କଂଗ୍ରେସ ଟିକେଟ ପାଇଁ ଅନ ଲାଇନ ଆବେଦନ, ପ୍ରାର୍ଥୀ ବାଛିବାରେ ଆଣିବ କି ସଫଳତା!

Published: Feb 12, 2024, 1:40 pm IST

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ ଟିକେଟ ପାଇଁ ଆପଣେଇଛି ଅନ ଲାଇନ ବ୍ୟବସ୍ଥା ବା ଅନ ଲାଇନ ଆବେଦନ। ଏହି ଫର୍ମୁଲା ମାଧ୍ୟମରେ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। କାରଣ ଏଥିରେ ୧୪୭ ବିଧାନସଭା କ୍ଷେତ୍ରରୁ ୨୫୦୦ରୁ ଅଧିକ ଓ ୨୧ ଲୋକସଭା ଆସନ ପାଇଁଁ ୬୭୦ ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ୨୦୧୯ ନିର୍ବାଚନରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ କରିଥିଲେ।

କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରାର୍ଥୀ ବାଛିବା ଓ ଟିକେଟରେ ସ୍ୱଚ୍ଛତା ଆଣିବା ପାଇଁ ଗତ ଫେବୃୟାରୀ ୦୪ ତାରିଖରେ ପ୍ରଗମନ ଦ୍ୱାରା ଅନ ଲାଇନ ଟିକେଟ ଆବେଦନ କରିବା ଲାଗି ଆହ୍ବାନ କରିଥିଲା। ଏଥିରେ ବହୁ ଆଶାୟୀ ବିନା କୌଣସି ନେତାଙ୍କ ସୁପାରିଶରେ ସିଧା ଆବେଦନ କରିଛନ୍ତି।

ତେବେ କଂଗ୍ରେସ ପୂର୍ବରୁ ବ୍ଲକ ସଭାପତି ଓ ଜିଲ୍ଲା ସଭାପତିଙ୍କ ଜରିଆରେ ଆଶାୟୀଙ୍କ ତାଲିକା ମଧ୍ୟ ସଂଗ୍ରହ କରିଛି। ଏହି ସବୁ ରିପୋର୍ଟକୁ ମଧ୍ୟ ଏଥିରେ ସାମିଲ କରି ପ୍ରଦେଶ ଇଲେକ୍‌ସନ କମିଟି ବୈଠକରେ ନିଷ୍ପତି ନିଆଯିବ। ଏଆଇସିସି ସ୍କ୍ରିନିଙ୍ଗ୍ କମିଟି ମଧ୍ୟ ଆଶାୟୀ ପାର୍ଥୀମାନଙ୍କୁ ଯାଂଚ କରିବ ଓ ପରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡାନ୍ତ ପାର୍ଥୀ ତାଲିକା ଘୋଷଣା କରିବ।

‘ପ୍ରଗମନ’ କଂଗ୍ରେସ ପ୍ରଥମ ଥର ପାଇଁ ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ପ୍ରୟୋଗ କରିଥିଲା ଓ ମେୟର ନିର୍ବାଚନରେ ସଫଳତା ସ୍ୱରୁପ ମେୟର ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ଏହି ସଫଳତାକୁ ଆଧାର କରି ଓଡ଼ିଶାରେ କଂଗ୍ରେସ ତାହାକୁ ଆବୋରୀ ନେଇଛି। ଦେଶର ସର୍ବ ପୁରାତନ ଦଳ ନିର୍ବାଚନ ପାଇଁ ଆପଣେଇଛି ଆଧୁନିକ ପଦ୍ଧତି। ନୂଆ ଟେକ୍ନୋଲୋଜି ଆପଣାଇ ଦଳକୁ ବିଜୟ କରିବା କଂଗ୍ରେସର ମୂଳ ଲକ୍ଷ ରଖିଛି। ତେବେ ପ୍ରଶ୍ନ ଉଠିଛି ଦଳ ପ୍ରକୃତରେ ଏହି ଅନ ଲାଇନ ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀ ପାଇବାରେ ସକ୍ଷମ ହେବ କି ନାହିଁ।

Related posts