Categories
ଆଜିର ଖବର ଜାତୀୟ ଖବର

ଦେଶରେ ୬୯, ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୯୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ୬୯, ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦ଲକ୍ଷ ୪୪ ହଜାର ୯୪୧ରେ ପହଞ୍ଚିଥିବାବେଳେ ୭ ଲକ୍ଷ ୭ ହଜାର ୬୬୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୮୦ହଜାର ୫୬୭ରେ ପହଞ୍ଚିଛି।

ସେହିପରି ଦେଶରେ ଆଜି କରୋନାରେ ୯୧୨ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ କୋରୋନଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୬,୭୦୬ କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ର ସର୍ବାଧିକ ୨୧ ହଜାର ୯୯୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ତାମିଲନାଡୁରେ ୬୪୨୦, କର୍ଣ୍ଣାଟକରେ ୪୬୧୫, ଦିଲ୍ଲୀରେ ୪୨୮୪ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୨୪  ଘଣ୍ଟାରେ ପାଖାପାଖି ୭୦ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, ୯୪୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ ୨୪  ଘଣ୍ଟା ମଧ୍ୟରେ ପାଖାପାଖି ୭୦ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ ୬୯ ହଜାର ୮୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୪୫ ଜଣଙ୍କ ପ୍ରାଣହାନି ହୋଇଛି। ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଲକ୍ଷ ୨୨ ହଜାର ୫୭୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬ଲକ୍ଷ ୯୭ ହଜାର ୩୩୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ ୧.୯୮ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୭୪ ପ୍ରତିଶତ ରହିଛି। (ଏଜେନ୍ସି)

Categories
ବିଶେଷ ଖବର

ଭାରତ ଚୀନ ସୀମା ବିବାଦ ତୃତୀୟ ବିଶ୍ଵଯୁଦ୍ଧର କାରଣ ହେବାର ସମ୍ଭାବନା ରହିଛି କି?

କେଦାର ମିଶ୍ର

ଜୁନ ମାସରେ ଯେତେବେଳେ ଭାରତ ଓ ଚୀନ ଭିତରେ ସୀମା ବିବାଦ ଉଗ୍ର ଅବସ୍ଥାକୁ ଆସିଥିଲା, ସେତେବେଳେ ଏହା ତୃତୀୟ ବିଶ୍ଵଯୁଦ୍ଧର କାରଣ ହୋଇପାରେ ବୋଲି ପୃଥିବୀର ବହୁ ବଡ ବଡ ଖବର କାଗଜ ଲେଖିଥିଲେ। ଭାରତୀୟ ଗଣମାଧ୍ୟମରେ ଏହାକୁ ଜାତୀୟତାବାଦର ପରିଚୟ ଭିତରେ ବିଶ୍ଳେଷଣ ଚାଲିଥିବା ବେଳେ, ବିବିସି, ଦି ଫରେନ ଆଫେୟାର୍ସ, ଦି ସନ ଭଳି ସଂସ୍ଥା ଏହାକୁ ସମ୍ଭାବ୍ୟ ବିଶ୍ଵ ସଙ୍କଟ ଭାବେ ବିଶ୍ଳେଷଣ କରୁଥିଲେ। ସମ୍ପ୍ରତି ଚୀନ ଓ ଆମେରିକା ଭିତରେ ସମ୍ପର୍କ ଏତେ ଅଧିକ ତିକ୍ତ ଅବସ୍ଥାରେ ରହିଛି ଯେ, ଏହା କୌଣସି ବି ଘଟଣାରୁ ବହୁ ଭୟଙ୍କର ଦିଗକୁ ଗତି କରିପାରେ। ସେହି ସମୟରେ ଚୀନ-ଭାରତ ସୀମା ବିବାଦ, ପରିସ୍ଥିତିକୁ ଅଧିକ ଅଣାୟତ୍ତ କରିବା ସ୍ଵାଭାବିକ।

ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ ର କାରଣ ଭାବରେ ଯେଉଁ ପାଞ୍ଚୋଟି ବିନ୍ଦୁକୁ ଚିହ୍ନିତ କରାଯାଏ, ସେଗୁଡିକ ହେଲା- ୧. ସାମରିକ ଚୁକ୍ତିଭିତ୍ତିକ ସମ୍ପର୍କ, ୨-ଜାତୀୟତାବାଦ, ୩.ସାମରିକ ଅହଂକାର, ୪.ଉପନିବେଶବାଦୀ ବିଚାର ଓ ୫. ରାଜନୈତିକ ହତ୍ୟାକାଣ୍ଡ। ପ୍ରଥମ ଚାରୋଟି କାରଣ କ୍ରମାଗତ ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜନୈତିକ ହତ୍ୟାକାଣ୍ଡ ଯୁଦ୍ଧ ପରିସ୍ଥିତିକୁ ବାଧ୍ୟତାମୂଳକ କରିଥାଏ। ଜୁନ,୨୦୧୪ରେ ଅଷ୍ଟ୍ରିଆ-ହଙ୍ଗେରୀର ଆର୍କ ଡ୍ୟୁକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ସର୍ବିଆର ଜାତୀୟତାବାଦୀମାନେ ହତ୍ୟା କରିବା ପରେ, ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା। ଏହି ରାଜନୈତିକ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଦୁଇଟି ବିଶ୍ଵଯୁଦ୍ଧର କାରଣ ପାଲଟିଥିଲା। ବିଶ୍ଵଯୁଦ୍ଧର ଧ୍ଵଂସ ଓ ପାଗଳାମିରୁ ଆମେ ବୋଧେ କିଛି ଶିଖିନାହୁଁ।

୧୯୪୫ର ଦ୍ଵିତୀୟ ମହାଯୁଦ୍ଧ ପରେ ହୁଏତ ଆମେ ଆଉ ବିଶ୍ଵଯୁଦ୍ଧ ର ସାମ୍ନା କରିନାହୁଁ। ହେଲେ ଦ୍ଵିତୀୟ ବିଶ୍ଵଯୁଦ୍ଧର ୭୪ ବର୍ଷ ପରେ ଆମେ ଆଉ ଏକ ବିଶ୍ଵଯୁଦ୍ଧକୁ ସାମ୍ନା କରିବା ଭଳି ପରିସ୍ଥିତିରେ ଠିଆ ହୋଇଛୁ। ବିଶ୍ଵଯୁଦ୍ଧ ପୂର୍ବବର୍ତ୍ତୀ ପୃଥିବୀର ରାଜନୀତି ସହିତ ସମାନ ରାଜନୈତିକ ପୃଷ୍ଠଭୂମି ଆଜି ଦେଖା ଦେଇଛି। ବିଶ୍ଵର ବିଭିନ୍ନ ରାଷ୍ଟ୍ରରେ ଅହଙ୍କାରୀ, ଉଗ୍ର ଜାତୀୟତାବାଦୀ ଓ ଯୁଦ୍ଧଖୋର ଶାସକମାନେ ଲୋକ ସମର୍ଥନ ପାଉଛନ୍ତି। ଆମେରିକାରେ ଡୋନାଲ୍ଡ ଟ୍ରମ୍ଫ, ଚୀନରେ ସି ଜିଂପିନ, ଋଷିଆରେ ଭ୍ଲାଦିମିର ପୁଟିନ, ତୁର୍କୀରେ ରିଶେପ ତାଈପ ଇର୍ଦ୍ଦୋଗନ, ଇଂଲଣ୍ଡରେ ବୋରୀସ ଜନସନ, ଭାରତରେ ନରେନ୍ଦ୍ର ମୋଦୀ ପ୍ରମୁଖ ରାଜନୀତିରେ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର କରୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଗ୍ର ଜାତୀୟତାବାଦୀ ଅହଙ୍କାରରକୁ ଏବେ ସବୁଠୁ ବଡ ରାଜନୀତି ଭାବେ ଉପସ୍ଥାପନ କରିବାର ଉଦ୍ୟମ ଚାଲିଛି। ଏହାକୁ ସାମ୍ନା କରିବାକୁ ଚୀନରେ ମଧ୍ୟ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର ଘଟୁଛି। ଭାରତ-ଚୀନ ସୀମା ବିବାଦ ପରେ ଏହା ଅଧିକ ତୀବ୍ର ହେବା ଆରମ୍ଭ କରିଛି।

ସଦ୍ଦାମ ହୁସେନଙ୍କୁ ଫାଶୀ ଦେଇ ଓ ଓସାମା ବିନ ଲାଦେନକୁ ଖତମ କରିଦେଇ    ଆମେରିକା ଗୋଟେ ସମୟରେ ମଧ୍ୟ ପ୍ରାଚ୍ୟ ଉପରେ କବଜା କରିନେଇଛି ବୋଲି ଭାବୁଥିଲା। ତେବେ ଇରାକ ଓ ଆଫଗାନିସ୍ତାନ କୁ ସାମରିକ ଭାବରେ ଜୟ କରିବାର ଉଦ୍ୟମ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇଟି ରାଷ୍ଟ୍ର ଆମେରିକାର କବଜାରେ ରହିଥିଲେ ମଧ୍ୟ, ସେଠାରୁ ପୃଥିବୀର ସର୍ବାଧିକ ସନ୍ତ୍ରାସବାଦୀ ସୃଷ୍ଟି ହେଉଛନ୍ତି।ଏହା ସହିତ ସିରିଆର ସ୍ଥିତି ସୁଧୁରିବାର କୌଣସି ସମ୍ଭାବନା ଦିଶୁନାହିଁ। ସିରିଆ, ଇରାକ ଓ ଆଫଗାନିସ୍ତାନରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ମୁଖ୍ୟତଃ ଆମେରିକା ହିଁ ଦାୟୀ।

କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଇରାନ ସହିତ ଆମେରିକା ମୁହାଁମୁହିଁ ହେବା ଆରମ୍ଭ କରିଥିଲା ।ମାର୍ଚ୍ଚ ମାସରେ ଇରାନର  ଜଣେ ପ୍ରଭାବଶାଳୀ ସେନାବାହିନୀ ଅଧିକାରୀ ମେଜର ଜେନେରାଲ କାଶିମ ସୁଲେମାନୀକୁ ଆମେରିକା ହତ୍ୟା କରିଥିଲା। ଇରାକର ବାଗଦାଦ ବିମାନ ବନ୍ଦର ନିକଟରେ ଜଣେ ଇରାକୀ ସେନା ଅଧିକାରୀ ଙ୍କ ସହିତ ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ,ଏହାକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ଯେଉଁ  ଉତ୍ତେଜନା ବଢିଥିଲା, ତାହା କରୋନା କାରଣରୁ ପ୍ରଶମିତ ହୋଇଛି। ସେତେବେଳେ ଇରାନ ସମର୍ଥନରେ ଚୀନ ଓ ଋଷିଆ ଖୋଲାଖୋଲି ବାହାରିଥିବା ଯୋଗୁଁ ପରବର୍ତ୍ତୀ ରାଜନୈତିକ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା।

ଗତ ଚାରିମାସ ଭିତରେ ଚୀନ ବନାମ ବାକି ବିଶ୍ଵ ଭଳି ଏକ ଉତ୍ତେଜକ ପରିସ୍ଥିତି ବଢି ଚାଲିଛି। ସେଥିରେ ଭାରତ ସହିତ ଚୀନର ସୀମା ବିବାଦ ପରିସ୍ଥିତିକୁ ବେଶୀ ଜଟିଳ କରିଛି। ଭାରତ ଓ ଚୀନ ଭିତରେ ସୀମା ବିବାଦ ଆଦୌ ସାମୟିକ ନୁହେଁ ଓ ଏହା ଏକ ଦୀର୍ଘସ୍ଥାୟୀ ସଙ୍କଟ ହୋଇ ଆଗକୁ ରହିବ। ଦ୍ଵିପାକ୍ଷିକ ଆଲୋଚନା ଜରିଆରେ ସମାଧାନ ବାହାର କରିବା ଭଳି ରାଜନୈତିକ ପରିସ୍ଥିତି ବର୍ତ୍ତମାନ କୌଣସି ଦେଶରେ ନାହିଁ। ଉଗ୍ର ଜାତୀୟତାବାଦର ରାଜନୀତି ଆଜିର ତାରିଖରେ ବିଶ୍ଵଶାନ୍ତି ଲାଗି ଏକ ବଡ ସଙ୍କଟ ତିଆରି କରିଛି। ଆଗାମୀ ଦିନରେ ପୃଥିବୀର ଗତି କେଉଁ ଦିଗକୁ ଯିବ, ତାହା ନଭେମ୍ବର ମାସରେ ଅଧିକ ସ୍ପଷ୍ଟ ଜଣାପଡିବ।ନଭେମ୍ବର ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଜିତିବେ ନା ହାରିବେ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। ତେବେ ଭାରତ ଓ ଚୀନ ମଧ୍ୟରେ ଯଦି ବିବାଦ ଲାଗି ରହେ, ତାହେଲେ ଏହା ଭବିଷ୍ୟତରେ ଏକ ବୃହତ୍ତର ବିଶ୍ଵ ସଙ୍କଟକୁ ଜନ୍ମଦେବ।

Categories
ବିଶେଷ ଖବର

ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତ ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା

କେଦାର ମିଶ୍ର 

ଦେଖୁ ଦେଖୁ ପାଞ୍ଚମାସ ସମୟ ବିତିଗଲାଣି। ମାର୍ଚ୍ଚ ମାସର ତୃତୀୟ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁକୁ ନୂଆ କରି ଜାଣୁଥିଲୁ। ସେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦୈନିକ ବୁଲେଟିନ ବାହାର କରୁଥିଲେ ସେଇଠି ଆମେ ଦେଖୁଥିଲୁ କରୋନାକୁ ନେଇ ତିନୋଟି ଦେଶ ବେଶୀ ଆକ୍ରାନ୍ତ- ଚୀନ, ଦକ୍ଷିଣ କୋରିଆ ଓ ଇରାନ। ଏହି ତିନୋଟି ଦେଶରେ ଯେତିକି ସଂଖ୍ୟକ ଆକ୍ରାନ୍ତ ସେତେବେଳେ ବାହାରୁଥିଲେ,ଏବେ ଗୋଟିଏ ଦିନରେ ତାଠୁ ଢେର ଗୁଣ ଅଧିକ ଆକ୍ରାନ୍ତ ଆମ ଦେଶରେ ବାହାରୁଛନ୍ତି। ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସେଠାରେ ମାତ୍ର ୮୪,୮୭୧ ଲୋକଙ୍କ୍ଜୁ ଆକ୍ରାନ୍ତ କରିଥିଲ।। ଆମ ଦେଶରେ ଏବେ ଦିନକୁ ୫୫ ରୁ ୬୫ ହଜାର ଆକ୍ରାନ୍ତ ବାହାରୁଛନ୍ତି। ମାର୍ଚ୍ଚ ମାସରେଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଏକ ନମ୍ବର ଥିବା ଚୀନ ଅଗଷ୍ଟ ମାସ ବେଳକୁ ୩୪ ନମ୍ବର ସ୍ଥାନକୁ ଖସି ଆସିଛି। ସେହିପରି ଦକ୍ଷିଣ କୋରିଆ ୭୪ ଓ ଇରାନ ୧୧ ସ୍ଥାନକୁ ଖସିଛନ୍ତି। ମାର୍ଚ୍ଚ ପରେ ଏପ୍ରିଲ ରେ କରୋନା ଚିତ୍ର ବଦଳିଗଲା ଓ ଚୀନ, ଇରାନ, ଦକ୍ଷିଣ କୋରିଆ ବଦଳରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲଣ୍ଡ ଓ ଜର୍ମାନୀରେ ସଂକ୍ରମଣ ବଢିଲା। ଏହି ସମୟରେ ଆମେରିକା ସ୍ଥିତି ମଧ୍ୟ ଜଟିଳ ହେବା ଆରମ୍ଭ କରିଥିଲା। ସମୟକ୍ରମେ ୟୁରୋପୀୟ ଦେଶଙ୍କ ସ୍ଥାନ ଆମେରିକା,ବ୍ରାଜିଲ ଓ ଭାରତ ନେଇଛନ୍ତି।

ଆଜିର ତାରିଖରେ କାରୋନାର ସତ୍ୟ ହେଉଛି, ପୃଥିବୀର ସବୁଠୁ ଅଧିକ ଆକ୍ରାନ୍ତ ଭାରତରେ ଚିହ୍ନଟ ହେଉଛନ୍ତି। ଅଗଷ୍ଟ ୧୭ ତାରିଖ ଦିନ ପୃଥିବୀରେ ନୂଆ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଥିଲା ୧.୯୮,୫୩୫। ସେଥିରୁ ଭାରତରେ ଆକ୍ରାନ୍ତ ଥିଲେ ୫୪,୨୮୮। ଅର୍ଥାତ ପୃଥିବୀର ୨୭.୩% ନୂଆ ଆକ୍ରାନ୍ତ କେବଳ ଭାରତରୁ ଚିହ୍ନଟ ହେଉଛନ୍ତି। ଏହି ଦିନ ଆମେରିକାରେ ପ୍ରାୟ ୪୦ ହଜାର ଓ ବ୍ରାଜିଲରେ ୨୩ ହଜାର ଆକ୍ରାନ୍ତ ବଢିଛନ୍ତି। ଏହି ସଂଖ୍ୟା ସତ୍ତ୍ୱେ ଭାରତ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମ ଦେଶରେ ପରୀକ୍ଷା ତୁଳନାରେ ଆକ୍ରାନ୍ତଙ୍କ ହାର କମ ରହିଛି। ଗତ ପନ୍ଦର ଦିନରେ ଦେଶରେ ପ୍ରାୟ ଏକ କୋଟି ଲୋକଙ୍କର କରୋନା ପରୀକ୍ଷା ହୋଇଛି ଓ ସେଥିରୁ ୧୦ ଲକ୍ଷ ୧୧ ହଜାର ନୂଆ ଆକ୍ରାନ୍ତ ବାହାରିଛନ୍ତି। ଅର୍ଥାତ ୧୫ ଦିନରେ ଦେଶରେ ନୂଆ ପୋଜିଟିଭ ହାର ୧୦% ରହିଛି। ଏହା ଉଦବେଗଜନକ ସଂଖ୍ୟା ନୁହେଁ କି?

ମୃତ୍ୟୁ ସଂଖ୍ୟା ବଢୁଛି ହେଲେ ମୃତ୍ୟୁହାର କମ ରହିଛି ବୋଲି ଭାରତ ସରକାରଙ୍କ ଯୁକ୍ତି ରେ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗତ ୧୫ ଦିନ ଭିତରେ ଦେଶରେ ପ୍ରାୟ ୧୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ଦୈନିକ ପ୍ରାୟ ୧୦୦୦ ରେ ପହଞ୍ଚିଛି। ଅଧିକ ସଂଖ୍ୟକ ନୂଆ ଆକ୍ରାନ୍ତ ଯେହେତୁ ଗତ ୧୫ ଦିନରେ ବାହାରିଛନ୍ତି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ତେବେ ଅଧିକ ଆକ୍ରାନ୍ତ ବାହାରିବା ସହିତ ଅଧିକ ଆରୋଗ୍ୟ ହାର ବଢୁଛି। ଏମାନଙ୍କ ଭିତରୁ ଜଟିଳ ସ୍ଥିତିରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଆଗାମୀ ସମୟର ମୃତ୍ୟୁହାର ନିର୍ଭର କରିବ।

ଗଣିତ ମାଧ୍ୟମରେ ହୁଏତ ଆମେ କହିବାକୁ ଚେଷ୍ଟା କରୁଛୁ ଯେ, ଆମ ଲୋକ ସଂଖ୍ୟା ଦୃଷ୍ଟିରୁ ଏତେ ଲୋକ ମରିବା ସ୍ଵାଭାବିକ। ଏହି ଯୁକ୍ତି ସଂପୂର୍ଣ୍ଣ ଅମାନବୀୟ। ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ସେହି ସବୁ ଦେଶରେ ଜରା ନିବାସ ଓ ବୟସ୍କ ଲୋକଙ୍କ ଜୀବନ ହାନି ଘଟୁଛି। ଭାରତ ଅପେକ୍ଷାକୃତ ତରୁଣମାନଙ୍କର ଦେଶ। ଏସିଆ ମହାଦେଶରେ ଇରାନ କୁ ବାଦ ଦେଲେ ଅନ୍ୟ କୌଣସି ଦେଶରେ ମୃତ୍ୟୁହାର ସେତେବେଶୀ ନୁହଁ। ଆମର ପଡୋଶୀ ପାକିସ୍ତାନରେ ଏବେ ଆରୋଗ୍ୟ ହାର ୯୩% ରୁ ଅଧିକ। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାକିସ୍ତାନରେ ଗତ ୧୫ ଦିନରେ ପ୍ରାୟ ୯୦୦୦। ଏସିଆର ଅନ୍ୟାନ୍ୟ ଦେଶ ସଂକ୍ରମଣ ଓ ମୃତ୍ୟୁହାର ରୋକିବାରେ ସଫଳ ହୋଇ ଚାଲିଛନ୍ତି। ଆମେ ସେମାନଙ୍କ ତୁଳନାରେ ଭଲ ସ୍ଥିତି ରେ ସତରେ ରହିଛୁ କି?

ବର୍ତ୍ତମାନ ସଂକ୍ରମଣ ସ୍ଥିତି ଦେଖି ସହଜରେ ଅନୁମାନ କରିହେବ ଯେ ଅଗଷ୍ଟ ଶେଷ ବେଳକୁ ଆମେ ହୁଏତ ବ୍ରାଜିଲକୁ ପଛରେ ପକାଇ ଦ୍ଵିତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାବରେ ଉଭା ହେବୁ। ଆମ ଆଗକୁ କେବଳ ଆମେରିକା ରହିବ। ତେବେ ଆମେରିକାରେ ସଂକ୍ରମଣ ସ୍ଥିତି ଏବେ ସୁଧୁରୁଛି ଓ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୪୦ ହଜାର ଭିତରେ ରହୁଛି। ସେପ୍ଟେମ୍ବର ମାସରେ ଯଦି ଆମର ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ନ ହୁଏ ତାହେଲେ ଆମେ ହୁଏତ ସେପ୍ଟମ୍ବର ଶେଷ ସୁଦ୍ଧା ଆମେରିକାକୁ ଟପି ଏକ ନମ୍ବର କରୋନା ଆକ୍ରାନ୍ତ ଦେଶ ହେବାର ରେକର୍ଡ କରିବାର ସମ୍ଭାବନା ବହୁ ଅଧିକ।

ଏହି ସ୍ଥିତି ଆମକୁ ଅଧିକ ସଂକ୍ରମଣ ଓ ମରଣ କେବଳ ଦେବ ନାହିଁ, ଏହା ଆମର ଆର୍ଥିକ ସ୍ଥିତିକୁ ଅଧିକ ଦୁର୍ବଳ କରିବ। ପୃଥିବୀର ଅନ୍ୟ ଦେଶ ସବୁ କରୋନା ମୁକ୍ତ ହୋଇ ନିଜକୁ ସଜାଡିବା ଆରମ୍ଭ କରୁଥିବା ବେଳେ ଭାରତ ସଂକ୍ରମଣର ଶିକାର ରେ ପହଞ୍ଚିବା। ଏହା ଆଦୌ ଭଲ ସୂଚନା ନୁହେଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଦିନକରେ ସର୍ବାଧିକ ଆରୋଗ୍ୟ ହେଲେ 57,584 କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଗତ 24 ଘଣ୍ଟା ମଧ୍ୟରେ 57,584 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା  ପଞ୍ଜୀକୃତ ହୋଇଛି।

ଏହି 72% ମାଇଲଖୁଣ୍ଟକୁ ସଫଳତାର ସହ ଅତିକ୍ରମ କରିବା ଭାରତର ଆରୋଗ୍ୟ ହାରକୁ ଆହୁରି ଉନ୍ନତ କରିଛି। ଏହାକୁ ପ୍ରଭାବଶାଳୀ ଆବଧାଞ୍ଚଳ କୌଶଳ, ଦୃଢ ଏବଂ ବିସ୍ତୃତ ପରୀକ୍ଷଣ, ଜଟିଳ ରୋଗୀଙ୍କ ଉନ୍ନତ ମାନର ଚିକିତ୍ସା ପରିଚାଳନା ସହିତ ସଫଳ ତଥା ସମନ୍ୱିତ କାର୍ଯ୍ୟକାରିତାର ଫଳ ଭାବେ ବିବେଚନା କରାଯାଉଛି। କୋଭିଡ-19 ରୋଗୀଙ୍କୁ ସାମାନ୍ୟ, ମଧ୍ୟମ ଏବଂ ଜଟିଳ ଭାବେ ବିଭକ୍ତ କରିବା ପାଇଁ ଭାରତ ଏକ ଚିକିତ୍ସା ମାନକ ଅନୁସରଣ କରିଛି ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଚିକିତ୍ସା ପରିଚାଳନା ନିୟମାବଳୀରେ ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଏବଂ ଘରୋଇ ଏକାନ୍ତବାସରୁ ମୁକ୍ତ ହେବା (ସାମାନ୍ୟ ଏବଂ ମଧ୍ୟମ କ୍ଷେତ୍ରରେ) ଦ୍ଵାରା ଭାରତର ଆରୋଗ୍ୟ ସଂଖ୍ୟା ପ୍ରାୟ 2 ନିୟୁତରେ ପହଞ୍ଚିଛି (19,19,842)। ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ 12,42,942 ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଦେଶରେ 6,76,900 ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟାର ମାତ୍ର 25.57 ପ୍ରତିଶତ। ଶୀଘ୍ର ଚିହ୍ନଟିକରଣ ଓ ଉତ୍ତମ ଚିକିତ୍ସା ଯୋଗୁଁ  ମୃତ୍ୟୁ ହାର ଆହୁରି ହ୍ରାସ ପାଇ ଆଜି 1.92%ରେ ପହଞ୍ଚିଛି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ 24 ଘଣ୍ଟାରେ 66 ହଜାର 999ଜଣ ଆକ୍ରାନ୍ତ, 942 ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 66 ହଜାର 999ଜଣ ଆକ୍ରାନ୍ତ ହୋଇଥିବାବେଳେ 942ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 47 ହଜାର 33କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 96 ହଜାର 638କୁ ବୃଦ୍ଧି ହୋଇଛି। ସେହପରି ଦେଶରେ ଏବେ ସୁଦ୍ଧା 6 ଲକ୍ଷ 53 ହଜାର 622ଟି ସକ୍ରିୟ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 16 ଲକ୍ଷ 95 ହଜାର 982 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 18 ହଜାର 650ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 5 ହଜାର 278, ଦିଲ୍ଲୀରେ 4 ହଜାର 153, କର୍ଣ୍ଣାଟକରେ 3510ଜଣଙ୍କର ମୃତ୍ୟୁ ହୋଇଛି।

Categories
ବିଶେଷ ଖବର

ସେହି ଦଶଟି ରାଜ୍ୟର କଥା ଓ କରୋନା ଲଢେଇର ସବୁଠୁ କଠୋର ସତ୍ୟ

କେଦାର ମିଶ୍ର

ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ  ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟରେ ଦେଶର ସର୍ବାଧିକ ସଂକ୍ରମିତ ଏବେ ବଢୁଛନ୍ତି। ଗତ କିଛିଦିନ ହେଲା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ପ୍ରତିଦିନ ହାରାହାରି ୧୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି। ଏହି ଦୁଇ ରାଜ୍ୟରେ ଅଧିକ ପରୀକ୍ଷା ହେଉଛି, ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି।

ଏହି ଦଶଟି ରାଜ୍ୟ ଭିତରୁ ବିହାର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ପଶ୍ଚିମବଙ୍ଗରେ କରୋନା ପରୀକ୍ଷାର ସ୍ଥିତି ସେତେ ଉତ୍ସାହ ଜନକ ନୁହେଁ। ଉତ୍ତର ପ୍ରଦେଶ ଦେଶର ସବୁଠୁ ଜନବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ଯ ସଂଖ୍ୟକ ପରୀକ୍ଷା ବଢୁନାହିଁ। ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ୧୪,୭୩୨ ପରୀକ୍ଷା ସେଠାରେ ହେଉଛି। ଉତ୍ତର ପ୍ରଦେଶରେ ମୂଳରୁ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା। ଏବେ ଏହା ୧.୭% ରେ ପହଞ୍ଚିଲାଣି। ଗୋଟେ ସମୟରେ ଉତ୍ତର ପ୍ରଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୦ ଭିତରେ ସୀମିତ ରହିଛି ଓ ଏହା ଏକ ବଡ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏବେ ସେହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧୭୬ରେ ପହଞ୍ଚିଲାଣି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶ ଲାଗି ଏକ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି।

ବିହାର ରାଜ୍ୟରେ ସ୍ଥିତି ଆରମ୍ଭରୁ ଜଟିଳ ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ତିନିମାସ କରୋନା ପରୀକ୍ଷାକୁ ଗୁରୁତ୍ଵ ଦେଇ ନଥିଲେ। ଆଜି ମଧ୍ୟ ୧୦ ଲକ୍ଷ ଲୋକରେ ମାତ୍ର ୯୧୮୦ ପରୀକ୍ଷା ବିହାରରେ ହେଉଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିହାର ରେ ଜାଣିଶୁଣି ପରୀକ୍ଷା କରିବାକୁ ସରକାର ଚାହୁଁ ନାହାନ୍ତି। ୧୨ କୋଟି ଲୋକ ସଂଖ୍ୟା ବିଶିଷ୍ଟ ବିହାର ରାଜ୍ୟରେ ଆଜି ଯାଏ ମାତ୍ର ୧୧ ଲକ୍ଷ ପରୀକ୍ଷା ହୋଇଛି। ବିହାର ରେ ମୃତ୍ୟୁ ହାର ସେତେବେଶୀ ନୁହେଁ। ଏହା ୦.୫% ରେ ସୀମିତ ରହିଛି। ତେବେ ସମୟ କ୍ରମେ ସଂଖ୍ୟା ବଢିଲେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଓଡିଶାରେ ଗୋଟେ ସମୟରେ ମୃତ୍ୟୁହାର ସବୁଠୁ କମ ରହିଥିଲା। ଏବେ ଏହା ୦.୭% ରେ ପହଞ୍ଚିଲାଣି। ପରୀକ୍ଷା ନ ବଢିଲେ ସ୍ଥିତି ଅଧିକ ଜଟିଳ ହେବ। ସଂକ୍ରମଣ ରୋକିବାକୁ ହେଲେ ବ୍ୟାପକ ପରୀକ୍ଷା ଜରୁରୀ।

ଦିଲ୍ଲୀ ସରକାର ନିଜର ବ୍ୟାପକ ପରୀକ୍ଷା ଯୋଜନା ମାଧ୍ୟମରେ ସେଠାରେ ସ୍ଥିତିକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ଆସିଛନ୍ତି। ଯଦି ଗୋଟିଏ ରାଜ୍ୟ ଯେଉଁଠି ସଂକ୍ରମଣ ଆଖି ଦୃଶିଆ ଭାବରେ କମିଛି, ତାହା ହେଉଛି ଦିଲ୍ଲୀ। ଦିଲ୍ଲୀରେ ପ୍ରତି ଦଶ ଲକ୍ଷ ଲୋକରେ ୬୦,୭୮୫ ପରୀକ୍ଷା କରାଯାଇଛି। ଏହା ଏକ ଉତ୍ସାହ ଜନକ ସଂଖ୍ୟା। ମହାରାଷ୍ଟ୍ର ରେ ସଂକ୍ରମଣ ର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ସେଠିକାର ସରକାର ବ୍ୟାପକ ପରୀକ୍ଷା ଅବ୍ଯାହତ ରଖିଛନ୍ତି। ଉଭୟ ମହାରାଷ୍ଟ୍ର ଓ ତାମିଲନାଡୁରେ ପରୀକ୍ଷା ଦଶ ଲକ୍ଷ ଲୋକରେ ଯଥାକ୍ରମେ ୨୩,୨୫୯ ଓ ୪୩,୫୦୩ ରହିଛି। ଏହି ସଂଖ୍ଯାରେ ପରୀକ୍ଷା ଅବ୍ଯାହତ ରହିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ସଂକ୍ରମଣକୁ ଚିହ୍ନଟ କରିହେବ। ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶ ସରକାର ପରୀକ୍ଷା ହାରକୁ ପ୍ରାୟ ତିନିଗୁଣ ବଢାଇଛନ୍ତି। ସେଥିଲାଗି ଆନ୍ଧ୍ରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିଲ୍ଲୀ ପରେ ଏବେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪୮,୫୩୦ ଲୋକଙ୍କର ପରୀକ୍ଷା କରାହେଉଛି।

ପରୀକ୍ଷାରେ ସବୁଠୁ ଖରାପ ଅବସ୍ଥାରେ ବିହାର ସରକାର ରହିଛନ୍ତି। ଏକ ବିଚିତ୍ର ରଣନୀତିରେ ବିହାର ସରକାର ନିଜର ପରୀକ୍ଷା ନୀତି ସ୍ଥିର କରିଛନ୍ତି। ପ୍ରାୟ ୭ କୋଟି ଜନସଂଖ୍ୟା ବିଶିଷ୍ଟ ଗୁଜରାଟ ମାତ୍ର ୧୦ ଲକ୍ଷ ପରୀକ୍ଷା କରିଛି। ଏକ ବିଚିତ୍ର ପରିସଙ୍ଖ୍ୟାନ ଆମେ ଗୁଜରାଟରୁ ଦେଖିବା। ଗତ କିଛିମାସ ହେଲା ସେଠାରେ ପରୀକ୍ଷା ହାର ସ୍ଥିର ରହିଛି। ଅଧିକ ସଂକ୍ରମଣ ହେଉଥିବା ରାଜ୍ୟ ଗୁଡିକ ଅଧିକ ପରୀକ୍ଷା କରୁଥିବା ବେଳେ ଗୁଜରାଟ ହାତୀ ଭଳି ଦିନକୁ ପଚାଶ/ଶହେ ଅଧିକ ସଂକ୍ରମିତ ଠାବ କରୁଛି। ଅନ୍ୟ ରାଜ୍ୟ ତୁଳନାରେ ଗୁଜରାଟର ମୃତ୍ୟୁହାର ଉଦବେଗଜନକ। ସେଠାରେ ମୃତ୍ୟୁହାର ୩.୭% ରହିଛି। ଏହି ଦଶଟି ରାଜ୍ୟ ଭିତରୁ ସର୍ବାଧିକ ମୃତ୍ୟୁହାର ଗୁଜରାଟରେ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ଜାତୀୟ ମୃତ୍ୟୁହାର କୁ ୧% ରୁ କମ ରଖିବାର ଯେଉଁ ଲକ୍ଷ୍ୟ କଥା କହୁଛନ୍ତି, ସେଥିରେ ଗୁଜରାଟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ କୁ ଏହି ଦଶ ରାଜ୍ୟଠୁ ଅଲଗା କରି ଦେଖିବାକୁ ପଡିବ।

ଦଶଟି ରାଜ୍ୟ ବୋଲି କହି ଆମେ ଦେଶର ସ୍ଥିତି ଠିକ ଅଛି ବୋଲି କହିବା ଆଦୌ ଠିକ ହେବନାହିଁ। କାରଣ ଯେଉଁ ଦଶଟି ରାଜ୍ୟ କଥା ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିରେ ଆମ ଦେଶର ୮୦% ଜନତା ବସବାସ କରନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂ ଖ୍ୟା 16 ଲକ୍ଷ 38 ହଜାର 871ରେ ପହଞ୍ଚିଛି। 24 ଘଣ୍ଟାରେ ସର୍ବାଧିକ 55 ହଜାର 079 ଆକ୍ରାନ୍ତ ହୋଇଥିବା ସ୍ଥଳେ779 ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ବିଭାଗ ସୂଚନା ଦେଇଛି।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 35 ହଜାର 747କୁ ବୃଦ୍ଧି ହୋଇଛି। ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷ 45 ହଜାର 318 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 10 ଲକ୍ଷ 57 ହଜାର 805 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 729 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 936, ତାମିଲନାଡୁରେ 3 ହଜାର 838, ଗୁଜୁରାଟରେ 2 ହଜାର 418ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ୧୫ ଲକ୍ଷ ଟପିଲା ଭାରତରେ କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଗତ ସପ୍ତାହ ସାରା ଦେଶରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସଂକ୍ରମଣ ସଂଖ୍ୟା ୧୫ ଲକ୍ଷ ଟପିଛି। ମହାରାଷ୍ଟ୍ର ପରେ ଏବେ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ  ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୭୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାତି ୮.୩୦ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି।ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୪ ହଜାର ବୋଲି ସୂଚନା ମିଳୁଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆଜି ଦିନକରେ 28 ହଜାର 637 ଆକ୍ରାନ୍ତ, 551ମୃତ

Categories
ବିଶେଷ ଖବର

କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନରେ ଭାରତ, ଆଗକୁ ପ୍ରଥମ ହେବାର ସମ୍ଭାବନା!!

କେଦାର ମିଶ୍ର

ଯେ କୌଣସି ସଫଳତାର ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିବାର ଅଲଗା ଆନନ୍ଦ ରହିଛି। ହେଲେ କରୋନା ସଂକ୍ରମଣ ର ତାଲିକାରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବା, କେବଳ ଚିନ୍ତାଜନକ ନୁହେଁ, ଏହା ଅନେକାଂଶରେ ବିପଜ୍ଜନକ। ପୃଥିବୀର ସବୁଠୁ କଠୋର ଲକ ଡାଉନ ଓ ସରକାର କୃତ ମାନବୀୟ ସଙ୍କଟ ପରେ ମଧ୍ୟ ଆମେ କରୋନା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଲେ କେମିତି? ଆଜି ପୃଥିବୀର ଯେଉଁ ତିନୋଟି ଦେଶ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି, ସେହି ତିନୋଟି ଦେଶର ନେତୃତ୍ଵ ସବୁବେଳେ କୋଭିଡ-୧୯ ମୁକାବିଲାକୁ ଏକ ଯୁଦ୍ଧ ବୋଲି କହି ଆସିଛନ୍ତି।

କରୋନା ମୁକାବିଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ବ୍ରାଜିଲ ରାଷ୍ଟ୍ରପତି ଜୈର ବଲସାନାରୋ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟଶୈଳୀ ପ୍ରାୟ ସମାନ। ଏମାନେ ମହାମାରୀ ମୁକାବିଲାରେ ବିଜ୍ଞାନ ତୁଳନାରେ ରାଜନୀତିକୁ ଅଧିକ ପ୍ରାଧାନ୍ଯ ଦେଇଛନ୍ତି। ଲୋକଙ୍କୁ ସତର୍କ ଓ ସଚେତନ କରିବା ପରିବର୍ତ୍ତେ ଅଧିକ ବିଭାଜିତ ଏବଂ ଅନ୍ଧବିଶ୍ଵାସୀ ହେବାର ସୁଯୋଗ ତିଆରି କରିଛନ୍ତି। ଗଣତାନ୍ତ୍ରିକ ତଥା ବୈଜ୍ଞାନିକ ପ୍ରକ୍ରିୟାକୁ ଅଣଦେଖା ଏହି ତିନି ରାଷ୍ଟ୍ରମୁଖ୍ୟ ନିଜକୁ ଅଧିକ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅଧିକ ତତ୍ପରତା ଦେଖାଇଛନ୍ତି। ସେମାନଙ୍କ ହମବଡା ବ୍ୟକ୍ତିତ୍ବର ପରିଣତି ଲୋକଙ୍କୁ ଭୋଗିବାକୁ ପଡିଛି। ଆଜି ଆମେରିକାରେ ପ୍ରାୟ ୩୦ ଲକ୍ଷ ଆକ୍ରାନ୍ତ ଏବଂ ୧ ଲକ୍ଷ ୩୦ ହଜାର ମୃତ, ବ୍ରାଜିଲରେ ୧୬ ଲକ୍ଷ ଆକ୍ରାନ୍ତ ଏବଂ ୬୫ ହଜାର ମୃତ ତଥା ଭାରତରେ ପ୍ରାୟ ୭ ଲକ୍ଷ ୧୦ ହଜାର ଆକ୍ରାନ୍ତ ଏବଂ ୨୦ ହଜାର ମୃତଙ୍କର ଏକ ଦୁର୍ଭାଗ୍ୟଜନକ ତାଲିକା ଆମେ ଦେଖୁଛୁ। ଏହା ପଛରେ ଏହି ତିନୋଟି ରାଷ୍ଟ୍ରର ମୁଖିଆଙ୍କର ନେତୃତ୍ବଗତ ଅପାରଗତା ନିଶ୍ଚିତ ଭାବରେ ଦାୟୀ।

ଏହି ସମୟ ଖଣ୍ଡରେ କୋଭିଡ-୧୯ ମୁକାବିଲା ପାଇଁ ଅନ୍ୟ ରାଷ୍ଟ୍ର ମାନଙ୍କ ଉଦ୍ୟମ ଓ ରଣନୀତି ତଥା ସେସବୁର ସଫଳତା ସହିତ ଆମେ ନିଜକୁ ତୁଳନା କରି ଦେଖିବା ଉଚିତ ହେବ। ମାର୍ଚ୍ଚ-ମଇରେ ସର୍ବାଧିକ ଆକ୍ରାନ୍ତ ଇଟାଲୀ, ସ୍ପେନ, ଫ୍ରାନ୍ସ ଓ ଇଂଲଣ୍ଡ ର ସଂକ୍ରମଣ ଗ୍ରାଫ ସହିତ ଆମେ ନିଜକୁ ତୁଳନା କରିଦେଖିବା। ଇଟାଲୀ ରେ ମାର୍ଚ୍ଚ ୨୧ତାରିଖ ଦିନ ସର୍ବାଧିକ ୬୫୫୩ ଜଣ ଆକ୍ରାନ୍ତ ହେବା ପରେ, ସେଠାରେ ସଂକ୍ରମଣ ହାର କମିବା ଆରମ୍ଭ ହୋଇଥିଲା। କ୍ରମେ କ୍ରମେ ଦୈନିକ ସାଢେ ଛଅ ହଜାର ପଜିଟିଭ କେସରୁ ଇଟାଲୀ ଏବେ ଦୈନିକ ପ୍ରାୟ ୨୦୦ ସଂଖ୍ୟା କୁ କମି ଆସିଛି। ସ୍ପେନରେ ମାର୍ଚ୍ଚ ୨୬ ତାରିଖ ସର୍ବାଧିକ ୮୨୭୧ ପଜିଟିଭ କେସ ପରେ ଏବେ ସେଠାରେ ୩୫୦-୪୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫ୍ରାନ୍ସ ରେ ମଧ୍ୟ ମାର୍ଚ୍ଚ ୩୧ ରେ ସର୍ବାଧିକ ୭୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ହେଲେ ବର୍ତ୍ତମାନ ସେଠାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦। ସଂକ୍ରମଣ ର ଶୀର୍ଷରେ ପହଞ୍ଚିଲା ପରେ ଏହି ସବୁ ଦେଶରେ କରୋନା ତରଙ୍ଗ ଭାଙ୍ଗିବା ଆରମ୍ଭ ହୋଇଛି।

ଏହାର ଠିକ ବିପରୀତ ସ୍ଥିତି ଆମେରିକା, ବ୍ରାଜିଲ ଓ ଭାରତରେ ଦେଖିବାକୁ ମିଳିଛି। ଏହି ତିନୋଟି ପ୍ରମୁଖ ଆକ୍ରାନ୍ତ ଦେଶରେ ସଂକ୍ରମଣ କମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ। ଆମେରିକାରେ ଏପ୍ରିଲ ୧ ତାରିଖରୁ ପ୍ରତିଦିନ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ଜୁଲାଇ ୨ ତାରିଖ ଦିନ ଆମେରିକାରେ ସର୍ବାଧିକ ୫୭,୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ମଧ୍ୟ ଦୈନିକ ହାରାହାରି ସଂକ୍ରମଣ ହାର ୩୦ ହଜାର ରହିଛି। ଭାରତରେ ସଂକ୍ରମଣର ସ୍ଥିତି କ୍ରମାଗତ ଭାବରେ ବଢି ଚାଲିଛି। ଆମ ଦେଶରେ ଗତ ଜୁନ ୪ ତାରିଖରୁ ଦୈନିକ ୧୦ ହଜାର ସଂକ୍ରମଣ ବଢି ବଢି ଏବେ ଆମେ ୨୦ ହଜାର+ ରେ ପହଞ୍ଚିଲେଣି।ଜୁଲାଇ ପ୍ରଥମ ସପ୍ତାହରୁ ଆମର ସଂକ୍ରମଣ ହାର ଦୈନିକ ୨୦ ହଜାରରୁ ଅଧିକ ରହୁଛି। ଅନ୍ୟ ଦେଶରେ ସଂକ୍ରମଣ କମୁଥିବା ବେଳେ ଆମେରିକା, ବ୍ରାଜିଲ ଏବଂ ଭାରତ ଏହାର ବ୍ୟତିକ୍ରମ ହେବାର କାରଣ କଣ?

ରାଜନୈତିକ ଭାବରେ କରୋନା ସଙ୍କଟର ମୁକାବିଲା କ୍ଷେତ୍ରରେ ଆମର ନେତୃତ୍ଵ ସବୁବେଳେ ନିଜକୁ କେନ୍ଦ୍ରରେ ରଖି ଚିନ୍ତା କରି ଆସିଛନ୍ତି। ବାସ୍ତବ କ୍ଷେତ୍ରରେ ରାଜ୍ୟ ଗୁଡିକ କରୋନା ମୁକାବିଲା ପାଇଁ କାମ କରୁଥିବା ବେଳେ, କେନ୍ଦ୍ର ସରକାର ଅନେକାଂଶରେ ନିଜର ନୀତି ଓ ନିଷ୍ପତ୍ତିକୁ ରାଜ୍ଯମାନଙ୍କ ଉପରେ ଲଦି ଦେବାକୁ ଉଦ୍ୟମ କରିଛନ୍ତି। ମାର୍ଚ୍ଚ-୨୫ର ତରବରିଆ ଲକ ଡାଉନ କରୋନା ସଂକ୍ରମଣ ମୁକାବିଲାରେ ସହାୟକ ହେବା ପରିବର୍ତ୍ତେ, ଅଧିକ ସଙ୍କଟ ସୃଷ୍ଟି କଲା। ଲୋକଙ୍କୁ ସେମାନଙ୍କର ମୌଳିକ ବଞ୍ଚିବାର ସାଧନ ନଦେଇ ଘର ଭିତରେ ଜୋର କରି ଅଟକ ରଖିବାର ପରିଣତି ଦେଶର ସବୁଠୁ ବଡ ଶ୍ରମ ସଙ୍କଟ ତିଆରି କଲା। ମଇ ୧୫ ତାରିଖ ପର୍ୟନ୍ତ ତାଲାବନ୍ଦ ଚଳାଇ ରଖିବା ସହିତ ଆମର ପରୀକ୍ଷା କରିବାର ଧାରା ବଢିବା ଉଚିତ ଥିଲା। ହେଲେ ମଇ ୧୫ ସୁଦ୍ଧା ଆମର ପରୀକ୍ଷା ସଂଖ୍ୟା ଥିଲା ମାତ୍ର ୨୧ ଲକ୍ଷ। କେବଳ ଭାଷଣ ଓ ରାଜନୈତିକ ଔପଚାରିକତାରେ ଆମର ଯୁଦ୍ଧ ସୀମିତ ରହିଲା। ଆଗାମୀ ଦୁଇମାସ ଦେଶରେ ସଂକ୍ରମଣ ଅତ୍ୟଧିକ ବ୍ୟାପକ ହେବ ବୋଲି ଏବେ ଆକଳନ କରାଯାଉଛି। ସଂକ୍ରମଣ ଉଗ୍ର ହେବା ବେଳକୁ ଆମ ପାଖରେ ଅଧିକ ସାଧନ ଆଉ ନାହିଁ। ବର୍ତ୍ତମାନର ସଂକ୍ରମଣ ଧାରା ଯଦି ଅବ୍ଯାହତ ରହେ ତାହେଲେ ଜନସଂଖ୍ୟା ଦୃଷ୍ଟିରୁ ଅଗଷ୍ଟ ମାସ ବେଳକୁ ଆମେ ହୁଏତ ପୃଥିବୀର ସର୍ବ ବୃହତ ସଂକ୍ରମିତ ରାଷ୍ଟ୍ର ହେବାର ସମ୍ଭାବନାକୁ ଆଡେଇ ଦେଇ ହେବନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଟିକ ଟକ ସମେତ ୫୯ ଚାଇନୀଜ ଆପ ଉପରେ କଟକଣା ଲଗାଇଛି। ଭାରତ-ଚାଇନା ସୀମା ବିବାଦ ପରେ ସମଗ୍ର ଦେଶରେ ଏବେ ଚାଇନା ବିରୋଧରେ ଆକ୍ରୋଶ ଦେଖାଦେଇଛି। ଚାଇନା ସାମଗ୍ରୀ  ବ୍ୟାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନ ବଢିଚାଲିଛି। ହେଲୋ ଆପ, କାମ ସ୍କାନର ଆପ ପରି ୫୯ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡାଟା ଚୋରୀ ହେବା ସନ୍ଦେହରେ ଏହି ସବୁ ଆପ ଗୁଡିକୁ ବ୍ୟାନ ଲଗାଇଛି କେନ୍ଦ୍ର ସରକାର।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୧୯ ହଜାର ୪୫୯ ଜଣ ଆକ୍ରାନ୍ତ ଚିହ୍ନଟ, ୩୮୦ ମୃତ

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯ ହଜାର ୪୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୦ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୧୦ ହଜାର ୧୨୦ଆକ୍ଟିଭ ମାମଲା ରହିଥିବାବେଳେ ମୋଟ୍ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬,୪୭୫କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୬୪ ହଜାର ୬୨୬ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ୪୨୯କୁ ବୃଦ୍ଧି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 89 ଲକ୍ଷ ଟପିଲା, ଗତ 24 ଘଣ୍‌ଟାରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବେ ସଂକଟରେ । ଦେଶର ବହୁ ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସଂକଟର ସାମ୍ନା କରୁଛନ୍ତି। ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ସାରା ବିଶ୍ବକୁ ନିଜ ଆୟତ୍ତରେ କରି ସାରିଛି । ଏହି ଭାଇରସ୍‌ ଯୋଗୁଁ ସାରା ବିଶ୍‌ବରେ ଏପର୍ଯ୍ୟନ୍ତ 89 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଚାରି ଲକ୍ଷ66 ହଜାର ପାର କରି ସାରିଛି । ବିଶ୍ବରେ ସର୍ବାଧିକ କରୋନା ଜନିତ ମୃତ୍ୟୁ  ଆମେରିକାରେ ହୋଇଛି । ଏହି ମହାମାରୀ ଯୋଗୁଁ ଆମେରିକାରେ ଏକ 20 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।

ଗତ 24 ଘ୍‌ଟାରେ ବିଶ୍ବରେ ପାଞ୍ଚ ହଜାରରୁ ଅଧିକ ମୃତ୍ୟୁ ହୋଇଥିବବେଳେ ଗତ ଦୁଇ ଦିନ ମଧ୍ୟରେ ଦୁଇଲକ୍ଷରୁ ଅଧିକ ଲୋକେ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଏହି ରୋଗରୁ ସୁସ୍ଥ ହେଉଥିବା ସଂଖ୍ୟାର ବେଶ୍‌ ଉନ୍ନତି ଘଟିଛି। ଦୁନିଆରେ ଏବେ ସୁଦ୍ଧା 47 ଲକ୍ଷ 38 ହଜାର 542 ଜଣ ସୁସ୍ଥ ହେଲେଣି ।

ଆମେରିକା ପରେ ଦ୍ବିତୀୟ ସର୍ବାଧିକ କରୋନା ମାମଲା ବ୍ରାଜିଲ୍‌ରୁ ହିଁ ଆସିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ ପାର କରିଥିବାବେଳେ ଏଠାରେ 50 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କଲେଣି ।

କେଉଁ ଦେଶରେ କିପରି ଅଛି କରୋନା ସ୍ଥିତି :

ଆମେରିକା ରେ ସଂକ୍ରମିତ ସଂଖ୍ୟା 23 ଲକ୍ଷ 30 ହଜାର 578 ଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 21 ହଜାର 980 ରହିଛି ।

ବ୍ରାଜିଲ୍‌ରେ ମୃତ୍ୟୁ ସଂଖ୍ୟା 50 ହଜାର 058 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 70 ହଜାର 139କୁ ବୃଦ୍ଧି ହୋଇଛି ।

ରୁସ୍‌ରେ 5 ଲକ୍ଷ 76 ହଜାର 952 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 8ହଜାର2ଜଣ ମୃତ୍ୟୁବରଣ କରିଛନ୍ତି ।

ଭାରତରେ 13 ହଜାର 277 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 11 ହଜାର 727କୁ ବୃଦ୍ଧି ହୋଇଛି ।

ୟୁକେରେ 3 ଲକ୍ଷ 03 ହଜାର 110 ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 42 ହଜାର 598ରେ ପହଞ୍ଚିଛି ।

ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 28 ହଜାର 322 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 93 ହଜାର 018 ରହିଛି ।

ପେରୁରେ କରୋନା ସଂକ୍ରମିତ ମାମଲା 2 ଲକ୍ଷ 51 ହଜାର 388 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 7ହଜାର 861 ରହିଛି ।

ସେହିପରି ଇଟାଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34 ହଜାର 610 ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 38 ହଜାର 275ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭାରତ-ଚୀନ୍‌ ସୀମା ସଂଘର୍ଷ : 2 ଓଡିଆ ଯବାନ ଶହୀଦ୍‌

ଲଦାଖ : ଭାରତ-ଚୀନ୍‌ ସୀମାରେ ଘଟିଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏହା ମଧ୍ୟରେ ଦୁଇ ଜଣ ଓଡିଆ ରହିଛନ୍ତି । ଲଦାଖର ଗଲଓ୍ବାନା ଉପତ୍ୟାକାରେ ଘଟିଥିବା ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ଦୁଇ ଯବାନ ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ (28) ଏବଂ ନନ୍ଦୁରାମ ସୋରେନ୍‌ । ରାଇକିଆ ବ୍ଲକ୍‌ର ବିଅରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ 6 ବର୍ଷ ତଳେ ଭାରତୀୟ ସେନାର ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ବିଗତ ଦୁଇ ବର୍ଷ ହେବ ସେ ଲଦାଖରେ କାର୍ଯ୍ୟରତ ଥିଲେ ଏବଂ ଦୁଇ ଦିନ ତଳେ ଶହୀଦ ହୋଇଥିଲେ । ସେହିପରି ଅନ୍ୟତମ ଶହୀଦ ଯବାନ ନନ୍ଦୁରାମଙ୍କ ଘର ରାଇରଙ୍ଗପୁର ବ୍ଲକ୍‌ ବିଜାତଳା ବ୍ଲକ୍‌ ଚମ୍ପାରଦା ଗ୍ରାମରେ । ସେ ମଧ୍ୟ ବିହାର 16 ରେଜିମେଣ୍ଟରେ ଯୋଗ ଦେଇଥିଲେ ।

Categories
ବିଶେଷ ଖବର

ଗଲାୱାନ ଉପତ୍ୟକାରେ ଆମ ସେନାବାହିନୀର ରକ୍ତ ପୁଣିଥରେ ପ୍ରମାଣିତ କରିଛି ଯେ ଚୀନ ସହିତ ମିତ୍ରତା କେବଳ ଏକ ଛଳନା

କେଦାର ମିଶ୍ର

ଗତକାଲି ଯାଏଁ ପୂରା ଦେଶକୁ କୁହା ଯାଉଥିଲା ଯେ, ଚୀନ ଏବଂ ଭାରତ ସୀମାନ୍ତରେ ସବୁ କିଛି ଠିକ ଚାଲିଛି। ଭାରତ ସରକାର, ଆମର ସେନାବାହିନୀ ଏବଂ ଶାସକ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ନୀରବତା ଅବଲମ୍ବନ କରା ଯାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଜୁନ ୬ ତାରିଖ ଦିନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ମଧ୍ୟ କୁହାଗଲା। ତେବେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଭାରତର କେତେଜଣ ପ୍ରତିରକ୍ଷା ସାମ୍ବାଦିକ ବାରମ୍ବାର ସୂଚନା ଦେଇ ଆସୁଥିଲେ ଯେ, ଭାରତ ଚୀନ ମଧ୍ୟରେ ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା (Line of actual control-LAC) କୁ ଅତିକ୍ରମ କରି ଚୀନ ସେନା ଗଲାୱାନ ନଦୀ ଉପତ୍ୟକାରେ ୬୦ ବର୍ଗ କିଲୋମିଟର ଭିତରକୁ ଅନୁପ୍ରବେଶ କରି ସାରିଛନ୍ତି। ପୂର୍ବରୁ ସେନା ବାହିନୀରେ କାମ କରିଥିବା କର୍ଣ୍ଣେଲ ଅଜୟ ଶୁକ୍ଲାଙ୍କ ଭଳି ସାମ୍ବାଦିକ ଯେତେବେଳେ ଏ ପ୍ରସଙ୍ଗ ଉଠାଉଥିଲେ, ସେତେବେଳେ ଦେଶର କେତେକ ଟିଭି ଚାନେଲ ସେମାନଙ୍କୁ କୁତ୍ସିତ ଭାବରେ ବଦନାମ କରିବାକୁ ଚେଷ୍ଟା କରୁଥିଲେ। ଗତକାଲି ହଠାତ ଯେତେବେଳେ ଖବର ଆସିଲା ଯେ ଗଲାୱାନ ଉପତ୍ୟକାରେ ଉଭୟ ସେନା ମଧ୍ୟରେ ଭୟଙ୍କର ମାରପିଟ ଘଟି ଜଣେ ଭାରତୀୟ କଲୋନେଲଙ୍କ ସମେତ ୨୦  ଜଣ ସୈନିକ ପ୍ରାଣ ହରାଇଛନ୍ତି। ଚୀନ ସେନା ରୁ ପ୍ରାୟ ୪୩ ରୁ ଅଧିକ ମୃତାହତ ହୋଇଥିବାର ସୂଚନା ମଧ୍ୟ ରହିଛି।

ଏହି ପୃଷ୍ଠଭୂମିରେ ଆଜିର ବଡ ପ୍ରଶ୍ନ ହେଉଛି, ଯଦି ସବୁ କିଛି ଠିକଠାକ ରହିଥିଲା, ତା ହେଲେ ହଠାତ ଏତେ ବଡ ହିଂସାକାଣ୍ଡ ଘଟିଲା କେମିତି? ଭାରତୀୟ ସେନା ତରଫରୁ କୁହା ଯାଇଛି ଯେ, ସୀମାନ୍ତରେ ଗୁଳି ଫୁଟିନାହିଁ। କେବଳ ଲାଠି ଓ ପଥର ମାଡରେ ଉଭୟ ସେନାବାହିନୀର ଏତେ ସଂଖ୍ୟକ ଅଧିକାରୀ ଓ ଜବାନ ପ୍ରାଣ ହରାଇଛନ୍ତି। କେବଳ ଲାଠି ଓ ପଥର ମାଡରେ ଏତେ ସଂଖ୍ୟକ ପ୍ରାଣ ଚାଲି ଯାଇଛି ବୋଲି ବିଶ୍ଵାସ କରିହେବ କି? ଚୀନ ର ଆକ୍ରାମକ ଉଦ୍ଦେଶ୍ୟକୁ ନେଇ ଅନେକ ଦିନରୁ ପ୍ରତିରକ୍ଷା ବିଶେଷଜ୍ଞମାନେ ସତର୍କ କରାଇ ଆସୁଛନ୍ତି। ହେଲେ ଭାରତ ସରକାରଙ୍କ ତରଫରୁ ଏ ପ୍ରସଙ୍ଗକୁ ଏକ ପ୍ରକାର ଲୁଚାଇବାର ଉଦ୍ୟମ ହୋଇ ଆସୁଛି। ଚୀନ ସହିତ ଆମର କୂଟନୈତିକ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି ବୋଲି ବାରମ୍ବାର କୁହା ଯାଉଥିଲେ ମଧ୍ୟ ଗତକାଲି ଗଲାୱାନ ଉପତ୍ୟକାରେ ଘଟିଥିବା ସାମରିକ ସଂଘର୍ଷ ଅନେକ ପ୍ରଶ୍ନବାଚୀ ଠିଆ କରାଇଛି।

ସାମରିକ ଓ ସୀମାନ୍ତ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ସରକାର ଜାତୀୟ ସହମତି ସୃଷ୍ଟି କରିବା ପରିବର୍ତ୍ତେ ସବୁବେଳେ ମାତ୍ରାଧିକ ଆତ୍ମ ବିଶ୍ବାସର ଛଳନାରେ ବିଶ୍ଵାସ କରି ଆସୁଛନ୍ତି। ଚୀନ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛିଦିନ ତଳେ ଯେଉଁ ପ୍ରଶ୍ନ କରିଥିଲେ, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି। ଦେଶର ସୀମାନ୍ତ ସୁରକ୍ଷା ପ୍ରସଙ୍ଗରେ ଦେଶର ସବୁ ରାଜନୈତିକ ଦଳ ଓ ସବୁ ଲୋକଙ୍କୁ ବିଶ୍ଵାସରେ ନେବା ସରକାରଙ୍କର ନୈତିକ ଦାୟିତ୍ଵ ହେବା ଉଚିତ। ହେଲେ ଏ ପ୍ରସଙ୍ଗରେ ପ୍ରଶ୍ନ ଉପସ୍ଥାପନ କରୁଥିବା ଲୋକଙ୍କୁ ବିଦ୍ରୂପ କରିବାର ଏକ ଅସୁସ୍ଥ ପରମ୍ପରା ବିଜେପି ଆରମ୍ଭ କରିଛି। ଚୀନ ସହିତ ଆମର ସମ୍ପର୍କ ଯେ ଆଦୌ ଉତ୍ତମ ସ୍ଥିତି ରେ ନାହିଁ, ଏ କଥା ମୋଦୀ ସରକାର ମାନିବାକୁ ରାଜି ନୁହନ୍ତି କାହିଁକି?

୧୯୬୨ ଭାରତ – ଚୀନ ଯୁଦ୍ଧ ପରେ ଉଭୟ ଦେଶର ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରାୟତଃ ଶାନ୍ତି ରହି ଆସିଥିଲା। ୧୯୭୫ ରେ ଏହି ଅଞ୍ଚଳରେ କିଛିଟା ଉତ୍ତେଜନା ର ରେକର୍ଡ ରହିଛି। ତା ପରେ ଚୀନ ଓ ଭାରତ ମଧ୍ୟରେ ସୀମାକୁ ନେଇ ସାମରିକ ବିବାଦ ପ୍ରାୟ ନଥିଲା। ହଠାତ ଢୋକଲାମ ପ୍ରସଙ୍ଗରେ ଭାରତ ଓ ଚୀନ ସେନା ପରଷ୍ପରର ମୁହାଁମୁହିଁ ହେଲେ। ତା ପରଠୁ ବିଭିନ୍ନ ସମୟରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ଉତ୍ତେଜନାର ଖବର ଆସିଛି। ତେବେ ଗତ ବର୍ଷ ଅଗଷ୍ଟ ମାସରେ ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ରୁ ଉଚ୍ଛେଦ କରି ଲଦ୍ଦାଖକୁ ଏକ ସ୍ଵତନ୍ତ୍ର କେନ୍ଦ୍ର ଶାସିତ ପ୍ରଦେଶ କରିବା ପରେ, ଏହାକୁ ନେଇ ଲଦ୍ଦାଖ ଅଞ୍ଚଳରେ ଚୀନ ନିଜର ସାମରିକ ଶକ୍ତି ବିସ୍ତାର କରିବା ଆରମ୍ଭ କରିଥିଲା।

ଏହି ପ୍ରସଙ୍ଗରେ ମୂଳରୁ ଭାରତ ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ନାହାନ୍ତି। ଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ସର୍ବମୟ କର୍ତ୍ତା ସି ଜିନ ପିଙ୍ଗଙ୍କୁ ୯ ଥର ଭେଟିଛନ୍ତି। ଉଭୟ ନେତା ପରଷ୍ପର ସହିତ ୪ ଥର ଶିଖର ସମ୍ମିଳନୀ କରିଛନ୍ତି। ଭାରତରେ ଚୀନର ପୁଞ୍ଜି ଲଗାଣ ଓ ଭାରତୀୟ ବଜାରରେ ଚୀନା ସାମାନର ପ୍ରାବଲ୍ୟ ବଢି ଚାଲିଛି। ଏକଦା ଭାରତୀୟ ବଜାରରେ ଚୀନର ବଜାର ଚୀନାମାଟିର କପ-ପ୍ଳେଟ ରେ ଇ ସୀମିତ ରହିଥିଲା। ହେଲେ ଗତ ଦଶ ବର୍ଷରେ ଭାରତୀୟ ବଜାର ମୁଖ୍ୟତଃ ଶସ୍ତା ଚାଇନିଜ ମାଲର ଭୂସ୍ଵର୍ଗ ପାଲଟି ଯାଇଛି।

ଗତକାଲିର ସୀମାନ୍ତ ହତ୍ୟାକାଣ୍ଡ ପରେ ଭାରତ-ଚୀନ ସମ୍ପର୍କ କେଉଁ ଆଡକୁ ଯିବ? ଗଲାୱାନ ଉପତ୍ୟକାରେ ଚୀନର ଅନୁପ୍ରବେଶକୁ ପ୍ରତିହତ କରିବା ଭାରତ ପାଇଁ ଜରୁରୀ ନିଶ୍ଚୟ। ଲଦ୍ଦାଖକୁ ଏକ ବିବଦମାନ ଅଞ୍ଚଳ ଭାବେ ପ୍ରଦର୍ଶିତ କରିବାକୁ ଚୀନ ସୁଚିନ୍ତିତ ଭାବରେ ନିଜର ସାମରିକ ରଣନୀତି ପ୍ରସ୍ତୁତ କରୁଛି। ଏ  କ୍ଷେତ୍ରରେ ଚୀନର ଆଧିପତ୍ୟବାଦୀ ମାନସିକତା ବିରୋଧରେ ଜାତୀୟ ସହମତି ସୃଷ୍ଟି କରି ଭାରତକୁ ଦୃଢ ଜବାବ ଦେବାକୁ ପଡିବ। ଲୁଚାଛପାରେ ବୈଠକ କରି ଏ ସମସ୍ୟାର ସମାଧାନ ସହଜ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଚୀନ୍‌ ସୀମା ସଂଘର୍ଷ : 20 ଭାରତୀୟ ଯବାନ ଏବଂ 43 ଚୀନ୍‌ ଯବାନ ହତାହତ!

ଲଦାଖ : ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏବଂ 43 ଜଣ ଚୀନ୍‌ ଯବାନ ନିହତ ହୋଇଛନ୍ତି । ଲଦାଖର ଗଲଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ସୋମବାର ରାତିରେ ସଂଘର୍ଷ ହୋଇଥିଲା । ମଙ୍ଗଳବାର 3 ଜଣ ଭାରତୀୟ ଯବାନ ଶହୀଦ ହେବାର ଖବର ଆସିଥିଲା । ତେବେ ଚୀନ୍‌ ପକ୍ଷରୁ କୌଣସି ସଂଖ୍ୟା ଦର୍ଶାଯାଇନଥିଲା । ଏହାପରେ ରାତିରେ ଭାରତୀୟ ସେନା ପକ୍ଷରୁ 20 ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ଏହି ଲଢେଇରେ 43ରୁ ଅଧିକ ଚୀନ୍‌ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି । ତେବେ ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । (ଏଜେନ୍ସି)

Categories
ଆଜିର ଖବର

ଭାରତ-ଚୀନ୍‌ ସଂଘର୍ଷରେ 5 ଚୀନ୍‌ ଯବାନ ନିହତ : 11 ଆହତ

ଲଦାଖ : ଲଦଖର ଗଲଓ୍ବାନ୍‌ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ 5 ଜଣ ଚୀନ୍‌ ଯବାନଙ୍କ ପ୍ରାଣହାନି ଘଟିଛି । ସେହିପରି 11 ଜଣ ଚୀନ୍‌ ସୈନ୍ୟ ଆହତ ହୋଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ନେଇ ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଥିବା ବେଳେ ଚୀନ୍‌ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । ତେବେ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ 5 ଜଣ ଚୀନ୍‌ ଯବାନ ପ୍ରାଣ ହରାଇଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ସରକାରୀ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଚୀନ୍‌ ରାଷ୍ଟ୍ରଦୂତ ଭାରତକୁ ସମାଲୋଚନା କରିଥିଲେ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ୍‌କୁ ଟପିଲା ଭାରତ : କରୋନା ପ୍ରଭାବିତ ଦେଶ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ ଦିନକରେ 10 ହଜାର 956 ଆକ୍ରାନ୍ତ ହୋଇଛନ୍ତି । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 97 ହଜାର 535 କୁ ବୃଦ୍ଧି ହୋଇଛି । ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଛି । ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା 2 ଲକ୍ଷ 89 ହଜାର 787 ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା 2 ଲକ୍ଷ 91 ହଜାର 409 ଜଣ । କରୋନା ପ୍ରଭାବିତ ଦେଶ  ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ଋଷିଆ ।

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ୮୯ ହଜାର 701 ଥିବାବେଳେ ମୃତ୍ୟୁ ସଂଖ୍ୟା 1,16ହଜାର 034ରେ ପହଞ୍ଚିଛି । ସେହିପରି ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 5 ହଜାର 649କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 58ରେ ପହଞ୍ଚିଛି  ଓ ଋଷିଆରେ ମୃତ୍ୟୁ ସଂଖ୍ୟା 6,532କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 2 ହଜାର 436କୁ ବୃଦ୍ଧି ହୋଇଛି । ସେହିପରି ଭାରତରେ ମୋଟ୍‌ ମୃତ୍ୟୁ ସଂଖ୍ୟା 8 ହଜାର 498କୁ ବୃଦ୍ଧି ହୋଇଛି । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ 89 ହଜାର 787 ଥିବାବେଳେ ମୃତ୍ୟୁ ସଂଖ୍ୟା 27 ହଜାର 136 ରହିଛି । ବ୍ରିଟେନ୍‌ରେ 2 ଲକ୍ଷ 91 ହଜାର 409 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 279କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ଆଠ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କସଂଖ୍ୟା 2 ଲକ୍ଷ 86 ହଜାର 579କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା 1 ଲକ୍ଷ 37 ହଜାର 448ଟି ଆକ୍ଟିଭ୍‌ କେସ ରହିଛି ।ସେହିପରି 1 ଲକ୍ଷ 41 ହଜାର 29 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 102କୁ ବୃଦ୍ଧି ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 94, 041ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 3,438କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1ହଜାର 347, ଦିଲ୍ଲୀରେ 984, ମଧ୍ୟପ୍ରଦେଶରେ 427 ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

24 ଘଣ୍ଟାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା 8852 : 241 ଜଣଙ୍କ ପ୍ରାଣହାନି

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ସଙ୍କଟମୟ ରୂପ ନେଉଛି କରୋନା । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 8852ଟି ନୂତନ ମାମଲା ସମ୍ମୁଖକୁ ଆସିଥିବା ବେଳେ 5129 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଗତ 24 ଘଣ୍ଟାମ ମଧ୍ୟରେ 241 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 7719ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 74 ହଜାର 780ରେ ପହଞ୍ଚି ଥିବା ବେଳେ 1,34,166 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,32,880ରେ ରହିଛି ।

ସେହିପରି ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 7,185,573ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 8 ହଜାର 954ରେ ପହଞ୍ଚିଛି । ବିଶ୍ବବ୍ୟାପୀ ବର୍ତ୍ତମାନ ସୁଦ୍ଧା 3,352,665 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)