Categories
ଆଜିର ଖବର ଖେଳ

ଚାରି ମାସ ପରେ କାଲିଠୁ ଫେରିବ ଟେଷ୍ଟ କ୍ରିକେଟ, ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍

ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ତିନି ଟିକିଆ ଟେଷ୍ଟ ସିରିଜ। କୋଭିଡ-19 ପରବର୍ତୀ ଅବସ୍ଥାରେ ଅନ୍ତର୍ଜାତୀୟ ସ୍ତରରେ ଏହା ହେବ ପ୍ରଥମ ଟେଷ୍ଟ ମ୍ୟାଚ୍। ହେଲେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲର ନୂଆ ନିୟମରେ ଖେଳାଯିବ।

ନୂଆ ନିୟମ ଅନୁଯାୟୀ ଖେଳାଳି ମାନେ ବଲରେ ଲାଳ ଲଗାଇ ପାରିବେ ନାହିଁ। ପଡିଆ ଭିତରେ କୌଣସି ପ୍ରକାର ସେଲିବ୍ରେସନ କରିବେ ନାହିଁ। ମ୍ୟାଚ୍ ଖେଳାଯିବା ବେଳେ ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ। କରୋନା ଭୂତାଣୁକୁ ରୋକିବା ସକାଶେ ଆଇସିସିର ପରିବର୍ତ୍ତିତ ନିୟମାବଳୀ ଅନୁଯାୟୀ ମ୍ୟାଚ୍ ଖେଳାଯିବ।

ଏହି ଐତିହାସିକ ସିରିଜରେ ସମସ୍ତଙ୍କ ନଜର ଅଲ ରାଉଣ୍ଡର ବେନ ଷ୍ଟୋକସ ଏବଂ ଜାସନ ହୋଲଡରଙ୍କ ଉପରେ ରହିବ। ଦୁଇ ଦଳର ଶକ୍ତି ଦେଖିଲେ ସିରିଜ ଜିତିବା ନେଇ ଉଭୟ ଦଳ ଦାବିଦାର ରହିଛନ୍ତି। ଗତ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ 2-1ରେ ଇଂଲଣ୍ଡକୁ ପରାସ୍ତ କରିଥିଲା, ଯାହା କି କାରିବିୟାନ୍ ଦଳ ନିଜ ମାଟିରେ ଖେଳିଥିଲେ। ଯଦି ଏହି ସିରିଜ ୱେଷ୍ଚଇଣ୍ଡିଜ ଡ୍ର ରଖେ ତେବେ ଦଳ ନିଜ ପାଖରେ ୱିଜଡେନ ଟ୍ରଫି ବଜାୟ ରଖିବାରେ ସମର୍ଥ ହେବ। କିନ୍ତୁ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇବା ୱେଷ୍ଚଇଣ୍ଡିଜ ପାଇଁ ସେତେଟା ସହଜ ହେବନାହିଁ। (ଏଜେନସି)