Categories
ଆଜିର ଖବର ଜାତୀୟ ଖବର

ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ: ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ ପଦକ୍ଷେପ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ ମିଳିଛି।

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଶକ୍ତି ଦକ୍ଷତା ବ୍ୟୁରୋ ଏବଂ ଭୁଟାନ ସରକାରଙ୍କ ଶକ୍ତି ଓ ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟର ଶକ୍ତି ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାପତ୍ରର ଏକ ଅଂଶ ଭାବରେ, ଭାରତ ଶକ୍ତି ଦକ୍ଷତା ବ୍ୟୁରୋ ଦ୍ୱାରା ବିକଶିତ ଷ୍ଟାର ଲେବଲିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ଘରୋଇ କ୍ଷେତ୍ରରେ ଶକ୍ତି ଦକ୍ଷତା ବୃଦ୍ଧି ପାଇଁ ଭୁଟାନକୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଭାରତର ଅଭିଜ୍ଞତା ଆଧାରରେ ଭୁଟାନର ଜଳବାୟୁ ସ୍ଥିତିକୁ ଖାପଖୁଆଇବା ଭଳି ବିଲ୍ଡିଂ କୋଡ୍ ପ୍ରଣୟନକୁ ସହଜ କରାଯିବ । ଶକ୍ତି ଅଡିଟରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଭୁଟାନରେ ଶକ୍ତି ପେସାଦାରଙ୍କ ଏକ ସମୂହ ସୃଷ୍ଟି କରିବା ନିମନ୍ତେ ପରିକଳ୍ପନା କରାଯାଇଛି ।

ଖୁଚୁରା ବ୍ୟବସାୟୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ଦ୍ୱାରା ଷ୍ଟାର ରେଟେଡ୍ ଉପକରଣ ମାଧ୍ୟମରେ ଶକ୍ତି ସଞ୍ଚୟ ସମ୍ପର୍କରେ ଉପଭୋକ୍ତା ଅବଗତ ହେବେ, ଯାହା ଶକ୍ତି ଦକ୍ଷ ଉତ୍ପାଦଗୁଡ଼ିକୁ ପ୍ରସାରିତ କରିବାରେ ସାହାଯ୍ୟ କରିବ । ମାନକ ଏବଂ ଲେବଲିଂ ଯୋଜନାର ବିକାଶ ନିମନ୍ତେ ଏବଂ କାର୍ଯ୍ୟକାରୀ କରିବା ପାଇଁ ଭୁଟାନର ପ୍ରୟାସରେ ସହଯୋଗ କରିବାକୁ ଭାରତ ଲକ୍ଷ୍ୟ ରଖିଛି ।

ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପକରଣ ହେଉଛି ମୁଖ୍ୟ ଉତ୍ପାଦ, ଯାହା ଘରୋଇ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନରେ ଅଧିକ ବ୍ୟବହାର କରିଥାଏ । ବିଦ୍ୟୁତ୍‌ଚାଳିତ ଉପଭୋକ୍ତା ସାମଗ୍ରୀ ବ୍ୟବହାରର ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବୈଦ୍ୟୁତିକ ଶକ୍ତିର ଚାହିଦା ବୃଦ୍ଧି ପାଉଛି । ଯଦି ଉପଭୋକ୍ତାମାନେ ଉଚ୍ଚ ଦକ୍ଷତା ଉପକରଣକୁ ପସନ୍ଦ କରନ୍ତି, ତେବେ ଏହି ବଢୁଥିବା ଚାହିଦାକୁ ଅନୁକୂଳିତ କରାଯାଇପାରିବ । ବିଇଇ ଦେଶର ଷ୍ଟାର – ଲେବଲିଂ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ଯାହା ବର୍ତ୍ତମାନ ଦୈନନ୍ଦିନ ଜୀବନରେ ବ୍ୟବହୃତ ୩୭ଟି ଉପକରଣକୁ ଅନ୍ତର୍ଭୁକ୍ତ କରିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଏବଂ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସହ ଆଲୋଚନା କରି ଶକ୍ତି ମନ୍ତ୍ରଣାଳୟ ଏହି ବୁଝାମଣାପତ୍ର ପ୍ରସ୍ତୁତ କରିଛି । ଏହି ବୁଝାମଣା ପତ୍ର ଦ୍ୱାରା ଭାରତ ଓ ଭୁଟାନ ମଧ୍ୟରେ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ସୂଚନା, ତଥ୍ୟ ଏବଂ ବୈଷୟିକ ବିଶେଷଜ୍ଞଙ୍କ ଆଦାନପ୍ରଦାନ ସମ୍ଭବ ହେବ । ଏହା ଭୂଟାନକୁ ବଜାରରେ ଶକ୍ତି ଦକ୍ଷ ଉତ୍ପାଦର ଉପଲବ୍ଧତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହି ବୁଝାମଣାପତ୍ର ଶକ୍ତି ଦକ୍ଷତା ନୀତି ଏବଂ ଶକ୍ତି ଦକ୍ଷତା ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ନିୟୋଜନ କ୍ଷେତ୍ରରେ ସହଯୋଗର ବିଶ୍ଳେଷଣ କରିବ ।

Categories
ଆଜିର ଖବର

ବିଦ୍ୟୁତ ସେବାର ବିଭିନ୍ନ ପଦବୀ ପୁରଣ ପାଇଁ ଅନଲାଇନ ବ୍ୟବସ୍ଥା କର: ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ପ୍ରମୁଖ ମୁଖ୍ୟ ବିଦ୍ୟୁତ ନିରୀକ୍ଷକଙ୍କ କାର୍ଯ୍ୟାଳୟ- (EIC Electricity ) ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ ।

ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍‌) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି। ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଉଲ୍ଲେଖନୀୟ ଉପଲବ୍ଧି ସମ୍ପର୍କରେ ଇଆଇସି (ବିଦ୍ୟୁତ) ତଥ୍ୟ ରଖିଥିଲେ।

ବୈଦ୍ୟୁତିକ ନିରାପତ୍ତା ନିରୀକ୍ଷଣ, ଶକ୍ତି ସଂରକ୍ଷଣ, ବିଦ୍ୟୁତ ନିରାପତ୍ତା ପ୍ରସଂଗରେ ମଧ୍ୟ ଆଲୋଚନା କରିଥିଲେ । ବିଦ୍ୟୁତ ନିରାପତ୍ତା ଓ ଶକ୍ତି ସଂରକ୍ଷଣ ନେଇ ଚାଲିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା।

କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ମଧ୍ୟ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଥିଲେ। ତ୍ୱରିତ ସେବା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ କାର୍ଯ୍ୟାଳୟ ପକ୍ଷରୁ ବୈଦ୍ୟୁତିକ ଉପକରଣ ପରୀକ୍ଷଣ ଓ ସାର୍ଟିଫିକେଟ ପ୍ରଦାନ କରାଯାଉଥିବା ବେଳେ ଏହାର କିପରି ଆହୁରି ସରଳୀକରଣ କରାଯାଇପାରିବ ଏବଂ ରାଜ୍ୟରେ ଏକାଧିକ ଟେଷ୍ଟିଂ ଲାବୋରେଟୋରୀ ଖୋଲାଯାଇ ପାରିବ, ସେ ନେଇ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲୋ ତ୍ୱରିତ ବୈଦ୍ୟୁତିକ ନକ୍ସା ଅନୁମୋଦନ ଓ ବୈଦ୍ୟୁତିକ ସୁରକ୍ଷା ଯାଞ୍ଚ ପ୍ରମଣ ପତ୍ର ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ୱାର୍କମ୍ୟାନ ପରମିଟ ଓ ସୁପରଭାଇଜର ସାର୍ଟିଫିକେଟ କମ୍ପିଟେନ୍ସି ପରୀକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବହୁତ ମାନବସମ୍ବଳ ଦରକାର ପଡ଼ୁଥିବା ବେଳେ ବର୍ଷକୁ ଥରୁଟିଏ ବଦଳରେ ଏକାଧିକ ଥର ଏହି ପରୀକ୍ଷାର ଆୟୋଜନ କରିବା ପାଇଁ ପ୍ରମୁଖ ଶାସନ ସଚିବ କହିଥିଲେ। ଅନଲାଇନ ପରୀକ୍ଷା ପାଇଁ ମୋଡ୍ୟୁଲ ପ୍ରସ୍ତୁତି କରିବା ପାଇଁ ମଧ୍ୟ ସେ କହିଥିଲେ।

୨୦୨୨ରେ ମୋଟ ୪୦୦୩ ୱାର୍କମ୍ୟାନ ପରମିଟ ପରୀକ୍ଷା ପାସ୍‌ କରିଥିବାବେଳେ ସୁପରଭାଇଜର ସାର୍ଟିଫିକେଟ କମ୍ପିଟେନ୍ସି ପରୀକ୍ଷାରେ ୩ଶହରୁ ଅଧିକ ପିଲା ପାସ୍‌ କରିଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ସୁରେଶ ଚନ୍ଦ୍ର ମହାରଣା ସୂଚନା ଦେଇଥିଲେ।

ଆଇ.ଟି.ଆଇ ଇଲେକ୍‌ଟି୍ରିକାଲ ପାସ୍‌ କରିଥିବା workman permit ଛାଡ଼ ହେବାର ବ୍ୟବସ୍ଥା ଥିବାରୁ ଏହାକୁ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ। ଏହା ସହିତ ବିଭାଗ ପକ୍ଷରୁ ଗତ ବର୍ଷ କ୍ରୟ ହୋଇଥିବା ବିଭିନ୍ନ ପରୀକ୍ଷଣ ଉପକରଣ ଓ ଚଳିତ ଆର୍ଥକ ବର୍ଷରେ ଉପକରଣ କ୍ରୟ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଶ୍ରୀ ମହାରଣା ତଥ୍ୟ ରଖିଥିଲେ।

ଏହି ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଓ ଇଆଇସିଙ୍କ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।