Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ ପଚାଶ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଚୀନ୍‌ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର 213ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍‌ କରିସାରିଥିବାବେଳେ ମୃତ୍ୟୁ ସଂଖ୍ୟା 3, 29, 731ରେ ପହଞ୍ଚିଛି ।

ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ୍‌ ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 15,91,991 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 94 ହଜାର 994ରେ ପହଞ୍ଚିଛି । ସେହିପରି ରୁଷ୍‌ରେ 3,08,705 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,972ରେ ପହଞ୍ଚିଛି ।

କରୋନା ମୃତ୍ୟୁ ସଂଖ୍ୟାରେ ଆମେରିକା ପ୍ରଥମ ଥିବାବେଳେ ଦ୍ବିତୀୟରେ ୟୁକେ ରହିଛି । ଏଠାରେ 2,48, 293 ଜଣ ସଂକ୍ରମିତ ହୋଇଥିବାବେଳେ 35,704 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହା ତଳକୁ ରହିଛି ଇଟାଲୀ । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 2,27,364 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 32, 330ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 28,132 ରହିଥିବାବେଳେ ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 27,888 ରହିଛି ।  ଜର୍ମାନୀରେ 8.270 ଜଣ ପ୍ରାଣ ହରାଇଥିବାବେଳେ ଇରାନ୍‌ରେ 7,183 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଭାରତରେ ଏକ ଲକ୍ଷରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହୋଇଥିବାସ୍ଥଳେ 3434ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟାରେ ଦେଶରେ ୧୪୦ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ ଡାଉନ ଜାରି ରହିଥିବା ସତ୍ତ୍ୱେ ଦେଶରେ କରୋନା ସଂଖ୍ୟା କମିବାର  ନା ଧରୁନାହିଁ।  ଦେଶରେ କରୋନା ଯୋଗୁଁ ମୃତ୍ୟୁ  ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ମାରାତ୍ମକ କରୋନା ଯୋଗୁଁ  ଏବେ ସୁଦ୍ଧା ଦେଶରେ ୧ ଲକ୍ଷ ୬ ହଜାର ୭୫୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୧ ହଜାର ୧୪୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ହଜାର ୨୯୭ ଜଣ।

ବିଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୧୧ ଜଣ  ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ।

ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ୩୭ ହଜାର ୧୩୬ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୩୨୫ ଜଣକର ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ ୭୧୯, ମଧ୍ୟପ୍ରଦେଶରେ ୨୫୮,  ପଶ୍ଚିମବଙ୍ଗରେ ୨୫୦  ଜଣ ରାଜସ୍ଥାନରେ ୧୪୩, ଦିଲ୍ଲୀରେ ୧୬୮, ଉତ୍ତରପ୍ରଦେଶ ରେ ୧୨୩, ତାମିଲନାଡୁରେ ୮୪, ଆନ୍ଧ୍ରପ୍ରଦେଶ ରେ ୫୨, ତେଲେଙ୍ଗାନା ରେ ୩୮, କର୍ନାଟକ ରେ ୪୦, ପଞ୍ଜାବରେ ୩୮, ଜାମ୍ମୁକାଶ୍ମୀରରେ ୧୭, ହରିୟଣାରେ ୧୪, ବିହାରରେ ୯, କେରଳରେ ୪, ଝାରଖଣ୍ଡରେ ୩, ଓଡିଶାରେ ୬, ଚଣ୍ଡୀଗଡ଼ରେ ୩, ହିମାଚଳ ପ୍ରଦେଶରେ ୩, ଆସାମରେ ୪ ଓ ମେଘାଳୟରେ ଜଣଙ୍କର  ମୃତ୍ୟୁ ହୋଇଛି।

 

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

90 ହଜାର ଡେଇଁଲା ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : 2872 ମୃତ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି ।

ବିଗତ 24 ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟାରେ 90269 ବୃଦ୍ଧି ଘଟିବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4.63 ମିଲିୟନ୍‌ରେ ପହଞ୍ଚିଛି । ସେହିପରି 3073 ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 11 ହଜାର ଅତିକ୍ରମ କରିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାକିର ନାଏକର ଟିଭି ଚ୍ୟାନେଲ୍‌ ଉପରେ 3ଲକ୍ଷ ପାଉଣ୍ଡର ଜରିମାନା

ଲଣ୍ଡନ/ନୂଆଦିଲ୍ଲୀ : ଇସଲାମିକ୍‌ ଧର୍ମଗୁରୁ ତଥା ପ୍ରବକ୍ତା ଜାକିର ନାଏକର ଟିଭି ଚ୍ୟାନେଲ ଉପରେ 3 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ୟୁକେରେ ଜାକିର୍‌ ନାଏକର ଦୁଇ ଚ୍ୟାନେଲ ପିସ୍‌ ଟିଭି ଏବଂ ପିସ୍ ଟିଭି ଉର୍ଦ୍ଦୁ ଉପରେ ଏହି ଜରିମାନା ଲାଗୁ କରାଯାଇଛି । ଘୃଣାଭରା ଭାଷଣ କାରଣରୁ ୟୁକେର ସଂସ୍ଥା ଅଫ୍‌କମ୍‌ ପକ୍ଷରୁ 3 ଲକ୍ଷ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ 2.75 କୋଟି ଟଙ୍କାର ଜରିମାନା ଲଗାଇଛି । ପିସ୍‌ ଟିଭିକୁ 1 ଲକ୍ଷ ପାଉଣ୍ଡ ଏବଂ ପିସ୍‌ ଟିଭି ଉର୍ଦ୍ଦୁକୁ 2 ଲକ୍ଷ ପାଉଣ୍ଡର ଜରିମାନା ଲଗାଯାଇଛି । ଘୃଣା ଭରା ଭାଷଣ ଏବଂ ହତ୍ୟା ପରି ଜିନିଷ ବାରମ୍ବାର ଦେଖାଉଥିବାରୁ ପିସ୍ ଟିଭି ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପିସ୍ ଟିଭିର ମାଲିକ ଜାକିର ନାଏକ ଉଭୟ ଭାରତ ଏବଂ ବାଂଲାଦେଶର ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ । ଉଭୟ ଦେଶରେ ଜାକିର ବିରୋଧରେ ଆତଙ୍କବାଦ ଏବଂ ଅର୍ଥ ହେରଫେରର ଅଭିଯୋଗ ରହିଥିବା ବେଳେ ସେ ମାଲେସିଆରେ ଆତ୍ମଗୋପନ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ ଭାରତକୁ ବିଶ୍ବବ୍ୟାଙ୍କ ଦେବ 1 ବିଲିୟନ ଡଲାର

ନୂଆଦିଲ୍ଲୀ : ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ଏକ ବିଲିୟନ ଡଲାର ପ୍ୟାକେଜର ଘୋଷଣା କରାଯାଇଛି। ସାମାଜିକ ନିରାପତ୍ତା ପ୍ୟାକେ୍ଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ।

ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ  ଏହି ପ୍ୟାକେଜ୍‌ ବଳରେ ସହରାଞ୍ଚଳ ଗରିବ ଓ ଗ୍ରାମାଞ୍ଚଳ ଗରିବଙ୍କ ସାମାଜିକ ସୁରକ୍ଷାକୁ ସମତୁଲ କରିବାରେ ସହାୟକ ହେବ। ଏହି 100 କୋଟି ଡଲାର ସରକାର ପ୍ରଚଳିତ କରିଥିବା ଯୋଜନାଗୁଡିକୁ ଅଧିକ ସୁନିଶ୍ଚିତ ଏବଂ ସକ୍ରିୟ କରିବ। ଏହି ପ୍ୟାକେଜ୍‌ ବଳରେ ପିଡିଏସ୍‌, ଜନଧନ ଓ ଏମ୍‌ଜି ନରେଗା ଭଳି ଯୋଜନା ଉପରେ ଅଧିକ ଫୋକସ୍‌ କରାଯିବ। କରୋନାସଂକଟ ମଧ୍ୟରେ ଏହି ପ୍ୟାକେଜ୍‌ ଜରିଆରେ ଲୋକଙ୍କୁ ଅଧିକ ପରିମାଣର ନଗଦ ଟଙ୍କା ଓ ଖାଦ୍ୟ ମିଳିପାରିବ। ବିଶେଷକରି ଗରିବଙ୍କ ସୁରକ୍ଷା ପାଇ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି।

ଏହି ପ୍ୟାକେଜ୍‌ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ଓ କୋଭିଡ୍‌-19 ହସ୍ପିଟାଲର ଉନ୍ନତୀକରଣ ଓ ଲ୍ୟାବ୍‌ ପ୍ରସ୍ତୁତ ପାଇଁ ବିନିଯୋଗ କରାଯିବ। ଓ୍ବାର୍ଲ୍ଡ ବ୍ୟାଙ୍କ ପ୍ରଥମେ 25ଟି ବିକାଶଶୀଳ ଦେଶକୁ ପ୍ୟାକେଜ୍‌ ଦେବା ପାଇଁ ପ୍ରସ୍ତାବ କରିଛନ୍ତି।

ଏହାପୂର୍ବରୁ କରୋନା ସହ ଲଢିବା ପାଇଁ ଭାରତକୁ ବ୍ରିକ୍ସ ଦେଶଗୁଡିକର ନୂତନ ବିକାଶ ବ୍ୟାଙ୍କ (ଏନଡିବି) ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ରାଶି ଘୋଷଣା କରିଥିଲା । ସେହିପରି ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତକୁ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଥିଲା । ଏହି ବ୍ୟାଙ୍କ୍ କହିଥିଲା ଯେ, କୋଭିଡ -19ର ପ୍ରସାରକୁ ରୋକିବାରେ ସହାୟତା ମିଳିବ ଏବଂ କରୋନା ଭାଇରସ୍ ମହାମାରୀ ଦ୍ବାରା ହେବାକୁ ଥିବା ମାନବିକ, ସାମାଜିକ ତଥା ଅର୍ଥନୈତିକ କ୍ଷତି ହ୍ରାସ କରିବାରେ ଏହି ଋଣ ଦିଆଯାଉଛି ।

କରୋନା ନିୟନ୍ତ୍ରଣ ପାଇଁ ଭାରତ ସରକାର ଲକ୍‌ଡାଉନ୍‌ କରିଛନ୍ତି। ସରକାର ଏକ ଲକ୍ଷ ସତୁରୀ ହଜାର କୋଟିର ଗରିବ କଲ୍ୟାଣ ପ୍ୟାକେଜ୍‌ର ମଧ୍ୟ ଘୋଷଣା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ 20 ଲକ୍ଷ କୋଟି ପ୍ୟାକେଜ୍‌ର ଘୋଷଣା ମଧ୍ୟ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆତ୍ମନିର୍ଭରଶୀଳ ଭାରତ ପାଇଁ 5ଟି ସ୍ତମ୍ବ ଉପରେ ଗୁରୁତ୍ବ ଦେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧିତ କରି 20 ଲକ୍ଷ କୋଟିର ଏକ ବିଶେଷ ପ୍ୟାକେଜର ଘୋଷଣା କରିଛନ୍ତି । ଏହା ସହିତ ଭାରତକୁ ଆତ୍ମ ନିର୍ଭରଶୀଳ ହେବାକୁ ଗୁରୁତ୍ବାରୋପ କରିଛନ୍ତି । ପାଞ୍ଚୋଟି ସ୍ତମ୍ବ ଉପରେ ଆତ୍ମ ନିର୍ଭର ଭାରତ ସୁଦୃଢ ରହି ପାରିବ ବୋଲି କହିଛନ୍ତି ମୋଦି । ସେହି ପାଞ୍ଚୋଟି ସ୍ତମ୍ବ ବା ପିଲାର୍‌ ହେଉଛି –

  1. ଅର୍ଥନୀତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢାଇବାକୁ ପଡିବ । କେବଳ ଦ୍ରୁତ ଗତି ନୁହେଁ ବରଂ କ୍ବାଣ୍ଟମ୍‌ ଜମ୍ପ୍‌ ଲଗାଇବାକୁ ପଡିବ ବୋଲି କହିଛନ୍ତି ମୋଦି ।
  2. ଇନ୍‌ଫାଷ୍ଟ୍ରକ୍ଚର (ଭିତ୍ତିଭୂମି) : ଦେଶରେ ଏପରି ଇନ୍‌ଫାଷ୍ଟ୍ରକଚର ବା ଭିତ୍ତିଭୂମି ପ୍ରସ୍ତୁତ ହେବ, ଯାହା ଆଧୁନିକ ହେବା ସହିତ ଦେଶକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
  3. ସିଷ୍ଟମ (ବ୍ୟବସ୍ଥା ) : ଆମକୁ ଏପରି ଏକ ସିଷ୍ଟମ୍‌ ପ୍ରସ୍ତୁତ କରିବାକୁ ପଡିବ, ଯାହା ଦେଶର ଏକବିଂଶ ଶତାବ୍ଦୀର ସ୍ବପ୍ନକୁ ସାକାର କରିବ ।
  4. ଡେମୋଗ୍ରାଫି : ଆମ ଦେଶ ହେଉଛି ଯୁବକଙ୍କ ଦେଶ । ଏହାହିଁ ଆମର ଶକ୍ତିର ଉତ୍ସ , ଯେଉଁମାନେ ଆମ ଦେଶକୁ ଆଗକୁ ବଢାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ମୋଦି ।
  5. ଡିମାଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବିଶ୍ୱ ପାଇଁ ଏକ ବଜାର ଏବଂ ସର୍ବାଧିକ ଚାହିଦା କ୍ଷେତ୍ର, ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ଆବଶ୍ୟକ। ଅର୍ଥବ୍ୟବସ୍ଥାରେ ଡିମାଣ୍ଡ ଓ ସପ୍ଲାଇର ଚେନ୍‌ର ଯେଉଁ ଚକ୍ର ଅଛି, ତାହା ହେଉଛି ଆମର ଶକ୍ତି । ଏହି କ୍ଷମତାକୁ ସଠିକ ରୂପେ ବ୍ୟବହାର କରିବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।
Categories
ଆଜିର ଖବର ଜାତୀୟ ଖବର

ସିକ୍କିମ୍‌ ସୀମାରେ ପରସ୍ପର ସହିତ ଲଢିଲେ ଭାରତ ଏବଂ ଚୀନ୍‌ ସେନା : 11 ଆହତ

ଗାଙ୍ଗଟକ୍‌ : ସିକ୍କିମ୍‌ ସୀମାରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ଝଗଡା ଲାଗିଛି । ରବିବାର ଲାଗିଥିବା ଏହି ଝଗଡାରେ ଉଭୟ ପକ୍ଷର ପ୍ରାୟ 11 ଜଣ ଯବାନ ଆହତ ହୋଇଛନ୍ତି । ରବିବାର କୌଣସି କାରଣରୁ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ଲାଗିବା କାରଣରୁ 4 ଜଣ ଭାରତୀୟ ଯବାନ ଏବଂ 7 ଜଣ ଚୀନ୍‌ ଯବାନ ଆହତ ହୋଇଛନ୍ତି । ନାକୁ ଲା ନିୟନ୍ତ୍ରଣ ରେଖା ନିକଟରେ ଉଭୟ ପକ୍ଷର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଏହି ଝଗଡା ଆରମ୍ଭ ହୋଇଥିଲା । 5 ହଜାର ମିଟରର ଏହି ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିବା ସହିତ ହାତହାତି ଯାଏଁ କଥା ଯାଇଥିଲା । ପ୍ରାୟ 150ରୁ ଅଧିକ ସେନା ପରସ୍ପର ସହିତ ଲଢେଇ କରିଥିଲେ । ଉଲ୍ଳେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରାଓ୍ବଣେଙ୍କ ଗସ୍ତ ପରଠାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନରାଓ୍ବଣେ ସୁକ୍‌ନା, ବିନ୍ନାଗୁରୀ ଏବଂ ପାନାଗଡ ନିୟନ୍ତ୍ରଣ ରେଖା ଭ୍ରମଣ କରିଥିଲେ । 2017 ମସିହାରେ ମଧ୍ୟ ଉଭୟ ପକ୍ଷର ସେନା ପରସ୍ପରକୁ ପଥର ଫିଙ୍ଗି ଆକ୍ରମଣ କରିଥିଲେ ।

Categories
ବିଶେଷ ଖବର

ଭାରତରେ ପ୍ରେସ ସ୍ୱାଧୀନତାର ସ୍ଥିତି, ବିଶ୍ବର ମୋଟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଲା ୧୪୨

ବିଜନ କୁମାର ମହାପାତ୍ର

ଭାରତୀୟ ଗଣତନ୍ତ୍ରରେ ପ୍ରେସ୍ ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ। ଏକ ସୁସ୍ଥ ଓ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ପ୍ରେସ୍‌ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଗଣତନ୍ତ୍ରରେ ପ୍ରେସ୍ ସ୍ୱାଧୀନତାକୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ସ୍ୱାଧୀନତାକୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଛି। କିନ୍ତୁ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ଭାରତ ଆଜି ବି ବହୁ ପଛରେ ପଡିଛି। ପ୍ୟାରିସ ସ୍ଥିତ ସଂସ୍ଥା ରିପୋର୍ଟର୍ସ ଓ୍ବିଥ୍ ଆଉଟ୍ ବର୍ଡର୍ସ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟ ଅନୁସାରେ ଭାରତରେ ପ୍ରେସ ସ୍ୱାଧୀନତାର ସ୍ଥିତି ଅତି ନିରାଶାଜନକ। ସଂସ୍ଥାର ୨୦୨୦ ରିପୋର୍ଟ ଅନୁସାରେ ଭାରତ ପ୍ରେସ ସ୍ୱାଧୀନତା ସୂଚୀରେ ଆଉ ଦୁଇ ସ୍ଥାନ ତଳକୁ ଖସିଛି। ମୋଟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଲା ୧୪୨। ୨୦୧୭ରେ ଭାରତ ୧୩୬, ୨୦୧୮ରେ ୧୩୮ ଓ ୨୦୧୯ରେ ୧୪୦ତମ ସ୍ଥାନରେ ଥିଲା ।

ସଂସ୍ଥାର ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କ’ ସଂପର୍କିତ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ୨୦୧୯ରେ କୌଣସି ସାମ୍ବାଦିକ ହତ୍ୟାର ଶୀକାର ହୋଇ ନ ଥିବାରୁ ସେମାନଙ୍କ ସୁରକ୍ଷା ସ୍ଥିତିରେ ଉନ୍ନତି ଆସିଛି। କାରଣ ୨୦୧୮ରେ ୬ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ସ୍ଥିତିରେ ଉନ୍ନତି ଆସିବା ପରେ ବି ଭାରତରେ ପ୍ରେସ୍ ସ୍ୱାଧୀନତାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ଭାରତ ଆହୁରି ଖସିବାର ଏକ କାରଣ ରହିଛି। ରିପୋର୍ଟର୍ସ ଓ୍ବିଥ୍ ଆଉଟ୍ ବର୍ଡର୍ସରେ ବାର୍ଷକ ରିପୋର୍ଟ ଅନୁସାରେ ଗତବର୍ଷ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଗଲା ପରେ ସେଠାରେ ସାମ୍ବାଦିକଙ୍କ ପାଇଁ ବିଭିନ୍ନ କଠୋର କଟକଣା ଲାଗୁ କରାଯାଇଥିଲା । ଯାହା ଦ୍ୱାରା କି ସେଠାରୁ ରିପୋର୍ଟିଂ କରିବାରେ ମିଡିଆକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, କାଶ୍ମୀରରେ ମିଡିଆ ଉପରେ କଟକଣା ଯୋଗୁଁ ହିଁ ଭାରତର ପ୍ରେସ ସ୍ୱାଧୀନତା ରାକିଂ ବିଶେଷ ପ୍ରଭାବିତ ହୋଇଛି।

ତେବେ, ଭାରତରେ ପ୍ରେସ ସ୍ୱାଧୀନତା ବାରମ୍ବାର ବିପନ୍ନ ହୋଇଛି ବୋଲି ସଂସ୍ଥାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାମ୍ବାଦିକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ, ରାଜନୈତିକ କର୍ମୀଙ୍କ ଆକ୍ରମଣ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଆକ୍ରୋଶମୂଳକ ହିଂସା ଭାରତରେ ପ୍ରେସ୍ ସ୍ୱାଧୀନତାକୁ ବିପନ୍ନ କରିଛି ବୋଲି କୁହାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ରିପୋର୍ଟିଂ ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୋଲିସ ହିଂସାର ସାମନା କରିବାକୁ ପଡୁଛି। ସାମ୍ବାଦିକଙ୍କ ଉପରେ ରାଜନୈତିକ ଦଳର କର୍ମୀ ଓ ଅପରାଧୀମାନେ ଆକ୍ରମଣ କରିଛନ୍ତି। ଏଥିସହ ଭ୍ରଷ୍ଟ ଅଧିକାରୀମାନଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ଅପମାନିତ କରାଯାଇଛି ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କ ୨୦୨୦ରେ ସମଗ୍ର ବିଶ୍ୱରେ ସାମ୍ବାଦିକଙ୍କ ସ୍ଥିତି ଅନୁଧ୍ୟାନ କରାଯାଇଛି। ସାମ୍ବାଦିକମାନଙ୍କ ବିରୋଧରେ ବିଦ୍ୱେଷ ହିଂସାରେ ପରିଣତ ହୋଇଛି।

ରିପୋର୍ଟର୍ସ ଓ୍ବିଥ୍‌ ଆଉଟ୍ ବର୍ଡର୍ସର ୨୦୧୯ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କ ରିପୋର୍ଟରେ ମଧ୍ୟ ଭାରତରେ ସାମ୍ବାଦିକଙ୍କ ଦୁଃସ୍ଥିତି ସଂପର୍କରେ ବର୍ଣ୍ଣନା କରାଯାଇଥିଲା। ଭାରତରେ ସାମ୍ବାଦିକମାନେ ଅନେକ ପ୍ରକାର ବିପଦର ସମ୍ମୁଖୀନ ହୁଅନ୍ତି ବୋଲି ୨୦୧୯ ରିପୋର୍ଟରେ ସ୍ପଷ୍ଟ କୁହାଯାଇଥିଲା। ବିଶେଷ କରି ଗ୍ରାମାଂଚଳରେ ବିଭିନ୍ନ ଆଂଚଳିକ ସମ୍ବାଦପତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବିପଦର ସମ୍ମୁଖୀନ ହେଉଥିବା ଗତବର୍ଷର ରିପୋର୍ଟରେ କୁହାଯାଇଥିଲା। ଏହାଛଡା, ଭାରତରେ ହିନ୍ଦୁତ୍ୱ ବିଚାରଧାରା ବିରୋଧରେ କହୁଥିବା ବା ଲେଖୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଘୃଣିତ ଅଭିଯାନ ନେଇ ରିପୋର୍ଟରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା।

ରିପୋର୍ଟର୍ସ ଓ୍ବିଥ୍ ଆଉଟ ବର୍ଡର୍ସ ସଂସ୍ଥାର ପ୍ରେସ ସ୍ୱାଧୀନତା ସୂଚକାଙ୍କ ରିପୋର୍ଟରେ ପ୍ରତିବର୍ଷ ୧୮୦ଟି ଦେଶର ତାଲିକା ରହିଥାଏ। ବର୍ଷସାରା ଏସବୁ ଦେଶର ପ୍ରେସ ଗତିବିଧି ଉପରେ ଟିକିନିଖି ଅନୁଧ୍ୟାନ କଲା ପରେ ରିପୋର୍ଟ ପ୍ରସ୍ତୁତ କରିଥାଏ ସଂସ୍ଥା। ସଂସ୍ଥାର ୨୦୨୦ ରିପୋର୍ଟରେ ନରୱେ ପ୍ରେସ ସ୍ୱାଧୀନତା ମାମଲାରେ ଲଗାତର ଚତୁର୍ଥ ବର୍ଷ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଉତର କୋରିଆ ସବ ର୍ର୍ନିମ୍ନ ବା ୧୮୦ ତମ ସ୍ଥାନରେ ରହିଛି। ତାଲିକାରେ ଫିନଲାଣ୍ଡ ଦ୍ୱିତୀୟ , ଡେନମାର୍କ ତୃତୀୟ, ସ୍ୱିଡେନ ଚତୁର୍ଥ, ନେଦରଲାଣ୍ଡସ୍ ପଂଚମ, ଜାମାଇକା ଷଷ୍ଠ, କୋଷ୍ଟାରିକା ସପ୍ତମ, ଅଷ୍ଟମରେ ସ୍ୱିଜରଲାଣ୍ଡ, ନବମରେ ନ୍ୟୁଜିଲାଣ୍ଡ, ଦଶମରେ ପର୍ତୁଗାଲ ଓ ଏକାଦଶ ସ୍ଥାନରେ ଜର୍ମାନୀ ରହିଛି। ସଂସ୍ଥାର ସର୍ଭେ ଅନୁସାରେ ଫ୍ରାନ୍ସ ୩୪, ବ୍ରିଟେନ ୩୫ ଓ ଆମେରିକା ୪୫ତମ ସ୍ଥାନରେ ରହିଛି। ଜାପାନର ସ୍ଥାନ ୬୬ ରହିଥିବା ବେଳେ ବ୍ରାଜିଲର ସ୍ଥାନ ହେଲା ୧୦୭।

କୋରୋନା ମହାମାରୀ ଯୋଗୁଁ ସାରାବିଶ୍ୱରେ ଆକ୍ରୋଶର ଶୀକାର ହୋଇଥିବା ଚୀନ ପ୍ରେସ ସ୍ୱାଧୀନାତ ସୂଚକାଙ୍କ ୨୦୨୦ ତାଲିକାର ୧୭୭ତମ ସ୍ଥାନରେ ରହିଛି। ଭାରତ ତାଲିକାର ୧୪୨ତମ ସ୍ଥାନରେ ଥିଲା ବେଳେ ଦକ୍ଷିଣ ଏସିଆର ଅନ୍ୟଦେଶମାନଙ୍କ ମଧ୍ୟରେ ପାକିସ୍ତାନ ୧୪୫ ଓ ବାଂଲାଦେଶ ୧୫୧ ସ୍ଥାନରେ ରହିଛି । ମାଳଦ୍ୱୀପର ପ୍ରଦର୍ଶନ ଦକ୍ଷିଣ ଏସିଆ ଦେଶମାନଙ୍କ ମଧ୍ୟରେ ଉନ୍ନତ ରହିଛି। ମାଳଦ୍ୱୀପ ୭୯ତମ ସ୍ଥାନରେ ଥିଲା ବେଳେ ନେପାଳ ୧୧୨, ଆଫଗାନିସ୍ତାନ ୧୨୨ ଓ ଶ୍ରୀଲଙ୍କା ୧୨୭ ସ୍ଥାନରେ ରହିଛି। ରିପୋର୍ଟର୍ସ ଓ୍ବିଥ୍ ଆଉଟ ବର୍ଡର୍ସ ସଂସ୍ଥାର ରିପୋର୍ଟ ଅନୁସାରେ ଦକ୍ଷିଣ ଏସିଆରେ ପ୍ରେସ ସ୍ୱାଧୀନତା ହାର ନିରାଶାଜନକ।

ରିପୋର୍ଟର୍ସ ଓ୍ବିଥ୍ ଆଉଟ ବର୍ଡର୍ସ ସଂସ୍ଥା ୧୯୮୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ରବର୍ଡ ମେନାର୍ଡ ଥିଲେ ସଂସ୍ଥାର ପ୍ରତିଷ୍ଠାତା। ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ୟାରିସରେ ରହିଛି । ଏହାଛଡା ଜେନେଭା, ବ୍ରସେଲସ, ବର୍ଲିନ, ଷ୍ଟକହୋମ୍ , ମାଦ୍ରିଦ, ରୋମ ଓ ଅନ୍ୟାନ୍ୟ ସହରରେ ସଂସ୍ଥାର ଆଂଚଳିକ କାର୍ଯ୍ୟାଳୟ ମଧ୍ୟ ରହିଛି। ସଂସ୍ଥା ବିଶ୍ୱବ୍ୟାପୀ ମିଡିଆ ବିରୋଧରେ ହେଉଥିବା ଆକ୍ରମଣ ଉପରେ ନଜର ରଖିବା ସହ ବିଭିନ୍ନ ଦେଶର ସରକାରଙ୍କ ସହ ମିଶି ପ୍ରେସ ସ୍ୱାଧୀନତା ନିଶ୍ଚିତ କରିବାକୁ କାର୍ଯ୍ୟ କରିଥାଏ।

Categories
ଆଜିର ଖବର ଖେଳ

ଭାରତକୁ ଗାଦିଚ୍ୟୁତ କରି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଭାରତୀୟ ଦଳକୁ ଗାଦିଚ୍ୟୁତ କରି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଏକ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିଥିବା ବେଳେ ପ୍ରଥମ ଦୁଇ ସ୍ଥାନ ଅଧିକାର କରି ନେଇଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ । ବର୍ତ୍ତମାନ ସମସ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିବା ବେଳେ 2016-17ର ପ୍ରଦର୍ଶନକୁ ଚଳିତ ରାଙ୍କିଂରୁ ବାଦ ଦିଆଯାଇଛି । ଅଷ୍ଟ୍ରେଲିଆ 116 ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 115 ପଏଣ୍ଟ ଏବଂ ଭାରତ 114 ପଏଣ୍ଟରେ ରହିଛି ।

ଦିନିକିଆରେ ବିଶ୍ବ ଚାମ୍ପିୟନ୍‌ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ 127 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ 119 ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ 116 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି ।

ସେହିପରି ଟି20ରେ ପ୍ରଥମ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ପାକିସ୍ତାନକୁ ପଛରେ ପକାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଇଂଲଣ୍ଡ ଓ ଭାରତ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଥିବା ପାକିସ୍ତାନ ଚତୁର୍ଥ ସ୍ଥାନକୁ ଖସି ଆସିଛି ।

Categories
ବିଶେଷ ଖବର

କ୍ରମଶଃ କୋହଳ ହେଉଥିବା ଲକ ଡାଉନ, ହେଲେ ମଇ ୩ ପରେ ଲକ ଡାଉନ ସଂପୂର୍ଣ୍ଣ କୋହଳ ହୋଇ ପାରିବ କି?

କେଦାର ମିଶ୍ର

ଯେତେବେଳେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶରେ ତିନି ସପ୍ତାହ ଲାଗି ଲକ ଡାଉନ ଘୋଷଣା କରିଥିଲେ, ସେତେବେଳେ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା ଯେ, ଏପ୍ରିଲ ୧୩ ତାରିଖରେ ଏହା ସତରେ ଉଠିବ କି। ଗଣମାଧ୍ୟମର ଏ ପ୍ରକାର ପ୍ରଶ୍ନ ଅବାନ୍ତର ଓ ଆଗକୁ ଲକ ଡାଉନ ବଢିବାର ନାହିଁ ସେତେବେଳେ ଭାରତ ସରକାରଙ୍କର କ୍ୟାବିନେଟ ସେକ୍ରେଟାରୀ ଏକ ବକ୍ତବ୍ୟ ରଖିଥିଲେ। ତେବେ ସମୟ କ୍ରମେ ଆମେ ଦେଖିଲୁ କ୍ୟାବିନେଟ ସେକ୍ରେଟାରୀଙ୍କ କଥା ଭୁଲ ସାବ୍ୟସ୍ତ ହେଲା ଓ ଲକ ଡାଉନ ର ସମୟ ସୀମା ବଢିଲା। ଲକ ଡାଉନକୁ ଦ୍ଵିତୀୟ ପର୍ୟାୟରେ ବଢାଇବାକୁ ଗଲାବେଳେ କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ମାନଙ୍କର ପରାମର୍ଶକୁ ଗୁରୁତ୍ଵ ଦେଉଥିବାର କଥା କହିଥିଲେ। କାରଣ କେନ୍ଦ୍ର ସରକାରଙ୍କ ପୂର୍ବରୁ ପ୍ରଥମେ ଓଡିଶା ଲକ ଡାଉନର ସମୟସୀମାକୁ  ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ସାରିଥିଲେ। ଓଡିଶା ପରେ ପଞ୍ଜାବ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ମଧ୍ୟ ଲକ ଡାଉନ ର ସମୟସୀମା ବଢାଇ ସାରିଥିଲେ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟମାନଙ୍କ ଠାରୁ ଆଉ ତିନ ଦିନ ଅଧିକ ସମୟ ଲକ ଡାଉନ ବଢାଇଥିଲେ।

ତେବେ ଗତକାଲିଠୁ ଜାତୀୟ ସ୍ତରରେ ଲକ ଡାଉନର କିଛି ନିୟମ ବିଭିନ୍ନ ଅଞ୍ଚଳରେ କୋହଳ କରିବା ଆରମ୍ଭ କରିଛନ୍ତି। କୃଷି ଓ ପଶୁ ପାଳନ କାମକୁ ପ୍ରଥମେ ଲକ ଡାଉନରୁ ବାଦ ଦିଆ ଯାଇଛି। ଗ୍ରାମାଞ୍ଚଳରେ ନିର୍ମାଣ କାମ ହୋଇପାରିବ ଏବଂ ମହାତ୍ମାଗାନ୍ଧି ନରେଗା କାମ ମଧ୍ୟ ଆରମ୍ଭ ହୋଇପାରିବ ବୋଲି କୁହାଯାଉଛି। ଯେଉଁ ଜିଲ୍ଲା ଗୁଡିକରେ ଏପର୍ୟନ୍ତ କରୋନା ଭୂତାଣୁ ଚିହ୍ନଟ ହୋଇ ନାହାନ୍ତି ସେହି ସବୁ ଜିଲ୍ଲାରେ ଲକ ଡାଉନ ଆଂଶିକ କୋହଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଆଂଶିକ ପ୍ରକ୍ରିୟାରେ ଆମର ଅର୍ଥନୀତି ପୁରୁଣା ଗତି ଫେରି ପାଇବ କି? ଲକ ଡାଉନ ଫଳରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଭିତରେ ସୀମିତ ରହିଛି। ଲକ ଡାଉନ ସୀମା ଥରେ ଡେଇଁଲେ ଏହି ସଂଖ୍ୟା ଲକ୍ଷେ ରେ ପହଞ୍ଚିଯିବ ବୋଲି ଆଶଙ୍କା ରହିଛି।

ତେବେ ଆଗକୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ଆମେ ଲକ ଡାଉନ ବ୍ୟବସ୍ଥାକୁ ଗ୍ରହଣ କରି ପାରିବା କି? କିଛି ବୈଜ୍ଞାନିକ ଏବେ କହିଲେଣି କୋବିଡ୧୯ ଟୀକା ନ ବାହାରିବା ପର୍ୟନ୍ତଲକ ଡାଉନ ଜରୁରୀ ଓ ଏହା ୨ ବର୍ଷ ସମୟ ମଧ୍ୟ ଲାଗିପାରେ। ବାସ୍ତବରେ ଏତେ ସମୟ ଧରି ଲୋକଙ୍କୁ ତାଲା ବନ୍ଦ କରି ରଖିବା ସମ୍ଭବପର ନୁହେଁ। ଭାରତ ର ପୃଷ୍ଠଭୂମିରେ ଲକ ଡାଉନର ସୀମା ତଥା ପ୍ରଭାବ ବିଷୟରେ ଆଲୋଚନା କଲାବେଳେ ଆମକୁ ଅନେକ ଜଟିଳ ପ୍ରଶ୍ନକୁ ସାମ୍ନା କରିବାକୁ ପଡିବ।

ଗତକାଲି ସୁଦ୍ଧା ଦେଶରେ ୧୮,୦୦୦ + କରୋନା ଆକ୍ରାନ୍ତ ରହିଥିଲେ ଓ ସେମାନଙ୍କ ମଧ୍ୟରୁ ୫୬୭ ଜଣ ମୃତ୍ୟୁ ବରଣ କରିଥିଲେ। ତେବେ ଦେଶର ସର୍ବାଧିକ ଆକ୍ରାନ୍ତ କେବଳ ବଡ ବଡ ମହାନଗରୀ ରେ ହିଁ ରହିଛନ୍ତି। ଗତକାଲି ସୁଦ୍ଧା ମୁମ୍ବାଇ ରେ ୨୪୫୫, ଦିଲ୍ଲୀରେ ୨୦୮୧, ଅହମଦାବାଦରେ ୧୨୪୮, ସୁରତରେ ୨୬୯, ଜୟପୁରରେ ୫୮୫, ଇନ୍ଦୋରରେ ୮୪୧,ପୁନେ ରେ ୫୯୧,ଚେନ୍ନାଇରେ ୨୯୦, ଆଗ୍ରାରେ ୨୪୨,ଲକ୍ଷ୍ନୌରେ ୧୬୨, ହାଇଦ୍ରାବାଦରେ ୪୮୬, ବେଙ୍ଗାଲୁରୁରେ ୧୦୦, ଶ୍ରୀନଗରରେ ୭୮ ଓ ଭୁବନେଶ୍ବରରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୭୫ ଭାଗ କେବଳ ମହାନଗର ଗୁଡିକରେ ଚିହ୍ନଟ ହୋଇଛନ୍ତି। ସହରୀ ଓ ଗ୍ରାମୀଣ ଭେଦରେ ଏହି ଅନୁପାତ ପ୍ରାୟ ୯୫;୫ ହେବ। ମୂଳତଃ ଏହା ସହରୀ ଜୀବନକୁ ବେଶୀ ଆକ୍ରାନ୍ତ କରୁଥିବାରୁ ଗ୍ରାମୀଣ ଜୀବନରେ ତାଲାବନ୍ଦ କରି ରଖିବାର ବିଶେଷ କିଛି କାରଣ ନାହିଁ।

ତେବେ ଦେଶର ଅର୍ଥନୀତି ଅଧିକରୁ ଅଧିକ ସହରକୈନ୍ଦ୍ରିକ ହୋଇଥିବାରୁ ଆଗାମୀ ଦିନରେ ଲକ ଡାଉନର ଅପଚ୍ଛାୟା ସହର ଗୁଡିକ ଉପରେ ଅଧିକ ପଡିବ। ମଇ ୩ ତାରିଖ ପରେ ହୁଏତ ବାକି ଭାରତରେ ଜନ ଜୀବନ ସ୍ଵାଭାବିକ ହୋଇପାରେ, ହେଲେ ସହରୀ ଜୀବନ ଆହୁରି ଦୀର୍ଘ ସମୟ ଲକ ଡାଉନ ଭିତରେ ରହିବାକୁ ବାଧ୍ୟ ହେବ। ତାରି ଭିତରେ କେଉଁ ସହରରେ କେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ସେମାନଙ୍କ ସଂସ୍ପର୍ଶରେ କେତେ ଲୋକ ଆସୁଛନ୍ତି, ତାରି ଉପରେ ଅନେକ କଥା ନିର୍ଭର କରିବ। ଆଜିର ସ୍ଥିତିରେ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମଦାବାଦ କିମ୍ବା ଇନ୍ଦୋର ଭଳି ମହାନଗରୀର ଭବିଷ୍ୟତ ଅଧିକ ସମୟ ଅନ୍ଧାରରେ ରହିବାକୁ ବାଧ୍ୟ।

ସେହିପରି ରାଜ୍ୟୱାରି ଦେଖିଲେ ଆସନ୍ତା ୧୫ ଦିନ ଭିତରେ କେରଳ, ଓଡିଶା, ବିହାର, ପଞ୍ଜାବ, ଛତିଶଗଡ ଭଳି ରାଜ୍ୟ ନିଜ ନିଜ ରାଜ୍ୟରେ ସ୍ଥିତିକୁ ପୂର୍ଣ୍ଣ ନିୟନ୍ତ୍ରଣରେ ଆଣିପାରିବାର ସମ୍ଭାବନା ରହିଛି। ତେବେ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ,– ଏହି ୭ ଟି ରାଜ୍ୟରେ ସ୍ଥିତି ଆଗକୁ ଅଧିକ ଜଟିଳ ହେବ। ଏହି ସବୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ରୁ ଅଧିକ। ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଏହି ସଂଖ୍ୟା ପ୍ରତିଦିନ ୧୫୦ ରୁ ୬୫୦ ଯାଏଁ  ଅଧିକ ବଢୁଛି। ତେଣୁ ମଇ ୩ ଭିତରେ ଏହି ସବୁ ରାଜ୍ୟ ଯେ ନିଜର ସ୍ଥିତି ସୁଧାରି ପାରିବେ, ସେ ସମ୍ଭାବନା ଯଥେଷ୍ଟ କମ।

ତେଣୁ ମଇ ୩ ତାରିଖ ପରେ ମଧ୍ୟ ଦୀର୍ଘ ସମୟ ଧରି ଦେଶର ଏକ ବଡ ଅଂଶ ଲକ ଡାଉନରେ ରହିବାକୁ ବାଧ୍ୟ।

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ବଜାରରେ ଲଞ୍ଚ ହେଲା ଓ୍ବାନ୍‌ ପ୍ଲସ୍‌ର ନୂତନ ଫ୍ଲାଗ୍‌ସିପ୍‌ ଫୋନ୍‌

ମୁମ୍ବାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ଭାରତୀୟ ବଜାରରେ ଲଞ୍ଚ ହୋଇଛି ଓ୍ବାନ୍‌ ପ୍ଲସ୍‌ର ନୂତନ ଫ୍ଲାଗ୍‌ସିପ୍‌ ଫୋନ୍‌ । ଓ୍ବାନ୍‌ ପ୍ଲସ୍‌ 8 ଏବଂ ଓ୍ବାନ୍‌ ପ୍ଲସ୍‌ 8 ପ୍ରୋର ଏହି ଫ୍ଲାଗ୍‌ସିପ୍‌ ଫୋନ୍‌ ଲଞ୍ଚ କରାଯାଇଛି । ଏହା ସହିତ ଓ୍ବାନ୍‌ ପ୍‌ଲସ୍‌ ପକ୍ଷରୁ ଜେଡ୍‌ ସିରିଜ୍‌ର ଓ୍ବାୟାରଲେସ୍‌ ଇଅର୍‌ ଫୋନ୍‌ ଲଞ୍ଚ କରାଯାଇଛି । ଏହି ଫୋନ୍‌ ଦୁଇଟି 6 ଜିବି, 8 ଜିବି ଏବଂ 12 ରାମ୍‌ରେ ଉପଲବ୍ଧ ହେବ । ଓ୍ବାନ୍‌ ପ୍ଲସ୍‌ 8ର ଭାରତୀୟ ବଜାର ମୂଲ୍ୟ 44999 ଟଙ୍କା ରହିଥିବା ବେଳେ ଓ୍ବାନ୍‌ ପ୍ଲସ୍‌ 8 ପ୍ରୋର ବଜାର ମୂଲ୍ୟ 54999 ଟଙ୍କା ରହିଛି । ସେହିପରି ଜେଡ୍‌ ସିରିଜ୍‌ର ଓ୍ବାୟାରଲେସ୍‌ ଇଅର୍‌ ଫୋନ୍‌ର ମୂଲ୍ୟ 1999 ଟଙ୍କା ରଖାଯାଇଛି । ଓ୍ବାନ୍‌ପ୍ଲସ୍‌ ପକ୍ଷରୁ ଏହି ଫୋନ୍‌ରେ କ୍ବାଲକମ୍‌ ସ୍ନାପ୍‌ଡ୍ରାଗନ୍ 865 ପ୍ରସେସର ବ୍ୟବହାର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ହଜାର ଟପିଲା, ମୃତ୍ୟୁ ସଂଖ୍ୟା 543କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 543କୁ ବୃଦ୍ଧି ହୋଇଛି । ସେହିପରି କରୋନାରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେଣି 2547ଜଣ । ମହାରାଷ୍ଟ୍ରରେ ସର୍ବାଧିକ 223ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 223 ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ 70, ଗୁଜୁରାଟରେ 63, ଦିଲ୍ଲୀରେ 45, ତାମିଲନାଡୁରେ 15, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 15, କର୍ଣ୍ଣାଟକରେ 16, ଉତ୍ତରପ୍ରଦେଶରେ 17, ପଞ୍ଜାବରେ 16, ପଶ୍ଚିମବଙ୍ଗରେ 12, ରାଜସ୍ଥାନରେ 14, ଜମ୍ମୁକାଶ୍ମୀରରେ 5, ହରିୟାଣାରେ 3, କେରଳରେ 3, ଝାଡଖଣ୍ଡରେ2, ବିହାରରେ 2, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣକର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦକ୍ଷିଣ ଏସିଆ ଦେଶଗୁଡିକ ମଧ୍ୟରେ କରୋନା ଯୋଗୁଁ ଅଧିକ ମୃତ୍ୟୁ ହୋଇଛି ଭାରତରେ, ପାକିସ୍ତାନ ରହିଛି ଦ୍ବିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଭୟାନକ କରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। 210ଟି ଦେଶରେ କରୋନା ବ୍ୟାପିଥିବାବେଳେ କରୋନା ଯୋଗୁଁ ବିଶ୍ବରେ ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସେହିପରି 1 ଲକ୍ଷ 14 ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଏସିଆ ଦେଶଗୁଡିକୁ ଲକ୍ଷ୍ୟ କଲେ ସର୍ବାଧିକ ମୃତ୍ୟୁ କେବଳ ଭାରତରେ ହିଁ ହୋଇଛି। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନରେ କରୋନା ଜନିତ ମୃତ୍ୟୁରେ ଦ୍ବିତୀୟ ସ୍ଥାନରେ ରହିଛି।

ଭାରତରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ହଜାର 152 ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର  ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁହୋଇଛି । ସେହିପରି ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 5000ରୁ ଉର୍ଦ୍ଧ୍ବ ରହିଥିବାବେଳେ 93 ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଭାରତରକୁ ଅପେକ୍ଷାକୃତ କମ୍‌ ରହିଛି।

ଭାରତ ପାକିସ୍ତାନ ବ୍ୟତୀତ ଆଫଗାନିସ୍ଥାନରେ 607 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ 19 ଜଣଙ୍କର ମୃତ୍ୟୁ ହୋଇଛି। ଏହାପରେ ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ 210ଟି ମାମଲା ସାମ୍ନାକୁ ଆସିଥିବାବେଳେ 7ଜଣଙ୍କର ମୃତ୍ୟୁ ହୋଇଛି।

ଦକ୍ଷିଣ ଏସିଆର ଅନ୍ୟତମ ଦେଶ ଅର୍ଥାତ୍‌ ଭାରତର ପଡେଶୀ ଦେଶ ନେପାଳରେ 13 ଜଣ କରୋନା ସଂକ୍ରମିତ ରହିଥିବାବେଳେ ଭୂଟାନରେ ରହିଛନ୍ତି ପାଞ୍ଚଜଣ ଓ ମାଲଦୀପରେ ମାତ୍ର ଦୁଇଜଣ କରୋନା ସଂକ୍ରମିତ ରହିଛନ୍ତି। ଏହି ତିନୋଟି ଦେଶରେ ଏପର୍ଯ୍ୟନ୍ତ କରୋନା ଜନିତ କୌଣସି ମୃତ୍ୟୁ ହୋଇନାହିଁ।  (ଏସିଆ)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 7000 ଟପିଲା, 24 ଘଣ୍ଟାରେ 40 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରାଯାଇଛି। ଆଜି 18 ଦିନ ହେବ ଦେଶ ଲକ୍‌ ଡାଉନ୍‌ରେ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ସର୍ବମୋଟ 7447 ଜଣ ସଂକ୍ରମିତ ହୋଇଥିବାବେଳେ 239ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 643ଜଣ। ଦେଶରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ମହାରାଷ୍ଟ୍ରରେ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 110ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ପଞ୍ଜାବରେ 11, ଦିଲ୍ଲୀରେ 13, ତାମିଲନାଡୁରେ 8, ତେଲେଙ୍ଗାନାରେ 7, ଆନ୍ଧ୍ରପ୍ରଦେଶରେ 6, କର୍ଣ୍ଣାଟକରେ 6, ପଶ୍ଚିମବଙ୍ଗରେ 5, ଜମ୍ମୁ-କାଶ୍ମୀରରେ 4, ଉତ୍ତରପ୍ରଦେଶରେ 4, ହରିୟାଣାରେ 3, ରାଜସ୍ଥାନରେ 3, କେରଳରେ 2, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଜଣେ କରୋନା ଜନିତ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭାରତରେ 5000 ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାରକୁ ଟପିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 5 ହଜାର 194କୁ ବୃଦ୍ଧି ହୋଇଛି। ସେହିପରି 402 ଜଣ ସୁସ୍ଥ ହୋଇଛନ୍ତି। ଗତ 12 ଘଣ୍ଟା ମଧ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ମହାରାଷ୍ଟ୍ରରେ ସର୍ବାଧିକ 1018 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ 64ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ 13-13ଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ସାତ, ପଞ୍ଜାବ ଓ ତେଲେଙ୍ଗାନାରେ ବି 7-7ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ 5, ଉତ୍ତରପ୍ରଦେଶ – ରାଜସ୍ଥାନରେ 3-3 ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ 4, ତାମିଲନାଡୁରେ 7, କର୍ଣ୍ଣାଟକରେ 4, ଜମ୍ମୁକାଶ୍ମୀର ଓ କେରଳରୁ ଦୁଇଜଣ ଲେଖାଏଁ, ହିମାଚଳ, ଓଡ଼ିଶା ଓ ବିହାରରେ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Categories
ବିଶେଷ ଖବର

ଲକ ଡାଉନ ର ସମୟସୀମା ଯଦି ବଢାଯାଏ, ଆମକୁ ଅଧିକ କିଛି ସଫଳତା ମିଳିବ କି?

କେଦାର ମିଶ୍ର

ଗୋଟେ ବିଚିତ୍ର ସ୍ଥିତିରେ ବର୍ତ୍ତମାନ ପୂରା ଦେଶ ଠିଆ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଲକ ଡାଉନ ଇତିମଧ୍ୟରେ ଦୁଇ ସପ୍ତାହ ପୂରଣ କରି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୧୪ ରେ ଲକ ଡାଉନ ସରିବ ନା ଏହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଲକ ଡାଉନ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କହିବା କଥା ହେଲା ଯେ ପର୍ୟନ୍ତ ନୂଆ କେଶ ଚିହ୍ନଟ ହେଉଥିବ ସେ ଯାଏ, ଲକ ଡାଉନ ଅବ୍ୟାହତ ରହୁ। ତେବେ ଏ ପ୍ରକାର ଲକ ଡାଉନ ବ୍ୟବସ୍ଥାରେ ସରକାର ଚାଲିବ କେମିତି? ରାଜ୍ୟ ସରକାରମାନେ ଭାବୁଛନ୍ତି, ତାଙ୍କୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବାକୁ ପଡିବ। ତେବେ ଏହା ସମ୍ଭବ କି?

ମାର୍ଚ୍ଚ ୨୪ରେ ଲକ ଡାଉନ ଆରମ୍ଭ ହେବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ରହିଥିଲା। ଗତ ଦୁଇ ସପ୍ତାହରେ ଏହା ପ୍ରାୟ ଦଶଗୁଣ ବଢିଛି। ଆଜିର ତାରିଖରେ ଭାରତ ସରକାର ଦେଶରେ  ୪୭୮୯ ଜଣ କରୋନା ଆକ୍ରାନ୍ତ ରହିଥିବା କଥା ସ୍ଵୀକାର କରିଛନ୍ତି। ତେବେ କୋଭିଡ ଟ୍ରାକର ଇଣ୍ଡିଆ ଏହି ସଂଖ୍ୟା ୫୩୬୦ ଓ ଜନ ହପ୍କିନ୍ସ ବିଶ୍ଵ ବିଦ୍ୟାଳୟ ୪୯୧୧ ବୋଲି କହିଛନ୍ତି। ମୋଟାମୋଟି ଲକ ଡାଉନ ସମୟ ଠାରୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ଗୁଣ ବଢିଛି। ତେବେ ଲକ ଡାଉନ ଲାଗୁ ହୋଇନଥିଲେ ଏହା ହୁଏତ ଶହେ ଗୁଣ ବଢିଥାନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଏ ପ୍ରସଙ୍ଗରେ ଆମେ ଗୋଟିଏ କଥା ନିଶ୍ଚୟ ମାନିବା ଯେ, ୟୁରୋପ ଏବଂ ଆମେରିକା ତୁଳନାରେ ଭାରତରେ କରୋନା ସଂକ୍ରମଣ ଧୀମା ରହିଛି। କେବଳ ଭାରତ ନୁହଁ ପ୍ରାୟ ସବୁ  ଏସୀୟ ଦେଶ ଗୁଡିକରେ କରୋନା ସଂକ୍ରମଣର ଗତି ଟିକେ ମନ୍ଥର।

ଗତ ମାସେ ଭିତରେ ଆମେରିକାରେ ଏହା ହଜାରରୁ ୩,୬୮,୫୩୩, ସ୍ପେନ ରେ ୧,୪୦,୫୧୦, ଇଟାଲିରେ ୧,୩୨,୫୪୭, ଜର୍ମାନୀରେ ୨.୦୩,୭୧୭ ଓ ଫ୍ରାନ୍ସରେ ୯୮, ୯୮୪ ଆକ୍ରାନ୍ତ ବଢିଛନ୍ତି। ସେହି ତୁଳନାରେ ଏସୀୟ ଦେଶ ଯଥା ଚୀନ, ଇରାନ,ଦକ୍ଷିଣ କୋରିଆ, ଭାରତ, ପାକିସ୍ତାନ, ଜାପାନ, ମାଲେସିଆ ଇତ୍ୟାଦି ଦେଶରେ ଏହାର ସଂକ୍ରମଣ ସୀମିତ ରହିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଗତ ସାଢେ ତିନି ମାସରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୭୧୮ ଓ ମୃତ୍ୟୁ ସଂଖ୍ୟା ୩୨୧୨ ଭିତରେ ରହିଛି। ସବୁଠୁ ଆଶ୍ଚର୍ୟର କଥା ହେଉଛି ଚୀନର ହୁବେଇ ପ୍ରଦେଶକୁ ବାଦ ଦେଲେ ଅନ୍ୟ ପ୍ରଦେଶ ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ନଗଣ୍ୟ।

ଭାରତରେ ଯଦିଓ ସବୁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ହେଲେ ମହାରାଷ୍ଟ୍ର(୯୪୫), ତାମିଲନାଡୁ(୬୯୦), ଦିଲ୍ଲୀ (୫୨୫), ତେଲେଙ୍ଗାନା(୩୨୪), କେରଳ(୩୩୬), ରାଜସ୍ଥାନ(୩୨୮), ଉତ୍ତର ପ୍ରଦେଶ (୩୦୫), ଆନ୍ଧ୍ରପ୍ରଦେଶ (୩୦୪), ମଧ୍ୟପ୍ରଦେଶ (୨୬୮), ଗୁଜରାଟ ଓ କର୍ଣ୍ଣାଟକ(୧୭୫), ହରିୟାନା(୧୪୩), ଜାମ୍ମୁ କାଶ୍ମୀର( ୧୨୫)  ଇତ୍ୟାଦି ରାଜ୍ୟରେ ଏହି ସଂଖ୍ୟା ଟିକେ ଅଧିକ। ବର୍ତ୍ତମାନ ସ୍ଥିତିରେ ଯଦି ଲକ ଡାଉନ ଉଠି ଯାଏ ସାମାଜିକ ଦୂରତ୍ଵ ହଟିଯିବ ଓ ହୁ ହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଯିବା, ଯାହାକୁ ସମ୍ଭାଳିବା ରାଜ୍ୟ ସରକାରମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିବ।

ତେବେ ଲକ ଡାଉନ ରହିଲେ ସ୍ଥିତି ରେ ପରିବର୍ତ୍ତନ ଆସିବ କି? ଲକ ଡାଉନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି ଓ ଆଗକୁ ଏହା ବଢି ଚାଲିବ। ସେ ଦୃଷ୍ଟିରୁ ଭାରତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ ଡାଉନ ଲଗାଇ ହେବ କି? ଦେଶର ୩୦ ଭାଗ ଗରିବ ଓ ପଚାଶ ଭାଗ ନିମ୍ନ ମଧ୍ୟବିତ୍ତଙ୍କ ଜୀବନରେ ଲକ ଡାଉନର ପ୍ରଭାବ ଭୟଙ୍କର ହେବା ଆରମ୍ଭ କଲାଣି। ପ୍ରଥମ ସପ୍ତାହରେ ଖାଦ୍ୟ ତଥା ଅପରିହାର୍ୟ ଜିନିଷର ଯୋଗାଣ ଅବ୍ୟାହତ ରହିବ ବୋଲି ଆମେ ଭାବୁଥିଲେ। ହେଲେ ସମୟ କ୍ରମେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ଥିବା ଜିନିଷର ଯୋଗାଣ ବ୍ୟାହତ ହେବା ଆରମ୍ଭ କଲାଣି।

ଲକ୍ଷ ଲକ୍ଷ ଲୋକ ଆଜି ନିଜର ଜୀବିକା ହରାଇ ମୃତ୍ୟୁ ଭୟରେ ଚୁପ ରହିଛନ୍ତି। ତେବେ ଖାଇବାକୁ ନ ପାଇଲେ, ଲୋକଙ୍କ ମନରୁ ଭୟ ଆପେ ଆପେ ଚାଲିଯିବ ଏବଂ ସେମାନେ ଅଧିକ ଅମାନିଆଁ ହେବେ। ଓଡିଶାରେ ଆସନ୍ତା ଏପ୍ରିଲ ୧୪ ବେଳକୁ ଲକ ଡାଉନ ୨୫ ଦିନରେ ପହଞ୍ଚିବ। ତାଠୁ ଅଧିକ ଦିନ ଲକ ଡାଉନ ସମ୍ଭବପର କି? ଅର୍ଥନୀତିର ଯେଉଁ ବିକଳ ଅବସ୍ଥା ଓ ଟିକସ ସଂଗ୍ରହରେ ଯେଉଁ ସ୍ଥାଣୁ ସ୍ଥିତି, ସେଥିରେ ଅଧିକ ଦିନର ଲକ ଡାଉନ ଆମକୁ ଦୋହଲାଇ ଦେବାକୁ ବାଧ୍ୟ।

ବର୍ତ୍ତମାନ ଭାରତ ସରକାରଙ୍କ ଅବସ୍ଥା ବାଘ ଚଢିଥିବା ରାଜକୁମାର ପରି। ଲକ ଡାଉନ ବଢାଇବା ଯେତିକି ଭୟଙ୍କର, ତାଙ୍କୁ ନ ବଢାଇବା ସେତିକି ବିପଜ୍ଜନକ। କାମକୁ ନ ଯାଇ ବା ସଂପୂର୍ଣ୍ଣ ଅର୍ଥନୀତିକୁ ସ୍ଥାଣୁ କରିଦେଲେ ଆମେ କରୋନା ବିରୋଧରେ ଯୁଦ୍ଧ ଜିଣିଯିବା କି? କରୋନା ବିରୋଧରେ ପୃଥିବୀକୁ ଲମ୍ବା ଲଢେଇ ଲଢିବାକୁ ପଡିବ। ସେହି ଲଢେଇ ଲାଗି ଭାରତକୁ ସମ୍ବଳ ଓ ସାଧନ ମଧ୍ୟ ଦରକାର। ଟିକସ ଆଦାୟ କମିଗଲେ ଓ ଅର୍ଥନୀତି ସ୍ଥାଣୁ ହୋଇଗଲେ, ସେ ସମ୍ବଳ ଓ ସାଧନ ଆସିବା କେଉଁଠୁ?

Categories
ଆଜିର ଖବର ଜାତୀୟ ଖବର

୧୪ ମାସ ଶିଶୁର ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି

ନୂଆଦିଲ୍ଲୀ : ଦେଶରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ 24 ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ 13ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 124ରେ ପହଞ୍ଚିଛି। ଗତ 24 ଘଣ୍ଟାରେ 508  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 4789କୁ ବୃଦ୍ଧି ପାଇଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 353 ରହିଛନ୍ତି । ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 800 ଟପିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟାରେ 48କୁ ବୃଦ୍ଧି ହୋଇଛି ସେହିପରି 56 ଜଣ ଆରୋଗ୍ୟ ଲାଭ କରିଛି । ସେହିପରି  ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 165ରେ ପହଞ୍ଚିଥିବାବେଳ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ 14 ମାସ ଶିଶୁର ମୃତ୍ୟୁ ହୋଇଛିା ମିଳିଥିବା ସୂଚନା ଅନୁସାରେ ପ୍ରବାସୀ ଶ୍ରମିକଙ୍କ ଏହି ସନ୍ତାନଟି ଗଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତା’ର ମୃତ୍ୟୁ ଘଟିଛି । ଜାମନଗରରେ କରୋନା ସଂକ୍ରମଣରେ ଏହା ପ୍ରଥମ ଶିଶୁ ମୃତ୍ୟୁ ମାମଲା ଭାବେ ସାମ୍ନାକୁ ଆସିଛି ।

ତେବେ କରୋନା ମୁକାବିଲା ପାଇଁ ଏବେ ତିନି ପ୍ରକାର ମେଡିକାଲ ସେବା ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସେ କହିଛନ୍ତି, କରୋନା କେୟାର ସେଣ୍ଟର, କରୋନା ହେଲ୍‌ଥ ସେଣ୍ଟର ଏବଂ ଲାଇଫ୍ ସପୋର୍ଟ ସିଷ୍ଟମକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ଏଯାଏଁ ହୋଇନି। କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି। ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି :

Categories
ଆଜିର ଖବର ଖେଳ

କରୋନା ଆତଙ୍କ : ସ୍ଥଗିତ ରହିଲା ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ୍ ବିଶ୍ୱକପ୍‌କୁ ସ୍ଥଗିତ କରାଯାଇଛି । ଆସନ୍ତା ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି । ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି । ଫିଫା ପକ୍ଷରୁ ଶନିବାର ଦିନ ଏହି ଘୋଷଣା କରାଯାଇଛି । ଭାରତୀୟ ମହିଳା ଦଳ ପାଇଁ ଏହି ଖବର ନିରାଶାଜନକ ରହିଛି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଆୟୋଜକ କୋଟାରେ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥାନ୍ତା । ତେବେ ଫିଫା ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ଏହାକୁ ଭାରତରୁ ସ୍ଥାନାନ୍ତର କରାଯାଇନାହିଁ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲକ୍‌ଡାଉନ୍‌ରେ ଦୈନିକ କ୍ଷତି ହେଉଛି ୩୫୦୦ କୋଟି : ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଏହାଦ୍ୱାରା ଦେଶର ଅର୍ଥନୀତି ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଆକ୍ୟୁଟି ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ ଭାରତୀୟ ଅର୍ଥନୀତି ଦୈନିକ ହାରାହାରି ୪.୬୪ ବିଲିୟନ୍ ଡଲାର ବା ୩୫୦୦ କୋଟି ଟଙ୍କାର କ୍ଷତି ସହୁଛି । ଏହା ଦ୍ୱାରା ଦେଶର ଜିଡିପରେ ହାରାହାରି ୯୮ ବିଲିୟନ୍ ଡଲାରର ହ୍ରାସ ଦେଖିବାକୁ ମିଳିବ ବୋଲି କମ୍ପାନୀ ପକ୍ଷରୁ ବୁଧବାର ପ୍ରକାଶ କରା ଯାଇଛି । ସେହିପରି କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ୨୨ ପ୍ରତିଶତ ତଳକୁ ଖସିଯିବ ବୋଲି ଆକ୍ୟୁଟି ରିସର୍ଚ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଟପିଲା

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୫୦୦ ଟପି ଯାଇଛି। ରାତି ନଅଟା ସୁଦ୍ଧା ଦେଶରେ ୧୫୬୮ଜଣଙ୍କର ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଜି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଛି। ଦେଶରେ ମୋଟ ୧୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୧ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି “ଇଣ୍ଡିଆ ଟୁଡେ” ସୂତ୍ରରୁ ଜଣା ପଡିଛି। ସେହିପରି ପୃଥିବୀରେ ୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୯,୦୩୩ ଲୋକ ପ୍ରାଣ ହରାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ବଢୁଛି କରୋନା କାୟା : ମହାରାଷ୍ଟ୍ର ଓ କେରଳରେ ଦୁଇଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ  ସଂଖ୍ୟା 1000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦେଶର 27ଟି ରାଜ୍ୟରେ ଏହି କରୋନା ବ୍ୟାପିସାରିଥିବାବେଳେ ସର୍ବାଧିକ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛନ୍ତି । ଏହି ରୋଗରୁ 90 ଜଣ ସୁସ୍ଥ ହୋଇଥିବାବେଳେ ମହାରାଷ୍ଟ୍ରର ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ଟପି ସାରିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ସାତ ଜଣ ମୃତ୍ୟୁବରଣ କରିଥିବାବେଳେ ଗୁଜୁରାଟରେ ପାଞ୍ଚ, କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦୁଇ ଜଣ, କେରଳ, ତେଲେଙ୍ଗାନା, ତାମିଲନାଡୁ, ଜମ୍ମୁ-କାଶ୍ମୀର, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ 25 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ କେରଳେ 16, ଉତ୍ତରପ୍ରଦେଶରେ 11, ହରିୟାଣାରେ 17, କର୍ଣ୍ଣାଟକରେ 5, ଦିଲ୍ଲୀରେ 6, ତାମିଲନାଡୁରେ 4, ଲଦାଖରେ ତିନି, ରାଜସ୍ଥାନରେ ତିନି, ହିମାଚଳ ପ୍ରଦେଶରେ ଦୁଇ, ଉତ୍ତରାଖଣ୍ଡରେ ଦୁଇ, ତେଲେଙ୍ଗାନା, ଗୁଜୁରାଟ, ଜମ୍ମୁକାଶ୍ମୀର, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଜଣେ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି ।

ରାଜ୍ୟ                       ଆକ୍ରାନ୍ତଙ୍କ ସଂଖ୍ୟା

ମହାରାଷ୍ଟ୍ର                   203

କେରଳ                     202

କର୍ଣ୍ଣାଟକ                  83

ଦିଲ୍ଲୀ                       72

ଉତ୍ତରପ୍ରଦେଶ            72

ତେଲେଙ୍ଗନା              70

ଗୁଜୁରାଟ                  63

ରାଜସ୍ଥାନ                  59

ତାମିଲନାଡୁ               50

ମଧ୍ୟପ୍ରଦେଶ               39

ଜମ୍ମୁ କାଶ୍ମୀର              38

ପଞ୍ଜାବ                    38

ହରିୟାଣା                  35

ଆନ୍ଧ୍ରପ୍ରଦେଶ              21

ପଶ୍ଚିମବଙ୍ଗ               21

ବିହାର                     15

ଲଦାଖ                    13

ଆଣ୍ଡମାନ ନିକୋବର    9

ଚଣ୍ଡୀଗଡ                  8

ଛତିଶଗଡ                 7

ଉତ୍ତରାଖଣ୍ଡ                7

ଗୋଆ                    5

ହିମାଚଳ ପ୍ରଦେଶ        3

ଓଡ଼ିଶା                     3

ମଣିପୁର                   1

ପୁଡୁଚେରୀ                 1