Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମହାରାଷ୍ଟ୍ର ନିର୍ବାଚନ: ପ୍ରାର୍ଥୀ ଦେବେ ନାହିଁ ମନୋଜ ଜରାଙ୍ଗେ, କାହିଁକି ପଛକୁ ଫେରିଲ?

ମୁମ୍ବାଇ: ମନୋଜ ଜରାଙ୍ଗେଙ୍କ ନାମ କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ଗତ ଏକ-ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଜଣାଶୁଣା। ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ ଆଜି ‘ୟୁ-ଟର୍ନ’ ନେଇ କହିଛନ୍ତି ଯେ, ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କୌଣସି ପ୍ରାର୍ଥୀ କିମ୍ବା ଦଳକୁ ସମର୍ଥନ କରିବେ ନାହିଁ ଏବଂ ନାମାଙ୍କନପତ୍ର ଦାଖଲ କରିଥିବା ସମର୍ଥକଙ୍କଠାରୁ ତାଙ୍କ ନାମ ପ୍ରତ୍ୟାହାର କରିନେବେ। ନାମାଙ୍କନ ପ୍ରତ୍ୟାହାର କରିବାର ଆଜି ଶେଷ ଦିନ ଥିଲା। ନଭେମ୍ବର ୨୦ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣନା କରାଯିବ।

ଦଲିତ-ମୁସଲିମ-ମରାଠା ମେଣ୍ଟ ବିଫଳ ହୋଇଛି କି?

ଏହାପୂର୍ବରୁ ମନୋଜ ଜରାଙ୍ଗେ ଦଳିତ ତଥା ମୁସଲମାନ ସମ୍ପ୍ରଦାୟର ଅନେକ ନେତାଙ୍କୁ ଭେଟି ଦଳିତ, ମୁସଲମାନ ଏବଂ ମରାଠୀଙ୍କ ମେଣ୍ଟ ଗଠନ କରିବାକୁ ଚେଷ୍ଟା କରିଥିଲେ। ଯେଉଁମାନେ ତାଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରେ ଇସଲାମ ପଣ୍ଡିତ ସଜ୍ଜାଦ ନୋମାନି ମଧ୍ୟ ଥିଲେ। ଦଳିତ ନେତା ରାଜରତ୍ନ ଆମ୍ବେଦକର ଏବଂ ଆନନ୍ଦରାଜ ଆମ୍ବେଦକର ମଧ୍ୟ ତାଙ୍କୁ ଭେଟି ନୂତନ ସମ୍ଭାବନା ଗୁଡ଼ିକ ଅନୁସନ୍ଧାନ କରିଥିଲେ। ସମସ୍ତେ ଏକ ବିକଳ୍ପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମୟ ସହିତ ସେମାନେ ଅନୁଭବ କଲେ ଯେ, ଏହା କରିବା କଷ୍ଟକର। ମନୋଜ ଜରାଙ୍ଗେ ଅନୁଭବ କରିଛନ୍ତି ଯେ, ଯଦି ତାଙ୍କ ପ୍ରାର୍ଥୀମାନେ ସମସ୍ତ ଆସନରେ ହାରିଯାଆନ୍ତି, ତେବେ ମରାଠା ସମ୍ପ୍ରଦାୟ ସେମାନଙ୍କୁ କ୍ଷମା କରିବେ ନାହିଁ ଏବଂ ସଂରକ୍ଷଣ ପ୍ରସଙ୍ଗ ଏକ ରାଜନୈତିକ ପ୍ରସଙ୍ଗ ହୋଇ ରହିବ।

Categories
ଆଜିର ଖବର ଜାତୀୟ ଖବର

ପୋଲିସ ଏନକାଉଣ୍ଟରରେ ଚାରି ନକ୍ସଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଢଚିରୋଲିରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନିରୁ ଚାରି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାର ଖବର ରହିଛି। ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳର C60 କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ପୋଲିସ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଛି କିନ୍ତୁ ନକ୍ସଲମାନଙ୍କ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ମୃତଦେହ ଉଦ୍ଧାର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି।

Categories
ଆଜିର ଖବର ଜାତୀୟ ଖବର

ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇଦିଅ, ନିଜର ଶକ୍ତି ଦେଖାଇବେ ହିନ୍ଦୁ: ବିଜେପି ନେତାଙ୍କ ବିବାଦୀୟ ବିବୃତ୍ତି

ନୂଆଦିଲ୍ଲୀ: ବିଜେପି ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତୀଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଗୁରୁବାର ଦିନ ମହାରାଷ୍ଟ୍ରର ସାଙ୍ଗଲିରେ ସେ କହିଛନ୍ତି ଯେ, ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇଦିଅ, ହିନ୍ଦୁମାନେ ନିଜର ଶକ୍ତି ପ୍ରଦର୍ଶନ କରିବେ।

ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏଆଇଏମ୍ଆଇଏମ୍ ର ନେତା ୱାରିସ୍ ପଠାନ୍ ତାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଜେ, କୁକୁରମାନେ ଭୁକିବାରେ ଲାଗନ୍ତି, ସିଂହମାନେ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ନୀତୀଶ ରାଣେ କହିଛନ୍ତି ଯେ, ୨୪ ଘଣ୍ଟା ପାଇଁ ପୋଲିସ ହଟାଇଦିଅ, ତାହେଲେ ଆପଣ କଣ କରିବେ? ଯଦି ମୁଁ ଏହି କଥା କହିଥାନ୍ତି, ତେବେ ମୁଁ ବର୍ତ୍ତମାନ ଜେଲରେ ଥା’ନ୍ତି।

ୱାରିସ୍ ପଠାନ୍ କହିଛନ୍ତି ଯେ, ”ମସଜିଦ ଭିତରକୁ ପଶି ମୁସଲମାନମାନଙ୍କୁ ହତ୍ୟା କରିବେ ବୋଲି ନୀତେଶ ରାଣେ କହିଛନ୍ତି, ଆରେ ପ୍ରଥମେ ତ ନିଜ ଦୁଇ ଗୋଡ଼ରେ ଆସ, ଏବଂ ଗଲାବେଳେ ଷ୍ଟ୍ରେଚରରେ ଯିବ। ନିର୍ବାଚନ ସମୟରେ ବିଜେପି ମହାରାଷ୍ଟ୍ରରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି ଏବଂ ଅନ୍ୟ କିଛି ନୁହେଁ।”

ଏହାପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଅହମ୍ମଦନଗରରେ ସକଲ ହିନ୍ଦୁ ସମାଜ ଆନ୍ଦୋଳନ ସମୟରେ ନୀତୀଶ ରାଣେ କହିଥିଲେ ଯେ, ଯେଉଁ ଭାଷାରେ ତୁମେ ବୁଝୁଛ, ସେହି ଭାଷାରେ ତୁମକୁ ଚେତାବନୀ ଦେଇ ଯାଉଛି। ଯଦି ତୁମେ ଆମର ରାମଗିରି ମହାରାଜା ବିରୁଦ୍ଧରେ କିଛି କର, ତେବେ ମସଜିଦ ଭିତରକୁ ପଶି ତୁମକୁ ଖୋଜି ଖୋଜି ହତ୍ୟା କରିବୁ, ଏହା ଧ୍ୟାନରେ ରଖିଥାଅ।

ରାଣେଙ୍କ ଏହି ବିବୃତ୍ତି ମହାରାଷ୍ଟ୍ରରେ ଅନେକ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ମାମଲାରେ ମହାରାଷ୍ଟ୍ର ପୋଲିସ ଅଭିଯୋଗ ପରେ ଦୁଇଟି ଏଫଆଇଆର ପଞ୍ଜିକରଣ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

୨୯,୪୦୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମହାରାଷ୍ଟ୍ରର ମୁମ୍ବାଇଠାରେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳ ମଧ୍ୟରେ ସଡ଼କ ଏବଂ ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ । ସେ ମହାରାଷ୍ଟ୍ରର ଯୁବକମାନଙ୍କ ପାଇଁ ଏକ ବିଶାଳ ଦକ୍ଷତା ବିକାଶ ପ୍ରକଳ୍ପ ବିଷୟରେ ମଧ୍ୟ କହିଥିଲେ ଯାହା ରାଜ୍ୟରେ ନିଯୁକ୍ତି ସୁଯୋଗକୁ ଆହୁରି ବଢ଼ାଇବ।

ପ୍ରଧାନମନ୍ତ୍ରୀ ବଧବନ ବନ୍ଦର ବିଷୟରେ ଉଲ୍ଲେଖ କରିଥିଲେ ଯାହା ନିକଟରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ୭୬,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଗତ ଏକ ମାସ ମଧ୍ୟରେ ମୁମ୍ବାଇରେ ନିବେଶକଙ୍କ ମନୋଭାବକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଛୋଟ ଏବଂ ବଡ଼ ନିବେଶକ ମାନେ ସରକାରଙ୍କ ତୃତୀୟ କାର୍ଯ୍ୟକାଳକୁ ଉତ୍ସାହର ସହ ସ୍ୱାଗତ କରିଛନ୍ତି। ଏକ ସ୍ଥିର ସରକାର ତୃତୀୟ ପାଳିରେ ଟ୍ରିପଲ୍ ସ୍ପିଡରେ କାମ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ମହାରାଷ୍ଟ୍ରର ଏକ ଗୌରବମୟ ଇତିହାସ, ଏକ ସଶକ୍ତ ବର୍ତ୍ତମାନ ଏବଂ ଏକ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ମହାରାଷ୍ଟ୍ର ରାଜ୍ୟର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୁମ୍ବାଇକୁ ଦେଶର ଆର୍ଥିକ କେନ୍ଦ୍ର ରେ ପରିଣତ କରିବା ପାଇଁ ଶିଳ୍ପ, କୃଷି ଏବଂ ଆର୍ଥିକ କ୍ଷେତ୍ରର ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ। ମହାରାଷ୍ଟ୍ରର ଶକ୍ତିକୁ ବ୍ୟବହାର କରି ଏହାକୁ ବିଶ୍ୱର ଏକ ଅର୍ଥନୈତିକ ପାୱାରହାଉସରେ ପରିଣତ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ମୁମ୍ବାଇକୁ ବିଶ୍ୱର ଫିନଟେକ୍ ରାଜଧାନୀ ରେ ପରିଣତ କରିବୁ। ଶିବାଜୀ ମହାରାଜଙ୍କ ମହାରାଷ୍ଟ୍ରର ଚମତ୍କାର ଦୁର୍ଗ, କୋଙ୍କଣ ଉପକୂଳ ଏବଂ ସହୟାଦ୍ରି ପର୍ବତମାଳା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ମହାରାଷ୍ଟ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଡାକ୍ତରୀ ପର୍ଯ୍ୟଟନ ଏବଂ ସମ୍ମିଳନୀ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟର ସମ୍ଭାବନା ବିଷୟରେ ମଧ୍ୟ ସେ କହିଥିଲେ। “ମହାରାଷ୍ଟ୍ର ଭାରତରେ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବାକୁ ଯାଉଛି ଏବଂ ଆମେ ଏହାର ସହଯାତ୍ରୀ”, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଏଭଳି ସଂକଳ୍ପ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ।

ଏକବିଂଶ ଶତାବ୍ଦୀରେ ଭାରତୀୟ ନାଗରିକଙ୍କ ଉଚ୍ଚ ଆକାଂକ୍ଷା ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ୨୫ ବର୍ଷ ମଧ୍ୟରେ ବିକଶିତ ଭାରତର ଜାତୀୟ ସଂକଳ୍ପକୁ ଦୋହରାଇଥିଲେ । ଏହି ଯାତ୍ରାରେ ମୁମ୍ବାଇ ଏବଂ ମହାରାଷ୍ଟ୍ରର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମୁମ୍ବାଇ ଓ ମହାରାଷ୍ଟ୍ରରେ ସମସ୍ତଙ୍କ ଜୀବନର ଗୁଣାତ୍ମକ ମାନ ବୃଦ୍ଧି କରିବା ଆମର ଲକ୍ଷ୍ୟ। ଆମେ ମୁମ୍ବାଇର ଆଖପାଖ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛୁ। ସେ କୋଷ୍ଟାଲ ରୋଡ୍ ଏବଂ ଅଟଳ ସେତୁ ସମ୍ପୂର୍ଣ୍ଣ ହେବା ବିଷୟରେ ଉଲ୍ଲେଖ କରିଥିଲେ। ଦୈନିକ ପ୍ରାୟ ୨୦ ହଜାର ଗାଡ଼ି ଅଟଳ ସେତୁ ବ୍ୟବହାର କରୁଥିବାରୁ ଆନୁମାନିକ ୨୦ରୁ ୨୫ ଲକ୍ଷ ଟଙ୍କାର ଇନ୍ଧନ ସଞ୍ଚୟ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ଏକ ଦଶନ୍ଧି ପୂର୍ବେ ମେଟ୍ରୋ ଲାଇନର ଦୈର୍ଘ୍ୟ ୮ କିଲୋମିଟର ଥିବା ବେଳେ ଆଜି ୮୦ କିଲୋମିଟରକୁ ବୃଦ୍ଧି ପାଇ ୨୦୦ କିଲୋମିଟର ମେଟ୍ରୋ ନେଟୱାର୍କ ଉପରେ କାମ ଚାଲିଥିବାରୁ ମୁମ୍ବାଇରେ ମେଟ୍ରୋ ବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେଉଛି ବୋଲି ସେ କହିଛନ୍ତି।

​ଛତ୍ରପତି ଶିବାଜୀ ଟର୍ମିନସ ଏବଂ ନାଗପୁର ଷ୍ଟେସନର ପୁନଃବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଭାରତୀୟ ରେଳବାଇର ପରିବର୍ତ୍ତନ ମୁମ୍ବାଇ ଏବଂ ମହାରାଷ୍ଟ୍ରକୁ ବ୍ୟାପକ ଭାବେ ଉପକୃତ କରୁଛି। ଆଜି ଛତ୍ରପତି ଶିବାଜୀ ଟର୍ମିନାସ୍ ଏବଂ ଲୋକମାନ୍ୟ ତିଲକ ଷ୍ଟେସନରେ ଦେଶ ଉଦ୍ଦେଶ୍ୟରେ ନୂତନ ପ୍ଲାଟଫର୍ମ ଉତ୍ସର୍ଗ କରାଯାଇଛି, ଯେଉଁଥିରେ ସେଠାରୁ ୨୪ ଟି ବଗି ବିଶିଷ୍ଟ ଟ୍ରେନ୍ ଚଳାଚଳ କରିପାରିବ।

ଗତ ୧୦ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ଜାତୀୟ ରାଜପଥର ଦୈର୍ଘ୍ୟ ତିନି ଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଗୋରେଗାଓଁ ମୁଲୁଣ୍ଡ ଲିଙ୍କ୍ ରୋଡ୍ (ଜିଏମଏଲଆର୍ ) ପ୍ରକଳ୍ପ ପ୍ରକୃତି ଓ ପ୍ରଗତିର ଏକ ବଡ଼ ଉଦାହରଣ ବୋଲି ସେ କହିଛନ୍ତି। ଠାଣେ ବୋରିୱଲି ଟ୍ୱିନ୍ ଟନେଲ ପ୍ରକଳ୍ପ ଠାଣେ ଏବଂ ବୋରିୱଲି ମଧ୍ୟରେ ଦୂରତାକୁ କିଛି ମିନିଟ୍ କୁ ହ୍ରାସ କରିବ । ଦେଶର ତୀର୍ଥସ୍ଥଳୀଗୁଡ଼ିକର ବିକାଶ ପାଇଁ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଯାତ୍ରା କୁ ସହଜ କରିବା ଏବଂ ତୀର୍ଥଯାତ୍ରୀମାନଙ୍କୁ ସେବା ପ୍ରଦାନ କରିବାକୁ ମଧ୍ୟ ଦୋହରାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ପଣ୍ଢରପୁର ୱାରିରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଅଂଶଗ୍ରହଣ କରୁଛନ୍ତି ଏବଂ ତୀର୍ଥଯାତ୍ରୀଙ୍କ ଯାତାୟାତକୁ ସହଜ କରିବା ପାଇଁ ସନ୍ଥ ଜ୍ଞାନେଶ୍ୱର ପାଲଖୀ ମାର୍ଗ ପ୍ରାୟ ୨୦୦ କିଲୋମିଟର ଏବଂ ସନ୍ଥ ତୁକାରାମ ପାଲଖୀ ମାର୍ଗ ପ୍ରାୟ ୧୧୦ କିଲୋମିଟର ନିର୍ମାଣ କରିବାକୁ ଉଲ୍ଲେଖ କରିଥିଲେ । ଖୁବଶୀଘ୍ର ଏହି ଦୁଇଟି ରାସ୍ତା କାର୍ଯ୍ୟକ୍ଷମ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସଂଯୋଗ ଭିତ୍ତିଭୂମି ପର୍ଯ୍ୟଟନ, କୃଷି ଏବଂ ଶିଳ୍ପ, ନିଯୁକ୍ତି ରେ ଉନ୍ନତି ଏବଂ ମହିଳାମାନଙ୍କ ପାଇଁ ଜୀବନ ସହଜ କରିବାରେ ସହାୟକ ହେଉଛି ବୋଲି ଶ୍ରୀ ମୋଦୀ କହିଥିଲେ । ଏନଡିଏ ସରକାରଙ୍କ ଏହି କାର୍ଯ୍ୟ ଗରିବ, କୃଷକ, ମହିଳା ଶକ୍ତି ଏବଂ ଯୁବଶକ୍ତିକୁ ସଶକ୍ତ କରୁଛି ବୋଲି ସେ କହିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଯୁବ କର୍ମ ପ୍ରୋତ୍ସାହନ ଯୋଜନାରେ ୧୦ ଲକ୍ଷ ଯୁବକଙ୍କୁ ଦକ୍ଷ କରିବା ଏବଂ ଛାତ୍ରବୃତ୍ତି ଭଳି ପଦକ୍ଷେପ ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ।

କୋଭିଡ ମହାମାରୀ ସତ୍ତ୍ୱେ ଗତ ୪-୫ ବର୍ଷ ମଧ୍ୟରେ ଭାରତରେ ରେକର୍ଡ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇଥିବା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଦକ୍ଷତା ବିକାଶ ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ଭାରତର ସମୟର ଆବଶ୍ୟକତା”। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ସମ୍ପର୍କରେ ପ୍ରକାଶିତ ବିସ୍ତୃତ ରିପୋର୍ଟ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଗତ ୩-୪ ବର୍ଷ ମଧ୍ୟରେ ପାଖାପାଖି ୮ କୋଟି ନିଯୁକ୍ତି ସୃଷ୍ଟି ହୋଇଛି, ଯାହା ସମାଲୋଚକଙ୍କୁ ଚୁପ୍ କରାଇ ଦେଇଛି। ଭାରତର ବିକାଶ ବିରୋଧରେ ମିଥ୍ୟା ବୟାନ ଦିଆଯାଉଥିବାରୁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ କହିଛନ୍ତି। ସେତୁ ନିର୍ମାଣ, ରେଳ ଧାରଣା ବିଛାଯିବା, ରାସ୍ତା ନିର୍ମାଣ ଓ ଲୋକାଲ ଟ୍ରେନ୍ ନିର୍ମାଣ ହେଲେ ରୋଜଗାର ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ନିଯୁକ୍ତି ହାର ଭିତ୍ତିଭୂମି ବିକାଶ ସହିତ ସିଧାସଳଖ ଆନୁପାତିକ ଅଟେ ।

ଗରିବଙ୍କ ପାଇଁ ୩ କୋଟି ଘର ନିର୍ମାଣ ପାଇଁ ନୂଆ ସରକାରଙ୍କ ପ୍ରଥମ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏନଡିଏ ସରକାରଙ୍କ ବିକାଶ ମଡେଲ ହେଉଛି ବଞ୍ଚିତଲୋକଙ୍କୁ ପ୍ରାଥମିକତା ଦେବା”। ୪ କୋଟି ପରିବାରକୁ ଘର ମିଳିସାରିଛି। ମହାରାଷ୍ଟ୍ରର ଲକ୍ଷ ଲକ୍ଷ ଦଳିତ ଓ ବଞ୍ଚିତ ଲୋକ ମଧ୍ୟ ଆବାସ ଯୋଜନାରେ ଉପକୃତ ହୋଇଛନ୍ତି। ସହରରେ ରହୁଥିବା ଉଭୟ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଘର ତିଆରି କରିବାର ସ୍ୱପ୍ନକୁ ସାକାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ରାସ୍ତାକଡ଼ ଦୋକାନୀଙ୍କ ଜୀବନରେ ସମ୍ମାନ ଫେରାଇ ଆଣିବାରେ ସ୍ୱନିଧି ଯୋଜନାର ଭୂମିକା ସମ୍ପର୍କରେ ସେ ଆଲୋଚନା କରିଥିଲେ। ମହାରାଷ୍ଟ୍ରରେ ୧୩ ଲକ୍ଷ ଏବଂ ମୁମ୍ବାଇରେ ୧.୫ ଲକ୍ଷ ସମେତ ପ୍ରାୟ ୯୦ ଲକ୍ଷ ଋଣ ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେ ଏକ ଅଧ୍ୟୟନକୁ ଉଦାହରଣ ଦେଇ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଏହି ବିକ୍ରେତାମାନଙ୍କ ଆୟରେ ମାସିକ ୨ ହଜାର ଟଙ୍କା ବୃଦ୍ଧି ଘଟିଛି ।

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଗରିବ, ବିଶେଷକରି ଦେଶର ରାସ୍ତାକଡ଼ ବିକ୍ରେତାମାନଙ୍କର ସ୍ୱାଭିମାନ ଏବଂ ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ ଯେଉଁମାନେ ଏହି ଯୋଜନା ଅଧୀନରେ ବ୍ୟାଙ୍କ ଋଣ ନେଇଛନ୍ତି ଏବଂ ଏହାକୁ ଠିକ୍ ସମୟରେ ପରିଶୋଧ ମଧ୍ୟ କରିଛନ୍ତି । ସ୍ୱନିଧି ଯୋଜନାର ହିତାଧିକାରୀମାନେ ଏପର୍ଯ୍ୟନ୍ତ ୩.୨୫ ଲକ୍ଷ କୋଟି ଟଙ୍କାର ଡିଜିଟାଲ କାରବାର କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଛତ୍ରପତି ଶିବାଜୀ ମହାରାଜ, ବାବାସାହେବ ଆମ୍ବେଦକର, ମହାତ୍ମା ଜ୍ୟୋତିବା ଫୁଲେ, ସାବିତ୍ରୀବାଇ ଫୁଲେ, ଅନ୍ନଭା ସାଠେ, ଲୋକମାନ୍ୟ ତିଲକ ଏବଂ ବୀର ସାବରକରଙ୍କ ଦ୍ୱାରା ଛାଡି ଯାଇଥିବା ଐତିହ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ମହାରାଷ୍ଟ୍ର ଭାରତରେ ସାଂସ୍କୃତିକ, ସାମାଜିକ ଏବଂ ଜାତୀୟ ଚେତନାର ପ୍ରଚାର କରିଛି” । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଏବଂ ଶକ୍ତିଶାଳୀ ରାଷ୍ଟ୍ରର ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ ଦେଇଥିଲେ । ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ସମୃଦ୍ଧିର ମାର୍ଗ ସଦ୍ଭାବନା ଏବଂ ସୌହାର୍ଦ୍ଦ୍ୟରେ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୧୬,୬୦୦ କୋଟି ଟଙ୍କାର ଠାଣେ ବୋରିଓ୍ୱଲି ଟନେଲ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଠାଣେ ଏବଂ ବୋରିଓ୍ୱଲି ଆଲାଇନମେଣ୍ଟ ମଧ୍ୟରେ ଥିବା ଏହି ଟ୍ୱିନ୍ ଟ୍ୟୁବ ଟନେଲ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ତଳକୁ ଅତିକ୍ରମ କରିବ ଯାହା ବୋରିଓ୍ୱଲି ପାର୍ଶ୍ୱରେ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ରାଜପଥ ଏବଂ ଠାଣେ ପାର୍ଶ୍ୱରେ ଠାଣେ ଘୋଡବନ୍ଦର ରୋଡ ମଧ୍ୟରେ ସିଧାସଳଖ ସଂଯୋଗ ସୃଷ୍ଟି କରିବ। ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ ୧୧.୮ କିଲୋମିଟର। ଏହା ଦ୍ୱାରା ଠାଣେରୁ ବୋରିଓ୍ୱଲି ପର୍ଯ୍ୟନ୍ତ ଯାତ୍ରା ୧୨ କିଲୋମିଟର ହ୍ରାସ ପାଇବ ଏବଂ ଯାତ୍ରା ସମୟ ପ୍ରାୟ ୧ ଘଣ୍ଟା ସଞ୍ଚୟ ହେବ।

ପ୍ରଧାନମନ୍ତ୍ରୀ ୬୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୋରେଗାଓଁ ମୁଲୁଣ୍ଡ ଲିଙ୍କ୍ ରୋଡ୍ (ଜିଏମଏଲଆର) ପ୍ରକଳ୍ପରେ ଟନେଲ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଜିଏମଏଲଆର ଗୋରେଗାଓଁରେ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରୁ ମୁଲୁଣ୍ଡର ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ ପର୍ଯ୍ୟନ୍ତ ସଡକ ସଂଯୋଗର ପରିକଳ୍ପନା କରିଛି। ଜିଏମଏଲଆରର ମୋଟ ଦୈର୍ଘ୍ୟ ପ୍ରାୟ ୬.୬୫ କିଲୋମିଟର ଏବଂ ଏହା ନଭି ମୁମ୍ବାଇ ଏବଂ ପୁଣେ ମୁମ୍ବାଇ ଏକ୍ସପ୍ରେସୱେରେ ନୂତନ ପ୍ରସ୍ତାବିତ ବିମାନବନ୍ଦର ସହିତ ପଶ୍ଚିମ ଉପନଗରକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇର ତୁର୍ଭେ ଠାରେ କଲ୍ୟାଣ ୟାର୍ଡ ରିମୋଡେଲିଂ ଏବଂ ଗତି ଶକ୍ତି ମଲ୍ଟି-ମୋଡାଲ୍ କାର୍ଗୋ ଟର୍ମିନାଲର ଶିଳାନ୍ୟାସ କରିଥିଲେ। କଲ୍ୟାଣ ୟାର୍ଡ ଦୀର୍ଘ ଦୂରତା ଏବଂ ଉପାନ୍ତ ଟ୍ରାଫିକ୍ କୁ ଅଲଗା କରିବାରେ ସାହାଯ୍ୟ କରିବ। ଏହି ପୁନଃନିର୍ମାଣ ଦ୍ୱାରା ୟାର୍ଡର ଅଧିକ ଟ୍ରେନ୍ ପରିଚାଳନା କ୍ଷମତା ବୃଦ୍ଧି ପାଇବ, ଭିଡ଼ କମିବ ଏବଂ ଟ୍ରେନ୍ ଚଳାଚଳର ଦକ୍ଷତାରେ ଉନ୍ନତି ଘଟିବ। ନଭି ମୁମ୍ବାଇରେ ଗତି ଶକ୍ତି ମଲ୍ଟିମୋଡାଲ କାର୍ଗୋ ଟର୍ମିନାଲ ୩୨୬୦୦ ବର୍ଗ ମିଟରରୁ ଅଧିକ କ୍ଷେତ୍ରରେ ନିର୍ମିତ ହେବ। ଏହା ସ୍ଥାନୀୟ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିଚାଳନା ପାଇଁ ଏକ ଅତିରିକ୍ତ ଟର୍ମିନାଲ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଲକ ଟର୍ମିନସରେ ନୂତନ ପ୍ଲାଟଫର୍ମ ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୦ ଏବଂ ୧୧ର ସମ୍ପ୍ରସାରଣକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଲୋକମାନ୍ୟ ତିଲକ ଟର୍ମିନସରେ ନୂତନ ଲମ୍ବା ପ୍ଲାଟଫର୍ମରେ ଲମ୍ବା ଟ୍ରେନ୍ ଚଳାଚଳ କରିପାରିବ, ଟ୍ରେନ୍ ପିଛା ଅଧିକ ଯାତ୍ରୀଙ୍କ ପାଇଁ ରାସ୍ତା ତିଆରି କରିପାରିବ ଏବଂ ବର୍ଦ୍ଧିତ ଟ୍ରାଫିକ୍ ପରିଚାଳନା ପାଇଁ ଷ୍ଟେସନର କ୍ଷମତାରେ ଉନ୍ନତି ଆଣିପାରିବ। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୦ ଏବଂ ୧୧କୁ କଭର ସେଡ୍ ଏବଂ ୱାସେବଲ୍‌ ଏପ୍ରନ୍ ସହିତ ୩୮୨ ମିଟର ବୃଦ୍ଧି କରାଯାଇଛି। ଏହା ଦ୍ୱାରା ୨୪ଟି କୋଚ୍ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ରେ ସହାୟକ ହେବ ଏବଂ ଯାତ୍ରୀସଂଖ୍ୟା ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ଯୁବ କର୍ମ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ହେଉଛି ଏକ ପରିବର୍ତ୍ତନଶୀଳ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଯାହା ୧୮ ରୁ ୩୦ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ଏବଂ ଶିଳ୍ପ ପ୍ରଦର୍ଶନ ର ସୁଯୋଗ ପ୍ରଦାନ କରି ଯୁବ ବେକାରୀକୁ ଦୂର କରିବ।

Categories
ଆଜିର ଖବର ଜାତୀୟ ଖବର

କାହିଁକି ଶରଦ ପାୱାରଙ୍କ ଫଟୋ ବ୍ୟବହାର କରୁଛ?: ଅଜିତ ପାୱାର ଗୋଷ୍ଠୀକୁ ତାଗିଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏନସିପି ନିର୍ବାଚନ ଚିହ୍ନ ବିବାଦର ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦଳକୁ ଶରଦ ପାୱାରଙ୍କ ଛବି ଏବଂ ନାମ ବ୍ୟବହାର ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ଅଜିତ ପାୱାରଙ୍କୁ ଦ୍ୱିତୀୟ ନିର୍ବାଚନ ଚିହ୍ନ ବାଛିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ନିର୍ବାଚନ ଆୟୋଗର ଆଦେଶ ଚୂଡାନ୍ତ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହେବ।

ଶରଦ ପାୱାରଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଅଜିତ ପାୱାରଙ୍କ ଏନସିପି ଘଣ୍ଟା ଚିହ୍ନ ଏବଂ ଶରଦ ପାୱାରଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛି। ସିଂଭି କହିଛନ୍ତି ଯେ, “ଆପଣ ଘଣ୍ଟା ଏବଂ ଶରଦ ପାୱାରଙ୍କ ଫଟୋକୁ କିପରି ବ୍ୟବହାର କରିପାରିବେ? ଏହା ଜାଲିଆତି। ଗ୍ରାମାଞ୍ଚଳରେ ଏହା ସେମାନଙ୍କ ଲାଭ ପାଇଁ ବ୍ୟବହୃତ ହେବ ବୋଲି କୁହାଯାଉଛି।”

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ କେ.ଭି. ବିଶ୍ୱନାଥନ ଏହି ମାମଲାର ଶୁଣାଣି ବେଳେ ଅଜିତ ପାୱାର ଦଳ ପାଇଁ ହାଜର ହୋଇଥିବା ଓକିଲଙ୍କୁ କହିଛନ୍ତି ଯେ, ଦଳ ଏକ ଶପଥ ଗ୍ରହଣ କରିବା ଉଚିତ ଯେ ଏହା ଏହାର ସଦସ୍ୟମାନଙ୍କୁ ଶରଦ ପାୱାରଙ୍କ ଫଟୋ ବ୍ୟବହାରରୁ ନିବୃତ୍ତ କରିବ। ଅଜିତ ପାୱାର ଦଳକୁ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ତୁମେ ଦୁଇଟି ଅଲଗା ସଂସ୍ଥା, କେବଳ ତୁମର ପରିଚୟ ସହିତ ଯାଅ। ମୌଖିକ ଭାବେ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ ନିର୍ବାଚନ ଆସିବ ସେତେବେଳେ ତୁମକୁ ଚେହେରା ଦରକାର ଏବଂ ଯେତେବେଳେ ତୁମେ ନିର୍ବାଚନ ​​ଜିତିଯିବ, ସେତେବେଳେ ତୁମେ ଦଳ ଛାଡିଦେବ।

ଏହାପୂର୍ବରୁ ଫେବୃଆରୀ ୧୯ ତାରିଖରେ, ସର୍ବୋଚ୍ଚ ନ୍ୟାୟାଳୟ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏବଂ ତାଙ୍କ ଦଳକୁ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ଚନ୍ଦ୍ର ପାୱାର) ନାମରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ। ରାଜ୍ୟସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ECI ଫେବୃଆରୀ ୭ ତାରିଖରେ ଏକ ଆଦେଶ ଅନୁଯାୟୀ ଶରଦ ପାୱାର ଦଳକୁ ନୂତନ ନାମ ବଣ୍ଟନ କରିଛନ୍ତି। ଏହା ବ୍ୟତୀତ ଶୁଣାଣି ସମୟରେ ଅନ୍ୟ ଏକ ଅନ୍ତରୀଣ ଆଶ୍ଵସ୍ତିରେ ଖଣ୍ଡପୀଠ ଶରଦ ପାୱାର ଦଳକୁ ଦଳର ଚିହ୍ନ ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଏହା ଅନୁଯାୟୀ ନିର୍ବାଚନ ଆୟୋଗଙ୍କୁ ଆବେଦନ କରିବାର ଏକ ସପ୍ତାହ ମଧ୍ୟରେ ଶରଦ ପାୱାର ଦଳକୁ ଦଳର ଚିହ୍ନ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବୃଆରୀ ୬ ତାରିଖରେ, ECI ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଏନସିପି ଭାବରେ ସ୍ୱୀକୃତି ଦେଇଥିଲେ ଏବଂ ଅଜିତ ପାୱାରଙ୍କ ଦଳକୁ ଏନସିପି ଚିହ୍ନ କାନ୍ଥ ଘଣ୍ଟା ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେବେନ୍ଦ୍ର ଫଡନାଭିସ୍ ଙ୍କ ଉପରେ ଆସିଲା ସାଂଘାତିକ ଅଭିଯୋଗ: ଜାଣନ୍ତୁ କ’ଣ କହିଲେ ମନୋଜ ଜରାଙ୍ଗେ

ମୁମ୍ବାଇ: ମରାଠା ସଂରକ୍ଷଣ ପାଇଁ ଲଢୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସରକାରୀ ଚାକିରୀ ତଥା ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ମରାଠା ସମ୍ପ୍ରଦାୟର ବିରୋଧକୁ ଦୁର୍ବଳ କରିବାକୁ ଫଡନାଭିସ୍ ଷଡଯନ୍ତ୍ର କରୁଛନ୍ତି ବୋଲି ଜରାଙ୍ଗେ କହିଛନ୍ତି। ଆଜି ଜାଲନା ଜିଲ୍ଲାର ଅନ୍ତରୱାଲୀ ସରତି ଗ୍ରାମରେ ଏକ ସଭାରେ ସମ୍ବୋଧିତ କରୁଥିବାବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜରାଙ୍ଗେ ଏହା କହିଛନ୍ତି। ସେ ଦାବି କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି।

ବୈଠକରେ ମନୋଜ ଜରାଙ୍ଗେ କହିଛନ୍ତି ଯେ, ଗତ ବର୍ଷ ଜାଲନାରେ ବିରୋଧ ସମୟରେ ଯେତେବେଳେ ଲାଠି ଚାର୍ଜ ହୋଇଥିଲା ସେତେବେଳେ ଦେବେନ୍ଦ୍ର ଫଡନାଭିସଙ୍କୁ କ୍ଷମା ମାଗିବାକୁ ପଡିଥିଲା, ଯାହା ତାଙ୍କୁ ଆଘାତ ଦେଇଥିଲା। ସେଥିପାଇଁ ସେ ମରାଠା ସଂରକ୍ଷଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ ମରାଠାମାନଙ୍କୁ ଧମକ ଦେବା ପାଇଁ ପ୍ରୟାସ କରାଯାଉଛି ଏବଂ ଏହି ପଦକ୍ଷେପ କେବଳ ସେମାନଙ୍କ ଉପରେ ଭାରୀ ହେବ।

ସାମାଜିକ କାର୍ଯ୍ୟକର୍ତ୍ତା ଜରାଙ୍ଗେ ଆହୁରି ମଧ୍ୟ କହିଛନ୍ତି ଯେ, ସିଏମ୍ ଏକନାଥ ସିନ୍ଦେ କିମ୍ବା ଡେପୁଟି ସିଏମ୍ ଅଜିତ ପାୱାର ନୁହଁନ୍ତି, ମହାରାଷ୍ଟ୍ରରେ ସରକାର ଫଡନାଭିସ୍ ଦ୍ୱାରା ପରିଚାଳିତ ହେଉଛି। “ଦୁର୍ଭାଗ୍ୟବଶତଃ ବିଜେପିର ମରାଠା ନେତାମାନେ ମୋତେ ବଦନାମ କରିବାରେ ଫଡନାଭିସ୍ ଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଜରାଙ୍ଗେ କହିଛନ୍ତି। ମୁମ୍ବାଇର ଫଡନାଭିସର ସରକାରୀ ବାସଭବନ ସାଗର ବଙ୍ଗଳା ବାହାରେ ସେ ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ମୋର ଜୀବନ ଚାଲିଯାଏ, ତା’ପରେ ମୋର ମୃତ ଶରୀରକୁ ତାଙ୍କ ଘର ଆଗରେ ରଖିଦେବ ବୋଲି ଜରାଙ୍ଗେ କହିଛନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବ ଠାକରେଙ୍କ ଶିବସେନା ସହ ଏକ ମେଣ୍ଟ କରିବ କି ବିଜେପି? ଚିତ୍ର ସ୍ପଷ୍ଟ କଲେ ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଉଦ୍ଧବ ଠାକରେଙ୍କ ଶିବସେନା ପୁଣିଥରେ ଏକାଠି ହେବ କି? ଏ ସମ୍ପର୍କରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ଚିତ୍ର ସ୍ପଷ୍ଟ କରିଛନ୍ତି।

ଗଣାମଧ୍ୟମକୁ ଫଡନାଭିସ୍ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ପାର୍ଟି ସହ କୌଣସି ମେଣ୍ଟ ହୋଇପାରିବ ନାହିଁ। ରାଜନୈତିକ ମତଭେଦ ରହିଛି, ସେଗୁଡିକୁ ଦୂର କରିବା ସହଜ ଅଟେ। ଯଦି ଆମର ଏବଂ ଆମର ମୁଦ୍ଦା ଉପରେ ମତଭେଦ ଅଛି ତେବେ ଆମେ ସାଧାରଣ କଥା ଭାବି ଏକାଠି ହୋଇପାରିବା। ଏଠାରେ ଆମର ହୃଦୟ ଦୁଃଖିତ। ଏହା କେବଳ ରାଜନୈତିକ ପାର୍ଥକ୍ୟ ନୁହେଁ। ଦିନରାତି, ସକାଳ ଏବଂ ସନ୍ଧ୍ୟାରେ ସେ ଏବଂ ତାଙ୍କ ଲୋକମାନେ ଆମର ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁର୍ବ୍ୟବହାର କରିବେ, ଯାହା ଆମର ବିରୋଧୀମାନେ ମଧ୍ୟ କୁହନ୍ତି ନାହିଁ, ତେଣୁ ମୁଁ ଭାବି ପାରିବି ନାହିଁ ଯେ ଆମେ ଏକାଠି ଆସିପାରିବୁ। ଏଠାରେ କୌଣସି ପ୍ରଶ୍ନ ଉଠୁନାହିଁ।

ଦେବେନ୍ଦ୍ର ଫଡନାଭିସ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ମନ ଦୁଃଖୀ, ଆମେ ହୃଦୟରେଦୁଃଖିତ, ଏକାଠି ଯିବାର ପ୍ରଶ୍ନ ଉଠୁ ନାହିଁ। ମୁଁ ଜାଣେ ନାହିଁ ସେ ହୁଏତ ମୋଦିଙ୍କୁ ଥରେ କିମ୍ବା ଦୁଇଥର ପ୍ରଶଂସା କରିଥିବେ, କିନ୍ତୁ ଯଦି ସେ ମୋଦିଙ୍କୁ ନିଦରୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ୧୦ ରୁ ୨୦ ଥର ଗାଳି କରନ୍ତିନାହିଁ, ତେବେ ତାଙ୍କର ଖାଦ୍ୟ ହଜମ ହୋଇନଥାଏ। ସେମାନେ ସେମାନଙ୍କର ରାସ୍ତା ପାଇଛନ୍ତି, ଆମେ ଆମର ରାସ୍ତା ପାଇଛୁ।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭାରେ ପାରିତ ହେଲା ମରାଠା ସଂରକ୍ଷଣ ବିଲ୍, ସିଏମ୍ ଏକନାଥ କହିଲେ, କାହା ପ୍ରତି କରାଯିବ ନାହିଁ ଅନ୍ୟାୟ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ଦ୍ୱାରା ମରାଠା ସଂରକ୍ଷଣ ବିଲ୍ କୁ ଅନୁମୋଦନ ମିଳିଛି। ଏହି ବିଲରେ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହା ଓବିସି ଭାଇ ହେଉ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟ … ଆମେ କାହାର ସଂରକ୍ଷଣରେ ଅନ୍ୟାୟ ନକରି ମରାଠା ସମ୍ପ୍ରଦାୟ ପାଇଁ ଶିକ୍ଷାଗତ ତଥା ଚାକିରି ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ।

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାର ଗୋଷ୍ଠୀକୁ ମିଳିନାହିଁ କୌଣସି ଆଶ୍ଵସ୍ତି, EC ର ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଅସଲି ଏନସିପି ଲଢେଇ ସମ୍ପର୍କରେ ଶରଦ ପାୱାରଙ୍କୁ ଆଶ୍ଵସ୍ତି ମିଳିନାହିଁ। ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିବାର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତେବେ ଏହି ମାମଲାରେ ଶରଦ ପାୱାରଙ୍କ ଆବେଦନକୁ ଯାଞ୍ଚ କରିବାକୁ ପ୍ରସ୍ତୁତ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଅଜିତ ପାୱାର ଏବଂ ନିର୍ବାଚନ ଆୟୋଗଙ୍କୁ କୋର୍ଟ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଏହାର ଉତ୍ତର ମାଗିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ।

ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶରଦ ପାୱାର ତାଙ୍କ ରାଜନୈତିକ ଦଳ ପାଇଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ନାମ ବ୍ୟବହାର କରିବେ। ଯଦି ପାୱାର ତାଙ୍କ ଦଳ ଏନସିପି ଶରଦ ଚନ୍ଦ୍ର ପାୱାରଙ୍କ ପାଇଁ ନିର୍ବାଚନ ଆୟୋଗଙ୍କଠାରୁ ଏକ ଚିହ୍ନ ଦାବି କରନ୍ତି, ତେବେ ନିର୍ବାଚନ ଆୟୋଗ ଏକ ସପ୍ତାହ ମଧ୍ୟରେ ନିର୍ବାଚନ ଚିହ୍ନ ପ୍ରଦାନ କରିବା ଉଚିତ।

୧୯୯୯ ରେ ଶରଦ ପାୱାର ଦଳ ଗଠନ କରିଥିଲେ:

୧୯୯୯ ରେ ଶରଦ ପାୱାର କଂଗ୍ରେସ ସହ ସମ୍ପର୍କ ଭାଙ୍ଗି ପି ସାଙ୍ଗମା ଏବଂ ତାରିକ ଅନୱାରଙ୍କ ସହ ଏନସିପି ଗଠନ କରିଥିଲେ। ଅଜିତ ପାୱାରଙ୍କ ନେତୃତ୍ୱରେ ଗତ ବର୍ଷ ଜୁଲାଇରେ ଅନେକ ବିଧାୟକ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏବଂ ବିଜେପି ସହ ମେଣ୍ଟରେ ଯୋଗ ଦେଇଥିଲେ।

ଫେବୃଆରୀ ୬ ତାରିଖରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଏନସିପି ଭାବରେ ଘୋଷଣା କରିଥିଲେ। ସଂଖ୍ୟା ଗରିଷ୍ଠତା ଆଧାରରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିଲେ। ଆୟୋଗ କହିଛନ୍ତି ଯେ, ଅଜିତ ପାୱାର ଗୋଷ୍ଠୀ ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ। ଏହାର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ଏନସିପି ଶରଦ ଚନ୍ଦ୍ର ପାୱାର ନାମରେ ନାମିତ କରିଛନ୍ତି। ତେବେ ନିର୍ବାଚନ ଚିହ୍ନ ଦିଆଯାଇ ନାହିଁ।

ନିର୍ବାଚନ ଆୟୋଗ ଏହି ଯୁକ୍ତି ଦେଇଛନ୍ତି:

ନିର୍ବାଚନ ଆୟୋଗ କହିଛନ୍ତି ଯେ ଏନସିପି ସାଂସଦ, ବିଧାୟକ ଏବଂ ଏମଏଲସିଙ୍କ ମୋଟ ସଂଖ୍ୟା ହେଉଛି ୮୧। ଏଥିମଧ୍ୟରୁ ଅଜିତ ପାୱାରଙ୍କ ସମର୍ଥନରେ ୫୭ ଜଣ ବିଧାୟକଙ୍କ ଆଫିଡେଭିଟ୍ ଦାଖଲ ହୋଇଥିବାବେଳେ ଶରଦ ପାୱାରଙ୍କ ଖାତାରେ କେବଳ ୨୮ ଟି ଆଫିଡେଭିଟ୍ ରହିଥିଲା।

Categories
ଆଜିର ଖବର ଜାତୀୟ ଖବର

ନଣନ୍ଦ ସୁପ୍ରିୟା ସୁଲେଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢିବେ କି ଅଜିତ ପାୱାରଙ୍କ ପତ୍ନୀ?: ମିଳିଲା ଏହି ସଂକେତ

ମୁମ୍ବାଇ: ଆଗାମୀ ଲୋକସଭା ନିର୍ବାଚନରେ ​​ମହାରାଷ୍ଟ୍ରର ବାରାମତୀ ଆସନରେ ଏକ ମଜାଦାର ଲଢେଇ ଦେଖିବାକୁ ମିଳିବ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ବାରମତୀ ଲୋକସଭା ଆସନରୁ ପ୍ରାର୍ଥୀ କରିପାରନ୍ତି। ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବର୍ତ୍ତମାନ ବାରାମତୀର ସାଂସଦ ଅଟନ୍ତି। ସୁଲେ ହେଉଛନ୍ତି ଅଜିତ ପାୱାରଙ୍କ ଦାଦା ପୁଅ ଭଉଣୀ।

ବାସ୍ତବରେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଜିତ ପାୱାର ଦଳର ପ୍ରଚାର ରଥ ବାରାମତୀରୁ ଗଡ଼ିବା ଆରମ୍ଭ କରିଛି। ଏଥିପାଇଁ କାରରେ ପୋଷ୍ଟର ଲଗାଯାଇଛି। ଏଥିରେ ସୁନେତ୍ରା ପାୱାରଙ୍କ ଏକ ବଡ ଫଟୋ ରଖାଯାଇଛି। ଏଥିରେ ଅଜିତ ପାୱାରଙ୍କ ଫଟୋ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀ ଗିରଫ: ଅନେକ ସ୍ଥାନକୁ ଟାର୍ଗେଟ କରିବାର ଷଡଯନ୍ତ୍ର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜି ନାଗର ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏନଆଇଏ ଗିରଫ କରିଛି। ଫେବୃଆରୀ ୧୫ ତାରିଖରେ ଅନେକ ସ୍ଥାନରେ ଏନଆଇଏ ଦ୍ୱାରା କରାଯାଇଥିବା ଚଢାଉ ସମୟରେ ଏହି ଗିରଫ କରାଯାଇଥିଲା। ସନ୍ଦିଗ୍ଧ ଆତଙ୍କବାଦୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ଏନଆଇଏ ପ୍ରକାଶ କରିଛି। ପ୍ରକାଶ ଯେ, ଅନୁସନ୍ଧାନକାରୀ ସଂସ୍ଥା ଛତ୍ରପତି ସମ୍ୱାଜି ନଗରର ୯ ଟି ସ୍ଥାନରେ ବହୁ ସନ୍ଦିଗ୍ଧଙ୍କ ଘରେ ଚଢାଉ କରିଥିଲେ। ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଆପତ୍ତିଜନକ ଡକ୍ୟୁମେଣ୍ଟ୍ ମଧ୍ୟ ଜବତ କରାଯାଇଥିଲା।

ଗିରଫ ଆଇଏସଆଇଏସ ସନ୍ଦିଗ୍ଧଙ୍କ ନାମ ମହମ୍ମଦ ଜୋହେବ ଖାନ ବୋଲି କୁହାଯାଉଛି। ଜୋହେବ ଖାନ ଆଇଏସଆଇଏସ ଖଲିଫା ପାଇଁ ‘ବାୟଥ’ (ପ୍ରତିଜ୍ଞା) ନେଇ ବିଭିନ୍ନ ପ୍ରତିଷ୍ଠାନକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସରେ ଯୋଗଦେବା ଏବଂ ଏହାର ହିଂସାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଉଭୟ ଶାରୀରିକ ତଥା ସୋସିଆଲ ମିଡିଆ ମାଧ୍ୟମରେ ନିରୀହ ଯୁବକମାନଙ୍କୁ ନିଯୁକ୍ତି ପାଇଁ ଷଡଯନ୍ତ୍ର କରିଥିଲା।

ଅନୁସନ୍ଧାନକାରୀ ଏଜେନ୍ସି ଏନଆଇଏ ଅନୁଯାୟୀ, ଅଭିଯୁକ୍ତ ଜୋହେବ ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିମାନେ ବିଦେଶରେ ବସିଥିବା ମାଷ୍ଟରମାନଙ୍କ ସହିତ ଉଭୟ ଭାରତ ତଥା ବିଦେଶରେ ବିଶ୍ୱ ଆତଙ୍କବାଦୀ ନେଟୱାର୍କର କାର୍ଯ୍ୟକଳାପକୁ ଆଗକୁ ବଢାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହା ସହିତ ସେ ‘ବାୟଥ’ର ଆପତ୍ତିଜନକ ଭିଡିଓ ମଧ୍ୟ ସେୟାର କରୁଥିଲା।

Categories
ଆଜିର ଖବର ଜାତୀୟ ଖବର

ଏନସିପି ବିଧାୟକଙ୍କ ଅଯୋଗ୍ୟତା ଉପରେ ହେଲା ନିଷ୍ପତ୍ତି: ଶରଦ ପାୱାର ନା ଅଜିତ ପାୱାର, କିଏ ଜିତିଲା?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ, ଅଜିତଙ୍କ ଦଳର ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ତେଣୁ ଅଜିତ ପାୱାରଙ୍କ ଦଳ ହେଉଛି ପ୍ରକୃତ ଏନସିପି।

ପାଞ୍ଚଟି ଆବେଦନ କରାଯାଇଥିଲା:

ଅଜିତ ପାୱାର ଦଳର ଶୁଣାଣିରେ ଅନିଲ ପାଟିଲ ଏବଂ ସମୀର ଭୁଜବଲ ଉପସ୍ଥିତ ଥିଲେ। ଯେଉଁଠାରେ କେବଳ ଶରଦ ପାୱାର ଗୋଷ୍ଠୀର ଓକିଲମାନେ ପହଞ୍ଚିଥିଲେ। ଶରଦ ପାୱାର ଦଳ ପକ୍ଷରୁ ତିନୋଟି ପିଟିସନ ଦାଖଲ କରାଯାଇଥିଲା। ଏଥି ସହ ଅଜିତ ପାୱାର ଗୋଷ୍ଠୀ ପକ୍ଷରୁ ଦୁଇଟି ପିଟିସନ ଦାଖଲ କରାଯାଇଥିଲା। ସମୁଦାୟ ପାଞ୍ଚଟି ନିବେଦନ ଥିଲା ଯାହାକୁ ଗ୍ରୁପ୍ ୧ ଏବଂ ଗ୍ରୁପ୍ ୨ରେ ବିଭକ୍ତ କରାଯାଇଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ସିନ୍ଧିଆଙ୍କଠାରୁ ଆରମ୍ଭ କରି ଚୌହ୍ୱାନଙ୍କ ପର୍ଯ୍ୟନ୍ତ କଂଗ୍ରେସ ଛାଡ଼ିଥିବା ନେତାଙ୍କ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତଥା କଂଗ୍ରେସ ରାଜକୁମାର ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ା ନ୍ୟାୟ ଯାତ୍ରା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଶଙ୍କରରାଓ ଚୌହାନ ସୋମବାର ଦଳ ଛାଡ଼ି ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଆହୁରି ଅନେକ ବରିଷ୍ଠ ନେତା ମଧ୍ୟ ଯିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କେବଳ ଚୌହ୍ୱାନ ନୁହଁନ୍ତି ଦଳର ଅନେକ ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଦଳ ଛାଡ଼ିଛନ୍ତି।

ସିନ୍ଧିଆ କଂଗ୍ରେସକୁ କଡ଼ା ଝଟକା ଦେଇଛନ୍ତି

କଂଗ୍ରେସ ଛାଡ଼ିଥିବା ନେତାଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଆଣିବାରେ ସିନ୍ଧିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦଳ ସହ ମତଭେଦ କାରଣରୁ ସିନ୍ଧିଆ ଦଳ ସହ ତାଙ୍କର ୧୮ ବର୍ଷର ସମ୍ପର୍କ ଶେଷ କରିଥିଲେ। ୨୦୨୦ ମାର୍ଚ୍ଚରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ମୋଦିଙ୍କ କ୍ୟାବିନେଟରେ ସଦସ୍ୟ ହୋଇଥିଲେ। ସିନ୍ଧିଆଙ୍କ କାରଣରୁ ନିକଟରେ ଶେଷ ହୋଇଥିବା ମଧ୍ୟ ପ୍ରଦେଶ ନିର୍ବାଚନରେ କଂଗ୍ରେସ ପରାଜିତ ହେବା ସହିତ ବିଜେପି କ୍ଷମତା ବଜାୟ ରଖିଛି।

୨୦୨୨ ରେ ସିବଲ କଂଗ୍ରେସକୁ ଚକିତ କରିଥିଲେ

ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ୧୬ମେ ୨୦୨୨ରେ କଂଗ୍ରେସ ଦଳ ଛାଡ଼ିଛନ୍ତି। ସେ ଏବେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ଜି-୨୩ର ସବୁଠାରୁ ଅଧିକ ସ୍ୱରଉତ୍ତୋଳନ ସଦସ୍ୟଙ୍କ ମଧ୍ୟରେ ତାଙ୍କୁ ଗଣାଯାଉଥିଲା।

ଇସ୍ତଫା ଦେଇ ଅସନ୍ତୋଷ ବ୍ୟକ୍ତ କଲେ ଆଜାଦ

ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି. ନରସିଂହା ରାଓଙ୍କ ସହିତ କାମ କରିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ୨୬ ଅଗଷ୍ଟ ୨୦୨୨ରେ ଦଳରୁ ଇସ୍ତଫା ଦେଇଥିଲେ। ଗୁଲାମ ନବୀ ଆଜାଦ ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ରାଗିଥିଲେ। ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଜି-୨୩ ଗୋଷ୍ଠୀର ମଧ୍ୟ ସେ ସଦସ୍ୟ ଥିଲେ। ଜି-୨୩ ଗୋଷ୍ଠୀ କ୍ରମାଗତଭାବେ କଂଗ୍ରେସରେ ଅନେକ ପରିବର୍ତ୍ତନ ଦାବି କରୁଥିଲେ। ସେ ଏବେ ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟି ଗଠନ କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଛାଡ଼ିଲେ କ୍ୟାପଟେନ ଅମରିନ୍ଦର ସିଂହ

କଂଗ୍ରେସର ଅନ୍ୟତମ ବିଶ୍ୱସ୍ତ ନେତା କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଦଳ ଛାଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି । ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସହ ଆଭ୍ୟନ୍ତରୀଣ ମତଭେଦ ହେବା ପରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏହି ଘଟଣା ଘଟିଛି। ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବା ପରେ ବିଧାନସଭା ନିର୍ବାଚନରେ ଦଳ ପରାଜୟସମ୍ମୁଖୀନ ହୋଇଛି।

କଂଗ୍ରେସ ଛାଡ଼ି ବିଜେପିରେ ଜିତିନ ପ୍ରସାଦ

ଜିତିନ ପ୍ରସାଦ ଉତ୍ତରପ୍ରଦେଶରେ କଂଗ୍ରେସର ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା ଥିଲେ। ପ୍ରସାଦ ୨୦୦୪ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରରେ ୟୁପିଏ ସରକାର ସମୟରେ ସେ ମନ୍ତ୍ରୀ ଥିଲେ। କଂଗ୍ରେସ ତାଙ୍କୁ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ଜୁନ୍ ୨୦୨୧ରେ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ଯୋଗୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଛନ୍ତି।

କ୍ରୋଧରେ କଂଗ୍ରେସ ଛାଡ଼ିଲେ ସୁନୀଲ ଜାଖର

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖର ମଧ୍ୟ ୨୦୨୨ ରେ କଂଗ୍ରେସ ଛାଡ଼ିଛନ୍ତି । ଏକ ଫେସବୁକ୍ ଲାଇଭରେ ଜାଖର କହିଛନ୍ତି ଯେ କଂଗ୍ରେସ ନେତୃତ୍ୱକୁ ଚାଟୁକାରମାନେ ଘେରି ରହିଛନ୍ତି। ଫଳରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ୁଛି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ସହିତ ରାଜ୍ୟର ସଭାପତି ଦାୟିତ୍ୱରେ ଅଛନ୍ତି।

କଂଗ୍ରେସକୁ ବିଦାୟ ଦେଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ

ହାର୍ଦ୍ଦିକ ପଟେଲ ୨୦୧୫ ପଟିଦାର ସଂରକ୍ଷଣ ଆନ୍ଦୋଳନର ଚେହେରାଭାବେ ଉଭା ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ ଦଳ ପାଇଁ ବିଶେଷ କିଛି କରିପାରିନଥିଲେ। କଂଗ୍ରେସରେ ୩ ବର୍ଷ ରହିବା ପରେ ପଟେଲ ୨୦୨୨ରେ ବିଜେପିରେ ଯୋଗ ଦେଇ ଏବେ ଗୁଜରାଟ ବିଧାନସଭାରେ ବିଜେପି ବିଧାୟକ ଅଛନ୍ତି।

ରାହୁଲଙ୍କ ନ୍ୟାୟଯାତ୍ରା ପୂର୍ବରୁ କଂଗ୍ରେସ ଛାଡ଼ିଲେ ଦେଓରା

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପୂର୍ବରୁ ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ିଛନ୍ତି। ସେ ମହାରାଷ୍ଟ୍ରର ଅନ୍ୟତମ ବରିଷ୍ଠ ନେତା। ଏକ ସୋସିଆଲ ମିଡିଆ ପୋଷ୍ଟରେ ଦେଓରା କହିଛନ୍ତି, ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛି। ଦଳ ସହ ମୋ ପରିବାରର ୫୫ ବର୍ଷର ସମ୍ପର୍କର ଅନ୍ତ ଘଟିଛି। ମୁଁ ସମସ୍ତ ନେତା, ସହକର୍ମୀ ଏବଂ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି ଯେ ସେମାନେ ବର୍ଷ ବର୍ଷ ଧରି ଅତୁଟ ସମର୍ଥନ କରିଛନ୍ତି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଗୋଷ୍ଠୀ ଶିବସେନାରେ ଯୋଗ ଦେଇଛନ୍ତି।

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଚୌହ୍ୱାନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ: ବିଜେପିରେ ଯୋଗଦେବେ?

ମୁମ୍ବାଇ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାନ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି। ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଚହ୍ଵାନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଅଶୋକ ଚହ୍ଵାନ ଖୁବ ଶୀଘ୍ର ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ। ଅଶୋକ ଚହ୍ଵାନଙ୍କ ସହ ଆଉ ତିନିଜଣ କଂଗ୍ରେସ ନେତା ବିଜେପିରେ ଯୋଗଦେବେ। କଂଗ୍ରେସ କର୍ପୋରେଟରମାନେ ମଧ୍ୟ ଅଛନ୍ତି ଯେଉଁମାନେ ବିଜେପିରେ ଯୋଗଦେବେ।

ଯଦି ଅଶୋକ ଚହ୍ଵାନ ଏହି ପଦକ୍ଷେପ ନିଅନ୍ତି, ତେବେ ଏହା କଂଗ୍ରେସ ପାଇଁ ତୃତୀୟ ଥର ପାଇଁ ହେବ। ଏହାପୂର୍ବରୁ ମିଲିନ୍ଦ ଦେଓରା ଏବଂ ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସିଦ୍ଦିକି ଅଜିତ ପାୱାର ଦଳର ଏନସିପିରେ ଯୋଗ ଦେଇଛନ୍ତି। ଦେଓରା ସିନ୍ଦେ ଶିବସେନାରେ ଯୋଗ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ମହାରାଷ୍ଟ୍ରଠାରୁ ବଙ୍ଗଳା ପର୍ଯ୍ୟନ୍ତ ଝଟକା ସହ ସଂଘର୍ଷ କରୁଛି ଇଣ୍ଡି ମେଣ୍ଟ, ଏବେ କ’ଣ ହେବ ?

ନୂଆଦିଲ୍ଲୀ: ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ଦୁର୍ଗ, ଯାହାକୁ ଆଧାର କରି ଇଣ୍ଡି ମେଣ୍ଟ ଶାସକ ଭାରତୀୟ ଜନତା ପାର୍ଟି ଉପରେ ଆଖି ଦେଖାଉଥିଲା, ସେଥି ମଧ୍ୟରୁ ତିନିଟି ଶକ୍ତିଶାଳୀ ସ୍ତମ୍ଭ ଥରି ଉଠିଥିବା ଦେଖିବାକୁ ମିଳୁଛି। ପୂର୍ବରେ ପଶ୍ଚିମବଙ୍ଗ, ପଶ୍ଚିମରେ ମହାରାଷ୍ଟ୍ର, ଉତ୍ତରରେ ବିହାର ଏବଂ ଦକ୍ଷିଣରେ କର୍ଣ୍ଣାଟକ ରାଜ୍ୟ ଇଣ୍ଡି ମେଣ୍ଟର ଚାରିଟି ଶକ୍ତିଶାଳୀ ଦୁର୍ଗ ରହିଛି। ଏହି ୪ଟି ରାଜ୍ୟରେ ବିରୋଧୀ ଦଳ ଶକ୍ତିଶାଳୀ ଥିବା ଦେଖିବାକୁ ମିଳିଥିଲା ଏବଂ ଆସନ ଦୃଷ୍ଟିରୁ ମଧ୍ୟ ଏହି ୪ଟି ରାଜ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏବେ ଏହି ଢାଞ୍ଚା ଭୁଶୁଡ଼ି ପଡ଼ିଛି ଏବଂ ଏହା ସହିତ ଇଣ୍ଡି ମେଣ୍ଟ ଠିଆ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବାରେ ଲାଗିଛି।

ପଶ୍ଚିମବଙ୍ଗରେ ମମତାଙ୍କ ସ୍ପଷ୍ଟ ବାର୍ତ୍ତା

ଏଇଣ୍ଡି ମେଣ୍ଟକୁ ପଶ୍ଚିମବଙ୍ଗରୁ ଝଟକା ଆରମ୍ଭ ହୋଇଛି। ୪୨ଟି ଲୋକସଭା ଆସନ ଥିବା ଏହି ରାଜ୍ୟରେ ତୃଣମୂଳ କଂଗ୍ରେସର ଶାସନ ରହିଛି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ସିଏ କଂଗ୍ରେସକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବା ମୁଡରେ ରହିଛି। ବାସ୍ତବରେ ୨୦୧୯ ଲୋକସଭା ନିର୍ବାଚନରେ ଟିଏମସି ରାଜ୍ୟର ୪୨ଟି ଆସନରୁ ୨୨ଟି ଆସନ ପାଇଥିଲା। ବିଜେପି ୧୮ଟି ଆସନ ଜିତି ରାଜ୍ୟରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଥିଲା। ସେହିପରି କଂଗ୍ରେସ ମାତ୍ର ୨ଟି ଆସନରେ ଜିତିଥିଲାବେଳେ ସିପିଆଇଏମ୍ ଖାତା ଖୋଲି ପାରିନଥିଲା। ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଏହି ନିର୍ବାଚନରେ ମଧ୍ୟ ଟିଏମସି ବିଜୟୀ ହୋଇ ସରକାର ଗଠନ କରିଥିଲା। ବିଜେପିର ପ୍ରଦର୍ଶନ ମଧ୍ୟ ଏଠାରେ ଚମତ୍କାର ଅଗ୍ରଣୀ ଦେଖାଇଥିଲା ଏବଂ ଦଳକୁ ୬୮ ଟି ଆସନ ମିଳିଥିଲା। ସେହିପରି କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟ ଏଠାରେ ଖାତା ଖୋଲି ପାରିନଥିଲେ।

ଅର୍ଥାତ୍ ରାଜ୍ୟରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ଦୁର୍ବଳ ହେବା ସହ ବିଜେପି ଶକ୍ତିଶାଳୀ ବୋଲି ବାର୍ତ୍ତା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ମମତା ବାନାର୍ଜୀ ନିଜ ଦଳକୁ ଦୁର୍ବଳ କରିବେ ନାହିଁ ଏବଂ ସେ ଅତିକମରେ ପଶ୍ଚିମବଙ୍ଗରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି। ମମତା ବାନାର୍ଜୀଙ୍କ ସମଗ୍ର ରାଜନୀତି କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ରହିଛି ଏବଂ ଏବେ ଯଦି ସେ ରାଜ୍ୟରେ ଉଭୟଙ୍କ ସହ ନିର୍ବାଚନକୁ ଯାଆନ୍ତି, ତେବେ ଜନସାଧାରଣ ଓ କର୍ମୀଙ୍କୁ ଭୁଲ ବାର୍ତ୍ତା ମିଳିବ। ସେଥିପାଇଁ ମମତା ଦେଶରେ ଇଣ୍ଡି ମେଣ୍ଟ ସହିତ ଅଛନ୍ତି, କିନ୍ତୁ ବଙ୍ଗଳାରେ ଏହାଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି।

ବିହାରରେ ଇଣ୍ଡି ମେଣ୍ଟର ଖେଳ ଖରାପ କଲେ ନୀତୀଶ

ଏବେ ଯଦି ଆମେ ଉତ୍ତର ଭାରତରେ ଇଣ୍ଡି ମେଣ୍ଟର ଶକ୍ତିଶାଳୀ ଗଡ଼ ଉପରେ ନଜର ପକାଇବା ତେବେ ବିହାର ଏଠାରେ ଏକ ଶକ୍ତିଶାଳୀ ଦୁର୍ଗ ଥିଲା। ନୀତୀଶ କୁମାରଙ୍କ ଜନତା ଦଳ-ୟୁନାଇଟେଡ୍, ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ପାର୍ଟି ଏକାଠି ଠିଆ ହେବା ପର୍ଯ୍ୟନ୍ତ ଏହି ଦୁର୍ଗ ବିଜେପିର ସ୍ଥତି ଦୁର୍ବଳ ଥିବା ପରି ମନେ ହେଉଥିଲା। କିନ୍ତୁ ନୀତୀଶ କୁମାର ଏଠାରେ ମହାମେଣ୍ଟର ହାତ ଛାଡ଼ିବା ମାତ୍ରେ ବିହାରରେ ଇଣ୍ଡି ମେଣ୍ଟ ଭୁଶୁଡ଼ି ପଡ଼ିଛି।
ବିହାରରେ ମୋଟ ୪୦ଟି ଲୋକସଭା ଆସନ ଥିବାବେଳେ ଗତ ନିର୍ବାଚନରେ ୩୯ଟି ଆସନରେ ଏନଡିଏ ମେଣ୍ଟ ବିଜୟୀ ହୋଇଥିଲା। ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ବିଜୟୀ ହୋଇଥିଲା। ତେବେ ପରେ ଜେଡିୟୁ ଏନଡିଏ ଛାଡ଼ିଥିଲା ଏବଂ ଏହାର ମୁଖ୍ୟ ନୀତୀଶ କୁମାର ଇଣ୍ଡି ମେଣ୍ଟର ସହଯୋଗୀ ହୋଇଥିଲେ। କିନ୍ତୁ ନୀତୀଶ ନାମକ ଫର୍ମୁଲା ଭାଙ୍ଗିବା ମାତ୍ରେ ଏହି ମେଣ୍ଟ ଭାଙ୍ଗି ଯାଇଛି। ଏବେ ନୀତୀଶ କୁମାର ଏନଡିଏ ସହ ଅଛନ୍ତି ଏବଂ ଇଣ୍ଡି ମେଣ୍ଟ ସହ ରହି ସେ ଯେତିକି ଲାଭବାନ ହୋଇଥାନ୍ତେ, ଏବେ ଏନଡିଏ ସହ ଯାଇ ଇଣ୍ଡି ମେଣ୍ଟକୁ ତା’ଠାରୁ ଅଧିକ କ୍ଷତି ପହଞ୍ଚାଇପାରନ୍ତି।

କାହା ଗ୍ରୁପ୍ କାହା ସହ ରହିଛି

ମହାରାଷ୍ଟ୍ର ମଧ୍ୟ ବିରୋଧୀ ଗୋଷ୍ଠୀର ଅନ୍ୟତମ ଶକ୍ତିଶାଳୀ ଦୁର୍ଗ। କିନ୍ତୁ ଏଠାରେ ମଧ୍ୟ ଏବେ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହେବାର ଗୁଜବ ଶୁଣିବାକୁ ମିଳୁଛି। ଲୋକସଭା ଆସନ ଦୃଷ୍ଟିରୁ ମହାରାଷ୍ଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ରାଜ୍ୟରେ ମୋଟ ୪୮ଟି ଲୋକସଭା ଆସନ ରହିଛି ଏବଂ ଉତ୍ତରପ୍ରଦେଶ ପରେ ଏହି ରାଜ୍ୟରେ ଦେଶର ସର୍ବାଧିକ ଲୋକସଭା ଆସନ ରହିଛି। ଗତ ନିର୍ବାଚନରେ ଏନଡିଏ ଏଠାରେ ୪୮ଟି ଆସନରୁ ୪୧ଟିରେ ବିଜୟୀ ହୋଇଥିଲା। ସେତେବେଳେ ଶିବସେନା ଏନଡିଏରେ ବିଜେପି ସହ ମେଣ୍ଟ କରିଥିଲା ଏବଂ ବିରୋଧୀ ୟୁପିଏ ମେଣ୍ଟ ପାଖରେ ମାତ୍ର ୫ଟି ଆସନ ଥିଲା। ଏହା ମଧ୍ୟରୁ ୪ଟି ଆସନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ ଯାଇଥିବାବେଳେ ମାତ୍ର ଗୋଟିଏ କଂଗ୍ରେସକୁ ଯାଇଥିଲା।

ଏବେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଉଭୟ ଶିବସେନା ଓ ଏନସିପି ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଶିବସେନାରେ ଏକନାଥ ସିନ୍ଦେ ବିଦ୍ରୋହ କରି ବିଜେପି ସହ ମିଶି ସରକାର ଗଠନ କରିଛନ୍ତି ଏବଂ ଦଳର ବହୁ ସଂଖ୍ୟା ତାଙ୍କ ସହ ରହିଛି। ପରେ ଅଜିତ ପାୱାର ଏନସିପିକୁ ଦୁଇ ଭାଗରେ ବିଭକ୍ତ କରି ଶକ୍ତିଶାଳୀ ଦଳକୁ ସାଙ୍ଗରେ ନେଇ ଏନଡିଏ ସରକାରରେ ଯୋଗ ଦେଇଛନ୍ତି। ସେପଟେ ଶରଦ ପାୱାରଙ୍କ ଦଳ ସହ ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସହ ଶିବସେନା ଇଣ୍ଡି ମେଣ୍ଟରେ ରହିଛି।

ଏଥିରେ ନିର୍ବାଚନର ଠିକ୍ ପୂର୍ବରୁ ଶରଦ ପାୱାର ଏନସିପିର ନାମ ଏବଂ ଦଳର ନିର୍ବାଚନ ଚିହ୍ନ ହରାଇଛନ୍ତି। ନିକଟରେ ଉଦ୍ଧବ ଠାକରେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶତ୍ରୁ ନୁହଁନ୍ତି ଏବଂ ବିଜେପି ତାଙ୍କୁ ଦୂରେଇ ରଖିଛି, ସେ ତାଙ୍କଠାରୁ କେବେ ବି ଦୂରେଇ ଯାଇନାହିଁ’ବୋଲି କହି ଭାରତୀୟ ମେଣ୍ଟର ଉତ୍ତେଜନା ବଢ଼ାଇଛନ୍ତି। ପ୍ରକାଶ ଆମ୍ବେଦକର କିଛିଦିନ ତଳେ ଇଣ୍ଡି ମେଣ୍ଟରେ ଯୋଗ ଦେଇନଥିବା ପଥର ହଟାଇ ସାରିଛନ୍ତି ଏବଂ କହିଛନ୍ତି ଯେ ଭାରତ ମେଣ୍ଟ ଶେଷ ହୋଇଯାଇଛି। କଂଗ୍ରେସ ନେତା ମିଲିନ୍ଦ ଦେଓରା ମଧ୍ୟ ଏନଡିଏରେ ସାମିଲ ହୋଇଛନ୍ତି। ଏସବୁ ଘଟଣାରୁ ଅନୁମାନ କରାଯାଇପାରେ ଯେ ଯଦି ମହାରାଷ୍ଟ୍ରରେ ଭାରତୀୟ ମେଣ୍ଟ ନିଜକୁ ଠିକଭାବେ ଠିଆ କରିବାରେ ସକ୍ଷମ ହୋଇନାହିଁ, ତେବେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଦୂରରେ ରହିଛି।

ବଡ଼ ପ୍ରଶ୍ନ: କର୍ଣ୍ଣାଟକ କ’ଣ ଲଜ୍ଜା ବଞ୍ଚାଇବ?

ଏବେ ବିରୋଧୀ ଗୋଷ୍ଠୀର ଚତୁର୍ଥ ଦୁର୍ଗ ବିଷୟରେ କହିବାକୁ ଗଲେ ଏହା ହେଉଛି କର୍ଣ୍ଣାଟକ। ନିକଟରେ ଏହି ରାଜ୍ୟରେ କଂଗ୍ରେସ ଦଳ ସରକାର ଗଠନ କରିଛି ଏବଂ ରାଜନୈତିକ ବିଶେଷଜ୍ଞମାନେ କର୍ଣ୍ଣାଟକରେ କଂଗ୍ରେସ ଏବଂ ବିରୋଧୀ ଗୋଷ୍ଠୀର ଆଗାମୀ ଲୋକସଭା ନିର୍ବାଚନକୁ ସୁଦୃଢ଼ କରିବାର ଏହି କାରଣ ମଧ୍ୟ କହୁଛନ୍ତି। ଏହା ହେଉଛି ଉତ୍ତର ଭାରତର ଏକ ରାଜ୍ୟ ଯେଉଁଠାରେ ବିଜେପି ଶକ୍ତିଶାଳୀ ରହିଛି। ଗତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ୨୮ଟି ଆସନରୁ ବିଜେପି ୨୫ଟିରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। ତେବେ ଏବେ ରାଜ୍ୟର ରାଜନୈତିକ ସ୍ଥିତି ବଦଳିଯାଇଛି ଏବଂ କଂଗ୍ରେସ ଦଳ ରାଜ୍ୟର କ୍ଷମତା ଦଖଲ କରିଛି। ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ଅନେକାଂଶରେ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ କ୍ଷୟକ୍ଷତି ଏତେ ଅଧିକ ହେବ ଯେ ଜାତୀୟ ସ୍ତରରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ।

ଭାରତ ମେଣ୍ଟରେ ‘ଲ୍ ଇଜ୍ ୱେଲ୍’ ଅଛି କି?

ମୋଟାମୋଟିଭାବେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ରାଜ୍ୟରେ ବିରୋଧୀ ମେଣ୍ଟ ଯେଉଁ ଶକ୍ତିବଳରେ ଶାସକ ଏନଡିଏ ଓ ବିଜେପିର ହାତ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଥିଲା, ସେଠାରେ ଦଳ ନିଜକୁ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶରେ ମଧ୍ୟ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଦଳ ଏବେ ଇଣ୍ଡି ମେଣ୍ଟରୁ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଆସନକୁ ନେଇ କଂଗ୍ରେସ ସହ ବୁଝାମଣା ଖେଳ ଖେଳୁଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ଓ ଦିଲ୍ଲୀରେ ମେଣ୍ଟ ପାଇଁ ଆମ୍ ଆଦମୀ ପାର୍ଟି ଉପରେ ଆଞ୍ଚଳିକ କଂଗ୍ରେସ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି। ଅର୍ଥାତ୍ ଇଣ୍ଡି ମେଣ୍ଟରେ ବର୍ତ୍ତମାନ ସବୁକିଛି ଠିକ୍ ଦେଖାଯାଉନାହିଁ ଏବଂ ଏହି ସମୟରେ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ଅଛି।

Categories
ଜାତୀୟ ଖବର ବିଶେଷ ଖବର

ମହାରାଷ୍ଟ୍ରରେ ଭାରତ ମେଣ୍ଟକୁ ଆଉ ଏକ ବଡ଼ ଝଟକା ପ୍ରକାଶ ଆମ୍ବେଦକର କହିଲେ- ସବୁକିଛି ଶେଷ ହୋଇଛି

ମୁମ୍ବାଇ: ପ୍ରକାଶ ଆମ୍ବେଦକର ମହାବିକାଶ ଆଘାଡି ମେଣ୍ଟରେ ପ୍ରବେଶ କରିବାମାତ୍ରେ ସେ ଇଣ୍ଡି ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇଣ୍ଡି ମେଣ୍ଟରେ ଆଉକିଛି ବାକି ନାହିଁ, କିନ୍ତୁ ମହାବିକାଶ ଆଘାଡିକୁ ବଞ୍ଚାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ। ସେ କହିଛନ୍ତି ଯେ ସେ କଂଗ୍ରେସ ସହ ନୁହେଁ ବରଂ ଠାକରେ ଏବଂ ଶରଦ ପାୱାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଦ୍ଧବ ସେନା ମୁଖପାତ୍ର ସଞ୍ଜୟ ରାଉତ ତୁରନ୍ତ ଆମ୍ବେଦକରଙ୍କ ବୟାନକୁ ସ୍ପଷ୍ଟ କରିବାକୁ ଆଗେଇ ଆସିଥିଲେ। ସେ ଆମ୍ବେଦକରଙ୍କ ବୟାନକୁ ସମର୍ଥନ କରି କହିଛନ୍ତି ଯେ ଜାତୀୟ ସ୍ତରରେ ଗଠିତ ମେଣ୍ଟ ସୁଦୃଢ଼। ବୈଠକ ଶେଷ ହେବା ପରେ ଆମ୍ବେଦକର କହିଛନ୍ତି ଯେ ବିଜେପି ବିରୋଧରେ ଲଢ଼ିବା ପାଇଁ ଗଠିତ ଜାତୀୟ ସ୍ତରର ମେଣ୍ଟରେ ଆଉକିଛି ବାକି ନାହିଁ ଏବଂ ଏହା ଶେଷ ହୋଇଛି। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ହିଁ ବାକି ରହିଛନ୍ତି। ମୁଁ ଚାହୁଁନାହିଁ ଯେ ଏହା ହେଉ, କିନ୍ତୁ ଏହା ବାସ୍ତବତା। ସେ କହିଛନ୍ତି ଯେ ମହାବିକାଶ ଆଘାଡିକୁ ଇଣ୍ଡି ମେଣ୍ଟ ହେବାକୁ ଦେବୁ ନାହିଁ। ଆମ ସମସ୍ତଙ୍କୁ ସିର୍କତାର ସହ ପଦକ୍ଷେପ ନେବାକୁ ପଡ଼ିବ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ମହାବିକାଶ ଆଘାଡି (ଏମଭିଏ) ଏକ ବୈଠକ କରିଥିଲା। ଆମ୍ବେଦକରଙ୍କୁ ସ୍ୱାଗତ କରିବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ମୁଖପାତ୍ର ସଞ୍ଜୟ ରାଉତ, କଂଗ୍ରେସ ରାଜ୍ୟ ସଭାପତି ନାନା ପଟୋଲେ, ଅଶୋକ ଚୌହାନ, ବାଲାସାହେବ ଥୋରାଟ, ମୁମ୍ବାଇ କଂଗ୍ରେସ ସଭାପତି ବର୍ଷା ଗାଇକୱାଡ, ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ, ଜିତେନ୍ଦ୍ର ଆୱାଡ ଉପସ୍ଥିତ ଥିଲେ। ସଭାରେ ଆମ୍ବେଦକର ସମସ୍ତଙ୍କୁ କଡ଼ା ସମାଲୋଚନା କରିଥିଲେ।

ଆମ୍ବେଦକର ୬ଟି ଆସନରେ ଲଢ଼ିବେ

ଗୋଟିଏ ସମୟରେ ପ୍ରକାଶ ଆମ୍ବେଦକରଙ୍କ ଆଭିମୁଖ୍ୟରେ ସମସ୍ତ ନେତା ବିଭ୍ରାନ୍ତ ହୋଇଯାଇଥିଲେ। ଆମ୍ବେଦକର ପ୍ରଥମେ ଏକ ସର୍ବନିମ୍ନ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା କଥା କହିଥିଲେ। ଏହାପରେ ସେ ଆସନ ବଣ୍ଟନ ନେଇ ଆଲୋଚନା କରିବାକୁ କହିଥିଲେ। ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ଆମ୍ବେଦକର ଅକୋଲା, ମୁମ୍ବାଇ ଦକ୍ଷିଣ-କେନ୍ଦ୍ରୀୟ, ସୋଲାପୁର, ପରଭାନୀ, ଅମରାବତୀ ଏବଂ ବୁଲଧାନା ଭଳି ୬ଟି ଲୋକସଭା ଆସନ ଦାବି କରିଥିବା କୁହାଯାଉଛି। ପୂର୍ବରୁ ତାଙ୍କ ଦଳ ୧୨ଟି ଆସନ ଦାବି କରିଥିଲା।

ସର୍ବନିମ୍ନ କାର୍ଯ୍ୟକ୍ରମ ପାଇଁ କମିଟି

ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ କହିଛନ୍ତି, ଆମ୍ବେଦକର କିଛି ପ୍ରସଙ୍ଗ ଉଠାଇଛନ୍ତି, ତାଙ୍କ ଏବଂ ଆମ ମଧ୍ୟରେ ଅନେକ ପ୍ରସଙ୍ଗ ସାଧାରଣ, ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ସର୍ବନିମ୍ନ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ। ଏହି କମିଟି ୮ ଦିନ ମଧ୍ୟରେ ରିପୋର୍ଟ ଦେବ ଏବଂ ତା’ପରେ ଆସନ୍ତା ସପ୍ତାହରେ ଏମଭିଏ ବୈଠକରେ ସିଟ୍ ଆବଣ୍ଟନ ପ୍ରସଙ୍ଗରେ ପୁନର୍ବାର ଆଲୋଚନା ହେବ। ଆସନ ବଣ୍ଟନକୁ ନେଇ ମହାବିକାଶ ଆଘାଡିରେ କୌଣସି ମତଭେଦ ନାହିଁ ବୋଲି ନାନା ଦାବି କରିଛନ୍ତି। ଆମ ମେଣ୍ଟ ସମସ୍ତ ୪୮ଟି ଆସନରେ ଲଢ଼ିବ।

ଇଣ୍ଡି ମେଣ୍ଟ ଭାଙ୍ଗିନାହିଁ: ରାଉତ

ଆମ୍ବେଦକରଙ୍କ ବୟାନ ପରେ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଇଣ୍ଡି ମେଣ୍ଟ ଭାଙ୍ଗି ନାହିଁ। ଆସନ ବଣ୍ଟନକୁ ନେଇ ନିଶ୍ଚିତଭାବେ ସହଯୋଗୀ ଦଳମାନଙ୍କ ମଧ୍ୟରେ କିଛି ପ୍ରସଙ୍ଗ ରହିଛି। କିଛି ରଣନୈତିକ ନିଷ୍ପତ୍ତି ନିଆଯାଉଛି। ପଞ୍ଜାବ ଓ ବେଙ୍ଗଲରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ କଂଗ୍ରେସ ଓ ଆପ୍ ମଧ୍ୟରେ ଆସନ ବଣ୍ଟାଯିବ ଏବଂ ପଞ୍ଜାବରେ ଉଭୟ ଅଲଗା ଅଲଗା ନିର୍ବାଚନ ଲଢ଼ିବେ। ବିଜେପିକୁ ପରାସ୍ତ କରିବା ପାଇଁ ମମତା ବାନାର୍ଜୀ ମଧ୍ୟ କାମ କରିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

‘ବିଗ୍ ୪’ ଓ ୨୧୦ ଆସନ: ଜାଣନ୍ତୁ ୨୦୨୪ ରାସ୍ତାରୁ ମୋଦି କେମିତି ହଟାଇଲେ ୨ଟି ବଡ଼ କଣ୍ଟା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ମଝିରେ ବିହାର ଓ ମହାରାଷ୍ଟ୍ର ବିଜେପି ପାଇଁ ରାଜନୈତିକ ସମସ୍ୟା ପାଲଟିଥିଲା। ନିର୍ବାଚନ ପୂର୍ବରୁ ସହଯୋଗୀ ଥିବା ନୀତୀଶ କୁମାର ଓ ଉଦ୍ଧବ ଠାକରେ ଉଭୟ ରାଜ୍ୟରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କ ସହ ମିଶିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦୁଇରାଜ୍ୟରେ ବିଜେପି ଯେଉଁଭଳିଭାବେ ପ୍ରତ୍ୟାବର୍ତ୍ତନ କରିଛି, ତାହା ୨୦୨୪ ପାଇଁ ରଣନୀତିର ମୂଳକଥା ଲୁଚି ରହିଛି। ଏହି ରଣନୀତି ହେଉଛି ଆରସିଇ ଅର୍ଥାତ୍ ନବୀକରଣ, ଏକୀକରଣ ଏବଂ ସମ୍ପ୍ରସାରଣ।

ଲୋକସଭାରେ ୪୦ କିମ୍ବା ତା’ଠାରୁ ଅଧିକ ଆସନ ଥିବା ୟୁପି ଓ ପଶ୍ଚିମବଙ୍ଗ ସମେତ ବିହାର ଓ ମହାରାଷ୍ଟ୍ର ‘ବିଗ୍-୪’ ରାଜ୍ୟ ମଧ୍ୟରୁ ଅନ୍ୟତମ। ସଂସଦର ୫୪୩ ଆସନମଧ୍ୟରୁ ଏହି ରାଜ୍ୟଗୁଡ଼ିକରେ ୨୧୦ଟି ଆସନ ରହିଛି। ଏହି ବିଗ୍‍-୪ ରାଜ୍ୟରୁ ୨୦୧୯ରେ ବିଜେପି ଏକାକୀ ୧୨୦ଟି ଆସନରେ ବିଜୟୀ ହୋଇଥିବାବେଳେ ଏନଡିଏ ସହଯୋଗୀଙ୍କ ସଂଖ୍ୟା ୧୬୨ ଥିଲା। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଦଳକୁ ଅତି କମରେ ଦୁଇଟି ‘ବିଗ୍ ୪’ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

ୟୁପି ବିଜେପି ପାଇଁ ସୁରକ୍ଷିତ, କିନ୍ତୁ ବିହାର ଓ ମହାରାଷ୍ଟ୍ରରେ ମେଣ୍ଟ ରାଜନୀତି ଦଳକୁ କ୍ଷତି ପହଞ୍ଚାଉଛି। ତେବେ ଶିବସେନା ଓ ଜେଡିୟୁର ବିଶ୍ୱାସଘାତକତାଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ କମ କରିବା ପାଇଁ ରାଜ୍ୟ ୟୁନିଟ ଏକାକୀ ନିର୍ବାଚନ ଲଢ଼ିବାକୁ ଜିଦ ଧରିଥିଲେ। କିନ୍ତୁ ୨୦୨୪ରେ ଅଧିକ ସଂଖ୍ୟାଗରିଷ୍ଠତା ପାଇଁ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଭାବିଲେ-
ନିଜର ୨୦୧୯ ଭୋଟ ବ୍ୟାଙ୍କକୁ ଭାଙ୍ଗିବାରୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ।

ଏହି ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଅଧିକ ଉପାୟ ଖୋଜିବ। ଦଳ ଉପସ୍ଥିତିର ଭୌଗୋଳିକ ପରିସରକୁ ବଢ଼ାଯିବ ଯାହାଦ୍ୱାରା ଯଦି କିଛି ଝଟକା ହୁଏ, ତେବେ କ୍ଷତିପୂରଣ ପାଇଁ ଅଧିକ ବିକଳ୍ପ ରହିବ। ଏହି ଉଦ୍ଦେଶ୍ୟରେ ବିଜେପିର ରଣନୀତି ଦୁଇଟି ବ୍ୟାପକ ନୀତି ଉପରେ ଆଧାରିତ ଥିବା ଜଣାପଡ଼ିଛି। ତାହା ହେଉଛି- ନୂତନ ପ୍ରତିଭାଙ୍କୁ ଆକୃଷ୍ଟ କରିବା, ଅନୁକୂଳ କରିବା ଏବଂ ପ୍ରୋତ୍ସାହିତ କରିବା। ବିରୋଧୀଙ୍କୁ ଦୁର୍ବଳ କରିବା ଫଳରେ ସେମାନଙ୍କ ପାଇଁ ଏକାଠି ହେବା କଷ୍ଟକର ହୋଇପଡ଼ିବ।

ରାଜ୍ୟଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରି ରଣନୀତି ପ୍ରସ୍ତୁତ କରୁଛି ବିଜେପି: ନବୀକରଣ କରାଯାଉଛି

ଯେଉଁ ରାଜ୍ୟରେ ପାରମ୍ପରିକଭାବେ ବିଜେପି ଶକ୍ତିଶାଳୀ ରହିଛି, ସେଠାରେ ଦଳ ନିଜକୁ ନୂଆ ରୂପ ଦେଉଛି। ଗୁଜରାଟ ଏହାର ଉଦାହରଣ। ୨୦୧୭ ବିଧାନସଭା ନିର୍ବାଚନରେ ଦଳକୁ କଠିନ ସମୟ ଲାଗିଥିଲା, କିନ୍ତୁ ୨୦୨୨ରେ ବିପୁଳ ବିଜୟ ହାସଲ କରିଥିଲା। ୫ ମନ୍ତ୍ରୀଙ୍କ ସମେତ ୪୦ ଜଣ ବିଧାୟକଙ୍କ ମଧ୍ୟରୁ ୧୧୧ ଜଣଙ୍କୁ ବଦଳାଇବା ଏକ ପ୍ରମୁଖ କାରଣ ଥିଲା। ଏହାସହ ଦଳ ନିଜକୁ ନୂଆ କରିଛି। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ଆଣି ବିଜେପି ଦଳ ଭିତରେ ଥିବା ପ୍ରତିଭାମାନଙ୍କୁ ସୁଯୋଗ ଦେବା ପାଇଁ ବାର୍ତ୍ତା ଦେଇଛି।

ଏକୀକରଣ

ଯେଉଁ ରାଜ୍ୟରେ ବିଜେପିର ଦୃଢ଼ ଉପସ୍ଥିତି ରହିଛି, ସେଠାରେ ସହଯୋଗୀ ଦଳକୁ ଏକାଠି ରଖି ନିର୍ବାଚନୀ ଗଣିତକୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ବିହାର ଓ ମହାରାଷ୍ଟ୍ର ଏହି ବର୍ଗରେ ଅନ୍ତର୍ଭୁକ୍ତ। ନିଜ କାର୍ଯ୍ୟକାଳର ପ୍ରଥମାର୍ଦ୍ଧରେ ବିରୋଧୀଦଳଠାରୁ ପଛରେ ପଡ଼ିବା ପରେ ବିଜେପି ବିରୋଧୀଙ୍କ ଭିତରେ ଥିବା ଫାଟର ଫାଇଦା ଉଠାଇ ପୁଣି ଥରେ ଫେରିଛି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦର ବଳିଦାନ ମଧ୍ୟ ଏହି ରଣନୀତିର ଏକ ଅଂଶ ଥିଲା। ଶିବସେନା ଓ ଏନସିପିର ଭାଙ୍ଗି ଯାଇଥିବା ଗୋଷ୍ଠୀକୁ ଏକାଠି କରି ଦଳ ନିଜର ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିଛି।

ସମ୍ପ୍ରସାରଣ

୨୦୧୯ରେ ବିଜେପିର ଫୋକସ ପୂର୍ବ ଦିଗରେ ଥିଲା। ଯେଉଁ ରାଜ୍ୟରେ କମ ଉପସ୍ଥିତି ରହିଛି ସେଠାରେ ଦଳ ଅନ୍ୟଦଳର ନେତାଙ୍କୁ ଆକୃଷ୍ଟ କରି ନିଜକୁ ଗଢ଼ି ତୋଳିଛି। ଏହି ରଣନୀତିର ସଫଳତାର ଉଦାହରଣ ହେଉଛି ଆସାମ। ୨୦୨୪ରେ ବିଜେପିର ଫୋକସ ଦକ୍ଷିଣଆଡ଼କୁ ରହିଛି।

ଦକ୍ଷିଣରେ କର୍ଣ୍ଣାଟକ ଓ ତେଲେଙ୍ଗାନା ଏମିତି ରାଜ୍ୟ ଯେଉଁଠି ବିଜେପି ଶକ୍ତିଶାଳୀ କିମ୍ବା ସ୍ପଷ୍ଟ ଉପସ୍ଥିତି ରହିଛି। ଯଦିଓ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହାରିଛି, ତଥାପି ଏହା ବୋମାଇ ସରକାରଙ୍କ ବିରୋଧରେ ଅସନ୍ତୋଷର ପରିଣାମ ବୋଲି ଦଳ ଅନୁଭବ କରୁଛି। ଆସନ୍ତା ଲୋକସଭା ନିର୍ବାଚନରେ ମୋଦିଙ୍କ ପ୍ରଚାର କର୍ଣ୍ଣାଟକରେ ପୁଣିଥରେ ଆରମ୍ଭ ହେବ।
ଦକ୍ଷିଣର ସମସ୍ତ ରାଜ୍ୟକୁ ସମାନ ବ୍ୟବହାର କରାଯିବା ଉଚିତ ନୁହେଁ। ଏପରିକି ବିଜେପି ମଧ୍ୟ ତାହା କରୁନାହିଁ। ବିଭିନ୍ନ ରାଜ୍ୟ ପାଇଁ ଦଳ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛି।

ତେଲେଙ୍ଗାନାରେ ବିଜେପି ଏବେବି ଏକ ଛୋଟ ଦଳ। କିନ୍ତୁ ନିକଟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ନିଜର ଭୋଟ ପ୍ରତିଶତକୁ ଦ୍ୱିଗୁଣିତ କରିବାରେ ସଫଳ ହୋଇଛି। ବିଜେପି ଭୋଟହାର ପୂର୍ବ ଥରର ୭ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିପକ୍ଷ ଭୋଟରେ କଂଗ୍ରେସ ସବୁଠାରୁ ଅଧିକ ଲାଭବାନ ହୋଇଛି। ବିଆରଏସରୁ ଛଡ଼ାଇ ନିଆଯାଇଥିବା ଭୋଟ ମଧ୍ୟରୁ ପ୍ରାୟ ୬.୫ରୁ ୭ ପ୍ରତିଶତ ବିଜେପିକୁ ଯାଇଥିବାବେଳେ ସର୍ବାଧିକ ୧୧ ପ୍ରତିଶତ କଂଗ୍ରେସକୁ ଯାଇଛି। ତୃତୀୟ ଥର କ୍ଷମତା ଆସିବା ପାଇଁ ପ୍ରଚାରବେଳେ ମୋଦି କଂଗ୍ରେସ ତୁଳନାରେ ଅଧିକ ବିଆରଏସ ବିରୋଧୀ ଭୋଟ ପାଇବେ ବୋଲି ବିଜେପି ଆଶା ରଖିଛି।

ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ବିଜେପିକୁ ମେଣ୍ଟ ସହଯୋଗୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ ଚୂଡ଼ାନ୍ତ ହୋଇଛି। କିନ୍ତୁ ଆନ୍ଧ୍ରପ୍ରଦେଶରେ ସ୍ଥିତି ଅନିଶ୍ଚିତ। ୱାଇଏସଆର କଂଗ୍ରେସ ଏବଂ ତେଲୁଗୁ ଦେଶମ ପାର୍ଟି ମଧ୍ୟରେ ଲଢ଼େଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଜେପି ଉଭୟଙ୍କ ସହ ସମାନ ଦୂରତା ବଜାୟ ରଖିଛି। ବିଜେପି ଜାଣୁଛି ଯେ ଉଭୟଙ୍କ ସହ ନିର୍ବାଚନୀ ଫାଇଦା ହୋଇପାରେ, କିନ୍ତୁ ନିର୍ବାଚନ ପାଖେଇ ଆସିଲେ ନିଷ୍ପତ୍ତି ନେବାକୁ ପଡ଼ିବ। କେରଳରେ ଦଳ ଦୁର୍ବଳ ରହିଛି ଏବଂ କେବଳ ଅଳ୍ପ କିଛି କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରିବ।

୨୦୨୪ରେ ବିଜେପି ସମଗ୍ର ଦେଶରେ ଗ୍ରହଣୀୟତା ହାସଲ କରିବା ପାଇଁ ‘ସଂଖ୍ୟାହୀନ’ ରାଜନୈତିକ ରଣନୀତି ଆପଣାଇବ। ମୋଦିଙ୍କ ତୃତୀୟ ପାଳି, ସୀମାରେ ଏବଂ ଉତ୍ତର-ଦକ୍ଷିଣ ମଧ୍ୟରେ ଜାତୀୟ ନିରାପତ୍ତା ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ପଞ୍ଜାବକୁ ନେଇ ମୋଦିଙ୍କ ଦୃଷ୍ଟିକୋଣକୁ ନେଇ ଯେଉଁ ଘଟଣା ଘଟିଛି ସେଥିରେ ଏହା ଦେଖିବାକୁ ମିଳୁଛି।

ରାଜ୍ୟଭିତ୍ତିକ ଭେଦଭାବ ଅର୍ଥାତ୍ ନବୀକରଣ, ଏକୀକରଣ ଓ ସମ୍ପ୍ରସାରଣ ବିଜେପିର ୨୦୨୪ ରଣନୀତିର ଏକ ପ୍ରମୁଖ ଅଂଶ। ମହାରାଷ୍ଟ୍ର ଏବଂ ବର୍ତ୍ତମାନ ବିହାରରେ ଯାହା ଘଟିଛି ତାହା ବିଜେପିର ନିର୍ବାଚନୀ ପ୍ରଚାରର ଏକ ଅଂଶ।

Categories
ଜାତୀୟ ଖବର ବିଶେଷ ଖବର

ଦଳବଦଳ ବିରୋଧୀ ଆଇନର ପୁନର୍ବିଚାର ପାଇଁ କମିଟି ଗଠନ ହେବ: ଓମ୍‍ ବିର୍ଲା

ନୂଆଦିଲ୍ଲୀ: ଦଳବଦଳ ବିରୋଧୀ ଆଇନର ପୁନର୍ବିଚାର ପାଇଁ ଏକ କମିଟି ଗଠନ କରିବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଏହାର ଅଧ୍ୟକ୍ଷ ହେବେ। ବିର୍ଲା ୮୪ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉପସ୍ଥିତ ଥିଲେ।

ଓମ୍ ବିର୍ଲା କହିଛନ୍ତି ଯେ ବିଧାନସଭାର ରକ୍ଷକ ହିସାବରେ ପ୍ରିଜାଇଡିଂ ଅଫିସରଙ୍କ ଦାୟିତ୍ୱ ହେଉଛି ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିବା ଏବଂ ସଦସ୍ୟମାନଙ୍କ ଦକ୍ଷତା ବଢ଼ାଇବା ଭଳି ନିଷ୍ପତ୍ତି ନେବା। ଆମର ନିଷ୍ପତ୍ତି ଏପରି ହେବା ଉଚିତ ଯାହା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ପାଲଟି ପାରିବ।

ରାହୁଲ ନାର୍ଭେକରଙ୍କ ନାଁ କାହିଁକି?

ଜାନୁଆରି ୧୦ ତାରିଖରେ ନାର୍ଭେକର ଶିବସେନା ଗୋଷ୍ଠୀ ପକ୍ଷରୁ ପରସ୍ପରର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା କ୍ରସ୍ ପିଟିସନ୍ ଉପରେ ରାୟ ଶୁଣାଇଥିଲେ। ବାସ୍ତବରେ ୨୦୨୨ରେ ଶିବସେନାରେ ବିଭାଜନ ହେବା ପରଠାରୁ ଉଭୟ ଗୋଷ୍ଠୀ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ପରସ୍ପରର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରି ଆସୁଛନ୍ତି। ନାର୍ଭେକର ବର୍ତ୍ତମାନ ଏନସିପିର ଅଜିତ ଏବଂ ଶରଦ ଗୋଷ୍ଠୀଦ୍ୱାରା ଦାୟର ସମାନ ପିଟିସନର ଶୁଣାଣି କରୁଛନ୍ତି।

ଦଳବଦଳ ବିରୋଧୀ ଆଇନ କ’ଣ?

୧୯୬୭ରେ ହରିୟାଣାର ବିଧାୟକ ଗୟା ଲାଲ ଗୋଟିଏ ଦିନରେ ୩ ଥର ଦଳ ବଦଳାଇଥିଲେ। ସେବେଠାରୁ ରାଜନୀତିକୁ ଆୟା ରାମ-ଗୟା ରାମଙ୍କ ପ୍ରବଚନ ପ୍ରସିଦ୍ଧି ଲାଭ କରିଥିଲା। ପଦ ଓ ଅର୍ଥ ଲୋଭରେ ଦଳବଦଳ ରୋକିବା ପାଇଁ ରାଜୀବ ଗାନ୍ଧୀ ସରକାର ୧୯୮୫ମସିହାରେ ଦଳବଦଳ ନିରୋଧୀ ଆଇନ ଆଣିଥିଲେ।

ଏଥିରେ କୁହାଯାଇଛି ଯେ ଯଦି କୌଣସି ବିଧାୟକ କିମ୍ବା ସାଂସଦ ସ୍ୱେଚ୍ଛାକୃତଭାବେ ଦଳର ସଦସ୍ୟତା ଛାଡ଼ି ଅନ୍ୟଦଳରେ ଯୋଗ ଦିଅନ୍ତି, ତେବେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ସେ ଗୃହରୁ ସଦସ୍ୟତା ହରାଇପାରନ୍ତି। ଯଦି ଗୃହରେ କୌଣସି ପ୍ରସଙ୍ଗରେ ମତଦାନ ସମୟରେ କୌଣସି ସଦସ୍ୟ ନିଜ ଦଳର ହ୍ୱିପ୍ ପାଳନ ନ କରନ୍ତି, ତା’ହେଲେ ମଧ୍ୟ ତାଙ୍କ ସଦସ୍ୟତା ଯାଇପାରିବ।

ସମ୍ବିଧାନର ଦଶମ ଅନୁସୂଚୀରେ ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ସେମାନଙ୍କ ରାଜନୈତିକ ଦଳରୁ ଦଳବଦଳ ରୋକିବାର ବ୍ୟବସ୍ଥା ରହିଛି। ବିଧାୟକଙ୍କ ଦଳବଦଳ ଆଶଙ୍କାକୁ ରୋକିବା ପାଇଁ କଠୋର ବ୍ୟବସ୍ଥା କରାଯାଇଛି।

ଗୃହକୁ ବଳପୂର୍ବକ ଓ ଯୋଜନାବଦ୍ଧ ଭାବେ ମୁଲତବୀ ରଖିବା ଚିନ୍ତାର ବିଷୟ

ଏହି ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ ଗଣତନ୍ତ୍ର ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ଚାଲିଥାଏ। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ ହେଉଛି ସେମାନଙ୍କ କାର୍ଯ୍ୟଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବା। କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ନିୟମରେ ସଂଶୋଧନ କରାଯିବା ଦରକାର, ଯାହାଦ୍ୱାରା ଏହି ଅନୁଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିବ।

ସଂସଦରେ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ସଦସ୍ୟମାନଙ୍କ ବିପଦ ଓ ମର୍ଯ୍ୟାଦାର ଯତ୍ନ ନିଆଯିବ
ସଂସଦର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। କ୍ୟାମ୍ପସରେ ୧୪୦ ଜଣ ସିଆଇଏସଏଫ ଯବାନଙ୍କୁ ନିୟୋଜିତ କରାଯାଇ ପର୍ଯ୍ୟଟକ ଓ ସେମାନଙ୍କ ଜିନିଷପତ୍ର ଯାଞ୍ଚ କରାଯାଉଛି।

ନୂଆ ସଂସଦ ଭବନକୁ ପ୍ରବେଶ କରୁଥିବା ଲୋକଙ୍କୁ ଏକ୍ସ-ରେ ମେସିନ୍, ହ୍ୟାଣ୍ଡ ହେଲ୍ଡ ଡିଟେକ୍ଟର ଦେଇ ଯିବାକୁ ପଡ଼ିବ। ଏଥିସହିତ ସେମାନଙ୍କ ଜିନିଷପତ୍ର, ଜୋତା, ଭାରି ଜ୍ୟାକେଟ୍ ଇତ୍ୟାଦି ଯାଞ୍ଚ କରାଯିବ। ଏପରିକି ବେଲ୍ଟକୁ ଟ୍ରେରେ ରଖି ଏକ୍ସ-ରେ ସ୍କାନର ସାହାଯ୍ୟରେ ଯାଞ୍ଚ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା 6 ମାସ ଯାଏଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା ଏହି ରାଜ୍ୟ

ମୁମ୍ବାଇ: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ପୂର୍ବଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ତଥାପି ଶୀତ ବଢ଼ୁଥିବାରୁ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା 6 ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ।

ରାଜ୍ୟରେ ପୁନଃ ଲକ୍‌ଡାଉନ୍‌ କିମ୍ବା ରାତ୍ରିକାଳନୀ କର୍ଫ୍ୟୁ ଲାଗୁ କରିବା ସପକ୍ଷରେ ସରକାର ନାହାନ୍ତି । ଯଦିଓ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଅଛି ତଥାପି ଏହା ନିୟନ୍ତ୍ରଣ ଭିତରେ ରହିଛି ।

ରବିବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବର୍ତ୍ତମାନ ସ୍ଥିତିରେ ସତର୍କ ରହିବା ହିଁ ବଡ଼ ଚିକିତ୍ସା। ଅତିକମରେ ଆଗାମୀ 6ମାସ ପାଇଁ ସାର୍ବଜନୀନ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଅଭ୍ୟାସ ଜାରି ରଖିବା ଉଚିତ୍‌ ବୋଲି କହିଛନ୍ତି ଠାକ୍‌ରେ ।

ସୂଚନାଯୋଗ୍ୟ, ଶନିବାର ଦିନ ରାଜ୍ୟରେ 3 ହଜାର 940 ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ 24 ଘଣ୍‌ଟାରେ 74ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 48 ହଜାର 648ରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ବଢୁଛି ଅସନ୍ତୋଷ, ଦଳ ଛାଡିବେ ଦଶରୁ ଉର୍ଦ୍ଧ୍ବ ବିଧାୟକ !

ମୁମ୍ବାଇ : କ୍ଷମତାର ରାଜନୀତିରେ କିଏ କେତେବେଳେ କେଉଁଆଡେ ଢଳିପଡେ ତାହା ଜଣାପଡେ ନାହିଁ । କେନ୍ଦ୍ରର ସତ୍ତାଧାରୀ ବିଜେପି ଅଧୁନା ସବୁ ରାଜ୍ୟରେ ନିଜର ଦବ୍‌ଦବା ଜାରି ରଖିଥିବାବେଳେ ମହାରାଷ୍ଟ୍ରରେ ଦୁର୍ବଳ ହେଉଥିବା ଭଳି ପ୍ରତୀତ ହେଉଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାଜି ଜିତିଥିବା ସତ୍ତ୍ବେ କ୍ଷମତାରୁ ଦୂରେଇ ରହିବାକୁ ପଡିଲା । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ବିଜେପିର 10ରୁ ଅଧିକ ବିଧାୟକ ଦଳ ଉପରେ ନାରାଜ ହୋଇ ଦଳ ଛାଡିବାକୁ ଚାହୁଁଛନ୍ତି ।  ଏନେଇ ସୂଚନା ଦେଇଛନ୍ତି ଏନ୍‌ସିପି ମୁଖ୍ୟ ତଥା ଉଦ୍ଧବ ଠାକ୍‌ରେ ସରକାରଙ୍କ ମନ୍ତ୍ରୀ ଜୟନ୍ତ ପାଟିଲ୍‌ ।  ବିଜେପିରେ ଅସନ୍ତୋଷ ବୃଦ୍ଧି ପାଉଛି । ଏବଂ ଏହି ବିଧାୟକମାନଙ୍କୁ ଭବିଷ୍ୟତରେ ଏନ୍‌ସିପିରେ ସାମିଲ୍‌ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜୟନ୍ତ ପାଟିଲ୍‌ ।

ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ମହାବିକାଶ ଅଘାଡି ଦଳର ଅନ୍ୟତମ ଅଂଶ ହେଉଛି ଏନ୍‌ସିପି । ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି, କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିଛନ୍ତି । ରାଜ୍ୟରେ ବିଜେପି ବିରୋଧୀର ଭୂମିକା ନିଭାଉଛି ।

ପାଟିଲ୍‌ କହିଛନ୍ତି ଯେ, ବିଜେପିର 10ରୁ ଅଧିକ ବିଧାୟକ ଦଳର ବ୍ୟବସ୍ଥାକୁ ନେଇ ବିବ୍ରତ ରହିଥିବାବେଳେ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ବିଜେପିର ନେତା ଏକନାଥ ଖଡ୍‌ସେ ଓ ଜୟସିଂହ ଗାୟକଓ୍ବାଡ ଗେରୁଆ ଦଳ ଛାଡି ଏନ୍‌ସିପିରେ ସାମିଲ୍‌ ହୋଇଛନ୍ତି ।

ଅପରପକ୍ଷରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର କହିଛନ୍ତି ଯେ,ଏନ୍‌ସିପି ଏବେ ପଶ୍ଚିମ ମହାରାଷ୍ଟ୍ରରେ ନିଜଦଳର ଆଧାରକୁ ମଜବୁତ୍‌ କରିବାର ଆବଶ୍ୟକତା ରହିଛି । ଯଦି ବିରୋଧୀ ଦଳ ମଧ୍ୟରୁ କେହି ଇସ୍ତଫା ଦେଇ ଏନ୍‌ସିପି, ଶିବସେନା ବା କଂଗ୍ରେସରେ ମିଶୁଛନ୍ତି, ତେବେ ବାକି ଅନ୍ୟ ଦୁଇ ଦଳ ବିଜେପି ବିରୋଧୀରେ  ପ୍ରାର୍ଥୀଙ୍କୁ ସମର୍ଥନ କରିବେ ।

ସୂଚନାଯୋଗ୍ୟ, 288 ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ଦଳ ପାଖରେ 169ଜଣ ବିଧାୟକ ରହିଛନ୍ତି । ଏହି ସମସ୍ତ ବିଧାୟକଙ୍କ ମଧ୍ୟରୁ ଶିବସେନାର 57ଜଣ, ଏନସିପିର 53, କଂଗ୍ରେସ 44 ଜଣ ଓ ଅନ୍ୟ ଦଳର 15 ଜଣ ବିଧାୟକ ରହିଛନ୍ତି। ସେହିପରି ବିରୋଧୀ ଦଳ ଏନ୍‌ଡିଏ ପାଖରେ 114 ଜଣ ସଦସ୍ୟ ରହିଛି । ତେବେ ଏଠାରେ ସବୁଠୁ ଅଧିକ ବିଧାୟକ 105 ଜଣ ବିଜେପି ପାଖରେ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 49 ହଜାର ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ  ବିଗତ 24 ଘଣ୍ଟା ମଧ୍ୟରେ 65 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶ ବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 25 ଲକ୍ଷ ଅତିକ୍ରମ କରିଛି। 996ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 49 ହଜାର36ରେ ପହଞ୍ଚିଛି। ବିଗତ 24 ଘଣ୍ଟା ମଧ୍ୟରେ 65 ହଜାର 2 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା  25 ଲକ୍ଷ 25 ହଜାର 743ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 18 ଲକ୍ଷ 08 ହଜାର 936 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 68 ହଜାର 220 ରହିଛି। ମହାରାଷ୍ଟ୍ରରେ ସର୍ବାଧିକ 6ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା 19 ହଜାର 427ରେ ପହଞ୍ଚିଛି। ସେହିପରି ତାମିଲନାଡୁରେ 5ହଜାର 514, ଦିଲ୍ଲୀରେ 4 ହଜାର 178, କର୍ଣ୍ଣାଟକରେ 3 ହଜାର 717ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)