ଓଡ଼ିଶା ଆସିବେ ନୂଆ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ଦଳୀୟ ନେତାଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ

Published: Jan 3, 2024, 8:24 pm IST

ଭୁବନେଶ୍ୱର: ଓଡିଶା ପାଇଁ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର ଓଡିଶା ଆସିବେ। ଏହାକୁ ନେଇ ଦଳ ବେଶ ଉତ୍ସାହିତ ହୋଇପଡିଛି। ନୂଆବର୍ଷରେ ନୂଆ ପ୍ରଭାରୀ କିଛି ଗୁରୁମନ୍ତ୍ର ଦେବେ ବୋଲି ଦଳ ବଡ ଆଶାବାଦୀ ହୋଇପଡିଛି। ତାଙ୍କ ଦିଗଦର୍ଶନରେ ଦଳ ଓଡିଶାରେ ଭଲ ଫଳ କରିବା ନେଇ ଉତ୍ସାହିତ ହୋଇପଡିଛି କଂଗ୍ରେସ।

ପ୍ରଦେଶ କଂଗ୍ରେସ କମିଟ ସୂଚନା ଅନୁସାରେ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହି ଦଳର ସାଂଗଠନିକ ବୈଠକ କରିବେ।

ସେହି ସୂଚନା ଅନୁସାରେ ଡ. ଅଜୟ କୁମାର ୬ ତାରିଖ ଦିନ ୧୧ ଟାରେ ଭୁବନେଶ୍ୱର ବିମାନ ବନ୍ଦନରରେ ପଂହଚିବା ପରେ ତାଙ୍କୁ ବିମାନବନ୍ଦର ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ। ପରେ କଂଗ୍ରେସ ଭବନ ଠାରେ ଡ. କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଉକ୍ତ ଦିନ ୧୨ଟା ୩୦ ସମୟରେ ପିସିସି କାର୍ଯ୍ୟାଳୟ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ଅପରାହ୍ନ ୪ ଟାରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ଓ ସନ୍ଧ୍ୟା ୬ ଟାରେ ୨୦୧୭  ଓ ୨୦୨୨ ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍‌.ଏ.ସି /ମ୍ୟୁନିସ୍‌ପାଲଟି/ ମହାନଗର ନିଗମର ନିର୍ବାଚିତ କାଉନ୍‌ସିଲର / କର୍ପୋରେଟର ମାନଙ୍କ ବୈଠକରେ ଡ. ଅଜୟ କୁମାର ଯୋଗଦେବେ। ସେହିପରି ଜାନୁଆରୀ ୭ ତାରିଖ ଦିନ ଡ. କୁମାର ଦିନ ୧୦ଟା ସମୟରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଂଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷ ମାନଙ୍କର ବୈଠକରେ ଯୋଗଦେବେ।

ସେହିଦିନ ୧୧ଟାରେ ଡ. ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ଏହାପରେ ଜିଲ୍ଲା,ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ବୈଠକରେ ଯୋଗଦେବେ। ୩ ଟା ସମୟରେ ରାଜ୍ୟ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ ଏବଂ ୪ ଟା ସମୟରେ ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପରେ ୫ ଟା ଠାରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ। ସେହିପରି ସନ୍ଧ୍ୟା ୭ ଟା ସମୟରେ ଡ. ଅଜୟ କୁମାର ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ୮ ତାରିଖ ସକାଳେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି। ସମସ୍ତ ବର୍ଗର ନେତୃବୃନ୍ଦଙ୍କୁ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗ ଦେବା ନିମନ୍ତେ ପତ୍ର ମାଧ୍ୟମରେ ଓ ଟେଲିଫୋନ ଯୋଗେ ପିସିସି ତରଫରୁ ଅନୁରୋଧ କରାଯାଇଛି।

Related posts