Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ, ଏଥର 111ଟି ଷ୍ଟଲରେ ପ୍ରଦର୍ଶିତ ହୋଇଛି ସାମଗ୍ରୀ

ଭୁବନେଶ୍ୱରର, ଆଜି ୟୁନିଟ୍‌-୩ ସ୍ଥିତ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରଦର୍ଶନୀରେ ୧୧୧ଟି ଷ୍ଟଲ୍‌ ନିର୍ମାଣ କରାଯାଇ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶିତ ସହିତ ବିକ୍ରି ମଧ୍ୟ କରାଯାଉଛି।

ଏହି ଷ୍ଟଲଗୁଡିକ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗ ପୁର, ସମ୍ବଲ ପୁର, କେନ୍ଦ୍ରା ପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରା ପୁଟ, ରାୟଗଡ଼ା ଓ ଭଦ୍ରକ ।

ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି । ଉଦଘାଟନୀ ଉତ୍ସବରେ  ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ଅତିରିକ୍ତ ଶାସନ ସଚିବ କୈଳାଶ ଚନ୍ଦ୍ର ସାହୁ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ, ସ୍ୱତନ୍ତ୍ର ଅଧିକାରୀ ଏସ୍‌.ଆର୍‌. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ । ଏହି ପ୍ରଦର୍ଶନୀ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।