Categories
ବିଶେଷ ଖବର

ବିଜେପି ପ୍ରତିଦିନ ଗାନ୍ଧୀଙ୍କୁ ହତ୍ୟା କରି ଚାଲିଛି, ଏହାର ପ୍ରମାଣ ପ୍ରଜ୍ଞା ଠାକୁର ଓ ବିଜେପି ଆଇଟି ସେଲ ଦେଇ ଚାଲିଛନ୍ତି

କେଦାର ମିଶ୍ର

ଗାନ୍ଧୀଙ୍କୁ ନାଥୁରାମ ଗଡସେ ତିନୋଟି ଗୁଳି ମାରିଥିଲା, ହେଲେ ଗଡସେର ଦାୟାଦମାନେ ଗାନ୍ଧୀଙ୍କୁ ପ୍ରତିଦିନ ହତ୍ୟା କରି ଚାଲିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଯେତେବେଳେ ସାରା ବିଶ୍ଵ ପାଳନ କରୁଛି, ସେତେବେଳେ ଗାନ୍ଧୀଙ୍କ ଦେଶରେ ତାଙ୍କ ହତ୍ୟାକାରୀର ସମର୍ଥକମାନେ ଲୋକପ୍ରତିନିଧି ଭାବରେ ନିର୍ବାଚିତ ହୋଇ ଗାନ୍ଧୀଙ୍କୁ ବାରମ୍ବାର ହତ୍ୟା କରୁଛନ୍ତି। ଶାସକ ବିଜେପି ଦଳ ବଡ ନିରୀହ ଭାବରେ କହୁଛି, ଆମେ ଏହାର ସମର୍ଥକ ନୋହୁ, ଅଥଚ ଶାସକ ଦଳର ପ୍ରତିନିଧି ଓ ଶାସକ ଦଳର ଆଇଟି ସେଲ ଗାନ୍ଧୀଙ୍କ ବିରୋଧରେ କୁତ୍ସା ରଟନା କରି ଚାଲିଛନ୍ତି। ଲୋକସଭାରେ ଆତଙ୍କବାଦୀ ଭାବେ ଅଭିଯୁକ୍ତ ହୋଇଥିବା ପ୍ରଜ୍ଞା ସିଂ ଠାକୁର ଗତକାଲି ଯେତେବେଳେ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିଲେ, ସେଠି ଲୋକସଭା ବାଚସ୍ପତି ତାଙ୍କ ବିରୋଧରେ ତୁରନ୍ତ କାର୍ୟାନୁଷ୍ଠାନ ନେବା ଉଚିତ ହୋଇଥାନ୍ତା। ଜଣେ ହତ୍ୟାକାରୀକୁ, ସେ ପୁଣି ଦେଶର ସର୍ବୋଚ୍ଚ ଜନନେତା ଓ ସ୍ଵାଧୀନତା ଆନ୍ଦୋଳନର ମହାନାୟକଙ୍କୁ ହତ୍ୟା କରିଥିବା ଗୋଟେ ସନ୍ତ୍ରାସବାଦୀକୁ ସଂସଦରେ ପ୍ରଶଂସା କରିବା ଭଳି ନିନ୍ଦନୀୟ କାର୍ୟକୁ ଏକ ଅପରାଧ ଭାବରେ ବିବେଚନା ନକରି, କେବଳ ପ୍ରଜ୍ଞାଙ୍କ ବକ୍ତବ୍ୟକୁ ଲୋକସଭା ରେକର୍ଡ ରୁ ବାଦ ଦିଆ ଯାଇଛି।

ଆଜି ବିଜେପି ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଙ୍କ୍ରାନ୍ତୀୟ ସଂସଦୀୟ କମିଟିରୁ ବାଦ ଦେଇଛି। ପ୍ରଶ୍ନ ଉଠୁଛି, ସନ୍ତ୍ରାସବାଦ ସହ ସମ୍ପୃକ୍ତି ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ପ୍ରତିରକ୍ଷା ପାନେଲରେ ରଖାଗଲା କେମିତି? ପ୍ରଜ୍ଞା ଠାକୁର ଗାନ୍ଧୀଙ୍କ ବିରୋଧରେ ବିଷୋଦଗାର କରି ବିଜେପିର ଟିକଟ ପାଇନାହିଁ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ସମୟରେ “ବ୍ୟକ୍ତିଗତ ଭାବରେ ମୁଁ ତାଙ୍କୁ କ୍ଷମା କରିପାରିବି ନାହିଁ ” ବୋଲି କହିଥିବା ବେଳେ ତାଙ୍କୁ ବିଜେପିର ଏତେ ଆଶୀର୍ବାଦ ମିଳୁଛି କେମିତି?

କେବଳ ପୃଥିବୀ ଆଗରେ ନିନ୍ଦିତ ହେବାର ଭୟ ଯୋଗୁଁ ବିଜେପି ଗାନ୍ଧୀଙ୍କୁ ଭଲ ପାଇବାର ଛଳନା କରୁଛି। ବିଜେପିର ଅସଂଖ୍ୟ ବିଧାୟକ ଓ ସାଂସଦ ଅଛନ୍ତି, ଯେଉଁମାନେ ଗାନ୍ଧୀଙ୍କ ହତ୍ୟାକାରୀକୁ ଦେଶଭକ୍ତ ବୋଲି କହିବାକୁ ପଛାନ୍ତି ନାହିଁ। କାଲିର ଘଟଣାକ୍ରମ ପରେ ବିଜେପି ପ୍ରଜ୍ଞା ଠାକୁରଙ୍କ ବକ୍ତବ୍ୟକୁ ନିନ୍ଦା କରିଥିଲେ ମଧ୍ୟ ବିଜେପି ଆଇଟି ସେଲର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ “ସାବାସ ପ୍ରଜ୍ଞା” (#well_done_Pragya) ନାଁରେ ଏକ ଟ୍ରେଣ୍ଡ ଟୁଇଟରରେ ଏକ ନମ୍ବର ରହିଛି। ଗାନ୍ଧୀ ଘୃଣା ପାଇଁ ବିଜେପିର ଏକ ବଡ ଷଡଯନ୍ତ୍ର ସବୁବେଳେ ଏହାର ରଣନୀତିର ଅଂଶ ବିଶେଷ ହୋଇ ରହି ଆସିଛି। ଗୋଟେ ପକ୍ଷରେ ସଂଘ ମୁଖିଆ ମୋହନ ଭାଗବତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ବନ୍ଦନା କରୁଥିବା ବେଳେ ତାଙ୍କ ଦଳର ନେତା ଓ କର୍ମୀ ଗାନ୍ଧୀ ହତ୍ୟାକାରୀର ଭକ୍ତ ଭାବରେ ଗୌରବବୋଧ କରୁଛନ୍ତି।

ସଂସଦରେ ନିଜର ବକ୍ତବ୍ୟ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି- “ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିବା କଥା ତ ଦୂର କଥା, ଦେଶଭକ୍ତ ମାନିବାର ଚିନ୍ତାଧାରାକୁ ଆମ ପାର୍ଟି ନିନ୍ଦା କରେ l ମହାତ୍ମା ଗାନ୍ଧୀ ଆମ ପାଇଁ ଆଦର୍ଶ, ସେ ଆମର ମାର୍ଗଦର୍ଶକ ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ରହିବେ l ତାଙ୍କର ବିଚାରଧାରା ସେହି ସମୟରେ ମଧ୍ୟ ପ୍ରାସଙ୍ଗିକ ଥିଲା ଏବଂ ଆଜି ବି ପ୍ରାସଙ୍ଗିକ ରହିଛି। ”

ଠିକ ସେହି ସମୟରେ ଟୁଇଟରରେ ସାବାସ ପ୍ରଜ୍ଞା ବୋଲି ବିଜେପି ସମର୍ଥକମାନେ ଟୁଇଟ କରିଚାଲିଛନ୍ତି। ଏହାହିଁ ବିଜେପିର ବଢିଆ ରଣନୀତି! ନେତାଏ ଗାନ୍ଧୀଙ୍କ ଭକ୍ତ ହେଲେ କର୍ମୀମାନେ ଗାନ୍ଧୀ ବିଦ୍ଵେଷ ବ୍ୟତୀତ ଅଧିକ କିଛି ଜାଣନ୍ତି ନାହିଁ।

ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀରେ ଶାସକ ଦଳର ସଦସ୍ୟମାନେ ଗାନ୍ଧୀଙ୍କ ବିରୋଧରେ ଯେଉଁ ଅପରାଧ କରୁଛନ୍ତି, ସେଥିଲାଗି ଇତିହାସ ସେମାନଙ୍କୁ କେବେହେଲେ କ୍ଷମା ଦେବନାହିଁ।

Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁର ଜଣେ ଆତଙ୍କବାଦୀ : ରାହୁଲ ଗାନ୍ଧୀ

ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ପ୍ରଜ୍ଞାଙ୍କ ଗୋଡ୍‌ସେ ମତକୁ ନେଇ ରାହୁଲ ଏହି ମତ ଦେଇଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ସହିତ ବିରୋଧୀ ଦଳର ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ । ଏହାପରେ ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ବୁଧବାର ସଂସଦରେ ଏସ୍‌ପିଜି ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଗୋଡସେଙ୍କୁ ଜଣେ ଦେଶଭକ୍ତ ବୋଲି ଅଭିହିତ କରିଥିଲେ । ପ୍ରଜ୍ଞାଙ୍କ ମନ୍ତବ୍ୟରେ ଆରଏସ୍‌ଏସ୍‌ ଏବଂ ବିଜେପିର ସ୍ବଷ୍ଟ ଝଲକ ଦେଖିବାକୁ ମିଳୁଛି ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ନିରର୍ଥକ ବୋଲି ରାହୁଲ କହିଛନ୍ତି ।