Categories
ଆଜିର ଖବର ରାଜ୍ୟ ଖବର

ପୁରୀ-କୋଣାର୍କ ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ବହୁ ପ୍ରତୀକ୍ଷିତ ଜନ ଆକାଂକ୍ଷା ପୁରୀ-କୋଣାର୍କ ରେଳ ଲାଇନକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଅନୁମୋଦନ କରିଛନ୍ତି। ଏହି 32 କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ପାଇଁ 492 କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଏବଂ ପାଣ୍ଠି ଉପଲବ୍ଧ ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।  ରେଳ ଲାଇନ ନିର୍ମାଣ ପାଇଁ ଜମି ପାଇବା ପରେ ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ ହେବ।  ଏହି ପ୍ରକଳ୍ପ ପାଇଁ ମୋଟ 217 ଏକର ଜମି ଆବଶ୍ୟକ। ଜମି ଅଧିଗ୍ରହଣ କାର୍ଯ୍ୟ କ୍ଷେତ୍ରରେ ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କ ସହଯୋଗକୁ ଅନୁରୋଧ କରିଛନ୍ତି।

ଏହି ଲାଇନ କାର୍ଯ୍ୟକ୍ଷମ ହେବା ପରେ ଏହା ଆଧ୍ୟାତ୍ମିକ, ଐତିହ୍ୟ ଏବଂ ଉପକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଟ୍ରେନ୍ ସେବା ପରି ଭିସ୍ତାଡୋମ୍ ଏହି ଲାଇନରେ ଚାଲିବ। ଏହା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ସଂଯୋଗ କରିବ। ଏହି ମାର୍ଗରେ ଟ୍ରେନରେ ଜଗନ୍ନାଥ ସଂସ୍କୃତି ପରାଶର କରାଯିବ। ଏହା ବ୍ୟତୀତ ଏହି ରେଳ ଲାଇନରେ 4 ରୁ 5 ଟୁରିଷ୍ଟ ହବ୍ ନିର୍ମାଣ କରାଯିବ। ରେଳ ସେକ୍ସନରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ରେଳବାଇ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବ।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଓଡିଶାରେ 409 ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ନିର୍ମାଣ କରାଯାଇଛି ଏବଂ ବର୍ତ୍ତମାନ ରାଜ୍ୟରେ 220 ଟି ଆରଓବି ଏବଂ ଆରୟୁବି ର କାର୍ଯ୍ୟ ଚାଲୁରହିଛି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ପାଞ୍ଚଟି ସ୍ମରଣୀୟ ଡାକ ଷ୍ଟାମ୍ପ ମଧ୍ୟ ପ୍ରକାଶ କରିଥିଲେ। ସେ ପଶ୍ଚିମ ଓଡିଶାର 07 ଟି ଜିଲ୍ଲାର 42 ଟି ଶାଖା ପୋଷ୍ଟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଡାକ ଷ୍ଟାମ୍ପ ରିଲିଜ୍ ଏବଂ ଡାକଘରର ଉଦଘାଟନ ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସାହିତ୍ୟ ଏକାଡେମୀର ‘କୋଣାର୍କ’ ବିଶେଷ ସଂଖ୍ୟା ନିମନ୍ତେ ପ୍ରବନ୍ଧ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ମର୍ଯ୍ୟାଦାବନ୍ତ ପୁସ୍ତକ ପ୍ରକାଶନ ଏବଂ ତ୍ରୈମାସିକ ସାହିତ୍ୟ ମୁଖପତ୍ର “କୋଣାର୍କ’ ପ୍ରକାଶନ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ। ପୁସ୍ତକ ପ୍ରକାଶନକୁ ଲୋକାଭିମୁଖି ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଭିନ୍ନ ବିକ୍ରୟ ସଂସ୍ଥାଙ୍କ ସହିତ ଅନୁବନ୍ଧିତ କରାଯାଇ ଇ-ବିକ୍ରୟର ଶୁଭାରମ୍ଭ କରାଯିବା ସହିତ ପ୍ରକାଶିତ ପୁସ୍ତକଗୁଡ଼ିକ ଡିଜିଟାଇଜେସନ କରାଯାଇ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ୱେବ ପୋର୍ଟାଲରେ ଉପଲବ୍ଧ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଏକାଡେମୀ ପକ୍ଷରୁ ପ୍ରଦତ୍ତ ସର୍ବୋଚ୍ଚ ସ୧ାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସ୍ରଷ୍ଟାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତ୍ରୈମାସିକ ଓଡ଼ିଆ ସାହିତ୍ୟ ପତ୍ରିକା
“କୋଣାର୍କ’ର ପୃଥକ ପୃଥକ ବିଶେଷ ସଂଖ୍ୟା ପ୍ରକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତା କବି ରାଧାମୋହନ ଗଡନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ “କୋଣାର୍କ’ ବିଶେଷ ସଂଖ୍ୟା ପ୍ରକାଶ କରାଯିବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିବା ଲେଖକଲେଖିକାମାନେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ବିଭିନ୍ନ ସାରସ୍ୱତ ଦିଗକୁ ଭିତ୍ତିକରି ଏକ ପ୍ରବନ୍ଧ ଡିଟିପି କପି ସହିତ ସପ୍ଟକପି ୱାର୍ଡ଼ ଫାଇଲରେ [email protected]  ଜରିଆରେ ପଠାଇବାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁରୋଧ କରିଛନ୍ତି ।

ପ୍ରାପ୍ତ ପ୍ରବନ୍ଧଗୁଡ଼ିକ କୋଣାର୍କ ସମ୍ପାଦନାମଣ୍ଡଳୀରେ ଉପସ୍ଥାପନ କରାଯାଇ ପ୍ରକାଶନ ଦିଗରେ ସିଦ୍ଧାନ୍ତ ଗ୍ରହଣ କରାଯିବ। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ନାମ ଏକାଡେମୀ ୱେବସାଇଟ୍ www.odishasahityaakademi.org ରେ ଉପଲବ୍ଧ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଭିତ୍ତିଭୂମିକୁ କରାଯିବ ଅନ୍ତର୍ଜାତୀୟ ସ୍ତରର, ଜାଣନ୍ତୁ କଣ ହେବ କିପରି ଦେଖାଯିବ

ଭୁବନେଶ୍ବର, ଶ୍ରୀମନ୍ଦିର, ଲିଙ୍ଗରାଜ ଏବଂ ସମଲେଶ୍ବରୀ ପରେ ବର୍ତ୍ତମାନ କୋଣାର୍କକୁ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତି କରାଯାଇଛି। ଏହା ମନ୍ଦିର ବିଶ୍ବ ସ୍ତରୀୟ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମିକୁ କିପରି ବିଶ୍ବସ୍ତରୀୟ କରାଯିବ ସେ ନେଇ ନିଷ୍ପତି ହୋଇଛି।  ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନା କରାଯାଇଥିଲା। ତେବେ ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେବା ପାଇଁ ଆହ୍ବାନ କରାଯାଇଛି।

କୋଣାର୍କର ଫୁଟପାଥ ଦୋକାନଗୁଡିକର ଏହିପରି ସୌନ୍ଦର୍ଯ୍ୟକରଣ କରାଯିବ

ସରକାର ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ  ଆକୃଷ୍ଟ କରିବା ପାଇଁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ।

କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ। ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ଫେରିବାଲା ମାନଙ୍କୁ ପୁନଃଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ landscaping  କରାଯିବ।

ସୌନ୍ଦର୍ଯ୍ୟକରଣ ପରେ କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ଦୃଶ୍ୟ

ପ୍ରବେଶସ୍ଥଳରେ ପଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ସୁଦ୍ୟୃଶ୍ୟ  କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ଏଥି ସହିତ ଗାଡିମୋଟର ପାର୍କିଂ ପାଇଁ Multi modal hub ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନ୍ରବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।

କୋଣାର୍କ ମନ୍ଦିରକୁ ପ୍ରବେଶ ବେଳେ ଏହିପରି ଦେଖାଯିବ

କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ ଉପସ୍ଥାପନା ଦେଇଥିଲେ। ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦ୍ଵିତୀୟ କୋଣାର୍କର ନିର୍ବୋଧ କଳ୍ପନା କେବଳ ଏକ ରାଜନୈତିକ ସ୍ଵାର୍ଥର ସିଡି ଥିଲା କି??

କେଦାର ମିଶ୍ର

ଆଗରୁ ଆମେ ଶୁଣୁଥିଲୁ ଦ୍ଵିତୀୟ କୋଣାର୍କ ଗଢାହେବ। ଯିଏ ଏ କଥା କହୁଥିଲେ, ସେ ଏବେ ରାଜନୀତିରେ ବଢିଆ ସଫଳତା ପାଇ ରାଜ୍ୟସଭାରେ ବସିଛନ୍ତି। ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଗରୁ ଯେଉଁ ସଭାକୁ ଗଲେ ଏ ଦ୍ଵିତୀୟ କୋଣାର୍କ କଥାଟିକୁ ବଡ ଗୁରୁତ୍ଵ ଦେଇ କହୁଥିଲେ। ଇତି ମଧ୍ୟରେ ରଘୁ ବାବୁ ରାଜ୍ୟସଭାରେ ଢେର ସମୟ ବିତାଇ ସାରିଲେଣି। ରାଜ୍ୟସଭାରେ ସେ କଣ କରୁଛନ୍ତି ବା କହୁଛନ୍ତି, ତାର କିଛି ଖୋଜ ଖବର ମିଳୁନାହିଁ। ତେବେ ସେ ଯେ କୋଣାର୍କ ଆଉଥରେ ଗଢିବେ, ସେ କଥା ଆମେ ବିଶ୍ଵାସ କରୁନୁ। ହେଲେ ଏକ କଳାକୃତିର କଳ୍ପନା ଯେ ରାଜନୈତିକ ସଫଳତାର ସିଡି ହୋଇପାରେ, ସେଇଟା ଆମେ ଜାଣ ରଖିବା ଉଚିତ।       

କୋଣାର୍କ ଏକ ଏବଂ ଅଦ୍ଵିତୀୟକୋଣାର୍କର ବିକଳ୍ପ ନାଇଁ କି ଦ୍ଵିତୀୟ କୋଣାର୍କ ନିର୍ମାଣର ଆବଶ୍ୟକତା ମଧ୍ୟ ନାହିଁ। ୧୨୫୫ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ ସେଇ ସମୟର ସବୁଠୁ ବଡ ଆହ୍ଵାନ ଥିଲା ଓ ସେଇ ସମୟର ଆହ୍ଵାନକୁ ଅତିକ୍ରମ କରି କୋଣାର୍କ କାଳଜୟୀ କୀର୍ତ୍ତି ଭାବରେ ଅମରତ୍ଵ ପାଇଛି। ମାୟାଧର ମାନସିଂଙ୍କ ଭାଷାରେ କୋଣାର୍କ ହେଉଛି “ ପ୍ରସ୍ତରେ ପ୍ରସ୍ତରେ ସୁନିହିତ କବିତା ସଂଭାର, ହେ ପାଷାଣ କବିତା ଝଙ୍କାର”। ଗୋଟେ ଜାତିର ଜୀବନରେ କୋଣାର୍କ ପରି ମହାନ କିର୍ତ୍ତୀ ନିର୍ମାଣ କରିବା ସବୁଠୁ ବଡ ସଫଳତାତାକୁ ଆଉ ଥରେ ରଚନା କରିବା ସମ୍ଭବ ନୁହେଁବାର ଶତ ବଢେଇର ଶ୍ରମ ଓ ସୌନ୍ଦର୍ୟବୋଧ ଆଉ ଥରେ ଆସିବ ନାହିଁସେ ଯାହା ରଚିତ ହୋଇଛି, ତାହା ପ୍ରଥମ ଏବଂ ଅନ୍ତିମ। ହୁଏତ ତାରି ଅନୁକରଣରେ କିଛି ଗଢିବାର ପ୍ରୟାସ କେହି କରିପାରେ, ହେଲେ ଦ୍ଵିତୀୟ କୋଣାର୍କ ଗଢିବାର ଦାବି ନିର୍ବୋଧର କଲ୍ପନା ମାତ୍ର

ତେବେ ଏମିତି ଏକ କଠୋର ବାକ୍ୟ ପ୍ରୟୋଗ କରି ଆମ ସମୟର ଖ୍ୟାତନାମା ସ୍ଥପତି ରଘୁନାଥ ମହାପାତ୍ରଙ୍କ ନିଷ୍ଠା ଉପରେ ମୁଁ ସନ୍ଦେହ ପ୍ରକଟ କରୁନାହିଁ । ରଘୁବାବୁ ଅତ୍ୟନ୍ତ ଉଚ୍ଚ ଦରର ସ୍ଥପତି ଓ ତାଙ୍କର ପ୍ରତିଷ୍ଠା ରହିଛି। ପାରମ୍ପରିକ ମୂର୍ତ୍ତିକଳାର ସେ ଜଣେ ନାମଜାଦା କାରିଗରତେଣୁ ଶିଳ୍ପୀ ଭାବରେ ସେ ଆମର ସମ୍ମାନଯୋଗ୍ୟକିନ୍ତୁ ଦ୍ଵିତୀୟ କୋଣାର୍କ ନିର୍ମାଣ କଥା ଉଠେଇ ରଘୁବାବୁ କୋଣାର୍କ ର ଗରିମା ଆଗରେ ଅଯଥାରେ ଏକ ପ୍ରଶ୍ନବାଚୀ ଠିଆ କରୁଛନ୍ତିଆଜିର ସମୟରେ ଆଉ ଏକ ଭବ୍ୟ ଓ ବିଶାଳ ମନ୍ଦିର ନିର୍ମାଣ କେବଳ ସମ୍ବଳର ଅପବ୍ୟୟ ନୁହେଁ, କଳା ଦୃଷ୍ଟିରୁ ଏହା ଅନାବଶ୍ୟକ ମଧ୍ୟଆମ ସମୟରେ ସବୁଠୁ ବଡ ଆବଶ୍ୟକତା ହେଉଛି ସମ ସାମୟିକ କଳା ତଥା ସ୍ଥାପତ୍ୟ ର ବିକାଶଆଜି ମଧ୍ୟ ଓଡିଶାର ଶିଳ୍ପୀ ଓ ସ୍ଥପତି ମାନେ ନିଜ ଜୀବିକା ନିର୍ବାହ ପାଇଁ ବିଦେଶ ଉପରେ ନିର୍ଭରଶୀଳଆମ ପାଖରେ ତାଲିମ ଲାଗି କୌଣସି ସ୍ଵତନ୍ତ୍ର ଅନୁଷ୍ଠାନ ନାହିଁଏପରିକି ପ୍ରାଚୀନ କଳାର ସଂରକ୍ଷଣ ଲାଗି ଆମ ପାଖରେ ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁସେଇ ପୃଷ୍ଠଭୂମିରେ ଆଉ ଏକ କୋଣାର୍କ ନିର୍ମାଣ ର ପରିକଳ୍ପନା ଯେତିକି ଉଦ୍ଭଟ ସେତିକି ଅନାବଶ୍ୟକ ।

ଏଠି କହିବା ପ୍ରାସଙ୍ଗିକ ହେବ ଯେ, ପୃଥିବୀର ଯେତେ ବି ମହାନ ଶିଳ୍ପ, ସ୍ଥାପତ୍ୟ ବା ଚିତ୍ରକଳା ରହିଛି ତାହାର ବିକଳ୍ପ ବା ଦ୍ଵିତୀୟ ନିର୍ମାଣ କଥା କେହି ଚିନ୍ତା କରିନାହାନ୍ତି। ମାଇକେଲଆଞ୍ଜେଲୋଙ୍କ ସ୍ଥାପତ୍ୟ ହେଉ ଅଥବା ଲିଓନାର୍ଦୋ ଦା ଭିନ୍ସିଙ୍କ ମୋନାଲିସା, ଭାରତର ଖଜୁରାହୋ ହେଉ ବା କୋଣାର୍କ କିମ୍ବା ଆଧୁନିକ ସମୟରେ ରବି ବର୍ମା କିମ୍ବା ରାମାକିଙ୍କରଙ୍କ ଶିଳ୍ପ, ସେସବୁର ଦ୍ଵିତୀୟ ସଂସ୍କରଣ ବା ନିର୍ମାଣ କଥା କେହି ଚିନ୍ତା କରନ୍ତି ନାହିଁପ୍ରତ୍ୟେକ କଳା ନିଜ ପରିଚୟରେ ସ୍ଵତନ୍ତ୍ର ଓ ନିର୍ବିକଳ୍ପ। ସେ ଦୃଷ୍ଟିରୁ କୋଣାର୍କ ର ଆଉ ଏକ ବିକଳ ଅନୁକରଣ ଦରକାର ନାଇଁତେବେ ରଘୁନାଥ ମହାପାତ୍ର ନିଜେ ଆଉ ଏକ ମନ୍ଦିର ଗଢିବାକୁ ଯଦି ଉଦ୍ୟମ କରିବେ, ସେଥିରେ ତାଙ୍କୁ ବିରୋଧ କରିବାର କୌଣସି କାରଣ ନାହିଁତେବେ ପ୍ରଶ୍ନ ଉଠୁଛି, ଶହ ଶହ ମନ୍ଦିର ସ୍ଥାପତ୍ୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଆଉ ଏକ ନୂଆ ମନ୍ଦିର ଗଢି ପାଞ୍ଚ ଶହ କୋଟି ଟଙ୍କା ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ?

ମନ୍ଦିର ବଦଳରେ ଏକ ନୂଆ ସ୍ଥାପତ୍ୟ ଗ୍ୟାଲେରୀ ବା କଳା ଅନୁଷ୍ଠାନ କଥା ଚିନ୍ତା କରା ଯାଉନାହିଁ କାହିଁକି? ମନ୍ଦିର ଶବ୍ଦ ପ୍ରତି ଭାରତୀୟ ଜନତା ପାର୍ଟିର ବିଶେଷ ଦୁର୍ବଳତା ରହିଛି। ସେଇ କାରଣରୁ ବୋଧେ ରଘୁ ବାବୁ ଏବେ ବିଜେପିର ପ୍ରିୟପାତ୍ର ପାଲଟିଛନ୍ତିସେଥିଲାଗି ତାଙ୍କୁ ମୋଦୀ ସରକାର ରାଜ୍ୟସଭାକୁ ନିର୍ବାଚିତ ମଧ୍ୟ କରିଛନ୍ତି। ଯଦିଓ ସେ ନିଜ କଳା ବ୍ୟବସାୟ କ୍ଷେତ୍ରରେ ଗାନ୍ଧୀ ପରିବାର, ଓଡିଶାର ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ଦଳ ସହ ଘନିଷ୍ଠ ରହିଆସିଛନ୍ତି, ତେବେ ମନ୍ଦିର ଗଢିବା ଲାଗି ତାଙ୍କର ଚିନ୍ତାକୁ ଅନ୍ୟମାନେ ବେଶୀ ଉତ୍ସାହିତ କରିନାହାନ୍ତିକିଛି ବର୍ଷ ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ଵିତୀୟ କୋଣାର୍କର ସମର୍ଥକ ସାଜିଥିଲେ। ଏବେ କିନ୍ତୁ ସେକଥା ଆଉ ଶୁଣିବାକୁ ବି ମିଳୁନି।   

ଆମେ କଣ ଭାବିନେବା ଯେ ଦ୍ଵିତୀୟ କୋଣାର୍କ ଗଢିବାର ରାଜନୈତିକ ଆବଶ୍ୟକତା ବୋଧହୁଏ ରାଜ୍ୟସଭାରେ ପୂରଣ ହୋଇଗଲା!!

Categories
ବିଶେଷ ଖବର

କୋଣାର୍କ ଯାତ୍ରୀ ନିବାସ, ଓଡିଶାର ଉଜ୍ଜଳ ଛବି ବା ବ୍ରାଣ୍ଡ ଓଡ଼ିଶାକୁ ଭାଙ୍ଗିଦେବାର ସବୁଠୁ କଳଙ୍କିତ ପ୍ରତୀକ  

କେଦାର ମିଶ୍ର

ଗତ ପାଞ୍ଚ ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। ଚନ୍ଦ୍ରଭାଗା କବିତା ଉତ୍ସବ ନାଁରେ ଆମେ କୋଣାର୍କର କଳାକୃତି, ଓଡିଆ କବିତା ଓ ଜନଜୀବନକୁ ନେଇ ଏହି ଉତ୍ସବରେ ଆଲୋଚନା କରିଥାଉ। ଓଡିଶାର ସର୍ବ ବରିଷ୍ଠ ଲେଖକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହେଉଥିବା ଏହି ଉତ୍ସବର ସ୍ଵାଭାବିକ ସ୍ଥାନ ହେଉଛି କୋଣାର୍କ ଯାତ୍ରୀ ନିବାସ। କୋଣାର୍କ ମନ୍ଦିର ସାମ୍ନାରେ ରହିଥିବା ଓ ଓଡିଶା ସରକାରଙ୍କ ପର୍ୟଟନ ବିକାଶ ନିଗମ ଦ୍ଵାରା ପରିଚାଳିତ ଏହି ଯାତ୍ରୀ ନିବାସ ଓ ପାନ୍ଥ ନିବାସ ଆମର ନିୟମିତ ଆକର୍ଷଣ ହୋଇ ରହିଆସିଛି।

ତେବେ ଏ ଯାତ୍ରୀ ନିବାସରେ କୋଣାର୍କ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ କିଛି ସୁଖଦ ଅନୁଭୂତି ଅଛି କି? ଆଜି ଯେତେବେଳେ ଆମେ ନୂଆ ଓଡିଶା ଏବଂ ବ୍ରାଣ୍ଡ ଓଡିଶାର କଥା କହୁଛୁ, ସେତେବେଳେ ଓଡିଶାର ସବୁଠୁ ବଡ ଐତିହ୍ୟ ସମ୍ପଦ କୋଣାର୍କକୁ ଆମେ କେମିତି ଦେଖୁଛୁ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। କୋଣାର୍କ ଯାତ୍ରୀ ନିବାସର ପରିସର ବେଶ ବ୍ୟାପକ। ଏହାର ବାହାର ପରିବେଶ ସୁନ୍ଦର। ହେଲେ ଏହାର କୋଠରି ଗୁଡିକ ଭୁତ କୋଠିଠୁ ବି ଭୟଙ୍କର। ତେବେ ଏ ସବୁ କୋଠରୀର ଦୈନିକ ଭଡା କିଛି କମ ନୁହେଁ। ୨୪ ଘଣ୍ଟାର ରହଣି ରେ  ସୁଟ ପାଇଁ ୩୭୦୦, ଡିଲକ୍ସ କୋଠରୀ ପାଇଁ ୨୩୦୦ ଓ ସାଧାରଣ କୋଠରୀ ଲାଗି ୧୨୦୦ ଟଙ୍କାର ଭଡା ଦେବାକୁ ପଡିଥାଏ। ଡିସେମ୍ବର ମାସରେ ଏ ଭଡା ଟିକେ ଅଧିକ। ଏ ଭଡା କୌଣସି ଦୁଇ/ତିନି ତାରକା ହୋଟେଲ ଠାରୁ କମ ନୁହେଁ। କିନ୍ତୁ ଏଇ କୋଠରୀ ସବୁ ଏତେ ଦୟନୀୟ କାହିଁକି?

ମୁଁ ରହୁଥିବା ୩୨୫ ନମ୍ବର କୋଠରୀ କୁ ପଶୁ ପଶୁ ମଶା ଓ ଅସରପାଙ୍କ ସ୍ଵାଗତ ମୋତେ ସତର୍କ ହେବାକୁ ବାଧ୍ୟ କରିଥିଲା। କୋଠରୀ ରେ ଥିବା ଏୟାର କଣ୍ଡିସନରର ଢାଙ୍କୁଣୀ ଉଡିଯାଇଛି। କହିବା ବାହୁଲ୍ୟ ଯେ ଏସି କାମ କରୁନଥିଲା କି କରିବାର ସମ୍ଭାବନା ମଧ୍ୟ ନଥିଲା। ଯାହାହେଉ ଶୀତ ଦିନେ ସେ କିଛି ସମସ୍ୟା ନୁହେଁ। ଏସି ସହିତ କୋଠରୀର ପ୍ରତ୍ୟେକ କୋଣରେ ଅସଂଖ୍ୟ  ଉଈ ହୁଙ୍କା।    ଝରକାରେ ଲାଗିଥିବା ପରଦା ହଠାତ ଖସିଆସି ବାଜିଲା ମୋ ଗୋଡରେ। ସେ ପରଦା ଆଉ ଥରେ ଲାଗିବାର ସମ୍ଭାବନା ଦିଶୁନଥିଲା। ଗାଧୁଆ ଘର ଅବସ୍ଥା ନ କହିଲେ ଭଲ।ଅନେକ ସମୟ ଯାଏ କୋଠରୀରେ ଲାଇଟ ବା ପାଣି ଆସୁନଥିଲା। ଅଭିଯୋଗ କଲାପରେ ଯେଉଁ ପାଣି ଆସିଲା ସେଥିରେ କାଦୁଅ ଭର୍ତ୍ତି ନଳାପାଣି।   ଅନେକ ବନ୍ଧୁଙ୍କର ଅଭିଯୋଗ ଥିଲା ତାଙ୍କ କୋଠରୀର ଗୀଜର କାମ କରୁନାହିଁ। ପାଣି ପାଇପ ସବୁ କଳଙ୍କି ଲଗା ଓ ଅନେକ ଅକାମୀ। କୋଠରୀରେ ପାଣି ଟୋପେ ପାଇବାକୁ ହେଲେ ଆପଣଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡିବ। ଅଦ୍ଭୁତ, ଅଣ ପେଶାଦାର ଓ ନିହାତି ରହିବା ଅନୁପଯୋଗୀ ଏମିତି ଏକ ଯାତ୍ରୀ ନିବାସର ଦାୟିତ୍ଵ ଓଡିଶା ସରକାର ଚଳାଉଛନ୍ତି, ଏକଥା ଜାଣିଲା ପରେ ମୁମ୍ବାଇ ରୁ ଆସିଥିବା ଆମର ଜଣେ ବିଶିଷ୍ଟ ଇଂରାଜୀ କବି ବନ୍ଧୁ କହିଲେ- ନା, ବିଶ୍ଵକପ ହକି ଆୟୋଜନ କରୁଥିବା ଗୋଟେ ସରକାରଠୁ ଏ ପ୍ରକାର ପରିଚାଳନା ଆଶା କରାଯାଇ ପାରେନା।

ଯାତ୍ରୀ ନିବାସର ପରିଚାଳନାକୁ ନେଇ ସମସ୍ୟାର ତାଲିକା ବହୁତ ଲମ୍ବା। ଆଜିକାଲି କୌଣସି ୩୦୦ ଟଙ୍କିଆ ହୋଟେଲକୁ ଗଲେ ସେ ଆପଣଙ୍କୁ ମାଗଣା ରେ ୱାଇ ଫାଇ ସୁବିଧା ଦେବା କିନ୍ତୁ ତିନି ହଜାର ଟଙ୍କିଆ କୋଠରୀ ରେ ଇଣ୍ଟର୍ନେଟ ସେବା ଉପଲବ୍ଧ ନାହିଁ। ଏତେ ଟଙ୍କା ଦେଇ ଯେଉଁ ପର୍ୟଟକ ଯାତ୍ରୀ ନିବାସରେ ରହିବ, ତାର ଅନୁଭବ ଏତେ ତିକ୍ତ ଓ ବିରକ୍ତିକର ଯେ, ସେ ହୁଏତ ପୁଣି ଥରେ କୋଣାର୍କ କଥା ଭାବିବାକୁ ଡରିବ। ଚଳିତ ବର୍ଷ ରାଜ୍ୟ ସରକାର ଚନ୍ଦ୍ରଭାଗା ବେଳାଭୂମିରେ ଇକୋ ରିଟ୍ରିଟର ଆୟୋଜନ କରିଛନ୍ତି। ତାହା ସୁନ୍ଦର ହୋଇଛି ମଧ୍ୟ। ହେଲେ କୋଣାର୍କ ଯାତ୍ରୀ ନିବାସର ଏ ସ୍ଥିତି ସୁଧାରିବାକୁ ସରକାର ଚାହୁଁ ନାହାନ୍ତି କାହିଁକି? ଏଠି କହିରଖେ, ଗତ ବର୍ଷ ମଧ୍ୟ ଏମିତି ସମାନ ଅନୁଭବର କଥା ମୁଁ ଲେଖିଥିଲି। କୋଣାର୍କ ଭଳି ଓଡିଶାର ସବୁଠୁ ବଡ ପର୍ୟଟନ କେନ୍ଦ୍ରରେ ଏମିତି ଏକ ଯାତ୍ରୀ ନିବାସ ଓଡିଶାର ସବୁ ଭଲକାମକୁ ଖରାପ କରି ଦେଖାଇବାକୁ ସୁଯୋଗ ଦେବ। ଏକଥା ଓଡିଶା ସରକାରଙ୍କର ପର୍ୟଟନ ବିଭାଗ ବୁଝୁଛି ତ!

ଆମେ ଏ ରାଜ୍ୟର ସବୁଠୁ ବଡ ପର୍ୟଟନ କ୍ଷେତ୍ରର ଯାତ୍ରୀ ନିବାସଟିକୁ ସାଧାରଣ ସୁବିଧା ଦେଇ ପରିଚାଳିତ କରିବାରେ ଯଦି ବିଫଳ, ତାହେଲେ, କେଉଁ ମୁହଁ ରେ ଆମେ ବିକଶିତ ଓଡିଶା, ବ୍ରାଣ୍ଡ ଓଡିଶା ବା ମେକ ଇନ ଓଡିଶାର କଥା କହିବା?

Categories
ଆଞ୍ଚଳିକ ରାଜ୍ୟ ଖବର

ଇକୋରିଟ୍ରିଟ୍‌ ପରିଦର୍ଶନ କରି ଧନ୍ଦାମୂଳକ ଶିକ୍ଷାର ଅଭିଜ୍ଞତା ହାସଲ କଲେ ଛାତ୍ରଛାତ୍ରୀ

ସମୀକ୍ଷା ବ୍ୟୁରୋ
କୋଣାର୍କ : କୋଣାର୍କରେ ଅନୁଷ୍ଠିତ ଇକୋ ରିଟ୍ରିଟ୍‌ ପରିଭ୍ରମଣ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ। କୋଣାର୍କସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଇଣ୍ଡଷ୍ଟ୍ରି ଭିଜିଟ୍‌ କାର୍ଯ୍ୟକ୍ରମରେ ଇକୋ ରିଟ୍ରିଟ୍‌ ପରିଦର୍ଶନ କରିବା ସହିତ ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ରହିଥିବା ରିଟେଲ୍‌ (ଖୁଚୁରା ବ୍ୟବସାୟ) ବିଭାଗ ଅଧୀନରେ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜ୍ଞାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଚଳିତ 9 ତାରିଖରେ ଅନୁଷ୍ଠିତ ହୋଇଛି।


ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ, କ୍ରୀଡା ଶିକ୍ଷକ ଅଭୟ କୁମାର ମଲ୍ଲ ଏବଂ ରିଟେଲ୍‌ (ଖୁଚୁରା ବ୍ୟବସାୟ) ନିଯୁକ୍ତ ଶିକ୍ଷକ ଭାଗିରଥୀ ପାଇକରାୟ ଏବଂ ଭୋକେସନାଲ (ଧନ୍ଦାମୂଳକ ଶିକ୍ଷା) କୋ ଅର୍ଡିନେଟର ଦ୍ୟୁତିରଞ୍ଜନ ଦେଓଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ରିଟ୍ରିଟ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାମଚଣ୍ଡୀର ମେରାଇନ୍‌ ଡ୍ରାଇଭ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଗ୍ରାହକ ସେବା, ବିଭିନ୍ନ ଦ୍ରବ୍ୟର ପରିସ୍କାର ପରିଛନ୍ନତା, କ୍ରେତା ବିକ୍ରେତା କଥୋପକଥନ ଏବଂ ବିଭିନ୍ନ ଦ୍ରବ୍ୟର ପ୍ୟାକିଂ ଦେଖିବା ସହି ଜ୍ଞାନ ଆହରଣ କରିଥିଲେ। ଏହା ସହିତ ଖୁଚୁରା ବ୍ୟବସାୟର ଉପାଦେୟତା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଏହି ପରିଦର୍ଶନ ଭବିଷ୍ୟତରେ ଧନ୍ଦାମୂଳକ ଶିକ୍ଷାର ମାନବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ ଏବଂ ଖୁଚୁରା ବ୍ୟବସାୟ ବିଭାଗ ଶିକ୍ଷକ ଭାଗିରଥୀ ପାଇକରାୟ ମତ ଦେଇଥିଲେ।