Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା, ହେଲେ କାହିଁକି ?

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି। ଓଡ଼ିଶା ଜୈବବିବିଧତା ବୋର୍ଡ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ଅଞ୍ଚଳରେ ଅତି କମରେ ୬୦୮ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି ।

ଏମାନଙ୍କ ମଧ୍ୟରେ ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ , ୧୮୮ ପ୍ରଜାତିର ପକ୍ଷୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ, ୪୫ ପ୍ରଜାତିର ମାଛ, ୧୪୧ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର କୀଟ, ୪୧ କଳି ପ୍ରଜାତି, ୩୦ ପ୍ରଜାତିର ବୁଢିଆଣୀ, ୬ ପ୍ରଜାତିର କଙ୍କଡା ବିଛା ଏବଂ ୨୦ ବିଭିନ୍ନ ଅମେରୁଦଣ୍ତୀ ପ୍ରାଣୀ ଅନ୍ତର୍ଭୁକ୍ତ । ଏଠାରେ ମଧ୍ୟ ବଉଳା କୁମ୍ଭୀର, ଏକକ ପ୍ରଜାତିର ବେଙ୍ଗ ଓ ପାହାଡିଆ ଝିଟିପିଟି ଦେଖାଯାନ୍ତି।

ଏହା ବ୍ୟତୀତ, ଗୁପ୍ତେଶ୍ଵର ଜଙ୍ଗଲରେ କଳା ବାଜପକ୍ଷୀ, ମାଲବାର ଟ୍ରୋଗନ, ପାହାଡିଆ ବଣି , ଧଳା ପେଟ ବିଶିଷ୍ଟ କାଠହଣ। ପକ୍ଷୀ, ଏକ ଭିନ୍ନ ପ୍ରଜାତିର କୋଇଲି ଆଦି ପକ୍ଷୀଙ୍କର ସନ୍ଧାନ ମିଳିଛି। ଦକ୍ଷିଣ ଓଡିଶାରେ ଦେଖାଯାଉଥିବା ୧୬ ଟି ଚେମେଣି ପ୍ରଜାତି ମଧ୍ୟରୁ ୮ଟି ପ୍ରଜାତି ଗୁପ୍ତେଶ୍ଵରର ରହସ୍ୟମୟ ନୂନପଥର ଗୁମ୍ଫାମାନଙ୍କରେ ଥାଆନ୍ତି। ସେଥୁମଧ୍ୟରୁ ୨ ଟି ଚେମେଣି ପ୍ରଜାତି ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ତଥ୍ୟ ଅନୁଯାୟୀ ବିଲୁପ୍ତ ପ୍ରାୟ ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ଜଙ୍ଗଲରେ ମଧ୍ୟ ଉଭିଦମାନଙ୍କର ଏକ ସମୃଦ୍ଧ ବିବିଧତା ରହିଛି । ୧୮୨ ପ୍ରଜାତିର ବୃକ୍ଷ, ୭୬ ପ୍ରଜାତିର ଗୁଳ୍ମ , ୧୭୭ ତୃଣ ଜାତୀୟ ଉଭିଦ, ୬୯ ପ୍ରଜାତିର ଲତା, ୧୪ ଅର୍କିଡ ପ୍ରଜାତିର ବୃକ୍ଷରାଜି ସହ ବିଲୁପ୍ତ ପ୍ରାୟ ପ୍ରଜାତିର ଗଛ ଯଥା ଫଣଫଣା, ପାତାଳଗରୁଡ, ଗୁରୁଡୁ, ବରୁଣ, ପ୍ରଶାରୁଣୀ, ପାଣିକୁମୁମ , ଗାଇଗୁଟିଆ , ମୟୁରଲେଣ୍ଡୀ ଆଦି ରହିଛି। ଏହା ବ୍ୟତୀତ ଚାଷ ଓ ଶିଳ୍ପ ଉପଯୋଗୀ ଗୁରୁତ୍ଵପୂର୍ଣ୍ଣ ଜଙ୍ଗଲଜାତୀୟ ଅଦା ଓ ହଳଦୀ ପ୍ରଜାତିର ଅଣୁଜୀବ ମଧ୍ୟ ଏହି ଜଙ୍ଗଲ ପରିସଂସ୍ଥାନରେ ଅଛନ୍ତି।

ହଳଦୀ କୁଣ୍ଡ (ଗୁପ୍ତେଶ୍ଵର ) ଜୈବବିବିଧତା ପରିଚାଳନା ସମିତି , ଜଯପୁର ବନଖଣ୍ତ ଏବଂ ଏମ. ଏସ. ସ୍ଵାମୀନାଥନ ରିସର୍ଟ ଫାଉଣ୍ଡେସନ ପକ୍ଷରୁ ଗୁପ୍ତେଶ୍ଵରକୁ ଜୈବବିବିଧତା ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିବାକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ ମାନେ ସ୍ଵାଗତ କରି ଏହା ଦ୍ଵାରା ଜୈବବିବିଧତା ସଂରକ୍ଷଣ ହେବ ଏବଂ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ନୂଆ ଜୀବିକା ମାଧ୍ୟମ ଖୋଲିବ ବୋଲି ମତ ଦେଇଛନ୍ତି।

ଓଡିଶା ଜୈବବିବିଧତା ବୋର୍ଡର ଅଧକ୍ଷ୍ୟା ଡ.ମୀତା ବିଶ୍ଵାଳ ଓ ସଦସ୍ୟ ସଚିବ ଡ.ନିହାର ରଞ୍ଜନ ନାୟକ ବୋର୍ଡ ର ଗବେଷକ, ବୈଜ୍ଞାନିକ ଏବଂ ହଳଦୀ କୁଣ୍ଡ ଜୈବବିବିଧତା ପରିଚାଳନା ସମିତିକୁ ଅଭିନନ୍ଦନ ଜଣାଇଛନ୍ତି।