Categories
ଆଜିର ଖବର

ଆମେରିକା ବଜାରରେ ଭାରତୀୟ ଉତ୍ପାଦ ପ୍ରବେଶ ଉପରେ ଲାଗିବ କଟକଣା

ଭାରତର ‘ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ଶେଷ କରିବାକୁ ଇଚ୍ଛୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ଏହି ରାଜିନାମା ବଳରେ ୫. ୬ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୁଏ। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା କିନ୍ତୁ ଏଣିକି ଟ୍ରମ୍ପ୍‌ ପ୍ରଶାସନ ଏହା ଉପରେ କଟକଣା ବସାଇବେ । ଭାରତ ନିଜ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ । ‘ଜେନେରାଲାଇଜ୍‌ଡ୍‌ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌’ (ଜିଏସ୍‌ପି) ଯୋଜନାରେ ଥିବା ହିତାଧିକାରୀ ବିକାଶଶାଳୀ ରାଷ୍ଟ୍ର ତାଲିକାରୁ ଭାରତକୁ ବାଦ ଦେବାକୁ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଦେଇଛନ୍ତି । ଆମେରିକା କଂଗ୍ରେସ ଏବଂ ଭାରତ ସରକାରଙ୍କୁ ଏ ସମ୍ପର୍କରେ ନୋଟିସ୍‌ ଜାରି କରାଯିବାର ୬୦ ଦିନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଗତ ସପ୍ତାହରେ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ବସାଇବାକୁ ଘୋଷଣା କରିଥିଲେ ।  ଆମେରିକାରେ ବାଣିଜ୍ୟକୁ ସହଜ କରିବା ଲାଗି ରହିଥିବା ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ବ୍ୟବସ୍ଥାରୁ ଭାରତ ସର୍ବାଧିକ ଲାଭ ହାସଲ କରୁଥିବା ଦେଶ । ଏହି ବ୍ୟବସ୍ଥା ଉଠାଇଦେବା ପରେ ଭାରତ ବିରୋଧରେ ଟ୍ରମ୍ପଙ୍କର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବ । ଭାରତ ଅନଲାଇନ୍‌ କାରବାର ଉପରେ ନୂଆ ନିୟମ ପ୍ରଣୟନ କରିବା ସହ ଆମାଜନ୍‌, ଓ୍ବାଲମାର୍ଟ ଭଳି ଆମେରିକୀୟ ସଂସ୍ଥା ଉପରେ କେତେକ କଟକଣା ଲଗାଇବା ପରେ ଆମେରିକା ସହ ଏହାର ବାଣିଜ୍ୟ ଚୁକ୍ତି ଦୁର୍ବଳ ହେବାରେ ଲାଗିଛି ।