Categories
ଆଜିର ଖବର

କଂଗ୍ରେସରେ ଯୋଗ ଦେଲେ ଉଦିତ ରାଜ

ବିଜେପିରୁ ଟିକେଟ୍‍ ନମିଳିବା ପରେ ସାଂସଦ ଉଦିତ ରାଜ ଅସନ୍ତୋଷ ପ୍ରକାଶ କରି ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ପାର୍ଟିକୁ ସ୍ୱାଗତ କରିଛନ୍ତି। ବିଜେପି ଉଦିତଙ୍କ ଟିକେଟ୍‍ କାଟି ତାଙ୍କ ସ୍ଥାନରେ ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ୨୦୧୪ରେ ବିଜେପି ଟିକେଟରୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରେ ବିଜୟ ହାସଲ କରିଥିବା ସାଂସଦ ଉଦିତ ରାଜଙ୍କୁ ଏଥର ପୁଣି ଲଢିବାକୁ ବିଜେପି ସୁଯୋଗ ଦେଇନାହିଁ। ମଙ୍ଗଳବାର ବିଜେପିର ପ୍ରାର୍ଥୀ ତାଲିକା ଆସିବା ପରେ ସେଥିରେ ତାଙ୍କ ନାଁ ନଥିବାରୁ ଉଦିତ ବିରୋଧୀ ମନୋଭାବ ପୋଷଣ କରିଥିଲେ। ଏପରିକି ନିଜ ଟ୍ୱିଟର୍‍ ହ୍ୟାଣ୍ଡେଲରୁ ସେ ତାଙ୍କ ନାଁ ପୂର୍ବରୁ ଚୌକିଦାର ଶବ୍ଦ ମଧ୍ୟ ହଟାଇ ଦେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନ ପାଇଁ ରାଜେଶ ଲିଲୋଥିୟାଙ୍କୁ ପ୍ରାର୍ଥୀ କରି ସାରିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସ ଉଦିତଙ୍କୁ ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଟି​‌କେଟ୍ ଦେଇପାରେ।