ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ପରେ ମହା ବିକାଶ ଅଘାଡିର ବିବାଦ ସାମ୍ନାକୁ ଆସିଛି । ମହା ବିକାଶ ଅଘାଡିର ସହଯୋଗୀ ଦଳ କଂଗ୍ରେସ ଏବଂ ଶିବସେନା ପରସ୍ପରକୁ ଦୋଷାରୋପ କରୁଛନ୍ତି । 2014ରେ ମଧ୍ୟ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ କଂଗ୍ରେସର ସହାୟତା ମଗା ଯାଇଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ କହିଛନ୍ତି । 2014ରେ ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ଶିବସେନା ଏନ୍ସିପି ଜରିଆରେ ପ୍ରସ୍ତାବ ଦେଇଥିଲା ମାତ୍ର ମୁଁ ତୁରନ୍ତ ଉକ୍ତ ପ୍ରସ୍ତାବକୁ ଖାରଜ କରି ଦେଇଥିଲି ବୋଲି ଚଭନ କହିଛନ୍ତି । ଅତୀତରେ ମଧ୍ୟ କଂଗ୍ରେସ ନିର୍ବାଚନ ହାରିଥିଲା ଏବଂ ବିରୋଧୀ ଆସନରେ ବସିଥିଲା ମାତ୍ର ଦେବେନ୍ଦ୍ର ଫଡନବିସ୍ ଗଣତନ୍ତ୍ରର ହତ୍ୟା କରିବାକୁ ଚେଷ୍ଟା କରୁଥିବାରୁ ଶିବସେନା ସହାୟତାରେ ସରକାର ଗଠନର ନିଷ୍ପତ୍ତି ନେଇଥିଲେ କଂଗ୍ରେସ ଏବଂ ଏନ୍ସିପି । (ଏଜେନ୍ସୀ)
Tag: Congress
ନୂଆଦିଲ୍ଲୀ: ଶିବସେନା, କଂଗ୍ରେସ ଓ ଏନ୍ସିପିର ସରକାର ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଆସୁଛି । ଭିନ୍ନ ବିଚାରଧାରାରେ ଭାଗ ହୋଇ ରହିଥିବା ତିନି ରାଜନୈତିକ ଦଳର ମହାମେଣ୍ଟରେ ପ୍ରତ୍ୟେକ ଦିନ କିଛି ଭିନ୍ନ ଭିନ୍ନ ବୟାନ ସାମ୍ନାକୁ ଆସୁଛି । ଶିବସେନାର ସାଂସଦ ସଞ୍ଜୟ ରାଉତ୍ ପୁଣିଥରେ କଂଗ୍ରେସ ବିରୋଧରେ ବୟାନବାଜି ଆରମ୍ଭ କରିଛନ୍ତି । ଶିବସେନା ସାଂସଦା ସଞ୍ଜୟ ରାଉତ ସଭରକର୍ ପ୍ରସଙ୍ଗକୁ ତେଜି କହିଛନ୍ତି ଯେ, ସଭରକରଙ୍କ କଷ୍ଟ ଯିଏ ବୁଝିବାକୁ ଚାହୁଁଛି, ସେ ଦୁଇ ଦିନ ପାଇଁ ଆଣ୍ଡାମାନ୍ ଜେଲ୍କୁ ଯାଆନ୍ତୁ । ସୂଚନାଯୋଗ୍ୟ, ନିକଟରେ ରାହୁଲ୍ ଏକ ସଭାରେ କହିଥିଲେ ଯେ, ସେ ରାହୁଲ୍ ସଭରକର ନୁହଁନ୍ତି, ଯେ କ୍ଷମା ମାଗିବେ ।’। ଗତ ବୁଧବାର ଦିନ ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ, ଇନ୍ଦିରା ଗାନ୍ଧି ମୁମ୍ବାଇର ପୁରୁଣା ଡନ୍ କରୀମ ଲାଲାଙ୍କ ସହ ଦେଖାକରୁଥିଲେ । କିନ୍ତୁ ପରେ ସଞ୍ଜୟ ରାଉତ ଏହି ବୟାନ ଉପରେ ସଫେଇ କହିଥିଲେ ଯେ, ଯଦି ତାଙ୍କର ଏପରି ବୟାନରେ କଂଗ୍ରେସ କିଛି ନେତା ତଥା ଗାନ୍ଧି ପରିବାରକୁ ଦୁଃଖ ହୋଇଛି, ତେବେ ସେ ତାଙ୍କ ବୟାନକୁ ଫେରାଇ ନେଇଛନ୍ତି ବୋଲି କହିଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଥିବାବେଳେ ସଞ୍ଜୟଙ୍କ କଂଗ୍ରେସ ବିରୋଧୀ ବୟାନବାଜିକୁ ନେଇ ରାଜନୀତି ଏବେ ବେଶ୍ ଚର୍ଚ୍ଚାରେ (ଏଜେନ୍ସି)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସରୁ କମ୍ ସମୟ ରହିଛି। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍, ବିଜେପି ଓ କଂଗ୍ରେସ ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି ଦଳ ବଲିଉଡ୍ ଗୀତ ଓ ଫିଲ୍ମକୁ ନେଇ ଉଭୟ ଉଭୟଙ୍କୁ ଟାର୍ଗେଟ୍ କରୁଛନ୍ତି।
ବିଜେପି ଓ ଆପ୍ ମଧ୍ୟରେ ଚାଲିଛି ‘ନାୟକ’ ଓ୍ବାର୍
ବିଜେପି ଓ ଆମ୍ ଆଦ୍ମୀ ଭିଡିଓ ଜରିଆରେ ଦୁହେଁ ଦୁହିଁଙ୍କୁ ଟାର୍ଗେଟ୍ କରୁଛନ୍ତି। ସର୍ବପ୍ରଥମେ ବିଜେପି ଲୋକପ୍ରିୟ ଫିଲ୍ମ ‘ନାୟକ’ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ୍ କରିଛି। ଏହି ଭିଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ସମେତ କିଛି ଘଟଣା ପାଇଁ କେଜ୍ରୀଓ୍ବାଲଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛି। ସେହିପରି ଆପ୍ ଏହାର ଜବାବ ସ୍ବରୂପ ନାୟକ ଫିଲ୍ମର ଦ୍ବିତୀୟ ଭାଗକୁ ଦେଇ ଜନତାଙ୍କ ପାଇଁ କେଜ୍ରୀଓ୍ବାଲ ସରକାର କାମ କରୁଛି ବୋଲି ଏକ ଭିଡିଓ ଜାରି କରିଛି। ସେହିପରି ଆପ୍-ବିଜେପିର ଭିଡିଓ ଓ୍ବାରରେ କଂଗ୍ରେସ ମଧ୍ୟ ଏଣ୍ଟ୍ରି ମାରିଛି। ଭିଡିଓ ଜରିଆରେ କଂଗ୍ରେସ ଆପ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ଏକ ଭିଡିଓରେ କେଜରୀଓ୍ବାଲ ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍ ପ୍ରକ୍ରିୟା ଜାନୁଆରୀ 14ରୁ ଆରମ୍ଭ ହେବ। ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଫେବୃଆରୀ 11 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ। (ଏଜେନ୍ସି)
ଆସାମ : ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ମୋଦିସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା କଂଗ୍ରେସ ଆସାମରେ ଏକ ବଡ ଚାଲ୍ ଚଲାଉଛି। କଂଗ୍ରେସ ବିଧାୟକ ଦଳର ନେତା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓଙ୍ବାଲ୍ଙ୍କୁ ବିଜେପି ସରକାରୁ ଛାଡି ଅନ୍ୟ ଏକ ବିକଳ୍ପ ସରକାର ଗଠନ ପାଇଁ ଅଫର୍ ଦେଇଛନ୍ତି।
କଂଗ୍ରେସ ବିଧାୟକ ଦଳର ନେତା ନାଜିରା ବିଧାନସଭାର ବିଧାୟକ ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏହି ଅଫର ଦେଇଛନ୍ତି। ଦେବବ୍ରତ କହିଛନ୍ତି ଯେ, ସର୍ବାନନ୍ଦ ରାଜ୍ୟର ହିତରେ ଏମିତି ଏକ ସରକାର ଗଠନ କରନ୍ତୁ, ଯିଏ ଆସାମୀ ଐକ୍ୟକୁ ସମର୍ଥନ କରିବା ସହିତ ନାଗରିକତା ସଂଶୋଧନ ଆଇନକୁ ଆସାମର ରୋକିପାରିବ। କଂଗ୍ରେସ ବିଧାୟକ ଆସାମ ରାଜ୍ୟପାଳଙ୍କୁ ମଧ୍ୟ ଆସାମ ଆକାର୍ଡ ଲାଗୁ କରିବାକୁ ସୁପାରିଶ୍ କରିବା ସହିତ ଏନ୍ଆରସି ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ବିଜେପି ସରକାର ଛାଡି ଅନ୍ୟ ବିକଳ୍ପ ସରକାର ଗଢିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମାରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହା ଏବେ ଆସାମର ଅସ୍ମିତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। (ଏଜେନ୍ସି)
ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । ଛାତ୍ର ମାନଙ୍କ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କଂଗ୍ରେସ ଏହି ସମୟରେ ବିରୋଧୀ ଦଳ ମାନଙ୍କୁ ନେଇ ଏହା ବିରୋଧରେ ଏକ ବୈଠକ କରିବାର ନିଷ୍ପତ୍ତି ନେଇଥିଲେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି । ମାୟାବତୀ କହିଛନ୍ତି ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରିବା ସଠିକ୍ ପଦକ୍ଷେପ । ମାତ୍ର କଂଗ୍ରେସ ଏବଂ ବାମଦଳ ବିରୋଧ ନାମରେ ଯେପରି ହିସା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ମାୟାବତୀ ଟ୍ବିଟ୍ କରିଛନ୍ତି । ଟ୍ରେଡ ୟୁନିୟନ୍ ପକ୍ଷରୁ ଭାରତ ବନ୍ଦ ସମୟରେ ବାମଦଳ କର୍ମୀଙ୍କ ପକ୍ଷରୁ ଟିଏମ୍ସି କର୍ମୀଙ୍କ ଉପରେ ଆକ୍ରମଣକୁ ପ୍ରତିବାଦ କରି ମମତା ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ : ବହୁଜନ ସମାଜପାର୍ଟି (ବସପା)ର ପ୍ରମୁଖ ମାୟାବତୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଲଗାତାର ଆକ୍ରମଣ କରିଚାଲିଛନ୍ତି । ମାୟାବତୀ ଶନିବାର ଦିନ ଟୁଇଟ୍ କରି କହିଛନ୍ତି ଯେ, ବିଏସ୍ପି କୌଣସି ମାମଲାରେ କଂଗ୍ରେସ, ବିଜେପି ତଥା ଅନ୍ୟ ଦଳ ପରି ନିଜ ଦୋମୁହିଁ ମାପଦଣ୍ଡ ଆପଣାଇ ଶସ୍ତା ରାଜନୀତି କରେର ନାହିଁ । ଏହି କାରଣରୁ ଆଜି ସାରା ଦେଶରେ ଚାରିଆଡେ ହିଂସା, ଅଶାନ୍ତିର ସ୍ଥିତି ଉପୁଜିଛି ।
ବସପା ଅଧ୍ୟକ୍ଷ କହିଛନ୍ତି ଯେ, ଏପରି ସ୍ଥିତିରେ ଅନ୍ୟ ଦଳମାନଙ୍କ ପରି କଂଗ୍ରେସ ଦଳ ମଧ୍ୟ ନିଜକୁ ବଦଳାଇବାକୁ ଚାହୁଁଛି । ନିକଟରେ କୋଟା ହସ୍ପିଟାଲ୍ରେ ଶିଶୁ ମୃତ୍ୟକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମାୟାବତୀ । ଏହି ଅବସରରେ ମାୟାବତୀ ପ୍ରିୟଙ୍କାକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ନେତା ୟୁପି ଆସିଲେ କୁମ୍ଭୀର କାନ୍ଦଣା କରୁଛନ୍ତି କିନ୍ତୁ ରାଜସ୍ଥାନର ମା’ଙ୍କ ଲୁହ ପୋଛିବାକୁ ଉଚିତ୍ ମଣୁନାହାନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍ କଲ୍ ଆସିଛି ବୋଲି ଅମିତ ଶାହା ପ୍ରକାଶ କରିଛନ୍ତି । ଶୁକ୍ରବାର ବିଜେପି ପକ୍ଷରୁ ଅମିତ ଶାହା ଏହି ନମ୍ବର ଲଞ୍ଚ କରିଥିଲେ । ନମ୍ବର ଲଞ୍ଚ ପରଠାରୁ 52 ଲକ୍ଷ 72 ହଜାର ଲୋକ ଏହା ସମର୍ଥନରେ ମିସ୍କଲ୍ କରିଛନ୍ତି । ସମୁଦାୟ 68 ଲକ୍ଷ ଲୋକ ଫୋନ୍ କରିଥିବା ତନ୍ମଧ୍ୟରୁ 52 ଲକ୍ଷ 72 ହଜାର ନମ୍ବର ଚିହ୍ନଟଯୋଗ୍ୟ ଅଟେ ବୋଲି ଶାହା ପ୍ରକାଶ କରିଛନ୍ତି । ଏହା ସହିତ ସିଏଏକୁ ନେଇ ଲୋକଙ୍କ ମନରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବିଜେପି ପକ୍ଷରୁ ଚେଷ୍ଟା କରାଯାଉଛି । ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ ଏହି ଆଇନକୁ ନେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବାରୁ ଶାହା କଂଗ୍ରେସକୁ ସମାଲୋଚନା କରିଥିଲେ । (ଏଜେନ୍ସୀ)
ଲକ୍ଷ୍ନୌ, 28/12: ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧିଙ୍କ ଜବାବ ଦେଇଛନ୍ତି । କଂଗ୍ରେସର ‘ଭାରତ ବଂଚାଓ, ସମ୍ବିଧାନ ବଂଚାଓ ରାଲିକୁ ଟାର୍ଗେଟ୍ କରି ମାୟାବତୀ କହିଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥିବାବେଳେ ଜନତାଙ୍କ ହିତ ବିଷୟରେ କ’ଣ ପାଇଁ ମନେ ପଡେ ନାହିଁ । ଅନ୍ୟମାନଙ୍କ ଚିନ୍ତା ନ କରି କଂଗ୍ରେସ ନିଜର ସ୍ଥିତି ବିଷୟରେ ଆତ୍ମଚିନ୍ତନ କରିବା ବରଂ ଭଲ ହେବ ବୋଲି ମାୟାବତୀ କହିଛନ୍ତି ।
ମାୟାବତୀ ଟୁଇଟ୍ରେ ଲେଖିଛନ୍ତି ଯେ, କଂଗ୍ରେସକୁ ଏବେ ଭାରତ ବଂଚାଓ, ସମ୍ବିଧାନ ବଂଚାଓ କଥା ମନେ ପଡ଼ିଲା, ଯେତେବେଳେ ସେ ସତ୍ତାରେ ରହିଥିଲେ ସେତେବେଳେଜନହିତକୁ ଅଣଦେଖା କରୁଥିଲେ । ଦଳିତ, ମୁସଲମାନ ଓ ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରୀ ମିଳିପାରିନଥିଲା, ଯେଉଁଥିପାଇଁ ଆଜି ବିଜେପି କ୍ଷମତାକୁ ଆସିଛି । ସେଥିପାଇଁ ତ ବିଏସ୍ପି ନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଲା । ସୂଚନାଯୋଗ୍ୟ, ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ମହାସଚିବ ପ୍ରିୟଙ୍କା ଗାନ୍ଧି ଅନ୍ୟ ବିରୋଧୀ ମାନେ ସରକାରଙ୍କୁ ଡରୁଛନ୍ତି ବୋଲି କହିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ,25/12 : ମୁସଲମାନଙ୍କ ପାଇଁ ସମଗ୍ର ବିଶ୍ବରେ 150ଟି ରାଷ୍ଟ୍ର ରହିଥିବା ବେଳେ ହିନ୍ଦୁ ମାନଙ୍କ ପାଇଁ କେବଳ ଗୋଟିଏ ରାଷ୍ଟ୍ର ରହିଛି ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପ୍ରକାଶ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍କୁ ନେଇ ବିପକ୍ଷ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିବାରୁ ଏହି ମତ ଦେଇଛନ୍ତି ରୂପାନୀ । କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ପାଳନ କରୁନାହିଁ ଏବଂ ପଡୋଶୀ ରାଷ୍ଟ୍ରରେ ନିର୍ଯାତିତ ହିନ୍ଦୁ ମାନଙ୍କ ପ୍ରତି କଂଗ୍ରେସ ବିଦ୍ବେଷ ଭାବ ପୋଷଣ କରୁଛି ବୋଲି ରୂପାନୀ କହିଛନ୍ତି । ଏହି ତିନି ରାଷ୍ଟ୍ରର ବ୍ୟକ୍ତି ଭାରତକୁ ଆସିଲେ ସେମାନଙ୍କୁ ଦେଶରେ ସ୍ଥାନ ଦିଆଯିବ ବୋଲି ଗାନ୍ଧିଜୀ କହିଥିଲେ । ମାତ୍ର ଏହି ନିୟମକୁ ବିରୋଧ କରି କଂଗ୍ରେସ ଗାନ୍ଧିଜୀଙ୍କ ନୀତିର ବିରୋଧ କରୁଛି ବୋଲି ରୂପାନୀ କହିଛନ୍ତି । (ଏଜେନ୍ସୀ)
27ରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍
ରାଞ୍ଚି,24/12 : ଝାରଖଣ୍ଡ ନିର୍ବାଚନୀ ଫଳାଫଳ ସୋମବାର ଦିନ ଘୋଷଣା କରାଯାଇଛି । ଜେଏମ୍ଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଥିଲା । ମଙ୍ଗଳବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର 27 ତାରିଖରେ ହେମନ୍ତ ସୋରେନ୍ ଶପଥ ଗ୍ରହଣ କରିବେ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ହେମନ୍ତଙ୍କ ସହିତ 12 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ମହାମେଣ୍ଟକୁ 81ରୁ 47 ଆସନ ମିଳିଥିବା ବେଳେ ବିଜେପିକୁ 28 ଆସନ ମିଳିଛି । (ଏଜେନ୍ସୀ)
ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଜିତିବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଖୁସି ବ୍ୟକ୍ତ କରିଛନ୍ତି। ସୋମବାର ଦିନ ହେମନ୍ତ ସୋରେନ୍ କହିଛନ୍ତି ଯେ, ଝାଡଖଣ୍ଡ ଜନତାଙ୍କ ସ୍ପଷ୍ଟ ଜନାଦେଶ ପାଇ, ଜନତାଙ୍କ ନିକଟରେ ଋଣୀ ବୋଲି କହିଛନ୍ତି। ଆଜି ଦିନଟି ତାଙ୍କ ପାଇଁ ସଂକଳ୍ପର ଦିନ। ଲୋକଙ୍କ ଆକାଂକ୍ଷାକୁ ପୂରା କରିବାର ଦିନ ଆସିଛି। ଏହି ଜନାଦେଶକୁ ଶିବୁ ସୋରେନ୍ଙ୍କ ପରିଶ୍ରମ ଓ ତ୍ୟାଗର ପରିଣାମ ବୋଲି କହିଛନ୍ତି ହେମନ୍ତ। ଝାଡଖଣ୍ଡରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ହେମନ୍ତ। ଜେଏମଏମ୍ର ସହିତ ମେଣ୍ଟରେ ରହିଥିବା କଂଗ୍ରେସ ଓ ଆରଜେଡିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ହେମନ୍ତ ସୋରେନ୍। ଏହି ଅବସରରେ ଲାଲୁ ପ୍ରସାଦ ଯାଦବ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ, 23/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି କଂଗ୍ରେସ ଦଳ ତରଫରୁ ରାଜଘାଟ ଠାରେ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି। ସତ୍ୟାଗ୍ରହରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କାର୍ଯ୍ୟସମିତିର ସଦସ୍ୟ ସହିତ ଦଳର ଶୀର୍ଷ ନେତାମାନେ ସାମିଲ୍ ରହିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧି, ମନମୋହନ ସିଂ ଓ ରାହୁଲ୍ ଗାନ୍ଧି ସମ୍ବିଧାନର ପ୍ରସ୍ତାବନା ମଧ୍ୟ ପଢିଛନ୍ତି।
କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ଅସାମ୍ବିଧାନିକ କହି ଖୋଲାଖୋଲି ଏହାର ବିରୋଧ କରୁଛି। ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶନିବାର ଦିନ ଏନେଇ ଏକ ବୟାନ ଜାରି ନୂତନ ନାଗରିକତା ଆଇନ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନ୍ଆରସି) ସମ୍ବିଧାନର ମୂଳ ଆତ୍ମା ବିରେଧରେ କଡା ଟକ୍କର ଦେବା ସହିତ ସାଧାରଣ ଜନତାର ସ୍ବରକୁ ଚପାଇବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରିୟଙ୍କା ସିଏଏ ଓ ଏନ୍ଆରସି ନାମରେ ଗରିବ ଲୋକଙ୍କୁ ଶିକାର କରାଯାଉଛି ବୋଲି ଅଭିଯୋଗ ମଧ୍ୟ କରିଥିଲେ । କଂଗ୍ରେସ ସଙ୍ଗଠନର ମହାସଚିବ ବେଣୁଗୋପାଲ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଯୁବ ଓ ଛାତ୍ରଙ୍କ ବିରୋଧରେ ବଳ ପ୍ରୟୋଗ କରୁଛି, ଯାହାର ପରିଣାମ ସ୍ବରୂପ ପରିସ୍ଥିତି ବେଶ୍ ଉତ୍ତେଜନାମୟ ହେଉଛି। (ଏଜେନ୍ସି)
ରାହୁଲଙ୍କୁ ବୟାନକୁ ନେଇ ଅସନ୍ତୁଷ୍ଟ ଶିବସେନା
ରାଞ୍ଚି,3/12: ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନରେ 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାପଡିଛି । ଆସନ୍ତା 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । 67 ପ୍ରତିଶତଙ୍କ ମଧ୍ୟରୁ 17 ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ 50 ପ୍ରତିଶତ ଜେଏମ୍ଏମ୍ ପ୍ରାର୍ଥୀ, 42 ପ୍ରତିଶତ ଏଜେଏସ୍ୟୁ ପ୍ରାର୍ଥୀ ଏବଂ ବିଜେପି ଓ ଜେଭିଏମ୍ପିର 40 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ସମୁଦାୟ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବାର ସୂଚନା ମିଳିଛି । ଗମ୍ଭୀର ଅପରାଧିକ ମାମଲା ତାଲିକାରେ ମଧ୍ୟ 50 ପ୍ରତିଶତ ସହିତ କଂଗ୍ରେସ ଉପରେ ରହିଛି । ଏହି ତାଲିକାରେ ଜେଏମ୍ଏମ୍ର 36 ପ୍ରତିଶତ ପ୍ରାର୍ଥୀ ରହିଥିବା ବେଳେ ବିଜେପିର 25 ପ୍ରତିଶତ ଏବଂ ଜେଭିଏମ୍ପିର 25 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । 8 ପ୍ରତିଶତ ସହ ଏଜେଏସ୍ୟୁ ଏହି ତାଲିକାରେ ସବୁଠୁ ତଳେ ରହିଛି ।(ଏଜେନ୍ସୀ)
ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ର ରାଜନୀତିରେ ଘଟଣାକ୍ରମେ ବେଶ୍ ଚମକପ୍ରଦ ରହୁଛି । ଆଜି ସୁପ୍ରିମ୍କୋର୍ଟ ବୁଧବାର ଦିନ ଫ୍ଲୋର ଟେଷ୍ଟ କରିବାକୁ ଆଦେଶ ଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍ ପାଓ୍ବାରା ଇସ୍ତଫା ଦେଇଥିଲେ । ସେହିପରି ସରକାର ଗଢିବାର ୮୦ ଘଣ୍ଟା ପରେ ଦେବେନ୍ଦ୍ର ଫଡ୍ନଭୀସ୍ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଶିବସେନା- ଏନ୍ସିପି- କଂଗ୍ରେସ ତିନି ଦଳ ସନ୍ଧ୍ୟା ୭ଟା ସମୟରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି । ଆଜି ସନ୍ଧ୍ୟାରେ ଏହି ତିନି ଦଳଙ୍କ ନେତା ରୂପେ ଉଦ୍ଧବ ଠାକ୍ରେ ନିର୍ବାଚିତ ହେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏନ୍ସିପିରୁ ଜିତେନ୍ଦ୍ର ଆହେଟ୍ଟ ଓ କଂଗ୍ରେସର ବାଲାସାହେବ ଥୋରାଟେ ଏହି ଦୌଡ଼ରେ ରହିଛନ୍ତି ।
ଭୋପାଳ,25/11: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ, 25/11 : କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଟ୍ବିଟ୍ଟର ଆକାଉଣ୍ଟରୁ କଂଗ୍ରେସ ଶବ୍ଦଟିକୁ ହଟାଇଛନ୍ତି । ପୂର୍ବରୁ ସେ ନିଜ ନାମ ପରେ ପରେ କଂଗ୍ରେସ ନେତା ବୋଲି ଉଲ୍ଲେଖ କରିଥିଲେ। ହେଲେ ସିନ୍ଧିଆ ବର୍ତ୍ତମାନ ନିଜର ବାୟୋ “public servant and cricket enthusiast” କୁ ପରିବର୍ତ୍ତନ କରିଦେଇଛନ୍ତି। ଫଳରେ ଏହାକୁ ନେଇ ଦେଶ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସିନ୍ଧିଆଙ୍କ ଏପରି ପରିବର୍ତ୍ତନ ଦ୍ବାରା ତାଙ୍କ ସହିତ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ବିବାଦ ପଦାରେ ପଡିଛି। ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଧିଆ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପରେ ରାହୁଲଙ୍କ ଘନିଷ୍ଠ ସହଯୋଗୀ ରହିଥିବା ସିନ୍ଧିଆ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ।
ନୂଆଦିଲ୍ଲୀ,୨୫/୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ବିଚାର ସରିଛି। ଆସନ୍ତାକାଲି ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଶିବସେନା-କଂଗ୍ରେସ-ଏନସିପି ପକ୍ଷରୁ ଦାୟର କରାଯାଇଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର ଶେଷ କରିବା ସହିତ ରାୟ ସଂରକ୍ଷଣ କରିଛନ୍ତି। ଆସନ୍ତା କାଲି ସକାଳ ୧୦. ଏହି ମାମଲାର ରାୟ ପ୍ରକାଶ ପାଇବ। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)
ମୁମ୍ବାଇ,୨୫/୧୧ : ମହାରାଷ୍ଟ୍ର ରାଜନୀତିରେ ଦେଖାଯାଇଥିବା ସଙ୍କଟ ପାଇଁ ଶିବସେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ ନେତା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଢ଼ିବାକୁ ବହୁମତ ପରୀକ୍ଷଣ ଲାଗି ଏହି ୩ ଦଳ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢ଼ୁଛନ୍ତି। ସେହିପରି ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)
ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର୍ଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସ୍ଥାନ ମିଳିଛି । ସାଧ୍ବୀ ପ୍ରଜ୍ଞା ଏହି କମିଟିର ସଦସ୍ୟ ହୋଇଛନ୍ତି । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସାଧ୍ବୀ ପ୍ରଜ୍ଞା ନିର୍ବାଚନରେ ବଡ ଜିତ୍ ହାସଲ କରିଥିଲେ । ଲୋକସଭା ପରେ ମଧ୍ୟ ସେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ରକ୍ଷା ମାମଲାରେ ଏହି କମିଟିରେ ମୋଟ ୨୧ ଜଣ ସଦସ୍ୟ ରହିଛନ୍ତି । ଏହି ସଦସ୍ୟଙ୍କ ମଧ୍ୟରେ ସାଧ୍ବୀ ପ୍ରଜ୍ଞା ସିଂହଙ୍କ ନାମ ସାମିଲ୍ ହୋଇଛନ୍ତି । ଏହି କମିଟିର ସଭାପତି ରାଜନାଥ ସିଂହ ରହିଥିବାବେଳେ ଏହି କମିଟିରେ ଫାରୁକ୍ ଅବଦୁଲ୍ଲା, ଏ.ରାଜା, ସୁପ୍ରିୟା ସୁଲେ, ମୀନାକ୍ଷୀ ଲେଖି, ରାକେଶ ସିଂ, ଶରଦ ପାଓ୍ବାର, ଜେପି ନଡ୍ଡା ପ୍ରମୁଖ ସାମିଲ୍ ରହିଛନ୍ତି । ତେବେ ସ୍ବାଧୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ୍ କରିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି । କମଲନାଥ ସରକାରର ମନ୍ତ୍ରୀ ପିସି ଶର୍ମା ଏହି ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ଯେ, ବିଜେପି କଥା ଓ କାମରେ ସବୁବେଳେ ଫରକ ରଖିଥାଏ। ସେହିପରି ଅନ୍ୟତମ କଂଗ୍ରେସ ନେତା ଜୟବୀର ସେର୍ଗିଲ୍ ଟୁଇଟ୍ କରି କହିଛନ୍ତି ଯେ, ପ୍ରଜ୍ଞା ଠାକୁର୍ ରକ୍ଷା ମନ୍ତ୍ରାଳୟ କମିଟିରେ ସାମିଲ୍ ହୋଇଛନ୍ତି। ବିଜେପି ସରକାର ଜାତୀୟତାକୁ ଏକ ନୂଆ ସଂଜ୍ଞା ଦେଇଛନ୍ତି । ବମ ବିସ୍ଫୋରଣ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କୁ ରକ୍ଷା ମାମଲାରେ ସାମିଲ୍ କରାଯାଇଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଜ୍ଞାଙ୍କୁ ‘ମନରୁ କ୍ଷମା ଦେଇନାହାନ୍ତି’ ବୋଲି କହିଥିଲେ, କିନ୍ତୁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସଦସ୍ୟତା କରାଯାଇଛି । ଏହି ଘଟଣାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରି କହିଛି ଯେ, ଏବେ ଗଡ୍ସେଙ୍କ ଭକ୍ତଙ୍କ ଲାଗି ଅଚ୍ଛେ ଦିନ୍ ଆସିଛି ।
ସମୀକ୍ଷା ବ୍ୟୁରୋ
ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆଜି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଯଦିଓ ପାଓ୍ବାର ଆଜି କୃଷକଙ୍କ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା କହିଛନ୍ତି, ହେଲେ ରାଜନୈତିକ ମହଲରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଦେଖାଦେଇଛି । ଦୁହେଁ ପାଖାପାଖି ଅଧଘଣ୍ଟାଏ ପାଖାପାଖି ସାକ୍ଷାତ କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ଶରଦ ପାଓ୍ବାର କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ଏବଂ ଆସନ୍ତା ବର୍ଷ ଅର୍ଥାତ୍ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ଦୁଇ ତାରିଖ ମଧ୍ୟରେ ହେବାକୁ ଥିବା ବସନ୍ତ ଦାଦା ସୁଗାର୍ ଇନ୍ଷ୍ଟିଚ୍ୟୁଟ୍ ପ୍ରୋଗ୍ରାମ୍ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ କୃଷକଙ୍କ ସମସ୍ୟା ସମ୍ବଳିତ ଏକ ପତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ଏନ୍ସିପି ମୁଖ୍ୟ । ଏହି ପତ୍ରରେ ଦୁଇ ଜିଲ୍ଲାରେ ହୋଇଥିବା ଫସଲ ନଷ୍ଟ ସମ୍ପର୍କରେ ସୂଚନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ରାଜ୍ୟସଭାରେ ଏନସିପିର ପ୍ରଶଂସା କରିଥିବାବେଳେ ଏନ୍ସିପି ମୁଖ୍ୟ ମୋଦିଙ୍କ ଭେଟିବାକୁ ନେଇ ରାଜନୈତିକ ମହଲରେ ଏକ ଭିନ୍ନ ସମୀକରଣର ଆଭାସକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ । ଅପରପକ୍ଷେ ଶିବସେନା ପାୱାର ଓ ମୋଦିଙ୍କ ସାକ୍ଷାତକୁ ସୌଜନ୍ୟମୂଳକ ତଥା ସାମାନ୍ୟ କହି ଏହି ସମୀକରଣ ର ସମ୍ଭାବନାକୁ ଖଣ୍ଡନ କରିଛି । ଶିବସେନାର ବରିଷ୍ଠ ସାଂସଦ ସଞ୍ଜୟ ରାୱତ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଯଦି କୌଣସି ନେତା ସାକ୍ଷାତ କରେ ତେବେ କ’ଣ କିଛି ଖେଳ ହୋଇଥାଏ କି ? ସଂସଦ ଭିତରେ ହେଉ ଅଥବା ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିହେବ । ଶରଦ ପାଓ୍ବାରଙ୍କୁ ରାଜ୍ୟର ସ୍ଥିତି ବିଷୟରେ ଜଣା ଅଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନ ପୂର୍ବର ହିଁ ଏନସିପି ଏବଂ ବିଜେଡିକୁ ରାଜ୍ୟସଭାରେ ପ୍ରଶଂସା କରିଥିଲେ ।
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେବି ଅସ୍ଥିରତା ଲାଗି ରହିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟିଏ ପଟେ ଜିଦ୍ ଧରି ରହିଥିବାବେଳେ ଏନ୍ସିପି ଓ କଂଗ୍ରେସ ଶିବସେନା ସହ ମେଣ୍ଟ ବିଳମ୍ବିତ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ସରକାର ଗଠନ କରିବା ନେଇ ଏନ୍ସିପି ଓ କଂଗ୍ରେସ ଆଭିମୁଖ୍ୟ ଅସ୍ପଷ୍ଟ ରହୁଛି । ଗୋଟିଏ ପଟେ ଏନ୍ସିପି ମୁଖ୍ୟ ସୋନିଆ ଗାନ୍ଧିଙ୍କ ସାକ୍ଷାତ କରି ସରକାର ଗଠନ ବିଷୟରେ ଆଲୋଚନା କରୁଥିବାବେଳେ ଅନ୍ୟପଟେ ଆଉ କିଛି ସମୟ ଲାଗିବ ବୋଲି କହୁଛନ୍ତି । ମହାରାଷ୍ଟ୍ରରେ ଶିବସେନା ସହିତ ଏନ୍ସିପି ଓ କଂଗ୍ରେସ ମେଣ୍ଟ କରିବା ନେଇ ଏକପ୍ରକାର ଅନିଶ୍ଚିତତା ଦେଖାଯାଉଛି । ନିକଟରେ କର୍ଣ୍ଣାଟକରେ ମେଣ୍ଟ ସରକାରର ବିଫଳତା ପରେ ପୁଣି ଥରେ ସେହି ମେଣ୍ଟକୁ ନେଇ ଆଶଙ୍କା ପ୍ରକଟ କରୁଛି କଂଗ୍ରେସ । ଅପରପକ୍ଷେ ଏନ୍ସିପି ଶିବସେନା ଓ କଂଗ୍ରେସର ତାଳମେଳକୁ ଭଲ ଭାବେ ତଉଲିବାରେ ଲାଗିପଡିଛି । ପୁଣି ଶିବସେନା ନିଜ ପାଖରେ ସରକାର ଗଢିବାକୁ ପର୍ଯ୍ୟାପ୍ତ ବିଧାୟକ ରହିଛନ୍ତି ବୋଲି ଦମ୍ଭୋକ୍ତି ଦେଖାଉଥିବାବେଳେ ସରକାର ଗଠନରେ ଉଭୟ କଂଗ୍ରେସ ଓ ଏନ୍ସିପିଙ୍କ ସହଚର୍ଯ୍ୟ ପାଇଁ ଅପେକ୍ଷାରତ ରହିଛି । ମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ରାଜନୀତିର ସମୀକରଣ ବଦଳିବାରେ ଲାଗିଛି । ନିର୍ବାଚନ ହେବାର ମାସେ ପରେ ବି ମହାରାଷ୍ଟ୍ର ରାଜନୀତି ସେମିତି ଧୂଆଁଳିଆ ପରିସ୍ଥିତିରେ ଗତି କରୁଛି । ରାଜ୍ୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ନାଟକ ଦେଖିବାକୁ ମିଳୁଛି । ତେବେ ମହାରାଷ୍ଟ୍ରବାସୀଙ୍କ ସମେତ ସମସ୍ତ ରାଜନୈତିକ ସମୀକ୍ଷକ ରାଜ୍ୟରେ ଖୁବ ଶୀଘ୍ର ସରକାରର ଚିତ୍ର ସ୍ପଷ୍ଟ ହେବା ଅର୍ଥାତ୍ ଜନାଦେଶର ମର୍ଯ୍ୟାଦା ରହିବା ନେଇ ଆଶାବାଦୀ ରହିଛନ୍ତି ।