ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ୟୁପିରେ ମହାମେଣ୍ଟ ଦ୍ୱାରା କଂଗ୍ରେସ ବିରୋଧରେ ଦୁଇଟି ଆସନରୁ ପ୍ରାର୍ଥୀ ନ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ କଂଗ୍ରେସ ରାଜ୍ୟର ୭ଟି ଆସନରେ ପ୍ରାର୍ଥୀ ନଓହ୍ଲାଇବା ପାଇଁ ଘୋଷଣା କରିଥିଲା। ତେବେ ବିଏସପି ସୁପ୍ରିମୋ ମାୟାବତୀ ଏବେ କଂଗ୍ରେସକୁ ଜୋରଦାର ଝଟକା ଦେଇଛନ୍ତି। କଂଗ୍ରେସ ୭ଟି ଆସନ ଛାଡିବା ଭ୍ରମରେ ନରହୁ, ଦଳ ରାଜ୍ୟର ୮୦ଟି ଆସନରୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇବ ତେଣୁ କଂଗ୍ରେସ ଭ୍ରମରେ ନରହୁ ବୋଲି ମାୟାବତୀ କହିଛନ୍ତି। ବିଏସପି କଂଗ୍ରେସ ସହ କୌଣସୀ ମହାମେଣ୍ଟ କରିବ ନାହିଁ। ରାଜ୍ୟରେ ବିଜେପିକୁ ପରାଜିତ କରିବା ପାଇଁ ତାଙ୍କ ଦଳ ଏକା ସକ୍ଷମ ବୋଲି ମାୟାବତୀ କହିଛନ୍ତି। କଂଗ୍ରେସ ଜୋର ଜବରଦସ୍ତ ୟୁପିରେ ମହାମେଣ୍ଟ କରିବା ପାଇଁ ୭ଟି ଆସନ ଛାଡିବାର ଭ୍ରମ ସୃଷ୍ଟି କରୁଛି। ୟୁପି ସହିତ ସମ୍ପୂର୍ଣ୍ଣ ପ୍ରଦେଶରେ କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ। ତେଣୁ ତାଙ୍କର ଦଳର ଲୋକମାନେ ଏହି ଭ୍ରମ ଭିତର ନଫଶିବା ପାଇଁ ମାୟାବତୀ ସ୍ପଷ୍ଟ କରିଛନ୍ତି।
Tag: Congress
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେଭିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କୁ କହିଛି ଯେ, ସରକାର ଗଠନ ପାଇଁ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ବିଜେପି ସରକାର ସହ ମେଂଟରେ ଥିବା ବିଭିନ୍ନ ରାଜନୈତିକ ଦଳ ମନୋହର ପାରିକରଙ୍କ ନେତୃତ୍ୱ ସର୍ତ୍ତରେ ସାମିଲ ହୋଇଥିଲେ। ବର୍ତମାନ ବିଜେପି ସହ କୌଣସୀ ସହଯୋଗୀ ନାହାନ୍ତି। ବିରୋଧୀ ନେତା ଚନ୍ଦ୍ରକାନ୍ତ କାବଲେକର ଏବଂ ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋନ୍ଦାକର ରାଜ୍ୟରେ ତାଙ୍କ ଦଳ ସର୍ବ ବୃହତ ପାର୍ଟି ବୋଲି କହିଛନ୍ତି। ତେବେ ଏହା ମଧ୍ୟରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିବା ଖବରକୁ ଖଣ୍ଡନ କରିବା ସହିତ ତାଙ୍କୁ ଏଭଳି କୌଣସି ଅଫର ଆସିନଥିବା ସେ କହିଛନ୍ତି। ଏପରି ସମୟରେ ଗୋଆର ରାଜନୈତିକ ସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଛି।
ଉତ୍ତରପ୍ରଦେଶରେ କଂଗ୍ରେସ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଓ ଆରଏଲ୍ଡି ପାଇଁ ୭ଟି ସିଟ୍ ଛାଡ଼ିବା ନେଇ ଘୋଷଣା କରିଛି। ପୂର୍ବରୁ ସପା-ବିଏସ୍ପି ମେଣ୍ଟ ଉତ୍ତରପ୍ରଦେଶରେ ଦୁଇଟି ଆସନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲା। ୭ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ପ୍ରଦାନ କରିବ ନାହିଁ ବୋଲି ପ୍ରଦେଶ ଅଧ୍ୟକ୍ଷ ରାଜ ବବର୍ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରେ ମୌନପୁରୀ, କନୌଜ ଓ ଫିରୋଜବାଦ ଆସନ ଆଦି ରହିଛି, ଯାହା ସମାଜବାଦୀ ପାର୍ଟିର ଗଡ଼। ଏହା ବ୍ୟତୀତ ମାୟାବତୀ, ଅଜିତ୍ ସିଂହ ଓ ଜୟନ୍ତ ଚୌଧୁରୀଙ୍କ ବିପକ୍ଷରେ ମଧ୍ୟ ପ୍ରାର୍ଥୀ ଦିଆଯିବ ନାହିଁ ସୂଚନା ରହିଛି। ଉତ୍ତରପ୍ରଦେଶରେ କଂଗ୍ରେସ ଜନ ଅଧିକାର ପାର୍ଟି ସହ ୭ଟି ଆସନକୁ ନେଇ ବୁଝାମଣା କରିଛି ବୋଲି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି। ଏହି ୭ଟି ଆସନରେ ୫ଟି ଆସନରୁ ଜନ ଅଧିକାର ପାର୍ଟିର ପ୍ରାର୍ଥୀ ଦେବାକୁ ଥିବାବେଳେ ଦୁଇଟି ସିଟ୍ରେ କଂଗ୍ରେସ ପ୍ରାର୍ଥୀ ଦେବ।
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶନିବାର ରାତିରେ ଏହି ତାଲିକା ଘୋଷଣା କରାଯାଇଛି। ଏଥିରେ ମୋଟ ୨୭ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେଥିମଧ୍ୟରେ ବର୍ତ୍ତମାନର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁରଙ୍କ ନାଁ ରହିଛି। ସେ ତିରୁବନନ୍ତପୁରମ୍ ଆସନରୁ ପ୍ରାର୍ଥୀ ହେବେ। ଏହି ତାଲିକାରେ ଶଶି ଥରୁରଙ୍କ ମିଶାଇ କେବଳ କେରଳରୁ ୧୨ ଜଣଙ୍କ ନାଁ ରହିଛି। ଏଥିରେ ଉତ୍ତର ପ୍ରଦେଶର ୭ ଜଣ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ଛତିଶଗଡ଼ର ୫ ଜଣ, ଅରୁଣାଚଳ ପ୍ରଦେଶର ଦୁଇ ଜଣ ଏବଂ ଆଣ୍ଡାମାନ୍ ଓ ନିକୋବାର ଦ୍ୱୀପପୁଞ୍ଜର ଜଣେ ପ୍ରାର୍ଥୀଙ୍କ ନାମ ରହିଛି। କେରଳରେ ୨୦ଟି ଲୋକସଭା ଆସନରୁ କଂଗ୍ରେସ ୧୬ଟିରେ ଲଢ଼ିବ। ସେଥିରୁ ୧୨ଟି ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଉ ୪ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଏହି ୧୨ ଜଣିଆ ତାଲିକାରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ କେ.ଭି ଥୋମାସ୍ଙ୍କ ନାଁ ନାହିଁ। ୨୦୧୪ରେ ସେ ଏର୍ଣ୍ଣାକୁଲମ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କ ବଦଳରେ ହିବି ଇଡେନ୍ଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକିଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି। ସେ ଅରୁଣାଚଳ ୱେଷ୍ଟ୍ ଆସନରୁ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ନିନୋଙ୍ଗ ଇରିଙ୍ଗଙ୍କୁ ଦଳ ପ୍ରାର୍ଥୀ କରି ନାହିଁ। ତାଙ୍କ ବଦଳରେ ଅରୁଣାଚଳ ଇଷ୍ଟ୍ ଆସନରୁ ଜେମ୍ସ ଲୋଙ୍ଗଚା ୱାଙ୍ଗଲେଟ୍ଙ୍କୁ ପ୍ରାର୍ଥୀ କରାଯାଇଛି। ଉତ୍ତର ପ୍ରଦେଶରେ ଦଳ ହରେନ୍ଦ୍ର ମଲିକ (କୌରାନା), ଇନ୍ଦିରା ଭାଟ୍ଟି (ବିଜ୍ନୋର୍), ଓମ୍ ପ୍ରକାଶ ଶର୍ମା (ମୀରଟ୍), ଅରବିନ୍ଦ ସିଂହ ଚୌହାନ୍ (ଗୌତମ ବୁଦ୍ଧନଗର), ବ୍ରିଜେନ୍ଦର ସିଂହ (ଅଲିଗଡ଼), ପ୍ରୀତମ୍ ଲୋଧି (ହମିରପୁର) ଓ ବାଲ୍ କ୍ରିଷ୍ଣା ଚୌହାନ୍ (ଘୋସି)ଙ୍କୁ ଦଳ ପ୍ରାର୍ଥୀ କରିଛି। ଛତିଶଗଡ଼ରେ ଦଳ ଖେଲ୍ ସାଇ ସିଂ (ସୁରଗୁଜା), ଲାଲ୍ଜୀତ୍ ରାଠିଆ (ରାଇଘର), ରବି ଭରଦ୍ୱାଜ (ଜଙ୍ଗିର ଚମ୍ପା), ଦୀପକ ବୈଜ୍ (ବସ୍ତର) ଓ ବିରେଶ ଠାକୁର (କଙ୍କେର୍)ଙ୍କୁ ପ୍ରାର୍ଥୀ କରିଛି। ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରୁ ଦଳ କୁଲ୍ଦୀପ୍ ରାଏ ଶର୍ମାଙ୍କୁ ପ୍ରାର୍ଥୀ ଦଳ କରିଛି। ପ୍ରଥମ ତାଲିକାରେ ୧୫ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଥିଲା। ସୋନିଆ ଗାନ୍ଧି ରାଏବରେଲୀରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ରାହୁଲ୍ ଗାନ୍ଧି ଆମେଠିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା। ୨ୟ ତାଲିକାରେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବ୍ବର ମୋରଦାବାଦ ଆସନରୁ ଏବଂ ପୁର୍ବତନ ସୁଶୀଲ୍ କୁମାର ସୋଲାପୁର ଆସନରୁ ଲଢିବେ ବୋଲି ସ୍ପଷ୍ଟ କରାଯାଇଥିଲା। ସେହିପରି ୩ୟ ତାଲିକାରେ ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବାବେଳେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ଏମ୍. ସାଙ୍ଗମା ସୁରୁ ଆସନରୁ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭିନ୍ସେଣ୍ଟ ଏମ୍. ପାଲା ସିଲଂ ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା।
କେଦାର ମିଶ୍ର
ଭାରତରେ ନିର୍ବାଚନ ଆଉ ରାଜରାସ୍ତାରେ ଲଢା ଯାଉନାହିଁ। ଏବେ ନିର୍ବାଚନର ରଣାଙ୍ଗନ ହେଉଛି ଟେଲିଭିଜନ ପରଦା ଓ ସୋସିଆଲ ମିଡିଆର କାନ୍ଥ। ରାଲି ଏବଂ ରୋଡ ସୋ ତୁଳନାରେ ଟିଭି ବିତର୍କ ଏବେ ଲୋକମତକୁ ଅଧିକ ପ୍ରଭାବିତ କରୁଛି। ଟିଭି ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇ ଉଠୁଛି ସୋସିଆଲ ମିଡିଆ। ଫେସବୁକ, ଟୁଇଟର, ୱ୍ହାଟସାପ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ନିର୍ବାଚନ ଯୁଦ୍ଧର ତୀବ୍ରତା ଭୟଙ୍କର ଭାବରେ ଅନୁଭୂତ ହେଉଛି। ଏକଦା ଭାରତୀୟ ଗଣମାଧ୍ୟମ ନିଜର ନିରପେକ୍ଷତାକୁ ନେଇ ଗର୍ବ କରୁଥିଲା। ଆଜି କିନ୍ତୁ ଗଣମାଧ୍ୟମ ନିଜକୁ ବିଭିନ୍ନ ଦଳର ପ୍ରଚାର ମାଧ୍ୟମ ଭାବରେ ନିଲାମ କରି ସାରିଛି। ଏବେ ଟେଲିଭିଜନରେ ଆଉ ନିଷ୍ପକ୍ଷ ବିତର୍କ ଆଉ ସମ୍ଭବପର ନୁହେଁ। ସବୁ ଟିଭି ଚାନେଲ ଏବେ ନିଜ ନିଜର ଶକ୍ତିକୁ କୌଣସି ନା କୌଣସି ଦଳ ପାଇଁ ବିନିଯୋଗ କରିବାର ଠିକା ନେଇ ସାରିଛନ୍ତି। ସେଇ ପୃଷ୍ଠଭୂମିରେ ୨୦୧୯ ନିର୍ବାଚନର ପ୍ରଚାର ପର୍ବକୁ ଆମେ ବିଶ୍ଳେଷଣ କରିବା।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର କହୁ କହୁ କହିଦେଲେ ଯେ ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। ବାସ, ସେହି କଥାରୁ ବିଜେପିକୁ ନିଜର ସବୁଠୁ ସଫଳ ସ୍ଲୋଗାନ ମିଳିଗଲା। ନରେନ୍ଦ୍ର ମୋଦୀ ଜଣେ ସାଧାରଣ ଚା’ ବାଲା ଓ ଗଣତନ୍ତ୍ରରେ ସେ ସବୁଠୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇବା ଉଚିତ ବୋଲି ଏକ ଅଭିଯାନ ବିଜେପି ଆରମ୍ଭ କଲା। “ଚାଏ ପେ ଚର୍ଚ୍ଚା” ଜରିଆରେ ହାଇ ଟେକ ପ୍ରଚାର ସେତେବେଳେ ବିଜେପିକୁ ବେଶ ଲାଭ ଦେଇଥିଲା। ୨୦୧୪ରେ କଂଗ୍ରେସ ନିଜ ଜାଲରେ ନିଜେ ଫସିଗଲା ଓ ତାର ସର୍ବାଧିକ ଲାଭ ନରେନ୍ଦ୍ର ମୋଦୀଙ୍କୁ ମିଳିଲା। ଯଦିଓ ସାଧାରଣ ଭାବରେ ଜଣେ ଚା’ ବାଲାର ଯେଉଁ ମର୍ୟାଦାବୋଧ ବା ବିନମ୍ରତା ମୋଦୀଙ୍କର କେବେ ବି ନଥିଲା କିନ୍ତୁ ଚା’ ବାଲାର ପରିଚୟକୁ ସବୁଠୁ ବଡ ରାଜନୈତିକ ବ୍ରାଣ୍ଡ ଭାବରେ ସେ ବ୍ୟବହାର କରିବାରେ ସଫଳ ହେଲେ।
୨୦୧୯ ବେଳକୁ ସେଦିନର ଚା’ ବାଲା ଆଜିର ଶୁଟ ବୁଟ ପିନ୍ଧା ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀ ବଡ ପୋଷାକ ପ୍ରିୟ ଓ ଫେସନ ସଚେତନ। ଦିନକୁ ଅତିକମରେ ଅଧ ଡଜନ ପୋଷାକ ବଦଳାଉଥିବା ପ୍ରଧାନମନ୍ତ୍ରୀ ଏବେ ଆଉ ନିଜକୁ ଚା’ ବାଲା ବୋଲି କହିପାରିବେ ନାହିଁ। ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ ଗୋଟେ ନୂଆ ବ୍ରାଣ୍ଡ ଓ ନୂଆ ସ୍ଲୋଗାନ ବିଜେପି ଲାଗି ଜରୁରୀ ଥିଲା। ଏଥର ମଧ୍ୟ ବିଜେପି ନିଜ ସ୍ଲୋଗାନ କଂଗ୍ରେସ ସୌଜନ୍ୟରୁ ପାଇଛି। ଗତ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଫାଲେ ଜାହାଜ କିଣା ମାମଲାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଭାପତି “ଚୌକିଦାର ଚୋର ହୈ” ର ସ୍ଲୋଗାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ଦେଶର ଚୌକିଦାର ଭାବରେ ଦେଶର ଟଙ୍କାଟିଏ ବି ବାହାରକୁ ଯିବାକୁ ଦେବିନାହିଁ ବୋଲି ଏକଦା ପ୍ରଧାନମନ୍ତ୍ରୀ ଦେଇଥିବା ବକ୍ତବ୍ୟର ଜବାବରେ ରାହୁଲ ଗାନ୍ଧୀ ଏ ସ୍ଲୋଗାନ ଦେଇଥିଲେ ଓ ତାହା ଅନେକାଂଶରେ ଲୋକମତକୁ ପ୍ରଭାବିତ ମଧ୍ୟ କରିଥିଲା।
ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ପ୍ରଭାବଶାଳୀ ସ୍ଲୋଗାନ ବିରୋଧରେ ଏକ ସ୍ଲୋଗାନ ତିଆରି କରିବା ବିଜେପି ଲାଗି ନିହାତି ଜରୁରୀ ଥିଲା। ଶେଷରେ ଗତକାଲି ବିଜେପି “ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛି। ଅର୍ଥାତ ଗତଥର ଚା’ ବାଲା ଓ ଏଥର ଚୌକିଦାର। ତେବେ ଗତଥର ଚା’ ବାଲାଟି ଥିଲା ସରଳ ଓ ପ୍ରାୟ ଅପରିଚିତ, ଏଥରର ଚୌକିଦାର କିନ୍ତୁ ବେଶ ପରିଚିତ ଓ ତାଙ୍କର କାର୍ୟକଳାପକୁ ନେଇ ପ୍ରଶ୍ନ ପଚାରିବାର ଯଥେଷ୍ଟ ଅବକାଶ ରହିଛି। କଂଗ୍ରେସର ଛାଟରେ କଂଗ୍ରେସକୁ ମାରିବାର ପୁରୁଣା ତରିକାକୁ ନେଇ ବିଜେପି ଓ ଏହାର ସୋସିଆଲ ମିଡିଆ ସେଲ ବେଶ ଉତ୍ସାହିତ । ହେଲେ କଂଗ୍ରେସ ଏଥର ୨୦୧୪ ପରି ଦୁର୍ବଳ ନୁହଁ। ପ୍ରଧାନମନ୍ତ୍ରୀ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କଲା କ୍ଷଣି କଂଗ୍ରେସ ତାର ଜବାବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ବ୍ୟାଙ୍କରୁ ଲୁଟି ନେଇ ଫେରାର ଥିବା ବିଜୟ ମାଲ୍ୟା, ମେହୁଲ ଚୋକସି, ନୀରବ ମୋଦୀ ପ୍ରମୁଖଙ୍କ ଫଟୋ ଯୋଡି ପ୍ରଚାର ଆରମ୍ଭ କରିଛି।
ବିଜେପି ନିଜର ପ୍ରଚାର ଅଭିଯାନରେ ମୋଦୀଙ୍କ ନିଜସ୍ଵ ଟୁଇଟର ହାଣ୍ଡଲରୁ ଲକ୍ଷ ଲକ୍ଷ ଲୋକଙ୍କୁ “ମେ ଭି ଚୌକିଦାର’’ ବାର୍ତ୍ତା ପଠାଇ ଚାଲିଛି। ଚା’ ବାଲା ପରି ଚୌକିଦାରକୁ ମଧ୍ୟ ଏକ ପ୍ରଭାବଶାଳୀ ରାଜନୈତିକ ବ୍ରାଣ୍ଡ ଭାବରେ ବ୍ୟବହାର କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି। ବିଜେପିର ଉଦ୍ୟମରେ ଦେଶର ପ୍ରମୁଖ ଟିଭି ଚାନେଲ ତାକୁ ପୂର୍ଣ ସମର୍ଥନ କରୁଛନ୍ତି। ହେଲେ ଏ ପ୍ରକାର ଆକ୍ରାମକ ପ୍ରଚାର ଅଭିଯାନକୁ କଂଗ୍ରେସ କେମିତି ମୁକାବିଲା କରୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।
କଂଗ୍ରେସର ହାତ ଛାଡିପାରନ୍ତି ସାଲେପୁର ବିଧାୟକ!
କଂଗ୍ରେସ ଛାଡିପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଖୁବଶୀଘ୍ର କଂଗ୍ରେସର ହାତ ଛାଡି ପଦ୍ମ ଧରିପାରନ୍ତି ପ୍ରକାଶ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା । ପ୍ରକାଶ ମଧ୍ୟ ଏହାକୁ ସିଧାସଳଖ ଖଣ୍ଡନ କରିନଥିଲେ ମଧ୍ୟ ଏନେଇ ସ୍ପଷ୍ଟ ସଂକେତ ମଧ୍ୟ ଦେଇନଥିଲେ । ଏହାଛଡା ପ୍ରକାଶ ମଧ୍ୟ ବିନା ଦଳୀୟ ଚିହ୍ନରେ ଏକ ବଡ ରାଲି କରିଥିବାର ଦେଖିବାକୁ ମିଳିଥିଲା ପ୍ରକାଶ ହାତ ଛାଡ଼ି ଶଙ୍ଖ ଧରିବା ବଦଳରେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି ।
ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଲଢିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କର ପ୍ରାର୍ଥୀତ୍ଵ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ପିସିସି ସଭାପତିଙ୍କ ମନ୍ତବ୍ୟ ପୃଥ୍ଵୀବଲ୍ଲଭ ପ୍ରାର୍ଥୀତ୍ଵ ସମ୍ପର୍କରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ଗତକାଲି ପୃଥ୍ଵୀବଲ୍ଲଭ ନିର୍ବାଚନରେ ବେଗୁନିଆ ଆସନରୁ ଲଢିବାକୁ ଚାହୁଁଥିବା କହିଥିଲେ । ପୃଥ୍ବୀବଲ୍ଲଭ ଗତ କିଛିଦିନ ମଧ୍ୟରେ ବହୁବାର ବେଗୁନିଆ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ପ୍ରତି ଜନସମର୍ଥନ ରହିଛି ବୋଲି ସେ ମଧ୍ୟ ପରୋକ୍ଷରେ କହିଥିଲେ । ତେବେ ପିସିସି ସଭାପତି ପୃଥ୍ବୀବଲ୍ଲଭଙ୍କ ପ୍ରାର୍ଥୀତ୍ଵ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି । ଯଦି ପୃଥ୍ଵୀ ଚାହିଁବେ, ତା’ହେଲେ ତାଙ୍କ କଥା ବିଚାର କରାଯିବ ବୋଲି ନିରଞ୍ଜନ କହିଛନ୍ତି । ତେବେ ପୃଥ୍ଵୀଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଓ ସୁର ରାଉତରାୟ ପ୍ରମୁଖ ସମର୍ଥନ କରିଛନ୍ତି । ପୃଥ୍ଵୀବଲ୍ଲଭ ଜଣେ ଯୋଗ୍ୟ ବ୍ୟକ୍ତି ଓ ସେ ପ୍ରାର୍ଥୀ ହେବା ଉଚିତ୍ ବୋଲି ଦୁଇ ନେତା କହିଛନ୍ତି ।
ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏ ସମ୍ପର୍କରେ ପରୋକ୍ଷରେ ମତ ମଧ୍ୟ ଦେଇଛନ୍ତି। ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ। ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୃଥ୍ୱୀ କହିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି। ଚୂଡ଼ାନ୍ତ ନିଷ୍ପତ୍ତି ନଆସିଲେ ସେ ଏ ସମ୍ପର୍କରେ ବିଶେଷ କିଛି କହିପାରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କଂଗ୍ରେସ ଉଭୟ ଦଳକୁ କଡ଼ା ଟକ୍କର ଦେବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ତେବେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ନେଇ ସମ୍ଭାବନା ତ ନିଶ୍ଚୟ ରହିଛି। କଂଗ୍ରେସରୁ ଜାନକୀଙ୍କ ପୁତ୍ର ପାର୍ଥୀ ହେଲେ ଏହାର ଫାଇଦା ଦଳକୁ ନିଶ୍ଚୟ ମିଳିବ ବୋଲି କୁହାଯାଇପାରେ ।
କଂଗ୍ରେସରୁ ଲଢିବେ ହାର୍ଦ୍ଦିକ ପଟେଲ୍ !
ଗୁଜୁରାଟର ପାଟିଦାର୍ ନେତା ହାର୍ଦ୍ଦିକ ପଟେଲ୍ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍ ମାଦମ୍। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।
କେଦାର ମିଶ୍ର
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମାସେ ଭିତରେ ତାଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଗୋଟିଏ ନାଁ କହୁଛନ୍ତି- ସରୋଜ ସାହୁ ।
ବିଜେପିର ସାମ୍ବାଦିକ ସମ୍ମିଳନୀ ଓ ବିଜେପି ପ୍ରବକ୍ତାମାନଙ୍କ ଟେଲିଭିଜନ ଆଲୋଚନାରେ ସେଇ ନାଁଟି ବାରମ୍ବାର ଆସୁଛି- ସରୋଜ ସାହୁ।
ଏପରିକି କଂଗ୍ରେସରେ ନୂଆ କରି ଯୋଗଦେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ମଧ୍ୟ ସେ ନାଁ କହିଲେ- ସରୋଜ ସାହୁ।
ଲାଗୁଛି, ସତେ ଯେମିତି ୨୦୧୯ ସାଧାରଣ ନିର୍ବାଚନରେ ସରୋଜ ସାହୁ ବନାମ ବିଜେପି ଓ କଂଗ୍ରେସର ପ୍ରତିଦ୍ଵନ୍ଦୀତା ହେବାକୁ ଯାଉଛି। ତେବେ ତିନିମାସ ଆଗରୁ ସ୍ଥିତି ଟିକେ ଅଲଗା ଥିଲା। ସବୁ ଟିଭି ଚାନେଲ ଓ ସବୁ ବିରୋଧୀ ରାଜନେତା ଆଉ ଗୋଟେ ନାଁ ନେଉଥିଲେ- ପାଣ୍ଡିଆନ। ଏବେ ହଠାତ ପାଣ୍ଡିଆନ ବାବୁଙ୍କ ନାଁର ଚର୍ଚ୍ଚା ଟିକେ କମିଯାଇଛି। ଏବେ ବିଜେଡ଼ିର ସର୍ବଶକ୍ତିମାନ ଓ ସର୍ବ ବିଦ୍ୟମାନ ନେତା ହେଉଛନ୍ତି ସରୋଜ ସାହୁ। କେନ୍ଦ୍ର ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ ବଡ ପ୍ରବକ୍ତା ତାଙ୍କ ବିରୋଧରେ ଯେତେବେଳେ କହୁଛନ୍ତି, ସେ ନିଶ୍ଚୟ ଜଣେ ବଡ ନେତା ହୋଇଥିବେ ନିଶ୍ଚୟ!!
ତେବେ ବିଜୁ ଜନତା ଦଳ ଭିତରେ ସରୋଜ ସାହୁଙ୍କ ସ୍ଥିତି କଣ, ସେକଥା କାହାକୁ ଜଣାନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସିକ ଦପ୍ତରର ଜଣେ କର୍ମଚାରୀ। ବଡ ଅଧିକାରୀ ମଧ୍ୟ ନୁହନ୍ତି। ତଥାପି ତାଙ୍କ ବିରୋଧରେ ଏତେ ବଡ ବଡ ନେତା କହିବାର କାରଣ କଣ? ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ ଯାଇ ବିରୋଧୀ ଦଳ ଗୁଡିକ ତାଙ୍କ କର୍ମଚାରୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବାର କାରଣ କଣ ହୋଇପାରେ? ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି। ସେମାନେ ସମସ୍ତେ କଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି?
ତେବେ ଜଦି ବା କିଛି କ୍ଷଣ ପାଇଁ ମାନିନେବା ଯେ ସରୋଜ ସାହୁ ନବୀନ ନିବାସର କର୍ମଚାରୀ ହୋଇଥିବାରୁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇଥାଇ ପାରନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ପାଖଲୋକ ସରୋଜ ସାହୁଙ୍କର ଅପରାଧ କଣ? ତାଙ୍କ ବିଷୟରେ ଜାଣିବାକୁ କେନ୍ଦ୍ରମନ୍ତ୍ରୀ ସ୍ତରରେ ଏତେ ଉତ୍ସୁକତା କାହିଁକି? ଏପ୍ରକାର ଉତ୍ସୁକତାର କାରଣ ହେଉଛି, ୨୨, ନଭେମ୍ବର,୨୦୧୪, ଅର୍ଥାତ ଆଜକୁ ପ୍ରାୟ ସାଢେ ଚାରି ବର୍ଷ ତଳେ ସରୋଜ ସାହୁଙ୍କୁ ସିବିଆଇର ଭୁବନେଶ୍ୱର କାର୍ୟାଳୟକୁ ଡାକି ଚିଟଫଣ୍ଡ ମାମଲାରେ ପଚରାଉଚୁରା କରାଯାଇଥିଲା। ସେତେବେଳେ ଏହି ସମ୍ବାଦ ବେଶ ହଇଚଇ ସୃଷ୍ଟି କରିଥିଲା ଓ ସିବିଆଇ ନବୀନ ନିବାସର ଦୁଆରରେ ପହଞ୍ଚି ଯାଇଛି ବୋଲି ସେତେବେଳେ କୁହାଗଲା। ସରୋଜ ସାହୁଙ୍କୁ ସି-ଶୋର ଚିଟ ଫଣ୍ଡ ମାମଲା ରେ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ବାସ, କଥାଟି ସେତିକି ମାତ୍ର। ସରୋଜ ସାହୁ ସେଇ ନଭେମ୍ବର ୨୨, ୨୦୧୪ ରେ ସିବିଆଇ ଆଗରେ ଯାହା କହିଥିଲେ, ତା ପରଠୁ ସେ ବିଷୟରେ ଅଧିକ କିଛି କାର୍ୟାନୁଷ୍ଠାନ ହୋଇନାହିଁ।
ତେବେ ହଠାତ ଆଜି ସିବିଆଇ ଓ ସରୋଜ ସାହୁଙ୍କ କଥା ଉଠିବାର ମାନେ କଣ? ଯଦି ସରୋଜ ସାହୁ ଚିଟ ଫଣ୍ଡ ମାମଲାରେ ସଂପୃକ୍ତ ଥିଲେ, ତାଙ୍କୁ ତ ଗିରଫ କରିବା କଥା। କାଇଁ, ସାଢେ ଚାରି ବର୍ଷ ଭିତରେ ସେକଥା ତ ହେଲାନାହିଁ। ଜଣେ ବ୍ୟକ୍ତିଙ୍କୁ ସିବିଆଇ ଜେରା କରିଦେଲେ ସେ କଣ ଅପରାଧୀ ହୋଇଯାଏ କି? ସିବିଆଇ ୨୦୧୪/୧୫ ରେ ବହୁ ନେତା, ଅଭିନେତା, ସାମ୍ବାଦିକ,ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସକ ପ୍ରମୁଖଙ୍କୁ ଡାକି ପଚରା ଉଚୁରା କରିଥିଲା। ଯେଉଁମାନେ ସିବିଆଇ ଅଫିସ ଗଲେ ସେମାନେ ସମସ୍ତେ ଅପରାଧି କି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ କଥାରୁ ତ ସେୟା ମନେ ହେଉଛି। ଗୋଟେ ସମୟରେ ସିବିଆଇ ଅଧିକାରୀମାନେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତଦନ୍ତ କରୁଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ସଂପୃକ୍ତି ବିଷୟରେ ତଦନ୍ତ କରିଥିଲେ। ସେଇ ଦୃଷ୍ଟିରୁ ମୋଦୀଙ୍କୁ ଆମେ ଅପରାଧୀ ବୋଲି କହିପାରିବା କି? ବିଜେପିର ଜାତୀୟ ସଭାପତି ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ, ତେଣୁ ତାଙ୍କୁ ଅପରାଧୀ ବୋଲି କହିବା ଠିକ ହେବ କି?
ସରୋଜ ସାହୁଙ୍କୁ ସାଢେ ଚାରି ବର୍ଷ ତଳେ ପଚରା ଉଚୁରା ପାଇଁ ଡକା ଯିବା ଯଦି ରାଜନୈତିକ ପ୍ରସଙ୍ଗ ହୁଏ, ତାହେଲେ ସରୋଜ ସାହୁ ଜଣେ ବଡ ରାଜନୈତିକ ହେଭିୱେଟ ହୋଇଯିବା କଥା। ତାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର କହୁଥିବାରୁ, ସେ ବୋଧେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବାକୁ ସବୁଠୁ ଯୋଗ୍ୟ ପ୍ରାର୍ଥୀ!!
ସମୁଦାୟ ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଦିଶୁଛି ଯେ, ଚେସ ଖେଳରେ ରାଜାକୁ ବାନ୍ଧିବାକୁ ଯାଇ ପିଆଦାକୁ ବ୍ୟବହାର କରିବାର ପୁରୁଣା ଖେଳ ବିରୋଧୀ ଖେଳୁଛନ୍ତି। ହେଲେ ପିଆଦାକୁ ବ୍ୟବହାର କରିବାକୁ ଯାଇ କେତେବେଳେ ସେମାନେ ଯେ ତାକୁ ଇ ରାଜା ବୋଲି ଭାବି ତା ପଛରେ ଗୋଡାଇ ବାଜି ହାରି ସାରିଲେଣି, ସେକଥା ତାଙ୍କର ଆଉ ମନେ ନାହିଁ। ଏଠି ନବୀନ ବାବୁଙ୍କ ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ବିରୋଧୀ ତାଙ୍କ କାର୍ୟାଳୟର ଛୋଟ ଛୋଟ ଅଧିକାରୀଙ୍କ ପଛରେ ହାସ୍ୟାସ୍ପଦ ଭାବରେ ଗୋଡାଗୋଡି ହେଉଛନ୍ତି। ସେଥିରେ ଅସଲ ଲୋକ ନବୀନଙ୍କୁ ମଜା ଦେଖିବାର ଓ ମଝିରେ ମଝିରେ ବିଦ୍ରୁପମିଶା ହସ ହସିବାର ଚମତ୍କାର ସୁଯୋଗ, ବିରୋଧୀ ହିଁ ସୃଷ୍ଟି କରିଛନ୍ତି!!
ପଞ୍ଚାନନ କାନୁନଗୋ
ଭାରତରେ ବହୁଦିନ ଧରି ଗୋଟିଏ ଗଣତାନ୍ତ୍ରିକ ବିଡ଼ମ୍ବନା ଦୃଶ୍ୟମାନ ହେଲା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେଲା । ନିର୍ବାଚିତ ପ୍ରତିନିଧିମାନେ ବାରମ୍ବାର ଦଳ ବଦଳ କରି ଅସ୍ଥିରତା ସୃଷ୍ଟି କଲେ । ଫଳତଃ ଗୋଟିଏ ନବବାର୍ତ୍ତା “ଆୟାରାମ ଗୟାରାମ”ର ସୁତ୍ରପାତ ହେଲା । ଏପରି ଏକ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳିବା ପାଇଁ ଦେଶବ୍ୟାପୀ ସଚେତନତା ସୃଷ୍ଟି ହେଲା । ପରିଣାମ ସ୍ୱରୂପ ସମ୍ବିଧାନର ଧାରା ୧୦୨(୨) ଏବଂ ୧୯୨(୨)କୁ ସଜଡ଼ାଯାଇ ଦଳବିରୋଧି ଆଇନ ପ୍ରସ୍ତୁତ ହେଲା । ଏହା ସଂବିଧାନର ୧୦ମ ପରିଚ୍ଛଦରେ ସ୍ଥାନିତ ହେଲା । ପୋଲିସ୍ ଡାଳେ ଡାଳେ ଗଲେ, ଚୋରମାନେ ପତରେ ପତରେ ଯିବାର ବାଟ ଖୋଜିଲାପରି ନୀତିହିନ ରାଜନେତାମାନେ ଏବେ ନୂଆ ବାଟମାନ ବାହାର କଲେଣି । ଦଳବଦଳର ଏକ ସୁଚିନ୍ତିତ ପ୍ରକ୍ରିୟା ଜାହିର କରି ଲୋକ ପ୍ରତିନିଧିମୂଳକ ବ୍ୟବସ୍ଥାକୁ ଅସ୍ଥିର କରି ନିଜ ଇଚ୍ଛାରେ ଚଳାଇବାର ବ୍ୟବସ୍ଥା କଲେଣି ।
ଏବେ ତାର ପ୍ରମାଣ ଗୋଆ ଓ ରାଜସ୍ଥାନରେ ମିଳି ସାରିଲାଣି । ପୁନଶ୍ଚ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଉଦ୍ୟମ ଆରମ୍ଭ ହେଲା । ସଂଖ୍ୟାହୀନ ଥାଇ ସରକାର ଗଢ଼ିଥିବା ବି.ଜେ.ପି. ସରକାର ଅନ୍ୟଦଳ ମାନଙ୍କର ସହାୟତା ନେଇଛି । କାଳେ କେହି କ୍ଷୁଦ୍ରଦଳ ହାତ ଛାଡ଼ିଦେଲେ ସରକାର ଭାଙ୍ଗିଯିବ, ସେହି ଭୟରେ ମୁଖ୍ୟ ଦାବୀଦାର ଦଳ, କଂଗ୍ରେସର 4ଜଣ ସଦସ୍ୟଙ୍କୁ କେବଳ ଦଳରୁ ନୁହେଁ, ବିଧାନସଭାରୁ ଇସ୍ତଫା ଦେଇଦେଲେ, ଫଳତଃ ଏମାନେ ବହିଷ୍କୃତ ନ ହୋଇ ପୁନଃ ନିର୍ବାଚିତ ହେବାର ସୁଯୋଗ ପାଇଲେ । ଦାବୀଦାର ଦଳଙ୍କ କଂଗ୍ରେସର ସଂଖ୍ୟା କମାଇ ଦିଆଗଲା । ଯେଉଁଠି ସରକାର ଅଛି ତାକୁ ଭାଙ୍ଗିବାକୁ ହେଲେ ସରକାରରେ ଥିବା ଦଳ ବା ଗଠବନ୍ଧନର ସଂଖ୍ୟା କମାଇଦେବାର ପ୍ରଚେଷ୍ଟା ଚାଲୁଛି । ସେଥିରୁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଅର୍ଥାତ୍ ଦଳର ୨/୩ଅଂଶ ସଦସ୍ୟ ଅଲଗା ହେବାର ଇଚ୍ଛା ପ୍ରକାଶ ନକଲେ କିଛି ସଦସ୍ୟଙ୍କୁ ଇସ୍ତଫା କରେଇ ଦିଆଯାଉଛି । ଗୃହର ମୋଟ ସଂଖ୍ୟା କମେଇ ଦେଇ ନୂଆ ସରକାର ଗଠନର ହୀନ ଓ ଅଗଣତାନ୍ତ୍ରିକ ଉଦ୍ୟମ ଆରମ୍ଭ ହେଉଛି ଏବଂ ଯେକୌଣସି ପ୍ରକାରରେ ସରକାର ଗଠନ ହେବା ପରେ ଏହି ଖାଲି ପଡ଼ିଥିବା ସ୍ଥାନମାନଙ୍କରେ ଉପନିର୍ବାଚନ କରାଯାଉଛି । ସରକାରରେ ଥିବା ଦଳ ନିଜ ପକ୍ଷର ପ୍ରାର୍ଥୀଙ୍କୁ ଜିତାଇ ଆଣିବା ଦେଖାଯାଉଛି । ଏପରି ଅବସ୍ଥା ଯେ ସରକାର ଗଠନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳ ମଧ୍ୟରେ ଦେଖାଯାଉଛି ତା ନୁହେଁ । ଏପରି ହୀନ ଚକ୍ରାନ୍ତ ମଧ୍ୟ ଗୋଟିଏ ଦଳର ଆଭ୍ୟନ୍ତରୀଣ କ୍ଷମତା କନ୍ଦଳ ହେତୁ ଘଟୁଥିବା ଦେଖାଯାଉଛି । ଓଡ଼ିଶା ବିଧାନସଭାରେ ବିରୋଧି ଦଳର ମାନ୍ୟତା ହାସଲପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୪+, ସେହି ଆଧାରରେ ବିରୋଧି ଦଳ ନେତା ଭାବେ ଥିବା ଶ୍ରୀ ନରସିଂହ ମିଶ୍ରଙ୍କୁ ହଟାଇବାର ଚକ୍ରାନ୍ତ ହେଲା । ଜଣେ ସଦସ୍ୟ ଶ୍ରୀ ସଗରିଆ ହଠାତ୍ ବିଧାନସଭା ପଦରୁ ଇସ୍ତଫା ଦେଇଦେଲେ । ଆବଶ୍ୟକ ସଂଖ୍ୟା ନ ରହିଲେ ଶ୍ରୀ ନରସିଂହ ମିଶ୍ର ବିଦା ହୋଇ ଯାଇଥାନ୍ତେ । ହେଲେ ତାଙ୍କର ଭାଗ୍ୟକୁ ଜଣେ ସ୍ୱାଧୀନ ସଦସ୍ୟ (ସମତାକ୍ରାନ୍ତି)ର ଶ୍ରୀ ଜର୍ଜ ତିର୍କୀ ହଠାତ୍ କଂଗ୍ରେସରେ ମିଶିଗଲେ । ଆବଶ୍ୟକ ସଂଖ୍ୟକ ସଦସ୍ୟ ଥିବାରୁ ଶ୍ରୀ ମିଶ୍ର ବିରୋଧି ଦଳର ନେତାଭାବେ ପୂର୍ବ ସ୍ଥାନ ସୁରକ୍ଷିତ ରଖିପାରିଲେ ।
ଏପରି ହଟଚମଟ ପ୍ରକ୍ରିୟା ଯେ ‘ଦଳବଦଳ’ କୁପ୍ରଥାକୁ ବଞ୍ଚାଇ ରଖିଛି, ଏ କଥା ଧରିନେବାକୁ ହେବ ।
ଏଥି ସହିତ ନିର୍ବାଚନ ସମୟର ଘଟଣା ଏକ ଚିରାଚରିତ ଋତୁ ପରି ଆସିଯାଇଥାଏ । ବିଭିନ୍ନ ଦଳରୁ ବିଧାୟକ ଥା’ନ୍ତୁ ବା ନଥାନ୍ତୁ ନେତାମାନେ ବେଳକାଳ ଉଣ୍ଡି ଅନ୍ୟ ଦଳରେ ଯୋଗ ଦେଇଥାନ୍ତି । ଏଥିରେ କାହାରି କିଛି ଆପତ୍ତି କରିବାର ନାହିଁ । କାରଣ ସେ ନିଜ ଦଳର ଆଦର୍ଶଗତ ବିଚ୍ୟୁତି ହେତୁ ହେଉ ଅବା ନିଜର ଆତ୍ମସମ୍ମାନ ଜନିତ କାରଣ ହେତୁ ହେଉ ଦଳ ଛାଡ଼ିପାରନ୍ତି । ଏଥିରେ ଲୋକମତର ଦ୍ୱାହୀ ଦେଇଥିବା ବ୍ୟକ୍ତି ଜାଣିବା ଦରକାର ଯେ ଏହା କିପରି ସେ ସଂଗ୍ରହ କଲେ ତାର ଚିତ୍ର ପରିଷ୍କାର କରିବା ଦରକାର । ନଚେତ୍ ସେ ଯେ ନିଜର କୌଣସି ସୁବିଧାପାଇଁ ଏହା କରୁଛନ୍ତି ସେପରି ବୁଝିବାକୁ ହୋଇଥାଏ । ଗୋଟିଏ ଦଳ ଏହାଦ୍ୱାରା ହଠାତ୍ ଚମକି ଉଠିଥାଏ ଏବଂ ସେହି ସମୟର ନିର୍ବାଚନ ପ୍ରକ୍ରିୟାରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହୁଏ । ନିଜର ଘର ଭୁଷୁଡ଼ି ପଡ଼ୁଥିବାରୁ ଜନସାଧାରଣ ଦୂରେଇ ରହିବାର ଆଶଙ୍କା ଥାଏ । ଏଥିପାଇଁ ଦଳଟି କ୍ଷତି ସହିବାର ଆଶଙ୍କା ଥାଏ । ଅବଶ୍ୟ ଗଣତାନ୍ତ୍ରିକ ପରମ୍ପରାରେ ଲୋକମାନଙ୍କ ରାୟ ବା ସିଦ୍ଧାନ୍ତ ହେଉଛି ସର୍ବୋଚ୍ଚ । ସେମାନେ ଏପରି ଆଚରଣ କରୁଥିବା ନେତାମାନଙ୍କୁ ପାନେ ଚଖାଇଥାନ୍ତି । ଓଡ଼ିଶାରେ ତାର ଏକ ଉଦାହରଣ ଅଛି । ଗତ ୨୦୧୪ ନିର୍ବାଚନବେଳେ ଏପରି ଦଳବଦଳ କରିଥିବା ବ୍ୟକ୍ତିକୁ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟଦାତାମାନେ ପରାଜୟର ସ୍ୱାଦ ଚଖାଇଥିଲେ । ସେ ପୂର୍ବରୁ ଯେଉଁ ଦଳର ପ୍ରାର୍ଥୀଭାବେ ତିନିଥର ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜିତିଥିଲେ, ଯୋଗ ଦେଇଥିବା ନୂଆ ଦଳର ଅନୁକୁଳ ପରିସ୍ଥିତିରେ ଅତ୍ୟନ୍ତ ଅଧିକ ସୁବିଧା ପାଇ ମଧ୍ୟ ହାରିଗଲେ । ସେ ଥିଲେ କଂଗ୍ରେସ ଦଳର ବ୍ରଜରାଜନଗର ସଦସ୍ୟ ଶ୍ରୀ ଅନୁପ ସାଏ । ଏପରି ଏକ ଗଣତାନ୍ତ୍ରିକ ବିଡ଼ମ୍ବନାକୁ ଏଡ଼େଇବାକୁ ହେଲେ ଲୋକ ପ୍ରତିନିଧିମୂଳକ ଆଇନର ପରିବର୍ତ୍ତନ ହେବା ଆବଶ୍ୟକ । ଜଣେ ଦଳ ତ୍ୟାଗକରି ଅନ୍ୟ ଦଳରେ ସାମିଲ ହେବାକୁ ଚାହିଁଲେ ଯେଉଁ ଦଳରେ ଅଛନ୍ତି ସେହି ଦଳର ସଦସ୍ୟ ପଦରୁ ଅନ୍ତତଃ ୬ମାସ ପୂର୍ବରୁ ଛାଡ଼ିଥିବେ । ତା’ର ପ୍ରମାଣପତ୍ର ନଦେଲେ କୌଣସି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ପ୍ରାର୍ଥୀ ହେବା ନିମନ୍ତେ ଏହା ତାଙ୍କର ଅଯୋଗ୍ୟତା ବୋଲି ବିଚାର କରିବାକୁ ହେବ । ଅଧିକନ୍ତୁ କୌଣସି ବ୍ୟକ୍ତି ନିର୍ବାଚନ ଘୋଷଣାର ୬ ମାସ ପୂର୍ବରୁ ଦଳର ପ୍ରାଥମିକ ସଦସ୍ୟ ନ ହୋଇଥିଲେ ତାଙ୍କର ପ୍ରାର୍ଥୀପତ୍ର ଯାଞ୍ଚ୍ ବେଳେ କାଟ୍ ଖାଇବା ଦରକାର । ଏଥିପାଇଁ ଲୋକ ପ୍ରତିନିଧିମୂଳକ ଆଇନରେ ଆବଶ୍ୟକ ସଂଶୋଧନ ହେବା ଦରକାର ।
ଏମ୍.-୭୧, ମଧୁସୂଦନ ନଗର, ଭୁବନେଶ୍ୱର-୭୫୧୦୦୧
ମୋ. : ୯୪୩୮୩୬୦୮୪୯
କେଦାର ମିଶ୍ର
ନିର୍ବାଚନ ଯେତେ ପାଖେଇ ଆସିବ, ନିର୍ବାଚନରେ ଗଣିତ କଷୁଥିବା ବେପାରୀ ମାନଙ୍କର ଲାଭ ସେତେ ବଢୁଥିବ। ଗତ ଦଶ ବର୍ଷ ଧରି ଆମ ଦେଶର ଗଣମାଧ୍ୟମ କରିଥିବା ଗୋଟିଏ ବି ଜନମତ ସର୍ବେକ୍ଷଣ ସତ ପ୍ରମାଣିତ ହୋଇନାହିଁ। ସବୁବେଳେ ଶାସକ ଦଳକୁ ସୁହାଇଲା ପରି ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି କାମ କରୁଥିବା ସର୍ଭେ ବ୍ୟବସାୟୀ ମାନେ ପ୍ରତି ନିର୍ବାଚନରେ ନିଜର ଦୋକାନ ଖୋଲି ବଢିଆ ବ୍ୟବସାୟ କରୁଛନ୍ତି। ନିର୍ବାଚନ ପଣ୍ଡିତ ବୋଲାଉଥିବା ଏହି ବ୍ୟବସାୟୀମାନେ ଏବେ ବେଶ ସକ୍ରିୟ। ଏବଠୁ ଆସନ୍ତା ମଇ, ୨୦୧୯ ପର୍ଯନ୍ତ ସର୍ଭେ ବେପାର ଭଲ ଜମିବା। ଟେଲିଭିଜନ ଚ୍ୟାନେଲ ଗୁଡିକ ଏହାକୁ ବିକି ବେଶ ଭଲ ରୋଜଗାର କରିବେ।
ଏହି ବ୍ୟବସାୟର ଅଂଶ ବିଶେଷ ଭାବରେ ସବୁ ରାଜନୈତିକ ଦଳ କିଛି କିଛି ଜନମତ ର ଗରାଖ ହେବାକୁ ବାଧ୍ୟ। ଭଲ ପଇସା ଦେଇ ନିଜ ସପକ୍ଷରେ ହାୱା ସୃଷ୍ଟି କରିବାକୁ ସବୁ ଦଳ ଏମିତି କିଛି କିଛି ପୋଷା ସଂସ୍ଥା ରଖିଛନ୍ତି। ଏକଦା ଭାରତୀୟ ନିର୍ବାଚନ ସର୍ବେକ୍ଷଣର ଅନ୍ୟତମ ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ କହିଥିଲେ, ପ୍ରତ୍ୟେକ ଜନମତ ସର୍ଭେ ରେ ଭାରତୀୟ ଜନତା ପାର୍ଟିକୁ ବଢେଇ ଚଢେଇ ଦେଖେଇବା ଆମର ପରମ୍ପରା ପାଲଟିଛି। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସବୁ ଜନମତ ସର୍ଭେ ଓ ଏଗଜିଟ ପୋଲ କୁ ଭୁଲ ପ୍ରମାଣିତ କରି ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା।
ନିକଟରେ ଓଡିଶା ରାଜନୀତିର ଗଣିତ କୁ ନେଇ କିଛି ସର୍ଭେ ଫଳାଫଳ ଆସିଛି। ପ୍ରାୟ ସବୁ ଜନମତ ସର୍ଭେ କହୁଛି, ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ସରକାର ପୁଣିଥରେ ଗଠିତ ହେବ, କିନ୍ତୁ ବିଜେପି ଲୋକସଭା ଆସନ ଅଧିକ ଜିତିବ। ଏ ପ୍ରକାର ଭବିଷ୍ୟବାଣୀର ଆଧାର କଣ? ୨୦୦୪,୨୦୦୯ ଓ ୨୦୧୪ ରେ ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଛି ଓ ସବୁଥର ଲୋକସଭା ଓ ବିଧାନସଭାର ବିଜୟହାର ସମାନ ରହିଛି। ରାଜ୍ୟରେ ଯିଏ ବିଧାନସଭା ନିର୍ବାଚନ ଜିତିଛି, ଲୋକ ସଭା ରେ ସେ ଦଳକୁ ଅଧିକ ଆସନ ମିଳିଛି।
୨୦୦୪ ରେ ବିଜେଡି-ବିଜେପି ମେଣ୍ଟ ବିଧାନସଭାରେ ୯୩ ଆସନ ପାଇଥିବା ବେଳେ ଲୋକସଭାରେ ୧୮ ଆସନ ଜିତିଥିଲେ। ସମାନ ଧାରା ୨୦୦୯ ୦ ୨୦୧୪ ରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୦୯ ରେ ବିଜେଡି ବିଧାନସଭାରେ ୧୦୩ ଓ ଲୋକସଭାରେ ୧୪ ଆସନ ପାଇଥିଲା। ୨୦୧୪ ରେ ପ୍ରବଳ ମୋଦୀ ହାୱା ସତ୍ତ୍ୱେ ଓଡିଶାରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଟି ଆସନ ପାଇଥିଲା। ସେହି ଧାରା ସହ ତୁଳନା କରି ଦେଖିଲେ ଏଥର ରାଜ୍ୟରେ ବିଜେଡି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଲେ ଲୋକସଭାରେ ଏହାର ସଭ୍ୟ ସଂଖ୍ୟା କମିବ କେମିତି?
ସି-ଭୋଟର ସର୍ଭେରେ ବିଜେପି କୁ ଓଡିଶାରେ ୧୨ ଟି ଲୋକସଭା ଆସନ ମିଳିବ ବୋଲି କୁହାଯାଇଛି। ଓଡିଶାର ରାଜନୈତିକ ଜୀବନ ବିଷୟରେ ଜାଣିଥିବା ଯେକୌଣସି ସାଧାରଣ ଲୋକ ମଧ୍ୟ ଏ ପ୍ରକାର ଭବିଷ୍ୟବାଣୀକୁ ଅନ୍ତତଃ ବର୍ତ୍ତମାନ ବିଶ୍ଵାସ କରିବନାହିଁ । ଏପରିକି ଖୋଦ ରାଜ୍ୟ ବିଜେପି ନେତାମାନେ ଏ ପ୍ରକାର ଆକଳନକୁ ବିଶ୍ଵାସ କରିପାରୁନାହାନ୍ତି।
ତେବେ ୨୦୧୪ ରେ ଓଡିଶା ପାଇଁ ଯେଉଁ ସର୍ଭେ ପ୍ରସ୍ତୁତ ହୋଇଥିଲା ସେଥିରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନଥିଲା। ଅଗଷ୍ଟ ୨୦୧୩ ରୁ ଏପ୍ରିଲ ୨୦୧୪ ମଧ୍ୟରେ ୬ ଟି ଜନମତ ସର୍ଭେରେ ବିଜେଡି ଅତି ବେଶୀରେ ୧୨ ଟି ଲୋକସଭା ଆସନରେ ଜିତିପାରେ ବୋଲି କୁହାଯାଇଥିଲା। ପ୍ରତ୍ୟେକ ସର୍ଭେ କଂଗ୍ରେସ କୁ ଆପାତତଃ ୭ ଟି ଓ ବିଜେପି ୩ ଟି ଆସନ ଜିତିବା କଥା କହିଥିଲେ। -ଟାଇମ୍ସ ନାଓ-ସି-ଭୋଟର ର ଆକଳନ ଥିଲା- ବିଜେଡି ୧୨, କଂଗ୍ରେସ ୯, ଇଣ୍ଡିଆ ଟୁଡେ- ସି ଭୋଟର- ବିଜେଡି ୧୩, କଂଗ୍ରେସ ୮, ସିଏନଏନ-ଲୋକନୀତି, ବିଜେଡ଼ି ୧୦-୧୬, ବିଜେପି-୩-୭, କଂଗ୍ରେସ ୦-୪ ଆସନ ପାଇବେ ବୋଲି କହିଥିଲେ।
ଚୂଡାନ୍ତ ଫଳାଫଳ ବେଳକୁ ବିଜେଡି ୨୦, ବିଜେପି ୧ ଓ କଂଗ୍ରେସ ୦ ଆସନ ପାଇଥିଲେ। ତେଣୁ କୌଣସି ଗୋଟିଏ ବି ସର୍ବେକ୍ଷଣ ର ସଠିକତା ନଥିଲା। ଆଜି ମଧ୍ୟ ଯାହା ସି-ଭୋଟର ଯାହା କହିଛି, ତାହା କେବଳ ଗାଲୁଆମୀ ଓ ସେଥିରେ ସଠିକତା ନାହିଁ ବୋଲି କୁହାଯାଇପାରେ। ଓଡିଶାରେ ଯେଉଁ ଦଳ ବିଧାନସଭାରେ ଭଲ କରିବ, ସେହି ଦଳ ଲୋକସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠ ଆସନ ଜିତିବ ।