Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ର କରୁଣ ପରିଣତି :  ମାତ୍ର ତିନିହଜାର ଟଙ୍କାରେ ଅଢେଇ ମାସର ଶିଶୁକୁ ବିକ୍ରି କଲେ ମାତାପିତା

ପଶ୍ଚିମବଙ୍ଗ : ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍‌ ଡାଉନ୍‌ ଜାରି ରହିଛି । ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସାରା ଭାରତରେ ଗୋଟାଏ ପରେ ଗୋଟାଏ ହୋଇ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏହା ମଧ୍ୟରେ ଭୋକ ବନାମ ଜୀବନର ସଂଘର୍ଷ ଦେଖିବାକୁ ମିଳୁଛି । ରୋଗ ଦାଉରୁ ମଣିଷକୁ ବଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ଭୋକ କଷ୍ଟରୁ ମଣିଷକୁ ବଞ୍ଚାଇବା ସହଜ ହୋଇପାରୁନାହିଁ ।

ପେଟ ଭୋକ ପାଇଁ ଜଣେ ମା’ ତା’ ମାତୃତ୍ବର ମଧ୍ୟ ବଳି ଚଢାଉ ଦେଉଛି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀ ପୁର ଅଞ୍ଚଳରୁ । ମାତ୍ର ଅଢେଇ ମାସର ଶିଶୁ କନ୍ୟାକୁ ତା’ର ପିତାମାତା ମାତ୍ର ତିନି ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଶିଶୁ କନ୍ୟାଟିର ପିତା ଜଣେ ଶ୍ରମିକ ଥିବାବେଳେ  ତା’ର ମାତା ଅନ୍ୟମାନଙ୍କ ଘରେ କାମ କରି ଜୀବନ ନିର୍ବାହ କରିଥାଏ । କିନ୍ତୁ ଗତ ତିନି ମାସ ଧରି ଲକ୍‌ଡାଉନ୍‌ ଯୋଗୁଁ ଦୁହେଁ ବେକାର ହୋଇ ବସି ରହିଛନ୍ତି । ଅର୍ଥ ଅଭାବ ଯୋଗୁଁ  ସେମାନେ ଏହି ଶିଶୁଟିକୁ ଖାଦ୍ୟ ଦେବାରେ ମଧ୍ୟ ଅସମର୍ଥ ହୋଇପଡିଛନ୍ତି । ଏଥିପାଇଁ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟଙ୍କୁ ଏହି ଶିଶୁକନ୍ୟାଟିକୁ ବିକ୍ରି କରି  କରିଦେଇଛନ୍ତି ।

ଏହି ଶିଶୁ କନ୍ୟାଟିକୁ ହାଓ୍ବାଡ ନିକଟରୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଶିଶୁ କନ୍ୟାର ମାତା ପିତା ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ପୋଲିସ୍‌ ତଦନ୍ତ ପରେ ଶିଶୁ କନ୍ୟାଟି ବିକ୍ରି ହୋଇଥିବାର ସୂଚନା ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଶିଶୁ କନ୍ୟାଟିକୁ ପଡୋଶୀଙ୍କ ସୂଚନା ଅନୁସାରେ ପୋଲିସ୍‌ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । କିଛିଦିନ ହେବ ପଡୋଶୀମାନେ ଶିଶୁର କ୍ରନ୍ଦନ ଶୁଣିନଥିବାବେଳେ ତାଙ୍କୁ ଦେଖିନଥିବାର ଅଭିଯୋଗ ପରେ ପଡୋଶୀମାନେ ପୋଲିସ୍‌ରେ ଖବର ଦେଇଥିଲେ । ଏହାପରେ ଘଟଣାର ସତ୍ୟ କାହାଣୀ ପଦାକୁ ଆସିଥିଲା ।