ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। କୋର୍ଟ କହିଛନ୍ତି ଯେ, ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବଢ଼ିବାର ବଡ଼ କାରଣ ହେଉଛି ଯାନବାହନରୁ ବାହାରୁଥିବା ଧୂଆଁ। ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ଟ୍ରାଫିକ ଜାମ୍ କଥା ଉଲ୍ଲେଖ କରି ସରକାରଙ୍କୁ ପଚାରିଛନ୍ତି, ପ୍ରଦୂଷଣ ରୋକିବା ପାଇଁ କଣ ପଦକ୍ଷେପ ନିଆଯାଇଛି।
ମୁଖ୍ୟ ବିଚାରପତି (CJI) କହିଛନ୍ତି ଯେ, ଆମେ ଲଗାତାର କଥା ହେଉଛୁ, ବୟାନ ଦେଉଛୁ କିନ୍ତୁ ପ୍ରକୃତ କଥା ହେଉଛି AQI ଏବେ ଠାରୁ ୪୦୦ ଛୁଇଁଲାଣି। ଏହା ସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୀପାବଳି ସମୟରେ ପ୍ରଦୂଷଣକୁ ନେଇ ଯେତେ ଅଧିକ ପ୍ରତିବନ୍ଧକ ଲଗାଯିବ, ସେଗୁଡ଼ିକ ଉଲ୍ଲଂଘନ ହେବାର ଆଶଙ୍କା ମଧ୍ୟ ସେତିକି ବଢ଼ିପାରେ। ସେଥିପାଇଁ ଲୋକଙ୍କ ମଧ୍ୟରେ ପ୍ରଦୂଷଣକୁ ନେଇ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଜରୁରୀ।
ଦୀପାବଳି ପରେ ହେବ ଶୁଣାଣି
ଦୀପାବଳି ସମୟରେ ରାସ୍ତାରେ ଗାଡ଼ି ସଂଖ୍ୟା ବଢ଼ିଯିବା ଯୁକ୍ତି ଉପରେ କୋର୍ଟ କହିଛନ୍ତି ଯେ, ପର୍ବ ପାଳନ କରିବା ପାଇଁ ଆମକୁ ନିଜ ପୁରୁଣା ପରମ୍ପରା ଓ ରୀତିନୀତି ଆଡ଼କୁ ଫେରିବା ଉପରେ ବିଚାର କରିବା ଉଚିତ। କୋର୍ଟ ଏହା ମଧ୍ୟ କହିଛନ୍ତି, ପ୍ରଦୂଷଣ ପାଇଁ ଗରିବ ଲୋକଙ୍କୁ ଦାୟୀ କରାଯିବା ଉଚିତ୍ ନୁହେଁ। ସେ କହିଛନ୍ତି, ଗରିବ ଲୋକ ପ୍ରଦୂଷଣ କରୁନାହାଁନ୍ତି, ବରଂ ଏହାର ସବୁଠୁ ଅଧିକ ଶିକାର ହେଉଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସେ ଦୀପାବଳି ପରେ ଏହି ମାମଲାରେ ଆଗକୁ ଶୁଣାଣି କରିବେ।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ
AQI ବଢ଼ିବା ସ୍ଥିତିରେ ସବୁ ବୟସର ପିଲାଙ୍କ ପାଇଁ ସ୍କୁଲରେ କ୍ଲାସ୍ ବନ୍ଦ କରିବାକୁ ଅନୁରୋଧ କରି ଆସିଥିବା ଆବେଦନ ଉପରେ ସେ ବିଶେଷଜ୍ଞଙ୍କ ମତ ଆଧାରରେ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଚାଷୀଙ୍କୁ ସଚେତନ କରାଯିବା ଉଚିତ୍ ଏବଂ ଯେତେବେଳେ ସେମାନେ ନଡ଼ା ପୋଡ଼ିବାର ଆର୍ଥିକ କ୍ଷତି ବୁଝିବେ, ସେତେବେଳେ ନିଜେ ହିଁ ଏହା ବନ୍ଦ କରିଦେବେ। ଦୀପାବଳି ହିଁ ସେହି ସମୟ ଯେତେବେଳେ ଗରିବ ଲୋକ ନିଜ ରୋଜଗାର କରନ୍ତି; ସେମାନଙ୍କୁ ବଡ଼ କାର୍ ଓ ଗାଡ଼ି ଯୋଗୁଁ ଅସୁବିଧା ଭୋଗିବାକୁ ପଡ଼େ ବୋଲି ସୁପ୍ରିମକୋର୍ଟ କହିଛନ୍ତି।


