Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଏଥର ଦୀପାବଳିରେ ପଡୁଛି ସୂର୍ଯ୍ୟ ପରାଗ, କେମିତି ହେବ ପୂଜା ? ଶାସ୍ତ୍ର ବିଶେଷଜ୍ଞ କଲେ ସମାଧାନ

ପୁରୀ: ଏଥର କାର୍ତ୍ତିକ ଅମାବାସ୍ୟାରେ ପଡୁଛି ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ବା ସୂର୍ଯ୍ୟ ପରାଗ। ଏହି ସୂର୍ଯ୍ୟ ପରାଗ ଏଥର ଭାରତରେ ଆଶିଂକ ପ୍ରଭାବ ରହିଛି। ସେହିପରି ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୋଇଥାଏ ଦୀପାବଳି। ହେଲେ ଶାସ୍ତ୍ର ଅନୁସାରେ ଗ୍ରହଣ ଦିନ ପୂଜାପାଠ ଏପରିକି ଖାଦ୍ୟ ଗ୍ରହଣ ମଧ୍ୟ ହୋଇ ନ ଥାଏ। ଫଳରେ ଏଥର ଦୀପାବଳି କେମିତି ପାଳନ ହେବ ବୋଲି ତାହା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି।

ଓଡିଆ ପଂଜିକା ଅନୁସାରେ ଏଥର ଦୀପାବଳି ଅକ୍ଟୋବର ୨୫ ତାରିଖ ମଙ୍ଗଳବାରରେ ପଡୁଅଛି। ଏହିଦିନ ଓଡିଶାର ଦୀପାବଳି ସହିତ, ପୟାଶ୍ରାଦ୍ଧ ଏବଂ କାଳି ପୂଜା ମଧ୍ୟ କରାଯାଇଥାଏ। ହେଲେ ସେହିଦିନ ସୂର୍ଯ୍ୟ ପରାଗ ଯୋଗୁଁ ଏସବୁ କେମିତି କରାଯିବ ସେ ନେଇ ବିଭିନ୍ନ ଶାସ୍ତ୍ର ବିଶେଷଜ୍ଞ ଆଲୋଚନା କରି ଏହାର ସମାଧାନ କରିଛନ୍ତି।

ପୁରୀ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଅନୁସାରେ ଏଥର କାର୍ତ୍ତିକ ଅମବାସ୍ୟା ୨୪ ତାରିଖ ଅପରାହ୍ନ ୫ଟା ୪୭ ମନିଟ ପରେ ଆରମ୍ଭ ହେଉଛି ଏବଂ ୨୫ ତାରିଖ ସଂଧ୍ୟା ପୂର୍ବରୁ ଶେଷ ହେଉଛି। ସେହିପରି ସୂର୍ଯ୍ୟ ପରାଗ ଓଡିଶାରେ ୨୫ ତାରିଖ ଅପରାହ୍ନ ୪ଟା ୪୫ ମିନଟ ୫୫ ସେକେଣ୍ଡରେ ସ୍ପର୍ଶ କରୁଛି। ନିୟମ ଅନୁସାରେ ଏହାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଏବଂ ପୂଜା ବିଧି ନିଷେଧ କରାଯାଇଛି।

ସେଥିପାଇଁ ଗ୍ରହଣ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ସମସ୍ତ ଦେବନିତି ବନ୍ଦ କରାଯିବ। ଅର୍ଥାତ ୨୫ ତାରିଖ ଭୋର ୪ଟା ୪୫ ମିନଟ ରୁ ସମସ୍ତ ନିତିକାନ୍ତି ବନ୍ଦ ହୋଇଯିବ। ହେଲେ ୨୪ ତାରିଖ ଅପରାହ୍ନ ୫ଟା ୪୭ ମନିଟ ପରେ ଅମବାସ୍ୟା ତିଥୀ ପ୍ରବେଶ କରୁଥିବାରୁ ସେହିଦିନ ଦୀପାବଳି, ପୟାଶ୍ରାଦ୍ଧ ଏବଂ କାଳିପୂଜା କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଶାସ୍ତ୍ର ବିଶେଷଜ୍ଞମାନେ କହିଛନ୍ତି।

ତେବେ ଉତ୍ତର ଭାରତରେ ଦୀପାବଳି ୨୪ ତାରିଖରେ ଅନୁଷ୍ଠିତ ହେଉଛି ଏବଂ ସୂର୍ଯ୍ୟ ପରାଗ ୨୫ ତାରିଖରେ ହେଉଛି। ଫଳରେ ସେହି ଅଞ୍ଚଳବାସୀ ୨୪ ତାରିଖରେ ସମସ୍ତ ପୂଜାବିଧି ମଧ୍ୟ କରୁଛନ୍ତି। ୨୪ ତାରିଖରେ ଦୀପାବଳି ମଧ୍ୟ ପାଳନ କରୁଛନ୍ତି। ସେହିପରି ଦକ୍ଷିଣ ଭାରତରେ ମଧ୍ୟ ୨୪ ତାରିଖ ଅପରାହ୍ନରୁ ଦୀପାବଳି ପୂଜା ଆରମ୍ଭ କରୁଛନ୍ତି। ତେଣୁ ଓଡିଶାରେ ୨୪ ତାରିଖରେ ଦୀପାବଳି, କାଳିପୂଜା, ଲକ୍ଷ୍ମୀପୂଜା, ପୟାଶ୍ରାଦ୍ଧ କରିବା ବିଧେୟ।