Categories
ଆଜିର ଖବର ଜାତୀୟ ଖବର

ଜେଏନ୍‌ୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ, ଛାତ୍ରସଂଘ ସଭାପତି ଆଇଶୀ ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, 7/1: ଜେଏନ୍‌ୟୁରେ ଘଟିଥିବା ହିଂସାକାଣ୍ଡ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଜେଏନୟୁରେ ଦେଶଦ୍ରୋହୀଙ୍କ ଆଡ୍ଡା ଜମି ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଏଭଳି ଆକ୍ରମଣ କରିଛନ୍ତି। ହିନ୍ଦୁ ରକ୍ଷାଦଳ ତରଫରୁ ନେତା ପିଙ୍କି ଚୌଧୁରୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଜେଏନ୍‌ୟୁରେ ଦିନକୁ ଦିନ ଦେଶଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆମେ ସହ୍ୟ କରିପାରିଲୁନାହିଁ । ଏହି ଆକ୍ରମଣ କରି ଆମେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ। ଏହି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି।  ତେବେ ଏହି ଘଟଣା ପାଇଁ ଉଭୟ ବାମପନ୍ଥୀ ଛାତ୍ର ସଂଗଠନ ଓ ଏବିଭିପି ଦୁହେଁ ଦୁହିଁଙ୍କ ଉପରେ ଆରୋପ ଲଗାଇଛନ୍ତି। ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି । ଦିଲ୍ଲୀ ପୋଲିସ୍‌ ହିନ୍ଦୁ ରକ୍ଷା ଦଳକୁ ସମନ ଜାରି କରିଛି ।  ଅପରପକ୍ଷରେ ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଅଭିଯୋଗରେ ଆଜି ଛାତ୍ରସଙ୍ଘ ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରିଛି। ଜାନୁଆରୀ ୫ରେ ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟରେ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଘୋଷଙ୍କ ସମେତ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛାତ୍ରସଙ୍ଘ ଅଧ୍ୟକ୍ଷ ଆୟଶୀ ଘୋଷ ଏବଂ ଅନ୍ୟ ଛାତ୍ରଙ୍କ ବିରୋଧରେ ଜେଏନୟୁ କର୍ତ୍ତୃପକ୍ଷ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି। (ଏଜେନ୍ସି)