Categories
ଆଜିର ଖବର ଜାତୀୟ ଖବର

ମୁନ୍ନା ମାଷ୍ଟରଙ୍କୁ ପଦ୍ମଶ୍ରୀ : ବିଏଚ୍‌ୟୁରେ ସଂସ୍କୃତ ପଢାଇବାକୁ ନେଇ ବିବାଦକୁ ଆସିଥିଲେ ତାଙ୍କ ପୁତ୍ର ଫିରୋଜ୍‌

ଜୟପୁର :  ରାଜସ୍ଥାନ ଜୟପୁରର ସହରର ରହୁଥିବା ଭଜନ ଗାୟକ ରାମଜାନ ଖାନ୍‌ ଓରଫ୍‌ ମୁନ୍ନା ମାଷ୍ଟରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ମୁନ୍ନା ମାଷ୍ଟର ଭଗବାନ ଶ୍ରୀକୃଷ୍ଣଙ୍କରେ ଭକ୍ତିଗୀତ ପାଇଁ ବେଶ୍‌ ଲୋକପ୍ରିୟ। ମୁନ୍ନା ମାଷ୍ଟର ହେଉଛନ୍ତି ପ୍ରଫେସର ଫିରୋଜ ଖାନ୍‌ଙ୍କ ବାପା। 61ବର୍ଷୀୟ ମୁନ୍ନା ମାଷ୍ଟର ଶ୍ରୀ ଶ୍ୟାମ୍‌ ସୁରଭି ବନ୍ଦାନ ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଫିରୋଜ ବନାରସ ହିନ୍ଦୁ ୟୁନିଭର୍ସିଟିର ସଂସ୍କୃତ ନିକାୟରେ ନିଯୁକ୍ତିକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିଥିଲା ।  ଫିରୋଜ ଖାନ୍‌ ନଭେମ୍ବର 5ରେ ବିଏଚ୍‌ୟୁର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ (ଏସ୍‌ଭିଡିଭି) ବିଭାଗରେ ନିଯୁକ୍ତ ହୋଇଥିବାବେଳେ ଫିରୋଜ ଖାନ୍‌ଙ୍କୁ ବିରୋଧ କରି କିଛି ଛାତ୍ର ଆନ୍ଦୋଳନକୁ କରିଥିଲେ । ଉପରୋକ୍ତ ବିଭାଗରେ ଧର୍ମ, ଶାସ୍ତ୍ର ଏବଂ କର୍ମକାଣ୍ଡ ଆଦି ପଢ଼ାଯାଉଥିବାରୁ କିଛି ଛାତ୍ର ଫିରୋଜଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ଫିରୋଜ ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାରୁ ସେ ଏସବୁ ପଢ଼ାଇବା ନେଇ କିଛି ଛାତ୍ର ଆପତ୍ତି କରିଥିଲେ। ଏହାପରେ ଫିରୋଜ କଳା ବିଭାଗରେ ସଂସ୍କୃତ ପଢାଇବା ଲାଗି ନିଯୁକ୍ତି ହୋଇଥିଲେ ।

ଗତକାଲି ଦେଶର ସର୍ବୋଚ୍ଚ ବେସମାରିକ ସମ୍ମାନ ‘ପଦ୍ମ’ ସମ୍ମାନର ଘୋଷଣା କରାଯାଇଥିଲା। ଚଳିତ ଥର ସାତଜଣଙ୍କୁ ଦେଶର ବେସାମରିକ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣ, 16ଜଣଙ୍କୁ ଦେଶର ବେସାମରିକ ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମଭୂଷଣ ଓ 118ଜଣଙ୍କୁ ଚତୁର୍ଥ ବେସାମରିକ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । (ଏଜେନ୍ସି)

Categories
ବିଶେଷ ଖବର

ସାଲବେଗ ଓ ଅମିର ଖୁସ୍ରୋଙ୍କର ଦେଶରେ ଫିରୋଜ ଖାଁଙ୍କୁ ସଂସ୍କୃତ ପଢାଇବା ମନା!! 

କେଦାର ମିଶ୍ର 

କେତେ ହଜାର ଥର ଆମେ ବୋଲିଥିବୁ- କହେ ସାଲବେଗ ହୀନ ଜାତିରେ ଯବନ। ଜାତିରେ ଯବନ ସାଲବେଗଙ୍କ ଓଡିଆ ରଚନାରେ ଭାବ ଓ ଭକ୍ତିର ସବୁଠୁ ମାର୍ମିକ ଅନୁଭବ ପାଇଥିବା ଜଣେ ଭାରତୀୟ ଭାବରେ ମୋତେ ଯେତେବେଳେ ଖବର ମିଳେ ଯେ, ବାରାଣସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ଫିରୋଜ ଖାଁ ନାମକ ଜଣେ ମେଧାବୀ ସଂସ୍କୃତ ବିଦ୍ଵାନ ପାଠ ପଢାଇପାରିବେ ନାହିଁ ବୋଲି ଆନ୍ଦୋଳନ ହେଉଛି, ସେତେବେଳେ ମୋତେ ଲାଗିଲା, ମୁଁ ଯେଉଁ ଭାରତରେ ଜନ୍ମ ହୋଇଛି, ଇଏ ସେଇ ଭାରତ ନୁହେଁ। ମୋର ଭାରତ ହେଉଛି ଯବନ ସାଲବେଗ ଓ ହରି ଦାସଙ୍କର ଭାରତ। ମୋର ଭାରତ ହେଉଛି କାଳିଦାସ ଓ ଅମିର ଖୁସ୍ରୋଙ୍କର ଭାରତ। ମୋର ଭାରତରେ ସଂସ୍କୃତ ଯେତିକି ଦେବତାମାନଙ୍କର ଭାଷା, ସେତିକି ପରିମାଣରେ ଜନଗଣଙ୍କର ମଧ୍ୟ ଭାଷା। ସଂସ୍କୃତ ଭାଷା କେବଳ ହିନ୍ଦୁ ଧର୍ମର (ତାହା ପୁଣି କେବଳ ବ୍ରାହ୍ମଣଙ୍କର) ଭାଷା ବୋଲି ଯିଏ କହୁଛି, ନା ସେ ସଂସ୍କୃତ ସାହିତ୍ୟର ଇତିହାସ ପଢିଛି, ନା ଇତିହାସ ସମ୍ପର୍କରେ ତାର ସାଧାରଣ ଜ୍ଞାନ ରହିଛି। ସଂସ୍କୃତ ରେ ଅନେକ ଧାର୍ମିକ ଗ୍ରନ୍ଥ ରହିଛି, ତେବେ ସଂସ୍କୃତର ମୂଳ ସୌନ୍ଦର୍ୟ ଧର୍ମ ନୁହେଁ, ସାହିତ୍ୟ। ସାହିତ୍ୟର ମୌଳିକ ମାନବୀୟ ଆବେଦନ ଯୋଗୁଁ ସଂସ୍କୃତ ହଜାର ହଜାର ବର୍ଷ ଧରି ବଞ୍ଚିଛି। ଆଜି ଲୋକମୁଖରେ ସଂସ୍କୃତ ନାହିଁ, ଏହା କେବଳ ସାହିତ୍ୟ ଓ ସଂସ୍କୃତିର ଭାଷା। ଏହାକୁ ଧାର୍ମିକ ସଙ୍କୀର୍ଣ୍ଣତା ଭିତରେ ଦେଖିବା ସବୁଠୁ ବଡ ସଂସ୍କୃତ ବିରୋଧୀ ଅପରାଧ।

ତେବେ ସଂସ୍କୃତ ଏକ ଭାଷା ଭାବରେ ବହୁ ମୁସଲମାନ ଶାସକଙ୍କର ପ୍ରୋତ୍ସାହନ ପାଇଥିଲା ଓ ଶହ ଶହ ବର୍ଷ ଧରି ଅନେକ ମୁସଲମାନ ବିଦ୍ଵାନ ସଂସ୍କୃତ ଅଧ୍ୟୟନ କରିଥିଲେ। ସଂସ୍କୃତରୁ ପାର୍ସି ଓ ଆରବିକ ଭାଷାକୁ ଅନୁବାଦର ପ୍ରାୟ ୭୦୦ ବର୍ଷର ଏକ ବିରାଟ ପରମ୍ପରା ଆମର ରହିଥିଲା। ସଂସ୍କୃତକୁ ଧର୍ମର ଗଣ୍ଡିରେ ଦେଖିବାକୁ ଚାହୁଁଥିବା ଲୋକଙ୍କୁ ସେଇ ସଂସ୍କୃତରେ କୁହାଯାଏ- କୂପ ମଣ୍ଡୁକ ବା କୂଅ ର ବେଙ୍ଗ। ସେଇ କୂଅ ବେଙ୍ଗଙ୍କ ପାଇଁ କିଛି ତଥ୍ୟ ଆମେ ରଖିବାକୁ ଚାହୁଁଛୁ-

* ହାଜି ଇବ୍ରାହିମ ସରହିନ୍ଦ ପ୍ରଥମେ ଅଥର୍ବ ବେଦକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ।

*ମୌଳାନା ଅବଦୁର କାଦିର ବଦାୟୁନି ଓ ଥାନେଶ୍ବର ର ସୁଲତାନ ଶେଖଙ୍କ ତତ୍ତ୍ଵାବଧାନରେ ମହାଭାରତର ପାର୍ସି ଅନୁବାଦ ପ୍ରସ୍ତୁତ ହୋଇଥିଲା।

* ଆକବରଙ୍କ ଦରବାରରେ ଅଲ ବିରୁଣୀ ରାମାୟଣର ପାର୍ସି ଅନୁବାଦ ଉପସ୍ଥାପନ କରିଥିଲେ।

* ଭାସ୍କରାଚାର୍ୟଙ୍କ ପ୍ରସିଦ୍ଧ “ବୀଜ ଗଣିତ” ଓ ତାଙ୍କ ବୋହୁଙ୍କ ଦ୍ଵାରା ରଚିତ ଲୀଳାବତୀ ସୂତ୍ରକୁ ମୁସଲମାନ ବିଦ୍ଵାନ ଶେଖ ମହମ୍ମଦ ଫଇଜି ପାର୍ସିରେ ଅନୁବାଦ କରିଥିଲେ।

* ଆଉରେଙ୍ଗଜେବଙ୍କ ହତଭାଗ୍ୟ ବଡ ଭାଇ ଦାରା ଶିକୋ ଉପନିଷଦ ଗୁଡିକର ପାର୍ସି ଅନୁବାଦ କରିବା ସହିତ ବେଦାନ୍ତ ଓ ସୁଫି ଦର୍ଶନର ତୁଳନାତ୍ମକ ଅଧ୍ୟୟନ କରିଥିଲେ।

ଏମିତି ଅସଂଖ୍ୟ ଉଦାହରଣ ଦେଇ ହେବ ଯେଉଁଥିରେ ମୁସଲମାନ ବିଦ୍ବାନମାନଙ୍କର ସଂସ୍କୃତ ଭାଷାକୁ ରହିଥିବା ଅବଦାନ ସ୍ପଷ୍ଟ ଜଣା ପଡିବ। ୟୁରୋପୀୟ ପଣ୍ଡିତ ମାକ୍ସମୂଲର  ଓ ସାର ଉଇଲିୟମ ଜୋନ୍ସ ପାର୍ସି ଭାଷା ମାଧ୍ୟମରେ ହିଁ ସଂସ୍କୃତକୁ ଜାଣିବାର ସୁଯୋଗ ପାଇଥିଲେ। ଶହ ଶହ ବର୍ଷ ଧରି ମୁସଲମାନ ଜୀବନବୋଧ ସହିତ ଜଡିତ ଥିବା ସଂସ୍କୃତକୁ ଜଣେ ମୁସଲମାନ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବା, ଆମ ସମୟର ବୌଦ୍ଧିକ ଅନ୍ଧତ୍ଵର ଲକ୍ଷଣ ମାତ୍ର।

ଫିରୋଜ ଖାଁ ଓ ତାଙ୍କ ବାପା ରମଜାନ ଖାଁ, ଉଭୟେ ସଂସ୍କୃତର ଛାତ୍ର। ପ୍ରଫେସର ହେବା ଲାଗି ସର୍ବୋଚ୍ଚ ଯୋଗ୍ୟତା ଫିରୋଜଙ୍କ ପାଖରେ ରହିଛି। ସେ ଦେଶର ସବୁଠୁ ବଡ ସଂସ୍କୃତ ଗବେଷଣା ପ୍ରତିଷ୍ଠାନରୁ ପିଏଚଡି ହାସଲ କରିଛନ୍ତି। ତା ସତ୍ତ୍ୱେ ସେ ପାଠ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବାର ଅର୍ଥ କଣ? କେବଳ ଧର୍ମ ଆଧାରର ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ପୋଲିସ ଉଠାଇ ନେବାର ସାହସ କରୁନାହିଁ କାହିଁକି? ଜବାହାର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରେ ଲାଠି ମାଡ ହେଉଛି। ଅଥଚ ଏକ ଭାରତୀୟ ଜୀବନ ଓ ସଂସ୍କୃତି ବିରୋଧରେ ମିଛ ନାଟକ କରୁଥିବା ଛାତ୍ରଙ୍କ ଉପରେ  କାର୍ୟାନୁଷ୍ଠାନ ହେଉନାହିଁ। ଫିରୋଜ ଖାଁ ସଂସ୍କୃତ ପଢିବା ଓ ପଢାଇବା, ଭାରତୀୟ ସାଂସ୍କୃତିକ ଜୀବନରେ ଏକ ମହାନ ଘଟଣା। ଏହା ଗୌରବର ବିଷୟ। ତାକୁ ଅଯଥା ବିବାଦ ଭିତରକୁ ଟାଣି କିଛି ଲୋକ ଆମ ସଂସ୍କୃତିକୁ ନିନ୍ଦିତ ଓ ଅପମାନିତ କରୁଛନ୍ତି। ସବୁଠୁ ବଡ କଥା ହେଲା, ଏହି କୂପ ମଣ୍ଡୁକ ମାନେ ସଂସ୍କୃତ ଭାଷାର ହିଁ ସବୁଠୁ ବଡ କ୍ଷତି କରୁଛନ୍ତି।