Categories
ଆଜିର ଖବର ଜାତୀୟ ଖବର

ମାନବିକତାର ଉଦାହରଣ ସୃଷ୍ଟି କଲେ ଟ୍ରେନ୍‌ ଚାଳକ : ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ପଛୁଆ ଟ୍ରେନ୍‌ ଚଳାଇଲେ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଲ୍‌ଗାଓ୍ବଁଠାରେ ମାନବତାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ରେଳ ବିଭାଗର ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କ ମାନବିକତା ଏକ ଉଦାହରଣ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ପ୍ୟାସେଞ୍ଜର୍‌ ଟ୍ରେନ୍‌ରୁ ଖସି ପଡି ଆହତ ହୋଇଥିବା ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଟ୍ରେନ୍‌ ଚାଳକ ଓ ଗାର୍ଡ ପଦକ୍ଷେପ ନେବା ସହିତ ଟ୍ରେନ୍‌କୁ ରୋକି ଦୁଇ କିଲୋମିଟର ପଛକୁ ଯାତ୍ରା କରି ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ଘଟଣାଟି ଜଲ୍‌ଗାଓଁ ଜିଲ୍ଲାର ପାଚରା ଓ ମହେଜି ରେଲ୍‌ଓ୍ବ ଷ୍ଟେସନ୍‌ ମଧ୍ୟରେ ହୋଇଥିବାର ସୂଚନା ରହିଛି । ଦେବଲାଲୀ-ଭୁସାବଲ୍‌ ପାସେଞ୍ଜର୍‌ ଟ୍ରେନ୍‌ ଷ୍ଟେସନ୍‌ ତରଫରୁ ଆସୁଥିବାବେଳେ ଟ୍ରେନ୍‌ର ଗାର୍ଡ ଜଣକ ଯାତ୍ରୀଙ୍କ ଖସି ପଡ଼ିବା ନେଇ ଟ୍ରେନ୍‌ ଚାଳକଙ୍କୁ ସୂଚନା ଦେଇଥିଲେ । ସୂଚନା ମିଳିବା କ୍ଷଣି ଟ୍ରେନ୍‌ ଚାଳକ ଟ୍ରେନ୍‌କୁ ରୋକିବା ସହିତ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍‌କୁ ପଛକୁ ନେଇଥିଲେ । ପରେ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା ।  ରେଳବାଇ ନିୟମ ଅନୁସାରେ ଟ୍ରେନ୍‌କୁ ପଛକୁ ନେବା ପାଇଁ ଟ୍ରେନ୍‌ ଚାଳକକୁ ଅନୁମତି ମିଳିଥାଏ । ଯାତ୍ରୀଙ୍କ ଜୀବନ ବଞ୍ଚାଇ ଥିବାରୁ ସମ୍ପୃକ୍ତ ଟ୍ରେନ୍‌ ଚାଳକ ଓ ଗାର୍ଡଙ୍କୁ ସମ୍ମାନିତ କରାଯିବ ।