Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସାଇବର ଠକାମୀ ରୋକିବାକୁ ନିଆଯିବ ଏହି ପଦକ୍ଷେପ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ, ଏଡିଜି, କ୍ରାଇମ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ସହଯୋଗରେ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର‌୍ୟ୍ୟକ୍ରମର ସଫଳତା ନିମନ୍ତେ ଯଥା ଶୀଘ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏଥି ନେଇ ବ୍ୟାପକ ସଚେତନତା ଅପରିହାର‌୍ୟ୍ୟ ବୋଲି ସେ ପ୍ରକାଶ କରିଥିଲେ। ପ୍ରଚାର ଅଭିଯାନ ଦିନ ଗୁଡିକରେ ପ୍ରତ୍ୟେହ ମୋବାଇଲ ଯୋଗେ ସାଇବର ସଚେତନତା ବାର୍ତ୍ତା ପ୍ରେରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସାଇବର ସଚେତନତା ଅଭାବରୁ ବରିଷ୍ଠ ନାଗରିକ, ମହିଳା ,ସାଧାରଣ ଲୋକ ବିଶେଷ କରି ଆର୍ଥିକ ଠକେଇର ଶିକାର ହେଉଛନ୍ତି , ଧନ ଜୀବନ ପ୍ରଭାବିତ ହେଉଛି ବୋଲିଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂ ପ୍ରକାଶ କରିଥିଲେ।

ସେପ୍ଚେମ୍ବର ୩୦ରୁ ଅକ୍ଟୋବର୧୫ପର‌୍ୟ୍ୟନ୍ତ ସାଇବର ସଚେତନତାକୁ ବ୍ୟାପକ କରିବା ସଂପର୍କରେ ଏଡିଜି, କ୍ରାଇମ୍ ଶ୍ରୀ ବୋଥ୍ରା ବ୍ୟାପକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଯୋଜନା ଅନୁସାରେ ଅକ୍ଟୋବର ୩୦ ରେ ଭୁବନେଶ୍ୱରୁ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ। ଅକ୍ଟୋବର ୨ ତାରିଖରୁ ପ୍ରତି ଜିଲ୍ଲା ସଦରମହକୁମାରେ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯିବ।

୩୪ଟି ରଥ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ପଂଚାୟତ ଆଦି ଭ୍ରମଣ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ମିଶନ ଶକ୍ତି ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା, ଉପଖଣ୍ଡ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ନିର୍ବାଚିତ ଜନ ପ୍ରତିନିଧି, ବିଧାୟକ, ସ୍ୱେଚ୍ଛାସେବୀ ସଂଗଠନ,ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ସାମିଲ କରାଯିବ। ଏହି ପରିପ୍ରେକ୍ଷୀରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମନ୍ତେ କୁଇଜ୍ ପ୍ରତିଯୋଗିତା, କ୍ଷୁଦ୍ର ନାଟକ, ପଦଯାତ୍ରା, ଗଣଦୈଡ, ସାଇକେଲ ଯାତ୍ରା , ପ୍ରାଚୀର ପେଣ୍ଟିଂ, ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ।

ଏହି କାର‌୍ୟ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ସାଇବର ଅପରାଧକୁ ରୋକିବା ଏବଂ ତଥ୍ୟର ସୁରକ୍ଷା ସଂପର୍କରେ ବୈଷୟିକ ଜ୍ଞାନ ଥିବା ସଂସ୍ଥା ତଥା ବିଶେଷଜ୍ଞମାନଙ୍କ ସହଯୋଗ ନିଆଯିବ। ଏଟିଏମ୍ ଜନିତ ଠକେଇ, ଇଣ୍ଟରେନେଟ୍ ର ସଠିକ୍ ବ୍ୟବହାର, ସୁରକ୍ଷିତ ଆର୍ଥିକ କାରବାର, ଫେସ୍ ବୁକ୍, ୟୁ ଟୁବ୍ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଅପରାଧିକ କାର‌୍ୟ୍ୟକଳାପକୁ ରୋକିବା ଆଦି ବିବିଧ ସାଇବର ଠକେଇ ଓ ଅପରାଧ ସଂପର୍କରେ ସଚେତନ କରାଯିବ।

ତତ୍ ସହିତ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ନିଯୁକ୍ତି ଆଶାୟୀମାନେ ଯେପରି ବିଭିନ୍ନ ପ୍ରକାର ଗୁଜବ ଏବଂ ଠକାମିର ଶିକାର ନହୁଅନ୍ତି, ସେଥିପ୍ରତି ସଚେତନ ହେବା ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।