ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ପ୍ରମୁଖ ଏନ୍. ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ବିଜୟଓ୍ବାଡାର ଗନ୍ନବରମ୍ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ଏପରିକି ଭିଆଇପି ସୁବିଧାରୁ ମଧ୍ୟ ତାଙ୍କୁ ବଂଚିତ କରାଯାଇଛି। ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବସ୍ରେ ତାଙ୍କୁ ଯାତ୍ରା ମଧ୍ୟ କରିବାକୁ ପଡିଛି। ପ୍ରବେଶ ପଥରେ ଜଣେ ସୁରକ୍ଷାକର୍ମୀଙ୍କ ଦ୍ବାରା ତାଙ୍କର ତଲାସୀ କରାଯାଇଥିବାର ଦେଖାଯାଇଥିଲା। ଏପରିକି ତାଙ୍କୁ ବିମାନ ନିକଟରେ ପହଞ୍ଚିବା ପାଇଁ ଭିଆଇପି ବାହନର ଅନୁମତି ମଧ୍ୟ ମିଳିନଥିଲା। ତେବେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛି ଟିଡିପି। ଟିଡିପି ଓ୍ବାଇଏସ୍ଆର କଂଗ୍ରେସକୁ ଟାର୍ଗେଟ୍ କରିବା ସହ ପ୍ରତିଶୋଧର ରାଜନୀତି କରୁଛି ବୋଲି କହିଛି। ଟିଡିପି ନେତା ତଥା ରାଜ୍ୟର ପୂର୍ବ ଗୃହ ମନ୍ତ୍ରୀ ଚିନ୍ନା ରାଜପ୍ପାଙ୍କ ମତରେ ନାଇଡୁଙ୍କ ସହ ଅଧିକାରୀଙ୍କ ବ୍ୟବହାର ବହୁତ ଅପମାନଜନକ ରହିଥିଲା। ନାଇଡୁ ପୂର୍ବରୁ ଏଭଳି ସ୍ଥିତି ସାମ୍ନା କରିନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନାଇଡୁଙ୍କୁ ଉଚିତ୍ ସୁରକ୍ଷା ଦେବା ପାଇଁ ଦାବି ମଧ୍ୟ କରିଛନ୍ତି।
