ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । 16 ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । 17ତାରିଖ ବେଳକୁ ଉତ୍ତର-ପୂର୍ବ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । 48 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 15 ତାରିଖରୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Tag: cyclone
ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା ବିପତ୍ତି ଆଟଲାସ୍ ଉନ୍ମୋଚିତ କରିଛନ୍ତି। ଏହି ଆଟ୍ଲାସରେ ଚିହ୍ନଟ ହୋଇଛି ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ। ୨୦୦୦ରୁ ୨୦୧୮ ଯାଏ ସବୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଆଟ୍ଲାସ ପ୍ରସ୍ତୁତ କରାଯାଇଛି। ଆଟଲାସ୍ରେ ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ ଚିହ୍ନଟ କରାଯାଇଛି। ବର୍ଷକୁ ୧୪ ଲକ୍ଷ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି ବୋଲି ସୂଚନା ରହିଥିବାବେଳେ ବିଶେଷ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତା ପ୍ରଦାନରେ ବେଶ୍ ସହାୟକ ହେବ ଏହି ଆଟଲାସ୍। ସେହିପରି ବାତ୍ୟା ଫୋନି ପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଆଟାଲସ୍ ଜରିଆରେ ଓଡ଼ିଶାର ଅଧିକ ବିପତ୍ତି ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବା ସହିତ ସହାୟତା କରିବ ବୋଲି ସୂଚନା ରହିଛି।
ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ସାମୁଦ୍ରିକ ଝଡ ବାୟୁ। ଚଳିତ ସପ୍ତାହରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଥିଲା। ମାତ୍ର ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦିଗ ପରିବର୍ତ୍ତନ କରିଥିଲା। ଜୁନ୍ ୧୩ ତାରିଖରେ ଏହା ଦିଗ ପରିବର୍ତ୍ତନ କରିବା ପରେ ରାଜ୍ୟ ବାତ୍ୟାରୁ ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଥିଲେ। ମାତ୍ର ଆଜି ଅହମଦାବାଦ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ପୁନର୍ବାର ଗୁଜରାଟକୁ ପ୍ରତ୍ୟାବର୍ତ୍ତନ କରିପାରେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ଅହମଦାବାଦ ପକ୍ଷରୁ ମନୋରମା ମହାନ୍ତି ପ୍ରକାଶ କରିଛନ୍ତି। ୧୭ ତାରିଖ ସୁଦ୍ଧା ଏହା କଚ୍ଛ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।
ସାମୁଦ୍ରିକ ଝଡ ବାୟୁର ପ୍ରଭାବ ସେୟାର ବଜାର ଉପରେ ଅନୁଭୂତ ହୋଇଛି। ବିଗତ ପାଞ୍ଚ ଦିନ ଧରି ସବୁଜ ରହିଥିବା ଶେୟାର ବଜାର ଆଜି ଲାଲକୁ ଆସିଛି। ସେନସେକ୍ସ ଏହି ସମୟରେ ୧୦୦ ପଏଣ୍ଟ ତଳକୁ ଖସି ଆସିଥିବା ବେଳେ ନିଫ୍ଟୀ ୩୦ ପଏଣ୍ଟ ତଳକୁ ଖସି ଆସିଛି। ସେନସେକ୍ସ ୧୩୦.୩୫ ପଏଣ୍ଟ ହ୍ରାସ ପାଇବା ସହିତ ୩୯୬୨୬.୪୬ ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ ୩୫.୯୦ ପଏଣ୍ଟ ତଳକୁ ଖସି ୧୧୮୭୦.୩୦ ପଏଣ୍ଟରେ ରହିଛି। ଏହି ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍ ଫାର୍ମା, ବେଦାନ୍ତ, ଟାଟା ଷ୍ଟିଲ, ଏବଂ ଟାଟା ମୋଟର୍ସର ଅଂଶଧନ ମୂଲ୍ୟ ହ୍ରାସ ପାଇଥିବା ବେଳେ ଏଲ୍ ଆଣ୍ଡ ଟି, ଟିସିଏସ୍, ଆକ୍ସିସ୍ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସର ଅଂଶଧନ ମୂଲ୍ୟରେ ବୃଦ୍ଧି ଘଟିଛି।
ଭୟଙ୍କର ରୂପ ନେଇଥିବା ସାମୁଦ୍ରିକ ଝଡ ବାୟୁ ଗୁଜୁରାଟ ମଧ୍ୟ ଦେଇ ପ୍ରବେଶ କରିବ ନାହିଁ ବୋଲି ଜଣା ପଡିଛି। ଏହା ଭେରାଭାଲ, ପୋରବନ୍ଦର ଏବଂ ଦ୍ବାରକା ନିକଟ ଦେଇ ଯିବ ବୋଲି ଏମ୍ଇଟି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହା ପ୍ରଭାବରେ ଉପରୋକ୍ତ ତିନି ସହରରେ ବର୍ଷା ଏବଂ ପବନ ହେବ ବୋଲି ମଧ୍ୟ କୁହାଯାଇଛି। ଏଡି ଝଡ ପ୍ରଭାବରେ ପଶ୍ଚକିମ ରେଳବାଇ ପକ୍ଷରୁ ୭୦ଟି ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ଗୁଜୁରାଟର ପଶ୍ଚିମ ଉପକୂଳରେ ଆସନ୍ତା ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଏବଂ ପବନ ହେବ ବୋଲି ମଧ୍ୟ ଏମ୍ଇଟି ପକ୍ଷରୁ ପ୍ରକାଶ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ବାତ୍ୟା ପାଇଁ ଗୁଜରାଟ ଏବଂ ଡିଉରୁ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏତଦବ୍ୟତିତ ଏନ୍ଡିଆରଏଫ୍ର ୫୨ଟି ଟିମ୍ ମଧ୍ୟ ଗୁଜରାଟରେ ଉପସ୍ଥିତ ଥିଲେ।
ଗୁଜରାଟ ମୁହାଁ ହେଉଛି ସାମୁଦ୍ରିକ ଝଡ ବାୟୁ
ପାଣିପାଗ ବିଭାଗ ବୁଲେଟିନ ଅନୁସାରେ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଲାକ୍ଷାଦ୍ବୀପ ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରୁଛି। ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୫କିମି। ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବା ସହିତ ଏବେ ଲାକ୍ଷାଦ୍ବୀପଠାରୁ ୩୨୦କିମି ଏବଂ ମୁମ୍ବଇଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ୭୨ଘଣ୍ଟା ଭିତେର ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୋରବନ୍ଦର ଏବଂ ମାହୁଭା ମଧ୍ୟରେ ଅତିକ୍ରମ କରିପାରେ। ବାତ୍ୟା ସମୟରେ ପବନର ବେଗ ୧୨୫ରୁ ୧୩୫ କିମି କିମ୍ବା କିଛି ସ୍ଥାନରେ ୧୫୦ କିମି ଟପିବାର ସମ୍ଭାବନା ରହିଛି। ୧୨ ତାରିଖ ମଧ୍ୟରାତ୍ରି କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଇଏମ୍ଡି ସୂଚନାନୁଯାୟୀ, ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ସମ୍ପ୍ରତି ୩୦୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ଦେଶର ପଶ୍ଚିମ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଗୁଜରାଟ ଉପକୂଳରେ ଝଡ଼ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି କରାଯାଇଛି। ସେନା, ତଟରକ୍ଷୀ ଓ ଏନ୍ଡିଆରଏଫକୁ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରକାରୀ ସ୍ତରରେ ବହୁ ବଡବଡ ନିଷ୍ପତି ନେଇ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଫନି ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରି ଜୀବନ ବଞ୍ଚାଇବା କାର୍ଯ୍ୟ କରି ବିଦେଶରୁ ପ୍ରସଂଶା ହାସଲ କରିଛନ୍ତି। ହେଲେ ବର୍ତ୍ତମାନ ବ୍ୟକ୍ତିଗତ ଭାବେ ଏକ ନିଷ୍ପତି କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ତାହା ହେଉଛି ମୁଖ୍ୟମନ୍ତ୍ରୀ ତାଙ୍କର ଗୋଟିଏ ବର୍ଷର ଦରମା ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିବା। ଆଜି ପ୍ରଧାନ ମନ୍ତ୍ରୀ ଏକ ହଜାର କୋଟି କେନ୍ଦ୍ରୀୟ ସହାୟତା ଘୋଷଣା କରିବାର କିଛି ଘଣ୍ଟା ପରେ ନବୀନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଏକ ବର୍ଷର ଦରମା ଯାହା ହେବ ସେସବୁ ରିଲିଫ ଫଣ୍ଡକୁ ଦାନ କରିବେ। ଏପରି ଘୋଷଣା ପରେ ସାରା ରାଜ୍ୟ କାହିଁକି ଦେଶରେ ମଧ୍ୟ ନୂଆ ଉଦାହରଣ ସୃଷ୍ଟି କରିଛି। କାରଣ ପ୍ରାୟତଃ ସାଂସଦ ହୁଅନ୍ତୁ କିମ୍ବା ବଡ ବଡ ନେତା, ସେମାନେ ଏକ ମାସର ଦରମା ଏହି ବିପର୍ଯ୍ୟୟ ସମୟରେ ଦାନ କରିଥାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଥରକେ ଗୋଟିଏ ବର୍ଷର ଦରମା ପ୍ରଦାନ କରିବା ଜାତୀୟ ରାଜନୀତିରେ ଏକ ଉଦାହରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ପୁରୀର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋଟିଏ ହେଲିକାପ୍ଟରରେ ଯାଇଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ବାତ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନେ ଆହାତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।
ଫନିର ପ୍ରଭାବ ବର୍ତ୍ତମାନ ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡା,ଭୁବନେଶ୍ବର,ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ପ୍ରଭୃତି ଜିଲ୍ଲାରେ ପବନ ସହିତ ଝଡବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଫନି ପୁରୀର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗରଠାରୁ 80 କିଲୋମିଟର, ଦକ୍ଷିଣପୂର୍ବ ଗୋପାଳପୁରଠାରୁ 65 କିଲୋମିଟର ଏବଂ ବିଶାଖପାଟଣାମ୍ର ପୂର୍ବ-ଉତ୍ତରପୂର୍ବ 280 କିଲୋମିଟର ଦୂରରେ ରହିଛି ଫନି। ବର୍ତ୍ତମାନ ଘଣ୍ଟାକୁ 185 କିଲୋମିଟରରେ ବେଗରେ ପବନ ବହୁଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଘଣ୍ଟାକୁ 200 କିଲୋମିଟର ବେଗର ପବନ ବହିବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରୁ ଏହାର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଗୋପାଳପୁରରେ 15 ସେଣ୍ଟିମିଟର, ପୁରୀରେ 10 ସେମି,ଭୁବନେଶ୍ବରରେ 5 ସେମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ସମୟରେ ପବନରେ ବେଗ ଘଣ୍ଟାକୁ 53 କିଲୋମିଟର ଥିଲା। ଆଉ ଅଳ୍ପ ସମୟ ମଧ୍ୟରେ ଫନି ଭୂମି ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି।
ସମୀକ୍ଷା ବ୍ୟୁରୋ
ଫନି ବାତ୍ୟା ବର୍ତ୍ତମାନ ଓଡିଶା ମୁହାଁ ହେଉଛି, ଏହା ସ୍ଥଳଭାଗକୁ ଖୁବ ଶିଘ୍ର ଛୁଇଁବ। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ଲୋକମାନେ ସମସ୍ତେ ତତ୍ପତରତା ପ୍ରକାଶ କରିଛନ୍ତି। ତେବେ ‘ ଫନି ‘ ବୋଲି କହାଯାଉଥିବା ଏହି ଶଦ୍ଦର ପ୍ରକୃତ ଅର୍ଥ କଣ ? ଏପରି ନାମକରଣ କିପରି ହୁଏ ? ଏହାକୁ କିଏ ନାମକରଣ କରେ ? ଏପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନଭିତରେ ଆସେ। ହେଲେ କିଛି ଲୋକଙ୍କୁ ଏହି କଥା ଜଣା ଥିବା ବେଳେ ବହୁ ଲୋକଙ୍କୁ ଏହା ପଛର ରହସ୍ୟ କଣ , ତାହା ଜଣା ନ ଥାଏ।
ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତରେ ଏହି ଫନି ଅର୍ଥ କଣ ?
‘ ଫନି ‘ ହେଉଛି ବାଙ୍ଗାଲଦେଶର ଏକ ଶଦ୍ଦ । ଯାହାର ଓଡିଆରେ ଅର୍ଥ ହେଉଛି ସାପ। ଏହାକୁ ଇଂରାଜୀରେ FANI ବୋଲି ଲେଖାଯାଏ। ହେଲେ ଏହାକୁ ଉଚ୍ଚାରଣ କଲାବେଳେ ଫୋନି ବୋଲି ଉଚ୍ଚାରଣ କରିବାକୁ ପଡିଥାଏ। କାରଣ ବାଙ୍ଗାଲଦେଶରେ ସେହିପରି ଉଚ୍ଚାରଣ କରାଯାଇଥାଏ। ଓଡିଶାରେ ସାଧାରଣତଃ ସାପ ଯେତେବେଳେ ମୁଣ୍ଡ ଟେକିଥାଏ ସେତେବେଳେ ତାହାକୁ କୁହାଯାଏ ସାପ ଫଣା ଟେକିଲା ବା ଫଣା। ତେଣୁ ବାଙ୍ଗାଲଦେଶର ଫନି ବା ସାପ ସହିତ ଓଡିଶାର ଫଣା ସହିତ ସାମଞ୍ଜସ୍ୟ ରହୁଥିବାର ପରିଲକ୍ଷିତ ହୋଇଛି।
ବାତ୍ୟାର ନାମକରଣ କିପରି କରାଯାଏ ?
ପ୍ରକୃତରେ ବାତ୍ୟାର ନାମକରଣ କରିବା କେତେକ ନିୟମ ରହିଛି। ଏହି ନିୟମ ବିଶ୍ବ ପାଣିପାଗ ସଂସ୍ଥା ବା world meteorological Organization ବା WMO ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ଏହି ସଂସ୍ଥା ବିଭିନ୍ନ ଦେଶକୁ ମୁଖ୍ୟତଃ ସମୁଦ୍ର କୂଳିଆ ଦେଶକୁ ନାମ ଦେବା ପାଇଁ ନିର୍ଦ୍ଦେଶ ଦେଇଥାଏ। ସେହି ଅନୁସାରେ ସମୁଦ୍ର କୂଳିଆ ଦେଶ ସେଠାରେ ଥିବା ଆଞ୍ଚଳିକ ଗ୍ରୀଷ୍ମ ମଣ୍ଡଳକୁ ଏହି ତାଲିକା ପ୍ରଦାନ କରିଥାଏ। ବିଭିନ୍ନ ମହାସାଗର ସହିତ ଥିବା ଦେଶରୁ ଆସିଥିବା ନାମକୁ ଅଲଗା ଭାବେ ବିଚାର କରାଯାଇ ଗୋଟିଏ ନାମକୁ ବଛା ଯାଇଥାଏ। ସେହି ଅନୁସାରେ ଉତ୍ତର ଭାରତୀୟ ମହାସାଗର ଦେଶରୁ ଆସିଥିବା ନାମଗୁଡିକ ଅଲଗା ଭାବେ ବିଚାର କରାଯାଇଥାଏ। ଉତ୍ତର ଭାରତ ମହାସାଗର ଦେଶ ମଧ୍ୟରେ ରହିଛି ଭାରତ, ଶ୍ରୀଲଙ୍କା,ବାଙ୍ଗାଲାଦେଶ,ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ଥାନ ଏବଂ ଥାଇଲାଣ୍ଡ। ଏହି ଦେଶରୁ ଆଠଟି ଲେଖାଏଁ ନାମ ପଠାଇବା ପାଇଁ କୁହାଯାଇଥାଏ। ବାତ୍ୟା ଆସିଲେ 8 ଟି ଦେଶରୁ ଆସିଥିବା ମୋଟ 64ଟି ନାମରୁ ଗୋଟିଏ ନାମ ବଛାଯାଇଥାଏ ନାମକରଣ କରାଯାଇଥାଏ। ସେହିଅନୁସାରେ ବାଙ୍ଗଲାଦେଶ ପଠାଇଥିବା ଫନି ଅନୁସାରେ ଏହି ବାତ୍ୟାର ନାମ ଫନି ରଖାଯାଇଛି।
ନାମ ପଠାଇବାର କଣ ରହିଛି ନିୟମ ?
ଯେଉଁ ଦେଶକୁ ନାମ ଦେବା ପାଇଁ କୁହାଯାଇଥାଏ ସେମାନେ କେତେକ ନିତିନିୟମ ଭିତରେ ନାମଗୁଡିକ ପଠାଇବାକୁ ପଡିଥାଏ। ମୁଖ୍ୟତଃ ଯେଉଁ ନାମ ପଠାଇବେ ତାହା ଯେପରି କଷ୍ଟକର ଶଦ୍ଦ ହୋଇ ନ ଥିବା ସେଥିପ୍ରତି ସେହି ଦେଶ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ପଠାଯାଉଥିବା ଶଦ୍ଦଟି ବଡ ହୋଇ ନ ଥିବା ଆବଶ୍ୟକ। ଏହି ଶଦ୍ଦର ଅର୍ଥ ଯେପରି ଆଞ୍ଚଳିକ ସ୍ତରରେ ସମସ୍ତେ ବୁଝିପାରୁଥିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏହାର କାରଣ ହେଲା ଏହି ଶଦ୍ଦଟି ଗଣମାଧ୍ୟମ ବ୍ୟବହାର କରିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସରକାର ସୁରକ୍ଷା ଏବଂ ରିଲିଫ ଦେବାରେ ଏହି ଶଦ୍ଦଟି ଯେପରି ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ସଂକ୍ଷିପ୍ତ ଓ ସହଜ ନାମ ପଠାଇବା ପାଇଁ କୁହାଯାଇଛି।
ଭାରତ ଯେଉଁ ଆଠଟି ନାମ ପଠାଇଛି ସେଗୁଡିକ ହେଲା-ଅଗ୍ନି, ଆକାଶ, ବିଜୁଳି, ଜଳ, ଲହର, ମେଘ, ସାଗର ଏବଂ ବାୟୁ
ପୂର୍ବରୁ ତିତିଲି ବାତ୍ୟାର ନାମକରଣ ପାକିସ୍ଥାନ ପଠାଇଥିବା ନାମରୁ ବଛାଯାଇଥିଲା। ସେହିପରି 2017ରେ କେରଳରେ ଯେଉଁ ଓଖି ବାତ୍ୟା ହୋଇଥିଲା ତାହା ମଧ୍ୟ ବାଙ୍ଗଲାଦେଶର ନାମ ଥିଲା।
( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷିଲେ ବାହାରେ ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )
ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ପାଇଁ କୌଣସି ଭୟଭୀତ ହେବାର କାରଣ ନାହିଁ, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାତ୍ୟା ସମୟରେ ମହିଳା, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏପରିକି ଟେଲିଫୋନ ସର୍ଭିସ ପ୍ରୋଭାଇଡରଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ବାତ୍ୟା ସମୟରେ କିପରି ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ର ବିଭିନ୍ନ ବିଭାଗୀୟ ସଚିବ ଏବଂ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିଛନ୍ତି।
ବାତ୍ୟା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନାକୁ ପରିବର୍ତ୍ତନ କରାଯାଇ ଏକ ଛୋଟ ବାନା ଲଗାଯାଇଛି। ସାଧାରଣତଃ ବାତ୍ୟା ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ୧୨ ହାତ ଲମ୍ବା ପତକା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥାଏ। ଏତବଡ ବାନା ପ୍ରବଳ ପବନରେ ଉଡିବା ବେଳେ ତାହା ନୀଳଚକ୍ର ଏପରିକି ମନ୍ଦିର ଉପରେ ପ୍ରଭାବ ପକାଇଥାଏ। ବନାଟି ଏପରି ବନ୍ଧାଯାଇଥାଏ ଯେ, ତାହା ସହଜରେ ଖସେ ନାହିଁ। ଫଳରେ ବାତ୍ୟା ସମୟରେ ବାନାଟି ନ ଖସି ତାହା ନୀଳଚକ୍ରକୁ ହଲଚଲ କରିଥାଏ। ପ୍ରତି ଥର ବାତ୍ୟା ବେଳେ ଏହି ଲମ୍ବା ବାନା ବିପଦ ସୃଷ୍ଟି କରୁଥିବାରୁ ଏଥର ଶ୍ରୀମନ୍ଦିର ପ୍ରଶାସନ ଏଥର ଆଗୁଆ ପଦକ୍ଷେପ ନେଇଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ବୈଠକ ବସି ଏହି ବାନା ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ସର୍ବସମ୍ମତି କ୍ରମେ ଏହି ବାନାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ହୋଇଥିଲା। ଫଳରେ ଆଜି ସକାଳେ ଏହି ବାନା ପରିବର୍ତ୍ତନ କରାଯାଇଛି।
ଫନି ବାତ୍ୟା କ୍ଷୟକ୍ଷତି ଲକ୍ଷ ରଖି ପୂର୍ବତଟ ରେଳବାଇ 74ଟି ଟ୍ରେନକୁ ବାତିଲ କରିଛି। ଭାରତୀୟ ପାଣିପାଗର ସୂଚନା ଅନୁସାରେ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ରେଳବାଇ। ଯେଉଁ ରାସ୍ତାର ଟ୍ରେନଗୁଡିକ ବାତିଲ ହୋଇଛି ସେଗୁଡିକ ହେଲା
1-ଭଦ୍ରଖ ବିଜୟାନଗରମ ମଧ୍ୟରେ ଥିବା ସମସ୍ତ ଟ୍ରେନଚଳାଚଳକୁ ଆସନ୍ତା କାଲିଠାରୁ ବନ୍ଦ କରିଦିଆଯାଉଛି।
2-ଭୁବନେଶ୍ବର ପୁରୀ ମଧ୍ୟରେ ଥିବା ଚଳାଚଳାକୁ ସଙ୍କୋଚିତ କରାଯାଇଛି।
3-ପୁରୀ ହାୱାଡା ମଧ୍ୟରେ ଚାଲୁଥିବା ସମସ୍ତ ଟ୍ରେନକୁ 2 ତାରିଖରୁ ବାତିଲ
4-ସେହିପରି ହାୱାଡାରୁ ଆସୁଥିବା ବାଙ୍ଗାଲୁର, ଚେନ୍ନାଇ, ସିକନ୍ଦରାବାଦ ଟ୍ରେନ ବାତିଲ
5-ପୁରୀ ଭୁବନେଶ୍ବର ମଧ୍ୟରେ ସମସ୍ତ ଟ୍ରେନ ଚଳାଚଳକୁ 3 ତାରିଖରେ ବାତିଲ
6-ପୁରୀ ଭୁବନେଶ୍ବର ମଧ୍ୟ ଦେଇ ଯେତେ ଟ୍ରେନ ାସିବ ତାହା 3 ତାରିଖରେ ବାତିଲ କରାଯାଇଛି।
ଏପରି ପରିବର୍ତ୍ତନରେ ଯାତ୍ରୀମାନେ ସହଯୋଗ କରିବାକୁ ପୂର୍ବତଟ ରେଳବାଇ ଅନୁରୋଧ କରିଛି।
କେଦାର ମିଶ୍ର
ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ ନାଟକୀୟ ପ୍ୟାକେଜ ଭାବରେ ବ୍ୟବହାର କରିବାର ଚଳଣି ଆମ ସମୟରେ ଗଣମାଧ୍ୟମରେ ବେଶ ପରିଚିତ। ଆମ ସାମ୍ବାଦିକମାନେ ପ୍ରାକୃତିକ ବିପର୍ୟୟ ସମୟରେ ଘଟୁଥିବା ମାନବୀୟ ସଙ୍କଟ ଅପେକ୍ଷା ଏହାର ରାଜନୈତିକ ଦିଗ ପ୍ରତି ଟିକେ ଅଧିକ ଆଗ୍ରହୀ। ଯେ କୌଣସି ବାତ୍ୟାର ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆମର ମନେହେବ, ସତେକି ସେ ଜଣେ ଦୁଃସାହସୀ ଖେଳାଳୀ। ଅବଶ୍ୟ ଏଥିରେ ବିଲକୁଲ ଦ୍ଵିମତ ହେବାର ନାହିଁ ଯେ, ୨୦୦ ବା ୩୦୦ ମିଟର ପବନ ଆଗରେ କ୍ୟାମେରା ଧରି ଠିଆ ହେବା କିଛି କମ ସାହସର କଥା ନୁହଁ। ଅନେକ ସମୟରେ ଆମର ଗଣମାଧ୍ୟମ ଏ ପ୍ରକାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ମାଧ୍ୟମରେ ଲୋକଙ୍କୁ ବଡ ସାହାଯ୍ୟ ମଧ୍ୟ ଦେଇଛନ୍ତି। ତେବେ ରିପୋର୍ଟିଂ ଓ ନାଟକୀୟତା ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ରହିଛି ବୋଲି ଆମର ସାମ୍ବାଦିକ ବନ୍ଧୁମାନେ ଭୁଲି ଯାଆନ୍ତି।
ଏକଥା କହିଲା ବେଳେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଗତ ଦୁଇଦିନ ଭିତରେ ହଠାତ ଆଳୁର ଦର କିଲୋ ପିଛା ତିନି ଟଙ୍କା ବଢି ଯାଇଛି, ତାର ଏକମାତ୍ର କାରଣ ହେଉଛି, ସମ୍ଭାବ୍ୟ ବାତ୍ୟା “ଫନି”। ଶୁଣାଯାଉଛି, ଭୀଷଣରୁ ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା “ଫନି” ସ୍ଥଳଭାଗକୁ ଅଗ୍ରସର ହେଉଛି। ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ପଡିବ ବୋଲି ଆଶା କରାଯାଉଥିଲା। ପରେ କୁହାଗଲା, ଏହା ଓଡିଶା ଉପକୂଳରେ ସାତପଡା ଓ ବାଲେଶ୍ଵର ମଝିରେ ସ୍ଥଳଭାଗ ସ୍ପର୍ଶ କରିପାରେ। ଶେଷ ଖବର ମୁତାବକ ଏହା ପୁରୀର କୃଷ୍ଣ ପ୍ରସାଦରେ ସ୍ଥଳଭାଗ ଛୁଇଁ ପାରେ। ତେବେ ବାତ୍ୟା “ମାଡି ଆସୁଛି” ବୋଲି ଏକ ପ୍ରକାର ଆତଙ୍କ ଏବେ ଆମ ଲୋକଙ୍କୁ ଘାରିଛି। ଲୋକଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବାକୁ ଯାଇ ଆମେ ଯେଉଁ ଭାଷାର ପ୍ରୟୋଗ କରୁ, ତାହା ଅନେକାଂଶରେ ଲୋକଙ୍କୁ ଆତଙ୍କିତ ଓ ଆବଶ୍ୟକତାଠାରୁ ଅଧିକ ଭୟାଳୁ କରିଦିଏ।
ବାତ୍ୟା ସମୟରେ ସଜାଗ, ସତର୍କ ଓ ନିର୍ଭୟ ରହିବା ସବୁଠୁ ବଡ ଆବଶ୍ୟକତା। ତେବେ ଆମର ଗଣମାଧ୍ୟମର ଭାଷାରେ ଏତେ ଅଧିକ ନାଟକୀୟତା ଥାଏ ଯେ, ଟିଭି ଦେଖି ବା ଖବର କାଗଜ ପଢି ହଠାତ ଆମେ କୁଇଣ୍ଟାଲେ ଆଳୁ ବା ମହଣେ ଚୂଡା କିଣିବାକୁ ବାହାରିପଡୁ। ଅନେକ ସମୟରେ କଳାବଜାରୀ ଓ ଲାଭଖୋର ବେପାରୀ ଏହାର ଫାଇଦା ଉଠାନ୍ତି। ମୋର ଏବେବି ମନେ ଅଛି, ଫାଇଲିନ ବାତ୍ୟା ସମୟରେ ମହମବତୀ ଗୋଟାକୁ ପଚିଶ ଟଙ୍କାରେ ବିକ୍ରି ହେଲା। ଗଣମାଧ୍ୟମର ଚର୍ଚ୍ଚା ଶୁଣି ଲୋକ ଛାନିଆ ହୋଇପଡିଲେ। ଏଠି ଗଣମାଧ୍ୟମକୁ ଭାବିବାକୁ ପଡିବ ଯେ, ଲୋକଙ୍କୁ ଛାନିଆ କରିବା ଅପେକ୍ଷା ସେମାନଙ୍କୁ ସତର୍କ କରିବା ଆମର କାମ। ସତର୍କ କରିବାକୁ ଯାଇ ଆମେ ଅଧିକ ନାଟକ କାଲେ, ତାର ପ୍ରଭାବ ଗୋଟେ ବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।
ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟାରୁ ଆମେ ଅନେକ କଥା ଶିଖିବା କଥା, ହେଲେ ଆଜି ବି ଆମେ ପ୍ରତ୍ୟେକ ବାତ୍ୟାର ସମାନ ଆକଳନ କରୁଛୁ। ଗତ ତିନୋଟି ଯାକ ବାତ୍ୟାରେ ବାତ୍ୟା ପତ୍ତନ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଭୟଙ୍କର କ୍ଷତି କରୁଛି। ଆମର ଫୋକସ ବାତ୍ୟା ସମୟ ଅପେକ୍ଷା ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଅଧିକ କେନ୍ଦ୍ରୀଭୂତ ହେବା ଏବେ ଜରୁରୀ ହୋଇ ପଡିଛି। ବାତ୍ୟା ପରବର୍ତ୍ତୀ ଅଚାନକ ବନ୍ୟା ଓ ଭୂ ସ୍ଖଳନ ବିଷୟକୁ ଆମେ ଗୁରୁତ୍ଵ ଦେଇ ବିଚାର କରୁନାହୁଁ। ଏ ପ୍ରସଙ୍ଗରେ ଗଣମାଧ୍ୟମ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ।
କେବଳ ପବନର ବେଗ ଓ ସରକାରୀ ପ୍ରସ୍ତୁତି କଥା ନକହି, ଆଭ୍ୟନ୍ତରୀଣ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଆଲୋଚିତ ହେବା ଜରୁରୀ। ରକ୍ଷା ହୋଇଛି, ଇତି ମଧ୍ୟରେ ଓଡିଶାରେ ନିର୍ବାଚନ ସଋ ଯାଇଛି। ନଚେତ ଏହାକୁ ନେଇ ରାଜନୈତିକ ପବନର ବେଗ ବାତ୍ୟାର ବେଗଠୁ ବଳି ଯାଇଥାନ୍ତା। ଏବେ ଅନ୍ତତଃ ସେ ଆଶଙ୍କା ଆଉ ନାହିଁ। ୧୯୯୯ ପରଠୁ ବିପର୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆମର ବିପର୍ୟୟ ପରିଚାଳନା ବ୍ୟବସ୍ଥା ସବୁଠୁ ଭଲ ସ୍ଥିତିରେ ରହିଛି। ତଥାପି ତିତିଲି ବାତ୍ୟା ପରେ କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ପାହାଡୀ ଅଞ୍ଚଳରେ ଯେଉଁ ଧାନ ଜୀବନ କ୍ଷୟ ହେଲା, ତାକୁ ରୋକିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ।
ଆମେ ଆଶା କରିବା, ଭୟଙ୍କର ଓ ଆତଙ୍କପ୍ରଦ ଖବର ତିଆରି କରିବା ଅପେକ୍ଷା ଆମର ସାମ୍ବାଦିକମାନେ ଏହି ବନ୍ୟାରେ ଆମର ସହଯୋଗୀ ଭାବରେ ଆମ ସହିତ ରହିବେ!
(ମୋବାଇଲରେ ସଂକ୍ଷିପ୍ତ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍, ଏହାପରେ ସ୍କ୍ରିନକୁ ଘଷିଘଷି ପଢିଚାଲନ୍ତୁ ଖବର)
ଡିପ୍ ଡିପ୍ରେସନ୍ ରୂପ ନେଲା ଫାନୀ
ଡିପ୍ରେସନର ରୂପ ନେଇଛି ସାମୁଦ୍ରିକ ବାତ୍ୟା ‘ଫାନୀ’। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନ ରୂପ ନେଇଛି। ରବିବାର ସକାଳୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ବର୍ତ୍ତମାନ ଆନ୍ଧ୍ର ଉପକୂଳରୁ ୧୩୦୦ କିମି ଏବଂ ଚେନ୍ନାଇରୁ ୧୧୦୦ କିମି ଦୂରରେ ରହିଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ଘନୀଭୂତ ହୋଇ ଉଭୟ ରାଜ୍ୟରେ ଝଡ ତୋଫାନର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତାମିଲନାଡୁ ଏବଂ ଆନ୍ଧ୍ର ମଧ୍ୟ ଦେଇ ଗତିକରିବାକୁ ଥିବା ଏହି ବାତ୍ୟାରେ ୪୦-୫୦ କିମି ବେଗରେ ପବନ ଏବଂ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଉଭୟ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ଜାରି କରିଛି ପାଣିପାଗ ବିଭାଗ। ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ। କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।