଂଗ୍ରେସ ତାଙ୍କୁ ଆଦାନୀଙ୍କ ବିରୋଧରେ କହିବାକୁ ବାଧ୍ୟ କରିଛି। ସେ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବେ ନାହିଁ ଏବଂ ‘ଧନ ସୃଷ୍ଟିକର୍ତ୍ତା’ଙ୍କୁ ଗାଳି କରିପାରିବେ ନାହିଁ ବୋଲି ଗୌରଭ ବଲ୍ଲଭ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ଗୌରଭ ବଲ୍ଲଭ ଏନଡିଟିଭିକୁ କହିଛନ୍ତି ଯେ, “ମୁଁ ଆଦାନୀଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। କିନ୍ତୁ ଯେତେବେଳେ SEBI ଆଦାନୀଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା, ମୁଁ ସମସ୍ତ କଂଗ୍ରେସ ନେତାଙ୍କୁ କହିଥିଲି ଯେ ବର୍ତ୍ତମାନ ଆମେ ଆଦାନୀ ପ୍ରସଙ୍ଗକୁ ଛାଡିଦେବା ଉଚିତ୍। ଧନ ସୃଷ୍ଟିକର୍ତ୍ତାଙ୍କୁ ଦୁର୍ବ୍ୟବହାର ବନ୍ଦ କରିବା ଉଚିତ୍। କିନ୍ତୁ କଂଗ୍ରେସ ମୋ କଥା ମାନିନଥିଲା”

ଏହା ସହିତ ସେ କଂଗ୍ରେସ ପାର୍ଟିର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ, “କଂଗ୍ରେସର ସମସ୍ତ ବଡ ବିଭାଗ PA ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। PA ର କାମ PA ଲୋକଙ୍କୁ କରିବାକୁ ଦିଅ। ରାଜନେତାମାନଙ୍କୁ ରାଜନୀତି କରିବାକୁ ଦେବା ଉଚିତ। ”

ଏହାପୂର୍ବରୁ ଦଳ ଛାଡିବା ପରେ ଗୌରଭ ବଲ୍ଲଭ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ଉପରେ କଂଗ୍ରେସର ଆଭିମୁଖ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳର ଏହି ଆଭିମୁଖ୍ୟକୁ ନେଇ ସେ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ, କାରଣ ସେ ଜନ୍ମରୁ ହିନ୍ଦୁ ଏବଂ ବୃତ୍ତି ଅନୁଯାୟୀ ଶିକ୍ଷକ। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ସନାତନଙ୍କ ବିରୁଦ୍ଧରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଆଉ ଏକ ଝଟକା, ବିଜେପିରେ ଯୋଗ ଦେଲେ ଦୀପକ ସକ୍ସେନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ପୁଣି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଜୟ ସକ୍ସେନାଙ୍କ ପରେ ଏବେ ତାଙ୍କ ପିତା ଦୀପକ ସକ୍ସେନା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି। କମଲ ନାଥଙ୍କ ଗଡ଼ ଛିନ୍ଦୱାଡାରେ ଦୀପକ ସକ୍ସେନା କଂଗ୍ରେସର ଏକ ବଡ ଚେହେରା ଭାବରେ ପରିଗଣିତ ହୋଇଛି। ପ୍ରକାଶ ଯେ, ପୁଅ ଅଜୟ ସକ୍ସେନା କିଛି ସମୟ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କମଲ ନାଥଙ୍କ ଗଡ଼ ଭାଙ୍ଗିବା ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି। କଂଗ୍ରେସ ଛାଡିଥିବା ପୂର୍ବତନ ମନ୍ତ୍ରୀ ଦୀପକ ସକ୍ସେନା ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି। ଏଥି ସହ ବିଜେପିରେ ଯୋଗ ଦେଇଥିବା ତାଙ୍କ ପୁଅ ଅଜୟ ସକ୍ସେନା ମଧ୍ୟ କମଲ ନାଥଙ୍କ ସାଂସଦ ପୁଅ ନ କୁଲ ନାଥଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୯ ଟି ସମନକୁ ଅଣଦେଖା କଲେ, ଲୋକେ ସନ୍ଦେହ କରନ୍ତି: କେଜ୍ରିୱାଲଙ୍କ ସମ୍ପର୍କରେ କହିଲେ ରୋବର୍ଟ ବାଡ୍ରା

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ନଅଟି ସମନକୁ ଅଣଦେଖା କରିବା ଉଚିତ୍ ନୁହେଁ। ଯଦି ଆପଣ ଏହିପରି ନଅଟି ସମନକୁ ଅଣଦେଖା କରନ୍ତି, ଲୋକମାନଙ୍କ ମନରେ ସନ୍ଦେହ ଉପୁଜିଥାଏ।

ଗୁରୁବାର ଦିନ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନା କାହିଁକି, ମୋର ବିଶ୍ୱାସ ଯେ ସେ ନଅଟି ସମନକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। କୌଣସି ଅହଂକାର ରହିବା ଉଚିତ୍ ନୁହେଁ। ଯେପରିକି ମୁଁ ଗୋଟିଏ ସମନକୁ ବି ଅଣଦେଖା କରିନାହିଁ।

ପୁରାତନ ଘଟଣାକୁ ମନ ପକାଇ ରୋବର୍ଟ ବାଡ୍ରା କହିଛନ୍ତି ଯେ, “ମୁଁ ଆମେରିକାରେ ଥିଲି ଏବଂ ମୋ ଝିଅର ଅସ୍ତ୍ରୋପଚାର ଥିଲା। ତଥାପି ମୁଁ ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟ ଛାଡି ଭାରତ ଆସିଥିଲି। ଯଦି ଆପଣ ନଅଟି ସମନକୁ ଅଣଦେଖା କରନ୍ତି ତେବେ ଲୋକମାନେ ସନ୍ଦେହ କରିବା ଆରମ୍ଭ କରିବେ।”

ପ୍ରାୟ ୬ ମାସ ପରେ ଦିଲ୍ଲୀର ତିହାର ଜେଲରୁ ବାହାରିଥିବା AAP ସାଂସଦ ସଞ୍ଜୟ ସିଂଙ୍କ ବିଷୟରେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ କହିଛନ୍ତି ଯେ, “ମୁଁ ଖୁସି ଯେ AAP ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ ମିଳିଛି। କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ବିଜେପି ଅପବ୍ୟବହାର କରୁଛି”

Categories
ଆଜିର ଖବର ଜାତୀୟ ଖବର

ସାମ୍ପ୍ରଦାୟିକ ଦଳରେ ପରିଣତ ହୋଇଛି କଂଗ୍ରେସ: ବିଜେପି ରେ ଯୋଗଦେବା ପରେ କହିଲେ ଅନିଲ ଶର୍ମା

ନୂଆଦିଲ୍ଲୀ: ବିହାର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଅନିଲ ଶର୍ମା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଏକ ସାମ୍ପ୍ରଦାୟିକ ଦଳରେ ପରିଣତ ହୋଇଛି ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀ ଅଧିକାଂଶ ସାମ୍ପ୍ରଦାୟିକ ବର୍ଗରେ ଆସନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଅନିଲ ଶର୍ମାଙ୍କୁ ଦଳର ସଦସ୍ୟତା ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଜେପି ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଗୌରବ ବଲ୍ଲଭ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରରେ ସେ କହିଥିଲେ ଯେ କଂଗ୍ରେସ ଦଳ ଭିତରେ ସେ ଠିକ ଅନୁଭବ କରୁନାହାଁନ୍ତି। ନିଜକୁ ସନାତନ ଏବଂ ଶିକ୍ଷକ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ସେ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବେ ନାହିଁ ଏବଂ କଂଗ୍ରେସ ଦଳରେ ନୂତନ ବିଚାର ପାଇଁ ସ୍ଥାନ ନାହିଁ।

କଂଗ୍ରେସ ଦଳର ମୁଖପାତ୍ର ଭାବରେ ଗୌରବ ବଲ୍ଲଭ ଅଧିକ ପ୍ରସିଦ୍ଧ ହୋଇଥିଲେ। ଟିଭି ବିତର୍କ ମାଧ୍ୟମରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ସେ କଂଗ୍ରେସ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ସନାତନ ବିରୋଧୀ ସ୍ଲୋଗାନ ଦେଇ ପାରିବି ନାହିଁ’: କଂଗ୍ରେସ ଛାଡିବା ପରେ କହିଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: ଆଜି କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଗୌରଭ ବଲ୍ଲଭ ଦଳରୁ ଇସ୍ତଫା ଦେଇ କହିଛନ୍ତି ଯେ, ସେ ସନାତନ ବିରୋଧୀ ସ୍ଲୋଗାନ ଦେଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ଦଳରେ ରହିବା କଷ୍ଟସାଧ୍ୟ।

ଗୌରଭ ବଲ୍ଲଭ ସୋସିଆଲ ମିଡିଆରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଆଜି କଂଗ୍ରେସ ପାର୍ଟି ଯେଉଁ ଦିଗରେ ଆଗକୁ ବଢୁଛି, ମୁଁ ସହଜ ଅନୁଭବ କରିପାରିବି ନାହିଁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ। କିମ୍ବା ଦେଶର ଧନ ସୃଷ୍ଟିକର୍ତ୍ତାଙ୍କୁ ସକାଳ ଓ ସନ୍ଧ୍ୟାରେ ଗାଳି ଦେଇପାରିବି ନାହିଁ। ଏହି କାରଣରୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।

ଖଡଗେଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ମୁଁ ଭାବପ୍ରବଣ ଏବଂ ମୋର ମନ ବ୍ୟଥିତ କରିଛି। ମୁଁ କହିବାକୁ, ଲେଖିବାକୁ ଏବଂ ବହୁତ କିଛି ଜଣାଇବାକୁ ଚାହେଁ। କିନ୍ତୁ ମୋର ମୂଲ୍ୟବୋଧ ମୋତେ ସେପରି କିଛି କହିବାକୁ ବାରଣ କରେ। ତଥାପି, ମୁଁ ଆଜି ଆପଣଙ୍କ ସମ୍ମୁଖରେ ମୋର ମତାମତ ଦେଉଛି, କାରଣ ମୁଁ ଅନୁଭବ କରୁଛି ଯେ ସତ୍ୟକୁ ଲୁଚାଇବା ମଧ୍ୟ ଏକ ଅପରାଧ। ଏଭଳି ପରିସ୍ଥିତିରେ ମୁଁ ଅପରାଧର ଅଂଶ ହେବାକୁ ଚାହେଁ ନାହିଁ।

ଗୌରଭ ବଲ୍ଲଭ କହିଛନ୍ତି ଯେ, ଯେତେବେଳେ ମୁଁ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି, ସେତେବେଳେ ମୋର ବିଶ୍ୱାସ ଥିଲା ଯେ କଂଗ୍ରେସ ହେଉଛି ଦେଶର ସର୍ବ ପୁରାତନ ଦଳ। ଏଠାରେ ଯୁବକ ଏବଂ ବୁଦ୍ଧିଜୀବୀମାନଙ୍କର ଧାରଣାକୁ ସମ୍ମାନ ମିଳେ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ମୁଁ ହୃଦୟଙ୍ଗମ କରିଛି ଯେ ଦଳର ବର୍ତ୍ତମାନର ରୂପ ନୂତନ ଚିନ୍ତାଧାରାର ଯୁବକମାନଙ୍କ ସହିତ ନିଜକୁ ଖାପଖୁଆଇବାରେ ସକ୍ଷମ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ବକ୍ସର ବିଜେନ୍ଦର ସିଂ

ନୂଆଦିଲ୍ଲୀ: ବକ୍ସର ବିଜେନ୍ଦର ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। 38 ବର୍ଷୀୟ ବିଜୟନ୍ଦର ସିଂ ନିଜେ ୨୦୧୯ ରେ କଂଗ୍ରେସରେ ଯୋଗ ଦେଇଥିଲେ। ବିଜେପି ସାଧାରଣ ସଚିବ ବିନୋଦ ତାୱଡେ, ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ତଥା ଦକ୍ଷିଣ ଦିଲ୍ଲୀର ଦଳର ପ୍ରାର୍ଥୀ ରାମବୀର ସିଂ ବିଧୁଡିଙ୍କ ଉପସ୍ଥିତିରେ ବିଜେନ୍ଦର ସିଂ ସଦସ୍ୟତା ଗ୍ରହଣ କରିଥିଲେ।

ବିଜେନ୍ଦର ସିଂ ଜାଟ ସମ୍ପ୍ରଦାୟର, ଯାହାର ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ବହୁ ସଂଖ୍ୟକ ଆସନ ଉପରେ ରାଜନୈତିକ ପ୍ରଭାବ ରହିଛି। ବିଜେପିରେ ଯୋଗଦେବା ଉପରେ ବକ୍ସର ବିଜେନ୍ଦର ସିଂ କହିଛନ୍ତି ଯେ, “ମୁଁ ବିଜେପିରେ ଯୋଗଦେଇ ବହୁତ ଉତ୍ସାହିତ ଅଟେ। ମୁଁ ଦେଶର ବିକାଶ ତଥା ପ୍ରଗତି ପାଇଁ କାମ କରିବାକୁ ଚାହୁଁଛି …।”

ବିଜେନ୍ଦର ସିଂ ଦକ୍ଷିଣ ଦିଲ୍ଲୀ ଆସନରୁ କଂଗ୍ରେସ ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଆହୁରି ମଧ୍ୟ ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପଦକ ଜିତିଛନ୍ତି। ସେ ୨୦୦୬ ଏବଂ ୨୦୧୪ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଏବଂ ୨୦୦୯ ରେ ବିଶ୍ୱ ଚାମ୍ପିଅନସିପ୍ ରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ଲଢିବେ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ: ଜାଣନ୍ତୁ କେଉଁଠି?

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏଥର ଲୋକସଭା ନିର୍ବାଚନରେ ​​୨୦୨୪ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତାଙ୍କ ପାର୍ଟି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି ମଙ୍ଗଳବାର ଦିନ କହିଛି ଯେ, ଗୁଲାମ ନବୀ ଆଜାଦ ଅନନ୍ତନାଗ-ରାଜୌରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୧୯ ନିର୍ବାଚନରେ ​​ନ୍ୟାସନାଲ କନଫରେନ୍ସର ହସନେନ ମସୁଦି ଏହି ଆସନରୁ ଜିତିଥିଲେ। କିନ୍ତୁ ଏଥର ଦଳ ମେନ୍ ଅଲତାଫଙ୍କୁ ଏଠାରୁ ପ୍ରାର୍ଥୀ କରିଛି।

ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି ନେତା ତାଜ ମୋହିଉଦ୍ଦିନ ଶ୍ରୀନଗରରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ଏକ କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମେ ସ୍ଥିର କରିଛୁ ଯେ, (ଦଳର ସଭାପତି) ଗୁଲାମ ନବୀ ଆଜାଦ ଅନନ୍ତନାଗ-ରାଜୌରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରକାଶ ଯେ, ୨୦୧୪ ରେ ଉଧମପୁର ଲୋକସଭା ଆସନରୁ ବିଜେପି ନେତା ଜିତେନ୍ଦ୍ର ସିଂଙ୍କ ଠାରୁ ହାରିବା ପରେ ଗୁଲାମ ନବୀ ଆଜାଦଙ୍କ ପାଇଁ ଏହା ପ୍ରଥମ ଲୋକସଭା ନିର୍ବାଚନ ହେବ।

ମେହବୁବା ମୁଫତି ଅନନ୍ତନାଗ ଆସନରୁ ଦୁଇଥର ସାଂସଦ ହୋଇଛନ୍ତି। ଏହି ଆସନରୁ ବିଜେପି କିଏ ପ୍ରାର୍ଥୀ କରିବ କିମ୍ବା କାହାକୁ ଅନୌପଚାରିକ ସମର୍ଥନ ଦେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଆସନକୁ ନେଇ ନ୍ୟାସନାଲ କନଫରେନ୍ସ ଏବଂ ପିଡିପି ମଧ୍ୟରେ ବିବାଦ ରହିଛି। କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟରେ ଉଭୟ ଦଳ ଅନ୍ତର୍ଭୁକ୍ତ। ତେବେ ପରସ୍ପରକୁ ଏହି ସିଟ୍ ଦେବାକୁ କେହି ପ୍ରସ୍ତୁତ ନୁହଁନ୍ତି।

ଅନନ୍ତନାଗ-ରାଜୌରୀ ସମୀକରଣ:

ଅନନ୍ତନାଗ-ରାଜୌରୀରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ, ଶୋପିଆନ୍ ଏବଂ କୁଲଗାମ ଜିଲ୍ଲା ଏବଂ ଜମ୍ମୁ ଅଞ୍ଚଳର ପୁଞ୍ଚର ସୀମାନ୍ତବର୍ତ୍ତୀ ଜିଲ୍ଲାର ଅଧିକାଂଶ ଅଂଶ ଅନ୍ତର୍ଭୁକ୍ତ। ବର୍ତ୍ତମାନ ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ବିଚାରପତି ହସେନ ମାସୁଦି ଏଠାରୁ ସାଂସଦ ଅଟନ୍ତି। ସେ ଏହି ଆସନରୁ ପିଡିପି ସଭାପତି ମେହବୁବା ମୁଫତିଙ୍କୁ ପରାସ୍ତ କରିଛନ୍ତି। ତେବେ ଏହି ନିର୍ବାଚନ ସମ୍ପର୍କରେ ରାଜନୈତିକ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଡୋଡା, କିସ୍ତୱାଡ, ବଦେରୱାହ ଏବଂ ପୁଞ୍ଚ ପରି ପିର ପଞ୍ଜଲର ଦକ୍ଷିଣ ଅଞ୍ଚଳରେ ଭୋଟ୍ ବ୍ୟାଙ୍କ ଥିବା ଗୁଲାବ ନବି ଆଜାଦ ବିରୋଧୀ ଦଳ ପ୍ରାର୍ଥୀଙ୍କ ଭୋଟ୍ କାଟିବାରେ ସକ୍ଷମ ହେବେ।

Categories
ଆଜିର ଖବର ଜାତୀୟ ଖବର

‘ଭାରତ ପରେ, ଚୀନ ପ୍ରଥମେ” ନୀତିରେ ଚାଲୁଥିଲେ ନେହୁରୁ: UNSC ରେ ସ୍ଥାୟୀ ସଦସ୍ୟତା ବିଷୟରେ କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ଦିନ ଜବାହରଲାଲ ନେହେରୁଙ୍କୁ ଟାର୍ଗେଟ କରି ଦାବି କରିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଏବଂ ଚୀନ୍ ଭାରତୀୟ ଅଞ୍ଚଳର କିଛି ଅଂଶ ଦଖଲ କରିବା ଭଳି ସମସ୍ୟା ପାଇଁ ଅତୀତର ଭୁଲ ଦାୟୀ।

ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଉଥିବା ସମୟରେ ଭାରତର ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରି ଜୟଶଙ୍କର ଦାବି କରିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ କହିଥିଲେ ଯେ ଭାରତ ପରେ ଚୀନ୍ ପ୍ରଥମେ।

ଏଠାରେ ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିକୁ ସମ୍ବୋଧିତ କରି ଜୟଶଙ୍କର ଏହି ପ୍ରଶ୍ନର ଉତ୍ତର ଦେଉଥିଲେ ଯେ, ଚୀନ୍ ଅଧିକୃତ ଆଞ୍ଚଲ ଏବଂ ପିଓକେ ସହ ସାମଞ୍ଜସ୍ୟ ରଖିବା ଉଚିତ କିମ୍ବା ସେଗୁଡିକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିବା ଉଚିତ।

ସୂଚନାଯୋଗ୍ୟ ଯେ, କଚ୍ଚାତିଭୂ ଦୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର ପ୍ରସଙ୍ଗରେ ଗତ କିଛି ଦିନ ହେବ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ସରକାରଙ୍କୁ ବିଜେପି ନେତାମାନେ ଟାର୍ଗେଟ କରିଛନ୍ତି।

ଜୟଶଙ୍କର କହିଛନ୍ତି ଯେ, “୧୯୫୦ ମସିହାରେ (ତତ୍କାଳୀନ ଗୃହମନ୍ତ୍ରୀ) ସର୍ଦ୍ଦାର ପଟେଲ ନେହେରୁଙ୍କୁ ଚୀନ୍ ବିଷୟରେ ଚେତାବନୀ ଦେଇଥିଲେ। ପଟେଲ ନେହେରୁଙ୍କୁ କହିଥିଲେ ଯେ, ଆଜି ପ୍ରଥମ ଥର ପାଇଁ ଆମେ ଦୁଇଟି ମୋର୍ଚ୍ଚା (ପାକିସ୍ତାନ ଏବଂ ଚୀନ୍) ର ଏଭଳି ପରିସ୍ଥିତିର ସାମ୍ନା କରୁଛୁ, ଯାହା ପୂର୍ବରୁ ଭାରତ କେବେ ସାମ୍ନା କରି ନଥିଲା। ପଟେଲ ନେହେରୁଙ୍କୁ ମଧ୍ୟ କହିଥିଲେ ଯେ, ଚୀନ୍ ଯାହା କହୁଛି ସେ ବିଶ୍ୱାସ କରନ୍ତି ନାହିଁ। କାରଣ ସେମାନଙ୍କର ଉଦ୍ଦେଶ୍ୟ ଅନ୍ୟ କିଛି ପରି ମନେ ହେଉଥିଲା ଏବଂ ଆମେ ସତର୍କ ରହିବା ଉଚିତ୍।

ମନ୍ତ୍ରୀ କହିଛନ୍ତି ଯେ, “ନେହେରୁ ପଟେଲଙ୍କୁ ଉତ୍ତର ଦେଇଥିଲେ ଯେ ଆପଣ ଚୀନ୍ ଉପରେ ଅନାବଶ୍ୟକ ସନ୍ଦେହ କରୁଛନ୍ତି। ନେହେରୁ ଏହା ମଧ୍ୟ କହିଥିଲେ ଯେ ହିମାଳୟରୁ ଆମକୁ ଆକ୍ରମଣ କରିବା ଅସମ୍ଭବ। ନେହେରୁ ଚୀନ ଦ୍ଵାରା ବିପଦକୁ ସଂପୂର୍ଣ୍ଣ ଭାବେ ଖାରଜ କରିଦେଇଥିଲେ।

ଜୟଶଙ୍କର କହିଛନ୍ତି ଯେ, କେବଳ ଏତିକି ନୁହେଁ, ଯେତେବେଳେ ମିଳିତ ଜାତିସଂଘ (ସୁରକ୍ଷା ପରିଷଦ) ର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗରେ ବିତର୍କ ହୋଇଥିଲା ଏବଂ ଏହା ଆମକୁ ଦିଆଯାଉଥିଲା, ସେତେବେଳେ ନେହେରୁଙ୍କ ଆଭିମୁଖ୍ୟ ଥିଲା ଯେ ଆମେ ଏହାର ଅଧିକାର ପାଇବା ଯୋଗ୍ୟ। କିନ୍ତୁ ପ୍ରଥମେ ଚୀନ୍ କୁ ମିଳିବା ଉଚିତ। ଆମେ ସାକ୍ଷାତ କରିବା ଉଚିତ୍। ଏସ ଜୟଶଙ୍କର କହିଛନ୍ତି ଯେ, ବର୍ତ୍ତମାନ ଆମେ ‘ଭାରତ ପ୍ରଥମ’ ନୀତି ଅନୁସରଣ କରୁଛୁ, କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ନେହେରୁ କହୁଥିଲେ ଭାରତ ପରେ ପରେ ଚୀନ୍ ପ୍ରଥମେ।”

ଜୟଶଙ୍କର ଆଉହୁରୀ କହିଛନ୍ତି ଯେ, ପଟେଲ କାଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେବା ସପକ୍ଷରେ ନଥିଲେ। କାରଣ ସେ ସେଠାରେ ଜଣେ ବିଚାରପତିଙ୍କ ଚିନ୍ତାଧାରା ବିଷୟରେ ଜାଣିଥିଲେ।