Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଏଥର ଦୀପାବଳିରେ ପଡୁଛି ସୂର୍ଯ୍ୟ ପରାଗ, କେମିତି ହେବ ପୂଜା ? ଶାସ୍ତ୍ର ବିଶେଷଜ୍ଞ କଲେ ସମାଧାନ

ପୁରୀ: ଏଥର କାର୍ତ୍ତିକ ଅମାବାସ୍ୟାରେ ପଡୁଛି ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ବା ସୂର୍ଯ୍ୟ ପରାଗ। ଏହି ସୂର୍ଯ୍ୟ ପରାଗ ଏଥର ଭାରତରେ ଆଶିଂକ ପ୍ରଭାବ ରହିଛି। ସେହିପରି ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୋଇଥାଏ ଦୀପାବଳି। ହେଲେ ଶାସ୍ତ୍ର ଅନୁସାରେ ଗ୍ରହଣ ଦିନ ପୂଜାପାଠ ଏପରିକି ଖାଦ୍ୟ ଗ୍ରହଣ ମଧ୍ୟ ହୋଇ ନ ଥାଏ। ଫଳରେ ଏଥର ଦୀପାବଳି କେମିତି ପାଳନ ହେବ ବୋଲି ତାହା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି।

ଓଡିଆ ପଂଜିକା ଅନୁସାରେ ଏଥର ଦୀପାବଳି ଅକ୍ଟୋବର ୨୫ ତାରିଖ ମଙ୍ଗଳବାରରେ ପଡୁଅଛି। ଏହିଦିନ ଓଡିଶାର ଦୀପାବଳି ସହିତ, ପୟାଶ୍ରାଦ୍ଧ ଏବଂ କାଳି ପୂଜା ମଧ୍ୟ କରାଯାଇଥାଏ। ହେଲେ ସେହିଦିନ ସୂର୍ଯ୍ୟ ପରାଗ ଯୋଗୁଁ ଏସବୁ କେମିତି କରାଯିବ ସେ ନେଇ ବିଭିନ୍ନ ଶାସ୍ତ୍ର ବିଶେଷଜ୍ଞ ଆଲୋଚନା କରି ଏହାର ସମାଧାନ କରିଛନ୍ତି।

ପୁରୀ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଅନୁସାରେ ଏଥର କାର୍ତ୍ତିକ ଅମବାସ୍ୟା ୨୪ ତାରିଖ ଅପରାହ୍ନ ୫ଟା ୪୭ ମନିଟ ପରେ ଆରମ୍ଭ ହେଉଛି ଏବଂ ୨୫ ତାରିଖ ସଂଧ୍ୟା ପୂର୍ବରୁ ଶେଷ ହେଉଛି। ସେହିପରି ସୂର୍ଯ୍ୟ ପରାଗ ଓଡିଶାରେ ୨୫ ତାରିଖ ଅପରାହ୍ନ ୪ଟା ୪୫ ମିନଟ ୫୫ ସେକେଣ୍ଡରେ ସ୍ପର୍ଶ କରୁଛି। ନିୟମ ଅନୁସାରେ ଏହାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଏବଂ ପୂଜା ବିଧି ନିଷେଧ କରାଯାଇଛି।

ସେଥିପାଇଁ ଗ୍ରହଣ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ସମସ୍ତ ଦେବନିତି ବନ୍ଦ କରାଯିବ। ଅର୍ଥାତ ୨୫ ତାରିଖ ଭୋର ୪ଟା ୪୫ ମିନଟ ରୁ ସମସ୍ତ ନିତିକାନ୍ତି ବନ୍ଦ ହୋଇଯିବ। ହେଲେ ୨୪ ତାରିଖ ଅପରାହ୍ନ ୫ଟା ୪୭ ମନିଟ ପରେ ଅମବାସ୍ୟା ତିଥୀ ପ୍ରବେଶ କରୁଥିବାରୁ ସେହିଦିନ ଦୀପାବଳି, ପୟାଶ୍ରାଦ୍ଧ ଏବଂ କାଳିପୂଜା କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଶାସ୍ତ୍ର ବିଶେଷଜ୍ଞମାନେ କହିଛନ୍ତି।

ତେବେ ଉତ୍ତର ଭାରତରେ ଦୀପାବଳି ୨୪ ତାରିଖରେ ଅନୁଷ୍ଠିତ ହେଉଛି ଏବଂ ସୂର୍ଯ୍ୟ ପରାଗ ୨୫ ତାରିଖରେ ହେଉଛି। ଫଳରେ ସେହି ଅଞ୍ଚଳବାସୀ ୨୪ ତାରିଖରେ ସମସ୍ତ ପୂଜାବିଧି ମଧ୍ୟ କରୁଛନ୍ତି। ୨୪ ତାରିଖରେ ଦୀପାବଳି ମଧ୍ୟ ପାଳନ କରୁଛନ୍ତି। ସେହିପରି ଦକ୍ଷିଣ ଭାରତରେ ମଧ୍ୟ ୨୪ ତାରିଖ ଅପରାହ୍ନରୁ ଦୀପାବଳି ପୂଜା ଆରମ୍ଭ କରୁଛନ୍ତି। ତେଣୁ ଓଡିଶାରେ ୨୪ ତାରିଖରେ ଦୀପାବଳି, କାଳିପୂଜା, ଲକ୍ଷ୍ମୀପୂଜା, ପୟାଶ୍ରାଦ୍ଧ କରିବା ବିଧେୟ।

Categories
ଆଜିର ଖବର ଜାତୀୟ ଖବର

ଦୀପାବଳି ପୂର୍ବରୁ ଏହି ରାଜ୍ୟରେ ଖୋଲିବ ନାହିଁ ସ୍କୁଲ : ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲାକୁ ଦେଖି ସ୍କୁଲ ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକଓ୍ବାଡ କହିଛନ୍ତି ଯେ, ଦିଓ୍ବାଲୀ ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲା ଯିବ ନାହିଁ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ୍‌ 15 ଲକ୍ଷ 17 ହଜାର 434 ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 40 ହଜାର 40ରେ ପହଞ୍ଚିଛି । ତେବେ ରାଜ୍ୟରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ।

କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 16 ତାରିଖରୁ ସମସ୍ତ ଶିକ୍ଷଣ ସଂସ୍ଥା ବନ୍ଦ କରିବାକୁ ଆଦେଶ ଦେଇଥିଲେ । ତେବେ ଅକ୍ଟୋବର 15 ତାରିଖରୁ ପର୍ଯ୍ୟାୟକ୍ରମେ କରୋନା କଟକଣା ସହିତ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ଗୁଡିକୁ ଅନୁମତି ଦେଇଛନ୍ତି । ତେବେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆଦେଶ ରହିଛି ।

ତେବେ ରାଜ୍ୟରେ ଅନଲାଇନ୍‌ କ୍ଲାସ୍‌ ଚାଲୁଥିବାବେଳେ କିଛି କିଛି ଅଞ୍ଚଳରେ ଶିକ୍ଷକ ଛାତ୍ରମାନଙ୍କ ପାଇଁ ବିଶେଷ କ୍ଲାସ୍‌ କରୁଛନ୍ତି ବୋଲି ଗାୟକଓ୍ବାଡ ସୂଚନା ଦେଇଛନ୍ତି ।

କରୋନା ସ୍ଥିତିକୁ ଦେଖି ଦୀପାବଳି ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲା ଯାଇପାରିବ ନାହିଁ । ତେବେ ସ୍କୁଲ ଖୋଲିବା ନେଇ ଅନ୍ୟ ବିକଳ୍ପରେ ସନ୍ଧାନ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ ଖୋଲିବାର ପ୍ରଶ୍ନ ଉଠୁନାହିଁ ବୋଲି ସୂଚନା ଦେଇଛନ୍ତି ଗାୟକଓ୍ବାଡ।

ସୂଚନାଯୋଗ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 70 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 8 ହଜାର 334ରେ ପହଞ୍ଚିଛି । (ଏଜେନ୍ସି)