Categories
ଆଜିର ଖବର ବିଶେଷ ଖବର

ଫେମ୍‌ ଇଣ୍ଡିଆ 50 ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାର ଦଶମ ସ୍ଥାନରେ ନବୀନ

ନୂଆଦିଲ୍ଲୀ : ଫେମ୍ ଇଣ୍ଡିଆ ମାଗାଜିନ ପକ୍ଷରୁ 2020ର ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ 21 ତମ ସ୍ଥାନରେ ଅଛନ୍ତି । ନବୀନ ଏହି ତାଲିକାର ଦଶମ ସ୍ଥାନରେ ରହିବା ନବୀନଙ୍କ ଲୋକପ୍ରିୟତାର ପ୍ରମାଣ ଦେଉଥିବା ବେଳେ ଏହା ଓଡିଆ ମାନଙ୍କ ପାଇଁ ଗର୍ବର ବିଷୟ ।

99.6 ପ୍ରତିଶତ ଭୋଟ୍‌ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ (97%) । ପ୍ରଥମ ବର୍ଷରେ ମନ୍ତ୍ରୀତ୍ବରେ ଅନେକ କଡା ପଦକ୍ଷେପ ଗ୍ରହଣ କରିଥିବା ଗୃହମନ୍ତ୍ରୀ ଅମିତ୍ ଶାହା 96.5 ପ୍ରତିଶତ ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଶିଳ୍ପପତି ରତନ ଟାଟା 95.2 % ସହିତ ଚତୁର୍ଥ ଏବଂ 95 ପ୍ରତିଶତ ସହିତ ମୁକେଶ ଅମ୍ବାନୀ ପଞ୍ଚମ ସ୍ଥାନରେ ରହିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ଧର୍ମଗୁରୁ ରବିଶଙ୍କର, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠରୁ ଦଶମ ସ୍ଥାନରେ ରହିଛନ୍ତି । ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର । ସେହିପରି ଏହି ତାଲିକାରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା 17ତମ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ 18 ତମ, ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ 20ତମ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ 21 ତମ ପ୍ରଭାବଶାଳୀ ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି । (ଏଜେନ୍ସି)