Categories
ଆଜିର ଖବର

କେନ୍ଦ୍ରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବନି : କମଲ ନାଥ

ଦେଶର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ତୃତୀୟ ନିର୍ବାଚନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ଏବେ ଦେଶର ରାଜନୈତିକ ସ୍ଥିତି ତଥା ନିର୍ବାଚନୀ ହାଓ୍ବାକୁ ଦେଖି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ କେନ୍ଦ୍ରରେ ଆଗାମୀ ସରକାରକୁ ନେଇ ନିଜର ମତ ରଖିଛନ୍ତି। କେନ୍ଦ୍ରରେ ଆପତତଃ ଝୁଲା ସରକାରର ପୂର୍ବାନୁମାନ କରିଥିବାବେଳେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇବନି ବୋଲି କହିଛନ୍ତି କମଲନାଥ। କଂଗ୍ରେସ ବହୁତ ଭଲ କରିବ, କିନ୍ତୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ତେଣୁ ସରକାର ଗଠନ ପାଇଁ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ହେବ ବୋଲି କହିଛନ୍ତି କମଲନାଥ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାର କରିବା ପାଇଁ ଯଥେଷ୍ଟ ଆସନ ପାଇବ ନାହିଁ। ଅନ୍ୟପକ୍ଷରେ ଅନ୍ୟ ପ୍ରମୁଖ ରାଜନୀତିକ ଦଳ ଗୁଡ଼ିକ ମଧ୍ୟ ଏହି ଦଳ ସହିତ ମେଣ୍ଟ କରିବାକୁ ରାଜି ହେବେ ନାହିଁ। ସେ କହିଛନ୍ତି, ଯଦି ମେଣ୍ଟ ହୁଏ, ମେଣ୍ଟ ହିଁ ସବୁ ନିଷ୍ପତ୍ତି ନେବ। ଦେଶରେ ରାଜନୈତିକ ବାତାବରଣକୁ ଲକ୍ଷ୍ୟ କରି କମଲ୍‌ ନାଥ କହିଛନ୍ତି ଯେ, ଦେଶରେ ଦୁଇଟି ପକ୍ଷ ରହିଛନ୍ତି। ଗୋଟିଏ ହେଉଛି ବିଜେପି ବିରୋଧୀ ଏବଂ ଅନ୍ୟଟି ବିଜେପି ସମର୍ଥକ। ବିଜେପି ସମର୍ଥକଙ୍କ ସଂଖ୍ୟା କମ୍‌ ରହିଥିବାବେଳେ ପୂରା ରାଜନୀତି ମାହେଲା ଏବେ ବିଜେପି ବିରୋଧରେ। ତେବେ ରାହୁଲ୍‌ଙ୍କ ପ୍ରଧାନମନ୍ତ୍ରୀ ହେବାକୁ ନେଇ କମଲ୍‌ନାଥ କହିଛନ୍ତି ଯେ, କଂଗ୍ରେସ ସରକାର ଗଠନ କଲେ, ରାହୁଲ୍‌ ହିଁ ପ୍ରଧାନମନ୍ତ୍ରୀ ହେବେ। ସେହିପରି କଂଗ୍ରେସର ନ୍ୟାୟ ଯୋଜନା ବିଷୟରେ କହିଛନ୍ତି ଯେ, ଏହା ଏକ ବିପ୍ଳବୀ ଯୋଜନା। ଏହା ଜରିଆରେ ୫ କୋଟି ଗରିବୀ ହଟାଯାଇପାରିବ।