Categories
ଆଜିର ଖବର

ବିଜେପିରେ ମିଶିଲେ ବୈଜୟନ୍ତ ପଣ୍ଡା

ବିଜେଡ଼ିରୁ ବହିସ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜୟ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କଲକ ବର୍ଦ୍ଦନ ସିଂଦେଓ ପ୍ରମୁଖ ଉପସ୍ଥିତି ରହିଥିଲେ । ଏହାପରେ ବୈଜୟନ୍ତ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ବିଜେଡିରୁ ବହିସ୍କୃତ ହେବା ପରେ ବୈଜୟନ୍ତ କେଉଁ ଦଳରେ ଯୋଗଦେବେ ସେନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗିରହିଥିଲା। କିଛିଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବା ନେଇ ବେଶ୍‌ ଚର୍ଚ୍ଚା ଜୋର୍‌ ଧରିଥିଲା । ଏପରିକି ସେ ଏକ ଆଞ୍ଚଳିକ ଦଳ ଗଠନ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।  ବିଜେଡ଼ିରୁ ବହିଷ୍କୃତ ଅନ୍ୟତମ ନେତା ଦାମୋଦର ରାଉତଙ୍କ ସହ ମିଶି ଏକ ଦଳ ଗଢିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଆସନ୍ତା ବୁଧୁବାର ଦିନ ବୈଜୟନ୍ତ ଓଡିଶା ଫେରିବେ। ସେଥିପାଇଁ ଦଳ ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି ବୋଲି ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।