Categories
ଧର୍ମ ବିଶେଷ ଖବର

ମଙ୍ଗଳମୟ ଶିବ

  

ଡକ୍ଟର ଫକୀର ମୋହନ ନାହାକ

 

“ବନ୍ଦେ ଦେବମୁମାପତିଂ ସୁରଗୁରୁଂ ବନ୍ଦେ ଜଗତ୍ କାରଣମ୍। ବନ୍ଦେ ପନ୍ନଗଭୂଷଣଂ ମୃଗଧରଂ ବନ୍ଦେ ପଶୁନାଂପତିମ୍।। ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନି ନୟନଂ ବନ୍ଦେ ମୁକୁନ୍ଦପ୍ରିୟମ୍। ବନ୍ଦେ ଭକ୍ତଜନାଶ୍ରୟଂଚ ବରଦଂ ବନ୍ଦେ ଶିବଂଶଙ୍କରମ୍।।”

ଦେବ ଦେବ ମହାଦେବ ସେ। ମଙ୍ଗଳମୟ ଶିବ। ଶିବ ଶବ୍ଦର ଅର୍ଥ ହିଁ ମଙ୍ଗଳ। ତେଣୁ ଏ ସମଗ୍ର ସଂସାରର ମଙ୍ଗଳକାରୀ ହେଉଛନ୍ତି ମହାଦେବ ଶିବ। ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ। ତେଣୁ ସେ ମହାଦେବ। ଦେବତା, ଦାନବ, ମାନବ, ଗନ୍ଧର୍ବ, ଯକ୍ଷ, କିନ୍ନର ସମସ୍ତଙ୍କ ସେ ଆରାଧ୍ୟ। ମହାଦେବ ସ୍ୱୟଂ ଆଶୁତୋଷ। ଅଳ୍ପରେ ସନ୍ତୁଷ୍ଟ ହେବା କେହି ତାଙ୍କଠାରୁ ହିଁ ଶିଖେ। ଅଳ୍ପରେ ସନ୍ତୁଷ୍ଟ ବୋଲି, ଯେତେବେଳେ ସମୁଦ୍ର ମନ୍ଥନରୁ ଏତେ ଧନ ରତ୍ନ, ଅମୃତ କଳସ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀକୁ ଦେବତାମାନେ ନିଜ ନିଜର କରିନେଲେ, ସେତେବେଳେ ମହାଦେବଙ୍କର କୌଣସି ଅଭିଯୋଗ ନଥିଲା। ବରଂ ସଂସାରକୁ ଭସ୍ମୀଭୂତ କରିଦେବା ଭଳି ହଳାହଳ ବିଷକୁ ସେ ନିଜର କରିନେଲେ।

ସଂସାରର ମଙ୍ଗଳ ପାଇଁ ସମଗ୍ର ବିଷକୁ ପାନକରି ସେ ପାଲଟିଗଲେ ଶ୍ୱେତଗଳରୁ ନୀଳକଣ୍ଠ। ହଳାହଳର ଜ୍ୱାଳାକୁ ପ୍ରଶମିତ କରିବା ପାଇଁ ମସ୍ତକରେ ଧାରଣ କଲେ ଗଙ୍ଗା, କଣ୍ଠଦେଶରେ ଭୁଜଙ୍ଗ, ଶରୀରରେ ଭସ୍ମ। ସେ ଯୋଗୀଶ୍ୱର। ତ୍ରିଭୁବନ ତାଙ୍କରି ନିବାସ। ସେ ସର୍ବତ୍ୟାଗୀ ଶଙ୍କର। ତେଣୁ ଶ୍ମଶାନରେ ବି ସୁଖ ନିଦ୍ରାରେ ଶୟନ କରିପାରନ୍ତି ମହାଦେବ।

ସଂସାର କଲ୍ୟାଣ ପାଇଁ ସ୍ୱୟଂ ଦେବାଧିଦେବ ତ୍ରିଲୋଚନ ପାନ କରନ୍ତି ହଳାହଳ। ସେହି ହଳାହଳ ପାନ କରିବା ପରେ ତାକୁ ଯଦି ସେ ନିଜ ଉଦରକୁ ନିଅନ୍ତି, ତାହେଲେ ସମଗ୍ର ଜଳଭାଗ ସପ୍ତସମୁଦ୍ର ବିଷାକ୍ତ ହୋଇଯିବାର ଭୟ ଅଛି। ତାକୁ ଯଦି ସେ ନିଜ ମସ୍ତକକୁ ନିଅନ୍ତି, ତାହେଲେ ସମଗ୍ର ଖଗୋଳମଣ୍ଡଳ ଧ୍ୱଂସ ହେବାର ଆଶଙ୍କା। ତେଣୁ ସେହି ହଳାହଳକୁ ନିଜ କଣ୍ଠରେ ହିଁ ଧାରଣ କରିଛନ୍ତି ମହାଦେବ। କାଳେ ଏହି ବିଷଜନିତ ଜ୍ୱାଳାରେ ଦେବାଧିଦେବଙ୍କ କିଛି ଅନିଷ୍ଟ ଘଟିବ, ସେ ଆଶଙ୍କାରେ ଶିବଗଣଙ୍କଠାରୁ ଆରମ୍ଭ କରି ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ବରୁଣ, କୁବେର ଯାଏଁ ସମସ୍ତ ଦେବତା, ଦାନବ, ମାନବ ସଚରାଚର ବ୍ରହ୍ମାଣ୍ଡ ସାରାରାତି ଉଜାଗର ରହି, ଦୀପଜାଳି, ପଞ୍ଚାମୃତରେ ମହାଲିଙ୍ଗକୁ ଅଭିଷେକ କରିଥିଲେ। ଆଉ ସେହି ରାତି ଥିଲା ମହାଶିବରାତ୍ରୀ ।

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରୀରେ ମହାଶିବରାତ୍ରୀ ପାଳନ ପଛରେ ରହିଛି ଆଉ ଏକ ପୌରାଣିକ କାହାଣୀ। ଏକଦା ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ଆଦର୍ଶଗତ ବିବାଦ ସୃଷ୍ଟି ହେଲା। ଉଭୟେ ଉଭୟଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବାକୁ ଚାହିଁଲେ। ଯାହାଫଳରେ ମୁଣ୍ଡଟେକିଲା ଏକ ବିରାଟ ସଂଘର୍ଷ। ବ୍ରହ୍ମା ପାଶୁପତ ଅସ୍ତ୍ର ଓ ବିଷ୍ଣୁ ମାହେଶ୍ୱର ଅସ୍ତ୍ର ନେଇ ପରସ୍ପର ଉପରେ ପ୍ରହାର କରିବାରେ ଲାଗିଲେ। ଏହି ଦୁଇ ଅମୋଘ ଅସ୍ତ୍ର ପରସ୍ପର ସହିତ ସମ୍ମୁଖୀନ ହେଲେ ସମଗ୍ର ସୃଷ୍ଟି ଧ୍ୱଂସହେବା ସୁନିଶ୍ଚିତ ଥିଲା। ଏଭଳି ସ୍ଥଳେ ଭୀତତ୍ରସ୍ତ ଦେବତାମାନେ ଦୌଡ଼ିଲେ ଦେବ ଦେବ ମହାଦେବଙ୍କ ନିକଟକୁ। ମହାଦେବ ନିଜ ଆଜ୍ଞାନେତ୍ରରେ ଦେଖି ସାରିଥିଲେ ଏହି ସଂଘର୍ଷର ଦୃଶ୍ୟ।

ଦୁଇ ଦେବଙ୍କୁ ଶାନ୍ତ କରିବାର କ୍ଷମତା କେବଳ ମହାଦେବଙ୍କର ଥିଲା। ତେଣୁ ସଙ୍ଗେ ସଙ୍ଗେ ଏକ ବିଶାଳ ସମ୍ଭାକୃତିର ଜ୍ୟୋତିଷ୍ମାନ ମହାଲିଙ୍ଗ ରୂପରେ ଉଭୟ ପାଶୁପତ ଏବଂ ମାହେଶ୍ୱର ଅସ୍ତ୍ରର ମଧ୍ୟ ଭାଗରେ ଆବିର୍ଭାବ ହେଲେ। ସେ ମହାଲିଙ୍ଗର ଜ୍ୟୋତି ସହସ୍ର ସୂର୍ଯ୍ୟଙ୍କ ସମାନ ତେଜୋଦୀପ୍ତ ଥିଲା। ଆଉ ତାର ବ୍ୟାପ୍ତିଥିଲା ଭୂମିରୁ ଭୂମା ଯାଏଁ। ଉଭୟ ପାଶୁପତ ଏବଂ ମାହେଶ୍ୱର ତତକ୍ଷଣାତ୍ ମହାଲିଙ୍ଗରେ ବିଲୀନ ହୋଇ ନିଷ୍କ୍ରିୟ ହୋଇଗଲେ। ସେତେବେଳେ ବିଷ୍ଣୁ ଓ ବ୍ରହ୍ମା ଉଭୟେ ବୁଝିପାରିଲେ ନିଜର ଭୁଲ୍। ଉଭୟେ ମହାଦେବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ କରିଥିଲେ କ୍ଷମାଯାଚନା।

ପିତାମହ ବ୍ରହ୍ମା ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲେ, ପ୍ରଭୁ .. ଆପଣଙ୍କ ଏ ଦିଗନ୍ତବିସ୍ତାରୀ ଅକଳ୍ପନୀୟ ପ୍ରତିମାକୁ ଯେତେବେଳେ ଦେବତାମାନେ ଦେଖିବାରେ ଅକ୍ଷମ, ସେତେବେଳେ ଧରାପୃଷ୍ଠରେ ମାନବ କେମିତି ଆପଣଙ୍କ ପୂଜା କରିବାରେ ସକ୍ଷମ ହେବ? ମହାଦେବ ସେହି ମୁହୂର୍ତ୍ତରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରେ ପରିଣତ ହେଲେ। ତାସହ ମଣିଷର ଆରାଧନା ପାଇଁ ପ୍ରକଟିତ ହେଲେ। ସେହି ଦିନଟି ଥିଲା ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ବା ଶିବଚତୁର୍ଦ୍ଦଶୀ- ମହାଶିବରାତ୍ରୀ।

ଈଶାନ ସଂହିତାରେ ବର୍ଣ୍ଣନା ରହିଛି ଯେ, ମହାଶିବରାତ୍ରୀ ଦିନ କୌଣସି ପୂଜାର୍ଚ୍ଚନା ନକରି କେବଳ ମହାଦେବଙ୍କ ଉଦ୍ଦେଶ୍ୟରେ ଉପବାସ ରଖିଲେ, ଦେବାଧିଦେବ ସନ୍ତୁଷ୍ଟ ହୁଅନ୍ତି। ଏହି ଉପବାସ ସମୟରେ ଶିବ ପଞ୍ଚାକ୍ଷର ମନ୍ତ୍ର- ଓଁ ନମଃ ଶିବାୟ ପାଠ କରିବା ଆବଶ୍ୟକ। ମହାଶିବରାତ୍ରୀରେ କୋଟି ସୂର୍ଯ୍ୟସମ ଶିବଙ୍କୁ ଆରାଧନା କଲେ ସମଗ୍ର ଜୀବନର କଷାୟ କଳ୍ମଷ ଦୂରୀଭୂତ ହୁଏ।

“ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶ୍ୟାଂ ଆଦିଦେବୋ ମହାନିଶି। ଶିବଲିଙ୍ଗତୟୋଦ୍ଭୂତଃ କୋଟିସୂର୍ଯ୍ୟସମପ୍ରଭଃ।।”

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତିରେକ ସମଗ୍ର ଭାରତୀୟ ଭୂଖଣ୍ଡରେ ଲିଙ୍ଗଶ୍ରେଷ୍ଠ ଲିଙ୍ଗରାଜ ପୂଜିତ ଉତ୍କଳର ଏକାମ୍ର କ୍ଷେତ୍ରରେ। ଗୋଟିଏ ପଟେ ସ୍ୱୟଂ ଶ୍ରୀଜଗନ୍ନାଥ ଏବଂ ଅନ୍ୟପଟେ ମହାଦେବ ଲିଙ୍ଗରାଜ ଭୋଳାନାଥ। ହରିହରଙ୍କ ଏ ଅପୂର୍ବ ଉତ୍କଳୀୟ ଭୂଖଣ୍ଡରେ ସ୍ୱୟଂ ଶ୍ରୀଜଗନ୍ନାଥ ବି ମହାଦେବ ଭୈରବ ରୂପରେ ପୂଜା ପାଇବା ପରମ୍ପରା ସମଗ୍ର ଭାରତବର୍ଷରେ ବିରଳ। ଦେଶର ସମସ୍ତ ଶକ୍ତିପୀଠରେ ଭୈରବ ରୂପରେ ମହାଦେବ ଅଧିଷ୍ଠିତ ହୋଇଥିଲା ବେଳେ, ଶ୍ରୀକ୍ଷେତ୍ରରେ ମାଆ ବିମଳାଙ୍କ ଭୈରବ ସ୍ୱୟଂ ଶ୍ରୀଜଗନ୍ନାଥ।

“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ।”

ତେଣୁ ଆମେ ସୌଭାଗ୍ୟବାନ୍ ଯେ, ଆମ ମାଟିରେ ଉଭୟ ଶୈବ, ଏବଂ ବୈଷ୍ଣବ ସମସ୍ତଙ୍କ ଆରାଧ୍ୟ ଭାବେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମହାଦେବ ଲିଙ୍ଗରାଜ। ଏହି ସମନ୍ୱୟର ଭୂଖଣ୍ଡରେ ଶ୍ରୀଗୁଣ୍ଡିଚା ଭଳି ମହାଶିବରାତ୍ରୀ ବି ଅନୁରୂପ ଗୁରୁତ୍ୱ ବହନ କରେ। ତେବେ ଶାସ୍ତ୍ର ଅନୁସାରେ ମହାଶିବରାତ୍ରୀ, ଆମ ଭିତରେ ଥିବା ଅନେକ ଦୁର୍ଗୁଣକୁ ମଙ୍ଗଳମୟ ମହାଦେବଙ୍କ ନିକଟରେ ସମର୍ପଣ କରି ସମସ୍ତ ଦେବୋପମ ସୁଗୁଣକୁ ଧାରଣ କରିବା ଲାଗି ଏକ ପ୍ରକୃଷ୍ଟ ମୁହୂର୍ତ୍ତ।

“ଓଁ ଅମଙ୍ଗଳାନାଂ ଶମନଂ ଶମନଂ ଦୁଷ୍କୃତସ୍ୟ ଚ। ଦୁଃସ୍ୱପ୍ନନାଶନୟ ଧନ୍ୟଂ ପ୍ରପଦ୍ୟୋଅହଂ ଶିବଂ ଶୁଭମ୍।।”

ହେ ଦେବ ଦେବ ମହାଦେବ, ଆମ ଭିତରେ ଥିବା ସମସ୍ତ ଅମଙ୍ଗଳ, ଦୁଷ୍ପ୍ରବୃତ୍ତି, ଦୁଃସ୍ୱପ୍ନ ଚିରକାଳ ପାଇଁ ନାଶ ହେଉ। ଶୁଦ୍ଧ ଆଚରଣ ଏବଂ ଉଚ୍ଚାରଣର ସଂକଳ୍ପ ସହ ଆମ ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଆମର ସଂକଳ୍ପ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )

Categories
ଆଜିର ଖବର ରାଜ୍ୟ ଖବର

ମହାଶିବରାତ୍ରି ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ହେବ ଭଜନ ସମାରୋହ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଲିଙ୍ଗରାଜ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୩ ବର୍ଷ ପାଳନ କରିବ ।

ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୱାଲ, ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ଯୋଗ ଦେବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ,ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ, ପ୍ରବଚନ ପ୍ରଭୃତି କରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ସୂଚନା ଦେଇଥିଲେ ।

Categories
ବିଶେଷ ଖବର ସଂସ୍କୃତି

ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର, ଏଥର ଶିବରାତ୍ରୀରେ ଭକ୍ତଙ୍କୁ ମିଳିବ ନିଆରା ଅନୁଭୂତି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :  ଆଜି ମହାଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବିଭିନ୍ନ ଫୁଲରେ ଝଲସି ଉଠିଛି। ଆଜି ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହିତ ମନ୍ଦିରର ଏପରି ସାଜସଜ୍ଜା ଦେଖି ବିମୋହିତ ହୋଇଯାଉଛନ୍ତି। ଭୁବନେଶ୍ବର ଫ୍ଲୋରିଷ୍ଟ ସଂଘ ତରଫରୁ ଏକି ଫୁଲସଜ୍ଜା କାମ କରାଯାଇଛି। ଏଥିପାଇଁ ପ୍ରାୟ 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।  ପୂର୍ବରୁ ପୁରୀର ମନ୍ଦିରକୁ ଯେପରି ଫୁଲରେ ସଜା ଯାଇ ଆକର୍ଷଣୀୟ କରାଯାଇଥିଲା ଠିକ୍‌ ସେହିପରି ଲିଙ୍ଗରାଜ ମନ୍ଦିରରେ କରାଯାଇଛି।

ସେତିକି ନୁହେଁ ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ଭକ୍ତମାନଙ୍କୁ ଏକ  ନିଆରା ଅନୁଭୂତି ମିଳିବ। କାରଣ ମନ୍ଦିର ଚାରିପଟୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ମନ୍ଦିର ଚାରିପଟୁ ପର୍ଯ୍ୟାପ୍ତ ସ୍ଥାନ ବୁଲିବା ପାଇଁ ମିଳିପାରିଛି। ଫଳରେ ପୂର୍ବରୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଯେଉଁ ଭିଡ ହେଉଥିଲା ତାହା ଏଥର ହେବ ନାହିଁ। ସେହିପରି ଗାଡି ପାର୍କିଂ ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ଶିବ ଭକ୍ତଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ନିଶ୍ଚିତ ଏକ ଭକ୍ତିପୂତ ନୂଆ ଅନୁଭୂତି ନେଇ ଆସିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାତି 10ଟାରେ ଉଠିବ ଲିଙ୍ଗରାଜଙ୍କର ମହାଦ୍ବୀପ, ମନ୍ଦିର ପ୍ରଶାସନକୁ ସେବାୟତ କମିଟ କଲା ସୁପାରିଶ

ଭୁବନେଶ୍ବର, ଆସନ୍ତା 21 ତାରିଖରେ ପଡୁଥିବା ଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଲିଙ୍ଗରାଜଙ୍କ ମହାଦ୍ବୀପ ରାତ୍ର 10 ଟାରେ ଉଠିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଗତକାଲି ରାତିରେ ବସିଥିବା ସେବାୟତ କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି କମିଟ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେବା ପରେ ଏ ନେଇ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବ।

ଚଳିତ ବର୍ଷ ପ୍ରଭୃ ଲିଙ୍ଗରାଜଙ୍କ ଶିବରାତ୍ରୀ ବେଶ୍ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। କାରଣ ଏଥର ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ଫଳରେ ଭକ୍ତମାନେ ଆରାମରେ ମନ୍ଦିର ଦର୍ଶନ କରିବା ସହିତ ଚାରିପଟେ ବୁଲିପାରିବେ। ସେଥିପାଇଁ ଚଳିତ ବର୍ଷ ମନ୍ଦିର ପ୍ରଶାସନ ଏହି ଉତ୍ସବକୁ ବେଶ ଯାକଜକମରେ ପାଳନ କରିବାକୁ ତତ୍ପର ହୋଇଉଠିଛି।