Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ସୂର୍ଯ୍ୟମୟୀଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର “IPS ଦୁର୍ଗା” ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩୦ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର ,କଣ୍ଠ ଶିଳ୍ପୀ ଶଶାଙ୍କ, ଅସୀମା ପଣ୍ଡା, ଅଭିନେତ୍ରୀ ସୂର୍ଯ୍ୟମୟୀ, ଅଭିନେତା ସୁକାନ୍ତଙ୍କ ସମେତ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର “IPS ଦୁର୍ଗା” ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବର୍ତ୍ତମାନର ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ “ସୂର୍ଯ୍ୟମୟୀ” ଅପରାଧୀଙ୍କୁ ସାବାଡ କରିବାକୁ ନେଇଛନ୍ତି ନୂଆ ଅବତାର। ଜଣେ ନିର୍ଭୀକ ମହିଳା ଅଫିସରଙ୍କୁ ଦେଖି ସହରରେ ପଡ଼ିଯାଏ କୋକୁଆ ଭୟ। କିନ୍ତୁ ଅପରାଧୀଙ୍କୁ ଦମନ କରିବାକୁ ଆସିଥିବା ଜଣେ ସଚ୍ଚୋଟ ମହିଳା ଅଫିସରକୁ ଦେବାକୁ ପଡେ ବହୁମୂଲ୍ୟ।

ନିର୍ଦ୍ଦେଶକ ରାଜା ଡି. ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଜୀ-ସାର୍ଥକ ପ୍ରସ୍ତୁତି ଚଳଚ୍ଚିତ୍ର “IPS ଦୁର୍ଗା”। ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ପାଇବେ ଦର୍ଶକ। ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର। କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ। ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା।

ଗୋଟାଏ ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ଅର୍ଥାତ “IPS ଦୁର୍ଗା”। ଶେଷରେ ନିଜକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଲକ୍ଷ୍ୟ ପଥଭ୍ରଷ୍ଟ ହୋଇନାହାଁନ୍ତି ଦୁର୍ଗା। କଡା ଗଣ୍ଡାର ହିସାବ ନେବା ପାଇଁ ଦୁର୍ଗାକୁ ନେବାକୁ ପଡ଼ିଛି ନୂଆ ଅବତାର। ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩୦ ଟାରେ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର “IPS ଦୁର୍ଗା” ଦର୍ଶକମାନଙ୍କ ଦ୍ବାରା ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।