Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଜାଣନ୍ତୁ କାରଣ

ଭୁବନେଶ୍ୱର: ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୬ତାରିଖ ସକାଳ ୧୦.୩୦ରେ ଶ୍ରୀ ନଡ୍ଡା ଭୁବନେଶ୍ୱର ପହଂଚିବେ । ପାର୍ଟୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ଶ୍ରୀ ନଡ୍ଡା ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୂଚନା ଦେଇଛନ୍ତି ।

ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ସଙ୍ଗଠନର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା ଏବଂ ବିଜେପିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରୀବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ପାର୍ଟୀର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ।

ଆମ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଏଜି ଛକସ୍ଥିତ ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ । ଏହା ପରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟୀର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । ମଧ୍ୟାହ୍ନରେ ଶ୍ରୀ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ହରିୟାଣାରେ ବିଜେପିର ସଂକଳ୍ପ ପତ୍ର ଜାରି: ମହିଳାମାନଙ୍କୁ ଆର୍ଥିକ ସହାୟତା ସହିତ ୨୦ଟି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ବିଜେପି ସଭାପତି ଜେପି ନଡ୍ଡା ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏବଂ ଦଳର ରାଜ୍ୟ ସଭାପତି ମୋହନ ଲାଲ ବଡୋଲିଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଜାରି କରିଛନ୍ତି। ହରିୟାଣା ପାଇଁ ବିଜେପି ୨୦ ଟି ବଡ ପ୍ରତିଶୃତି ଦେଇଛି। ଏଥିରେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ହରିୟାଣାର ମହିଳାମାନଙ୍କୁ ପ୍ରତି ମାସରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି।

ସଂକଳ୍ପ ପତ୍ର ପ୍ରକାଶ କରିବାର ଏହି କାର୍ଯ୍ୟକ୍ରମ ରୋହତକରେ ବିଜେପିର ମିଡିଆ ସେଣ୍ଟରରେ ଆୟୋଜିତ ହୋଇଥିଲା ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଓ ଇନ୍ଦରଜିତ୍ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ବିଜେପିର ଅନେକ ବଡ ନେତା ଓମ ପ୍ରକାଶ ଧନକର, କୃଷ୍ଣ ପାଲ ଗୁର୍ଜର, ରାମ ବିଲାସ ଶର୍ମା, କୁଲଦୀପ ବିଷ୍ନୋଇ, ସୁଧା ଯାଦବ ଏବଂ ସତୀଶ ପୁନିଆ ମଧ୍ୟ ଅଂଶଗ୍ରହଣ କରିଥିଲେ।

ପ୍ରକାଶ ଯୋଗ୍ୟ ଯେ, ରୋଜଗାର ପ୍ରସଙ୍ଗରେ ବିରୋଧୀ ଦଳର ଟାର୍ଗେଟରେ ବିଜେପି ରହିଛି। ଏଭଳି ପରିସ୍ଥିତିରେ ବିଜେପି ସଂକଳ୍ପ ପତ୍ରରେ ନିଯୁକ୍ତି ସମ୍ପର୍କରେ ଏକ ବଡ଼ ପ୍ରତିଶୃତି ଦେଇଛି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ବୀମା, ଅଗ୍ନିବୀରଙ୍କୁ ଚାକିରୀ, ଛାତ୍ରବୃତ୍ତି, ରେଳ କରିଡର ନିର୍ମାଣ, ଛାତ୍ରୀମାନଙ୍କ ପାଇଁ ସ୍କୁଟର ଭଳି ଅନେକ ବଡ ପ୍ରତିଶୃତି ଦିଆଯାଇଛି।

ବିଜେପିର ସଂକଳ୍ପ ପତ୍ର:

୧. ‘ଲାଡୋ ଲକ୍ଷ୍ମୀ ଯୋଜନା’ ଅଧୀନରେ ଥିବା ସମସ୍ତ ମହିଳାଙ୍କୁ ପ୍ରତି ମାସରେ ୨,୧୦୦ ଟଙ୍କା।

୨. IMT ଖରଖୌଦା ଲାଇନରେ ୧୦ ଟି ଶିଳ୍ପ ସହର ନିର୍ମାଣ। ପ୍ରତି ସହରରେ ୫୦ ହଜାର ସ୍ଥାନୀୟ ଯୁବକଙ୍କୁ ଚାକିରି ଯୋଗାଇବା ପାଇଁ ଉଦ୍ୟୋଗୀମାନଙ୍କୁ ବିଶେଷ ପ୍ରୋତ୍ସାହନ।

୩. ଚିରାୟୁ-ଆୟୁଷ୍ମାନ ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ପରିବାରରେ ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବୃଦ୍ଧଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

୪. ଘୋଷିତ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ରେ ୨୪ ଫସଲ କ୍ରୟ।

୫. ୨ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଗ୍ୟାରେଣ୍ଟି ‘ବିନା ସ୍ଲିପ୍ ଏବଂ ବିନା ଖର୍ଚ୍ଚରେ’।

୬. ୫ ଲକ୍ଷ ଯୁବକମାନଙ୍କ ପାଇଁ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ଏବଂ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରୁ ମାସିକ ଷ୍ଟାଇପେଣ୍ଡ।

୭. ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ଲକ୍ଷ ଘର।

୮. ସରକାରୀ ଡାକ୍ତରଖାନାଗୁଡ଼ିକରେ ଡାଏଲିସିସ୍ ଏବଂ ସମସ୍ତ ଡାକ୍ତରଖାନାରେ ନିରାକରଣ ମାଗଣା।

୯. ପ୍ରତ୍ୟେକ ଜିଲ୍ଲାର ଅଲିମ୍ପିକ୍ ଗେମ୍ସ ନର୍ସରୀ।

୧୦. ହର ଘର ଗୃହିଣୀ ଯୋଜନା ଅଧୀନରେ ୫୦୦ ଟଙ୍କାରେ ସିଲିଣ୍ଡର।

୧୧. ଅବଲ୍ ବାଲିକା ଯୋଜନା ଅଧୀନରେ ଗ୍ରାମାଞ୍ଚଳର କଲେଜ ଯାଉଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ସ୍କୁଟର ଦିଆଯିବ।

୧୨. ପ୍ରତ୍ୟେକ ଅଗ୍ନିବୀଙ୍କୁ ସରକାରୀ ଚାକିରିର ଗ୍ୟାରେଣ୍ଟି।

୧୩. କେଏମପିର ଅର୍ବିଟାଲ୍ ରେଳ କରିଡର ନିର୍ମାଣ ଏବଂ ଭାରତ ସରକାରଙ୍କ ସହଯୋଗରେ ନୂତନ ବନ୍ଦେ ଭାରତ ଟ୍ରେନର ଆରମ୍ଭ।

୧୪. ଭାରତ ସରକାରଙ୍କ ସହଯୋଗରେ ଫରିଦାବାଦ ଏବଂ ଗୁରୁଗ୍ରାମ ମଧ୍ୟରେ ବିଭିନ୍ନ ଦ୍ରୁତ ରେଳ ସେବା ଏବଂ ଇଣ୍ଟରସିଟି ଏକ୍ସପ୍ରେସ ମେଟ୍ରୋ ସେବା ଆରମ୍ଭ।

୧୫. ଛୋଟ ପଛୁଆ ଜାତି (୩୬ ସମ୍ପ୍ରଦାୟ) ପାଇଁ ପର୍ଯ୍ୟାପ୍ତ ବଜେଟ୍ ସହିତ ପୃଥକ କଲ୍ୟାଣ ବୋର୍ଡ।

୧୬. DA ଏବଂ ପେନ୍ସନ୍ ସଂଯୋଗ କରୁଥିବା ବୈଜ୍ଞାନିକ ସୂତ୍ର ଉପରେ ଆଧାର କରି ସମସ୍ତ ସାମାଜିକ ମାସିକ ପେନ୍ସନ୍ ବୃଦ୍ଧି।

୧୭. ଭାରତର ଯେକୌଣସି ସରକାରୀ କଲେଜରୁ ମେଡିସିନ୍ ଏବଂ ଇଞ୍ଜିନିୟରିଂ ପଢୁଥିବା ଓବିସି ଏବଂ ଏସସି ଜାତିର ହରିୟାଣା ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଛାତ୍ରବୃତ୍ତି।

୧୮. ମୁଦ୍ରା ଯୋଜନା ବ୍ୟତୀତ ହରିୟାଣା ରାଜ୍ୟ ସରକାର ସମସ୍ତ ଓବିସି ବର୍ଗର ଉଦ୍ୟୋଗୀମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ଦେବେ।

୧୯. ହରିୟାଣାକୁ ବିଶ୍ୱ ଶିକ୍ଷାର କେନ୍ଦ୍ର କରି ଆଧୁନିକ କୌଶଳର ତାଲିମ।

୨୦. ଦକ୍ଷିଣ ହରିୟାଣାର ଏକ ଆନ୍ତର୍ଜାତୀୟ ସ୍ତରର ଅରାଭଲୀ ଜଙ୍ଗଲ ସଫାରି ପାର୍କ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ମଇଦାନରେ ରାହୁଳ ଓ ନଡ୍ଡା ମୁହାଁମୁହିଁ, ନବୀନଙ୍କୁ କେତେ ମାତ୍ରାରେ କରିବେ ସମାଲୋଚନା ??

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ମଇଦାନ କମ୍ପମାନ ହେବ। କାରଣ ଆଜି ଅପରାହ୍ନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଚାର କରିବା। ଉଭୟ ଗୋଟିଏ ଦିନରେ ଆସୁଥିବାରୁ ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବଢିବାରେ ଲାଗିଛି ରାଜନୈତିକ ପାଣିପାଗ।

ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆଜି ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ।

ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ଆଜି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ମଧ୍ୟ ଆଜି ଓଡିଶା ଆସୁଛନ୍ତି। ସେ ଆଜି ଅପରାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ଭୋଧନ କରିବେ। ଏହା ପରେ ଶ୍ରୀ ନଡ୍ଡା ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶ୍ରୀ ନଡ୍ଡା ଗୋପାଳପୁରଠାରେ ରାତ୍ରଯାପନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୯ ତାରିଖ ସକାଳେ ଭୁବନେଶ୍ୱର ଫେରି ଆସି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

ଉଭୟ ଦଳର ଶୀର୍ଷ ନେତା ଓଡିଶା ଆସୁଥିବାରୁ କଂଗ୍ରେସ ଓ ବିଜେପି ଶିବିରରେ ବେଶ ଉତ୍ସାହ ଭରିଯାଇଛି। ଉଭୟ ଦଳ ସେମାନଙ୍କ ନେତାଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି। ଉଭୟ ଓଡିଶାରେ ଶାସନ କରିବେ ବୋଲି ଆଶା ରଖିଛନ୍ତି। ତେବେ ଜାତୀୟ ସ୍ତରର ଏହି ଦୁଇ ନେତା ନବୀନ ସରକାରଙ୍କୁ କିପରି ସମାଲୋଚନା କରୁଛନ୍ତି ତାହାକୁ ସମସ୍ତେ ଅନେଇ ରହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ଟାର୍ଗେଟ କରିବାରେ ବିଜେପି ନେତାଙ୍କ ପାଟି ଚୁପ ହେଲା କାହିଁକି ?

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟନ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ସମାବେଶ କରି ଫେରିଯାଇଛନ୍ତି। ଏହି ସମାବେଶରେ ନଡ୍ଡାଙ୍କ ସହିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏବଂ ପୃଥୀରାଜ ହରିଚନ୍ଦନ ପ୍ରମୁଖ ଭାଷଣ ଦେଇଥିଲେ। ସମସ୍ତେ ସେମାନଙ୍କର ଭାଷଣରେ କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ସଭା ଯେଉଁ ନିର୍ବାଚନ ମଣ୍ଡଳୀରେ ହୋଇଥିଲା ତାହାର ବିଧାୟକ ବାହୁବଳି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କେହି ପାଟି ଖୋଲିଲେ ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତଙ୍କୁ ବିଜେପି କର୍ମିମାନେ ପିଟିପିଟି ଲହୁଲୁହାଣ କଲେ। ଗାଡି ମଡାଇବା ଅଭିଯୋଗରେ ସେ ଜେଲ ଗଲେ। ବିଜେଡିରୁ ବହିସ୍କୃତ ହେଲେ। ବିଧାୟକଙ୍କ ଏପରି ଆଚରଣକୁ ନେଇ ବିଜେପି ରାଜ୍ୟ ସ୍ତରରେ ତୁମ୍ବିତୋଫାନ ମଧ୍ୟ କରିଥିଲା।

ସେହି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ସଭାରେ କୌଣସି ବିଜେପି ନେତା ତାଙ୍କର ଏପରି ଆଚରଣକୁ ଟାର୍ଗେଟ କଲେ ନାହିଁ। ସେହି ମଞ୍ଚରେ ମମିତା ମେହେର, ଦୁର୍ନିତି ଗସ୍ତ ବିଧାୟକ, ମନ୍ତ୍ରୀ, ଅଫିସରଙ୍କ ବିରୋଧରେ ସମସ୍ତେ କହିଲେ। ହେଲେ କେହି ପ୍ରଶାନ୍ତଙ୍କ ଆଚରଣକୁ ନେଇ ପ୍ରଶ୍ନଟିଏ ମଧ୍ୟ କଲେ ନାହିଁ। ଏପରିକି ଖୋଦ ସେହି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଚୁପ ହୋଇଗଲେ।

ହଠାତ ବିଜେପି କାହିକି ଏପରି ଚୁପ ରହିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ସନ୍ଦେହ ପ୍ରକାଶ ପାଇଛି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୁଆଡେ ବିଜେପି ୨୦୨୪ ନିର୍ବାଚନ ପାଇଁ ଟାର୍ଗେଟରେ ରଖିଛି। ସେଥିପାଇଁ ବାଣପୁର ସଭାରେ କେହି ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ନ କହିବା ପାଇଁ ତାଗିଦ କରାଯାଇଥିଲା। ତାଙ୍କୁ ଆଉ ଅସନ୍ତୁଷ୍ଠ ନ କରିବା ପାଇଁ ବିଜେପି ଉଚ୍ଚ ନେତୃମଣ୍ଡଳୀ ଇଚ୍ଛା ପ୍ରକାଶ କରିଛନ୍ତି।

ଏ କଥା କେତେ ଦୂର ସତ ବା ମିଛ ତାହା ଭିନ୍ନ କଥା ହେଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପରି ଜଣେ ନେତାଙ୍କର ସଂଗଠନ ଗଢିବାରେ ବେଶ ଭଲ ଦକ୍ଷତା ରହିଛି। ଏହିପରି ଜଣେ ନେତାଙ୍କୁ ନିଜ ଦଳକୁ ଆଣି ବିଜେପି ଏକ ଭିନ୍ନ ସମୀକରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ସେଥିପାଇଁ କେବଳ ଏହି ସଭାରେ ନୁହେଁ ଭବିଷ୍ୟତରେ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ଆଉ ମୁହଁ ଖୋଲିବ ନାହିଁ ବୋଲି ମଧ୍ୟ ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ରାଜ୍ୟ ସରକାରଙ୍କୁ ମାରିଲେ ତୀର

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଜୟ ଜଗନ୍ନାଥ, ଜୟ ମାଁ ଭଗବତୀ, ଜୟ ମାଁ କାଳୀ ବୋଲି କହି ଜନସଭାକୁ ଶ୍ରୀ ନଡ୍ଡା ସମ୍ବୋଧନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବିଜେଡି ସରକାର କାହିଁକି ସୁରକ୍ଷିତ ରଖୁନାହାନ୍ତି ? ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା ? ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଚାବି ଧରି ବୁଲୁଛନ୍ତି । ନିଜେ ରାଜ୍ୟ ସରକାର ଅସଲି କି ନକଲି ଜଣା ପଡୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଓଡିଶାରେ ଏକ ନୂତନ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲିବାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମହୋଦୟ । ଘୋଷଣାକୁ ୪ ବର୍ଷ ପୁରଣ ହୋଇ ୫ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କୁଆଡେ ଗଲା ? ଗୋଟିଏ ପଟେ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତିକୁ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ଆଇଆଇଏମ, ଆଇଜର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏମ୍ସ ମେଡିକାଲ ପ୍ରତିଷ୍ଠା କରାଇଛନ୍ତି ।

ନୟାଗଡସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରିବାର ଘୋଷଣା କରିଥିଲେ ସୁଦ୍ଧା ବର୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରିକି ସେଠାକାର କର୍ମଚାରୀମାନଙ୍କୁ ଦରମା ଦିଆଗଲା ନାହିଁ କି ଆଖୁ ଚାଷୀଙ୍କୁ ତାଙ୍କ ବକେୟା ଟଙ୍କା ଦିଆଗଲା ନାହିଁ । ଓଡିଶା ସରକାରଙ୍କୁ କିଏ ପରିଚାଳିତ କରୁଛି, ତାହା ଜଣା ପଡୁନାହିଁ । ଏହା କିପରି ସରକାର ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଂଚିଛି । ଓଡିଶାରେ ଆଜି ମହିଳା ଉତ୍ପୀଡନ ସମସ୍ତ ସୀମା ଅତିକ୍ରମ କରିଛି । ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି । ମହିଳା ଓ ଶିଶୁ ଅପହରଣ ଏବଂ ଚାଲାଣରେ ଓଡିଶା ଆଜି ସର୍ବାଗ୍ରେ ରହିଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଚାଲିଛି ।

ଓଡିଶା ପୋଲିସ ଉପରେ ଅପରାଧୀମାନଙ୍କ ପ୍ରଭାବ ଓ ଆକ୍ରମଣ ବୃଦ୍ଧି ପାଉଛି । ଓଡିଶା ପୋଲିସ ନିଜକୁ ସୁରକ୍ଷିତ ରଖିବାରେ ଅସମର୍ଥ ଥିବାବେଳେ ରାଜ୍ୟବାସୀ କେମିତି ସୁରକ୍ଷିତ ରହିବେ ? ଏମିତି ଅପାରଗ ରାଜ୍ୟ ସରକାରଙ୍କ ଶାସନ କ୍ଷମତାରେ ରହିବାର କୈାଣସି ଅଧିକାର ନାହିଁ । ରାଜ୍ୟର ସଠିକ୍ ବିକାଶ ପାଇଁ ଓଡିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଲୋକସଭାଠାରୁ ଆରମ୍ଭ କରି ବିଧାନସଭାରେ ପଦ୍ମ ଫୁଲରେ ଚିହ୍ନରେ ମୋହର ମାରୀ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ କରିଛନ୍ତି ।

ବିଜେଡି ସରକାରକୁ ଘେରିବାକୁ ଯାଇ ଶ୍ରୀ ନଡ୍ଡା କହିଛନ୍ତି ଯେ, ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଦେଶବାସୀଙ୍କୁ ମାଗଣା ସ୍ୱସ୍ଥ୍ୟ ସେବା ଯୋଗାଇ ଦେଉଥିବାବେଳେ, ଓଡିଶାବାସୀଙ୍କ ପାଇଁ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଶାର ଗରୀବ ଜନସାଧାରଣଙ୍କ କଣ ଦୋଷ ରହିଯାଇଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିକାଶକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବାର କାର୍ଯ୍ୟ କରୁଛନ୍ତି ମୋଦି ସରକାର । ପକ୍କା ଘର, ଶୈାଚାଳୟ, ପାଇପ ଯୋଗେ ପାନୀୟ ଜଳ, ମାଗଣା ରୋଷେଇ ଗ୍ୟାସ ସଂଯୋଗୀକରଣ, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସଏଲ ହେଲ୍‌ଥ କାର୍ଡ, ପିଏମ ଫସଲ ବୀମା ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟର ସ୍ଥାପନା ଭଳି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇଛନ୍ତି । ରାଷ୍ଟ୍ରୀୟ ରାଜପଥ ଓ ରେଳପଥର ବିକାଶ ତ୍ୱରାନ୍ୱିତ ହୋଇଛି ।

ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଉନ୍ନତିକରଣ ହୋଇଛି । ପୁରୀଠାରେ ନୂତନ ଜଗନ୍ନାଥ ଷ୍ଟାଡିୟମ ଏବଂ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କରାଯାଉଛି । ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ସ୍ଥାପନା କରାଯାଉଛି । ପ୍ରାୟ ୮୦୦୦ କୋଟି ବ୍ୟୟରେ କୋଷ୍ଟାଲ ରାଜପଥ ନିର୍ମାଣ ହେଉଛି । ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ଚଂଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘରର ଆଖ୍ୟା ଦେଇଛନ୍ତି । ଏହା କେଉଁ ଭଳି ରାଜନୀତି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରୋଜଗାର ମେଳ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଶିକ୍ଷା ନୀତି ଜରିଆରେ ଗରୀବ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଲାଭ କରିପାରିବେ । ଦେଶରେ ପ୍ରାୟ ୭୦୦୦୦ ନୂତନ ଷ୍ଟାର୍ଟ ଅଫ୍ ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ୱ କେବଳ ୟୁନିକର୍ଣ୍ଣ ରହିଛି । କେମିକାଲ ରପ୍ତାନୀରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଷ୍ଟିଲ ଉତ୍ପାଦନ ଏବଂ ମୋବାଇଲ ନିର୍ମାଣରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ୪ର୍ଥ ଏବଂ ଫାର୍ମାସିଉଟିକାଲ୍ସ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ନଡ୍ଡା ସିଧା କନ୍ଧମାଳର ତୁମୁଡିବନ୍ଧ ଅଭିମୁଖେ ଗସ୍ତ କରି ସାଧାରଣ ସଭାରେ ଯୋଗ ଦେବା ସହିତ ଜଳେଶପଟ୍ଟା ଆଶ୍ରମରେ ନବନିର୍ମିତ କନ୍ୟାଶ୍ରମର ଉଦ୍‌ଘାଟନ କରିଥିଲେ । ଏହା ପରେ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହିତ ମାଁ ଭଗବତୀଙ୍କୁ ଦର୍ଶନ କରିଥିଲେ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଶ୍ରୀ ନଡ୍ଡା ଯୋଗ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଡ୍ଡା ଓଡିଶାରେ କେଉଁଠି କେତେବେଳେ କରିବେ ସଭା, ଜାଣନ୍ତୁ ପୁରା ସୂଚନା

ଭୁବନେଶ୍ୱର : ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା। ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ରାଷ୍ଠ୍ରୀୟ ସଭାପତି ଶ୍ରୀ ନଡ୍ଡା ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ। ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମକୁ ଉଦ୍‌ଘାଟନ କରିବେ।

ଏହା ପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡିଆରେ ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବେ। ଏହା ପରେ ଶ୍ରୀ ନଡ୍ଡା ବାଣପୁରସ୍ଥିତ ମା ଭଗବତୀ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାଚୁଣୀସ୍ଥିତ କଲେଜ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି।

ଏହା ପରେ ଶ୍ରୀ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ ବୋଲି ଡ.ଲେଖାଶ୍ରୀ ସୁଚନା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?

ଭୁବନେଶ୍ବର: ଓଡିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ହେବାକୁ ଆହୁରି ବର୍ଷେ ପାଖାପାଖି ବାକି ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଓଡିଶାରେ ନିର୍ବାଚନ ପ୍ରଚାର ମାହୋଲ ତିଆରି ହୋଇ ସାରିଲାଣି। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ। ଏବେ ନଡ୍ଡାଙ୍କ ଆଗମନରୁ ସ୍ପଷ୍ଟ ହୋଇଛି ଯେ, ସେ ମଧ୍ୟ ଓଡିଶାରେ ନିର୍ବାଚନ ବିଗୁଲ ବଜାଇବେ।

ନଡ୍ଡାଙ୍କ ଏହି ଆଗମନକୁ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଭାବି ନେଇଛନ୍ତି ଯେ ଏଥର ବିଜେଡିକୁ ମାତ ମାରି ବିଜେପି ଓଡିଶା ଦଖଲ କରିବ। କିଏ କଣ ସ୍ବପ୍ନ ଦେଖିବ ତାହା ଭିନ୍ନ କଥା। ହେଲେ, ପୁରୀରେ ନବୀନ କହିଥିବା ଆଉ ଶହେ ବର୍ଷ ବିଜେଡି ଓଡିଶାରେ ଜନସେବା ବା ସିଧା କହିଲେ କ୍ଷମତାରେ ରହିବ, ତାହାକୁ ନେଇ ନଡ୍ଡା କଣ କହିବେ।

ନବୀନଙ୍କ ଏହି ଭବିଷ୍ୟବାଣୀ ଓଡିଶା ରାଜନୀତିକୁ ବେଶ ସରଗରମ କରିଦେଇଛି। ପୁରୀ ପ୍ରତିଷ୍ଠା ଦିବସରେ ସେ କହିଥିଲେ ଯେ ବର୍ତ୍ତମାନ ବିଜେଡିକୁ ୨୫ ବର୍ଷ ପୁରିଲା, ଏହାପରେ ବିଜେଡି ପୁଣି ୫୦ ବର୍ଷ ପାଳନ କରିବ। ଯଦି ଓଡିଶାର ମା’ମାନେ ଆର୍ଶିବାଦ କରିବେ ତେବେ ବିଜେଡି ଓଡିଶାରେ ଆହୁରି ୧୦୦ ବର୍ଷ ଜନସେବା କରିବ। ସିଧା ଭାଷାରେ କହିଲେ ଓଡିଶାରେ ବିଜେଡି ଆଉ ୧୦୦ ବର୍ଷ ଶାସନ କରିବ।

ଏପରି ଭବିଷ୍ୟବାଣୀ ନେଇ ବିଜେପି ଶିବିରରେ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି। ସମସ୍ତେ ଆଶା କରିଛନ୍ତି ନଡ୍ଡା ନିଶ୍ଚିତ ନବୀନଙ୍କ ଏହି ୧୦୦ ବର୍ଷର ଶାସନ କରିବାର ଘୋଷଣାକୁ ନିଶ୍ଚିତ ପ୍ରତିକ୍ରିୟା ରଖିବେ। ନଡ୍ଡା ନ କହିଲେ ମଧ୍ୟ ତାଙ୍କ ପାଖେପାଖେ ଘୁରି ବୁଲୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ଉତ୍ତର ଦେବେ ବୋଲି କର୍ମିମାନେ ଆଶା ବାନ୍ଧି ବସିଛନ୍ତି।

ନଡ୍ଡାଙ୍କ ଉତ୍ତର ଅପେକ୍ଷାରେ ଓଡିଶାବାସୀ ଥିବା ବେଳେ ସେ ପୁଣି ବହୁବାର ଓଡିଶା ଆସିବେ ବୋଲି ଦିଲ୍ଲୀ ସୁତ୍ରରୁ ଜଣାପଡିଛି। ମୁଖ୍ୟତଃ ତାଙ୍କର ଫୋକସରେ ବିଧାନସଭା ନୁହେଁ, ରହିଛି ଲୋକସଭା ଆସନ। ଯେଉଁ ଯେଉଁ ଲୋକସଭା ଆସନରେ ବିଜେପି ହାରିଛି ସେହି ନିର୍ବାଚନ ମଣ୍ଡଳୀରେ ନଡ୍ଡା ସମାବେଶ କରିବେ ବୋଲି ଜଣାପଡିଛି। ସେଥିପାଇଁ ପ୍ରଥମ ପର୍ଯ୍ୟାରେ ସେ କନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ରଖିଛନ୍ତି। ଏହାର ଦୁଇମାସ ପରେ ପୁଣି ଓଡିଶାରେ ବିଜେପି ହାରିଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଫୋକସରେ ପୁରୀ କନ୍ଧମାଳ

ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ପାର୍ଟିର ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶ୍ରୀ ନଡ୍ଡା କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ଏଥି ସହ ଗତ ୮ବର୍ଷ ଶାସନରେ ମୋଦୀ ସରକାର ଓଡ଼ିଶା ଏବଂ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ଲାଗୁ କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିକାଶମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହିତ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତାକୁ ପହଂଚାଇବାର ଆଲୋଚନା କରିବେ ବୋଲି ଡ.ଲେଖାଶ୍ରୀ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପୁଣିଥରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଆସନ୍ତା 28 ତାରିଖରେ ପହଁଚିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି। ତେବେ ତାଙ୍କର ଗସ୍ତ ସୂଚୀ ସଂପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇ ନାହିଁ। ହେଲେ ସେ 28ରେ ଭୁବନେଶ୍ବର ଆସିବେ।

ଆସନ୍ତା 26 ତାରିଖରେ ବିଜେଡି ପୁରୀରେ ବିଶାଳ ସମାବେଶ କରୁଛି। ସେହିଦିନ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିବ। ତାହାକୁ କାଉଣ୍ଟର କରିବା ପାଇଁ ବିଜେପି ଏହି ରଣନୀତି ଆପଣେଇଛି ବୋଲି କୁହାଯାଉଛି। ତେବେ ନଡ୍ଡାଙ୍କ ଆଗମନ ନେଇ ବିଜେପି ବେଶ ଉତ୍ସାହିତ ହୋଇପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଦରକାର ଡବଲ ଇଞ୍ଜିନ ସରକାର, ବର୍ତ୍ତମାନ ସରକାରଙ୍କୁ ଉପାଡି ଫୋପାଡି ଦିଅ; ଜେପି ନଡ୍ଡା

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନେତାଙ୍କୁ ସମ୍ବୋଧୀତ କରି ନଡ୍ଡା କହିଛନ୍ତି ଯେ, ଓଡିଶା ସରକାର ବର୍ତ୍ତମାନ ଦୁର୍ନିତିରେ ବୁଡି ରହିଛି। କୌଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ। ଏପରି ସରକାର ରହି ନ  ରହିବା ପରି। ଏହାକୁ ଉପାଡି ଫୋପାଡି ଦିଅ ବୋଲି ନଡ୍ଡା କହିଛନ୍ତି।

କେବଳ ସେତିକି ନୁହେଁ ନେତାମାନଙ୍କୁ ଉତ୍ସାହିତ କରିବା ପାଇଁ ନଡ୍ଡା କହିଛନ୍ତି ଯେ, ଓଡିଶାରେ ଡବଲ ଇଂଜିନି ସରକାର ଦରକାର। ଉପରେ ପଦ୍ମ ଏବଂ ତଳେ ପଦ୍ମ ରହିବା ଆବଶ୍ୟକ। ତେବେ ଯାଇ ରାଜ୍ୟର ଉନ୍ନତି ତୀବ୍ର ବେଗରେ ଗତି କରିବ ବୋଲି ନଡ୍ଡା କହିଥିଲେ। ସେଥିପାଇଁ ଓଡିଶାର ବିଜେପି କିପରି ସରକାରକୁ ଆସିବ ସେ ନେଇ ଆପଣମାନେେ କାମ ଆରମ୍ଭ କରନ୍ତୁ ବୋଲି ନଡ୍ଡା ନେତାଙ୍କୁ ଆହ୍ବାନ ଦେଇଥିଲେ।

ଓଡିଶାର ସରକାର ଏକ ଷ୍ଟାମ୍ପ ମରା ସରକାର ବୋଲି ନଡ୍ଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆବାସ ଯୋଜନା କଲେ। ଯାହାର ନାମ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନାକୁ ଓଡିଶା ସରକାର ଲାଗୁ କରି ତା ଉପରେ ବିଜୁ ପକ୍କା ଘର ଯୋଜନା ଷ୍ଟାମ୍ପ ମାରି ବାହାବା ନେଉଛନ୍ତି। ଏହା ଆଉ ବେଶୀଦିନ ଚାଲିବ ନାହିଁ ବୋଲି ନଡ୍ଡା କହିଥିଲେ।

ସେହିପରି ଓଡିଶା ଲୋକେ ବର୍ତ୍ତମାନ ସୁଦ୍ଧା ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସାରା ଭାରତରେ ଏହି ଯୋଜନା ଲାଗୁ କରାଯାଇଥିବା ବେଳେ ଓଡିଶା ସରକାର କିନ୍ତୁ ଏହାକୁ ଲାଗୁ କରୁ ନାହାଁନ୍ତି। ଫଳରେ କେନ୍ଦ୍ରର ଏହି ସଫଳ ଯୋଜନାରୁ ଓଡିଶାର ଲକ୍ଷଲକ୍ଷ ଲୋକେ ବଞ୍ଚିତ ହେଇଛନ୍ତି ବୋଲି ନଡ୍ଡା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବିଜେଡି ସରକାରରେ ତିନିଜଣ ମନ୍ତ୍ରୀଙ୍କ ନାମ କୁଆଡେ ହତ୍ୟାକାଣ୍ଡରେ ଜଡିତ ବୋଲି ଆସୁଛି। ଯଦି ରକ୍ଷକ ଭକ୍ଷକ ସାଜିବ ତେବେ ସେ ସରକାର କି ସରକାର ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ଏପରି ସରକାର ରହିବା ଉଚିତ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ନଡ୍ଡାଙ୍କ ଏପରି ଭାଷଣରେ ନେତାମାନେ ବେଶ ଉତ୍ସାହିତ ହୋଇପଡିଥିଲେ।

ତେବେ ଭାଷଣ ଆରମ୍ଭରୁ ନଡ୍ଡା ଓଡିଶାରେ କେନ୍ଦ୍ର ସରକାର କଣ ସବୁ ଯୋଜନା କରିଛନ୍ତି ତାହାର ଏକ ହିସାବ ପ୍ରଦାନ କରିଥିଲେ। ବିଗତ ବର୍ଷରେ ରାଜ୍ୟକୁ କେତୋଟି ଶିକ୍ଷାନୁଷ୍ଠାନ, କେତେ ଯୋଜନା ଏବଂ ରେଳପଥ ବିକାଶ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଓଡିଶାର ଉନ୍ନତି ପାଇଁ ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ଡବଲ ଇଂଜିନି ସରକାର ଆସିଲେ ଏହା ଆହୁରି ତୀବ୍ର ହେବ ବୋଲି ନଡ୍ଡା ଏହି ସଭାରେ କହିଛନ୍ତି।