Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା, ହେଲେ କାହିଁକି ?

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି। ଓଡ଼ିଶା ଜୈବବିବିଧତା ବୋର୍ଡ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ଅଞ୍ଚଳରେ ଅତି କମରେ ୬୦୮ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି ।

ଏମାନଙ୍କ ମଧ୍ୟରେ ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ , ୧୮୮ ପ୍ରଜାତିର ପକ୍ଷୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ, ୪୫ ପ୍ରଜାତିର ମାଛ, ୧୪୧ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର କୀଟ, ୪୧ କଳି ପ୍ରଜାତି, ୩୦ ପ୍ରଜାତିର ବୁଢିଆଣୀ, ୬ ପ୍ରଜାତିର କଙ୍କଡା ବିଛା ଏବଂ ୨୦ ବିଭିନ୍ନ ଅମେରୁଦଣ୍ତୀ ପ୍ରାଣୀ ଅନ୍ତର୍ଭୁକ୍ତ । ଏଠାରେ ମଧ୍ୟ ବଉଳା କୁମ୍ଭୀର, ଏକକ ପ୍ରଜାତିର ବେଙ୍ଗ ଓ ପାହାଡିଆ ଝିଟିପିଟି ଦେଖାଯାନ୍ତି।

ଏହା ବ୍ୟତୀତ, ଗୁପ୍ତେଶ୍ଵର ଜଙ୍ଗଲରେ କଳା ବାଜପକ୍ଷୀ, ମାଲବାର ଟ୍ରୋଗନ, ପାହାଡିଆ ବଣି , ଧଳା ପେଟ ବିଶିଷ୍ଟ କାଠହଣ। ପକ୍ଷୀ, ଏକ ଭିନ୍ନ ପ୍ରଜାତିର କୋଇଲି ଆଦି ପକ୍ଷୀଙ୍କର ସନ୍ଧାନ ମିଳିଛି। ଦକ୍ଷିଣ ଓଡିଶାରେ ଦେଖାଯାଉଥିବା ୧୬ ଟି ଚେମେଣି ପ୍ରଜାତି ମଧ୍ୟରୁ ୮ଟି ପ୍ରଜାତି ଗୁପ୍ତେଶ୍ଵରର ରହସ୍ୟମୟ ନୂନପଥର ଗୁମ୍ଫାମାନଙ୍କରେ ଥାଆନ୍ତି। ସେଥୁମଧ୍ୟରୁ ୨ ଟି ଚେମେଣି ପ୍ରଜାତି ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ତଥ୍ୟ ଅନୁଯାୟୀ ବିଲୁପ୍ତ ପ୍ରାୟ ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ଜଙ୍ଗଲରେ ମଧ୍ୟ ଉଭିଦମାନଙ୍କର ଏକ ସମୃଦ୍ଧ ବିବିଧତା ରହିଛି । ୧୮୨ ପ୍ରଜାତିର ବୃକ୍ଷ, ୭୬ ପ୍ରଜାତିର ଗୁଳ୍ମ , ୧୭୭ ତୃଣ ଜାତୀୟ ଉଭିଦ, ୬୯ ପ୍ରଜାତିର ଲତା, ୧୪ ଅର୍କିଡ ପ୍ରଜାତିର ବୃକ୍ଷରାଜି ସହ ବିଲୁପ୍ତ ପ୍ରାୟ ପ୍ରଜାତିର ଗଛ ଯଥା ଫଣଫଣା, ପାତାଳଗରୁଡ, ଗୁରୁଡୁ, ବରୁଣ, ପ୍ରଶାରୁଣୀ, ପାଣିକୁମୁମ , ଗାଇଗୁଟିଆ , ମୟୁରଲେଣ୍ଡୀ ଆଦି ରହିଛି। ଏହା ବ୍ୟତୀତ ଚାଷ ଓ ଶିଳ୍ପ ଉପଯୋଗୀ ଗୁରୁତ୍ଵପୂର୍ଣ୍ଣ ଜଙ୍ଗଲଜାତୀୟ ଅଦା ଓ ହଳଦୀ ପ୍ରଜାତିର ଅଣୁଜୀବ ମଧ୍ୟ ଏହି ଜଙ୍ଗଲ ପରିସଂସ୍ଥାନରେ ଅଛନ୍ତି।

ହଳଦୀ କୁଣ୍ଡ (ଗୁପ୍ତେଶ୍ଵର ) ଜୈବବିବିଧତା ପରିଚାଳନା ସମିତି , ଜଯପୁର ବନଖଣ୍ତ ଏବଂ ଏମ. ଏସ. ସ୍ଵାମୀନାଥନ ରିସର୍ଟ ଫାଉଣ୍ଡେସନ ପକ୍ଷରୁ ଗୁପ୍ତେଶ୍ଵରକୁ ଜୈବବିବିଧତା ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିବାକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ ମାନେ ସ୍ଵାଗତ କରି ଏହା ଦ୍ଵାରା ଜୈବବିବିଧତା ସଂରକ୍ଷଣ ହେବ ଏବଂ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ନୂଆ ଜୀବିକା ମାଧ୍ୟମ ଖୋଲିବ ବୋଲି ମତ ଦେଇଛନ୍ତି।

ଓଡିଶା ଜୈବବିବିଧତା ବୋର୍ଡର ଅଧକ୍ଷ୍ୟା ଡ.ମୀତା ବିଶ୍ଵାଳ ଓ ସଦସ୍ୟ ସଚିବ ଡ.ନିହାର ରଞ୍ଜନ ନାୟକ ବୋର୍ଡ ର ଗବେଷକ, ବୈଜ୍ଞାନିକ ଏବଂ ହଳଦୀ କୁଣ୍ଡ ଜୈବବିବିଧତା ପରିଚାଳନା ସମିତିକୁ ଅଭିନନ୍ଦନ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଗୁପ୍ତେଶ୍ବର ପୀଠର ରୂପାନ୍ତର ପାଇଁ ୨୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ।

ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍‌ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ କରାଯିବ।

ସେହିପରି ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି 5T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୁପ୍ତେଶ୍ବର ମନ୍ଦିର ପରିଦର୍ଶନ କଲେ ଭି କେ ପାଣ୍ଡିଆନ, ବିକାଶ ଯୋଜନାର ସମୀକ୍ଷା

କୋରାପୁଟ:  ଆଜି ଦିନିକିଆ କୋରାପୁଟ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହିତ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେ ହେଲିକାପ୍ଟରରେ ରାମଗିରିରେ ଓହ୍ଲାଇବା ପରେ କାର ଯୋଗେ ଗୁପ୍ତେଶ୍ବର ପରିଦର୍ଶନ କରିଥିଲେ। ଏଥିସହିତ ସେ ସାବେରୀ ନଦୀ ମଧ୍ୟ ପରିଭ୍ରମଣ କରିଥିଲେ।

ଏହି ଗସ୍ତ ସମୟରେ ସେ ଗୁପ୍ତେଶ୍ବରର ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ସମୟରେ ସଚିବଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଉପସ୍ଥିତ ଥିଲେ। ସେହିପରି ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ରାସ୍ତା ଏବଂ ଗୃହ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ତଥା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ରାସ୍ତା ଓ ଗୃହ ବିଭାଗ ଦ୍ବାରା ପ୍ରସ୍ତୁତ ବିକାଶ ନକ୍ସାକୁ ପାଣ୍ଡିଆନ ଅନୁଧ୍ୟାନ କରି ଶିଘ୍ର କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।