Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ବ୍ୟବସାୟ ବନ୍ଦ କଲେ ସରକାର

ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ଗୁରୁବାର ଠାରୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ମଧ୍ୟରେ ଏହି ବ୍ୟବସାୟ ଚାଲୁଥିବା ବେଳେ ଏହା ଦ୍ବାରା ପଡୋଶୀ ରାଷ୍ଟ୍ର ତରଫରୁ ବେଆଇନ ହତିଆର, ନିଶା ଦ୍ରବ୍ୟ ଏବଂ ଜାଲ ନୋଟ କାରବାର ହେଉଥିବାରୁ ଏହାକୁ ଗୁରୁବାର ବନ୍ଦ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଆଦେଶ ଦେଇଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପରେ ପ୍ରତିକ୍ରିୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ରାସ୍ତାରେ ହେଉଥିବା ବିଭିନ୍ନ ବ୍ୟବସାୟରେ ଅନୈତିକ ଜିନିଷ ଦେଶ ମଧ୍ୟକୁ ଆସୁଛି। ଏହି ସାମଗ୍ରୀର ଦେଣ ନେଣ ଆତଙ୍କବାଦ ଏବଂ ବିଛିନ୍ନତାବାଦୀଙ୍କୁ ସହାୟତା ଦେଉଛି ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ମିଳିବା ପରେ କେନ୍ଦ୍ର ସରକାର ଏହାକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ନିୟନ୍ତ୍ରଣ ରେଖାରେ ଚାଲୁଥିବା ଏହି ବ୍ୟବସାୟ ପାଇଁ କର ଦେବାକୁ ପଡୁନଥିଲା। ଏହା ଉପରେ ପୁନର୍ବିଚାର ପରେ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।